Unknown

 

 

 

 

 

 

 

 

 

 

 

ଚାହାର କାହାଣୀ

ଚିତ୍ତରଞ୍ଜନ ଦାସ

 

ସୂଚୀପତ୍ର

 

୧.

ଚାହା–ଇତିହାସ

୨.

ଚାହାର ପୁସ୍ତକ

୩.

ଚାହାରୁ ଦାର୍ଶନିକତା

୪.

ଚାହା : ପାନୀୟରୁ ପଣ୍ୟ

୫.

ଏବଂ ଶେଷ ଅଧ୍ୟାୟଟିଏ

Image

 

ଚାହା–ଇତିହାସ

 

ଚାହା ବିଗତ ବହୁ ଶତାବ୍ଦୀରୁ ଚୀନ୍ ଦେଶର ଏକ ସ୍ଥାନୀୟ ବିଶେଷ ପାନୀୟ ଭାବରେ ପ୍ରଚଳିତ ହୋଇରହିଆସିଛି । ଏବେ ତ ପୃଥିବୀଯାକର ସବୁ ଦେଶରେ ଚାହା । ସବୁ ମହାଦେଶରେ ଓ ସବୁ କଟିବନ୍ଧରେ । ବହୁଜନଙ୍କର ପ୍ରିୟ ଏବଂ ବହୁଜନଙ୍କ ଦ୍ଵାରା ଆଦୃତ । ତଥାପି ସେହି ପାନୀୟଟିର ଅର୍ଥାତ୍ ଦ୍ରବ୍ୟଟିର ଇତିହାସଟିକୁ ଉଖାଡ଼ି ଦେଖିବାକୁ ଗଲେ ଆମକୁ ଚୀନ୍ ଦେଶରୁ ହିଁ ଆରମ୍ଭ କରିବାକୁ ପଡ଼ିବ । ଚାହା ଶବ୍ଦଟି ମଧ୍ୟ ସେହି ଚୀନା ଭାଷାର । ଏଡ଼େ ବଡ଼ ଭୂମିଟିର ବିଭିନ୍ନ ଅଞ୍ଚଳରେ ଏବଂ ଏପରିକି ବିଭିନ୍ନ ଶାସକ ବଂଶର ରାଜତ୍ୱ-କାଳରେ ସେହି ଗୋଟିଏ ଶବ୍ଦକୁ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରେ ଉଚ୍ଚାରଣ କରାଯାଇ ଆସିଛି । ଅଧିକ ନିର୍ଭୁଲ ଭାବରେ କହିଲେ, ସେହି ସେକାଳରୁ ହିଁ ଚୀନ୍‌ରେ ଦୁଇ ଆଞ୍ଚଳିକ ବୋଲିରେ ଦୁଇ ପ୍ରକାରେ ଅଭିହିତ କରାଯାଇଛି, ଗୋଟିଏ ଟି ଏବଂ ଆରଟି ଚା । ଖୁବ୍ କୌତୁହଳର କଥା ଯେ, ପୃଥିବୀ ତମାମ ମଧ୍ୟ ଭିନ୍ନ ଭିନ୍ନ ଦେଶରେ ତଥା ଭାଷାରେ ଏହି ଦୁଇ ମଧ୍ୟରୁ ଏଇଟି ଅଥବା ସେଇଟିର ପ୍ରଚଳନ ହୋଇ ଆସିଛି । ଭାଷା-ଇତିହାସର ଅଧ୍ୟୟନ କରୁଥିବା ବିଶେଷ ବିଦ୍ଵାନବର୍ଗଙ୍କର କହିବା ଅନୁସାରେ, ଟି ହେଉଛି ଉତ୍ତରାଞ୍ଚଳର ଏବଂ ଚା ହେଉଛି ଦକ୍ଷିଣ ଅଞ୍ଚଳର । ଇଉରୋପର ବହୁସଂଖ୍ୟକ ଭାଷାରେ ଲୋକମାନେ ଅଭ୍ୟସ୍ତ ଭାବରେ ହିଁ Tea, Thee, Te, Tee, Tei ପ୍ରଭୃତି ଶବ୍ଦ ବ୍ୟବହାର କରନ୍ତି । ଶାସ୍ତ୍ରୀୟ ଲାଟିନ୍ ଭାଷାରେ ଚାହାକୁ Herba thea ବୋଲି ଉଲ୍ଲେଖ କରାଯାଇଥିବାର କାରଣଟିରୁ କୌଣସି ଅନ୍ୟ ପ୍ରଭାବର ବଶବର୍ତ୍ତୀ ହୋଇ କେବଳ ଗୋଟିଏ ମଧ୍ୟ-ଇଉରୋପୀୟ ଭାଷା ପୋଲାଣ୍ଡ ଦେଶର ପୋଲିଶ୍ ଭାଷାରେ Herbata ବୋଲି କୁହାଯାଉଛି । କିନ୍ତୁ, ଏପରି କୌଣସି ପରିସ୍ଥିତିଗତ କ’ଣ ଅନ୍ତରାୟଟିଏ କେଉଁଠି ରହିଲା ଯେ, ଚାହା ନାମକ ସେହି ଅନ୍ୟ ଶବ୍ଦଟି ଇଉରୋପକୁ ପ୍ରବେଶ କରି ପାରିନଥିଲା ।

 

ତଥାପି, ହୁଏତ ବେଶ୍ ଆକସ୍ମିକ ଘଟଣାଟିଏ ଯେ, କଣୁଆ ହୋଇ ଦକ୍ଷିଣ-ପୂର୍ବ ଇଉରୋପୀୟ ମାହାଲର କେତେକ ସାନ ଅଥଚ ଅଧିକ ପ୍ରାଚୀନ ଭୂଖଣ୍ଡରେ ଲୋକମାନେ ଚାହା ଶବ୍ଦଟିକୁ ବ୍ୟବହାର କରି ଆସିଛନ୍ତି । ଯଥା : ଆଲ୍‌ବାନିଆରେ ଚାୟ, ବୋସନିଆରେ ଚାୟ, ବୁଲଗାରିଆ ଏବଂ କ୍ରୋଏସିଆ ଅଞ୍ଚଳରେ ଚାୟ, ଚେକ୍ ଭାଷାରେ ଚାୟ୍‌, ମାସିଡ଼ୋନିଆରେ (ଇତିହାସର ବିଶ୍ୱବିଜୟୀ ଆଲେକ୍‌ଜାଣ୍ଡରଙ୍କ ଭୂମି) ଚାୟ୍‌ । ତେଣେ, ପର୍ଟୁଗାଲ୍‌ରେ ମଧ୍ୟ ଚା । କିନ୍ତୁ, ସେହି ଦେଶଟାକୁ ପ୍ରାୟ ଗୋଟାଏ ଆଡ଼କୁ ଯାବି ଦେଇ ରଖୁଥିବା ବୃହଦାୟତନ ସ୍ପେନରେ te ବା ଟେ । ତା’ପରେ ଏଣେ ଏସିଆ ମହାଦେଶ ଭିତରକୁ ପଶିଆସିଲେ ଆରବୀରେ Shi ବା Chai, ପାର୍ସୀରେ ଚାୟ୍‌ । ଆଫ୍ରିକାର ସୋମାଲି ଓ ସ୍ୱାହିଲି ଦୁଇ ଭାଷାରେ ଯଥାକ୍ରମେ Shaax ଏବଂ Chai, ତିବ୍ଦତୀ ଭାଷାରେ Ja, ତୁର୍କୀରେ Cay, ଉଜ୍‌ବେକିସ୍ତାନରେ Choy, ନେପାଳୀ Chai, ଋଷ ଭାଷାରେ Chai ଏବଂ ୟୁକ୍ରେନୀୟ ଭାଷାରେ ମଧ୍ୟ ଚାୟ୍‌ । ଚୀନ୍‌ର ପଡୋଶୀ ଦେଶ ଜାପାନରେ Cha, କୋରିଆରେ ପ୍ରାୟ ଏହି ଶବ୍ଦଟି, ଥାଇଲାଣ୍ଡରେ ଚାୟ୍‌ । ଏବଂ, ବେଶ୍ ଆଗ୍ରହୋଦ୍ଦୀପକ ଭାବରେ, ଭିଏତ୍‌ନାମ୍‌ର ଭାଷାରେ କ’ଣ ପାଇଁ tra ଏବଂ Che ଦୁଇଟିଯାକ ଶବ୍ଦ ହିଁ ବହୁକାଳରୁ ଚଳିଆସୁଛି ।

 

ସୁନିଶ୍ଚିତ ଭାବରେ ଯୁଗଯୁଗର ନାନା ସାଂସ୍କୃତିକ ସଂକ୍ରାମଣ ଓ ପ୍ରତିସଂକ୍ରାମଣର କାରଣରୁ ଏକ ମହାଦେଶ ବୋଲି କୁହାଯାଇ ଆସିଥିବା ଭାରତବର୍ଷରେ ଲୋକମୁଖରେ ପ୍ରଚଳିତ ହେଉଥିବା ପ୍ରାୟ ସବୁଯାକ ଭାଷାରେ ଏହି ପାନୀୟଟିକୁ ଲୋକମାନେ ଚାହା ବୋଲି ହିଁ କହନ୍ତି, ଇଂରେଜ ଶାସନରେ ଏତେ ଅଧିକ ପରିମାଣରେ ଉପଦ୍ରୁତ ହୋଇ ରହିଥିଲେ ମଧ୍ୟ ଇଂରାଜୀ Tea ଶବ୍ଦର ପ୍ରଚଳନଟା ତଥାପି ତାହାର ଦୋସର ଚାହା ଶବ୍ଦଟିକୁ ଆସନଚ୍ୟୁତ କରିପାରିନାହିଁ । ବଂଗଳା, ହିନ୍ଦୀ, ଆସାମୀ, ଓଡ଼ିଆ, - ସବୁଥିରେ ସେହି ଚାହା, - ଉଚ୍ଚାରଣ ବିଶେଷରେ ଆମର ଚାହା ତ ଆଉ କାହାର ଚାୟ ଏବଂ ଆଉ କାହାର ବି ଚା । ମାତ୍ର, ଚାହା କହିଲେ ଦକ୍ଷିଣ ଭାରତର ଚାରୋଟିଯାକ ଭାଷାଭାଷୀ ସମସ୍ତେ ହିଁ ବସ୍ତୁଟିକୁ ଅବଶ୍ୟ ବୁଝି ପାରୁଥିଲେ ମଧ୍ୟ ତେଣେ ବ୍ୟବହାରର କ୍ଷେତ୍ରରେ ସେହି ଅନ୍ୟ ‘ଟି' ଶବ୍ଦଟି ବେଶ୍ ଅଗ୍ରାଧିକାର ଲାଭ କରିଥାଏ । ଏଭଳି କିପରି ହୋଇଛି କେଜାଣି ? ହଁ, ସିଂହଳର ଭାଷାରେ ସେହି Te, - ଏବଂ ସିଂହଳଦେଶ ତ ପୃଥ୍ୱୀଯାକର ଏକ ମୁଖ୍ୟତମ ପେଣ୍ଠ ଚାହା’ର । ଅଧିକ ଅନୁସନ୍ଧାନ କଲେ ଖୁବ୍ ସମ୍ଭବ ଜଣାଯିବ ଯେ ପୁରାତନ ଶତାବ୍ଦୀମାନଙ୍କରେ ଦକ୍ଷିଣର ସେହି ସାଂସ୍କୃତିକ ଅନ୍ତରୀପଟିର ସିଂହଳ ସହିତ ହିଁ କାର୍ଯ୍ୟତଃ ଏକାଧିକ ଅର୍ଥରେ ନିକଟତର ସମ୍ପର୍କ ରହିଥିଲା । ପୁନଶ୍ଚ, ତାମିଳ ଅଞ୍ଚଳରୁ ହିଁ ଶ୍ରମିକମାନେ ଲଙ୍କାଦ୍ୱୀପକୁ ଯାଇ ସେଠାରେ ଚାହାବାଗାନମାନଙ୍କରେ ସେହି ପ୍ରଥମ କାଳରୁ ହିଁ ଶ୍ରମିକରୂପେ କାର୍ଯ୍ୟ କରି ଆସୁଛନ୍ତି । ସେହି ଦ୍ୱୀପଟିରେ ଏବେ ମାହାଲ ଜମାଇ ରହିଥିବା ବିଦେଶୀ ଚାହାକମ୍ପାନୀମାନ ସମ୍ଭବତଃ ତାମିଳଭାଷୀ ଶ୍ରମିକମାନଙ୍କୁ ନେଇ ସେଠାରେ ନିୟୋଜିତ କରିବାକୁ ଅଧିକ ଅର୍ଥକାରୀ ବୋଲି କିଛି ପ୍ରମାଣ ପାଇଥିବେ ।

 

ପୁନଶ୍ଚ, ଆୟର୍ଲାଣ୍ଡ ଦେଶରେ, ଅନ୍ତତଃ ରାଜଧାନୀ ଡବଲିନ୍ ସହରରେ ସମୟ ସମୟରେ ଚାହାକୁ tea ନକହି ‘Cha’ ବୋଲି କୁହାଯାଇଥାଏ । ବିଚିତ୍ର ଅବଶ୍ୟ ଲାଗିବ, କାରଣ ଦ୍ୱୀପପୁଞ୍ଜର ସେହି ସମ୍ପୂର୍ଣ୍ଣ ଭୌଗୋଳିକ ଅଞ୍ଚଳଟିରେ ଇଂଲଣ୍ଡ ଓ ଅନ୍ତର୍ଗତ ଆଉ ସବୁ ଅଞ୍ଚଳରେ ସମସ୍ତେ tea ବୋଲି କହିଲାବେଳେ ବିକଳ୍ପ ‘ଚା’ ଶବ୍ଦଟି ସେଠାରେ ଯାଇ କିଭଳି ପହଞ୍ଚିଯାଇଥିବ କେଜାଣି ? ହଁ, ପୁଣି ଉତ୍ତର ଆମେରିକାର ସେହି ବହୁଦୂର ମୁଲକଟିରେ ଭାରତବର୍ଷରୁ ସେଠାକୁ ରପ୍ତାନୀ ହୋଇ ଯାଇଥିବା ଚାହାକୁ ସମସ୍ତେ Chai ବୋଲି କହନ୍ତି । ଏବେ ତ ପୁଣି ‘ମସଲା ଚାହା’ କଥାଟି ମଧ୍ୟ ବ୍ୟବହୃତ ହେବାକୁ ଆରମ୍ଭକଲାଣି । ଭାରତବର୍ଷରୁ ଯାଇ ସେଠାରେ ପହଞ୍ଚି ବସବାସ କରିଥିବା ଏ ଦେଶୀୟ ସେହି ଖାସ୍ ସ୍ଵାଦ ଏବଂ ରୁଚିକୁ ସ୍ୱୀକୃତି ପ୍ରଦାନ କରି ନିଶ୍ଚୟ ଏପରି ନୂଆ ନାଆଁଟିଏ ଜନ୍ମଲାଭ କରିଥିବ । ସମ୍ଭବତଃ ଦକ୍ଷିଣ ଆମେରିକା ହେଉଛି ଏକମାତ୍ର ମହାଦେଶୀୟ ବସତି, ବିଶେଷ କରି ଆଣ୍ଡିଜ୍ ପର୍ବତମାଳା ପଟର ଖାସ୍ ଦେଶମାନଙ୍କରେ ଆମର ଏହି ପାନୀୟଟି ଲାଗି ଯେଉଁ ଶବ୍ଦଟି ଚଳି ଆସିଛି, ସେଇଟିର ଗଠନ ସହିତ tea ଶବ୍ଦଟିର କୌଣସି ଉଚ୍ଚାରଣ ଅଥବା ଉତ୍ସଗତ ସଂପର୍କ ରହି ନଥିବା ପରି ମନେ ହୋଇଥାଏ । ତଦ୍‌ବିତ୍‌ମାନେ ଅନୁମାନ କରୁଛନ୍ତି ଯେ, ଚାହା ନାମକ ଏହି ନିର୍ଦ୍ଦିଷ୍ଟ ଦ୍ରବ୍ୟଟି ବାହାରୁ ଯାଇ ସେଠାରେ ପ୍ରବେଶ କରିବାର ବହୁ ପୂର୍ବରୁ ହିଁ ସେଠାରେ ଲୋକମାନେ ପ୍ରାୟ ସମାନ ଭାବରେ ଉତ୍ତେଜକ ଏକ ଉଦ୍ଭିଦଜ ପାନୀୟ ବ୍ୟବହାର କରୁଥିଲେ ଏବଂ ତାହାକୁ hierba mate ବୋଲି କହୁଥିଲେ । ତେଣୁ, ପରବର୍ତ୍ତୀ ଏହି ଚାହାଟି ଯାଇ ସେଠାରେ ଗୃହୀତ ହେବା ପରେ ସେହିଦିନଠାରୁ ଆଗର ତଥା ପଛର ଦୁଇଟି ଯାକକୁ ହିଁ mate ବୋଲି କୁହାଯାଇ ଆସୁଛି ।

 

ଚାହା–ଇତିହାସର ସେହି ଏକାନ୍ତ ଭାବରେ ଆଦି ପର୍ଯ୍ୟାୟଗୁଡ଼ିକୁ ଅଧିକ ତନ୍ନ ତନ୍ନ କରି ଦେଖିବାକୁ ଇଚ୍ଛାକଲେ ଆମକୁ ଅନେକ ଅଧିକ ପୁରାତଥ୍ୟ ମଧ୍ୟ ପ୍ରାପ୍ତ ହୋଇ ପାରିବ । ପୋଥିମାନଙ୍କରେ ଲେଖି ରଖିବାର କଳାଟି ତ ଚୀନ୍ ଦେଶରେ ଏକାବେଳେକେ ସଂପ୍ରତି ପ୍ରାୟ ଅନୁମାନ କରି ହେଉନଥିବା ସମୟରୁ ଚଳଣି ମଧକୁ ଆସି ପ୍ରବିଷ୍ଟ ହୋଇ ଆସିଥିଲା । ତେଣୁ, ଚାହା ସମ୍ପର୍କରେ ମଧ୍ୟ ପ୍ରାୟ ସାଧାରଣତଃ ଅଭାବନୀୟ ସମୟମାନଙ୍କର ପ୍ରମାଣମାନେ ମିଳିଯାଇ ପାରୁଛନ୍ତି । ସେହି ପ୍ରମାଣାନୁମାନ ଗୁଡ଼ିକର ଖିଅ ଧରି କୁହାଯାଉଛି ଯେ, ଖ୍ରୀଷ୍ଟପୂର୍ବ ୨୨୧ ଅବ୍ଦର ଆହୁରି ପୂର୍ବର ପ୍ରାକ୍-ଐତିହାସିକ ସମୟରେ ମଧ୍ୟ ଅନୁଷ୍ଠିତ ଉତ୍ସବମାନଙ୍କରେ ଉପାସ୍ୟଗଣଙ୍କ ଉଦ୍ଦେଶ୍ୟରେ ଚାହା ଲାଗି କରାଯାଉଥିଲା । ଖ୍ରୀଷ୍ଟପୂର୍ବ ୧୦୦୦ ଅବ୍ଦରେ ମଧ୍ୟ କେତେ ପୋଥିର ସୂଚନା ଅନୁସାରେ ଚୀନ୍ ଦେଶରେ ସିଚୁଆନ୍ ତଥା ଇଉନାନ୍ ଦୁଇ ପ୍ରଦେଶରେ ଚାହା ଆବାଦ ହେଉଥିବା କ୍ଷେତ୍ରମାନେ ରହିଥିଲେ ବୋଲି ଜାଣିହେଉଛି । ସେକାଳେ ବହୁ ଅଞ୍ଚଳରେ ଏକ ନିରାମିଷ ଖାଦ୍ୟ ରୂପେ ଟେବୁଲ୍‌ ଉପରେ ଚାହା ମଧ୍ୟ ବାଢ଼ିଦିଆଯାଉଥିଲା । ଗୋଟିଏ ଯୁଗକାଳରେ ଦେଶର ଜଣେ ପ୍ରଧାନମନ୍ତ୍ରୀ (ଖ୍ରୀଷ୍ଟପୂର୍ବ ୫୪୭ - ଖ୍ରୀଷ୍ଟପୂର୍ବ ୪୯୦ ଅବ୍ଦ) ତାଙ୍କ ଭୋଜନ କରୁଥବା ଟେବୁଲ୍ ଉପରେ ବଢ଼ା ଯାଉଥିବା ଅଣ୍ଡା ଏବଂ ଚାହାଦ୍ଵାରା ଆପ୍ୟାୟିତ ବି ହେଉଥଲେ । ଖାଦ୍ୟ ବିଷୟରେ ଲିଖିତ ଆଉଗୋଟିଏ ପୋଥିର କହିବା ଅନୁସାରେ କୌଣସି ଏକ ସହରରେ ଲୋକମାନେ ଚାହାପତ୍ରଗୁଡ଼ିକ ଦ୍ଵାରା ପ୍ରସ୍ତୁତ ଏକ ଖାଦ୍ୟକୁ ଭୋଜନ ରୁପେ ବ୍ୟବହାର କରୁଥିଲେ ଏବଂ ତାହାକୁ ଚାହାର ପାଣିଆ ତରକାରି ବୋଲି କହୁଥିଲେ । ମଧ୍ୟଯୁଗର ଏକ କାଳରେ ହାନ୍-ରାଜତ୍ୱ ସମୟରେ ଚାହା ଗୋଟିଏ ଔଷଧ ହିସାବରେ ବ୍ୟବହୃତ ହେଲା । ପୁନଶ୍ଚ ତା’ର ଅବ୍ୟବହିତ ଆଉଗୋଟିଏ ପରବର୍ତ୍ତୀ ପର୍ଯ୍ୟାୟର ସମ୍ରାଟମାନେ ହିଁ ସମ୍ଭବତଃ ପ୍ରଥମେ ଚାହାକୁ ଆପଣାର ଏକ ପାନୀୟ ରୂପେ ବ୍ୟବହାର କରିଥିଲେ ।

 

ଏବଂ, ଚଳଣିଟି ସମ୍ରାଟସ୍ତରୀୟ ସ୍ୱତନ୍ତ୍ର ପାଚେରୀଟିକୁ ଡେଇଁଗଲା ଓ ସୁଇ ରାଜବଂଶର ଶାସନ ବେଳକୁ ଚାହା ପୂରା ସର୍ବସାଧାରଣଙ୍କର ଏକ ପାନୀୟ ହିସାବରେ ବ୍ୟବହୃତ ହେଲା । ତାପରେ ଟାଙ୍ଗ୍‌ ଶାସନକାଳରେ ଚାହା କ୍ରମଶଃ ଦୈନନ୍ଦିନ ଜୀବନର ସାତଗୋଟି ଅତ୍ୟାବଶ୍ୟକ ପଦାର୍ଥରୁ ଗୋଟିଏ ବୋଲି ସ୍ୱୀକୃତି ଲାଭ କରିଥିଲା । ଏବଂ, ତା'ପରେ, ସେହି ଗୋଟିଏ ଦେଶର ସରହଦଟାକୁ ଅତିକ୍ରମ କରି ତଥାପି ବାହାରକୁ ପ୍ରସାରିତ ହୋଇଯିବା ନିମନ୍ତେ ଆଉ କ’ଣ ପାଇଁ କୌଣସି ବିଳମ୍ବ ମଧ୍ୟ ହୋଇଥାଆନ୍ତା । ତେଣୁ, ସର୍ବପ୍ରଥମେ ଏକାବେଳେକେ ନିକଟରେ ଅବସ୍ଥିତ ପ୍ରତିବେଶୀ ଦେଶ ଜାପାନକୁ । କାହାଣୀଟିଏ ଅନୁସାରେ ଦକ୍ଷିଣସ୍ଥ ସୋଙ୍ଗ୍‌ ରାଜବଂଶ ଅମଳରେ ଜାପାନର ଜଣେ ଭିକ୍ଷୁ ୟୋସାଇ ବା ଏଇସାଇ ଚୀନ୍ ଦେଶର ଝେଜିଆଙ୍ଗ ପର୍ବତାଞ୍ଚଳକୁ ୧୧୬୮ ଖ୍ରୀଷ୍ଟାବ୍ଦରେ ଚାନ୍ ବୌଦ୍ଧଧର୍ମର ବିଶେଷ ଅଧ୍ୟୟନ କରିବା ଲାଗି ଚୀନ୍‌ ଦେଶକୁ ଆସିଥିଲେ । ଆମେ ଅବଶ୍ୟ ସ୍ମରଣ ରଖିବା ଯେ, ଭାରତୀୟ ବୌଦ୍ଧଧର୍ମର ଏକ ନିର୍ଦ୍ଦିଷ୍ଟ ପଦ୍ଧତି, ଯାହାକି ଆପଣାକୁ ଧ୍ୟାନର ମାର୍ଗ ବୋଲି ପରିଚିତ କରାଉଥିଲା, ଚୀନ୍‌ଦେଶକୁ ଯାଇ ତାହା ଚାନ୍ (Chan) ନାମରେ ପରିଚିତ ହେଲା ଏବଂ ସେହିଠାରୁ ଜାପାନ୍ ଦେଶକୁ ଯାଇ ଜେନ୍ (Zen) ବୌଦ୍ଧମାର୍ଗ ରୂପେ ପ୍ରଖ୍ୟାତ ହୋଇଥିଲା । କଥିତ ଅଛି ଯେ, ୟୋସାଇ ପୁନର୍ବାର ନିଜଦେଶ ଜାପାନକୁ ଫେରୁଥିବା ସମୟରେ ସାଙ୍ଗରେ ଚାହାକୁ ମଧ୍ୟ ନେଇ ଆସିଥିଲେ । ଅର୍ଥାତ୍‌ ଏହିପରି ଭାବରେ ଜାପାନ ଦେଶକୁ ଚାହା ନାମକ ସେହି ଉଦ୍ଭିଦଟିର ପ୍ରଥମ ଆଗମନ ହୋଇଥିଲା । ସ୍ଵାସ୍ଥ୍ୟ ନିମନ୍ତେ ଚାହାର ବ୍ୟବହାର ଶୀର୍ଷକରେ ସେହି ୟୋସାଇ ଜାପାନୀ ଭାଷାରେ ଚାହା-ସଂପର୍କିତ ସର୍ବପ୍ରଥମ ପୁସ୍ତକଟିକୁ ମଧ୍ୟ ରଚନା କଲେ ସେହି ଦ୍ଵାଦଶ ଶତାବ୍ଦୀ ଶେଷ ବେଳକୁ । ସେହି କାଳରୁ ହିଁ ଜାପାନରେ ଚାହାର ଚାଷ ଆରମ୍ଭ ହେଲା ଏବଂ ଚାହାକୁ ଉପଲକ୍ଷ୍ୟ କରି ଏକ ସ୍ଵତନ୍ତ୍ର ସାଂସ୍କୃତିକ ଚଳଣିର ସୂତ୍ରପାତ ହୋଇ ପାରିଥିଲା । ତା'ପରେ ଚାହାର କ୍ଷେତ୍ରରେ ବହୁ ପରବର୍ତ୍ତୀ ଉଦ୍ୟମର ଡେଣାମାନେ ଆସି ଲାଗି ଯାଇଥିଲେ । ସମୟକ୍ରମେ ଚାହା ଚୀନ୍‌ଦେଶର ଏକ ଅନ୍ୟତମ ମୁଖ୍ୟ ରପ୍ତାନୀ ଦ୍ରବ୍ୟରେ ପରିଣତ ହୋଇଗଲା । ଉଭୟ ସ୍ଥଳ ତଥା ଜଳପଥରେ ଅନୁକୂଳ ପବନଗୁଡ଼ିକୁ ପାଇ ତାହା ଆରବ ଦେଶଚୟ ତଥା ଆହୁରି ଦୂର ଆଫ୍ରିକା ମହାଦେଶରେ ଯାଇ ପହଞ୍ଚି ପାରିଲା । ତାହା ପୂର୍ବରୁ ଆରବ ପରିବ୍ରାଜକ ସୁଲେମାନ୍ ତାଙ୍କଦ୍ୱାରା ଲିଖିତ ଭ୍ରମଣକାହାଣୀରେ ମଧ୍ୟ ଉଲ୍ଲେଖ କରିସାରିଥିଲେ ଯେ ଚୀନ୍ ଦେଶର ଅଧିବାସୀମାନେ ସେତେବେଳେ ଖୁବ୍ ଆଗ୍ରହରେ ଚାହାପାନ କରୁଥିଲେ ଏବଂ ସାମ୍ରାଜ୍ୟର ବୃହତ୍ ନଗରଗୁଡ଼ିକରେ ଚାହାର ବିକ୍ରୟ ହେଉଥିଲା । ହଁ, ସୁପ୍ରସିଦ୍ଧ ସେହି କାଳର ପର୍ଯ୍ୟଟକ ମାର୍କୋ ପୋଲୋ ଆପଣାର ବୃତାନ୍ତରେ ଚାହା ବିଷୟରେ ଲେଖିଛନ୍ତି । ପୁନଶ୍ଚ, ଷୋଡ଼ଶ ଶତାବ୍ଦୀର ପ୍ରାୟ ମଧ୍ୟଭାଗରେ ଆଉଜଣେ ପର୍ଯ୍ୟଟକ ନିଜର ବିବରଣୀରେ ସେହି ଇତାଲୀର ଜିଓଭାନି ବାତିଷ୍ଟା ରାମୁସିଓ ମଧ୍ୟ ଚାହା କଥା କହିଛନ୍ତି । ଏବଂ, ପ୍ରାୟ ସେହି କାଳପର୍ଯ୍ୟାୟରେ ଋଷିଆ ଦେଶର ଦୁଇଜଣ ପର୍ଯ୍ୟଟକ ଚୀନ୍‌ରୁ ଚାହା ନାମକ ସେହି ଅଭିନବ ପଦାର୍ଥଟିକୁ ନିଜ ଦେଶକୁ ସାଙ୍ଗରେ ନେଇ ବି ଯାଇଥିଲେ ।

 

ଚାହାକୁ ସନ୍ଦର୍ଭ କରି କାଳ୍ପନିକ କାହାଣୀମାନ ମଧ୍ୟ ସେହିଦିନରୁ ଲୋକମୁଖରେ ରହି ଆସିଛି । ସେହି ପ୍ରକାରର ଏକ କାହାଣୀରୁ ଜାଣିବାକୁ ମିଳିବ ଯେ, ଚୀନା କୃଷିବିଦ୍ୟା ଓ ଚୀନା ଔଷଧିଶାସ୍ତ୍ରର ଉଦ୍‌ଭାବକ ସେହି ଦେଶର ସମ୍ରାଟ ଥରେ ଏକ ଦୀର୍ଘ ଯାତ୍ରାରେ ରାଜଧାନୀରୁ ବାହାରି ଯାଇଥିଲେ । ପ୍ରାୟ ପାଞ୍ଚହଜାର ବର୍ଷ ପୂର୍ବର କଥା । ଜ୍ଞାନ ଏବଂ ବିଜ୍ଞାନ ଉଭୟ କ୍ଷେତ୍ରରେ ଅତ୍ୟନ୍ତ ପ୍ରତିଭାଶାଳୀ ସେହି ସମ୍ରାଟ ଆପଣାର ଅଭିଜ୍ଞତାରୁ ଥରେ ଜାଣିପାରିଥିଲେ ଯେ, ପାଣିକୁ ଯେମିତି ସେମିତି ପିଇବା ଅପେକ୍ଷା ଆଗ ଫୁଟାଇ ତା’ପରେ ପିଇବା ହେଉଛି ଅଧିକ ସ୍ୱାସ୍ଥ୍ୟକର ଓ ଅଧିକ ନିରାପଦ । ଦିନକର ଏପରି ଗୋଟିଏ ଘଟଣା ଘଟିଲା ଯେ ପାଣି ଚୁଲୀ ଉପରେ ବସି ଫୁଟୁଥିବା ସମୟରେ କିଛି ପତ୍ର ବାହାରୁ କୁଆଡ଼ୁ ପବନଦ୍ଵାରା ଉଡ଼ିଆସି ସେଥିରେ ପଡ଼ିଯାଇଥିଲେ-। ପ୍ରଖର ପ୍ରଜ୍ଞାଯୁକ୍ତ ସମ୍ରାଟ ସମ୍ଭବତଃ ତଥାପି କୁତୁହଳୀ ହୋଇ ସେହି ପତରଫୁଟା ପାଣିକୁ ସେଦିନ ପିଇଥିଲେ । ଦୂଷିତ ହୋଇଗଲା ବୋଲି ଆଦୌ ଫିଙ୍ଗିଦେଇ ନଥିଲେ । ସେଦିନ ସେହି ପାଣି ତାଙ୍କୁ ଅଧିକ ସୁଆଦ ଲାଗିଲା ଏବଂ ଏଭଳି ଅନୁମାନଟିଏ ମଧ୍ୟ ହେଲା ଯେ ସେଥିରେ ସ୍ୱାସ୍ଥ୍ୟବର୍ଦ୍ଧକ କୌଣସି ଉପାଦାନ ମଧ୍ୟ ନିହିତ ହୋଇ ରହିଥିଲା । ପୁନଶ୍ଚ, ସେଦିନ ପାଣିରେ ଏପରି ଏକ ଆନନ୍ଦପ୍ରଦ ଗନ୍ଧ ଭରି ରହିଥିଲା, ଯାହାକି ମିଜାଜଟାକୁ ଅତ୍ୟନ୍ତ ଖୁସୀ ମଧ୍ୟ କରି ଦେଉଥିଲା । ସମ୍ରାଟ ତ କେଡ଼େ ଖୁସୀହୋଇ ଯାଇଥିଲେ । ସତେବା ଏକ ନୂତନ କୌଣସି ସତ୍ୟଟିଏ ଆବିଷ୍କୃତ ହୋଇଗଲା ପରି ଅନୁଭବ କରିଥିଲେ । ବାସ୍, ସେହି ପତ୍ରଟି କେଉଁ ଆଡ଼ୁ ଅର୍ଥାତ୍ କେଉଁ ଉଦ୍ଭିଦରୁ ଉଡ଼ି ଆସି ତାଙ୍କ ଜଳପାତ୍ରରେ ପଡ଼ି ଯାଇଥିଲା, ତା’ପରେ ତାହାରି ଅନୁସନ୍ଧାନ କରାଗଲା । ଗୋଟିଏ ଅନ୍ୟ ପାଠ ଅବଶ୍ୟ କହୁଛି ଯେ ଉକ୍ତ ସମ୍ରାଟ ଅଭ୍ୟସ୍ତ ଭାବରେ ହିଁ ଭିନ୍ନ ଭିନ୍ନ ଉଦ୍ଭିଦରେ କ’ଣ କ’ଣ ଗୁଣ ଅଥବା ଦୋଷ ରହିଛି, ସେହି କଥାଟିର ଗବେଷଣା କରୁଥିଲେ । କେତେକ ତ ଅବଶ୍ୟ ବିଷାକ୍ତ ହିଁ ଥିଲେ ଏବଂ, ଏକ ପ୍ରତିକାରକ ରୂପେ ଚାହାର ଉଦ୍ଭିଦଟି ବେଶ୍ କାର୍ଯ୍ୟକରୁଛି ବୋଲି ଆପଣାର ପରୀକ୍ଷାଦ୍ୱାରା ଜାଣି ପାରିଥିଲେ ।

 

ଚୀନ୍ ଦେଶରେ ବୌଦ୍ଧଧର୍ମର ପ୍ରସାର ଘଟିବାର ସମସାମୟିକ ଭାବରେ ଚାହା ବିଷୟରେ ଆଉ ଏକ ଆଖ୍ୟାନ ମଧ୍ୟ ସେଠାରେ ଚଳି ଆସିଛି । ସେଥିରୁ ଚାହାକୁ ଚିହ୍ନି ପାନୀୟରୂପେ ବ୍ୟବହାର କରାଯାଇଥିବାର କିଛି ସୂଚନା ମିଳିଯାଉଛି । ବୋଧିସତ୍ତ୍ୱ ନାମ ବହନ କରୁଥିବା ଜଣେ ବୌଦ୍ଧ ଭିକ୍ଷୁ, ଯିଏକି ଚୀନ୍ ଦେଶରେ ଚାନ୍ ବୌଦ୍ଧ ଉପାସନାମାର୍ଗର ପ୍ରବର୍ତ୍ତନ କରାଇଥଲେ, ଏକଦା ଭାରତବର୍ଷରୁ ହିଁ ଧର୍ମଟିର ପ୍ରସାର ନିମନ୍ତେ ଚୀନ୍‌ଦେଶରେ ଯାଇ ପହଞ୍ଚିଥିଲେ । ଥରେ ସିଏ ଧ୍ୟାନରେ ବସିଥାଆନ୍ତି ଅଥଚ କ’ଣ କେଉଁଠି ଅସୁବିଧା ହୋଇଯାଉଥାଏ କେଜାଣି, ଧ୍ୟାନସ୍ଥ ହେଉ ହେଉ ନିଦ ଆସି ଯାଉଥାଏ । ଅବଶ୍ୟ ରାଗ ଆସିବା କଥା । ବୋଧିସତ୍ତ୍ୱ ନିଜର ଆଖିଦୁଇଟା ଉପରେ ଖୁବ୍ ରାଗି ଯାଇଥିଲେ । ସେହି କୋପରେ ସିଏ ଡୋଳା ଦୁଇଟାକୁ ଆଖିଭିତରୁ ହିଁ ତାଡ଼ି ବାହାରକୁ ନେଇ ଆସିଥିଲେ । ଡୋଳା ଦୁଇଟି ସେହିଭଳି ରକ୍ତାକ୍ତ ଭାବରେ ଭୂଇଁ ଉପରେ ଆସି ପଡ଼ିବା ମାତ୍ରକେ ତତ୍‌କ୍ଷଣାତ୍ ସେଠାରେ କେତୋଟି ଚାହାଗଛ ମୁକୁଳି ଉଠିଲେ-। ହଁ, ଏହି ଆଖ୍ୟାନଟିରେ ବେଳେବେଳେ ବୋଧିସତ୍ତ୍ୱଙ୍କର ସ୍ଥାନରେ ସ୍ୱୟଂ ଗୌତମ ବୁଦ୍ଧଙ୍କର ନାମକୁ ମଧ୍ୟ ବ୍ୟବହାର କରାଯାଇଥାଏ । ଏବଂ ଉପରଲିଖିତ ପ୍ରଥମ କାହାଣୀଟିରେ ମଧ୍ୟ ସମ୍ରାଟଙ୍କ ସ୍ଥାନରେ ସେହି ଗୌତମ ବୁଦ୍ଧଙ୍କର ନାମୋଲ୍ଲେଖ ହେଉଥିବାର ଦେଖିବାକୁ ମିଳେ । ଅର୍ଥାତ, ସ୍ୱୟଂ ଗୌତମ ବୁଦ୍ଧ ହିଁ ଏକଦା ଫୁଟନ୍ତା ପାଣିରେ କେତୋଟି ପତ୍ର ଆସି ପଡ଼ିଥିବାର ଦେଖିଥିଲେ ଏବଂ ସେଇଥିରୁ ହିଁ ଚାହାର ଆବିଷ୍କାର କରିଥିଲେ ।

 

ଏଗୁଡ଼ିକ ଇତିହାସ ନୁହନ୍ତି, କାହାଣୀ । କିନ୍ତୁ, ଇତିହାସ ହୋଇନଥିଲେ ମଧ୍ୟ ଅନ୍ତତଃ ଚୀନ୍‌ଦେଶରେ ଚାହା ପ୍ରଚଳନର ସେହି ପ୍ରଥମ ଯୁଗଟି ବିଷୟରେ ଆମ ସମସ୍ତଙ୍କର ଅନୁମାନ ସକାଶେ କିଛି କିଛି ସୂତ୍ର ଅବଶ୍ୟ ମିଳି ଯାଉଥିବା ପରି ଲାଗିବ । ଏବଂ, ଏଥିରେ ସନ୍ଦେହ କରିବାର ଆଦୌ କିଛି ନାହିଁ ଯେ, ସମଗ୍ର ଏସିଆ ମହାଦେଶର ଲୋକଚଳଣିରେ ଚାହା ଶତାବ୍ଦୀ ଶତାବ୍ଦୀ ଧରି ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି । ଗୋଟିଏ ପ୍ରଧାନ ପାନୀୟ ଏବଂ ଦୈନନ୍ଦିନ ବ୍ୟବହାର୍ଯ୍ୟ ରୂପେ ତାହାକୁ ଅତ୍ୟନ୍ତ ସ୍ୱାସ୍ଥ୍ୟକାରକ ବୋଲି ବିଶ୍ୱାସ କରାଯାଇ ଆସିଛି, – ବିଶେଷତଃ ସମାଜର ସମ୍ଭ୍ରାନ୍ତ ବର୍ଗରେ ତାହା ଖୁବ୍‌ ଆଦର ଲାଭ କରି ପାରିଛି । ମୋଟେ ଆଶ୍ଚର୍ଯ୍ୟର କୌଣସି ବିଷୟ ନୁହେଁ ଯେ, ଆଦ୍ୟ ସମୟର ସେହି କଥାମାନେ ଧର୍ମ ଏବଂ ରାଜ୍ୟଶାସନମାନଙ୍କର ନାମ ସହିତ ଯୋଡ଼ା ହୋଇ ରହିଛନ୍ତି । ଚୀନ୍ ଦେଶରେ ସର୍ବବିଧ ଜନଶ୍ରେଣୀ ବହୁକାଳରୁ ହିଁ ଚାହାପାନ ଦ୍ଵାରା ଆମୋଦିତ ବି ହୋଇପାରିଛନ୍ତି । ବିଦ୍ଵାନମାନେ ପ୍ରାୟ ବହୁ ଅଳଙ୍କାରପୂର୍ଣ୍ଣ ଭାଷାରେ ପାନୀୟଟିର ଗୁଣଗାନ କରିଛନ୍ତି । ସେମାନେ ଚାହାକୁ ଏକାଧିକ କ୍ଷେତ୍ରରେ ଏକ ଆରୋଗ୍ୟକାରୀ ଉଦ୍ଭିଦ ବୋଲି ଘୋଷଣା ମଧ୍ୟ କରିଛନ୍ତି । ଉପର ଶ୍ରେଣୀର ସାମନ୍ତମାନେ ତାହାକୁ ଆପଣାର ପ୍ରବରତ୍ୱକୁ ପ୍ରତିପାଦିତ କରୁଥିବାର ଗୋଟିଏ ପ୍ରତୀକରୂପେ ଅନୁଭବ କରିଛନ୍ତି । ଯେତେ ଅଧିକ ଗୁଣସମ୍ପନ୍ନ ଚାହା, ଏପରିକି ଯେତେ ଅଧିକ ମୂଲ୍ୟର ଚାହା, ସେମାନେ କଣ ପାଇଁ ତାହା ସେତେ ସମ୍ଭ୍ରମର ଦ୍ୟୋତକ ବୋଲି ବିଶ୍ୱାସ ମଧ୍ୟ କରିଛନ୍ତି । ଏବଂ, ତଥାକଥିତ ସାଧାରଣମାନେ, ସେମାନେ କାଳେ କାଳେ ଚାହାର ସେହି ଖାସ୍ ବାସନାଟାକୁ ନିଃସନ୍ଦେହ ଭାବରେ ଏକ ବିରଳ ସୌଭାଗ୍ୟବତ୍‌ ଗ୍ରହଣ କରିଛନ୍ତି । ଚାହାନାମକ ସେହି ପାନୀୟ ସମ୍ପଦଟି ଯେ ସର୍ବପ୍ରଥମେ ଗୋଟିଏ ଔଷଧ ପରି କାର୍ଯ୍ୟ କରୁଥିବା ଏକ ବସ୍ତୁରୂପେ ଆବିଷ୍କୃତ ହୋଇଥିଲା, ସେହି କଥାଟିକୁ ତ ବେଶ୍ ସହଜରେ ବୁଝି ହେଉଛି; ମାତ୍ର, ଚାହା ପାନ କରିବାଦ୍ୱାରା ଯେ ଦେହର ଏବଂ ଏପରିକି ମସ୍ତିଷ୍କର ମଧ୍ୟ ଅଳସ ଭାଙ୍ଗିଯାଏ ଏବଂ ନିଦ ମାଡ଼ୁଥିବା ସମୟରେ ତାହା ଯେ ଅମୋଘ ପ୍ରତିକାରକ ସଦୃଶ ଖୁବ୍ କାମ ଦେଇଥାଏ, ସେହି ଅନ୍ୟ ତତ୍ତ୍ୱଟିକୁ କେଉଁ ସତକୁ ସତ ଅଙ୍ଗେ ନିଭାଇଥିବା ବ୍ୟକ୍ତିମାନେ ପୃଥିବୀଯାକର ଆମ କୋଟି କୋଟି ମନୁଷ୍ୟଙ୍କ ଲାଗି ଆବିଷ୍କାର କରିପାରିଲେ କେଜାଣି ! ଆପଣାର ଉତ୍ପତ୍ତିସ୍ଥାନ ଚୀନ୍‌ଦେଶର ବିଭିନ୍ନ ଅଞ୍ଚଳରେ ହୁଏତ ଖ୍ରୀଷ୍ଟପୂର୍ବ ୧୦୦୦ ଅବ୍ଦର ଆହୁରି ପୂର୍ବରୁ ମଧ୍ୟ ଚାହାର ଚଳଣି ରହିଥିଲା । ହାନ୍ ରାଜତ୍ଵ କାଳରେ ତାହା ଗୋଟିଏ ଔଷଧ ରୂପେ ବ୍ୟବହୃତ ହେଲା । ଟାଙ୍ଗ୍ ବଂଶରୁ ସେହି ଦେଶରେ ଲୋକେ ଚାହାକୁ ସାମାଜିକ ଅନୁଷ୍ଠାନ ମାନଙ୍କରେ ଏକ ଆନନ୍ଦବର୍ଦ୍ଧନକାରୀ ଅନୁପୂରକ ରୂପେ ବ୍ୟବହାର କଲେ । ଚାହାକୁ ବିଷୟ କରି ସେକାଳେ ସ୍ଵତନ୍ତ୍ର ପୁସ୍ତକ ଲେଖିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଲୁଉ ହେଉଛନ୍ତି ସର୍ବପ୍ରଥମ । (୭୨୯-୮୦୪) ପୁସ୍ତକଟି ପ୍ରାୟ ୭୬୦ ଖ୍ରୀଷ୍ଟାବ୍ଦରେ ଲେଖା ହୋଇଛି । ସେତେବେଳେକୁ ଏକ ଲୋକପ୍ରିୟ ପାନୀୟରୂପେ ଚୀନ୍‌ଦେଶରେ ଚାହା ପ୍ରସାରଲାଭ କରିସାରିଥିଲା । କିପରି ଚାହାର ଆବାଦ କରାଯାଏ ଏବଂ ପତ୍ରଗୁଡ଼ିକୁ ତୋଳି ଆବଶ୍ୟକ ପ୍ରକାରେ ଖରଡ଼ି ଦେବାକୁ ହୁଏ ଏବଂ ତା’ପରେ କେଉଁ ପଦ୍ଧତିରେ ପାନୀୟଟିକୁ ପ୍ରସ୍ତୁତ କରିବାକୁ ହୁଏ ସେହି ପୁସ୍ତକରେ ତାହାର ବିସ୍ତାରିତ ବର୍ଣ୍ଣନାମାନ ଦିଆଯାଇଛି । ଗୁଣାତ୍ମକ କମ୍‌ବେଶୀ ଅନୁସାରେ ଚାହାକୁ କିପରି ଭିନ୍ନ ଭିନ୍ନ ମୂଲ୍ୟରେ ବିକ୍ରୀ କରାଯାଉଥିଲା ଓ ଦେଶର କେଉଁ ଅଞ୍ଚଳମାନଙ୍କରେ ସର୍ବୋତ୍ତମ ଚାହା ଉପଲବ୍ଧ ହୁଏ, ଏହି ଯାବତୀୟ ସମାଚାର ବି ଉକ୍ତ ପୁସ୍ତକଟିରୁ ପ୍ରାପ୍ତ ହୋଇଥାଏ । ସେତେବେଳେ ପ୍ରକୃତରେ ବେଶ୍ ଅଲଗା ପ୍ରକାରେ ଭିନ୍ନ ପଦ୍ଧତିଗୁଡ଼ିକର ପ୍ରୟୋଗ କରି ଚାହା ପ୍ରସ୍ତୁତ ହେଉଥିଲା । ଚାହାପତ୍ରଗୁଡ଼ିକୁ ଏକାଠି ଚାପ ଦେଇ ଗୋଟିଏ ଗୋଟିଏ ଚଟା ଆକାରର ଖଣ୍ଡରେ ତିଆରି କରାଯାଉଥିଲା । ସାଧାରଣ ଭାଷାରେ ତାହାକୁ ଇଟା ଚାହା ବୋଲି ସମସ୍ତେ କହୁଥିଲେ । ଏବଂ ଚାହା ତିଆରି କରିବା ସମୟରେ ପ୍ରୟୋଜନ ଅନୁସାରେ ସେଥରୁ ମୁଣ୍ଡାଟିଏ ଭାଙ୍ଗି ନେଇ ପଥର ଶିଳରେ କୁଟିନେଇ ଗୁଣ୍ଡରେ ପରିଣତ କରାଯାଉଥିଲା । ସେହି ଗୁଣ୍ଡରେ ଗରମ ପାଣି ମିଶାଇ ପାନଯୋଗ୍ୟ କରି ନିଆଯାଇପାରୁଥିଲା । ଅଥବା, କେହି କେହି ମୁଣ୍ଡାଟିକୁ ଗୋଟିଏ ମାଟିରେ ତିଆରି କେଟଲିରେ ପାଣି ସହିତ ଏକତ୍ର ଫୁଟାଇ ନେଉଥିଲେ ଏବଂ ସେହିପରି ଗରମ ଗରମ ପିଇ ପୂରା ସେହି ପାନୀୟଟିକୁ ଉପଭୋଗ କରି ପାରୁଥିଲେ ।

 

କାଳ ଅନୁସାରେ ଚାହା ଆବାଦ ଏବଂ ଚାହାର ବ୍ୟବହାରରେ କିପରି ବିବର୍ତ୍ତନମାନ ଘଟିଆସିଛି, ସେହି କ୍ରମରେ ଲିଖିତ ହୋଇ ରହିଥିବା ପୁସ୍ତକ କେତୋଟିରୁ ଆମକୁ ସେହି କଥାଟିର ମୋଟାମୋଟି ଏକ ଆଭାସ ମିଳିଯିବ । ଶ୍ରୀଯୁକ୍ତ ଲୁଉଙ୍କର ତଥ୍ୟ ମୁତାବକ ଦେଶର ଦକ୍ଷିଣ ଭାଗରେ ଚାହା ପ୍ରକୃତରେ ଏକ ବୃକ୍ଷରୂପେ ହିଁ ଉପଲବ୍ଧ ହେଉଥିଲା । ବେଶ୍ ଡେଙ୍ଗା ଆକାରର । ଗଣ୍ଡିର ଗୋଲେଇ ହୁଏତ ଦୁଇ ମିଟର ଯାଏ ହେଉଥିଲା । ପରବର୍ତ୍ତୀ ସମୟରେ ସେହି ବୃକ୍ଷ ପ୍ରାୟ ଦଶଫୁଟଯାଏ ଉଚ୍ଚ ହୋଇ ବଢ଼ିଥିବାର ବର୍ଣ୍ଣନା ମଧ୍ୟ ଜଣେ ପରିବ୍ରାଜକ ଲେଖିଥିବା ବିବରଣୀରୁ ଜାଣିବାକୁ ମିଳୁଛି । ସଂପ୍ରତି ୧୯୩୯ ଖ୍ରୀଷ୍ଟାବ୍ଦରେ ମଧ୍ୟ ଏକ ଅଞ୍ଚଳରେ ଅରଣ୍ୟ ମଧ୍ୟରେ ସାଢ଼େ ସାତ ମିଟରର ଚାହା ବୃକ୍ଷଟିର ସନ୍ଧାନ ମିଳିଥିଲା ବୋଲି ଆଉକେହି ଉଲେଖ କରିଛନ୍ତି । ଆଉ ଜଣେ କିଏ ତ ୧୯୫୭ ମସିହାରେ ସେହି ଜଙ୍ଗଲ ଭିତରେ ବାର ମିଟର ଉଚ୍ଚତାର ଗୋଟିଏ ଚାହାବୃକ୍ଷ ଆବିଷ୍କାର କରି ପାରିଥିଲେ । ଆଉଜଣେ ବି ଉଲ୍ଲେଖ କରିଛନ୍ତି ଯେ ୧୯୬୧ ମସିହାରେ ସେ ପ୍ରାୟ ସତରଶହ ବର୍ଷର ପୁରୁଣା ତିରିଶି ମିଟର ଉଚ୍ଚତା ରହିଥିବା ଏକ ମିଟରରୁ ଅଧିକ ବ୍ୟାସବିଶିଷ୍ଟ ଚାହାଦ୍ରୂମକୁ ୟୁନାନ୍ ପ୍ରଦେଶର ଜଙ୍ଗଲରେ ଦେଖବାକୁ ପାଇଥିଲେ । ୧୯୭୬ ବେଳକୁ ୧୪୦୦ ମିଟର ଉଚ୍ଚ ଏକ ପର୍ବତ ଉପରେ ମଧ୍ୟ ତେର ମିଟର ଉଚ୍ଚତାଯୁକ୍ତ ଚାହାଗଛଟିଏ ଦୃଷ୍ଟିଗୋଚର ହୋଇଥିବାର ଉଲ୍ଲେଖ ରହିଛି, ସେହି ଅରଣ୍ୟଞ୍ଚଳରେ । ଅର୍ଥାତ୍ ଏପରି କାହିଁକି ଗୋଟିଏ ଅନୁମାନ କରାଯାଇ ପାରିବ ନାହିଁ ଯେ ଅନାବିଷ୍କୃତ ସେହି ପ୍ରଥମ କାଳମାନଙ୍କରେ ଚାହା ପ୍ରକୃତରେ ଅରଣ୍ୟରେ ଥିଲା, ବିଶାଳ ଗୋଟିଏ ଗୋଟିଏ ଦ୍ରୁମ ରୂପେ ରହିଥିଲା । ହୁଏତ, ସେହି ପର୍ବତ ତଥା ଅରଣ୍ୟ ମଧ୍ୟରେ ହିଁ ଲୋକମାନେ ଏକଦା ସେହି ଦ୍ରୁମର ପତ୍ରରେ ଏକ ଅନନୁଭୂତ ଆମୋଦଦାୟକ ଗନ୍ଧ ରହିଥିବାର ଆବିଷ୍କାର କଲେ । ସେମାନେ ସେହି ବାସନା ଦ୍ଵାରା ଆକୃଷ୍ଟ ହେଲେ ଓ ଖୁବ୍‌ ଆଦର ସହିତ ତଳକୁ ଆପଣାର ବସତିମାନଙ୍କୁ ନେଇ ଆସିଥିଲେ । ଚାହା ସେମାନଙ୍କର ଘରର ସମୀପବର୍ତ୍ତୀ ହୋଇ ଚାଷ ହୋଇ ପାରିଥିଲା ଏବଂ ଉଚ୍ଚ ପାହାଡ଼ ତଥା ଅରଣ୍ୟ-ଭୂମିର ବିଶାଳ ବୃକ୍ଷମାନେ କ୍ରମେ ଲୁପ୍ତ ହୋଇ ଆସିଥିଲେ । ଅର୍ଥାତ୍ ବେଶ୍ ଅନ୍ଦାଜ କରାଯାଇ ପାରିବ ଯେ ପ୍ରକୃତି ମଧ୍ୟରେ ଲୋକଲୋଚନର ଅଗୋଚର ହୋଇ କାଳକାଳରୁ ରହି ଆସିଥିବା ସେହି ମହାଦ୍ରୁମଟି ମନୁଷ୍ୟର ବୁଦ୍ଧିଦ୍ୱାରା ପରିବର୍ତ୍ତିତ ଏବଂ ପରିକର୍ଷିତ ହୋଇ ସାନ ସାନ ଆକାରରେ ଚାଷୀର କ୍ଷେତ୍ରରେ ହିଁ ଆବାଦ ହେଲା ଏବଂ ମନୁଷ୍ୟର ସାମାଜିକ ଜୀବନରେ ଗୋଟିଏ ନିତ୍ୟଦୈନନ୍ଦିନ ବନ୍ଧୁ ହୋଇ ରହିଲା ।

 

ତେଣୁ, ଚାହାର କାହାଣୀ ହେଉଛି ସର୍ବବିଧ ଅର୍ଥରେ ସେହି ପ୍ରାୟ ଦୀର୍ଘ ଅତୀତ ଯୁଗରୁ ଗୋଟିଏ ଭୂମିର ମନୁଷ୍ୟମାନେ ଅଙ୍ଗେ ନିଭାଇ ଆସିଥିବା ଗୋଟିଏ କାହାଣୀ । ଅଜ୍ଞାତମାନଙ୍କୁ କେବଳ ଜ୍ଞାତ ନୁହେଁ, ନିଜ ଜୀବନର ବ୍ୟବହାର୍ଯ୍ୟ ଏକ ବସ୍ତୁରେ ସେଗୁଡ଼ିକୁ ମନାଇ ଏବଂ ମଣାଇ ଆଣିଥିବାର ଏକ ଅନୁକ୍ଷଣ କାହାଣୀ । ଶ୍ରୀ ଲୁଉ ଆପଣାର ପୁସ୍ତକଟିରେ ଯେପରି ଅନୁମାନ କରିଛନ୍ତି, ଚାହା ଗୋଟିଏ ଔଷଧ ରୂପେ ତାଙ୍କ ସମୟର ବହୁ ପୂର୍ବରୁ ହିଁ ବ୍ୟବହୃତ ହୋଇ ଆସିଥିଲା । ଶେନ୍ ନଙ୍ଗ ନାମକ ଜଣେ ବ୍ୟକ୍ତି ନୂଆ ନୂଆ ଉଦ୍ଭିଦକୁ କେତେ ନା କେତେ ଧୈର୍ଯ୍ୟ ସହକାରେ ଚାଖି କୋଉଟି ବିଷ ଏବଂ କୋଉଟି ଭେଷଜ ତାହାର ନିର୍ଦ୍ଧାରଣ କରି ଦେଇଥିଲେ । ଭେଷଜ-ନିର୍ଣ୍ଣୟର କ୍ଷେତ୍ରରେ ପୃଥିବୀଯାକ ସର୍ବତ୍ର ହିଁ ଅଳ୍ପ ବହୁତ ସେହିପରି ହିଁ ଅବଶ୍ୟ ହୋଇଥିବ-। ସେଇ ଶେନ୍ ନଙ୍ଗ ଏକାଧିକ ସତ୍ୟାନୁମାନ ଅନୁସାରେ ଚାହାର ସର୍ବପ୍ରଥମ ଆବିଷ୍କାରକର୍ତ୍ତା ରୂପେ ବିଶେଷଭାବେ ଚିହ୍ନିତ ହୋଇ ରହିଛନ୍ତି । ହୁନାନ୍ ପ୍ରଦେଶରେ ଯେଉଁ ପାହାଡ଼ଟିରେ ସେହି କେଉଁ ଅତି ପୁରାତନ କାଳରେ ତାଙ୍କର ଦେହାନ୍ତ ହୋଇଥିଲା, ସମ୍ଭବତଃ ଏକ ଅନୁରୂପ ସ୍ୱୀକୃତି ପ୍ରଦାନ କରି ତାହାକୁ ଚାହା ପାହାଡ଼ ( ଚା ଲିନ୍‌) ବୋଲି ନାମକରଣ କରାଯାଇଛି-। ହଁ, ଆଉଗୋଟିଏ ସେକାଳର ସଙ୍ଗୀତ-ପୁସ୍ତକରେ ଚାହାକୁ ତୁ (Tu) ବୋଲି କୁହାଯାଇଛି । ପ୍ରଥମ କାଳର ହାନ୍‌ ରାଜବଂଶ ସମୟରେ ଲିଖିତ ଏକ ଶାସ୍ତ୍ରରେ ଚାହାକୁ ଜିଆ (Jia) ବୋଲି ଘୋଷଣା ହୋଇଛି । ଏକ ବ୍ୟାଖ୍ୟାତ୍ମକ ଶୈଳୀରେ ‘ଜିଆ’କୁ ‘ପିତା ଚାହା’ ବୋଲି କୁହା ହୋଇଛି । ତୃତୀୟ ଶତାବ୍ଦୀରେ ଆଉ ଜଣେ ଲେଖକ କେଡ଼େ ସାନ ଗୋଟିଏ ବାକ୍ୟରେ ଚାହା ହେଉଛି ଗୋଟିଏ କ୍ଷୁଦ୍ର ଉଦ୍ଭିଦ ଏବଂ ତାହାକୁ ରାନ୍ଧି ଏକ ବିଶେଷ ପାନୀୟ ପ୍ରସ୍ତୁତ ହୋଇ ପାରିବ ବୋଲି ଲେଖି ଦେଇଛନ୍ତି । ଅର୍ଥାତ୍ ଖୁବ୍ ସମ୍ଭବ ସେହି ସମୟକୁ ଆଦ୍ୟ ପର୍ଯ୍ୟାୟର ସେହି ଚାହାନାମକ ବିରାଟ ଆକୃତିର ଦ୍ରୁମଟି ବେଶ୍ ପୋଷ ମାନି ସମତଳ ତଳଯାଏ ଆସି ଗୋଟିଏ କ୍ଷୁଦ୍ର ଗୁଳ୍ମରେ ପରିଣତ ହୋଇ ସାରିଥିଲା ଏବଂ ମନୁଷ୍ୟମାନଙ୍କର ସୁବିଧା ମୁତାବକ ତାହାର ଏକ ଫସଲବତ୍ ଆବାଦ ମଧ୍ୟ ହେବାକୁ ଆରମ୍ଭ ମଧ୍ୟ କରିଥିଲା । ପୁନଶ୍ଚ, ହାନ୍‌ ରାଜତ୍ୱ ଅମଳରେ ‘ତୁ’ ଉଚ୍ଚାରଣର ଏକ ବିକଳ୍ପ ରୂପେ ଅନ୍ୟ ଉଚ୍ଚାରଣ ଚା (cha) ମଧ୍ୟ ଭାଷାର ଚଳଣି ଭିତରକୁ ଆସି ପ୍ରବେଶ କରିଥିଲା । ଏବଂ, କ’ଣ ପାଇଁ ଲୋକମାନେ ‘ତୁ’ ପରିବର୍ତ୍ତେ te ଅର୍ଥାତ୍ teaର ଉଚ୍ଚାରଣଟିକୁ ଗ୍ରହଣ ବି କରି ନେଇଥିଲେ । ଏବଂ, ଭାରତବର୍ଷ ଓ ରୁଷିଆ ଉଭୟ ଦେଶରେ ‘ଜିଆ’ ଶବ୍ଦଟି ସମ୍ଭବତଃ ଉଚ୍ଚାରଣର ସୁବିଧା ହେତୁ ‘ଚା ଓ ଚାହା’ ହୋଇଗଲେ । ପୁଣି, ମୁଇ ଏବଂ ଟାଙ୍ଗ୍‌ ବଂଶମାନଙ୍କର ସମୟରେ ଚାହାପାନର ପ୍ରଚଳନଟି ଚୀନ୍‌ଦେଶର ବହୁସଂଖ୍ୟକ ଭାଗକୁ ବ୍ୟାପ୍ତ ହୋଇ ଯାଇଥିଲା ଏବଂ ତା’ ପରେ ପଶ୍ଚିମ ଦିଗରେ ଖେଦିଯାଇ ତିବ୍ଦତରେ ପ୍ରବେଶ କଲା ।

 

ନିତାନ୍ତ ଅନଭ୍ୟସ୍ତ ଏହି ନାନା ନାମ ଏବଂ ଶତାବ୍ଦୀର ଠାକମାନଙ୍କୁ ଶୁଣିବା ସମୟରେ କାନକୁ ଅବଶ୍ୟ ଖୁବ୍ କେମିତି କେମିତି ଲାଗୁଥିବ । ଆମେ ଯେ ଏଗୁଡ଼ିକୁ ମନେ ନରଖିଲେ ଆଦୌ କୌଣସି କ୍ଷତି ହେବ, ସେକଥା ନୁହେଁ । ତଥାପି, ଜାଣିବା ପାଇଁ ଚେଷ୍ଟା କରିବା ଯେ, ଚୀନ୍ ଭଳି ଏକ ଏଡ଼େବଡ଼ ସ୍ଥଳବିସ୍ତାରରେ ଭିନ୍ନ ଭିନ୍ନ କାଳରେ ଭିନ୍ନ ଭିନ୍ନ ବଂଶର ଶାସନ । ଭିନ୍ନ ଭିନ୍ନ ଚରିତ୍ରର କଥିତ ତଥା ଲିଖିତ ଭାଷା ସମ୍ଭବତଃ ଏହି ଅଂଶମାନଙ୍କରେ ବାସ କରୁଥିବା ଲୋକମାନଙ୍କର ଜୀବନଧାରା ଅର୍ଥାତ୍ ସଂସ୍କୃତିଗତ ଚରିତ୍ର ମଧ୍ୟ ମୋଟେ ଏକାଭଳି ନୁହେଁ । କେବଳ ସେହି ବିଗତ ଯୁଗମାନଙ୍କରେ ନୁହେଁ, ଆମର ଏହି ବର୍ତ୍ତମାନ ଯୁଗରେ ମଧ୍ୟ ସ୍ଥାନୀୟ ମୂଲ୍ୟପରିମଳମାନେ ମୋଟେ ଅବିକଳ ଏକାଭଳି ନୁହନ୍ତି । ଦୂରତାମାନେ ଅକଳ୍ପନୀୟ ଭାବରେ ଅତିବେଶୀ, ମଝିରେ ପୁଣି ଏକାଦିକ୍ରମେ କେତେ ହଜାର ମାଇଲର ସେହି ବିଭେଦକାରୀ ଇତିହାସ-ପ୍ରସିଦ୍ଧ ବୃହତ୍ ପ୍ରାଚୀରଟି । ସ୍ଥୂଳ ସଂସ୍ରବଗୁଡ଼ିକର କ୍ଷେତ୍ରରେ ସମୂହମାନଙ୍କ ମଧ୍ୟରେ ସେତେ ବେଶୀ ସୁପରିଚୟ ହୁଏତ ଏବେ ମଧ୍ୟ ନାହିଁ । ତେଣୁ, ସଭ୍ୟତାର ଅଭିବ୍ୟକ୍ତିରେ ମଧ୍ୟ ଅନେକତଃ ବିଶେଷ ତାଳମେଳ ବି ଦେଖିବାକୁ ମିଳିବ ନାହିଁ । ଏକ ଆଧୁନିକ ଶାସନ-ଚେତନା ତଥା ରାଜନୀତିକ ନିର୍ଦ୍ଦିଷ୍ଟ ଅଭିଳାଷ ଯାହା ସେହି ଭୂଖଣ୍ଡରେ ରହି ଆସିଥିବା ବିବିଧତାଗୁଡ଼ିକୁ ଗୋଟିଏ ସହଜୀବନର ଏକତା ମଧ୍ୟରେ ଗୁନ୍ଥି ଆଣିବାକୁ କିଛି ଉଦ୍ୟମ କରୁଛି । ଏବଂ, କୌଣସି ଖାସ୍ ଅଧୀରତା ଦେଖାଇ ସେମାନଙ୍କୁ ଗୋଟାଏ ଗୋଚ୍ଛାରେ ଆଣି ବାନ୍ଧି ପକାଇବାର ପୌରୁଷ ଦେଖାଇବା ଲାଗି ମୋଟେ ତରତର ହେଉନାହିଁ ।

 

ଚୀନ୍ ଦେଶରେ ଚାହାଚଳଣିର ଉତ୍ସଗୁଡ଼ିକର ସନ୍ଧାନରେ ଆମେ ଏଠାରେ ୭୬୦ ଖ୍ରୀଷ୍ଟାବ୍ଦ ବେଳକୁ ଲୁଉ ଲେଖିଥିବା ସେହି ସର୍ବପ୍ରଥମ ପୁସ୍ତକଟିକୁ ପୁନର୍ବାର ଫେରିଯିବା । ଜାପାନ ଦେଶର ସର୍ବପ୍ରଥମେ ଲିଖିତ ଚାହା ପୁସ୍ତକଟିଠାରୁ ଏଇଟି ଚାରିଶହ ବର୍ଷରୁ ଅଧିକ ପୁରୁଣା । ଭାରତବର୍ଷରେ ସେକାଳେ ଏହି ବିଷୟରେ କୌଣସି ଗ୍ରନ୍ଥ ରଚନା କରାଯାଇ ଥିବାର କୌଣସି ତଥ୍ୟ ଅଦ୍ୟାବଧି ପ୍ରାପ୍ତ ହୋଇନାହିଁ । ତା'ପରେ ଭିନ୍ନ ଭିନ୍ନ ରାଜତ୍ଵର ସମୟରେ ଚୀନ୍‌ରେ ପ୍ରାୟ ଶହେଟି ପୁସ୍ତକ ରଚିତ ହୋଇଥିବାର ସୂଚନା ମଧ୍ୟ ମିଳି ପାରିଲାଣି । ସେକାଳରୁ ହିଁ ଚାହା ନାମକ ପାନୀୟ ଦ୍ରବ୍ୟଟିକୁ ପ୍ରସ୍ତୁତ କରିବାର ବିଧିଟି ବିଷୟରେ ଯେଉଁସବୁ ବିବରଣୀ ଜାଣି ହେଉଛି, ସେଥିରୁ ଆମେ ଅବଗତ ହୋଇ ପାରିବା ଯେ ଏକ ନିର୍ଦ୍ଦିଷ୍ଟ ସୁପରିଚିତ ପ୍ରକ୍ରିୟାରେ ଚାହାଗଛର ପତ୍ର, କଢ଼ ଏବଂ କଅଁଳିଆ ଅଗଡ଼ାଳଗୁଡ଼ିକୁ ଏକାଠି କୁଟି କିଛି ସମୟ ନିମନ୍ତେ ଫୁଟା ପାଣିରେ ଚୁଲୀ ଉପରେ ସିଝାଇ ଦେବାକୁ ହୋଇଥାଏ । ରୁଚି ଅନୁସାରେ ସେଥିରେ ଆହୁରି କେତୋଟି କିସମର ଉଦ୍ଭିଦ, ଫୁଲ, କେତେଭଳି ମସଲା ଏବଂ ଫଳକୁ ପକାଇ ମଧ୍ୟ ସିଦ୍ଧ କରାଯାଇଥାଏ । ସେହି ଅନୁସାରେ ସଂକ୍ଷେପରେ କହିବାକୁ ଗଲେ ଚାହା ହେଉଛି ଚାରି ପ୍ରକାରର: କଳା ଚାହା, ଅତ୍ୟନ୍ତ କଳା ଚାହା (oolong), ସବୁଜ ରଙ୍ଗର ଚାହା ଓ ଧଳା ଚାହା । ଯେଉଁମାନେ ଚାହା ସହିତ ବିଭିନ୍ନ ପ୍ରକାରର ଫୁଲ ଓ ପତ୍ରାଦି ଆଣି ପକାଇ ଥାଆନ୍ତି, ସେମାନେ ତାହାକୁ ଗୋଲାପ ଚାହା, Chamomile ଚାହା ଏବଂ Jiaogulan ଚାହା ପ୍ରଭୃତି ନାମରେ ମଧ୍ୟ ପରିଚିତ କରାଇଥାଆନ୍ତି । ଏଥିରେ ପ୍ରଧାନତଃ ଏକାଠି ପଡ଼ି ରନ୍ଧା ହୋଇଥିବା ସାମଗ୍ରୀଟିର ବାସନାଟି ପ୍ରଧାନ ହୋଇ ରହିଥାଏ, ଚାହାର ଗନ୍ଧ ନଥାଏ । ବେଳେ ବେଳେ ଆଦୌ କୌଣସି ଚାହାପତ୍ର ବି ପଡ଼ିନଥାଏ ଓ ତଥାପି ପାନୀୟଟିକୁ ଚାହା ବୋଲି କୁହାଯାଏ । ଉତ୍ତର ଭାରତରେ ଲୋକେ ଯାହାକୁ ‘ଗୁରୁକୁଳ ଚାହା’ ବୋଲି କହନ୍ତି, ଏହି ସାରଣୀରେ ଆମେ ସେହିଭଳି ଏକ ପାନୀୟ ଦ୍ରବ୍ୟର ହୁଏତ କଳ୍ପନା କରି ପାରିବା ।

 

ଚୀନ୍‌ଦେଶରେ ହିଁ ଚାହା ନାମକ ବର୍ତ୍ତମାନର ଏହି ପାନୀୟଟିର ଆଦିସ୍ଥାନଟିର ଠାବ କରାଯାଇଥାଏ ବୋଲି ନିଶ୍ଚୟ ବିଜ୍ଞାନର ପରିଭାଷାଟିରେ ଚାହାକୁ Camellia sinensis ବୋଲି କୁହାଯାଇ ଆସିଛି । ଦ୍ରବ୍ୟଗୁଣ ଅନୁସାରେ ଚାହାରେ କାଫିନ୍ ଏବଂ ଆଉ କେତୋଟି ରାସାୟନିକ ଉପାଦାନ ସିନା ରହିଛି, କିନ୍ତୁ ପ୍ରାୟ କୌଣସି ଚର୍ବିଅଂଶ ଅର୍ଥାତ୍ ସ୍ନେହସାର ନାହିଁ, କାର୍ବୋହାଇଡ଼୍ରେଟ୍ କିମ୍ବା ପ୍ରୋଟିନ୍ ନାହିଁ । ଚାହାଗୁଳ୍ମରୁ ପତ୍ରଗୁଡ଼ିକୁ ତୋଳି ଆଣିବାପରେ ଗୋଟିଏ ବଡ଼ କଡ଼େଇରେ ଚୁଲୀ ଉପରେ ବସାଇ ଖାସ୍ ଯେଉଁପରି ରୀତିରେ ଖରଡ଼ି ନିଆଯାଏ, - ସେହି ଅନୁସାରେ ହିଁ ମୁଖ୍ୟତଃ ଚାହାର ବର୍ଗୀକରଣ କରାଯାଇ ଆସିଛି । ପତ୍ରମାନଙ୍କୁ ଗଛରୁ ତୋଳିଆଣିବା ପରେ ଯଦି ସଙ୍ଗେସଙ୍ଗେ ଖରାରେ ଶୁଖା ନଯାଏ, ତେବେ ସେଗୁଡ଼ିକ ବେଶ୍‌ ମଉଳି ଆସିଥାଏ ଏବଂ ସେଥିରେ ରହିଥିବା ଶ୍ୱେତସାର ଶର୍କରାରେ ପରିଣତ ହୋଇଥାଏ । ସ୍ୱଭାବତଃ ସବୁଜ ରଙ୍ଗର ପତ୍ରମାନେ କ୍ରମେ କୃଷ୍ଣାଭ ଦିଶନ୍ତି । ତା'ପରେ ସେଗୁଡ଼ିକୁ ଚୂଲୀ ଉପରେ ନେଇ ଖରଡ଼ିବାକୁ ହୁଏ, ଯାହାଫଳରେ ଜଳୀୟଅଂଶଟି ସଂପୂର୍ଣ୍ଣଭାବରେ ନିଷ୍କାଷିତ ହୋଇ ବି ଯାଇଥାଏ । ଏବଂ, ଯଦି ସମୁଚିତ ଭାବେ ଉତ୍ତାପ ଦେଇ ଜଳୀୟ ଅଂଶକୁ କାଢ଼ି ନିଆ ନଯାଏ, ତେବେ ପତ୍ରଗୁଡ଼ିକ ଫିମ୍ପିମାରି ଯାଉଥିବା ପରି ଦୃଷ୍ଟିଗୋଚର ହୁଏ । ଅର୍ଥାତ, ତଦ୍ଦ୍ୱାରା ପ୍ରକ୍ରିୟାଟି ଏକାବେଳକେ ବିଗିଡ଼ି ମଧ୍ୟ ଯାଏ ଏବଂ ପତ୍ରଗୁଡ଼ିକୁ ଫିଙ୍ଗି ଦେବାକୁ ପଡ଼ିଥାଏ । ତେଣୁ, ପତ୍ରଗୁଡ଼ିକୁ ତୋଳି ଆଣିବା ପରେ କେତେବେଶୀ ସମୟ ଖରଡ଼ି ଉପଯୁକ୍ତ କରିନେବାକୁ ହୁଏ, ବସ୍ତୁତଃ ତାହାକୁ ଭିତ୍ତିକରି ହିଁ ଉତ୍ପାଦିତ ଚାହାଟିର କିସମ ବା ବର୍ଗର ନିରୂପଣ ହୁଏ ।

 

ଧଳା ଚାହା କହିଲେ ତେଣୁ ଏହିପରି ଭାବରେ ଖରଡ଼ା ହୋଇ ପ୍ରସ୍ତୁତ କରା ଯାଇଥିବା ଚାହାକୁ ସମସ୍ତେ ବୁଝି ଆସିଛନ୍ତି: ଅତି କଅଁଳିଆ (ଏକାବେଳେକେ ଗଜା ଅବସ୍ଥାର) ପତ୍ରମାନଙ୍କୁ ସେହି ତୋଳିବାବେଳୁ ହିଁ ଅଲଗା କରି ରଖାଯାଏ ଏବଂ ତା’ପରେ ଅତ୍ୟନ୍ତ ଯତ୍ନର ସହିତ ଛାଇରେ ନେଇ ରଖିଦିଆଯାଏ । ଏହି ଧଳା ଚାହାକୁ ସେହିଥିରୁ ହିଁ ପ୍ରସ୍ତୁତ କରାଯାଏ । ନିୟମତଃ ମୋଟେ ଖରଡ଼ିବାକୁ ହୋଇ ନଥାଏ । ସାଧାରଣତଃ ଖୁବ ଅଳ୍ପ ପରିମାଣରେ ହିଁ ଏହି ବିଶେଷ କିସମର ଚାହାକୁ ତିଆରି କରାଯାଇଥାଏ । ଏବଂ, ସାଧାରଣତଃ ଏକା ଗଛରୁ ପତ୍ର ତୋଳି ଅନ୍ୟପ୍ରକାରେ ତିଆରି ହୋଇଥିବା ଚାହା ତୁଳନାରେ ଧଳା ଚାହାର ମୂଲ୍ୟ ଅଧକ ମଧ୍ୟ ହୋଇଥାଏ । ପୁନଶ୍ଚ, ଏପରି ଧଳା ଚାହା ନାମରେ କିସମଟିଏ ରହିଛି ବୋଲି ଚୀନ୍ ଦେଶ ବାହାରେ ବାସ କରୁଥିବା ଲୋକମାନେ ପ୍ରାୟ ଜାଣନ୍ତି ନାହିଁ; ଅବଶ୍ୟ କ୍ରମେ ଏହି କିସମଟି ମଧ୍ୟ ସାନସାନ ଖୋଳରେ ପଶି ବାହାରକୁ ଯିବାକୁ ଆରମ୍ଭ ମଧ୍ୟ କଲାଣି । ଦ୍ୱିତୀୟ କିସମଟି ସବୁଜ ଚାହା ଏଇଟି ପ୍ରସ୍ତୁତ କରିବା ସକାଶେ ଯଥାସମ୍ଭବ କମ୍ ପରିମାଣର ଉତ୍ତାପ ଦେଇ ପତ୍ରଗୁଡ଼ିକୁ ଖରଡ଼ି ନିଆଯାଏ । ପରମ୍ପରା କ୍ରମେ ଏହି ପ୍ରକ୍ରିୟାଟି ଜାପାନ ଦେଶରେ ବାଷ୍ପଦ୍ଵାରା କରାଯାଏ ଓ ଚୀନରେ କଡ଼େଇଗୁଡ଼ିକୁ ଚୂଲୀଉପରେ ବସାଇ ପତ୍ରମାନଙ୍କୁ ଖରଡ଼ି ନେଇ ମଧ୍ୟ କରାଯାଏ । ତାପରେ ପତ୍ରଗୁଡ଼ିକୁ ବାହାରେ କୌଣସି ଚଟେଇ ଉପରେ ବିଛାଇ ଶୁଖାଇ ନିଆ ଯାଇଥାଏ । ଏହି ପ୍ରକ୍ରିୟାଟି ପାଇଁ ବହୁତ ସମୟ ଦେବାକୁ ପଡ଼େ । ଗଛରୁ ପତ୍ରଗୁଡ଼ିକ ତୋଳା ହେବାର ଦିନେ ଦୁଇଦିନ ମଧ୍ୟରେ ସବୁଜ ଚାହା ପ୍ରସ୍ତୁତ ହୋଇଯାଏ । ଉଲଙ୍ଗ୍ ଅର୍ଥାତ୍ ବେଶୀ କଳା ରଙ୍ଗର ଚାହା: ଏକ ନିର୍ଦ୍ଦିଷ୍ଟ ସମୟ ସକାଶେ ଅନୁକୂଳ ପରିବେଶରେ ପତ୍ରମାନଙ୍କୁ ଶୁଖାଇ ନେବାକୁ ପଡ଼େ,–ଅତ୍ୟଧିକ ସମୟ ଲାଗି ନୁହେଁ କିମ୍ବା ଅତି କମ୍ ସମୟଲାଗି ମଧ୍ୟ ନୁହେଁ । ସେଥିପାଇଁ ଦୁଇରୁ ତିନିଦିନ ସମୟ ଦରକାର ହୁଏ । ଏଇଟି ବ୍ୟତୀତ, କଳା ଚାହା ଅର୍ଥାତ୍ ନାଲିରଙ୍ଗର ଚାହା ।

 

ଅର୍ଥାତ୍‌, ସବୁଠାରେ ସର୍ବାଧିକ ପରିମାଣରେ ବ୍ୟବହୃତ ହେଉଥିବା ଚାହା ହେଉଛି ଏହି ନାଲି ଚାହା ବା କଳା ଚାହା । ଦକ୍ଷିଣ ଏସିଆ ଅର୍ଥାତ୍ ଭାରତ, ଶ୍ରୀଲଙ୍କା, ବାଙ୍ଗଲାଦେଶ ଓ ପାକିସ୍ତାନ ଆଦି ଦେଶରେ ଲୋକେ ପାନ କରୁଥିବା ଚାହାର କିସମଟି । ଏବଂ, ଏହି ଗତ ବିଂଶ ଶତାବ୍ଦୀରେ କେନିୟା, ବୁରୁଣ୍ଡି, ରୁଆଣ୍ଡା, ମାଲୱି ଏବଂ ଜିମ୍ବାବୁଏ ଆଦି ଆଫ୍ରିକା ମହାଦେଶୀୟ ଦେଶରେ ଲୋକମାନେ ପାନ କରୁଥିବା ଚାହା । ଆକ୍ଷରିକ ଭାବରେ ମୂଳ ଚୀନ୍‌ଭାଷାର ଶବ୍ଦଟିକୁ ଅନୁବାଦ କଲେ ତାହାକୁ ନାଲି ଚାହା ବୋଲି ହିଁ କୁହାଯିବ । ଚୀନାମାନେ ତାହାକୁ ନାଲି ଚାହା ବୋଲି କହନ୍ତି, କାରଣ, ତରଳ ପାନୀୟଟି ପ୍ରସ୍ତୁତ ହୋଇଗଲେ ତାହା ନାଲି ରଙ୍ଗଟିଏ ହିଁ ଧାରଣ କରେ । ଏବଂ, ପାଶ୍ଚାତ୍ୟ ଜଗତର ଅଧିବାସୀମାନେ ତାହାକୁ କଳା ଚାହା ବୋଲି କହନ୍ତି, କାରଣ ତାହାକୁ ତିଆରି କରିବା ସକାଶେ ବ୍ୟବହୃତ ହେଉଥିବା ଚାହାପତ୍ରଗୁଡ଼ିକ କଳାରଙ୍ଗର ହିଁ ହୋଇଥାଏ । ଆହୁରି ସୃଷ୍ଟି କରି କହିଲେ, ସେମାନେ ଚାହାର ଡିବାଟିକୁ ବଜାରରୁ ଆଣି ଖୋଲି ବ୍ୟବହାର କରିବାକୁ ଯାଉଥିବା ସମୟରେ ପତ୍ରର ଦାନାଗୁଡ଼ିକ ସେମାନଙ୍କୁ କଳା ରଙ୍ଗର ହିଁ ଦେଖା ଯାଇଥାନ୍ତି । ଅବଶ୍ୟ, ଦକ୍ଷିଣ ଆଫ୍ରିକାରେ ଅଧିକତଃ ଯେଉଁ କିସମଟିର ବ୍ୟବହାର ହୁଏ, ତାହା ପ୍ରକୃତରେ ରଙ୍ଗରେ ଲାଲ ହିଁ ହୋଇଥାଏ । ଏଭଳି କିସମଟିକୁ ପ୍ରସ୍ତୁତ କରିବାକୁ ପତ୍ରଗୁଡ଼ିକୁ ଦୁଇରୁ ଚାରି ସପ୍ତାହ ପର୍ଯ୍ୟନ୍ତ ପବନରେ ଦେବାକୁ ପଡ଼ିଥାଏ । ହଁ, ସେହି କଳାରଙ୍ଗର ଚାହାରେ ମଧ୍ୟ ଏବେ ଆହୁରି ଅଧିକ ବର୍ଗୀକରଣ ହୋଇଗଲାଣି ।

 

କେବଳ ଚାହାଗଛର କଅଁଳ ପତ୍ରଗୁଡ଼ିକ ନୁହେଁ, ପୋଖତ ପୁରୁଣାଗୁଡ଼ିକରୁ ମଧ୍ୟ ଏକ ବିଶେଷ ପ୍ରକାରେ ଚାହା ଚୀନ୍ ଦେଶରେ ସ୍ନାନବିଶେଷରେ ଅମଳ କରାଯାଏ । ସେହି କ୍ଷେତ୍ରରେ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରି ପତ୍ରଗୁଡ଼ିକୁ ନିର୍ଦ୍ଦିଷ୍ଟ ପରିମାଣର ବତର ଏବଂ ଉତ୍ତାପ ମଧ୍ୟରେ ଖଣିରେ ପୋତି ରଖିବାପରି ରଖା ଯାଇଥାଏ ଓ ତା’ପରେ ସେଗୁଡ଼ିକୁ ଟାଣ ଚାପ ଦେଇ ଖାସ୍ ଆକାରର ଖଣ୍ଡମାନ ତିଆରି କରି ନିଆଯାଏ, - ଇଟା, ଫନ୍ଦ ରହିଥିବା ଗୋଟିଏ ଥାଳି, ବେଲା କିମ୍ବା କଂସା ଅଥବା ଏପରିକି ଛତୁପରି ଗୋଲ୍ ଗୋଲ୍ ଆକାରରେ । ଏହି ପ୍ରକାରେ ପ୍ରସ୍ତୁତ ଚାହାକୁ ସାଧାରଣତଃ ଉତ୍ପାଦିତ ହେବାର ଏକବର୍ଷ ମଧ୍ୟରେ ବ୍ୟବହାର କରିନେବାକୁ ହୁଏ : ତଥାପି, କେତୋଟି ଖାସ୍ ପ୍ରକାରକୁ ଏକାଧିକ ବର୍ଷକାଳ ମଧ୍ୟ ସଞ୍ଚି ରଖା ଯାଇପାରେ । ବାସ୍ତବ ଅନୁଭବକୁ ଭିତ୍ତିକରି ଅନୁମାନ ମଧ୍ୟ କରାଯାଏ ଯେ, ତୁମେ ଏହିପରି ଭାବରେ ସେହି ଚାହାକୁ ଯେତିକି ଅଧିକ ପୁରୁଣା ହେବାକୁ ଦେବ, ସେଥିରୁ ସେତିକି ଅଧିକ ସୁବାସ ବି ନିଶ୍ଚୟ ପାଇବ । ଏହି କ୍ରମରେ ପ୍ରକୃତରେ ପନ୍ଦର, ତିରିଶ ଏବଂ ବେଳେ ବେଳେ ପଚାଶବର୍ଷ ପର୍ଯ୍ୟନ୍ତ ସାଇତି କରି ରଖାଯାଇ ପାରିବ । ଅଧିକାଂଶ ସମୟରେ କଳା କିସମର ଚାହାକୁ ପ୍ରାୟ ପାଞ୍ଚମିନିଟ୍ ସମୟ ପାଣିରେ ଫୁଟାଇନେବାକୁ ହୁଏ । ହଁ, ତିବ୍ଦତର ଅଧିବାସୀମାନେ ପାନୀୟଟିର ଖାଦ୍ୟଗୁଣ ବଢ଼ାଇବା ସକାଶେ ସେଥିରେ ଚମରୀଗାଈର ଲହୁଣୀ ମଧ୍ୟ ପକାନ୍ତି–ଚିନି ପକାନ୍ତି, କିଛି ଲୁଣ ମଧ୍ୟ ମିଶାଇ ଦେଇଥାନ୍ତି-। ସେହି କାରଣରୁ ତାହାକୁ ସେମାନେ ଲହୁଣୀ ଦିଆ ଚାହା ବୋଲି କହନ୍ତି । ଏହି ବିଶେଷ କିସମର ଅଧିକ ପବନ ଦିଆ ଯାଇଥିବା ଚାହାକୁ ଚୀନ୍‌ଦେଶରେ କଳାଚାହା ବୋଲି କୁହାଯାଇ ଆସିଛି । ଏଠାରେ ଆମେ ନିଶ୍ଚୟ ମନେରଖିବା ଯେ ଇଂରାଜୀ ଭାଷାରେ ତଥା ଚଳଣିରେ ଯାହାକୁ କଳା ଚାହା ବୋଲି କୁହାଯାଏ, ଚୀନା ଲୋକେ ସେଇଟିକୁ ଅଭ୍ୟସ୍ତ ଭାବରେ ନାଲି ଚାହା ବୋଲି କହିଥାଆନ୍ତି ।

 

ଆଉ ଗୋଟିଏ ବିଶେଷ ପ୍ରକାର ହେଉଛି ହଳଦିଆ ଚାହା । ଅତ୍ୟନ୍ତ ସମ୍ଭ୍ରାନ୍ତ ବର୍ଗୀୟ ପାନୀୟଟି, ଯାହାକୁ ଆଗେ ସମ୍ରାଟମାନେ ଦରବାରମାନଙ୍କରେ ପାରିଷଦମାନଙ୍କର ମେଳରେ ବ୍ୟବହାର କରୁଥିବାର ଉଲ୍ଲେଖ ରହିଛି । ଏହାକୁ ଆମେ ବହୁତ ସଙ୍ଗତି ସହିତ ସବୁଜ ଚାହା ବୋଲି ମଧ୍ୟ କହିପାରିବା । ତଥାପି ଗୋଟିଏ ପାର୍ଥକ୍ୟ ଅବଶ୍ୟ ରହିଛି ଯେ, ଏଇଟିରେ ମୋଟେ ତରତର ନହୋଇ ପତ୍ରକୁ ପବନରେ ଖେଳାଇ ରଖାଯାଏ ଏବଂ ଶୁଖିବାକୁ ଦିଆଯାଏ । ପ୍ରକାରେ ଚାହାକୁ ଲୋକେ କୁକି ଚାହା ବୋଲି କହି ଆସିଛନ୍ତି, ଯେଉଁଟିକୁ କି ଚାହାଗୁଳ୍ମର ଅଗଡ଼ାଳଗୁଡ଼ିକୁ ଭାଙ୍ଗିଆଣି ପ୍ରସ୍ତୁତ କରାଯାଇଥାଏ । ଗୁଳ୍ମମାନେ ପତରଝଡ଼ା ଦେଉଥିବା ସମୟରେ ପୋଖତ ପତ୍ରଗୁଡ଼ିକୁ ମଧ୍ୟ ସେଥିରେ ଦିଆଯାଇଥାଏ । ପତ୍ର ଓ ଡାଳଗୁଡ଼ିକର ସେହି ଶୁଖିଲା ଅବସ୍ଥାରେ ସେଗୁଡ଼ିକୁ ଆଣି ଖରଡ଼ି ନିଆଯାଏ । ଜାପାନ ଦେଶରେ ଦେହ ଅସୁଖ ସମୟରେ ଏହାକୁ ଏକ ପଥିସଦୃଶ ପାନୀୟ ବୋଲି ବ୍ୟବହାର କରାଯାଇଥାଏ । ଆଉ ଗୋଟିଏ କିସମ ହେଉଛି ଗେନମାଇ ଚାହା, ଯାହାକୁ କି ଜାପାନୀ ଲୋକମାନେ ଟାଣଭଜା ଚାଉଳର ଭାତ ସହିତ ଏକତ୍ର ମିଶାଇ ତିଆରି କରନ୍ତି । ବେଳେ ବେଳେ ସେଥିରେ ମୁଢ଼ି ମଧ୍ୟ ମିଶିଥାଏ । ଜାପାନ ଦେଶରେ ଅତ୍ୟନ୍ତ ଲୋକପ୍ରିୟ ଚଳଣିଟିଏ । ଚୀନ୍ ଦେଶରେ ମଧ୍ୟ ଅବଶ୍ୟ ପ୍ରଚଳନ ରହିଛି । ତା'ପରେ, ଆମ ତାଲିକାର ସର୍ବଶେଷ କିସମଟି ହେଉଛି ଫୁଲ ସହିତ ମିଶ୍ରିତ ହୋଇଥିବା ଚାହା । ଫୁଲର ଭଳି ଭଳି ନାଆଁ ଅନୁସାରେ କିସମର ନାଆଁମାନେ ମଧ୍ୟ ଭଳିକି ଭଳି । ସବୁଠାରୁ ଅଧିକ ପ୍ରଚଳିତ ପ୍ରକାରଟି ହେଉଛି ମଲ୍ଲୀଫୁଲ ଜାତିର କୌଣସି ଫୁଲର ବାସନା ରହିଥିବା ଚାହା । ସାଧାରଣ ସବୁ କିସମକୁ ଗୋଟିଏ ନାମରେ ଫୁଲର ଚାହା ବୋଲି କୁହାଯାଏ । ମଲ୍ଲୀ ବ୍ୟତୀତ ଏହି ଶ୍ରେଣୀଟିରେ ଗୋଲାପ, ପଦ୍ମଫୁଲ, ଲିଚୁଫୁଲ ଏବଂ ସେବତୀ ଫୁଲର ମଧ୍ୟ ପ୍ରଚଳନ ବହୁକାଳରୁ ରହିଆସିଛି । ବେଳେ ବେଳେ ବାସଟିକୁ ଆଣି ମିଶା ଯାଇଥାଏ ଅଥବା ଫୁଲଗୁଡ଼ିକର ପାଖୁଡ଼ାକୁ ଚାହା ସହିତ ଏକତ୍ର ରନ୍ଧାବି ଯାଇଥାଏ । ଏବେ ତ ଇଉରୋପ ଓ ଆମେରିକା ପ୍ରଭୃତି ଦେଶରେ ଉପଭୋକ୍ତାମାନଙ୍କର ପସନ୍ଦକୁ ଆହୁରି ବହୁ ବହୁ ପ୍ରକାରର ହାତଗୋଡ଼ ଯୋଗାଇ ଦେବା ସକାଶେ ଚାହାଗୁଣ୍ଡରେ ଆହୁରି କେତେ କେତେ ବାସନାକୁ ଆଣି ମିଶାଇ ଦେବାର ଉପକ୍ରମ ବି ହେଲାଣି । ସେହି ଅନୁସାରେ ସେହି ବହୁ ଦୂର ଦେଶର ଦୋକାନମାନଙ୍କରେ ଟିଣମାନଙ୍କରେ ରେଜାରେ ବିକ୍ରୀ କରା ଯାଉଥିବା ଚାହାରେ ଆମକୁ ତୁଳସୀ, ପୋଦିନା, ଅଦା-ଏହିଭଳି କେତେ କେତେ ଘ୍ରାଣର ଚାହା କିଣିବା ନିମନ୍ତେ ଉପଲବ୍ଧ ହୋଇପାରୁଛି-। ମନୁଷ୍ୟମାନଙ୍କର ରୁଚିଗତ ଅନେକତ୍ୱ ବିଷୟରେ ସମଝଦାରୀ ଖୁବ୍ ବଢ଼ୁଛି ।

 

ଉତ୍ସସୂତ୍ରମାନଙ୍କୁ ଉଣ୍ଡି ଉଣ୍ଡି ଅନୁମାନ କରାଗଲାଣି ଯେ ସର୍ବପ୍ରଥମେ ଦକ୍ଷିଣ ଚୀନ, ଉତ୍ତର ବ୍ରହ୍ମଦେଶ ଏବଂ ଆମ ଆସାମ ରାଜ୍ୟ ଯେଉଁଠି ଏବେ ଏକାଠି ଯୋଡ଼ି ହୋଇ ରହିଛନ୍ତି, ସେହିଠାରେ ହିଁ ଏକ ବନଜାତ ଉଦ୍ଭିଦ ରୂପେ ଚାହାର ଆବିର୍ଭାବ ହୋଇଥିଲା । ସେତେବେଳର ସେଠା ମଣିଷମାନେ ଉଦ୍ଭିଦଟିର ମହିମା ଜାଣି ତାହାକୁ ଆଦୌ କୌଣସି ପାନୀୟ ରୂପେ ବ୍ୟବହାର କରୁଥିଲେ ବା କରୁ ନଥିଲେ, ସେକଥା ହୁଏତ କେହି କହି ପାରିବେ ନାହିଁ । ଖୁବ୍‌ ସମ୍ଭବ, କୌଣସି ଏକ ସ୍ଥାନୀୟ ଅଞ୍ଚଳରେ କେହି ସମ୍ପୂର୍ଣ୍ଣ ଆକସ୍ମିକ ଭାବରେ ସୁଆଦଟିର ପରିଚୟ ପାଇଥିବ ଏବଂ ତା’ପରେ ତାହା ତୁଣ୍ଡରୁ ତୁଣ୍ଡକୁ ପରିଚିତ ହୋଇ ପ୍ରସାରିତ ହେବାକୁ ଆରମ୍ଭ କରିଥିବ । ଅନୁମାନ କରି ହେଉଛି, ସର୍ବପ୍ରଥମ ପର୍ଯ୍ୟାୟଟିରେ ଲୋକେ ସିଧା ଚାହାପତ୍ରଗୁଡ଼ିକୁ ଶୁଖାଇ ପାଣିରେ ସିଝାଇ ପାନୀୟରୂପେ ବ୍ୟବହାର କରୁଥିଲେ । ଉଚ୍ଚ ସମ୍ଭ୍ରାନ୍ତ ମହଲର ବ୍ୟକ୍ତିମାନେ ଚାହାକୁ ଯଥାସମ୍ଭବ ସେହି ପ୍ରାକୃତିକ ଭାବରେ ହିଁ ବ୍ୟବହାର କରିବାରେ ଅଧିକ ସନ୍ତୋଷ ହୁଏତ ପାଉଥିଲେ । କିନ୍ତୁ କ୍ରମେ ଚାହାପତ୍ରଗୁଡ଼ିକୁ ଗୁଣ୍ଡ କରି ବ୍ୟବହାର କରିବାର ଗୋଟିଏ ଚଳଣି ବିବର୍ତ୍ତିତ ହୋଇ ଆସିଥିଲା । ଆଗ ପତ୍ରମାନଙ୍କୁ ଗଛରୁ ତୋଳି ଆଣିବ, - ତା’ପରେ ସେକିଦେବ ଯେପରି ସେଗୁଡ଼ିକର ରଙ୍ଗ ବଦଳି ଯିବନାହିଁ ଓ ସେଗୁଡ଼ିକ ତଟକା ପରି ଦେଖା ଯାଉଥବେ । ହଁ, ସେକିବ, ଖରାରେ ଦେବ ଏବଂ ପେଷି ଗୁଣ୍ଡ କରିଦେବ । ତା’ପରେ କୁଲାରେ କିମ୍ବା ଡାଲାରେ ଠିକ୍ ଧାନ ଉଡ଼ାଇଲା ପରି ଖଦଡ଼ା ଅବଶେଷଗୁଡ଼ିକୁ ସରୁ ଗୁଣ୍ଡରୁ ବାହାର କରିଦେବ । ସେଥିରୁ ଯେଉଁ ପାନୀୟଟି ତା’ପରେ ପ୍ରସ୍ତୁତ କରାଯାଉଥିଲା, ସେଇଟି ବେଶ୍ ତୋଫା ଚକ୍‌ଚକ୍ ହୋଇ ବେଶ୍ ଦେଖାଯାଉଥିଲା ଓ ପସନ୍ଦ ମୁତାବକ ହୋଇପାରୁଥିଲା । ସେଥିରୁ ପ୍ରସ୍ତୁତ କରାଯାଉଥିବା ପାନୀୟଟି ଏଥର ଅବଶ୍ୟ ସ୍ଫୁର୍ତ୍ତି ଆଣି ଦେବ ଏବଂ ସ୍ୱାସ୍ଥ୍ୟର ଅନୁକୂଳ ହୋଇପାରିବ ବୋଲି ବିଶ୍ଵାସ କରାଯାଉଥିଲା । ଦ୍ଵାଦଶ ଏବଂ ତ୍ରୟୋଦଶ ଶତାବ୍ଦୀରେ ଦକ୍ଷିଣ ଚୀନ୍‌ର ରାଜଦରବାରରେ କାର୍ଯ୍ୟ କରୁଥିବା ଉଚ୍ଚପଦସ୍ଥମାନେ ସେହି ଚାହାକୁ ପାନ କରିବାରେ ଅତୀବ ଆନନ୍ଦ ଅନୁଭବ ବି କରୁଥିଲେ । ବିଦ୍ୱାନ ତଥା ପଣ୍ଡିତମାନେ ବି ଅତ୍ୟନ୍ତ ଆପ୍ୟାୟିତ ଅନୁଭବ କରୁଥିଲେ ।

 

ଯେତେବେଳେ ସମବେତ ଭାବରେ କବିତାପାଠ ହେଉଥିଲା, କଳାତ୍ମକ ଅକ୍ଷରବସାଣଦ୍ୱାରା କିଛି ସଜାଇ ଚିତ୍ରିତ କରି ଲେଖା ଯାଉଥିଲା, ଚିତ୍ର ଅଙ୍କା ଯାଉଥିଲା ଅଥବା ଦର୍ଶନଚର୍ଚ୍ଚା ହେଉଥିଲା, ସେତେବେଳେ ଚାହାପାନର ବିଧାନଟିଏ ଅଧିକ ଅନୁକୂଳତା ଯୋଗାଇଦେଇ ଅବସରଟିକୁ ଆହୁରି ମନୋରମ କରି ଦେଉଥିଲା । ଚାହାକୁ ଅଧିକ ରୁ ଅଧିକ ସ୍ଵାଦିଷ୍ଟ କରିବାର କ୍ଷେତ୍ରରେ ସେତେବେଳେ ପୁଲକିତ ନାନାବିଧିରେ ପ୍ରତିଯୋଗିତା ବି ହେଉଥିଲା,- ସେହି ଅନୁଷ୍ଠାନଗୁଡ଼ିକରେ ବ୍ୟବହୃତ ବାସନ ତଥା ସରଂଜାମଗୁଡ଼ିକର ମଧ୍ୟ ମୂଲ୍ୟାୟନ କରାଯାଉଥିଲା । ସେରାମିକ୍ ପାତ୍ରଗୁଡ଼ିକର ପ୍ରଚଳନ ପରେ ଚାହାପାନ ଉକ୍ତ ରାଜକୀୟ ଅନୁଷ୍ଠାନମାନଙ୍କୁ ଆହୁରି ଅଧିକ ଯମକ ମଧ୍ୟ ଆଣିଦେଲା । ସେହି ଆନନ୍ଦରେ ଆପ୍ୟାୟନଟିକୁ ଏକ ସର୍ବଲକ୍ଷଣଯୁକ୍ତ ଉତ୍ସବ ବୋଲି ମଧ୍ୟ କୁହାଗଲା । ସେତେବେଳେ ଜାପାନର ଯେଉଁ ଭିକ୍ଷୁମାନେ ଧର୍ମୀୟ ଅଧ୍ୟୟନ ନିମନ୍ତେ ଚୀନ୍ ଯାଇଥିଲେ, ସେମାନେ ଯୁଗପତ୍‌ ଭାବରେ ଏହି ଖାସ୍ କଳାତ୍ମକତାଟିକୁ ମଧ୍ୟ ଶିକ୍ଷା କରିଥିଲେ ଏବଂ ଏହିପରି ଭାବରେ ରୀତିଟି ଜାପାନ ଦେଶକୁ ସଂକ୍ରମିତ ହୋଇ ଆସିଲା । ଜାପାନ ଦେଶରେ ସତେ ଅବା ଏକ ନୂଆ କ’ଣଟିଏ ପରି ଆଦୃତ ଏବଂ ସ୍ୱୀକୃତ ସିନା ହେଲା, ମାତ୍ର ଜନ୍ମଦେଶ ଚୀନ୍‌ରେ କ୍ରମେ ଆକର୍ଷଣ ହରାଇଲା । ଏବଂ, ଏବେମଧ୍ୟ ଜାପାନ ଦେଶର ସମ୍ଭ୍ରାନ୍ତ ମହଲରେ ଚାହା-ଉତ୍ସବର ସେହି ଚଳଣିଟି ରହିଛି । ଚୀନ୍ ଦେଶରେ କେତେନା କେତେ ରାଜନୀତିକ ହଲଚଲ ଫଳରେ ବହୁତ ବହୁତ ପୁରାତନ ପ୍ରାୟ ଅଲୋଡ଼ା ହୋଇପଡ଼ିବା ପରି ଚାହା-ଉତ୍ସବର ସେହି ଉପଚାରଟା କେବଳ ଏକ ସ୍ମୃତିରେ ପରିଣତ ହୋଇଯାଇଛି ସତ, ମାତ୍ର ଜାପାନର ସାମୂହିକ ଶାସନ ତଥା ଗଢ଼ଣରେ ବାହାରର ଛାଞ୍ଚମାନେ ତଥାପି କିଛିକିଛି ବଦଳି ଯାଇଥିବା ଭଳି ମନେ ହେଉଥିଲେ ମଧ୍ୟ ସମ୍ଭବତଃ ମଞ୍ଜଟାରେ ଗୁଡ଼ାଏ ବେଶୀ କିଛି ବଦଳି ପାରିନାହିଁ ।

 

ଚୀନ୍ ଏବଂ ଜାପାନ ପରି ପଡ଼ିଶା କୋରିଆରେ ମଧ୍ୟ ଚାହାର କାହାଣୀ ବେଶ୍ ସମାନ ଭାବରେ ପୁରୁଣା । ସେହି ଦେଶରେ ଖ୍ରୀଷ୍ଟ ସପ୍ତମ ଶତାବ୍ଦୀରେ ମଧ୍ୟ କୌଣସି କୁଳଦେବତାଙ୍କୁ ନୈବେଦ୍ୟ ରୂପେ ଚାହା ଅର୍ପଣ କରାଯାଇଥିବାର ଉଲ୍ଲେଖ ରହିଛି । ତା’ର ପରବର୍ତ୍ତୀ ଆଉ ଏକ ଶତାବ୍ଦୀରେ ବୌଦ୍ଧ ଧର୍ମପୀଠମାନଙ୍କରେ ପରଲୋକଗତ ଭିକ୍ଷୁମାନଙ୍କର ସମ୍ମାନାର୍ଥେ ଚାହା ଅର୍ପଣ କରାଯାଉଥିଲା । ମଧ୍ୟଯୁଗରୁ ପ୍ରାୟ ବିଂଶ ଶତାବ୍ଦୀର ଆରମ୍ଭ ଯାଏ ରାଜପରିବାର ତଥା ସମ୍ଭ୍ରାନ୍ତ ବଂଶୀୟମାନଙ୍କର ଯେକୌଣସି ସାମାଜିକ ଅନୁଷ୍ଠାନର ଏକ ନିୟମିତ ବିଧିରୂପେ ଚାହାର ପ୍ରଚଳନ ରହିଥିଲା । ସେହି ପ୍ରକ୍ରିୟାରେ କ୍ରମେ ସାଧାରଣ ପରିବାରମାନେ ମଧ୍ୟ ବିଧିଟିକୁ ଗ୍ରହଣ କରିନେଇଥିଲେ । ସାଧାରଣ ସ୍ତରରେ ମାଟିର ପାତ୍ରରେ ବେଶ୍ କାମ ଚଳିଯାଉଥିଲା । ଏବଂ ଅବସ୍ଥା ଅନୁସାରେ ଉପରକୁ ଉପରକୁ ବିଭିନ୍ନ ପୀଢ଼ିରେ ସେରାମିକ୍ ଓ ପୋର୍ସିଲେନର ବ୍ୟବହାର ମଧ୍ୟ ଦୃଷ୍ଟିଗୋଚର ହେଉଥିଲା । ବୌଦ୍ଧ, କନ୍‌ଫୁସୀୟ ତଥା ଆଉ କେତେ ଧାରାର ପରିବାରବର୍ଗ ବିଭିନ୍ନ ପ୍ରକାରେ ଧାତୁ ନିର୍ମିତ ବାସନ ବ୍ୟବହାର କରୁଥିଲେ- ଅନୁମାନ କରାଯାଇପାରେ, ସେମାନେ ସତେ ଅବା ତାହାରିଦ୍ୱାରା ହିଁ ନିଜ ନିଜର ଉପାସନାଗତ ଆନୁଗତ୍ୟଗୁଡ଼ିକୁ ଅନ୍ୟମାନଙ୍କ ପାଇଁ ସୂଚାଇ ଦେବାକୁ ସେହିପରି କରୁଥିଲେ । କୋରିଆରେ ପ୍ରଧାନତଃ କଳାଚାହାର ଅଧିକ ଆଦର ରହିଥିଲା । ଚାହା ପ୍ରସ୍ତୁତ କରାଯାଉଥିବା ପାତ୍ରଗୁଡ଼ିକୁ ସମସ୍ତେ ଗୋଟିଏ ଗୋଟିଏ ପବିତ୍ର ଦ୍ରବ୍ୟ ପରି ହିଁ ଦେଖୁଥିଲେ ଏବଂ ଚୀନ୍ ଦେଶରୁ ସେଠାକୁ ଆସୁଥିବା ପୁରୁଖା କୌଣସି ବର୍ଗର ଚାହାକୁ ଅଧିକ କଦର ମଧ୍ୟ ଦିଆଯାଉଥିଲା । ଯେପରି ଅନୁମାନ କରାଯାଉଛି, ବୌଦ୍ଧ ଭିକ୍ଷୁଗଣ ହିଁ ଚାହାପାନକୁ ଏକାଧିକ ଧର୍ମୀୟ ଅନୁଷ୍ଠାନ ମଧ୍ୟରେ ଆଣି ପ୍ରବିଷ୍ଟ କରାଇଥିଲେ ଏବଂ ସାଧାରଣତଃ ସମସ୍ତେ ଘରେ ଜନ୍ମଦିନ କିମ୍ବା ବାର୍ଷିକ ଶ୍ରାଦ୍ଧ ଆଦି ପାଳିତ ହେଉଥିବା ଅବସରଗୁଡ଼ିକରେ ଚାହାକୁ ନିୟମିତ ଭାବରେ ବ୍ୟବହାର କରୁଥିଲେ ।

 

ପୁରାତନ ପୋଥିମାନଙ୍କରୁ ଅନୁମାନ କରାଯାଉଛି ଯେ, ନବମ ଶତାବ୍ଦୀରେ ଜଣେ ବୌଦ୍ଧ ଭିକ୍ଷୁଙ୍କଦ୍ୱାରା ଲିଖିତ ପୁସ୍ତକରେ ହିଁ ଜାପାନରେ ସବୁଜ ଚାହାର ସର୍ବପ୍ରଥମେ ଚର୍ଚ୍ଚା କରାଯାଇଛି । ଚୀନ୍ ଦେଶର ସଂସ୍କୃତି ବିଷୟରେ ଅଧ୍ୟୟନ କରିବା ନିମନ୍ତେ ଜାପାନର ଯେଉଁ ପୂଜକ ଅଥବା ଅନ୍ୟ ପ୍ରତିନିଧ ଜାପାନରୁ ସେଠାକୁ ଯାଉଥିଲେ, ସେଇମାନେ ହିଁ ସେଠାରୁ ଚାହାକୁ ନିଜଦେଶକୁ ଆଣିବାରେ ସର୍ବୋତ୍ତମ ନିମିତ୍ତ ରୂପେ କାର୍ଯ୍ୟକରି ଆସିଛନ୍ତି । ସେତେବେଳେ ଚାହାର ପତ୍ରଗୁଡ଼ିକୁ ଚାପଦ୍ୱାରା ପିଠାଟିଏ ପରି ତିଆରି ହୋଇଥିବା ଗୋଟିଏ ଗୋଟିଏ ମୁଣ୍ଡାର ହିଁ ପ୍ରଚଳନ ରହିଥିଲା । ପୂର୍ବରୁ ଯେପରି ଉଲ୍ଲେଖ କରାଯାଇଛି, ଜାପାନୀ ଭିକ୍ଷୁ ଏଇସାଇ ୧୨୧୧ ଖ୍ରୀଷ୍ଟାବ୍ଦରେ ତାଙ୍କର ଦ୍ୱିତୀୟ ଚୀନ୍ ଯାତ୍ରା ପରେ ଦୁଇଖଣ୍ଡରେ ସେହି ଭାଷାରେ ପ୍ରଥମ ଚାହାବିଷୟକ ପୁସ୍ତକଟିକୁ ରଚନା କରିଥିଲେ । ପୁସ୍ତକର ସର୍ବପ୍ରଥମ ବାକ୍ୟଟିରେ ହିଁ ଲେଖାଯାଇଛି : ଗୋଟିଏ ଆରୋଗ୍ୟକାରୀ ହିସାବରେ ଚାହାର ପ୍ରକୃତରେ ଆଦୌ କୌଣସି ତୁଳନା ହୋଇପାରିବ ନାହିଁ । ଚାହା ହେଉଛି ଉଭୟ ମନକୁ ଔଷଧ ଦେହକୁ ମଧ୍ୟ ଔଷଧ । ଆମ ଜୀବନକୁ ଅଧିକ ପୂର୍ଣ୍ଣ କରି ଆଣିବାରେ ଚାହାର ଅଶେଷ ସମର୍ଥତା ରହିଛି । ଚାହା କିପରି ଜଣେ ମନୁଷ୍ୟର ପାଞ୍ଚଟିଯାକ ଦେହାଙ୍ଗକୁ ସୁସ୍ଥ ରଖେ, - ଖାସ୍‌କରି ହୃଦ୍‌ଯନ୍ତ୍ର ଉପରେ ଏକ ସୁପ୍ରଭାବ ପକାଇଥାଏ, ପୁସ୍ତକଟିର ମୁଖବନ୍ଧରେ ତାହାର ସୂଚନା ଦିଆଯାଇଛି । ସେଥିରେ ଅଛି ଯେ ଚାହା ବହୁତ ପ୍ରକାର ବେରାମରେ ଗୋଟିଏ ଔଷଧରୂପେ ବ୍ୟବହାର ହୋଇ ପାରିବ । ସୁରା ପାନର କୁପ୍ରଭାବକୁ ଦୂର କରିବ, ବ୍ରଣ ପ୍ରଭୃତିର ଦାଗକୁ ଅପସାରି ନେବ, ତୃଷା ଦୂରକରିବ, ହଜମଶକ୍ତି ବଢ଼ାଇବ ଏବଂ ବେରିବେରି ରୋଗକୁ ମଧ୍ୟ ଭଲ କରିଦେବ । ଚାହାପାନ ଦ୍ଵାରା ଶରୀରରୁ କ୍ଲାନ୍ତି ଚାଲିଯିବ ଏବଂ ମୁତ୍ରାଶ୍ରୟ ଜନିତ ତଥା ମସ୍ତିଷ୍କର ବହୁତ ଅସୁବିଧାକୁ ହରଣ କରିବ । ଗ୍ରନ୍ଥର ପ୍ରଥମ ଖଣ୍ଡଟିରେ ଚାହା ଉଦ୍ଭିଦର ଚାଷ, ଚାହାର ଅମଳ ବିଷୟରେ ସମ୍ୟକ ଭାବରେ ଆଲୋକପାତ କରାଯାଇଛି ଓ ଦ୍ୱିତୀୟ ଖଣ୍ଡରେ ଭିନ୍ନଭିନ୍ନ ଅସୁଖରେ ଉପଚାର ରୂପେ ଆବଶ୍ୟକ ଅନୁପାନଗୁଡ଼ିକର ଆଲୋଚନା ହୋଇଛି ।

 

ପୁନଶ୍ଚ, ଭିକ୍ଷୁ ଏଇସାଇ ନିଜ ଦେଶର କ୍ଷତ୍ରିୟମାନଙ୍କୁ ମଧ୍ୟ ଚାହାପାନର ଶିକ୍ଷା ପ୍ରଦାନ କରିଥିଲେ । ସେତେବେଳେ ତ ସେହିମାନେ ଦେଶରେ ସର୍ବୋଚ୍ଚ କ୍ଷମତାରେ ଆସୀନ ହୋଇରହିଥିଲେ ଏବଂ ଅନେକ ସମୟରେ ଲୋକମାନଙ୍କ ପାଇଁ ବେଶ୍ ନାନା କଷଣର କାରଣ ମଧ୍ୟ ହେଉଥିଲେ । କଥିତ ଅଛି ଯେ ସେହିପରି ଜଣେ ପ୍ରତାପଶାଳୀ ସୈନ୍ୟାଧ୍ୟକ୍ଷ ପ୍ରତ୍ୟହ ରାତ୍ରିରେ ଅତିରିକ୍ତ ପରିମାଣରେ ସୁରାପାନ କରୁଥିଲେ । ଭିକ୍ଷୁ ଏଇସାଇ ସିଏ ଲେଖିଥିବା ଗୋଟିଏ ପୁସ୍ତକକୁ ନେଇ ତାଙ୍କୁ ଭେଟି ଦେଇଥିଲେ, ଯେଉଁଥିରେ କି ଚାହା ପାନକରିବାର ଉପକାରିତା ବିଷୟରେ ବିଶଦ ଭାବରେ ବହୁତ କଥା ଲେଖା ହୋଇଥିଲା । ତାହାର ସୁଫଳଟିଏ ଅବଶ୍ୟ ଫଳିଲା ଏବଂ ସେହିଦିନଠାରୁ ଚାହାର ବ୍ୟବହାର କ୍ରମେ ସେଠା କ୍ଷତ୍ରିୟ ଶ୍ରେଣୀଟି ମଧ୍ୟରେ ସମାଦୃତ ମଧ୍ୟ ହୋଇଥିଲା । କ୍ରମେ ତାହା ଦେଶର ସଂସ୍କୃତିସମ୍ପନ୍ନ ଶ୍ରେଣୀମାନଙ୍କର "ଏକ ପାନୀୟରେ ପରିଣତ ହୋଇପାରିଥିଲା । ସମ୍ଭ୍ରାନ୍ତ ବର୍ଗ ମଧ୍ୟ ଆକର୍ଷିତ ହେଲେ ଏବଂ ଭିକ୍ଷୁମାନେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରିନେଇଥିଲେ । ତେଣୁ, ଚାହାର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଲା । ଶ୍ରେଣୀ ନିର୍ବିଶେଷରେ ସବୁ ଲୋକଙ୍କର ପହଞ୍ଚ ମଧ୍ୟକୁ ଆସିପାରିଥିଲା । ଅବଶ୍ୟ, ତଥାପି ଶିଷ୍ଟମାନଙ୍କର ଏକ ଖାସ୍ ପାନୀୟ ରୂପେ ପରିଚିତ ହୋଇ ରହିଥିଲା । ସାମୂହିକ ଜୀବନର ଯେକୌଣସି ବର୍ଗ ମଧ୍ୟ ଚାହାକୁ ବ୍ୟବହାର କରି ଆପଣାକୁ ଯେ ଶିଷ୍ଟବର୍ଗଗୁଡ଼ିକର ସମତୁଲ ବୋଲି ଅନୁଭବ କରିବାରେ ଉତ୍ସାହିତ ନ ହୋଇଥିବେ, ସେ କଥାଟିକୁ ମଧ୍ୟ କାହିଁକି ଅସ୍ୱୀକାର କରାଯାଇଥିବ ?

 

ଏହାର ବେଶ୍ ଖିଅଟିଏ ଲଗାଇ କୁହାଯାଇ ହୁଏତ ପାରିବ ଯେ, ଦ୍ଵାଦଶ ବା ତ୍ରୟୋଦଶ ଶତାବ୍ଦୀ ବେଳକୁ ଏହି ଚାହା ନାମକ ଆମୋଦଦାୟକ ପାନୀୟଟି ଚୀନ୍ ଦେଶରେ କ୍ରମେ ସମ୍ପୂର୍ଣ୍ଣ ଲୋକପ୍ରିୟ ଗୋଟିଏ ଅଭ୍ୟାସରେ ହିଁ ପରିଣତ ହୋଇଯାଇଥିଲା । ସେହି ବିନୋଦନର ଅବସରଟିକୁ ମାଧ୍ୟମପ୍ରାୟ ବ୍ୟବହାର କରି କବିତା-ପାଠ ଜମିପାରିଲା, ନାନା କଳାତ୍ମକ ଅଳଙ୍କରରେ ଶବ୍ଦ-ଲିଖନର ପ୍ରଦର୍ଶନ ତଥା ପ୍ରତିଯୋଗିତା କରାଗଲା, କଳାକାରମାନେ ଏକାଠି ମେଳହୋଇ ଚିତ୍ର ଆଙ୍କିଲେ ଏବଂ ଦର୍ଶନାଦିର ଚର୍ଚ୍ଚା କଲେ । ଏବଂ, ତାହାସହିତ ଚାହାପାନ ସର୍ବଦା ହିଁ ରହିଥିଲା । ଚାହାପାନକୁ ଆଳକରି ଏସବୁ ହେଲା ଅଥବା ଏହିଗୁଡ଼ିକୁ ଆନୁଷଙ୍ଗିକ କରି ଗୁନ୍ଥି ରଖିପାରିଲେ ଚାହା-ଆପ୍ୟାୟନଟା ବି ଅଧିକ ସାଂସ୍କୃତିକ ଲାଗିବ ଏବଂ ତେଣୁ ଅଧିକ ଆପ୍ୟାୟନର କାରଣ ହେବ ବୋଲି ଅନୁମାନ କରାଯାଇ ଏପରି ହେଲା, ସେକଥା କିଏ ବା ସେତେବେଳେ ମଧ୍ୟ କହିଦେଇ ପାରିଥାଆନ୍ତା ? ସମ୍ଭବତଃ ସଂପୃକ୍ତ ଯୂଥଟିର ଆଗ୍ରହଟି ଅନୁସାରେ ହିଁ ଜମାୟତଟି ଏପରି ଅଥବା ସେପରି ହେବାକୁ ବାଧ୍ୟ ହେଉଥିବ । ଅନୁଷ୍ଠାନଟି ଦରିଆ ଡେଇଁ ଜାପାନ ଦେଶକୁ ଗଲା । ଷୋଡ଼ଶ ଶତାବ୍ଦୀରେ ଜଣେ ବୌଦ୍ଧ ଭିକ୍ଷୁ ହିଁ ଚୀନରେ ଧର୍ମର ଅଧ୍ୟୟନ ସାରି ଘରକୁ ଫେରିବା ସମୟରେ ଏହି ସମୁଦ୍ର-ଲଂଘନରେ ନିମିତ୍ତବତ୍ କାର୍ଯ୍ୟକରିଥିଲେ । ଏବଂ, ଜାପାନକୁ ଆସି ସେହି ଦ୍ରବ୍ୟଟି ସର୍ବପ୍ରଥମେ ଦେଶର ସାମୁରାଇ ଅର୍ଥାତ୍ ସମ୍ଭ୍ରାନ୍ତମାନଙ୍କ ମହଲରେ ପ୍ରବେଶ ଲାଭ କଲା ଓ ଏକ ଖାସ୍ ବିଶିଷ୍ଟତାର ସନ୍ତକରୂପେ ପରିଗଣିତ ହୋଇଥିଲା । ଚାହାକୁ ନିମିତ୍ତ କରି ଚାହା-ଉତ୍ସବର ଭିଆଣ ହୋଇଥିଲା । ସାମନ୍ତ-ସ୍ତରର ପାରସ୍ପରିକି ଖାସ୍ ସମ୍ବନ୍ଧଗୁଡ଼ିକୁ ଯଥାସମ୍ଭବ ନିରୁପଦ୍ରବ କରି ରଖିବାର କ୍ଷେତ୍ରଗୁଡ଼ିକରେ ଏକ ଉପଚାରରେ ପରିଣତ ହୋଇଯାଇଥିଲା । ସାମୁରାଇ କୁଳୀନତାର ବିବାଦ ଇତ୍ୟାଦିର ମୀମାଂସା ବାହାର କରିବାର କ୍ଷେତ୍ରରେ ଚାହା ହିଁ ଏକ ସହଜ ଭିତ୍ତି-ପରିବେଶକୁ ସମ୍ଭବ କରି ଆଣିବାର ପଦାର୍ଥ ହୋଇ ରହିପାରିଲା । ଚାହା ସେହି ଉଚ୍ଚସ୍ଥମାନଙ୍କର ନାନା ବନ୍ଧୁରତାପୂର୍ଣ୍ଣ ଜୀବନ-କ୍ଷେତ୍ରରେ ସମାଧାନକାରୀ ଏକ ନିର୍ଦ୍ଦିଷ୍ଟ ସଂସ୍କାର ଭଳି କାମ କରିଥିଲା । କ୍ରମେ ସେହି ସବୁଜ ଚାହା ଉପରୁ ତଳଆଡ଼କୁ ମଧ୍ୟ ପ୍ରଚାରିତ ହୋଇ ଆସିଲା; ସାଧାରଣ ଜନଗଣ ହୁଏତ ତଦ୍ଦ୍ୱାରା କିଂଚିତ ଉପରର ଏକ ସ୍ତରର ବୋଲି ଅନୁଭବ କରିବାର କିଂଚିତ୍‌ ଅନ୍ତର୍ଗତ ପ୍ରୋତ୍ସାହନ ଅବଶ୍ୟ ପାଇଗଲେ ଏବଂ ଏହି ସବୁକିଛି ଏକତ୍ର ହୋଇ ଦେଶର ଅଧିବାସୀ ମାତ୍ରକେ ସମସ୍ତେ ହିଁ ନିଜକୁ ସକଳ ଅର୍ଥରେ ଗୋଟିଏ ଏକକବତ୍ ବିଚାର କରିବାକୁ ଉତ୍ସାହ ପାଇଥିଲେ ।

 

କ୍ରମେ ଚାହା ବାଗାନରୁ ପତ୍ରମାନଙ୍କୁ ଚୟନ କରି ଆଣି ଆବଶ୍ୟକ ଚାପ ଅଥବା ସେକ ଦେଇ ଗୁଣ୍ଡରେ ପରିଣତ କରିବାର ପ୍ରକ୍ରିୟାଗୁଡ଼ିକ ସକାଶେ ଭଳି ଭଳି ଯନ୍ତ୍ର ମଧ୍ୟ ବାହାରିଥିଲା । ମଣିଷର ହାତ ଲଗାଇ କିଛି କରିବାର ଦିକ୍କତରୁ ସଂପୂର୍ଣ୍ଣ ଭାବରେ ରକ୍ଷା ମିଳିଯାଇ ପାରିଲା । ଏବେ ତ ସଂପୂର୍ଣ୍ଣ କାରବାରଟି ଅଟୋମାଟିକ୍ ହୋଇ ସାରିଲାଣି ଏବଂ ତାହାରି ବଳରେ ଚାହାର ଏକ ବିଶ୍ୱମୟ ପ୍ରବେଶାଧିକାର ମଧ୍ୟ ସମ୍ଭବ ହୋଇ ପାରିଛି । ଏକ ସ୍ଥାନୀୟ ସମ୍ପଦ ଯେ ଆମ ଆଧୁନିକ କାଳଟିର କାନ୍ଧ ଉପରେ ବସି ପୃଥିବୀଯାକର କୋଣ ଅନୁକୋଣରେ ଯାଇ ପହଞ୍ଚି ପାରିଛି, ସେଥିପାଇଁ ଆମେ ପ୍ରକୃତିର ଉଦାର କରୁଣା ନ ମନୁଷ୍ୟର ବୁଦ୍ଧିମତ୍ତା, ପ୍ରକୃତରେ କାହାକୁ ଅଧିକ ଯୁକ୍ତିର ସହିତ ଶ୍ରେୟଃ ଦେଇ ପାରିବା ? କାରଣ, ତାହାର ପରବର୍ତ୍ତୀ ପର୍ବଟି ହେଉଛି ତାହାର ଏକ ବିଶ୍ଵବିଜୟର ହିଁ ପର୍ବ । ସେହି ପ୍ରଥମ କାଳର ମାର୍କୋ ପୋଲୋ ନିଜର ଏଡ଼େବଡ଼ ସଂସ୍କରଣଟିରେ ଚୀନ ତଥା ଆମ ଏପାଖର ପୃଥିବୀଟି ବିଷୟରେ କେତେ କ’ଣ ବିବରଣୀ ପ୍ରଦାନ କରିଥିଲେ ମଧ୍ୟ ଚାହା ବିଷୟରେ ସେପରି ପ୍ରାୟ କିଛିହେଲେ ଲେଖି ନାହାନ୍ତି । ତେଣୁ ଟିକିଏ ଆଗକୁ ଆସି ଅନୁମାନ କରାଯାଇ ପାରିବ ଯେ, ମିଙ୍ଗ୍ ବଂଶୀୟ ସମ୍ରାଟମାନଙ୍କର ଅମଳରେ ଚୀନର ରାଜଧାନୀ ବେଜିଙ୍ଗ୍‌ରେ ବାସ କରୁଥିବା ଯେସୁଇଟ୍‌ମାନେ ଅଥବା ଜାପାନକୁ ଆସିଥିବା ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗର ପର୍ଟୁଗାଲବାସୀ ଆବିଷ୍କାରକମାନେ ଏହି ଅଞ୍ଚଳକୁ ଆସି ଚାହାର ପରିଚୟ ପାଇବେ । ଏବଂ, ୧୬୧୮ ଖ୍ରୀଷ୍ଟାବ୍ଦରେ ଯେତେବେଳେ ମିଙ୍ଗ୍ ବଂଶର ଜଣେ ସମ୍ରାଟ ରୁଷିଆ ଦେଶର ଜାର ପ୍ରଥମ ମିଖାଏଲଙ୍କ ନିକଟକୁ ଉପହାର ସ୍ୱରୂପ କିଛି ଚାହା ମଧ୍ୟ ପଠାଇଥିଲେ, ରୁଷିଆରେ ତାହାରି ମାଧ୍ୟମରେ ହିଁ ସେମାନଙ୍କର ଚାହାସହିତ ପ୍ରଥମ ପରିଚୟ ଘଟିଥିବ । ଯେଉଁପରି ଭାବରେ ସର୍ବପ୍ରଥମେ ଯାହାଦ୍ୱାରା ହୋଇଥାଉ ପଛକେ, ଧୀରେ ଧୀରେ ଇଉରୋପୀୟମାନେ ମଧ୍ୟ ଚାହାକୁ ଚିହ୍ନିଲେ ଏବଂ ଚାହା ଅଚିରେ ଫ୍ରାନ୍‌ସ ଏବଂ ହଲାଣ୍ଡର ଧନିକବର୍ଗ ପାଖରେ ସୁପରିଚିତ ହୋଇ ଯାଇଥିଲା । ଆନୁମାନିକ ୧୬୫୦ ଖ୍ରୀଷ୍ଟାବ୍ଦ ଆଡ଼କୁ ଇଂଲଣ୍ଡରେ ଲୋକେ ମଧ୍ୟ ଚାହାକୁ ଜାଣିଲେ ଏବଂ ଇଂଲଣ୍ଡର ରାଜା ଦ୍ଵିତୀୟ ଚାର୍ଲସଙ୍କର ପର୍ଟୁଗାଲୀ ପତ୍ନୀ କାଥେରିନ୍‌ଙ୍କ ଜରିଆରେ ତାହା ନିଶ୍ଚୟ ସମ୍ଭବ ହୋଇଥିଲା ବୋଲି ଅନୁମାନ କରାଯାଇ ପାରୁଛି ।

 

ତଥ୍ୟମାନେ ସୂଚିତ କରି ଦେଉଛନ୍ତି ଯେ, ବ୍ରିଟେନ୍‌ବାସୀ ଚାହାପ୍ରତି ଖୁବ୍ ଆସକ୍ତ ହୋଇ ପଡ଼ିଥିଲେ ଏବଂ ତାହା ଫଳରେ ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ନିଜ ଉଦ୍ୟମରେ ଚାହାର ଉଦ୍ୟୋଗଟିର କ୍ଷେତ୍ରରେ କିଛି କରିବା ନିମନ୍ତେ ଅଗ୍ରସର ହୋଇଥିଲେ । ତେଣେ ଚୀନ୍ ଦେଶରେ ବିଦେଶୀମାନଙ୍କୁ ଚାହା ଆବାଦ କରାଯାଉଥିବା ଅଞ୍ଚଳମାନଙ୍କରେ ପ୍ରବେଶ କରିବାକୁ ଅନୁମତି ମିଳୁନଥିଲା ଏବଂ ସେହି କାରଣରୁ ଦେଶରୁ କିଛି ଚାହାର ମଞ୍ଜି ଚୋରାରେ ବାହାର କରି ଆଣିବାଲାଗି ଉପାୟ ମଧ୍ୟ କରାହେଲା । ପ୍ରଥମେ ପ୍ରଥମେ ଏଣେ ବ୍ରିଟେନ୍‌ରେ ସେପରି କିଛି ଭଲ ଅମଳ ଆଦୌ ନହେବାରୁ ସରକାର ତାଙ୍କର ଏକ ଉପନିବେଶ ଆମ ଭାରତବର୍ଷରେ ହିଁ ଚାହାର କର୍ଷଣ ଆରମ୍ଭ କରି ଦେଇଥିଲେ । ଭାରତର କେତେକ ଅଞ୍ଚଳ ଚାହା ନିମନ୍ତେ ବେଶ୍ ଉପଯୁକ୍ତ ମୃତ୍ତିକା ତଥା ଜଳବାୟୁଟିଏ ଯୋଗାଇ ମଧ୍ୟ ଦେଇଥିଲା । ଯୁଗପତ୍‌ ଭାବରେ ଇଂଲଣ୍ଡ ଚୀନ୍‌ରେ ଅଫିମ ବିକ୍ରୀ କରି ସେଠାରୁ ମଧ୍ୟ କିଛି ଚାହା ପାଇ ପାରିବାର ଉପଚାରଟିଏ ଆରମ୍ଭ କରି ଦେଇଥିଲା । ଏବଂ ଇତିହାସ କହୁଛି ଯେ, ସେଥିଲାଗି ଭାରତବର୍ଷରେ ହିଁ ପ୍ରାୟ ଗୋଟିଏ ଯୋଜନା କରି ସରକାରଙ୍କୁ ଅଫିମ ଚାଷ କରିବାକୁ ମଧ୍ୟ ପଡ଼ିଥିଲା । ଏବଂ, ତେଣେ ଚୀନ୍ ଦେଶର ଅଧିବାସୀମାନଙ୍କର ଅଫିମ ବ୍ୟବହାର କରିବାର କୌଣସି ପୂର୍ବ ପରମ୍ପରା ନଥିଲେ ମଧ୍ୟ ତଥାପି ସେଠା ସରକାରଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅଫିମ କ୍ରୟ କରିବାକୁ ବାଧ୍ୟ କରିବା ସକାଶେ ଇଂଲଣ୍ଡକୁ ଚୀନ୍ ସହିତ ଏକ ଯୁଦ୍ଧ କରିବାକୁ ମଧ୍ୟ ହୋଇଥିଲା । ତାହା ଅଫିମ ଯୁଦ୍ଧ ବା ଓପିଅମ୍ ୱାର ନାମରେ (୧୮୩୮-୧୮୪୨) ଇତିହାସରେ ଲିପିବଦ୍ଧ ହୋଇ ରହିଛି ।

 

ଗୋଟିଏ ଭୂଖଣ୍ଡର ଏକ ଉଦ୍ଭିଦ ସେଠାରେ ସେହି କେଉଁ ପୁରାତନ ଶତାବ୍ଦୀଗୁଡ଼ିକର ହିଁ ଏକ ସ୍ଫୁର୍ତ୍ତିଦାୟକ ପାନୀୟ ରୂପେ ବ୍ୟବହୃତ ହୋଇ ଆସିଲା ସିନା, ଆଗ ତାହା ସମ୍ଭ୍ରାନ୍ତମାନଙ୍କର ମହଲରେ ଗୋଟିଏ ଖାସ୍ ବିଳାସିତାର ନିଦର୍ଶନରୂପେ କ୍ରମେ ଆଦୃତ ହୋଇ କେଡ଼େ ଶୀଘ୍ର ହିଁ ସର୍ବବିଧ ଲୋକସ୍ତରରେ ମଧ୍ୟ ଆସି ପ୍ରବେଶ କଲା । ବର୍ତ୍ତମାନ ତ ତାହାର ପ୍ରଚଳନ ପ୍ରତ୍ୟେକ ମହାଦେଶରେ । ନିପଟ ଏକ ଦୈନନ୍ଦିନ ଅଭ୍ୟାସରେ ପରିଣତହୋଇ ପାରିଥିଲେ ମଧ୍ୟ ଚାହାପାନ ତଥାପି ଲୋକ-ଜୀବନରେ ସତେଅବା ଏକ ଖାସ୍ ଉପଭୋଗ୍ୟ ହିସାବରେ ଦେଶକୁ ଦେଶ ବ୍ୟାପିଯାଇ ପାରିଛି ଏବଂ ଏକ ବିଶେଷ ପାନସଂସ୍କାର ରୂପେ ସ୍ୱୀକୃତି ମଧ୍ୟ ଲାଭ କରିଛି । ସ୍ଥାନୀୟ ସଂସ୍କାରଗୁଡ଼ିକ ମଧ୍ୟ ଅଭ୍ୟାସଟିକୁ କମ୍ ଆକ୍ରାନ୍ତ କରିନାହିଁ ! ତଥାପି, ସମଗ୍ର ସକଳ ସଂସ୍କାରକୁ ଗୁଚ୍ଛ କରି ଏବେ କେତେ ଅବସରରେ ଚାହାପାନକୁ ଏକ ସଂସ୍କୃତିରୂପେ ମଧ୍ୟ ଆଲୋଚିତ କରାଗଲାଣି । ବିଧଗୁଡ଼ିକ ମୋଟାମୋଟି ପ୍ରାୟ ଏକାପରି ରହିଛି, କିନ୍ତୁ ସ୍ଥାନୀୟ ବିଶେଷ ଚଳଣିଟିକୁ ଦର୍ଶାଇ ଦେବାରେ ସଂପୃକ୍ତ ଦେଶର ଚାହା-ଅନୁରାଗୀମାନେ ଅନେକ ସମୟରେ ବେଶ୍ ଗୌରବ ବି ଅନୁଭବ କରୁଛନ୍ତି । ଚାହା ନାମକ ସେହି ମୂଳ ପଦାର୍ଥଟିକୁ ଏକ ପସନ୍ଦ ହୋଇ ପାରୁଥିବା ପାନୀୟରେ ପ୍ରସ୍ତୁତ କରିବାର ପ୍ରଣାଳୀରେ ସୂକ୍ଷ୍ମ ଫରକମାନ ଅବଶ୍ୟ ରହିଛି ଏବଂ ଏକ ଏକାନ୍ତ ସ୍ୱାଭାବିକ କଥା ଯେ, ଆପଣାର ଅଭ୍ୟସ୍ତ ବାଗଟିକୁ ଲୋକମାନେ ପ୍ରାୟ ପାରମ୍ପରିକ ଭାବରେ ସର୍ବୋତ୍ତମ ବୋଲି ବିଚାର କରୁଛନ୍ତି । କେଉଁଠାରେ ଚାହା ସହିତ ଚିନି ଓ କ୍ଷୀର ମିଶାଇବାକୁ ଉଚିତ ଏବଂ ଆବଶ୍ୟକ ବୋଲି କୁହାଯାଉଛି । ଆଉ କେଉଁଠାରେ ଚିନି ବଦଳରେ କିଛି ମହୁ ମଧ୍ୟ ମିଶାଇ ଦିଆଯାଉଛି । କେଉଁଠାରେ ଫଳର ସ୍ଵାଦିଷ୍ଟ ରସ ଇତ୍ୟାଦି । କେଉଁଠାରେ ସିଦ୍ଧ ଚଖାଳିମାନେ ଆପତ୍ତି କରି କହୁଛନ୍ତି ଯେ, ଚାହାରେ କ୍ଷୀର ମିଶାଇବା ଆଦୌ ଠିକ୍ ନୁହେଁ, କାରଣ ସେପରି କଲେ ଚାହାର ଅସଲ ସୁଆଦଟା ଆଉ ମୋଟେ ମିଳି ପାରେ ନାହିଁ । କ୍ଷୀରର ପକ୍ଷ ସମର୍ଥନ କରୁଥିବା ଅନ୍ୟ ମତଟି ଦାବି କରିଥାଏ ଯେ, କ୍ଷୀର ମିଶାଇ ପାନ କରିବା ଦ୍ଵାରା ଚାହାରେ ରହିଥିବା କେତେକ କ୍ଷତିକାରୀ ପ୍ରଭାବକୁ ପ୍ରକୃତରେ ଏଡ଼ି ଦେଇହୁଏ ।

 

ଆଉ ଟିକିଏ ଅଧିକ ନିକଟକରି କହିଲେ, ଚାହାସହିତ କ୍ଷୀରଦେଇ ପିଇବାରେ ଅଭ୍ୟସ୍ତ ବ୍ୟକ୍ତିମାନେ କେଉଁଠି ପ୍ରଥମେ ଚାହାପତ୍ରରେ ଆଗ କ୍ଷୀର ରଖି ତା’ସହିତ ଚାହାକୁ ନେଇ ଢାଳନ୍ତି ଏବଂ ଆଉ କେଉଁମାନେ ପାତ୍ରଟିରେ ଆଗ ଚାହା ଭର୍ତ୍ତି କରି ପରେ ଯାଇ ସେଥିରେ କ୍ଷୀର ମିଶାନ୍ତି । କହିବା ଅବଶ୍ୟ ବାହୁଲ୍ୟ ଯେ, ପ୍ରତ୍ୟେକ ମତ ଆପଣାକୁ ହିଁ ଅନ୍ୟଟିଠାରୁ ଅଧିକ ଉଚିତ ବୋଲି ଦାବୀ ମଧ୍ୟ କରନ୍ତି । ତଥାପି ଅନୁମାନ କରାଯାଇଛି ଯେ, ସାଧାରଣତଃ ଅଧିକାଂଶ ଚାହାପାନରେ ପାତ୍ରଟିରେ ଆଗ ଚାହା ଢଳାଯାଏ, ତା‘ପରେ ଚିନି ଓ ତାପରେ ଯାଇ କ୍ଷୀର । ହଁ, ପୂର୍ଣ୍ଣଭାବରେ ପ୍ରସ୍ତୁତ ଚାହା ବିଷୟରେ ରଙ୍ଗକୁ ନେଇ ବିଭିନ୍ନ ମତ ବି ରହିଥାଏ । ତେଣୁ ଆଗ ପାତ୍ରରେ ଚାହା ରଖି ଉପଯୁକ୍ତ ରଙ୍ଗଟି ଆବିର୍ଭୂତ ହୋଇ ପାରିବା ପର୍ଯ୍ୟନ୍ତ କ୍ଷୀର ମିଶାଇବାର ରୀତିଟିକୁ ଅଧିକ ଠିକ୍ ବୋଲି ବେଳେ ବେଳେ ମତ ପ୍ରକାଶ କରା ଯାଇଥାଏ । କାରଣ, ପ୍ରଥମେ କ୍ଷୀର ଦେଇ ତା’ପରେ ଚାହା ମିଶାଇଲେ ଅନେକ ସମୟରେ ପ୍ରଧାନତଃ ଗୋଟାଏ ଅନୁମାନ ଉପରେ ହିଁ ନିର୍ଭର କରିବାକୁ ପଡ଼େ । ମଙ୍ଗୋଲିଆ ଓ ନେପାଳ ଆଦି ଅପେକ୍ଷାକୃତ ଅଧିକ ଥଣ୍ଡା ଅଞ୍ଚଳରେ ଚାହା ସହିତ ଲୋକମାନେ କିଛି ଲହୁଣୀ ମଧ୍ୟ ମିଶାଇ ଦେଇଥାନ୍ତି । ଚମରୀଗାଈର ଲହୁଣୀ ସହିତ କିଛି ସୈନ୍ଧବ ଲୁଣ ମିଶାଯାଇଥାଏ । ପ୍ରଥମେ ଲହୁଣୀ ଏବଂ ଲୁଣକୁ ଖୁଆ ସାହାଯ୍ୟରେ ମନ୍ଥନକରି ତାପରେ ଯାଇ ତାକୁ ଚାହା ମଧ୍ୟରେ ମିଶାଇ ଦିଆହୁଏ । ତା’ପରେ ସେଇଟି ମଧ୍ୟରେ ଖାସ୍ ଚାହାର ସେପରି କିଛି ବାସନା ସିନା ନଥାଏ, ମାତ୍ର ସେଇଟିରେ ଅଭ୍ୟସ୍ତ ଲୋକମାନେ ତାହାକୁ ହିଁ ପାନ କରନ୍ତି ।

 

ଜାପାନ ଦେଶରେ ଯେଉଁ ଅନୁଷ୍ଠାନଟି ଢ଼େର୍‌କେତେ ଶତାବ୍ଦୀ ହେଲା ଏକ ଉତ୍ସବବତ୍‌ ଚଳଣିରେ ପରିଣତ ହୋଇ ରହିଆସିଛି, ଜେନ୍ ବୌଦ୍ଧଧର୍ମର ମାର୍ଗଟିକୁ ହିଁ ସେଥିଲାଗି ଅବଶ୍ୟ ଶ୍ରେୟ ଦେବାକୁ ପଡ଼ିବ । ହୁଏତ ସର୍ବପ୍ରଥମେ ଚାହା-ଉତ୍ସବ ଚୀନ୍ ଦେଶରେ ଜନ୍ମଲାଭ କରିଥିଲା-। ପୂରା ଦେଶରେ ନୁହେଁ, ଫୁଜିଆନ୍ ନାମକ ଗୋଟିଏ ପ୍ରଦେଶରେ । କୋରିଆ ଦେଶରେ ମଧ୍ୟ ଚାହା-ଉତ୍ସବର ରିବାଜଟିଏ ରହିଆସିଥିଲା, କିନ୍ତୁ ତାହା ପ୍ରଧାନତଃ ଚୀନ୍ ଦେଶର ସେହି ଉତ୍ସବଟିର ଅନୁକରଣରେ ଅନୁଷ୍ଠିତ ହେଉଥିଲା । ଚାହା-ପ୍ରସ୍ତୁତିର ନିତାନ୍ତ ସାନସାନ ପ୍ରଣାଳୀଗତ ଫରକ ଅନୁସାରେ କିପରି ସମାଜର ଏକ ବର୍ଗକୁ ଆଉ ଏକ ବର୍ଗର ତୁଳନାରେ ଉଚ୍ଚ ଅଥବା ନିମ୍ନ ବୋଲି ବିଚାର କରାଯାଇ ଆସିଛି, ସେହି ବେଶ୍ ମନୋରମ ଦୃଷ୍ଟାନ୍ତଟି ମଧ୍ୟ ଖୁବ୍ ଆଖିରେ ପଡ଼ିଯାଇପାରିବ । ବ୍ରିଟିଶ୍ ଦ୍ୱୀପପୁଞ୍ଜରେ ଢ଼େର୍ କିଛି ଅବଧିରୁ ଚାହା ପାତ୍ରରେ ଆଗେ କ୍ଷୀର ରଖି ତା’ସହିତ ଚାହା ଢାଳି ମିଶାଇବାର ରୀତିଟିକୁ ନିମ୍ନତର ବର୍ଗର ଅଭ୍ୟାସଟିଏ ବୋଲି ମନ୍ତବ୍ୟ ପ୍ରକାଶ କରାଯାଇଆସିଛି ଓ ତେଣୁ ଆଗ ଚାହାଢ଼ାଳି ତା’ସହିତ କ୍ଷୀର ମିଶାଇବାର ଅନ୍ୟ ଅଭ୍ୟାସଟିକୁ ଉଚ୍ଚତର ବର୍ଗର ଲକ୍ଷଣ ବୋଲି କହି ପ୍ରଶଂସା ମଧ୍ୟ କରାଯାଇ ଆସିଛି । ଏକ ଅନୁମାନ କରାଯାଇଥାଏ ଯେ, ଏପରି ଏକ ରୀତି ଚଳି ଆସିଛି, କାରଣ ନିମ୍ନ ଶ୍ରମିକ ଶ୍ରେଣୀର ଲୋକମାନେ ଏକଦା ଚାହା ପିଇବାର ପାତ୍ର ହିସାବରେ ମାଟିରେ ତିଆରି ହୋଇଥିବା ମଗ୍‌ମାନଙ୍କୁ ବ୍ୟବହାର କରୁଥିଲେ ଏବଂ ସେହି କ୍ଷେତ୍ରରେ ସବୁବେଳେ ଏକ ଭୟ ରହିଥିଲା ଯେ, ଯଦି ଫୁଟନ୍ତା ପାଣିରେ ପ୍ରସ୍ତୁତ ଗରମ ଚାହାକୁ ସେଥିରେ ଆଣି ଢାଳିଦିଆଯିବ, ତେବେ ମାଟି ମଗ୍‌ଟି ଫାଟି ଭାଙ୍ଗିଯିବାର ମଧ୍ୟ ସର୍ବଦା ଭୟ ରହିଥିବ । ତେଣୁ, ଆଗ କ୍ଷୀର ଏବଂ ତା ପରେ ଯାଇ ଗରମ ଚାହା-। କଥାଟିକୁ ତ କେତେ ସହଜରେ ବୁଝିହେଉଛି; କିନ୍ତୁ ଉଚ୍ଚତର ବର୍ଗର ଅଧିକ ସମ୍ପନ୍ନମାନେ ତ ମାଟିପାତ୍ର ବ୍ୟବହାର କରୁନଥିଲେ, ସେମାନେ ପୋର୍ସିଲେନ୍ ତିଆରି ପାତ୍ରଗୁଡ଼ିକୁ ବ୍ୟବହାର କରୁଥିଲେ ଏବଂ ସେଗୁଡ଼ିକ ଗରମ ଚାହା ପଡ଼ିବା ମାତ୍ରକେ ଭାଙ୍ଗିଯିବାର କୌଣସି ଭୟ ନଥିଲା । ଧନ୍ୟ କହିବାକୁ ହେବ କେତେକେତେ ମନୁଷ୍ୟଙ୍କର ଭେଦକାରୀ ବୁଦ୍ଧିଟାକୁ ଏବଂ ସେହି ଅନୁସାରେ କେଡ଼େ ସୂକ୍ଷ୍ମଭାବରେ ପାତର ଅନ୍ତର କରିପାରୁଥିବା ସେମାନଙ୍କର ଭଲ ପାଇବାକୁ ଓ ଘୃଣାକରିବାକୁ । ତେଣୁ ଭଲ ହେଲା, ବିଲାତରେ ସମୟ ଓ ସଭ୍ୟତା ନାମକ ଦୈବର କୃପାରେ ଶ୍ରମିକମାନେ ମଧ୍ୟ କ୍ରମେ ଅଧିକ ସମର୍ଥ ହୋଇପାରିଲେ ଏବଂ ମାଟି ମଗ୍‌ରେ ଚାହା ପିଇବାର ସେହି ବିପର୍ଯ୍ୟୟଠାରୁ ନିଷ୍କୃତି ଲାଭକରି ପାରିଲେ । ଅନ୍ତତଃ ଚାହା ପାନର ଲୌକିକ କ୍ଷେତ୍ରଟିରେ ଉଭୟେ ଶ୍ରମିକ ଏବଂ ଅଶ୍ରମିକ ପୋର୍ସିଲେନ୍ ତିଆରି ପାତ୍ର ବ୍ୟବହାର କଲେ । କିଏ କିଭଳି ପାତ୍ର ବ୍ୟବହାର କରିବ, ଭାଗ୍ୟବଶତଃ ତ ତାହା ବର୍ତ୍ତମାନ ନିଜ ନିଜର ବର୍ଗ ଉପରେ ନୁହେଁ, ନ୍ୟାୟତଃ ବ୍ୟକ୍ତିଗତ ପସନ୍ଦ ଓ ଅପସନ୍ଦ ଉପରେ ନିର୍ଭର କରୁଛି ।

 

ଗୋଟିଏ ଉଦ୍ଭିଦ, ଯାହା ଚୀନ୍ ଦେଶରେ କାଳ କାଳରୁ ଅରଣ୍ୟର ଏକ ବୃହତ୍ ଦ୍ରୁମ ରୂପେ ରହିଆସିଥିଲା, ତାହା ଲୋକଦୃଷ୍ଟିକୁ ଆସି ପ୍ରଥମତଃ ଅଳ୍ପବହୁତ ଏକ ପ୍ରତିଷେଧକ ରୂପେ ବ୍ୟବହୃତ ହେଲା । ସୁଆଦଟା କେତେକଙ୍କୁ ଭଲ ଲାଗିଲା; ବିଶେଷତଃ ସମାଜର ବିଶେଷମାନେ ସେଇଟି ପ୍ରତି ବିଶେଷଭାବେ ଆକୃଷ୍ଟ ହୋଇଥିଲେ ଏବଂ ସେହି ଅନୁରାଗରେ ତାହାକୁ ଆପଣାର ଏକ ପ୍ରାତ୍ୟହିକ ପାନୀୟରୂପେ ଉପଭୋଗ କରିବାକୁ ମନ ବଳାଇଥିଲେ । ନିମ୍ନ ବର୍ଗ ସେହି ନୂଆ ଚଳଣିଟିକୁ ଅବଶ୍ୟ ଦେଖୁଥଲେ, ମାତ୍ର ତତ୍କାଳୀନ ସମାଜର ବିଚାରଗତ ବିଧାନଗୁଡ଼ିକର କାରଣରୁ ଅଭ୍ୟାସଟା ସମ୍ଭବତଃ ସେମାନଙ୍କର ପହଞ୍ଚ ମଧ୍ୟକୁ ଆସିପାରିନଥିଲା । ଏବଂ, ହୁଏତ ସେହି ଉପରିବର୍ଗର କିଞ୍ଚିତ୍ ସର୍ଜନାତ୍ମକ ଅତିଶ୍ରଦ୍ଧାରୁ ହିଁ ଚାହାକୁ ନେଇ କାଳ୍ପନିକ କାହାଣୀମାନଙ୍କର ବେଶ୍‌ ଭିଆଣ ହୋଲ୍ ଆସିଥିଲା । ଭଲ ହେଲା, ପରବର୍ତ୍ତୀ ଯୁଗଯୁଗର ପ୍ରୀତିବର୍ଦ୍ଧନ ନିମନ୍ତେ କାହାଣୀଗୁଡ଼ିକ ପୂରା ସବୁ ଶ୍ରେଣୀର ସମ୍ପଦରୂପେ ରହିଯାଇଥିଲା । ସେହିଭଳି ଗୋଟିଏ କାହାଣୀର ବର୍ଣ୍ଣିନା ଅନୁସାରେ ଶିଏନ୍ ନନ୍ ଶେଇ ନାମକ ସେହି ଆଦିମ କେଉଁକାଳର ଜଣେ ବ୍ୟକ୍ତି ଚୀନ୍ ଦେଶରେ ସର୍ବପ୍ରଥମେ ଚାହା ନାମକ ଏକ ପାନୀୟଟିର ଆସ୍ୱାଦନ ଲାଭ କରିବାର ସୌଭାଗ୍ୟଲାଭ କରିଥିଲା । ଚୀନ୍ ଦେଶର ସର୍ବପ୍ରଥମ ଅର୍ଥାତ୍‌ ସମଗ୍ର ପୃଥିବୀର ସର୍ବପ୍ରଥମ ଗପଟି ଅନୁସାରେ ନିଜର ସ୍ତ୍ରୀ ଓ ସନ୍ତାନମାନଙ୍କୁ ନେଇ ସେ ପର୍ବତାରୋହଣ କରିଯାଇଥିଲା । ଉଠାଣି ବାଟରେ ଉଠୁ ଉଠୁ ଲୋକଟିକୁ ଖୁବ୍ ଶୋଷ କରିବାକୁ ଆରମ୍ଭ କଲା । ଭାରି ବ୍ୟାକୁଳ ହୋଇ ତଥାପି ଗୋଟିଏ ଗୋଟିଏ ପାଦ ଆଗକୁ ପକାଇ ସିଏ ଅଗ୍ରସର ହେଉଥାଏ, ସେହି ସମୟରେ ପତରଟିଏ କୁଆଡ଼ୁ ଉଡ଼ିଆସି ତା ପାଦ ଉପରେ ଆସି ପଡ଼ିଯାଇଥିଲା । ଶିଏନ୍ ନନ୍ ଶେଇ ମନଭିତରେ କ’ଣ ବିଚାରି ପତ୍ରଟିକୁ ଗୋଡ଼ଉପରୁ ଉଠାଇ ନେଲେ ଏବଂ ହାତର ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ବେଶ୍ କଷିକରି ମଳି ଦେଇଥିଲେ । ସେହିଟିର ପରିଣାମ ସ୍ୱରୂପ ତାଙ୍କର ଆଙ୍ଗୁଠିରେ ପତ୍ରର ନିଗିଡ଼ା କିଛି ରସ ଅବଶ୍ୟ ଲାଗିଯାଇଥିବ । ଶିଏନ୍ ପୁଣି କ’ଣ ବିଧିର ବରାଦ ପରି ଆଙ୍ଗୁଠିଗୁଡ଼ିକୁ ପାଟିରେ ପୂରାଇ ସେହି ରସଟିର କିଞ୍ଚିତ୍ ସ୍ୱାଦ ମଧ୍ୟ ଲାଭ କରିପାରିଲେ । ଟିକିଏ ପିତାପିତା ଅବଶ୍ୟ ଲାଗିଥିବ, ଶିଏନ୍ ସେଥିରୁ ପତ୍ରଟିର ଅବଶ୍ୟ କିଛିନା କିଛି ଔଷଧୀୟ ଗୁଣ ରହିଛି ବୋଲି ଅନ୍ଦାଜ କଲେ । ଏବଂ, ତେଣେ ସେହି ରସଟିର ପରଖ ସ୍ପର୍ଶଟିଦ୍ୱାରା ତାଙ୍କର ଶୋଷକୁ ମଧ୍ୟ କିଏ ହରଣ କରି ନେଇଥିବା ପରି ଅନୁଭବ ହୋଇଥିଲା । ସେହି ପତ୍ରକୁ ସଂଗ୍ରହ କରି ପରେ ପାଣିରେ ସିଝାଇ ପାନ କରିବା ଦ୍ଵାରା ଶୋଷର ସମ୍ପୂର୍ଣ୍ଣ ଅପନୋଦନ ମଧ୍ୟ ହୋଇପାରିଲା । ଏଣୁ, କାହାଣୀଟିର ବର୍ଣ୍ଣନା ଅନୁସାରେ ଚାହା- ଆସ୍ୱାଦନର ଇତିହାସରେ ଶିଏନ୍ ହିଁ ପ୍ରଥମ ବ୍ୟକ୍ତି ବୋଲି କୁହାଯିବ ।

 

ତା'ପରେ ୩୫୦ ଖ୍ରୀଷ୍ଟାବ୍ଦରେ କୁଓ-ପୋ ନାମକ ଆଉ ଜଣେ ବ୍ୟକ୍ତି ଯେତେବେଳେ । ପୂର୍ବରୁ ପ୍ରଚଳିତ ହୋଇ ରହିଥିବା ଏକ ଶବ୍ଦକୋଷର ସଂଶୋଧିତ ନୂଆ ସଂସ୍କରଣଟିଏ । ପ୍ରସ୍ତୁତ କଲେ, ସେତେବେଳେ ଚାହାକୁ ସିଏ ‘ଗୋଟିଏ ପ୍ରକାରର ପତ୍ରକୁ ସିଝାଇ ତିଆରି କରାଯାଉଥିବା ଏକ ପାନୀୟ’ ବୋଲି ବ୍ୟାଖ୍ୟା କରିଥିଲେ । ତାଙ୍କ ସମୟରେ ପତର ସିଝା ହୋଇଥିବା ପାଣିରେ ଅଦା, କମଳା ଲେମ୍ବୁ ତଥା ଆଉ ଆଉ କେତେକ ଦ୍ରବ୍ୟକୁ ମିଶାଇ ଚାହା ନାମକ ପାନୀୟଟିକୁ ବ୍ୟବହାର କରାଯାଉଥିଲା । ଏବଂ, ସେତେବେଳେ ମଧ୍ୟ ପାନୀୟଟିର ପ୍ରଧାନତଃ ଔଷଧୀୟ ଗୁଣ ସକାଶେ ହିଁ ଚାହାର ବ୍ୟବହାର ପ୍ରଚଳିତ ଥିଲା । ହଜମ ଶକ୍ତି ବଢ଼ାଇବା ପାଇଁ ଏବଂ ସ୍ନାୟୁଗୁଡ଼ିକୁ ସବଳ ରଖିବା ପାଇଁ ଚାହାର ଉପଚାର କରାଯାଉଥିଲା । ପୁନଶ୍ଚ ଏପରି ଏକ ତଥ୍ୟ ରହିଛି ଯେ ଦକ୍ଷିଣ ଅଞ୍ଚଳୀୟ ଚୀନ୍ ଦେଶରେ ଚାହା ପତ୍ରକୁ ଚାପ ଦେଇ ଇଟାଖଣ୍ଡପରି ତିଆରି କରି ବହିରାଗତ ବେପାରୀମାନଙ୍କ ସହିତ ଦ୍ରବ୍ୟ-କାରବାରର କ୍ଷେତ୍ରରେ ବିନିମୟର ଏକ ମାଧ୍ୟମ ‘ମୁଦ୍ରା’ ରୂପେ ମଧ୍ୟ ବ୍ୟବହାର ହେଉଥିଲା । ଚାହା ଅଧିକ ରୁ ଅଧିକ ପରିଚିତ ହେଲା, ଆଦର ପାଇଲା ଏବଂ ତେଣୁ ତାର ଚାହିଦା ମଧ୍ୟ ବଢ଼ିଲା । ଆଉ ଦ୍ରୁମଗୁଡ଼ିକରୁ ତୋଳି ଅଣାଯାଉଥିବା ପତରଗୁଡ଼ିକ ଆଦୌ କୁଳାଇଲା ନାହିଁ । ଚାଷୀମାନେ ଚାହାର ଚାଷ କଲେ । ପ୍ରଥମେ ସେଚୁଆନ୍ ନାମକ ଗୋଟିଏ ପ୍ରଦେଶରେ ଆରମ୍ଭ ହୋଇ ସେଇଟି ଅଚିରେ ସମଗ୍ର ଦେଶଟିକୁ ଖେଦି ଯାଇଥିଲା ।

 

ପ୍ରଥମ ସହସ୍ରାବ୍ଦୀର ଶେଷାର୍ଦ୍ଧ ବେଳକୁ ଚାହାପାନ ଏକ କଳାତ୍ମକ କାରୀଗରିର ସୋପାନକୁ କ୍ରମେ ଉନ୍ନୀତ ହୋଇଯାଇଥିଲା । ୭୮୦ ଖ୍ରୀଷ୍ଟାବ୍ଦରେ ତିନୋଟି ଖଣ୍ଡରେ ସମ୍ଭବତଃ ପ୍ରଥମ କରି ଚାହା ସମ୍ପର୍କରେ ପରିପୂର୍ଣ୍ଣ ଗ୍ରନ୍ଥଟିଏ ଲେଖାହେଲା, ଯେଉଁଥିରେ କି କ୍ଷେତରେ ଚାହାର ଅମଳ କରିବାଠାରୁ ଆରମ୍ଭ କରି ନିଖୁଣ ଭାବରେ ଚାହା ନାମକ ସେହି ଅନନ୍ୟ ପାନୀୟଟିକୁ ପ୍ରସ୍ତୁତ କରିବାର ପ୍ରଣାଳୀ ବିଷୟରେ ସବୁକିଛି ପ୍ରଦତ୍ତ ହୋଇ ରହିଥିଲା । ହଁ, ସେହି ପୁସ୍ତକରେ ଏକ ଔପଚାରିକ ଚାହା-ଉତ୍ସବ ବିଷୟରେ ମଧ୍ୟ ବିଶେଷ ବର୍ଣ୍ଣନାଟିଏ ଦିଆଯାଇଥିଲା, ଯହିଁରେ କି ଏଥିଲାଗି ସତେଇଶିଟି ଭିନ୍ନ ଭିନ୍ନ ଉପକରଣ ଆବଶ୍ୟକ ହେବ ବୋଲି ସୂଚିତ କରାଯାଇଥିଲା । ଏତେ ଏତେ ପ୍ରକାରର ଆୟୋଜନ ଏବଂ କଳାତ୍ମକତା ବିଷୟରେ ନିଷ୍ଠାପର ଯାବତୀୟ କଟକଣା,–ତେଣୁ, ବେଶ୍ ବୁଝି ହେଉଛି ଯେ ନିୟମତଃ ଧନୀ ଉତ୍ତମର୍ଣ୍ଣମାନଙ୍କୁ ନିଘା ମଧ୍ୟରେ ରଖି ସେଗୁଡ଼ିକର ବରାଦ ଅବଶ୍ୟ ହୋଇଥିଲା । ସେହି ଉତ୍ସବାନୁଷ୍ଠାନଟିକୁ ନିପୁଣ ଭାବରେ ସମ୍ଭବ କରିବା ସକାଶେ ବହୁସଂଖ୍ୟକ ଭୃତ୍ୟ ମଧ୍ୟ ଲୋଡ଼ା ହେଉଥିଲେ । ଏବଂ, ଉପଭୋକ୍ତା ଅର୍ଥାତ୍ ଉପଭୋଗୀମାନଙ୍କର ସେହି ଗୋଷ୍ଠୀଗୁଡ଼ିକରେ ପ୍ରାୟ ସତେ ଅବା ଆଗରୁ ହିଁ କେଉଁ ବିଧାତା ନିର୍ଦ୍ଦେଶିତ କରିଦେଇଥିଲା ପରି ବିଦ୍ୱାନ, ବଡ଼ବଡ଼ ପଣ୍ଡିତ, ସରକାରୀ ଉଚ୍ଚକର୍ତ୍ତା ଏବଂ ରାଜ-ଦରବାରର ପାରିଷଦମାନେ ହିଁ ଆସି ବସିବାର ବିରଳ ସୁଯୋଗଟିକୁ ଲାଭ କରୁଥିଲେ । ସେମାନେ ସେଠାରେ ଏକତ୍ର ବସି ଏକ ସ୍ଵତନ୍ତ୍ର ଆହ୍ଲାଦଦ୍ଵାରା ଆପଣାକୁ ପ୍ରେରିତ କରି ରଖି କନ୍‌ଫୁସିଅସୀୟ ମହତବାଣୀ ମାନଙ୍କର ଆଲୋଚନା କରୁଥିଲେ । ତେଣୁ, ନ୍ୟାୟତଃ ସେଠାରେ ଗୋଟିଏ କାବ୍ୟିକ ପ୍ରଭାମଣ୍ଡଳ ସମସ୍ତଙ୍କୁ ବେଶ୍ ଆଲୋଡ଼ିତ କରି ରଖୁଥିଲା । ସେତେବେଳେ ଚାହା ବଜାରରୁ ଇଟାମାନଙ୍କର ଆକାରରେ କିଣିବାକୁ ମିଳୁଥିଲା । ସେହି ମୁଣ୍ଡାଟିରୁ ଖଣ୍ଡ ଭାଙ୍ଗି ଫୁଟନ୍ତା ପାଣିରେ ପକାଇଦେଲେ ଇପ୍‌ସିତ ପାନୀୟଟି ତିଆରି ହୋଇ ପାରୁଥିଲା । ଏହି ଖାସ୍ ଉତ୍ସବଟିର ସକଳ ଚର୍ଚ୍ଚାରେ ଆମେ ତଥାପି ସ୍ମରଣ ରଖିବା ଯେ ସେତେବେଳେ ଚୀନ୍‌ରେ ସାଧାରଣ ଜନଗଣ ମଧ୍ୟ ନିଶ୍ଚୟ ଚାହାକୁ ପାନୀୟ ରୂପେ ବ୍ୟବହାର କରୁଥିବେ, -ମାତ୍ର ନିତାନ୍ତ ମାମୁଲି ଭାବରେ । ଏବଂ, ସତେଅବା କେତୋଟି ଖାସ୍ ନିୟମକୁ ମାନି ଅଧିକ ସମ୍ପନ୍ନମାନେ ଏକ ଖାସ୍ ଉପଚାରରେ ଏକତ୍ର ହେଲେ ତାହାକୁ ହୁଏତ ସେହିମାନେ ହିଁ ଚାହା-ଉତ୍ସବ ବୋଲି କହୁଥିଲେ, ଏବଂ କହି ଖୁବ୍ ଖୁସୀ ମଧ୍ୟ ହେଉଥିବେ ।

Image

 

Unknown

ଚାହାର ପୁସ୍ତକ

ଲେଖକ : କାକୁଜୋ ଓକାକୁରା

ଓଡ଼ିଆ ଅନୁବାଦ : ଚିତ୍ତରଞ୍ଜନ ଦାସ

 

ମାନବତାର ଗୋଟିଏ କପ୍

 

ପ୍ରଥମେ ତ ଆମ ଦେଶରେ ଚାହାକୁ ଏକ ଔଷଧ ହିସାବରେ ବ୍ୟବହାର କରାଯାଉଥିଲା । ଅମୁକ ବେରାମଟାଏ ହୋଇଛି, ତେବେ ଚାହା ପିଇଦିଅ, - ଆରାମ ଲାଗିବ, - ଏକଦା ସମସ୍ତେ ଏତିକି ଜାଣିଥିଲେ । କ୍ରମେ ଭୂମିକା ବଦଳି ବଦଳି ଗଲା ଏବଂ ଚାହା ଏକ ପାନୀୟ ରୂପେ ବ୍ୟବହୃତ ହୋଇଥିଲା । ଚୀନ୍ ଦେଶରେ, ଅଷ୍ଟମ ଶତାବ୍ଦୀରେ ଚାହାକୁ ବିଷୟ କରି କବିତାମାନ ଲେଖାଗଲା । ସମ୍ଭ୍ରାନ୍ତ ସମାଜମାନଙ୍କରେ ସେଗୁଡ଼ିକୁ ଆବୃତ୍ତି କରି ବିଭିନ୍ନ ଆମୋଦ-ଅନୁଷ୍ଠାନମାନଙ୍କରେ ଉପସ୍ଥିତ ହୋଇଥିବା ଲୋକମାନେ ଖୁବ୍‌ ଖୁସୀ ହୋଇ ଯାଉଥିଲେ । ପଞ୍ଚଦଶ ଶତାବ୍ଦୀରେ ଜାପାନ ଚାହାକୁ ଏକ ଧର୍ମୀୟ ସ୍ତରକୁ ଉନ୍ନୀତ କରି ନେଇଥିଲା ଏବଂ ସୌନ୍ଦର୍ଯ୍ୟ-ଉପାସନାର ଏକ ପ୍ରତୀକ ରୂପେ ଅନୁଭବ କଲା । ବିଶେଷ ଭାବରେ ଏକ ଚାହାସେବନର ପବିତ୍ର ବିଧି ଉଦ୍‌ଭୂତ ହୋଇ ଆସିଥିଲା । ନିତିଦିନର ନିରାନନ୍ଦମୟ ଜୀବନ ଭିତରେ ତଥାପି ଏଠି ଆନନ୍ଦଦାୟକ ଏବଂ ପ୍ରକୃତରେ ସୁନ୍ଦର ବୋଲି କହି ହେବାଭଳି କିଛି ବସ୍ତୁ ଏବଂ ତାହାର ଏକ ଉପଚାର ଯେ ରହିଛି, ସେହି କଥାଟିକୁ ହେତୁରେ ରଖିବା ଓ ମୁଗ୍ଧ ହେବା,–ଚାହାଆପ୍ୟାୟନ ଏକ ବିଶେଷ ଆଚରଣ ରୂପେ ତାହାରି ପ୍ରତିପାଦନ କଲା । ସେହି ବିଧାନଟି ଅନୁସାରେ ଚାହା ଶୁଦ୍ଧତା ଏବଂ ସୁଷମାର ଦ୍ୟୋତକ ହେଲା; ପରସ୍ପର ପ୍ରତି ପ୍ରଚ୍ଛନ୍ନ ହୋଇ ରହିଥିବା ଏକ ଉଦାରତାଭାବ ଯେ ମନୁଷ୍ୟକୁ ମନୁଷ୍ୟ ସହିତ ଏକାଠି ବାନ୍ଧି ରଖିଛି,–ତାହାହିଁ ଅଭିବ୍ୟକ୍ତ ହେଲା । ଏହି ଦୈନନ୍ଦିନ ସାମୂହିକ କାରବାରଗୁଡ଼ିକ ମଧ୍ୟରେ ଏକ ରୋମାଣ୍ଟିକ୍ ଭାବସୂତ୍ର ଯେ ସମସ୍ତଙ୍କୁ ପରସ୍ପର ଲାଗି କେତେ ଘନିଷ୍ଟ କରି ରଖିଛି, ସେଇଟିକୁ ହୃଦୟଙ୍ଗମ କରାଇବାର ଏକ ମାର୍ଗ ସତେଅବା ମିଳିଗଲା ପରି ମନେ ବି ହେଲା । ସଂସାର ମଧ୍ୟରେ ଜୀବନଧାରଣ କରୁଥିବା ଆମେ ସମସ୍ତେ ତ ବହୁ ଅପୂର୍ଣ୍ଣତା ସହିତ କ’ଣଟିଏ ବଞ୍ଚୁଛୁ ଓ ତାହାକୁ ଜୀବନ ବୋଲି କହୁଛୁ ସିନା,–ମାତ୍ର ଚାହାପାନର ଖାସ୍ ଅନୁଷ୍ଠାନଟି ତାହାରି ଭିତରେ ତଥାପି ଏକ ଉପାସନାର ହିଁ ଅନୁଭବ ଆଣି ଦେଇପାରୁଛି, ଏହି ଅସମ୍ଭବପ୍ରାୟ ନିତାନ୍ତ ଅଳପର ସଂସାରରେ ତଥାପି ଯଥାର୍ଥ ଏବଂ ସାଇତି ରଖିବାର ଯୋଗ୍ୟ ବୋଲି ଯେ କିଛି ସମ୍ଭବ ମଧ୍ୟ ଅବଶ୍ୟ କରିହେବ, ଯେତେ ସାମାନ୍ୟ ହେଲେ ମଧ୍ୟ ସେଇଟି ପାଇଁ ଏକ ଉଦ୍ୟମ କରି ଚାହାପାନର ଆଗମନ ଘଟିଥିଲା ।

 

ସୌନ୍ଦର୍ଯ୍ୟବୋଧ କହିଲେ ସାଧାରଣ ଲୋକେ ଯେପରି ଅର୍ଥରେ ବୁଝନ୍ତି, ଚାହାର ଅନୁଷ୍ଠାନଟି ପଛରେ ରହିଥିବା ଦର୍ଶନଟିକୁ ଆମେ କେବଳ ସେତିକି ବୋଲି ମୋଟେ ବୁଝିବାନାହିଁ; କାରଣ, ଏଥିରେ ଏକ ନୈତିକତା ମଧ୍ୟ ରହିଛି ତଥା ଧର୍ମଭାବନାଟିଏ ମଧ୍ୟ ରହିଛି, ଯାହାକି ମନୁଷ୍ୟ ଏବଂ ପ୍ରକୃତି ବିଷୟରେ ରହିଥିବା ଆମର ସମ୍ପୂର୍ଣ୍ଣ ଦୃଷ୍ଟିକୋଣକୁ ବ୍ୟକ୍ତ କରେ । ହଁ, ଏହା ସ୍ଵାସ୍ଥ୍ୟରକ୍ଷା ସହିତ ମଧ୍ୟ ସମ୍ବନ୍ଧିତ ରହିଛି, କାରଣ ପରିଷ୍କାର-ପରିଚ୍ଛନ୍ନତା ଏଇଟି ସହିତ ଏକ ଅତ୍ୟାବଶ୍ୟକ ପ୍ରସଙ୍ଗ ହୋଇ ସବୁବେଳେ ଥାଏ । ଏଥିରେ ଅର୍ଥନୀତି ବି ଥାଏ, କାରଣ ଗୁଡ଼ିଏ ବ୍ୟୟବହୁଳ ଜଟିଳତାରୁ ଦୂରରେ ରହି ସଂପୂର୍ଣ୍ଣ ଏକ ସରଳ ବ୍ୟାପାରରୁ ଯେ କେତେ ଆରାମ କିଭଳି ଉପଲବ୍ଧ ହୋଇପାରେ, ଏଥିରେ ସେହି କଥାଟିକୁ ଦର୍ଶାଇ ଦିଆଯାଇଥାଏ । ଚାହାର ଏହି ଅନୁଷ୍ଠାନରେ ନୀତିଗତ ଜୀବନଶୈଳୀର ନକ୍ସାଟିଏ ମଧ୍ୟ ରହିଛି, କାରଣ ଏହାଦ୍ୱାରା ବିଶ୍ୱଭୁବନ ବିଷୟରେ କିପରି ଏକ ସୁସ୍ଥ ଆନୁପାତିକତା ମଧ୍ୟ ରକ୍ଷା କରାଯାଇ ପାରିବ, ତାହାର ଏକ ସଂଜ୍ଞା ନିରୂପଣ କରି ଦିଆଯାଇଛି । ସଂପୃକ୍ତ ସମସ୍ତଙ୍କର ରୁଚି ମଧ୍ୟରେ ଏକ ସମ୍ଭ୍ରାନ୍ତତାକୁ ସମ୍ଭବ କରିପାରିବାର ପ୍ରୟାସ କରୁଥିବା ହେତୁ ତାହା ପ୍ରାଚ୍ୟ ଗଣସଚେତନତାର ଯଥାର୍ଥ ଅନ୍ତର୍ଗତ ଭାବଟିର ମଧ୍ୟ ପ୍ରତିନିଧିତ୍ୱ କରୁଛି ।

 

ଦୀର୍ଘ ବହୁକାଳରୁ ହିଁ ଜାପାନ ନାମକ ଏହି ଦେଶଟି ଅବଶିଷ୍ଟ ପୃଥିବୀଠାରୁ ଆପଣାକୁ ବସ୍ତୁତଃ ଅଲଗା କରି ରଖି ଆସିଥିଲା ଏବଂ ସେଥିପାଇଁ ତାହାକୁ ଆତ୍ମଚିନ୍ତନ ସକାଶେ ବହୁ ପରିମାଣରେ ବେଶ୍ ଅନୁକୁଳତା ମଧ୍ୟ ମିଳି ଯାଇଥିଲା । ଏବଂ, ତାହାହିଁ ଚାହାପାନର ଏହି ଆପ୍ୟାୟନ-ଅନୁଷ୍ଠାନଟିକୁ କ୍ରମଶଃ ବିକଶିତ କରି ଆଣିବାରେ ସହାୟକ ମଧ୍ୟ ହେଲା । ଆମର ଗୃହ ତଥା ଯାବତୀୟ ଅଭ୍ୟସ, ପୋଷାକପତ୍ର ଏବଂ ଖାଦ୍ୟ ପ୍ରସ୍ତୁତ କରିବାର ପ୍ରଣାଳୀ, ଲାଖ ଓ ପୋର୍ସିଲିନ୍ ଆଦି ଶିଳ୍ପ, ଚିତ୍ରକଳା,–ଆମ ସାହିତ୍ୟ ସମେତ,–ଏହି ସବୁଯାକ କ୍ଷେତ୍ର ସେଇଟିଦ୍ୱାରା ଅତ୍ୟନ୍ତ ଗଭୀର ଭାବରେ ପ୍ରଭାବିତ ହୋଇଥିଲା । ଏହି ଦିଗଟିକୁ ଜାପାନୀ ସଂସ୍କୃତିର କୌଣସି ଛାତ୍ର ଆଦୌ ଆଖି ବୁଜିଦେଇ ପାରିବନାହିଁ । ସେହି ପ୍ରଭାବଟି ଉଚ୍ଚବର୍ଗ ଗୁଡ଼ିକର ଜୀବନ-ଅଳିନ୍ଦରେ ପ୍ରତିଫଳିତ ହୋଇଛି, ସମାଜର ସର୍ବନିମ୍ନ ଶ୍ରେଣୀମାନଙ୍କର ସ୍ତରକୁ ମଧ୍ୟ ଭେଦିଯାଇ ପାରିଛି । ଆମ କୃଷକମାନେ ଫୁଲ ସଜାଇବାର ଭବ୍ୟ କଳାଟିକୁ ଶିକ୍ଷା କରିଛନ୍ତି, ନିତାନ୍ତ ତଳମାନର ଶ୍ରମିକଟିଏ ମଧ୍ୟ ଆମ ପାହାଡ଼ ଓ ନଦୀଗୁଡ଼ିକୁ ଆପଣାର ପ୍ରଣାମ-ନିବେଦନ ଜଣାଇବାର ରୀତିଟିକୁ ଆୟତ୍ତ କରି ପାରିଛି । ଆମ ସାଧାରଣ କଥୋପକଥନରେ ମଧ୍ୟ, ଯେତେବେଳେ ଜଣେ ବ୍ୟକ୍ତି ତା’ ଜୀବନର ନିତ୍ୟ-ଆତଯାତରେ ସଦା ଏକତ୍ର ବିଦ୍ୟମାନ ରହିଥିବା ଗମ୍ଭୀର ତଥା ହାଲୁକା ଦୁଇଟିଯାକକୁ ହିଁ ଆସ୍ୱାଦନ କରିବାରେ ପୂରା ଅସମର୍ଥ ହୋଇ ରହିଥିବାର ପ୍ରମାଣ ଦେଉଥାଏ, ସେତେବେଳେ ଆମେ ତା’ ଭିତରେ ପ୍ରକୃତରେ କୌଣସି ଚାହା ହିଁ ନାହିଁ ବୋଲି ମନ୍ତବ୍ୟଟିଏ ବ୍ୟକ୍ତ କରିଥାଉ । ଏବଂ, ଯେତେବେଳେ ଜଣେ ତଥାକଥିତ ଶୁଦ୍ଧ ସୌନ୍ଦର୍ଯ୍ୟବାଦୀ ପ୍ରାୟ ସବୁ ଭାରସାମ୍ୟକୁ ହରାଇ ବସିଥିବା ପରି, ଏହି ପୃଥିବୀରେ ଘଟିବାରେ ଲାଗିଥିବା କେତେ କେତେ ଦୁଃଖଦତା ଆଡ଼କୁ ଆଖି ବୁଜି ଦେଇ ସତେଅବା ଉଚ୍ଚକଲ୍ଲୋଳିତ ଭାବରେ ଖାଲି ଭାବପ୍ରବଣତାର ନାନା ସୁଅରେ ବୋହିଯିବାରେ ଲାଗିଥାଏ, ସେତେବେଳେ ମଧ୍ୟ ଆମେ ଅପବାଦ ଦେଇ ତା’ ଭିତରେ ‘ଚାହାର ମାତ୍ରାଟା ଗୁଡ଼ାଏ ହୋଇଯାଇଛି’ ବୋଲି କହୁ ।

 

ଚାହା ପରି ଗୋଟିଏ ସାମାନ୍ୟ କ୍ଷେତ୍ରରେ ଆମେ ଆପାତତଃ କାହିଁକି ଏତେ ଅତିମାତ୍ରାରେ ଫୁଲେଇ ହେଉ ବୋଲି ପୃଥିବୀର ଅନ୍ୟ ଦେଶମାନଙ୍କରେ ବାସ କରୁଥିବା ଅନ୍ୟମାନେ ହୁଏତ ନିଶ୍ଚୟ ଖୁବ୍ ବିସ୍ମିତ ହୋଇ ପଡ଼ୁଥବେ । ‘‘ଗୋଟିଏ ପିଆଲା ଚାହାକୁ ନେଇ ପୁଣି ଏତେଗୁଡ଼ାଏ କୋଳାହଳ” ବୋଲି କହି ନିଶ୍ଚୟ ଭର୍ତ୍ସନା ବି କରୁଥବେ । ମାତ୍ର, ଉପଭୋଗ ନାମକ ବିଚରା ମନୁଷ୍ୟର ପୃଥିବୀଟି ଯେ ବସ୍ତୁତଃ କେଡ଼େ ସାନ ଏବଂ ମହତ୍ତ୍ୱହୀନ, ସେଠାରେ କେଡ଼େ ଶୀଘ୍ର ଯେ ଆନନ୍ଦଗୁଡ଼ିକୁ ପ୍ଳାବିତ କରି ଅଶ୍ରୁର ବନ୍ୟାମାନେ ମାଡ଼ି ଆସନ୍ତି ଏବଂ ଆମ ଦୁର୍ବାର ଓ ଉପଶମହୀନ ତୃଷାଟିକୁ ମଧ୍ୟ ସତେଅବା କୁଆଡ଼େ ମନ କୁଆଡ଼େ ଯେ ଭସାଇ ନେଇଯାଆନ୍ତି, ସେହି କଥାଟିକୁ ଭାବିପାରିଲେ ଆମେ ସାମାନ୍ୟ ଚାହାକୁ ନେଇ କାହିଁକି ଯେ ଏପରି ଏତେଗୁଡ଼ାଏ କଥାମଣ୍ଡନମାନ କରିବାରେ ଲାଗିଛୁ, ସେଥିପାଇଁ ଆପଣାକୁ ସତକୁ ସତ ଆଉ କଦାପି ଦୋଷ ଦେବାନାହିଁ । ମନୁଷ୍ୟ ଜାତିଟା ତ ବେଳେ ବେଳେ ଏହାଠାରୁ ଅଧିକ ନିନ୍ଦନୀୟ କାର୍ଯ୍ୟମାନ ମଧ୍ୟ କରିଛି । ସୁରା-ଠାକୁରଙ୍କର ପରିତୃପ୍ତି-ବିଧାନ କରି ତ ଆମେ ବିଚାରହୀନ ଭାବରେ କେତେ କ’ଣ ବଳି ଦେଇଛୁ: ଆମେ ମଙ୍ଗଳ ଦେବତାଙ୍କର ମୂର୍ତ୍ତିଟିକୁ ତ ରକ୍ତରେ ବୁହାଇ ମଧ୍ୟ ଦେଇଛୁ । ତେବେ, ଆମ ବାରମାସୀ ଗୁଳ୍ମମାନଙ୍କ ଭିତରେ ରାଣୀ ଏହି ଚାହା-ଉଦ୍ଭିଦଟି ପାଖରେ ଆପଣାକୁ ସମର୍ପିତ କରି ରଖିବାରେ କ’ଣ ପାଇଁ ଆଉ କୁଣ୍ଠା ପ୍ରକାଶ କରିବା ଏବଂ ତା’ ବେଦୀରୁ ପ୍ରବାହିତ ହୋଇ ଆସୁଥିବା ସହାନୁଭୂତିର ଉଷ୍ମ ଧାରାସ୍ରୋତଟି ମଧ୍ୟରେ କାହିଁକି କିଞ୍ଚିତ୍ ଉତ୍ସବରତ ହୋଇ ନରହିବା ? ହାତୀଦାନ୍ତ ରଙ୍ଗର ପୋର୍ସିଲିନ୍ ପିଆଲାଟିରେ ଅପେକ୍ଷା କରୁଥିବା ସେହି ତରଳ ପୀତାଭ ସାମଗ୍ରୀଟି ମଧ୍ୟରେ ଜଣେ ଅସଲ ରସଗ୍ରାହୀକୁ ହୁଏତ ମହାତ୍ମା କନ୍‌ଫୁସିଅସଙ୍କର ସେହି ମଧୁର ନୀରବଭାବଟିର ଏକ ସଚଳ ସ୍ପର୍ଶ ମଧ୍ୟ ମିଳି ଯାଉଥିବ, ଲାଓ-ତ୍‌ସେଙ୍କର ଆମୋଦ-ପରିପୂର୍ଣ୍ଣ ଉଦ୍ଦୀପନା ପ୍ରାପ୍ତ ହୋଇ ଯାଉଥିବ ଏବଂ ସ୍ୱୟଂ ସାକ୍ୟମୁନିଙ୍କର ସେହି ବିଶ୍ୱାତୀତ ସୁଗନ୍ଧଟି ମଧ୍ୟ ଉପଲବ୍ଧ ହେଉଥିବ ।

 

ଯେଉଁ ବ୍ୟକ୍ତିମାନେ ନିଜଭିତରେ ରହିଥିବା ବୃହତ୍ ବସ୍ତୁଗୁଡ଼ିକର କ୍ଷୁଦ୍ରତ୍ୱଟିକୁ ଅନୁଭବ କରି ପାରନ୍ତି ନାହିଁ, ସେମାନେ ପ୍ରାୟ ସେହି କାରଣରୁ ହିଁ ଅନ୍ୟମାନଙ୍କ ଜୀବନରେ ରହିଥିବା କ୍ଷୁଦ୍ରଗୁଡ଼ିକ ମଧ୍ୟରେ ତଥାପି ରହିଥିବା ବୃହତ୍ତାଗୁଡ଼ିକୁ ସତେଅବା ଦେଖି ମଧ୍ୟ ପାରନ୍ତି ନାହିଁ । ପାଶ୍ଚାତ୍ୟ ଜଗତର ଜଣେ ସାଧାରଣ ବ୍ୟକ୍ତି ନିଜର ପୃଥିବୀଟିକୁ ନେଇ ଏପରି ସଂତୃପ୍ତ ଓ ଏକନିଷ୍ଠ ହୋଇ ରହିଥାଏ ଯେ ସିଏ ଆମର ଏହି ଚାହା-ଅନୁଷ୍ଠାନଟିକୁ ଦେଖି ତାହାକୁ ଆମ ଏଠାରେ ରହିଥିବା ହଜାରେ ନିର୍ବୋଧତା ମଧ୍ୟରେ ଏଇଟି ମଧ୍ୟ ଗୋଟିଏ ବୋଲି ଅନୁମାନ କରି ପକାଇବ । ସିଏ ଅବଶ୍ୟ ଧରିନେବ ଯେ, ପ୍ରାଚ୍ୟ ଭୂଖଣ୍ଡମାନଙ୍କରେ ଯେଉଁ ଅନେକସଂଖ୍ୟକ ସ୍ଥାନୀୟତା ଏବଂ ପିଲାଳିଆ ପ୍ରଥାମାନ ରହିଥାଏ, ଏଇଟି ମଧ୍ୟ ସେହିପରି ହିଁ ଗୋଟିଏ ହୋଇଥିବ । ହଁ, ସେହି ପାଶ୍ଚାତ୍ୟ ଜଗତ ଯେତେବେଳେ ଶାନ୍ତିର ପ୍ରତିଷ୍ଠା କରିବ ବୋଲି ଭଦ୍ର ଭାବରେ କେତେ କ’ଣ କରୁଛି ବୋଲି ଭାବୁଥିଲା, ସେତେବେଳେ ଜାପାନକୁ ବର୍ବର ବୋଲି କହୁଥିଲା । ସିଏ ନିଜକୁ ସଭ୍ୟ ବୋଲି ଭାବୁଥିଲା ଓ ଘୋଷଣା କରୁଥିଲା, ଯେତେବେଳେ ମାଞ୍ଚୁରିଆର ଯୁଦ୍ଧ କ୍ଷେତ୍ରମାନଙ୍କରେ ଆପଣାକୁ ଆଖିବୁଜା ମନୁଷ୍ୟହତ୍ୟାରେ ତତ୍ପର କରି ରଖିଥିଲା । ଆମ ଦେଶର ସାମୁରାଇ ପ୍ରଥାଟି ବିଷୟରେ ଏବେ ତ ତେଣେ କେତେଭଳି ସମାଲୋଚନା ହେବାରେ ଲାଗିଛି । ସେହି ପରମ୍ପରାଟି ଅନୁସାରେ ଆମ ଜାପାନର ସୈନିକମାନେ ସଂପୂର୍ଣ୍ଣ ସ୍ୱତଃପ୍ରେରିତ ହୋଇ ହିଁ ଆତ୍ମବଳି ଦେଇ ଆସିଛନ୍ତି । ମାତ୍ର, ଚାହାପାନର ଆମର ଯେଉଁ ଅନ୍ୟ ପରମ୍ପରାଟି ବହୁକାଳରୁ ରହିଛି, ଯେଉଁ ପରମ୍ପରାଟିରୁ ବସ୍ତୁତଃ ଆମ ଜୀବନ ବଞ୍ଚିବାର କଳାଟି ବିଷୟରେ ଏତେଏତେ ପରିଚୟ ମିଳିପାରୁଛି, ତାହାପ୍ରତି ଖୁବ୍‌ କ୍ଵଚିତ୍‌ ହିଁ ଦୃଷ୍ଟିପାତ କରିବାର ଆଗ୍ରହ ପ୍ରକାଶ କରାଯାଏ । ମାତ୍ର, ଅପର ପକ୍ଷରେ, ଯଦି ଆମର ସଭ୍ୟତାକୁ ଯୁଦ୍ଧ ନାମକ ସେହି ନୃଶଂସତାପୂର୍ଣ୍ଣ ଗୌରବବୋଧ ଉପରେ ଛିଡ଼ା କରି ରଖାଯାଏ, ତେବେ ଆମେ ବରଂ ଏଭଳି ତଥାକଥିତ ବର୍ବର ହୋଇ ରହିବାକୁ ହିଁ ଅଧିକ କାମ୍ୟ ବୋଲି କହିବୁ । ପୁନଶ୍ଚ, ଆମର କଳା ଓ ଆମର ଆଦର୍ଶଚୟକୁ ତାହାର ଉପଯୁକ୍ତ ମର୍ଯ୍ୟାଦା ମିଳିବା ପର୍ଯ୍ୟନ୍ତ ମଧ୍ୟ ଆମେ ଧୈର୍ଯ୍ୟର ସହିତ ଅପେକ୍ଷା କରିବୁ ।

 

ଅର୍ଥାତ, ପାଶ୍ଚାତ୍ୟ ଜଗତ ପ୍ରକୃତରେ କେବେ ଯାଇ ପ୍ରାଟ୍ୟକୁ ବୁଝିବ, ବୁଝିବାଲାଗି ଚେଷ୍ଟା କରିବ ? ଆମ ଏସୀୟମାନଙ୍କ ବିଷୟରେ ଯେଉଁସବୁ ତଥ୍ୟ ତଥା କଳ୍ପନାମାନଙ୍କୁ ବୁଣି ସତେଅବା ଏକ ବୃହତ୍ ଜାଲ ରଚନା କରାଯାଇଛି, ଅନେକ ସମୟରେ ଆମକୁ ତାହା ସ୍ତମ୍ଭୀଭୂତ ହିଁ କରି ଦେଇଥାଏ । ଏପରି ଚିତ୍ରମାନ କରାଯାଏ ଯେ ଆମେସବୁ ପଦ୍ମଫୁଲର ବାସନାକୁ ଭୋଜନ କରୁ; ମୂଷା ଖାଉ, ଅସରପାମାନଙ୍କୁ ମଧ୍ୟ ଛାଡ଼ି ଦେଉନାହିଁ । ଏହାକୁ ହୁଏତ ଏକ ପୁରୁଷତ୍ୱହୀନ ଅନମନୀୟତା ବୋଲି କୁହାଯିବ ଅଥବା ଏକ ଅଧମ ସ୍ତରର ବିଳାସିତା ମଧ୍ୟ କୁହାଯାଇ ପାରିବ । ଭାରତବର୍ଷର ଆଧ୍ୟାତ୍ମିକତାକୁ ତ ତୁଚ୍ଛ ଅଜ୍ଞାନ ବୋଲି କହି ନିନ୍ଦା କରାଯାଇଛି । ଚୀନ୍‌ଦେଶର ମିତାଚାରିତାକୁ ନିର୍ବୋଧତା ବୋଲି କୁହାଯାଇଛି । ଜାପାନୀମାନଙ୍କର ସ୍ଵଦେଶପ୍ରେମକୁ କେବଳ ଭାଗ୍ୟବାଦର ଏକ ପରିଣାମ ବୋଲି ଘୋଷଣା ହୋଇଛି । ଏପରି ମନ୍ତବ୍ୟ ମଧ୍ୟ କରାଯାଇଛି ଯେ, ଆମ ସ୍ନାୟୁଗୁଡ଼ିକର କ୍ଷେତ୍ରରେ ଏକ ନିତାନ୍ତ ନିର୍ଦ୍ଦୟପଣ ବହଳ ହୋଇ ରହିଛି ବୋଲି ଆମେ ଆପଣାର ଯାବତୀୟ ଯନ୍ତ୍ରଣା ଓ ଏପରିକି ଦେହର କ୍ଷତଗୁଡ଼ିକ ବିଷୟରେ ମଧ୍ୟ ବେଶ୍ ବୋଧଶକ୍ତିହୀନ ହୋଇ ରହିଛୁ ।

 

ହଁ, ଆମର ଏତେ ଏତେ କଥାକୁ ବିଚିତ୍ର ବୋଲି କହି ତୁମେ କ’ଣ ପାଇଁ ବି ନହସିବ ! ହଁ, ଏସିଆ ସେଥିପାଇଁ କୃତଜ୍ଞ ରହିବ ହିଁ ରହିବ । ତୁମକୁ ତ ହସିବାର ଆହୁରି କେତେ କେତେ ଅବକାଶ ବି ମିଳିଯିବ, ଯେତେବେଳେ ଆମେ ମଧ୍ୟ ତୁମ ବିଷୟରେ ଯାହାସବୁ କଳ୍ପନା କରିଛୁ ଓ ଲେଖିଛୁ, ତୁମେ ସେଗୁଡ଼ିକୁ ଜାଣିପାରିବ । ତୁମର ସେଠାରେ ତ କେତେକ’ଣ ଝଲମଲ ହେଉଛି ଏବଂ ଆଖିକୁ ଝଲସାଇ ଦେଉଛି, ତୁମର ସେଠାରେ ମହଜୁଦ୍ ରହିଥିବା କେତେ କେତେ ବିସ୍ମୟ ଆମକୁ ଅବଚେତନ, ଭାବରେ ଚକିତ କରି ରଖିଛି, ତୁମର ସେହି ନାନାବିଧ ଅଭିନବ ତଥା ଆମପାଇଁ ଅବୋଧ୍ୟ ବସ୍ତୁଗୁଡ଼ିକର ସମ୍ମୁଖୀନ ହୋଇ ଆମେ ନୀରବରେ ହେଲେ ମଧ୍ୟ କେତେ ବିଦ୍ୱେଷ ମଧ୍ୟ ବ୍ୟକ୍ତ କରିବାରେ ଲାଗିଛୁ । ତୁମଠାରେ ତ ଏତେ ଏତେ କେଡ଼େ ସୂକ୍ଷ୍ମଗୁଣ ଲଦାହୋଇ ରହିଛି, ଯାହାକୁ କି ଈର୍ଷା କରି ହେବନାହିଁ ଏବଂ, ତୁମଉପରେ ଏତେ ଏତେ ଅପରାଧ କରିଥିବାର ଅପବାଦ ରହିଛି, ଯାହାର ଚିତ୍ରମୟତାକୁ ଦେଖିବାକୁ ଆରମ୍ଭ କଲେ ଆଉ ଆଦୌ ଛି’ ବୋଲି କହି ହେବନାହିଁ । ଆମ ପ୍ରାଚୀନ ଗ୍ରନ୍ଥକାରମାନେ–ଯଥାର୍ଥ ଭାବରେ ଜାଣିଥିବା ସେହି ପ୍ରଜ୍ଞାଶୀଳ ପୁରୁଷମାନେ, ଆମକୁ କହି ଯାଇଛନ୍ତି ଯେ ତୁମେ ପରିଧାନ କରିଥିବା କପଡ଼ାଟା ତଳେ କେଉଁଠି ଗୋଟାଏ ଲୋମ ଥିବା ଲାଙ୍ଗୁଡ଼ ଲୁକ୍କାୟିତ ହୋଇ ରହିଥିଲା ଓ ଅନେକ ସମୟରେ ତୁମେମାନେ ସଦ୍ୟଜାତ ଶିଶୁମାନଙ୍କର ମାଉଁସକୁ ରାନ୍ଧି ଖଣ୍ଡଖଣ୍ଡ କରି ଖାଇ ବି ଯାଉଥିଲ । ହଁ, ତୁମ ବିରୋଧରେ ଆମେ ଆହୁରି କିଛି ଅଧିକ ମନ୍ଦ କଥା ମଧ୍ୟ ଶୁଣିଥିଲୁ : ଆମେ ତ ଭାବୁଥିଲୁ ଯେ ତୁମେମାନେ ହେଉଛି ଏପରି ଗୋଟିଏ ପଲ, ଯେଉଁମାନଙ୍କଠାରେ କି ବାସ୍ତବ ଜ୍ଞାନ ବୋଲି ଆଦୌ କିଛିହେଲେ ନାହିଁ, –କାରଣ, ତୁମେମାନେ କୁଆଡ଼େ ଏପରି କଥାମାନ ପ୍ରଚାର କରୁଥିଲ, ଯେଉଁଗୁଡ଼ିକୁ କି ଜୀବନରେ କେବେ ବଞ୍ଚୁନଥିଲ ।

 

ତୁମ ବିଷୟରେ ଆମର ରହିଥିବା ସେହି ଭୁଲ କଳ୍ପନାମାନ ବର୍ତ୍ତମାନ ଅତ୍ୟନ୍ତ ସତ୍ୱରତା ସହିତ ଅନ୍ତର୍ହିତ ହୋଇ ଯିବାରେ ଲାଗିଛି । ଦେଶ ଦେଶ ଭିତରେ ବାଣିଜ୍ୟରେ ବୃଦ୍ଧି ଘଟିବା ହେତୁ ଇଉରୋପର ବହୁ ଭାଷାକୁ କ୍ରମେ ପ୍ରାଚ୍ୟର ବନ୍ଦରଗୁଡ଼ିକରେ ଲୋକେ ବାଧ୍ୟ ହୋଇ ଶିଖି ବି ନେଉଛନ୍ତି । ଏସିଆରୁ ତରୁଣ ଯୁବାମାନେ ଆଧୁନିକ ଶିକ୍ଷାଲାଭ କରିବା ସକାଶେ ପାଶ୍ଚାତ୍ୟର କଲେଜମାନଙ୍କରେ ମେଳା ମେଳା ହୋଇ ପହଞ୍ଚି ଯାଉଛନ୍ତି । ତୁମର ସଂସ୍କୃତି ମଧ୍ୟରେ ଆମର ଅନ୍ତର୍ଦୃଷ୍ଟିଗୁଡ଼ିକ ଅବଶ୍ୟ ଗଭୀର ଭାବରେ ପହଞ୍ଚି ନାହାନ୍ତି ସିନା, ତଥାପି ଆମେ ମଧ୍ୟ ସେଗୁଡ଼ିକୁ ଶିଖିବାଲାଗି ବେଶ୍ ଇଚ୍ଛା ବି କଲୁଣି । ମୋ’ର ସାଥୀ କେତେଜଣ ସମବୟସୀ ତୁମର ଚଳଣି ଏବଂ ତୁମ ଭଦ୍ର ଆଚରଣକୁ ହୁଏତ ଖୁବ୍‌ଗୁଡ଼ାଏ ପରିମାଣରେ ଆପେ ଗ୍ରହଣ କରି ନେଲେଣି; କାରଣ ସେମାନେ ବେଶ୍ ଭ୍ରାନ୍ତ ଭାବରେ ଭାବି ନେଉଛନ୍ତି ଯେ ସେମାନେ ତୁମରି ଟାଣ କଲାର୍ ଥିବା କମିଜଗୁଡ଼ାକୁ ପିନ୍ଧିଲେ ଏବଂ ତୁମର ସେହି ଡେଙ୍ଗା ହ୍ୟାଟ୍‌ଗୁଡ଼ାକୁ ମୁଣ୍ଡରେ ଗଳାଇଦେଲେ ତାହାରିଦ୍ୱାରା ହିଁ ତୁମର ସଭ୍ୟତାଟିରେ ମଧ୍ୟ ବେଶ୍ ମାହେର୍ ହୋଇଯାଇ ପାରିବେ । ଏଗୁଡ଼ିକୁ ପ୍ରକୃତରେ ଅତ୍ୟନ୍ତ ବିକାରଗ୍ରସ୍ତ ଏବଂ ତେଣୁ ନିନ୍ଦନୀୟ ବ୍ୟାପାର ବୋଲି କହିବାକୁ ହିଁ ହେବ ଏବଂ ସେଥିରୁ ଖୁବ୍ ସୂଚିତ ହୋଇ ଯାଉଛି ଯେ, ଆମେ ସତେଅବା ସଂପୂର୍ଣ୍ଣ ନତଜାନୁ ହୋଇ ପାଶ୍ଚାତ୍ୟ ପାଖରେ ଯାଇ ପହଞ୍ଚିବା ନିମନ୍ତେ ସମ୍ମତ ହିଁ ହୋଇଗଲୁଣି । ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଯେ, ପାଶ୍ଚାତ୍ୟର ଦୃଷ୍ଟିକୋଣଟି ମଧ୍ୟ ପ୍ରାଚ୍ୟକୁ ବୁଝିବାର କ୍ଷେତ୍ରରେ ଏକାନ୍ତ ଅନନୁକୂଳ ହୋଇ ରହିଛି । ଖ୍ରୀଷ୍ଟିଆନ ଧର୍ମପ୍ରଚାରକ ତ କେବଳ ଦେବାକୁ ହିଁ ଉତ୍ସାହ ପ୍ରକାଶ କରୁଛି । ଆଦୌ କିଛିହେଲେ ଗ୍ରହଣ କରି ପାରିବ ବୋଲି ଭାବିନାହିଁ । ଆମ ବିପୁଳ-ସାହିତ୍ୟ ଭଣ୍ଡାରରୁ କେବଳ ଯେତିକିମାତ୍ର ଅନୁବାଦ ହୋଇଛି, ତୁମେ ସେତିକିରୁ ହିଁ ଆମ ବିଷୟରେ ଯାହାକିଛି ସମ୍ବାଦ ପାଉଛ । ବେଳେ ବେଳେ ଆମ ଦେଶକୁ ଡଗଡ଼ଗ ହୋଇ ଚାଲି ଯାଉଥିବା ଭ୍ରମଣକାରୀମାନେ ମଧ୍ୟ କିଛି ୟାଡ଼ୁସାଡ଼ୁ କହି କିଛି ଧାରଣା ବି ଦେଉଥିବେ । ଏପରି ନିତାନ୍ତ କ୍ଵଚିତ୍ ସମ୍ଭବ ହେଉଛି ଯେ ଜଣେ ଜଣେ ପ୍ରକୃତ ହୃଦୟବାନ୍ ଲେଖକ ଆମ ଏହି ଖଣ୍ଡଟି ବିଷୟରେ ଆମର ଭାବଜଗତକୁ ଅନ୍ତରର ସହିତ ବୁଝି କିଛି ପ୍ରକୃତ କଥା କହି ଏହି କ୍ଷେତ୍ରରେ ପ୍ରାଚ୍ୟ ସମ୍ପର୍କରେ ରହିଥିବା ଅନ୍ଧାରଟାକୁ ଦୂର କରି ପାରୁଛନ୍ତି ।

 

ସମ୍ଭବତଃ ମୁଁ ମଧ୍ୟ ଏହି ନାନା ଅନ୍ୟକଥା ପକାଇ ଚାହାର ସେହି ପବିତ୍ର ଅନୁଷ୍ଠାନଟି ବିଷୟରେ ମୋର ଅଜ୍ଞାନଟାକୁ ହିଁ ବେଶ୍ ଧରା ପକାଇ ଦେଉଛି । ସେହି କ୍ଷେତ୍ରର ଭଦ୍ରତାଟା ହିଁ ସର୍ବଦା ଦାବୀ କରିଥାଏ ଯେ, ତୁମଠାରୁ ଯେତିକି କଥାର ପ୍ରତ୍ୟାଶା କରାଯାଉଥିବ, ତୁମେ କେବଳ ସେତିକି ହିଁ କହିବ, ଆଦୌ ଅଧିକ କିଛି କହିବନାହିଁ । ନୂତନ ତଥା ପୁରାତନ ଦୁଇ ପୃଥିବୀ ମଧ୍ୟରେ ପରସ୍ପରର ଭୁଲବୁଝାମଣା ହେତୁ ପ୍ରକୃତରେ କେତେ ନା କେତେ କ୍ଷତି ଘଟାଯାଇ ସାରିଛି । ଏବଂ ସେହି କାରଣରୁ କିଛି ଉତ୍ତମ ବୁଝାମଣା ସୃଷ୍ଟି କରିବାକୁ ମନ କରି କିଞ୍ଚିତ୍‌ ନିବେଦନ କରିବାର ଉଦ୍ୟମ କରୁଥିବା ଜଣେ ବ୍ୟକ୍ତିକୁ ସମ୍ଭବତଃ କୌଣସି କ୍ଷମା ପ୍ରାର୍ଥନା କରିବାକୁ ହେବନାହିଁ । ଯଦି ରୁଷିଆଦେଶ ଜାପାନକୁ ଟିକିଏ ଅଧିକ ଭଲ କରି ଜାଣିବା ଲାଗି ଇଚ୍ଛା କରିଥାଆନ୍ତା, ତେବେ ବିଂଶ ଶତାବ୍ଦୀର ଆରମ୍ଭରେ ଏପରି ଗୋଟିଏ ରକ୍ତାକ୍ତ ଯୁଦ୍ଧ କଦାପି ଲାଗିନଥାନ୍ତା । ପ୍ରାଚ୍ୟ ଭୂଖଣ୍ଡର ସମସ୍ୟାଗୁଡ଼ିକ ଉପରେ କର୍ଣ୍ଣପାତ କରିବାଲାଗି ବାରମ୍ବାର ଇଚ୍ଛା ପ୍ରକାଶ ନକରିବା ଫଳରେ ମନୁଷ୍ୟସମୂହ କେଡ଼େକେଡ଼େ ଶୋଚନୀୟ ପରିଣାମ ଭୋଗ କରିବାକୁ ବାଧ ନହେବ ! ପାଶ୍ଚାତ୍ୟ ସାମ୍ରାଜ୍ୟବାଦ ତ ପୀତ ମହାସଙ୍କଟ ନାମକ ସେହି ଅସମ୍ଭବ ବୃହତ୍‌ଚିତ୍କାରଟାଦ୍ୱାରା ପୃଥିବୀ କମ୍ପାଇବାକୁ କୌଣସି ସଙ୍କୋଚ ମଧ୍ୟ ବୋଧ କରୁନାହିଁ ଏବଂ ତେଣୁ, ଶ୍ୱେତକାୟମାନଙ୍କ ଦ୍ଵାରା ପୃଥିବୀରେ ଅବଶ୍ୟମ୍ଭାବୀ ହେବାକୁ ଯାଉଥିବା ବିନାଶଟିକୁ ଅବଲମ୍ବନ କରି ସେହିପରି ସମାନ୍ତର ନିନାଦଟିଏ ଦେବାକୁ ଏସିଆ ମଧ୍ୟ ଯେ ପୂର୍ଣ୍ଣ ରୋଷରେ ବାହାରି ଆସିପାରିବ, ପାଶ୍ଚାତ୍ୟ ସେହି କଥାଟିକୁ ଆଦୌ ହୃଦୟଙ୍ଗମ କରୁନାହିଁ । ହଁ, ଆମର ଏହି ‘ଚାହାର ମାତ୍ରାଟା ଅତ୍ୟଧିକ ହୋଇଯାଇଛି କି ?’ ବୋଲି କହି ତୁମେମାନେ ଆମକୁ ହୁଏତ ଉପହାସ କରିବ ସିନା, କିନ୍ତୁ ପାଶ୍ଚାତ୍ୟଟା ଭିତରେ ‘ଏତେ ଟିକିଏ ହେଲେ ବି ଚାହା ନାହିଁ ବୋଲି ଧରିନେଇ ସେତେବେଳେ ଆମେ ତୁମକୁ ମଧ୍ୟ ସନ୍ଦେହ କରୁନଥିବୁ କି ?

 

ତେଣୁ, ମହାଦେଶ ମହାଦେଶ ମଧ୍ୟରେ ଏହିପରି ଭାବରେ ଉପହାସବାକ୍ୟମାନ ନିକ୍ଷେପ କରିବାର ପ୍ରକ୍ରିୟାଟିକୁ ଚାଲ ଆମେ ବନ୍ଦ କରିଦେବା ଏବଂ ତଦ୍ୱାରା ଆମେ ଏହି ଗୋଲାର୍ଦ୍ଧଟାରେ କିଏ ବସ୍ତୁତଃ କେତେ ଲାଭବାନ ହୋଇଛି, ସେଥିରୁ ଅଧିକ କିଛି ଶିକ୍ଷା ଲାଭ କରି ନପାରିଲେ ମଧ୍ୟ ଅନ୍ତତଃ ଦୁଃଖିତ ତ ହେବା । ଆମର ଏହି ଉଭୟ ଭାଗ ଭିନ୍ନଭିନ୍ନ ମାର୍ଗରେ ବିକାଶଲାଭ କରି ଆସିଛନ୍ତି, କିନ୍ତୁ ତା’ବୋଲି ଗୋଟିଏ ପକ୍ଷ ଆରଟିର ପରିପୂରକ କ’ଣ ପାଇଁ ହୋଇ ନପାରିବ ! ତୁମେ ଆପଣାକୁ କେତେ କେତେ ଅଧିକ ଦିଗରେ ପ୍ରସାରିତ କରି ପାରିଛ, ମାତ୍ର ତଦ୍ଦ୍ୱାରା ଆପଣାର ସ୍ଥିରତା ହରାଇଛି; ଆମେ ଏପଟେ ଏପରି ଏକ ସମଞ୍ଜସ ଜୀବନ-ବ୍ୟବସ୍ଥା ମଧ୍ୟ ସମ୍ଭବ କରିଛୁ ସତ, କିନ୍ତୁ ବାହାରର ଆକ୍ରମଣଗୁଡ଼ିକର କ୍ଷେତ୍ରରେ ଦୁର୍ବଳ ହୋଇ ରହିଛୁ । ଏହି ପ୍ରାଚ୍ୟ ଭୂଖଣ୍ଡଟି କେତେକ କ୍ଷେତ୍ରରେ ପାଶ୍ଚାତ୍ୟ ସେପଟଠାରୁ ତଥାପି ଅଧିକ ଉତ୍ତମ ଅବସ୍ଥାରେ ରହିଛି, ତୁମେ ଏଥିରେ ବିଶ୍ୱାସ କରିବ ତ !

 

କାନକୁ ଭାରି ଆଶ୍ଚର୍ଯ୍ୟ ପରି ଲାଗୁଛି ସିନା, ଏହି ‘ଚାହାପିଆଲାଟିରେ ହିଁ’ ଏହି ମାନବସମାଜ ସର୍ବଦା ଏକ ଆରେକର ଭେଟ ପାଇଛି । ଏଇଟି ହେଉଛି ଏସିଆର ଏକମାତ୍ର ଆନୁଷ୍ଠାନିକ ଅବସର ଯାହାକି ପୃଥିବୀ ତମାମ ସମସ୍ତଙ୍କଠାରୁ ମର୍ଯ୍ୟାଦା ପାଇପାରିଛି । ଶ୍ଵେତକାୟ ମନୁଷ୍ୟଟି ଆମର ଧର୍ମ ଓ ଆମ ନୀତିଗତ ଜୀବନଟି ବିଷୟରେ ଖୁବ୍‌ ନାସିକାକୁଞ୍ଚନ କରିଆସିଛି ସତ, ମାତ୍ର ଆଦୌ କୌଣସି କୁଣ୍ଠା ନଦେଖାଇ ସେହି ବାଦାମୀ ରଙ୍ଗର ପାନୀୟଟିକୁ ଗ୍ରହଣ କରି ନେଇଛି । ଅପରାହ୍ନର ମେଳଗୁଡ଼ିକରେ ଚାହାପାନ ଦ୍ଵାରା କିଞ୍ଚିତ୍ ଆନନ୍ଦ ଅନୁଭବ, ଏଇଟି ତ ପଶ୍ଚିମ ଜଗତରେ ଏକ ଅତି ମହତ୍ତ୍ୱପୂର୍ଣ୍ଣ ବିଧିରେ ପରିଣତ ହୋଇ ଯାଇଛି ! ଟ୍ରେ ତଥା ପିଆଲାଗୁଡ଼ିକର କେଡ଼େ ମନ୍ଦମନ୍ଦ ଶବ୍ଦଝଙ୍କାରମାନ, ନାରୀହସ୍ତର କୋମଳତା ସ୍ପର୍ଶରେ ଧନ୍ୟ ହେଉଥିବା ସେହି ଆତିଥ୍ୟ, କ୍ଷୀରସର ଓ ଶର୍କରାକୁ କେନ୍ଦ୍ରକରି ସୁପରିଚିତ ସେହି କଥୋପକଥନ–ଆମେ ଏହି ସବୁକିଛିରୁ ଖୁବ୍‌ ଉତ୍ତମ ରୂପେ ଜାଣିଗଲୁଣି ଯେ ଚାହାନାମକ ସେହି ମହାସମ୍ପଦଟିର ଉପାସନା ନିଃସନ୍ଦେହ ଭାବରେ ହିଁ ସୁପ୍ରତିଷ୍ଠିତ ହୋଇ ରହିଛି । ସେହି ବିଶୁଦ୍ଧ ଉଷ୍ମ ପାନୀୟଟିକୁ ସେବନ କରୁ କରୁ ଆମନ୍ତ୍ରିତ ଅତିଥିଜଣକ ତାଙ୍କଲାଗି ଏହାପରେ ଅପେକ୍ଷା କରିଥିବା ଅଦୃଷ୍ଟଟି ପ୍ରତି ଯେଉଁ ଦାର୍ଶନିକ ନିରାସକ୍ତ ଭାବଟିର ପ୍ରଦର୍ଶନ କରନ୍ତି, ତାହାହିଁ ଘୋଷଣା କରିବାରେ ଲାଗିଥାଏ, ଯେ, ଅନ୍ତତଃ ଏହି ଖାସ୍ ଅବସରଟିରେ ପ୍ରାଚ୍ୟର ମନୋଦୃଷ୍ଟିଟି ହିଁ ସର୍ବମୀମାଂସକ ହୋଇ ରହିଥାଏ ।

 

ଇଉରୋପୀୟ ଲେଖାରେ ଉପଲବ୍ଧ ପ୍ରାୟ ସର୍ବପ୍ରଥମ ଏକ ବିବରଣୀରୁ ଯାହା ସମ୍ବାଦ ମିଳେ, ତାହାରି ଅନୁସାରେ ଜଣେ ଆରବ ପରିଭ୍ରମଣକାରୀ ଉଲ୍ଲେଖ କରିଥିବାର ଜଣାଯାଉଛି ଯେ, ୮୭୯ ଖ୍ରୀଷ୍ଟାବ୍ଦ ପରେ ଚୀନ୍‌ର କାଣ୍ଟନ୍ ବନ୍ଦରରେ ଲବଣ ଓ ଚାହାରୁ ହିଁ ସର୍ବାଧିକ ଟିକସ ଆଦାୟ ହେଉଥିଲା । ପରିବ୍ରାଜକ ମାର୍କୋ ପୋଲୋ ମଧ୍ୟ ୧୨୮୫ ଖ୍ରୀଷ୍ଟାବ୍ଦରେ ଜଣେ ଚୀନ୍ ଅର୍ଥବିଭାଗୀୟ ଅମାତ୍ୟ ଏକତରଫା ଭାବରେ ଚାହା ଶୁଳ୍କକୁ ବଢ଼ାଇ ଦେଇଥିବାର ଉଲ୍ଲେଖ କରିଛନ୍ତି । ବୃହତ୍ ପୃଥ୍ୱୀ-ଆବିଷ୍କାରଗୁଡ଼ିକ ସମୟରେ ଇଉରୋପର ଅଧିବାସୀମାନେ ଦୂର ପ୍ରାଚ୍ୟ ବିଷୟରେ ପ୍ରକୃତରେ ଅଧିକ ପରିମାଣରେ କିଞ୍ଚିତ୍ ଅଧିକ ସମାଚାର ପାଇ ପାରିଲେ ଏବଂ ଷୋଡ଼ଶ ଶତାବ୍ଦୀର ଶେଷ ବେଳକୁ ହଲାଣ୍ଡର ନାବିକମାନେ ଏକ ସମ୍ବାଦ ଆଣି ଦେଇଥିଲେ ଯେ ତେଣେ ଏପରି ଏକ ବିଶେଷ ଗୁଳ୍ମ ରହିଛି, ଯେଉଁଥିରୁ କି ସେଠା ଲୋକ ଏକ ଅତ୍ୟନ୍ତ ସୁସ୍ୱାଦୁ ପାନୀୟ ପ୍ରସ୍ତୁତ କରି ପାରୁଛନ୍ତି । ଜିଓଭାନି ବାଟିଷ୍ଟା ରାମୁସିଓ (୧୫୫୯), ଏଲ୍.ଆଲମେଇଡ଼ା (୧୫୭୬), ମାଫେନୋ (୧୫୮୮) ଏବଂ ଟାରେରା (୧୬୧୦) ଆଦି ପର୍ଯ୍ୟଟକମାନେ ମଧ୍ୟ ଚାହା ବିଷୟରେ ଉଲ୍ଲେଖ କରିଛନ୍ତି । ସେହି ୧୬୧୦ ଖ୍ରୀଷ୍ଟାବ୍ଦରେ ହଲାଣ୍ଡୀୟ ଇଷ୍ଟ ଇଣ୍ଡିଆ କୋମ୍ପାନୀ ହିଁ ସର୍ବପ୍ରଥମେ କିଛି ଚାହା ନେଇ ଇଉରୋପ ମହାଦେଶରେ ଆଣି ପହଞ୍ଚାଇ ଦେଇଥିଲା । ୧୬୩୬ ମସିହାରେ ଚାହା ଫ୍ରାନ୍ସକୁ ଆସିଲା ଏବଂ ୧୬୩୮ରେ ରୁଷିଆକୁ । ୧୬୫୦ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡ ମଧ୍ୟ ଚାହାର ସ୍ଵାଗତ କଲା ଏବଂ ତାହାକୁ “ସେହି ଅତ୍ୟନ୍ତ ଶ୍ରେଷ୍ଠ କିସମର ଚୀନ୍‌ଦେଶୀୟ ପାନୀୟ, ଯାହାକୁ କି ସବୁ ଭେଷଜବିତ୍ ପ୍ରକୃତରେ କେଡ଼େ ଉପକାରୀ ବୋଲି ସ୍ୱୀକାର କରୁଛନ୍ତି ଏବଂ ଚୀନା ଲୋକେ ‘ଚାହା’ ବୋଲି କହୁଥିବା ତାହାକୁ ଅନ୍ୟଦେଶୀୟ କିଏ ଟେ ଅଥବା ଟୀ ବୋଲି କହୁଛନ୍ତି’’ ବୋଲି ଘୋଷଣା କରିଥିଲା ।

 

ପୃଥିବୀରେ ସବୁ ଉତ୍ତମ ଦ୍ରବ୍ୟର କ୍ଷେତ୍ରରେ ଯେପରି ହୋଇଥାଏ, ଏହି ଚାହା ନାମକ ପାନୀୟଟିର ପ୍ରଚାର ବିଷୟରେ ସେତେବେଳେ ବେଶ୍ କିଛି ବିରୋଧ ମଧ୍ୟ ହୋଇଥିଲା । ହେନେରୀ ସାଭାଇଲ (୧୬୭୮)ଙ୍କ ଭଳି ତୀବ୍ର ବିରୋଧୀମାନେ ଚାହାପାନକୁ ଏକ କୁତ୍ସିତ ଅଭ୍ୟାସ ବୋଲି କହି ନିନ୍ଦା କରିଥିଲେ ଏବଂ ଯୋନାସ୍ ହାନ୍‌ଓୟେ ମଧ୍ୟ କହିଥିଲେ । (୧୭୫୬) ଯେ, ଏହି ଚାହାକୁ ପାନ କରିବା ଫଳରେ ଲୋକମାନେ ପ୍ରାୟ ନିଜର ସମ୍ମାନ ହରାଇ ବସୁଛନ୍ତି, ସେମାନଙ୍କ ଜୀବନରେ ଆଉ କୌଣସି ଉଚିତ ଭାରସାମ୍ୟ ରହୁନାହିଁ । ହଁ, ମହିଳାମାନେ ମଧ୍ୟ ଚାହାସକ୍ତ ହେବାରୁ ଆପଣାର ସୌନ୍ଦର୍ଯ୍ୟ ହରାଉଛନ୍ତି । ସେହି ସମୟରେ ଚାହା ବେଶ୍ ମହଙ୍ଗା ଥିବା ହେତୁ (ଗୋଟିଏ ପାଉଣ୍ଡ୍‌ର ଦାମ୍ ପ୍ରାୟ ପନ୍ଦର ବା ଷୋହଳ ଶିଲିଙ୍ଗ୍) ସାଧାରଣ ସ୍ତରର ଲୋକେ ତାହାର ବ୍ୟବହାର କରି ପାରୁନଥିଲେ ଏବଂ ତେଣୁ ଚାହା ମୁଖ୍ୟତଃ ‘‘ଉଚ୍ଚ ସମ୍ଭ୍ରାନ୍ତମାନଙ୍କର ଖାସ୍ ମେଳମାନଙ୍କରେ ପ୍ରାୟ ଏକ ସ୍ଵତନ୍ତ୍ର ବିଳାସ ସଦୃଶ’’ ହୋଇ ରହିଥିଲା, ବିଶେଷ ଅବସରଗୁଡ଼ିକରେ “ରାଜବଂଶୀୟ ତଥା ବରିଷ୍ଠ ସମ୍ମାନସ୍ଥାନୀୟମାନଙ୍କୁ ହିଁ ଉପହାର ସ୍ୱରୂପ ପ୍ରଦତ୍ତ ହେଉଥିଲା ।’’ ତଥାପି ଏତେ ଏତେ ଅସୁବିଧା ରହିଥିଲେ ମଧ୍ୟ ଚାହାପାନର ଅନୁଷ୍ଠାନଟି ଖୁବ୍ ଚମତ୍କାର ଭାବରେ ପ୍ରସାର ଲାଭ କରିଥିଲା ଏବଂ ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଲଣ୍ଡନର କଫି-ଗୃହଗୁଡ଼ିକ ବସ୍ତୁତଃ ଚାହାର ବିପଣିରେ ପରିଣତ ହୋଇଗଲା । ସେଠାକୁ ଆଡ଼ିସନ୍ ଏବଂ ଷ୍ଟିଲ୍‌ ପ୍ରଭୃତି ମନସ୍ୱୀ ଏବଂ ମେଧାବାନ୍‌ମାନଙ୍କର ଆଗମନ ଘଟିଥିଲା । ଏମାନେ ଚାହାପାତ୍ରରୁ ଚାହାପାନ କରିବା ଦ୍ଵାରା ଆପଣାକୁ ବେଶ ଆମୋଦିତ କରିପାରୁଥିଲେ । କ୍ରମଶଃ ପାନୀୟଟି ଜୀବନର ଏକ ଅତ୍ୟାବଶ୍ୟକତା ରୂପେ ଗୃହୀତ ହୋଇ ଯାଇଥିଲା । ତାହାପାଇଁ ଟିକସ ଦେବାର ଏକ ବସ୍ତୁରେ ପରିଣତ ହେଲା । ଆଧୁନିକ ଇତିହାସରେ ଏହି ଚାହା ଯେ ପ୍ରକୃତରେ କିପରି ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଛି, ଏଠାରେ ଆମେ ସେହି କଥାଟିକୁ ଅବଶ୍ୟ ମନେ ପକାଇ ପାରିବା । ଚାହାର ଆମଦାନୀ ଉପରେ ଯେଉଁ ଅଧିକ ପରିମାଣର ଶୁକ୍ଳ ଧାର୍ଯ୍ୟ ହେବାକୁ ଆରମ୍ଭ କଲା, ତାହା ତତ୍କାଳୀନ ଏକ ଉପନିବେଶର ଧୈର୍ଯ୍ୟଚ୍ୟୁତି ଘଟାଇଥିଲା ଏବଂ ସେମାନେ ଆଉ ସେହି ଅନ୍ୟାୟଟିକୁ ସହି ପାରିଲେ ନାହିଁ । ବୋଷ୍ଟନ୍ ସହରର ବନ୍ଦରରେ ତାହାରି କାରଣରୁ ଚାହାଭର୍ତ୍ତି ବସ୍ତାମାନଙ୍କୁ ଯେ ସମୁଦ୍ରକୁ ଫିଙ୍ଗି ଦିଆଗଲା, ସେହି ଅବସରଟିରୁ ହିଁ ତ ଆମେରିକାର ସ୍ୱାଧୀନତା ପାଇଁ ପ୍ରୟାସଟିର ଅୟମାରମ୍ଭ ହିଁ ହୋଇଥିଲା ।

 

ହଁ, ଚାହାରେ ସ୍ଵାଦବିଷୟକ କ’ଣ ଗୋଟିଏ ସୂକ୍ଷ୍ମ ସମ୍ମୋହନ ରହିଥାଏ, ଯାହାରକି ଆଦୌ କୌଣସି ପ୍ରତିରୋଧ କରି ହୁଏନାହିଁ ଏବଂ ସେହି କାରଣରୁ ହିଁ ସମସ୍ତେ ତାହାର କେତେ ଉଚ୍ଚ ଉଚ୍ଚ ପ୍ରଶଂସା ମଧ୍ୟ କରିବାରେ ପ୍ରବୃତ୍ତ ହୋଇଥାଆନ୍ତି । ସେହି ସକାଶେ ପାଶ୍ଚାତ୍ୟ ହାସ୍ୟରସର ଲେଖକମାନେ ମଧ୍ୟ ଚାହାର ସୁଗନ୍ଧରୁ ଏତେ ଏତେ ପ୍ରେରଣା ପାଇ ଆପଣାର ବିଚାରଜଗତଟିକୁ କେତେପ୍ରକାରେ ସୁରଭିତ କରି ପାରିଛନ୍ତି ! ସେହି ସୁଗନ୍ଧଟିରେ ସୁରାର କୌଣସି ଉଗ୍ରତା ନଥାଏ, କଫିର ଆତ୍ମସଚେତନତା ମଧ ନଥାଏ ଅଥବା କୋକୋର ଦାନ୍ତନିକୁଟା ନିରୀହଭାବଟା ବି ମୋଟେ ଦେଖୁବାକୁ ମିଳେନାହିଁ । ସେହି ସେକାଳରେ ୧୭୧୧ ଖ୍ରୀଷ୍ଟାବ୍ଦରେ ମଧ୍ୟ ଇଂଲଣ୍ଡର ସ୍ପେକ୍ଟାଟର ଖବରକାଗଜ ବି ଲେଖିଛି ‘‘ମୁଁ ତ ଏକ ଖାସ୍ ଶୈଳୀରେ ଭଦ୍ର ତଥା ଉତ୍ତମ ସବୁ ପରିବାରଙ୍କ ନିମନ୍ତେ ନିଜର ଏହି ବିଚାରଗୁଡ଼ିକୁ ବାଢ଼ି ଦେଇ କହିବି ଯେ, ସେମାନେ ପ୍ରତ୍ୟହ ସକାଳେ ଚାହା, ପାଉରୁଟୀ ଓ ଲହୁଣୀ ନିମନ୍ତେ ଏକଘଣ୍ଟା ସମୟ ଦିଅନ୍ତୁ । ସେମାନଙ୍କୁ ମୋ ଅନ୍ତର ଭିତରୁ ହିଁ ଏହି ଅନୁରୋଧଟି କରିବି ଯେ, ସେମାନେ ଠିକ୍ ସେହି ସମୟରେ ଆମ କାଗଜଟିକୁ ଖୋଲି ପାଠ କରିବାର ନିୟମଟିର ପାଳନ କରନ୍ତୁ,–ଅର୍ଥାତ୍ ଏହାକୁ ସେହି ଚାହା-ଅବସରଟିର ଏକ ଅପରିହାର୍ଯ୍ୟ ଅଂଶରେ ହିଁ ପରିଣତ କରି ରଖନ୍ତୁ ।’’ ପୁନଶ୍ଚ, ଶ୍ରୀ ସାମୁଏଲ୍ ଜନ୍‌ସନ୍ । ନିଜର ଯେଉଁ ପରିଚୟଟିକୁ ଆପେ ଲିପିବଦ୍ଧ କରି ଯାଇଛନ୍ତି, ସେଥିରେ ସେ ଆପଣାକୁ ଏପରି ଜଣେ “ନିପଟ ଏବଂ ନିର୍ଲଜ୍ଜ ଚାହାପାନକାରୀ” ବୋଲି କହିଛନ୍ତି ଯିଏକି “ଦୀର୍ଘ କୋଡ଼ିଏ ବର୍ଷ କାଳ ଆପଣା ଦିନମାନର ଭୋଜନଗୁଡ଼ିକ ସହିତ ଏହି ସମ୍ମୋହନକାରୀ ଉଦ୍ଭିଦରୁ ପ୍ରସ୍ତୁତ ପାନୀୟଟିକୁ ହିଁ ସଂଲଗ୍ନ କରି ରଖିଛି; ଯିଏ ଆପଣାର ସନ୍ଧ୍ୟାଟିକୁ ଆମୋଦିତ କରି ପାରିଛି । ନିଜର ରାତିଅଧର ନିର୍ଜନତାକୁ ସେହି ଚାହାଦ୍ୱାରା ହିଁ ସାନ୍ତ୍ୱନା ପ୍ରଦାନ କରିଛି ଏବଂ ସେହି ଚାହାର ମାଧ୍ୟମରେ ହିଁ ପ୍ରତ୍ୟହ ପ୍ରଭାତଟିକୁ ମଧ୍ୟ ସ୍ୱାଗତ କରି ଆଣିଛି ।”

 

ଚାହାପାନ କରିବାର ଜଣେ ସୁବିଦିତ ଭକ୍ତ ଚାର୍ଲସ୍ ଲ୍ୟାମ୍ବ ଚାହାବାଦ ବିଷୟରେ ପୂରା ଠିକ୍ କଥାଟିକୁ କହିଛନ୍ତି । କାରଣ ସେ ଏକଦା ଲେଖିଛନ୍ତି ଯେ ଲୁଚିଲୁଚି କୌଣସି ଭଲ କାର୍ଯ୍ୟଟିଏ କରିବାରୁ ହିଁ ସେ ନିଜ ଜୀବନର ସର୍ବବୃହତ୍ ଆନନ୍ଦଟିକୁ ଲାଭ କରିଛନ୍ତି । ଅକସ୍ମାତ୍ ଭାବରେ ହିଁ ସେହି କାର୍ଯ୍ୟଟି ଆସି ପହଞ୍ଚିଯାଇଛି ଏବଂ ସେ ସେଇଟିକୁ ସମ୍ପାଦନ କରିଛନ୍ତି । କାରଣ, ଏହି ଚାହାବାଦର ସାଧନାଟିରେ ହିଁ ସୌନ୍ଦର୍ଯ୍ୟଟିଏ ଗୁପ୍ତ ହୋଇ ରହିଥାଏ, ଯେପରିକି ତୁମେ ଚାହାଟିକୁ ପାନ କରି ସେହି ସୌନ୍ଦର୍ଯ୍ୟକୁ ଆବିଷ୍କାର କରି ପାରିବ । ତୁମେ ସାଧାରଣତଃ ଯାହାର ଆବିଷ୍କାର କରିବା ପାଇଁ ହୁଏତ ସାହସ ହିଁ କରନ୍ତନାହିଁ, ଚାହାପାନଦ୍ୱାରା ତୁମକୁ ସତେଅବା କେଉଁଠୁ ତାହାରି ପ୍ରେରଣା ହିଁ ମିଳି ଯାଉଥାଏ । ହଁ, ଏଥିରେ ନିଜକୁ ହସି ପାରିବାର ଭବ୍ୟ ଗୋପନରହସ୍ୟଟି ନିହିତ ହୋଇ ରହିଥାଏ । ଅତ୍ୟନ୍ତ ସ୍ଥିର ଭାବରେ ଅତ୍ୟନ୍ତ ଏକାବେଳେକେ ଅକୃପଣ ଭାବରେ । ଏବଂ, ଏଇଟି ହିଁ ତ ଅସଲ ବିନୋଦର ସେହି ଅନୁଭୂତି,–ଜୀବନଦର୍ଶନର ଅସଲ ହସଟି । ଏହି ଅର୍ଥରେ ଆମେ ସକଳ ପ୍ରକୃତ ହାସ୍ୟରସ ଲେଖକଙ୍କୁ ଚାହା-ଜଗତର ଜଣେ ଜଣେ ଦାର୍ଶନିକ ବୋଲି ନିଶ୍ଚୟ କହିପାରିବା । ଉଦାହରଣ ସ୍ୱରୂପ ଥାକରେ ଏବଂ ଆହୁରି ସୁନିଶ୍ଚିତ ଭାବରେ ସେକ୍‌ସପିଅର । ଅବକ୍ଷୟ-ଯୁଗର କବିମାନେ (ଏବଂ ଆମର ଏହି ପୃଥିବୀଟି ପ୍ରକୃତରେ କେତେବେଳେ ଅବକ୍ଷୟମୁକ୍ତ ହୋଇ ରହିଥିଲା କହନ୍ତୁ ତ !) ବସ୍ତୁବାଦ ବିରୋଧରେ ସେମାନେ କରିଥିବା ଯାବତୀୟ ପ୍ରତିବାଦରେ ଗୋଟିଏ ପ୍ରକାରେ ସେହି ଚାହାବାଦ ଉଦ୍ଦେଶ୍ୟରେ ହିଁ ମାର୍ଗଟିରୁ ବେଶ୍ ଖୋଲି ଦେଇଛନ୍ତି । ସମ୍ଭବତଃ ଏବେ ମଧ୍ୟ ଆମର ନାନା ଅପରିପୂର୍ଣ୍ଣତା ବିଷୟରେ ଆମେ ଯେଉଁ ଗାମ୍ଭୀର୍ଯ୍ୟପୂର୍ଣ୍ଣ ମନନଟିକୁ କରିବାରେ ଲାଗିଛୁ, ତାହାରିଦ୍ୱାରା ପ୍ରେରିତ ହୋଇ ପାଶ୍ଚାତ୍ୟ ତଥା ପ୍ରାଚ୍ୟ ପରସ୍ପରର ନିକଟବର୍ତ୍ତୀ ହୋଇ ଆସିବେ ଏବଂ ଜଣେ ଅପରକୁ ସାନ୍ତ୍ୱନା ମଧ୍ୟ ଦେଇ ପାରିବେ ।

 

ଚୀନ୍ ଦେଶର ତାଓମାର୍ଗୀମାନେ ଏପରି ବର୍ଣ୍ଣନା କରନ୍ତି ଯେ, ଯେତେବେଳେ ସମ୍ପୂର୍ଣ୍ଣ କିଛିନାହିଁରୁ ସେହି ବୃହତ୍ କିଛିଟିର ଆରମ୍ଭ ହେଲା, ସେତେବେଳେ ଚେତନ ଆତ୍ମା ଓ ଅଚେତନ ଜଡ଼ ମଧ୍ୟରେ ଘୋର ପ୍ରାଣାନ୍ତକ ସଂଗ୍ରାମଟିଏ ହିଁ ହୋଇଥିଲା । ପରିଶେଷରେ ସ୍ୱର୍ଗର ସୂର୍ଯ୍ୟଦେବ ସେହି ପୀତବର୍ଣ୍ଣ ସମ୍ରାଟ ଅନ୍ଧକାର ତଥା ଏହି ମର୍ତ୍ତ୍ୟ ପୃଥବୀ ରୂପୀ ଅସୁର ଉପରେ ବିଜୟ ହାସଲ କରିଥିଲେ । ଏବଂ ସେହି ଅସୁରଟା ମୃତ୍ୟୁବେଳର ଘୋର ଯନ୍ତ୍ରଣାରେ ଚିତ୍କାର କରୁଥିବା ସମୟରେ ତା’ ମୁଣ୍ଡଟା ଯାଇ ସୂର୍ଯ୍ୟଙ୍କର ଅର୍ଦ୍ଧଚକ୍ରାକାର ତୋରଣଟି ଉପରେ ଢ଼ୁ କରି ପିଟିହୋଇ ଯାଇଥିଲା ଏବଂ ମୁକ୍ତା ନିର୍ମିତ ସେହି ନୀଳବର୍ଣ ଗଢ଼ଣଟି ତଦ୍ୱରା ଭାଙ୍ଗି ଚୁନା ହୋଇ ଯାଇଥିଲା । ତାରାମାନେ ନିଜ ନିଜ ନୀଡ଼ାଶ୍ରୟ ମଧ୍ୟରୁ ବାହାରକୁ ଛିଡ଼ିକି ପଡ଼ିଥିଲେ ଏବଂ ଚନ୍ଦ୍ରମା ମଧ୍ୟ ନିତାନ୍ତ ଲକ୍ଷ୍ୟହୀନ ଭାବରେ ରାତ୍ରିର ପଥହୀନ ଖାଇଗୁଡ଼ିକ ମଧ୍ୟରେ ବୁଲିବାକୁ ଆରମ୍ଭ କଲା । କୌଣସି ଉଦ୍ଧାରପଥ ନପାଇ ପୀତବର୍ଣ୍ଣ ସମ୍ରାଟ ସ୍ୱର୍ଗରାଜ୍ୟର ପୁନର୍ବାର ଗଢ଼ିଦେଇ ପାରୁଥିବା କାରିଗରଟିକୁ କେତେ ନା କେତେ ଆଡ଼େ ଖୋଜିବାକୁ ଆରମ୍ଭ କରି ଦେଇଥିଲେ । ତାଙ୍କର ସେହି ଅନ୍ୱେଷଣ ଅବଶ୍ୟ ଆଦୌ ବ୍ୟର୍ଥ ହୋଇ ନଥିଲା । ପୂର୍ବଦିଗର ସମୁଦ୍ର ମଧ୍ୟରୁ ଜଣେ ରାଣୀଙ୍କର ଆବିର୍ଭାବ ହେଲା, ସେହି ଦିବ୍ୟମୂର୍ତ୍ତି ରାଣୀ ନୁ ୱାଙ୍କର । ତାଙ୍କର ମସ୍ତକରେ ସିଙ୍ଗର ଆକାର ଥିବା ମୁକୁଟଟିଏ ଏବଂ ଅଜଗର ସର୍ପରୂପୀ ସଂଲଗ୍ନ ଲାଙ୍ଗୁଳଟିଏ । ନିଜର ଅଗ୍ନିମୟ ଅସ୍ତ୍ର ହେତୁ ସେ ଉଜ୍ଜ୍ୱଳ ଓ ପ୍ରଭାମୟ ହୋଇ ଦୃଷ୍ଟିଗୋଚର ହୋଇ ଆସିଲେ । ନିଜର ଯାଦୁଶକ୍ତି ରହିଥିବା କଡ଼ାଇଟି ମଧ୍ୟରେ ସେ ଆପଣାର ପାଞ୍ଚରଙ୍ଗ ବିଶିଷ୍ଟ ଇନ୍ଦ୍ରଧନୁଟିକୁ ଚାଳିତ କରି ଆଣିଲେ ଏବଂ ଚୀନ୍‌ର ଆକାଶଟିକୁ ପୁନର୍ବାର ଗଠନ କରିଦେଲେ । ମାତ୍ର, ଏପରି ମଧ୍ୟ କୁହାଯାଇଛି ଯେ, ସେତେବେଳେ ନୁ ୱା ନୀଳଆକାଶର ଦୁଇଟି ଛୋଟ ଫାଟକୁ ପୂର୍ଣ୍ଣ କରିବାକୁ ପାସୋରି ଦେଇଥିଲେ ଏବଂ ସେଇଥିରୁ ହିଁ ପ୍ରେମର ଜଗତରେ ରହିଥିବା ଦ୍ୱୈତବାଦଟି ମଧ୍ୟ ଜନ୍ମଲାଭ କଲା, - ଅର୍ଥାତ, ଦୁଇଟି ଆତ୍ମା ଶୂନ୍ୟମଣ୍ଡଳରେ କେବଳ ଅବିଶ୍ରନ୍ତ ଭାବରେ ପୃଥିବୀର ପରିପୂର୍ଣ୍ଣ ନିର୍ମାଣ ଲାଗି ଏକାଠି ଯୋଡ଼ିହେବା ଯାଏ ଗଡ଼ଗଡ଼ ହେବାକୁ ଲାଗିଲେ । ଏବଂ, ପ୍ରତ୍ୟେକ ମନୁଷ୍ୟକୁ ହିଁ ନୂତନ କରି ଆପଣାର ଆଶା ଏବଂ ଶାନ୍ତିରୂପକ ଆକାଶକୁ ଅବଶ୍ୟ, ଗଢ଼ି ଆଣିବାକୁ ପଡ଼ିବ ।

 

ଆଧୁନିକ ମନୁଷ୍ୟ-ସମାଜରୂପୀ ସ୍ଵର୍ଗଟି ବସ୍ତୁତଃ ବର୍ତ୍ତମାନ ଖଣ୍ଡଖଣ୍ଡ ହୋଇ ଯାଇଛି । ଧନ ଏବଂ କ୍ଷମତା ନିମନ୍ତେ ସଂଘର୍ଷରତ ହୋଇ ସେଇଟି ଏପରି ଖଣ୍ଡଖଣ୍ଡ ହୋଇ ପଡ଼ିଛି । ନାନା ଅହଂକାରିତା ଓ ଅଶିଷ୍ଟର କାଳଛାୟାଟା ମଧ୍ୟରେ ପୃଥିବୀ ପଥଟିଏ ପାଇବାର ଆଶାରେ ଅଣ୍ଡାଳି ହେଉଛି । ଏକ ମନ୍ଦ ବିବେକର ଅଧୀନ ରହି ଯାବତୀୟ ଜ୍ଞାନର କର୍ଷଣ ହେଉଛି ଓ ତୁଚ୍ଛା ପ୍ରୟୋଜନଗୁଡ଼ିକର ସିଦ୍ଧି ନିମନ୍ତେ ଉଦାରତାର ଆଚରଣ କରାଯାଉଛି । ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ସତେ ଅବା କୌଣସି ଘୋର ବିକ୍ଷୁବ୍ଧତାର ସମୁଦ୍ର ମଧ୍ୟରେ ଦୁଇଟି ଡ୍ରାଗନ୍ ସଦୃଶ ଧାବମାନ ହୋଇ ରହିଛନ୍ତି ଓ ଜୀବନରୂପୀ ସେହି ରତ୍ନଟିକୁ ପୁଣି ଫେରିପାଇବେ ବୋଲି ବୃଥା ଚେଷ୍ଟା ହିଁ କରୁଛନ୍ତି । ଜଣେ ନୁ ୱାର ପୁନର୍ବାର ଏକ ପ୍ରୟୋଜନ ତେଣୁ ରହିଛି ଯିଏକି ଏହି ଏଡ଼େ ବୃହତ୍ ସର୍ବନାଶଟାକୁ ପୁନର୍ବାର ସଜାଡ଼ି ଦେଇ ପାରିବ । ହଁ, ଆମେ ସମସ୍ତେ ସେହି ଅବତାରର ଆବିର୍ଭାବ ନିମନ୍ତେ ଅପେକ୍ଷା କରି ରହିଛୁ । ଏବଂ, ସେହି ବୃହତ୍ ମୁହୂର୍ତ୍ତଟି ଆସି ପହଞ୍ଚିବା ପର୍ଯ୍ୟନ୍ତ ଚାଲ ଏକାଠି ବସି ଚାହା ପାନ କରିବା । ଅପରାହ୍ନ ସମୟର ଏହି ସୂର୍ଯ୍ୟାଲୋକ ପରି ବାଉଁଶଗଛର ବୁଦାମାନେ କେଡ଼େ ଚକଚକ ଦେଖା ଯାଉଛନ୍ତି, ଝରଣାଗୁଡ଼ିକ କି ଆନନ୍ଦରେ କଳକଳ ହୋଇ ବହିଯାଉଛନ୍ତି; ଆମ କେଟଲିଟିରୁ ମଧ୍ୟ ଝାଉଁବଣର ସେହି ମଧୁର ସୁ’ସୁ’ ଶବ୍ଦଟି ଖୁବ୍‌ ଶୁଣାଯାଉଛି । ଚାଲ, ଆମେ ଏହି ସବୁକିଛିର କ୍ଷଣସ୍ଥାୟିତା ବିଷୟରେ ସ୍ଵପ୍ନ ଦେଖିବା ଏବଂ ଯାବତୀୟ ବସ୍ତୁର ସେହି କେଡ଼େ ସୌନ୍ଦର୍ଯ୍ୟଭରା ନିର୍ବୋଧତା ବିଷୟରେ ମଧ୍ୟ ଦଣ୍ଡେ ଅଟକି ବିଚାର କରିବା ।

Image

 

ଚାହାର ନାନା ବର୍ଗ

 

ଚାହା ପ୍ରସ୍ତୁତ କରିବା ହେଉଛି ସକଳ ଅର୍ଥରେ ଗୋଟିଏ କଳାତ୍ମକ କାର୍ଯ୍ୟ ଏବଂ ସେହିଭଳି ଜଣେ ବ୍ୟକ୍ତିର ନିପୁଣ ହାତ ନହେଲେ ଚାହାର ଭବ୍ୟତମ ଗୁଣଗୁଡ଼ିକୁ ସେଥିରେ ସମ୍ଭବ କରି ଆଣିବା ଆଦୌ ସମ୍ଭବ ହୁଏ ନାହିଁ । ହଁ, ଭଲ ଚାହା ଭଳି ମନ୍ଦ ଚାହା ମଧ୍ୟ ରହିଛି,–ଠିକ୍ ଯେପରି ଭଲ ଛବି ରହିଛନ୍ତି, ଏବଂ ଖରାପ ଛବି ମଧ୍ୟ ରହିଛନ୍ତି । ସଚରାଚର ସେହି ମନ୍ଦ ଛବିଚିତ୍ର ଗୁଡ଼ାକ ତ ଅଧିକ ସଂଖ୍ୟାରେ ହିଁ ରହିଥାଆନ୍ତି । ସର୍ବୋତ୍ତମ ସ୍ତରର ଚାହାକୁ ପ୍ରସ୍ତୁତ କରିବାର ଅବଶ୍ୟ କେବଳ ଗୋଟିଏ ମାତ୍ର ପଦ୍ଧତି କେବେ ନଥିଲା କିମ୍ବା ଏବେ ମଧ୍ୟ କେଉଁଠାରେ ନାହିଁ । ଠିକ୍ ଯେପରି ଜଣେ ଉତ୍ତମ ଏବଂ ସୁକୌଶଳୀ ଚିତ୍ରଶିଳ୍ପୀ ସମ୍ଭବ କରି ପାରିବାଲାଗି କୌଣସି ଖାସ୍ କେତେଟା ସୂତ୍ର ମଧ୍ୟ ନାହିଁ । ତେଣୁ, ଚାହାପତ୍ରକୁ ବ୍ୟବହାର କରି ଉତ୍ତମ ପାନୀୟଟିଏ ସମ୍ଭବ କରିବାର ବି ବିଶେଷ ବିଶେଷ ଧରଣ ସର୍ବଦା ରହିବ ହିଁ ରହିବ । କେତେ ପାଣି ଦେବାକୁ ପଡ଼ିବ, କେତେ ଜାଳ ଦେବାକୁ ହେବ, କେଉଁ ଚାହାପତ୍ରର ବଂଶଗତ ଚରିତ୍ରଟିକୁ ମଧ୍ୟ ହେତୁରେ ରଖିବାକୁ ହେବ, ପ୍ରତ୍ୟେକଟିର ଏହିଭଳି ଭଳି ଭଳି କାହାଣୀ ଅବଶ୍ୟ ରହିଛି । ହଁ, ଯେଉଁ ପ୍ରଣାଳୀରେ ତୁମେ ସେହି ଚାହାକୁ ତିଆରି କରୁଥାଅ ପଛକେ, ସେଥିରେ ଅସଲ ସୌନ୍ଦର୍ଯ୍ୟଟି ନିଶ୍ଚୟ ରହିଥିବା ଉଚିତ-। କଳା ତଥା ଜୀବନର ଏହି ସହଜ ଏବଂ ସର୍ବମୂଳ ନିୟମଟିକୁ ସ୍ୱୀକାର ନକରି ପାରିବା ହେତୁ ଗୋଟିଏ ସମାଜ ଯେ କିପରି ବିଫଳ ହେବାରେ ଲାଗିଥାଏ ଏବଂ ଆମେ ସେଥିପାଇଁ ନାନା ଦୁଃଖରେ ଘାଣ୍ଟି ହେବାରେ ଲାଗିଥାଉ, ସେକଥାଟି ପ୍ରକୃତରେ କାହାପାଖରେ ଅଜଣା ହୋଇ ରହିଛି-। ସୁଙ୍ଗ୍‌ ରାଜତ୍ୱକାଳର ଜଣେ କବି ଲି ଟି-ଲାଇ କେତେ ଖେଦ ପ୍ରକଟ କରି କହିଛନ୍ତି ଯେ ଆମ ପୃଥିବୀରେ ତିନୋଟି ଅତ୍ୟନ୍ତ ଦୁଃଖଦାୟକ କଥା ରହିଛି: ଅନୁଚିତ ଶିକ୍ଷାଦାନ ଦ୍ଵାରା ଶକ୍ତିମନ୍ତ ଯୁବକମାନଙ୍କର ଜୀବନକୁ ବରବାଦ କରିଦେବା, ଶିଷ୍ଟତାବର୍ଜିତ ପ୍ରଶଂସାଗାନଦ୍ୱାରା ସୁନ୍ଦର ଚିତ୍ରଛବି ଗୁଡ଼ିକର ମୂଲ୍ୟରେ ହାନି ଘଟାଇବା ଏବଂ ଯଥାର୍ଥ ପ୍ରଣାଳୀଟିକୁ ନଜାଣି ଭଲ ଚାହାଗୁଡ଼ାକୁ ତୁଚ୍ଛା ନଷ୍ଟ ହିଁ କରିବା ।

 

ଠିକ୍ ଚିତ୍ରିତ କଳାର କ୍ଷେତ୍ରରେ ଯେମିତି, ଚାହାର ମଧ୍ୟ ସେହିଭଳି କାଳମାନ ରହିଛି, ଭିନ୍ନ ଭିନ୍ନ ଶୈଳୀଗତ ମାର୍ଗମାନ ମଧ୍ୟ ରହିଆସିଛି । ସେହି ଇତିହାସଟିକୁ ମୋଟାମୋଟି ତିନୋଟି ମୁଖ୍ୟ ପର୍ଯ୍ୟାୟରେ ବିଭକ୍ତ କରି ଦେଖାଯାଇ ପାରିବ: ଫୁଟା ଚାହା, ଫେଣ୍ଟା ଚାହା ଏବଂ ଭିଜା ଚାହା-। ଆମେ ଆଧୁନିକମାନେ ଏହି ଶେଷଟି ସହିତ ହିଁ ଅଭ୍ୟସ୍ତ ରହିଥାଉ । ପାନୀୟଟିକୁ ଆସ୍ୱାଦନ କରି ତାହାର ସୁଆଦଟିକୁ ହୃଦୟଙ୍ଗମ କରିବାର ଯେଉଁ ଏକାଧିକ ପ୍ରଣାଳୀ ରହିଛି, ସେଇଥିରୁ ହିଁ ସେଗୁଡ଼ିକ ଅଧିକ ସ୍ୱୀକୃତି ଲାଭ କରିଥିବାର କାଳଗୁଡ଼ିକ ବିଷୟରେ ମଧ୍ୟ ବେଶ୍ ସୂଚନା ମିଳି ଯାଇଥାଏ । କାରଣ, ଜୀବନ କହିଲେ ତ ନ୍ୟାୟତଃ ଏକ ବିଶେଷ ଢ଼ଙ୍ଗର ଅଭିବ୍ୟକ୍ତିକୁ ବୁଝାଇଥାଏ; ଆମେ ଅନେକ ସମୟରେ ପ୍ରାୟ ଅଚେତନ ଭାବରେ ଯେଉଁସବୁ କାର୍ଯ୍ୟ କରିପକାଉ, ସେଗୁଡ଼ିକ ସେହି ସବୁଯାକ ଦୃଷ୍ଟାନ୍ତରେ ହିଁ ଆମ ଅନ୍ତର୍ଗତତମ ଭାବନାଗୁଡ଼ିକୁ ପ୍ରକୃତରେ ବ୍ୟକ୍ତ କରି ଦେଉଥାନ୍ତି । “ଯେତେ ଚାହୁଥିଲେ ମଧ୍ୟ ଜଣେ ମନୁଷ୍ୟ ମୋଟେ କିଛି ବି ଲୁଚାଇ ରଖି ପାରେନାହିଁ’’ ବୋଲି ଏକଦା କନ୍‌ଫୁସିଅସ୍ କହିଥିଲେ । ସମ୍ଭବତଃ ଆପଣାର କ୍ଷୁଦ୍ର ବ୍ୟାପାରମାନଙ୍କର କ୍ଷେତ୍ରରେ ହିଁ ଆମେ ଆମର ପ୍ରକୃତ ପରିଚୟଗୁଡ଼ିକୁ ପ୍ରଦାନ କରିଥାଉ, କାରଣ ବୃହତ୍ ବ୍ୟାପାରଗୁଡ଼ିକରେ ଲୁଚାଇ ରଖିପାରିବାର ସେପରି ବେଶୀ କିଛି ଅବକାଶ ବି ନଥାଏ । ଦିନମାନ କର୍ମଚୟର ସାନ ଘଟଣାମାନେ ହିଁ ଆମର ସାମୂହିକ ଆଦର୍ଶଗୁଡ଼ିକର ଚରିତ୍ରଟିକୁ ପ୍ରକଟ କରି ଆଣନ୍ତି,–ଆମ ଉଚ୍ଚତମ ଦାର୍ଶନିକତା ତଥା ଆମଦ୍ୱାରା ଲିଖତ କବିତାଗୁଡ଼ିକର ଅସଲ ପରିଚୟକୁ ଆଣି ଦେଇଯାଆନ୍ତି । ଠିକ୍ ଯେପରି ଲୋକପ୍ରିୟ ଅଙ୍ଗୁର-କିସମଗୁଡ଼ିକରେ ରହିଥିବା ପାର୍ଥକ୍ୟରୁ ଇଉରୋପର ଭିନ୍ନ ଭିନ୍ନ କାଳ ଓ ଜାତିଚୟର ନାମ ତଥା ସ୍ଵଭାବଗତ ବୈଶିଷ୍ଟର ଢେର ଢେର ସୂଚନା ମିଳି ଯାଇଥାଏ, ସେହିପରି ଏହି ଚାହାପାନ ପଛରେ ରହିଥିବା ଭିନ୍ନ ଭିନ୍ନ ଆଦର୍ଶଗୁଡ଼ିକରୁ ବି ପ୍ରାଟ୍ୟ-ସଂସ୍କୃତିର ଭିନ୍ନ ଭିନ୍ନ ମିଜାଜଗୁଡ଼ିକର ଖାସ୍ ଚରିତ୍ରଗୁଡ଼ିକ ପ୍ରକଟ ହୋଇ ଆସିଥାଏ । ଯେଉଁ ମୁଣ୍ଡା ଚାହାକୁ ପାଣିରେ ମିଶାଇ ଫୁଟାଇବାକୁ ପଡ଼ୁଥିଲା, ଯେଉଁ ଗୁଣ୍ଡଚାହାକୁ ଫେଣ୍ଟିବାକୁ ହେଉଥିଲା ଏବଂ ଯେଉଁ ପତର ଚାହାକୁ ପାଣିରେ ଭିଜାଯାଉଥିଲା, ସେଗୁଡ଼ିକ ଯଥାକ୍ରମେ ଚୀନ୍‌ର ଟାଙ୍ଗ୍, ସୁଙ୍ଗ୍ ଏବଂ ମିଙ୍ଗ୍‌ ରାଜତ୍ୱକାଳର ବିଶେଷ ଅନ୍ତରାଗ୍ରହ ଗୁଡ଼ିକର ସ୍ପଷ୍ଟ ଆଭାସ ହିଁ ଆଣି ଦିଅନ୍ତି । ହଁ, ନାନା ପ୍ରକାରେ ଅପାତ୍ରଗୁଡ଼ିକରେ ଖୁବ୍ ବ୍ୟବହାର କରାଯାଇଥିବା କଳାର ବର୍ଗୀକରଣ ସହିତ ସଂପର୍କିତ ଶବ୍ଦଗୁଡ଼ିକୁ ବ୍ୟବହାର କରିବାକୁ ମନ କଲେ ଆମେ ସେହି ପର୍ଯ୍ୟାୟମାନଙ୍କୁ ଚାହା-କାହାଣୀର କ୍ଲାସିକ୍‌, ରୋମାଣ୍ଟିକ୍ ଏବଂ ପ୍ରକୃତିବାଦୀ ପର୍ବ ବୋଲି ହୁଏତ ଚିହ୍ନାଇଦେଇ ପାରିବା ।

 

ଚୀନ୍‌ଦେଶର ଦକ୍ଷିଣ ଭାଗରେ ଦେଖିବାକୁ ମିଳୁଥିବା ଚାହାଗଛ କାହିଁ କେତେ କାଳରୁ ହିଁ ସେହି ଦେଶର ଉଦ୍ଭିଦ-ବିଜ୍ଞାନରେ ତଥା ଔଷଧ-ବିଦ୍ୟାରେ ସୁପରିଚିତ ହୋଇ ରହିଆସିଛି । ସେକାଳର ସେହି ପୁରାତନ ଶାସ୍ତ୍ରମାନଙ୍କରେ ସେଇଟି ଟୋ’, ଶେ’, ଚୁଆନ୍‌, ଚିଆ ଏବଂ ମିଙ୍ଗ୍ ପ୍ରଭୃତି ବହୁ ନାମରେ ବର୍ଣ୍ଣିତ ହୋଇଛି । ସେହି ଚାହାକୁ ପାନ କଲେ କ୍ଲାନ୍ତିର ଉପଶମ ହୋଇଯାଏ, ତାହା ଆତ୍ମାଲାଗି ଆନନ୍ଦ ଆଣିଦିଏ, ଇଚ୍ଛାଶକ୍ତିକୁ ବହୁତ ବଳ ଆଣିଦିଏ ଏବଂ ଦୃଷ୍ଟିଶକ୍ତିର ସଂବର୍ଦ୍ଧନ କରାଏ ବୋଲି କହି କେତେ କେତେ ପ୍ରଶଂସା କରାଯାଇଛି । ସେକାଳେ ଯେ ଚାହାକୁ କେବଳ ଗୋଟିଏ ପାନୀୟ ରୂପେ ବ୍ୟବହାର କରାଯାଉଥିଲା ତା’ ନୁହେଁ, ବାତଜନିତ ଯନ୍ତ୍ରଣାଦିର ଆରୋଗ୍ୟ ନିମନ୍ତେ ତାହାର ଏକ ମଲମ ପରି ଶରୀରରେ ଲେପନ ମଧ୍ୟ ହେଉଥିଲା । ତାଓ-ବାଦୀମାନେ ଏହି ଚାହାକୁ ଅମରତ୍ୱ ଲାଭ କରିବାର ଅମୃତକୁ ତିଆରି କରିବାରେ ଏକ ଅନ୍ୟତମ ଦ୍ରବ୍ୟରୂପେ ବ୍ୟବହାର କରାଯାଇ ପାରୁଥିବାର ଦାବୀ ମଧ୍ୟ କରୁଥିଲେ । ଦୀର୍ଘ ସମୟ ଧ୍ୟାନରେ ବସିବା ସମୟରେ ବ୍ୟାଘାତ ସୃଷ୍ଟି କରୁଥିବା ନିଦ୍ରାଳୁତାର ଏକ ପ୍ରତିଶେଧକ ହିସାବରେ ବୌଦ୍ଧମାନେ ମଧ୍ୟ ବହୁଳ ପରିମାଣରେ ତାହାକୁ ବ୍ୟବହାର କରୁଥିଲେ ।

 

ଚତୁର୍ଥ ଓ ପଞ୍ଚମ ଶତାବ୍ଦୀ ବେଳକୁ ଚାହାପାନ ଚୀନ୍‌ର ୟାଙ୍ଗ-ସି-କିଆଙ୍ଗ ଉପତ୍ୟକାର ଅଧିବାସୀମାନଙ୍କ ମଧ୍ୟରେ ଏକ ଅତିପ୍ରିୟ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା । ପ୍ରାୟ ସେହି ସମୟ ବେଳକୁ ବର୍ତ୍ତମାନ ଲୋକମୁଖରେ ବ୍ୟବହୃତ ହେଉଥିବା ‘ଚାହା’ ଶବ୍ଦଚିତ୍ରଟିର ଆଗମନ ଘଟିଥିଲା, ତାହା ସ୍ପଷ୍ଟତଃ ‘ଦୋଉ’ ନାମକ ଶାସ୍ତ୍ରୀୟ ଶବ୍ଦଟିର ଅପଭ୍ରଂଶ ହିଁ ଥିଲା । ଦକ୍ଷିଣ ରାଜବଂଶ କାଳର କବିମାନେ ସେହି ‘ତରଳ ଓ ଉତ୍କଳ ମୁକ୍ତାଟିର । ପ୍ରଶଂସାରେ ଲେଖିଥିବା କେତେକ କବିତାର ଅବଶେଷ ଏବେ ମଧ୍ୟ ସନ୍ଧାନ କରିହେବ । ତା’ପରେ ସମ୍ରାଟମାନେ ମଧ୍ୟ ନିଜର ଉଚ୍ଚ ଅମାତ୍ୟମାନଙ୍କୁ ସେମାନଙ୍କର ବିଶେଷ ଭାବରେ ଉଲ୍ଲେଖନୀୟ ସେବାର ପୁରସ୍କାର ସ୍ୱରୂପ ଏହି ଚାହାପତ୍ରରୁ ପ୍ରସ୍ତୁତ ହୋଇଥିବା ବିରଳ ପ୍ରକାରଗୁଡ଼ିକୁ ଦାନ ବି କରିବାକୁ ଆରମ୍ଭ କଲେ । ତଥାପି, ସେତେବେଳେ ମଧ୍ୟ ଚାହାର ପ୍ରସ୍ତୁତି-ପ୍ରକ୍ରିୟା ନିତାନ୍ତ ଏକ ବର୍ବର ସ୍ତରରେ ଯାଇ ରହିଥିଲା । ପତ୍ରମାନଙ୍କୁ ପ୍ରଥମେ ବାମ୍ପଦ୍ୱାରା ସେକି ନିଆ ଯାଉଥିଲା, ଗୋଟିଏ ଖଲରେ ରଖି କୁଟା ଯାଉଥିଲା । ପିଠାମୁଣ୍ଡା ପରି ତାରି ନେଇ ତା’ପରେ ଚାଉଳ, ଅଦା, ଲୁଣ, ସନ୍ତରା ଚୋପା, ବିଭିନ୍ନ କିସମର ମସଲା, କ୍ଷୀର ଏବଂ କେତେ କ୍ଷେତ୍ରରେ ପିଆଜ ସହିତ ଏକାଠି ପାଣିରେ ନେଇ ସିଝା ବି ଯାଉଥିଲା । ବର୍ତ୍ତମାନ ମଧ୍ୟ ତିବ୍ଦତୀୟମାନେ ସେହି ଅଭ୍ୟାସଟିକୁ ତଥାପି ରଖିଛନ୍ତି, ମଙ୍ଗୋଲିଆର କେତେକେତେ ସ୍ଥାନୀୟ ସମୂହଙ୍କ ଭିତରେ ସେଇଟି ପ୍ରଚଳିତ ରହିଛି । ଏମାନେ ଏବେ ମଧ୍ୟ ଏହି ଯାବତୀୟ ପଦାର୍ଥକୁ ଏକତ୍ର ଚୁଲୀ ଉପରେ ସିଝାଇ ଗୋଟିଏ ବିଚିତ୍ର ପାନୀୟ ତିଆରି କରନ୍ତି । ହଁ, ରୁଷିଆର ଲୋକେ ଚୀନରୁ ସେହି ଦେଶକୁ ଯାଉଥିବା କାରାଭାନ୍‌ଗୁଡ଼ିକଠାରୁ ଚାହା ପିଇବା ଶିକ୍ଷା କରିଛନ୍ତି, ସେମାନେ ଏଥିରେ କାଗେଜୀଲେମ୍ବୁକୁ ଖଣ୍ଡ ଖଣ୍ଡ କରି କାଟି ସେଥସହିତ ଏକାଠି ସିଝାଇ ଦିଅନ୍ତି । ଏଥିରୁ ବେଶ୍ ଅନୁମାନ କରି ହେଉଛି ଯେ, ସେହି ପୁରାତନ ପ୍ରଣାଳୀଟି ଏବେ ମଧ୍ୟ ଚଳୁଛି-

 

ଟାଙ୍ଗ୍ ରାଜବଂଶ-କାଳରେ ଯାଇ ବିଶେଷ ବିଚାରବୁଦ୍ଧି ଖଟାଇ ଚାହାକୁ ତାହାର ସେହି ସେକାଳର ପ୍ରସ୍ତୁତି-ପ୍ରଣାଳୀରୁ ମୁକ୍ତ କରି ଅଣାଯାଇ ପାରିଥିଲା । ଏବଂ, ପରିଶେଷରେ ସେହି ନୂତନ ପ୍ରଣାଳୀଟି ହିଁ ସର୍ବୋତ୍ତମ ବୋଲି ସ୍ଵୀକୃତ ହେଲା ଏବଂ ତିଷ୍ଠି ରହିଲା । ଅଷ୍ଟମ ଶତାବ୍ଦୀର ମଧ୍ୟଭାଗରେ ଆବିର୍ଭୂତ ହୋଇଥିବା ଲୁ-ଉଙ୍କୁ ହିଁ ଆମେ ଚାହାଚଳଣିର ସର୍ବପ୍ରଥମ ବାର୍ତ୍ତାବହ ବୋଲି କହି ପାରିବା । ସିଏ ଯେଉଁ ଯୁଗରେ ଜନ୍ମଗ୍ରହଣ କରିଥଲେ, ସେତେବେଳେ ବୌଦ୍ଧ, ତାଓ ଏବଂ କନ୍‌ଫୁସିଅସୀୟ ତିନୋଟିଯାକ ମାର୍ଗ ମଧ୍ୟରେ ଏକ ସମନ୍ୱୟ ସମ୍ଭବ କରି ଆଣିବାର ପ୍ରୟାସ କରାଯାଉଥିଲା । ସେହି କାଳପର୍ଯ୍ୟାୟଟିର ସର୍ବେଶ୍ୱରବାଦୀ ପ୍ରତୀକ ଉପାସନାମାନ ସେହି ସମୟର ମନୁଷ୍ୟମାନଙ୍କୁ ଏକ ମଧ୍ୟରେ ସମଗ୍ର ବିଶ୍ଵଗତଟି ହିଁ ପ୍ରତିଫଳିତ ହୋଇଛି ବୋଲି ଅନୁଭବ କରିବା ସକାଶେ ଖୁବ୍ ପ୍ରେରଣା ଦେଉଥିଲେ । ଜଣେ କବି ରୂପେ ପରିଚିତ ଲୁ-ଉ ଚାହାପାନ ଏବଂ ପରିବେଷଣରେ ମଧ୍ୟ ସେହି ସମଞ୍ଜସତାଟି ନିହିତ ହୋଇ ରହିଥିବାର ଅନୁଭବ କଲେ । ଏଥିରେ ସେ ଏପରି ଏକ ଶୃଙ୍ଖଳା ଅବଶ୍ୟ ରହିଥିବାର ଦେଖିଲେ, ଯାହାକି ପରବର୍ତ୍ତୀ ଯାବତୀୟ ପରିବର୍ତ୍ତନ ମଧ୍ୟରେ ପ୍ରେରକରୂପେ ବିଦ୍ୟମାନ ରହିଥିଲା । ଆପଣାର ସୁବିଖ୍ୟାତ ପୁସ୍ତକ ‘ଚା-ଚିଙ୍ଗ (ଚାହାର ପବିତ୍ର ପୁସ୍ତକ)ରେ ସେ ଚାହା-ଅନୁଷ୍ଠାନର ବିଧାନଗୁଡ଼ିକୁ ସୂତ୍ରବଦ୍ଧ କରି ଆଣିଥିଲେ । ସେହି ସମୟରୁ ହିଁ ଚୀନ୍ ଦେଶର ଚାହା-ବିପଣନକାରୀମାନେ ତାଙ୍କୁ ସେମାନଙ୍କର ଅଧିଷ୍ଠାତା ଦେବତାରୂପେ ପୂଜା କରି ଆସୁଛନ୍ତି ।

 

ଚା’-ଚିଙ୍ଗ୍‌ ଗ୍ରନ୍ଥଟିରେ ତିନିଗୋଟି ଖଣ୍ଡ ରହିଛି ଏବଂ ମୋଟ ଦଶଗୋଟି ଅଧ୍ୟାୟ ଅଛି । ପ୍ରଥମ ଅଧ୍ୟାୟରେ ଲୁ-ଉ ଚାହା-ଗଛ ବିଷୟରେ ଚର୍ଚ୍ଚ କରିଛନ୍ତି, ଦ୍ୱିତୀୟଟିରେ ଚାହାପତ୍ରଗୁଡ଼ିକୁ ଗଛରୁ ତୋଳି ଆଣିବାର ଉପକରଣଗୁଡ଼ିକର ବର୍ଣ୍ଣନା ଦେଇଛନ୍ତି, ତୃତୀୟ ଅଧ୍ୟାୟରେ ପତ୍ରଗୁଡ଼ିକ ଉଚିତ ପ୍ରଣାଳୀରେ ବାଛିପାରିବା ବିଷୟରେ । ତାଙ୍କର କହିବା ଅନୁସାରେ ସବୁଠାରୁ ଉତ୍କୃଷ୍ଟ ପତ୍ରମାନେ ତାତାର ଅଶ୍ଵାରୋହୀମାନଙ୍କର ଗୋଡ଼ର ବୁଟ୍‌ଜୋତା ପରି ଧାରଗୁଡ଼ିକରେ ଅବଶ୍ୟ ମୋଡ଼ି ମୋଡ଼ି ହୋଇଥିବେ, ଠିକ୍ ଗୋଟାଏ ବଳୁଆ ବଳଦର ବେକର କମଳଟି ପରି ବଙ୍କା ବଙ୍କା ଦେଖାଯାଉଥିବେ,–ସତେଅବା କୌଣସି ପଥରର ଘାଟି ଭିତରୁ କୁହୁଡ଼ିର ପରସ୍ତଟିଏ ଉଠି ଆସୁଥିବା ପରି ଦିଶୁଥିବେ, ଉପରେ ଚଞ୍ଚଳ ପବନଟିଏ ବହି ଯାଉଥିବା କୌଣସି ହ୍ରଦ ପରି ଚକ୍‌ଚକ୍‌ ମଧ୍ୟ ହେଉଥିବେ । ହଁ, ଓଦା ଓଦା ଲାଗୁଥିବ, କଅଁଳ ବି ହୋଇଥିବ,–ଅସରାଏ ବର୍ଷାପରେ ବା ଝୁରଝୁରିଆ ଅରାଏ ମାଟିପରି ।

 

ଚତୁର୍ଥ ଅଧ୍ୟାୟଟିରେ ଚାହା ପ୍ରସ୍ତୁତ କରିବାର ସମ୍ପୂର୍ଣ୍ଣ ସାଜଟି ବିଷୟରେ ଏକ ତାଲିକା ସହିତ ଦୀର୍ଘ ବର୍ଣ୍ଣନାଟିଏ ରହିଛି । ଏକାବେଳେକେ ଚାହା ତିଆରି କରିବାର ତିନିଗୋଡ଼ିଆ ଚୂଲୀଠାରୁ ଆରମ୍ଭ କରି ଏହି ସବୁଯାକ ସାଜକୁ ଧରି ରଖିବାର ବାଉଁଶ-ନିର୍ମିତ ଥାକଟି ପର୍ଯ୍ୟନ୍ତ । ଏଠାରେ ଆମେ ଲୁ-ଉଙ୍କର ଭାବନା ଭିତରେ ତାଓ-ମାର୍ଗର ପ୍ରତୀକଗୁଡ଼ିକ ପ୍ରତି ଏକ ବିଶେଷ ଅଭିରୁଚି ରହିଥିବାର ସ୍ପଷ୍ଟ ଦେଖିବାକୁ ଅବଶ୍ୟ ପାଇଯିବା । ପୁନଶ୍ଚ, ବେଶ୍ କୌତୁହଳର ବିଷୟଟିଏ ଯେ, ଏଠାରେ ଚାହାର ବ୍ୟବହାରଟି ଚୀନ୍‌ର ସେରାମିକ ଶିଳ୍ପ ଉପରେ ମଧ୍ୟ କିପରି ପ୍ରଭାବ ପକାଇଛି, ଆମେ ତାହାର ଅଭାସ ମଧ୍ୟ ପାଇଯିବା । ଏହି ଅପୂର୍ବ ଦ୍ରବ୍ୟ ପୋର୍ସିଲେନ୍, ଯେପରି ଏକ ହରିତବର୍ଣ୍ଣ ଉତ୍କୃଷ୍ଟ ଛାୟାଭାସକୁ ପ୍ରତିଫଳିତ କରି ଅଣାଯାଇ ପାରିବ, ସେହି ପ୍ରଣାଳୀଟିକୁ ଉଦ୍‌ଭାବିତ କରି ଆଣିବ, ସେଥିନିମନ୍ତେ ଏକ ପ୍ରଚେଷ୍ଟା ହେଉଥିବା ସମୟରେ ହିଁ ତାହାର ପ୍ରଥମ ଆବିଷ୍କାର ସମ୍ଭବ ହୋଇଥିଲା । ତାହାରି ଫଳରେ ହିଁ ଟାଙ୍ଗ୍‌ ରାଜବଂଶ ଅମଳରେ ଦକ୍ଷିଣ ଚୀନ୍‌ରେ ଏକ ନୀଳାଭ ଓ ଉତ୍ତର ଚୀନ୍‌ରେ ଶୁଭ୍ରବର୍ଣ୍ଣ ପାରଦର୍ଶକତା ସମ୍ଭବ କରାଇ ଆଣିବାରେ ସଫଳତା ମିଳିଯାଇଥିଲା । ଲୁ-ଉ ଚାହାକପ୍ ଉପରେ ସେହି ନୀଳବର୍ଣ୍ଣଟି ହିଁ ରହିଲେ ତାହା ଆଦର୍ଶସ୍ଥାନୀୟ ହେବ ବୋଲି ଭାବିଥିଲେ, କାରଣ ତଦ୍ଦ୍ୱାରା ପାନ କରାଯାଉଥିବା ଚାହା କିଞ୍ଚିତ୍ ଅଧିକ ପରିମାଣରେ ସବୁଜ ହୋଇ ଦିଶିପାରିଲା ଏବଂ ଅନ୍ୟ ପକ୍ଷରେ ଧଳାରଙ୍ଗଟା ଗୋଲାପୀ ରଙ୍ଗର ଈଷତ୍ ଛାପଟାଏ ଆଣି ଦେଉଥିବାରୁ ଖୁବ୍ ଅରୁଚିକର ବୋଧ ହୋଇଥିଲା । ଏପରି ହେଉଥିଲା, କାରଣ ସିଏ ମୁଣ୍ଡା ତିଆରି କରାହୋଇଥିବା ଚାହା ବ୍ୟବହାର କରୁଥିଲେ । ପରେ, ଯେତେବେଳେ ସୁଙ୍ଗ୍‌-ରାଜତ୍ୱକାଳର ଚାହାଅଭିଜ୍ଞମାନେ ଗୁଣ୍ଡ ଚାହା ବ୍ୟବହାର କରାଇଲେ, ସେତେବେଳେ ସେମାନେ ବଡ଼ ବଡ଼ ପାତ୍ରରେ ନୀଳ, କୃଷ୍ଣ ଓ ଗାଢ଼-ବାଦାମୀ ରଙ୍ଗର ଚାହାଲାଗି ଅଧିକ ରୁଚି ଦେଖାଇଥିଲେ । ଏବଂ, ମିଙ୍ଗ୍ ଅମଳରେ ଓଦା ଚାହାର ପ୍ରଚଳନ ହେବାରୁ ଧଳା ପୋର୍ସିଲେନ୍‌ରୁ ତିଆରି ହାଲୁକା ପାତ୍ରଗୁଡ଼ିକ ଅଧିକ ସୁଖକର ବୋଧ ହେବାକୁ ଲାଗିଲେ ।

 

ପୁସ୍ତକଟିର ପଞ୍ଚମ ଅଧ୍ୟାୟରେ ଲୁ-ଉ ଚାହା ତିଆରି କରିବାର ପଦ୍ଧତି ବିଷୟରେ ବର୍ଣ୍ଣନା କରିଛନ୍ତି । କେବଳ ଲୁଣ ବ୍ୟତୀତ ଆଉ ଯାବତୀୟ ଦ୍ରବ୍ୟର ମିଶ୍ରଣକୁ ପରିତ୍ୟାଗ କରିଛନ୍ତି-। ପୁନଶ୍ଚ, କିପରି ପାଣିରେ ଚାହା ସିଝିବ ଓ କେତେ ରଡ଼ରେ ଚୂଲୀ ଉପରେ ବସିବ, ସେ ସେହି ବିଷୟରେ ମଧ୍ୟ ବହୁତ ବିଷୟ କହିଛନ୍ତି । ତାଙ୍କର କହିବା ଅନୁସାରେ ପାହାଡ଼ ଅଞ୍ଚଳର ଝରଣା ପାଣି ହେଉଛି ସର୍ବୋତ୍ତମ ଏବଂ ତା’ପରେ ଯଥାକ୍ରମେ ନଈପାଣି ଏବଂ ତଳୁ ଝରୁଥିବା ପାଣି । ହଁ, ସିଝାଇବାର ମଧ ତିନିଗୋଟି ଅନୁକ୍ରମ ରହିଛି: ପ୍ରଥମ ଅବସ୍ଥାରେ ପାଣି କ୍ରମେ ଗରମ ହୋଇ ମାଛମାନଙ୍କର ଆଖି ବାଗିର୍ କ୍ଷୁଦ୍ର ଆକାରର ବୁଦ୍‌ବୁଦ୍‌ମାନ ଉପରେ ଆସି ଭାସିବାକୁ ଆରମ୍ଭ କରିବ । ଦ୍ୱିତୀୟ ପର୍ଯ୍ୟାୟରେ ସେହି ବୁଦ୍‌ବୁଦ୍‌ମାନେ ଗୋଟିଏ ଗୋଟିଏ କାଚ ମାଳିପରି ସତେଅବା କୌଣସି ଝରଣାରେ ସନ୍ତରଣ କରୁଥିବା ପରି ବୋଧ ହେବେ । ଏବଂ, ତୃତୀୟ ଅର୍ଥାତ୍ ଶେଷ ଅବସ୍ଥାରେ କେଟ୍‌ଲି ଭିତରର ପାଣି ସତେଅବା ଲହଡ଼ିଭଳି ଉତକ୍ଷିପ୍ତ ଭାବରେ ଗତି କରୁଥିବେ । ଖଣ୍ଡ ଚାହାକୁ ପ୍ରଥମେ ନିଆଁ ପାଖରେ ରଖି କୌଣସି ଶିଶୁର ବାହୁଗୁଡ଼ିକ ପରି କୋମଳ କରିନେବାକୁ ହୋଇଥାଏ ଏବଂ ତାପରେ ତାହାକୁ ଦୁଇଖଣ୍ଡ ପତଳା କାଗଜ ଭିତରେ ରଖି ଗୁଣ୍ଡ କରି ନିଆଯାଏ । ପ୍ରଥମ ଫୁଟିବା ସମୟରେ ଲୁଣ ପକାହୁଏ ଏବଂ ଦ୍ୱିତୀୟ ଫୁଟା ସମୟରେ ଚାହା । ତୃତୀୟ ଫୁଟାର ଅବସ୍ଥାରେ ଚଳେ ଥଣ୍ଡାପାଣି ନେଇ କେଟ୍‌ଲି ଭିତରକୁ ପକାଇ ଦିଆଯାଏ ଯେପରିକି ଚାହାଟା ତଳେ ଯାଇ ବସିଯାଏ ଏବଂ ତରଳ ପାନୀୟ ପଦାର୍ଥଟି ‘ତାହାର ଯୌବନ ପ୍ରାପ୍ତ ହୁଏ’ । ହଁ, ଏସବୁ କାମ ସରିଲେ ଯାଇ ସେତେବେଳେ ପ୍ରସ୍ତୁତ ଚାହାକୁ ନେଇ ପିଆଲାମାନଙ୍କରେ ଢାଳି ପିଇବାର ପ୍ରକ୍ରିୟାଟିକୁ ଆରମ୍ଭ କରା ଯାଉଥିଲା । ତା’ପରେ ତ କେବଳ ସେହି ଅମୃତଟିର କେବଳ ସ୍ୱାଦ ହିଁ ସ୍ୱାଦ ! ସେତେବେଳେ ସେହି ପାନୀୟଟିର ଈଷତ୍‌ ଚକ୍‌ଚକ୍‌ ଆଭାଟି କାତିକାତି ମେଘଗୁଡ଼ିକ ପରି କୌଣସି ଶାନ୍ତ ଗଗନର ସମତଳ ଉପରେ ଦୋଳାୟମାନ ହୋଇ ରହିଥିବା ଭଳି ବୋଧ ହେଉଥିଲା ବା ମର୍କତବର୍ଣ୍ଣର କୌଣସି ଝରଣାରେ ଜଳକଇଁଛମାନେ ଭାସି ଖେଳୁଥିବାର ପ୍ରତୀତି ଆଣି ଦେଇ ଯାଉଥିଲା । ସେହିଭଳି ଗୋଟିଏ ପାନବସ୍ତୁକୁ ହିଁ କଳ୍ପନାରାଜ୍ୟରେ ଥାପି ଟାଙ୍ଗ୍‌ ରାଜତ୍ୱକାଳର ଜଣେ କବି ଲୁ ତୁଙ୍ଗ୍ ଲେଖିଥଲେ: ‘‘ପ୍ରଥମ କପ୍‌ଟି ହିଁ ମୋ’ ଓଷ୍ଠଗୁଡ଼ିକୁ ଆର୍ଦ୍ରତା ଆଣିଦିଏ ଏବଂ ମୋର କଣ୍ଠକୁ ନରମ କରେ, ଦ୍ୱିତୀୟଟି ମୋର ନିର୍ଜନତାକୁ ଭାଙ୍ଗେ ଏବଂ, ତୃତୀୟ କପ୍‌ଟିକୁ ପାନ କରିବା ପରେ ମୋ’ର ଶୁଷ୍କ ଅନ୍ତ୍ରଗୁଡ଼ିକର ଅଳିନ୍ଦ ଭିତରେ ସତେଅବା କେହି କ’ଣ ସବୁର ଅନ୍ୱେଷଣ କରିବାକୁ ଧାଇଁଯାଏ ଓ ତା’ଭିତରକୁ ଯାଇ ପ୍ରାୟ ପାଞ୍ଚଶହ ଗ୍ରନ୍ଥରେ ଭର୍ତ୍ତି ହୋଇ ରହିଥିବା ଶବ୍ଦ-ଆଲେଖଗୁଡ଼ିକର ସନ୍ଧାନ ପାଏ । ହଁ, ଚତୁର୍ଥ-କପ୍‌ରେ ଦେହରୁ ଝାଳ କଣ୍ଟେଇ ଆସେ ଏବଂ ଜୀବନର ଯାବତୀୟ ମନ୍ଦ ତଥା ଅବାଞ୍ଛିତମାନେ ଝାଳ ହୋଇ ମୋ’ଲୋମକୂପଗୁଡ଼ିକରୁ ବାହାରି ଯାଉଥାନ୍ତି । ଏବଂ, ପଞ୍ଚମ କପ୍‌ଟି ମୋତେ ସଂପୂର୍ଣ୍ଣ ଭାବରେ ଶୁଦ୍ଧ ହିଁ କରିଦିଏ । ଷଷ୍ଠ କପ୍ ମୋର ହାତ ଧରି ମୋତେ ଅମରତ୍ୱର ରାଜ୍ୟ ମଧ୍ୟକୁ ଡାକି ନେଇଯାଏ । ଏବଂ, ସପ୍ତମ କପ୍‌ଟି: କି ଭାଗ୍ୟ ମୋର ! ମାତ୍ର ମୁଁ ଆଉ ମୋଟେ ସେଇଟିକୁ ପାନ କରି ପାରିଲିନାହିଁ । ମୁଁ କେବଳ ମୋର ଦେହାଭରଣ ତଳେ ଶିହରି ଉଠୁଥିବା ଶୀତଳ ବାୟୁତରଙ୍ଗଟିକୁ ହିଁ ଅନୁଭବ କରୁଥିଲି । ସେହି ଅପୂର୍ବ ଲୋକଟି ପ୍ରକୃତରେ କାହିଁ ଆଉ କେତେ ଦୂରରେ ରହିଛି ! ମୁଁ ବର୍ତ୍ତମାନ ଏହି ଶୀତଳ ମୃଦୁ ପବନର ବକ୍ଷ ଉପରେ ଆରୋହଣ କରି ସେଇଠାକୁ ହିଁ ଉଡ଼ି ଚାଲିଯିବି ।"

 

ଚା ଚିଙ୍ଗ ଗ୍ରନ୍ଥର ପରବର୍ତ୍ତୀ ଅବଶିଷ୍ଟ ଅଧ୍ୟାୟଗୁଡ଼ିକରେ ଚାହାର ପାନୀୟଟିକୁ ପ୍ରସ୍ତୁତ କରିବାର ଯେଉଁ ଅମାର୍ଜିତ ତଥା ରୁଚିହୀନ ପଦ୍ଧତିମାନ ରହିଛି, ତାହାରି ଅନୌଚିତ୍ୟର ବର୍ଣ୍ଣନା ହିଁ କରାଯାଇଛି । ପ୍ରଖ୍ୟାତ ଚାହାପାନକାରୀମାନଙ୍କର ଏକ ଐତିହାସିକ ସଂକ୍ଷିପ୍ତସାର । ରହିଛି, ଚୀନ୍‌ଦେଶରେ ପ୍ରସିଦ୍ଧ ଚାହାଉଦ୍ୟାନଗୁଡ଼ିକର ବର୍ଣ୍ଣନା ରହିଛି । ଆହୁରି କେତେ ଅନ୍ୟଶୈଳୀ ଅନୁସରଣ କରି ଚାହା ପରିବେଷଣ କରାଯାଇ ପାରିବ, ସେଗୁଡ଼ିକର ଆଭାସ ପ୍ରଦତ୍ତ ହୋଇଛି ଏବଂ ଚାହାର ପ୍ରସ୍ତୁତି ଇତ୍ୟାଦିରେ ବ୍ୟବହୃତ ବାସନଗୁଡ଼ିକର ଚିତ୍ର ମଧ୍ୟ ରହିଛି । ଦୁର୍ଭାଗ୍ୟବଶତଃ ଶେଷ ଅଧ୍ୟାୟଟି ହଜି ହିଁ ଯାଇଛି ।

 

ଚା’ ଚିଙ୍ଗ୍‌ ନାମକ ଏହି ଗ୍ରନ୍ଥଟିର ଆବିର୍ଭାବ ସେହି ସମୟରେ ପ୍ରଭୂତ ଶିହରଣ ଅବଶ୍ୟ ସୃଷ୍ଟି କରିଥିବ । ଲୁ ଉ ତତ୍କାଳୀନ ସମ୍ରାଟ ତା’ଇ ତ୍‌ସୁଙ୍ଗ୍‌ (୭୬୩-୭୭୯)ଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁଥିଲେ । ଏବଂ ତାଙ୍କର ପ୍ରସିଦ୍ଧି ହେତୁ ବହୁ ବ୍ୟକ୍ତି ତାଙ୍କର ଅନୁଗାମୀ ମଧ୍ୟ ହୋଇଥିଲେ । କଥିତ ଅଛି ଯେ, କେତେଜଣ ଯୋଗ୍ୟତାସମ୍ପନ୍ନ ବ୍ୟକ୍ତି ତାଙ୍କର କେତେକ ଶିଷ୍ୟଙ୍କଠାରୁ ଲୁ-ଉ ପ୍ରସ୍ତୁତ କରି ପାରିଥିବା ଚାହା ତିଆରି କରିବାର ଶୈଳୀକୁ ଶିକ୍ଷା କରି ନେଇଥିଲେ । ସେହି ମହାନ୍‌ଗୁରୁ ପ୍ରସ୍ତୁତ କରୁଥିବା ଚାହାର ଗୁଣକୁ ସ୍ୱୀକୃତି ଦେଇ ପାରିଥିବା ସେକାଳର ଜଣେ ରାଜକର୍ମଚାରୀଙ୍କର ନାମକୁ ଲୋକେ ଏପର୍ଯ୍ୟନ୍ତ ମଧ୍ୟ ସ୍ମରଣରେ ରଖିଛନ୍ତି ।

 

ସୁଙ୍ଗ ରାଜବଂଶ ସମୟରେ ଫେଣ୍ଟା ଚାହାକୁ ହିଁ ଲୋକେ ଅଧିକ ପସନ୍ଦ କରିଥିଲେ ଓ ସେଇଥିରୁ ହିଁ ଚାହା କାହାଣୀର ଦ୍ୱିତୀୟ ସଂପ୍ରଦାୟଟି ଜନ୍ମଲାଭ କରିଥିଲା । ଗୋଟିଏ ସାନ ପଥରଚକି ସାହାଯ୍ୟରେ ଚାହାର ପତ୍ରଗୁଡ଼ିକୁ ପେଷି ଚୂନା କରାଯାଉଥିଲା ଏବଂ ତା’ପରେ ଛେଚା କଅଁଳ ବାଉଁଶର ସରୁ ପିଞ୍ଛ ଦେଇ ତାହାକୁ ଏକାଠି ଗରମପାଣିରେ ଫେଣ୍ଟି ନିଆ ଯାଉଥିଲା । ଏହାଦ୍ୱାରା ଲୁ-ଉଙ୍କ ଦ୍ଵାରା ପ୍ରବର୍ତ୍ତିତ ଚାହା ପ୍ରସ୍ତୁତି ପ୍ରଣାଳୀରେ କେତେକ ପରିବର୍ତ୍ତନ ଅବଶ୍ୟ ହୋଇଗଲା । ଏପରିକି ଚାହାପତ୍ର ବାଛିବାର କ୍ଷେତ୍ରରେ ମଧ୍ୟ କିଛି ଅନ୍ୟବିଧତାର ପ୍ରଚଳନ ସମ୍ଭବ ହୋଇଥିଲା । ଏବଂ, ଲୁଣ ପକାଇବାର ରୀତିଟି ମଧ୍ୟ ସେହି ଦିନଠାରୁ ପୂରା ଉଠିଗଲା । ସୁଙ୍ଗ୍‌ ରାଜତ୍ୱକାଳରେ ଲୋକସମୂହଙ୍କର ଚାହାପାନ-ପ୍ରୀତି ପ୍ରକୃତରେ ସକଳ ସୀମାକୁ ଅତିକ୍ରମ କରି ଯାଇଥିଲା । ଅଧିକରୁ ଅଧିକ ତୃପ୍ତି ଲାଭ କରିବାକୁ ମନ କରି ଉତ୍ସାହୀମାନେ ପ୍ରାୟ ପ୍ରତିଯୋଗିତା କଲାପରି ନୂଆ ନୂଆ ପ୍ରକାରର ପଦ୍ଧତିମାନ ବାହାର କରି ଆଣିଥିଲେ ଏବଂ, କିଏ କାହାଠାରୁ ଅଧିକ ପ୍ରଶଂସାର ଯୋଗ୍ୟ, ତାହା ନିର୍ଣ୍ଣୟ କରିବାର ପନ୍ଥାମାନ ବାହାର କରି ପୁରସ୍କାର ବି ଦିଆଗଲା । ସମ୍ରାଟ ହୁଏଇ ତସୁଙ୍ଗ୍‌ (୧୧୦୧-୧୧ ୨୪) ସ୍ଵୟଂ ଜଣେ ମହାନ୍ କଳାକାର ଥିଲେ ଏବଂ ଜଣେ ପରମ-ସଦାଚାରୀ ରାଜ୍ୟଶାସକ ମଧ୍ୟ ହୋଇ ପାରିଥିଲେ ଏବଂ ସେ ଚାହାର ବିରଳ ନମୁନାମାନ ବାହାର କରିବାରେ ଅତୁଳ ଅର୍ଥସମ୍ପଦ ମଧ୍ୟ ବ୍ୟୟ କରୁଥିଲେ । କୋଡ଼ିଏ ପ୍ରକାରର ଚାହା ବିଷୟରେ ସେହି ସମ୍ରାଟ ପୁସ୍ତକଟିଏ ଲେଖିଥିଲେ ଏବଂ ସେଗୁଡ଼ିକ ମଧ୍ୟରେ ‘‘ଧଳା ଚାହା”ର କିସମଟିକୁ ବିରଳତମ ଓ ସର୍ବୋତ୍ତମ ଗୁଣର ବୋଲି ଘୋଷଣା କରିଥିଲେ । ସୁଙ୍ଗ୍ ଏବଂ ଟାଙ୍ଗ୍–ଏହି ଦୁଇ ଅମଳରେ ଆଦର୍ଶ ଚାହାପାନ ଓ ଚାହା ଅନୁଷ୍ଠାନ ବିଷୟରେ ସର୍ବଦା ଭିନ୍ନ ଭିନ୍ନ ଧାରଣା ରହିଥିଲା । କାରଣ, ସେହି ଉଭୟଙ୍କର ଜୀବନ ସମ୍ପର୍କରେ ଧାରଣାଟି ମଧ୍ୟ ପରସ୍ପରଠାରୁ ଭିନ୍ନ ଥିଲା । ସେମାନେ ନିଜନିଜର ପୂର୍ବପୁରୁଷମାନଙ୍କର ପ୍ରତୀକାତ୍ମକ ଆଦର୍ଶ-କଳ୍ପନାଗୁଡ଼ିକୁ ବାସ୍ତବ ରୂପମାନ ଦେବାଲାଗି ପ୍ରୟାସ କରିଥିଲେ । ନବ-କନ୍‌ଫୁସିଅସୀୟ ମନୋଧାରାଟି ଅନୁସାରେ ବିଶ୍ୱବ୍ରହ୍ମାଣ୍ଡ ସ୍ତରର ବିଧାନଗୁଡ଼ିକ ଆମର ଏହି ବାସ୍ତବ ଜୀବନର ପୃଥିବୀଟିରେ ଆଦୌ ପରିସ୍ଫୁଟ ହେଉନାହିଁ, କାରଣ ପ୍ରକୃତରେ ଏହି ବସ୍ତୁସ୍ତରୀୟ ପୃଥିବୀଟି ବିଶ୍ୱର ବିଧାନ ସହିତ ଅଭିନ୍ନ ହୋଇ ହିଁ ରହିଛି । ଯୁଗଯୁଗ ସମୂହ ହିଁ ଏହି ମୁହୂର୍ତ୍ତଗୁଡ଼ିକରେ ପ୍ରକଟ ହୋଇ ରହିଛି–ନିର୍ବାଣ ବସ୍ତୁତଃ ଆମର ହାତପାଆନ୍ତାର ହୋଇ ରହିଛି । ଅନ୍ୟ ପକ୍ଷରେ ତାଓ-ମାର୍ଗର ମେଦିନୀ ଧାରଣାଟି ଘୋଷଣା କରିଛି ଯେ ସେହି ଅମରତ୍ୱ ପ୍ରକୃତରେ ଏଇଠି ଏହି ଅନୁକ୍ଷଣ ପରିବର୍ତ୍ତନରେ ହିଁ ନିହିତ ହୋଇ ରହିଛି । ତାହା ସେହି କ୍ଷଣକ୍ଷଣର ଭାବନାର ଧାରାଗୁଡ଼ିକରେ ହିଁ ଭେଦି କରି ରହିଛି । ତେଣୁ ସମାହିତ ହେଉଥିବା କର୍ମଟି ନୁହେଁ, ପ୍ରକ୍ରିୟାଟି ହେଉଛି ପ୍ରକୃତରେ ଆଗ୍ରହୋଦ୍ଦୀପକ । ହାସଲ ହେଉଥିବା ପୂର୍ଣ୍ଣତା ନୁହେଁ, ପୂର୍ଣ୍ଣ ହେଉଥିବାର ପ୍ରକ୍ରିୟାଟି ହେଉଛି ଅସଲ ଓ ଅଧିକ ମହତ୍ତ୍ୱପୂର୍ଣ୍ଣ । ଏହିପରି ଭାବରେ ନିଜର ଜୀବନକୁ ବଞ୍ଚିବାରେ ଜଣେ ମନୁଷ୍ୟ ପ୍ରକୃତିର ସମ୍ମୁଖୀନ ହେବାରେ ଲାଗିଛି । ତାହା ଫଳରେ ଜୀବନକୁ ଏକ ନୂତନ ତାତ୍ପର୍ଯ୍ୟ ମିଳିଯାଉଛି । ଏହି କାରଣରୁ ଚାହାର ଅନୁଷ୍ଠାନଟି କ୍ରମେ ଏକ କବିମନର ମନୋରଂଜନ ହୋଇ ନରହି ଆତ୍ମ-ଉପଲବ୍ଧିର ଏକ ପ୍ରଣାଳୀରେ ହିଁ ପରିଣତ ହୋଇ ଯାଇଥିଲା । ୱାଙ୍ଗ୍ ୟୁଆନ୍ ଚି ଚାହାର ପ୍ରଶଂସା କରି କହିଲେ ଯେ ଚାହା ଏକ ଅବାଧ ଭାବନିବେଦନରେ ହିଁ ତାଙ୍କର ଆତ୍ମାକୁ ଭରିଦେଇ ପାରୁଛି, ଚାହାରୁ ପ୍ରାପ୍ତ ସେହି ଅତିଲଳିତ ତିକ୍ତତାଟି ତାଙ୍କୁ ସତକୁ ସତ କୌଣସି ସୁପରାମର୍ଶ ପାଇବାର ଅନୁଗାମୀ ଆସ୍ୱାଦନଟି ବିଷୟରେ ସ୍ମରଣ କରାଇ ଦେଉଥିଲା । ଡାଃ. ତୁମ୍ପା ମଧ୍ୟ ଚାହାରେ ରହିଥିବା ନିର୍ମଳ ବିଶୁଦ୍ଧତାଟିର ଅପୂର୍ବ ଶକ୍ତିଟିର କଥା କହିଥିଲେ । ସେହି ଶୁଦ୍ଧତା ବଳରେ ହିଁ ଜଣେ ସତକୁ ସତ ସଦ୍‌ଗୁଣସମ୍ପନ୍ନ ବ୍ୟକ୍ତି ଯାବତୀୟ ବିକୃତି ଏବଂ ଦୁଷ୍ଟତାକୁ ଅବଜ୍ଞା କରିଦେଇ ପାରୁଥିଲା । ଦକ୍ଷିଣାଞ୍ଚଳର ଜେନ୍‌ ନାମକ ବୌଦ୍ଧ ସମ୍ପ୍ରଦାୟ ଆପଣା ମଧ୍ୟକୁ ତାଓ ଜୀବନମାର୍ଗର ବହୁତ କିଛି ସ୍ୱୀକାର କରି ନେଇଥିବା ହେତୁ ଚାହାକୁ କେନ୍ଦ୍ରକରି ଏକ ବିଶଦ ବିଧାନପୁଞ୍ଜର ସୂତ୍ରରୁପ ବି ସମ୍ଭବ କରି ପାରିଥିଲା । ଜେନ୍ ଭିକ୍ଷୁମାନେ ବୋଧଧର୍ମର ପ୍ରତିମାକୁ ବେଷ୍ଟନ କରି ଏକତ୍ର ହେଉଥିଲେ ଏବଂ ଗୋଟିଏ ପାତ୍ରରୁ ହିଁ ଚାହା ପାନ କରୁଥଲେ, ସତେଅବା ସେମାନେ କୌଣସି ଧର୍ମାଚରଣର ପବିତ୍ର ଉପାସନାର ଅନୁସରଣ କରୁଥିବା ଭଳି ତାହା କରୁଥିଲେ । ସେହି ଜେନ୍ ବିଧିପାଳନ ହିଁ ପରିଶେଷରେ ପଞ୍ଚଦଶ ଶତାବ୍ଦୀରେ ଜାପାନର ଚାହା ଉତ୍ସବରୂପେ ବିକାଶଲାଭ କରିଥିଲା ।

 

ଦୁର୍ଭାଗ୍ୟର ବିଷୟ ଯେ, ତ୍ରୟୋଦଶ ଶତାବ୍ଦୀରେ ହଠାତ୍ ମଙ୍ଗୋଲୀୟ ଫିର୍କାମାନଙ୍କର ଆକ୍ରମଣ ଆରମ୍ଭ ହୋଇଗଲା ଏବଂ ଚୀନ୍ ଦେଶକୁ ବହୁ ବିଧ୍ୱଂସ ଏବଂ ବିନାଶର ସମ୍ମୁଖୀନ ହେବାକୁ ପଡ଼ିଲା । ସେତେବେଳେ ଯୁଏନ୍ ସମ୍ରାଟମାନେ ବିଜୟଲାଭ କଲେ । ଏକ ନିତାନ୍ତ ବର୍ବରତାପୂର୍ଣ୍ଣ ଶାସନର ପ୍ରବର୍ତ୍ତନ ମଧ୍ୟ କରିଥିଲେ । ତାହାରିଦ୍ୱାରା ହିଁ ସୁଙ୍ଗ୍ ସଂସ୍କୃତିର କେତେ କ’ଣ ଉତ୍ତମ ଉପାଦାନ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଗଲା । ମିଙ୍ଗମାନଙ୍କର ସ୍ଥାନୀୟ ରାଜବଂଶ ପଞ୍ଚଦଶ ଶତାବ୍ଦୀର ମଧ୍ୟଭାଗରେ ଜାତିର ଯଥାସମ୍ଭବ ଏକ ପୁନରୁଦ୍ଧାର ସମ୍ଭବ କରି ଆଣିବା ନିମନ୍ତେ ଉଦ୍ୟମ ସିନା କଲା, କିନ୍ତୁ ଆଭ୍ୟନ୍ତରୀଣ ନାନା ସମସ୍ୟା ମଧ୍ୟରେ ସର୍ବଦା ସନ୍ତାପିତ ରହିବାଲାଗି ବାଧ୍ୟ ବି ହେଲା । ଫଳରେ ଚୀନ୍‌ଦେଶ ପୁନର୍ବାର ସପ୍ତଦଶ ଶତାବ୍ଦୀରେ ବିଦେଶୀ ମାଞ୍ଚୁମାନଙ୍କର କରଗତ ହୋଇ ରହିଲା । ପାରମ୍ପରିକ ଆଚାର ତଥା ବିଧାନମାନେ ମଧ୍ୟ ବଦଳିଗଲେ ଓ ପୂର୍ବରୁ ପ୍ରଚଳିତ ରହି ଆସିଥିବା ବ୍ୟବସ୍ଥାଟିର ଆଉ କୌଣସି ଚିହ୍ନ ହିଁ ରହିଲା ନାହିଁ-। ସମସ୍ତେ ଗୁଣ୍ଡ ଚାହାର ବ୍ୟବହାରକୁ ସଂପୂର୍ଣ୍ଣ ଭାବରେ ପାସୋରି ବି ଦେଲେ । ସୁଙ୍ଗ ବଂଶ ସମୟର ଗୋଟିଏ ଶାସ୍ତ୍ରରେ ସେଥିପାଇଁ ଜଣେ ମିଙ୍ଗ୍‌ ଟୀକାକାର ସେଗୁଡ଼ିକୁ ନେଇ ବେଶ୍ ଅଡ଼ୁଆରେ ଯାଇ ପଡ଼ିଯାଇଥିବା ପରି ମନେ ହେଉଛନ୍ତି । ସେ ସେହି ପୂର୍ବତନ କାଳର ପ୍ରାୟ କୌଣସି କଥାକୁ ମନେ କରି ପାରୁନାହାନ୍ତି । ବର୍ତ୍ତମାନ ତ ତାଙ୍କ ସମୟରେ ଚାହାପତ୍ରକୁ କୁଟି–ଗୋଟିଏ ପାତ୍ର ଅଥବା କପ୍‌ରେ ଗରମ ପାଣିଭିତରେ ନେଇ ପକାଇବାକୁ ହେଉଛି । ଚାହା ପାନ କରିବାର ସେହି ପୂର୍ବର ପ୍ରଣାଳୀଟି ବିଷୟରେ ପାଶ୍ଚାତ୍ୟ ଜଗତ କାହିଁକି ଏପରି ଅନବଜ୍ଞାତ ହୋଇ ଯେ ରହିଛି, ତାହାର ଏକମାତ୍ର କାରଣ ହେଲା ଯେ, କେବଳ ମିଙ୍ଗ୍ ରାଜବଂଶର ଅନ୍ତିମ ପର୍ଯ୍ୟାୟଟିରେ ଯାଇ ଇଉରୋପ ତାହାର ପରିଚୟ ପାଇଛି ।

 

ପରବର୍ତ୍ତୀ କାଳରେ ଚୀନ୍‌ର ଚାହା ସ୍ଵାଦିଷ୍ଟ ହୋଇ ରହିଛି ସତ, ମାତ୍ର ତଥାପି ତାହା ଆଦର୍ଶସ୍ଥାନୀୟ ହୋଇ ପାରିନାହିଁ । ସେହି ଦେଶଟି ଦୀର୍ଘକାଳଧରି ଯେଉଁ ଦୁଃଖଗୁଡ଼ିକୁ ଭୋଗ କରିଛି, ଜୀବନ ବଞ୍ଚିବାର ଅସଲ ତାତ୍ପର୍ଯ୍ୟଗୁଡ଼ିକୁ ଲାଭ କରିବାର ଅସଲ ଉତ୍ସାହ ତଥା ରୁଚିଟି ନିମନ୍ତେ ସିଏ ଆଉ ପୂର୍ବପରି ଆଶା କରି ପାରିନାହିଁ । ଚୀନ୍‌ର ଅଧିବାସୀ ଏବେ ଆଧୁନିକ ହୋଇଯାଇଛି, ଅର୍ଥାତ୍ ବୁଢ଼ା ହୋଇଗଲାଣି ଏବଂ ବସ୍ତୁତଃ ଏକ ମୋହଭଙ୍ଗ ହିଁ ହୋଇଛି । ସ୍ୱପ୍ନଚାରଣା ଲାଗି ଯେଉଁ ଉଦାର ଜୀବନବିଶ୍ୱାସଟି କବି ତଥା ପ୍ରାଚୀନମାନଙ୍କୁ ଯେଉଁ ଚିରନ୍ତନ ଯୌବନ ତଥା ଶକ୍ତିମନ୍ତତା ଆଣି ଦେଇଥାଏ, ସିଏ ଏବେ ସେଇଟିକୁ ହରାଇ ପକାଇଲାଣି । ସିଏ ତ କ୍ରମେ ବେଶ୍ ଉଦାର ଭାବରେ ଭିନ୍ନ ଭିନ୍ନ ମାର୍ଗ ଓ ଶୈଳୀକୁ ସ୍ୱୀକାର କରି ନେଲାଣି ଏବଂ ପୃଥିବୀର ଯାବତୀୟ ପରମ୍ପରାକୁ ଖୁବ ଗ୍ରହଣ କରିପାରୁଛି । ସିଏ ତ ପ୍ରକୃତିକୁ ନେଇ ଖେଳି ଶିଖିଲାଣି, ମାତ୍ର ତାହା ଉପରେ ବିଜୟ ହାସଲ କରିବାକୁ କିମ୍ବା ତାହାର ଉପାସନା କରିବାକୁ ‌କୌଣସି ସୌଜନ୍ୟ ଦେଖାଇ ପାରୁନାହିଁ । ପତରରୁ ପ୍ରସ୍ତୁତ ତାର ସେହି ଚାହାରୂପୀ ପାନୀୟଟି ଅନେକ ସମୟରେ ଫୁଲ ପରି ସୁଗନ୍ଧଯୁକ୍ତ ହୋଇପାରୁଛି ସତ, କିନ୍ତୁ ଏହି ଟାଙ୍ଗ ଏବଂ ସୁଙ୍ଗ ରାଜତ୍ଵ ସମୟରେ ଚାହାକୁ କେନ୍ଦ୍ରରେ ରଖି ଯେଉଁ ଉତ୍ସବଜନିତ ଅନୁଭବମାନ ମିଳୁଥିଲା, ବର୍ତ୍ତମାନ ତାର ସେହି ପିଆଲାଟିର ରୋମାଞ୍ଚକରତା ଆଉ ଆଦୌ ଉପଲବ୍ଧ ହେଉନାହିଁ ।

 

ଚୀନ୍‌ଦେଶୀୟ ସଭ୍ୟତାର ପଦାଙ୍କ ଅନୁକରଣ କରୁଥିବାର ଆପଣାର ସ୍ବାଭାବିକ ପଥଟିରେ ଜାପାନ ମଧ୍ୟ ଚାହାର ଏହି ତିନୋଟିଯାକ ପର୍ଯ୍ୟାୟ ସହିତ ଖୁବ୍ ଭଲଭାବରେ ସର୍ବଦା ପରିଚିତ ରହିଆସିଛି । ୭୨୯ ଖ୍ରୀଷ୍ଟାବ୍ଦର ସେହି ଆଦ୍ୟ ସମୟରେ ମଧ୍ୟ ଆମେ ସମ୍ରାଟ ଶୋ-ମୁ ତାଙ୍କର ନା-ରା ପ୍ରାସାଦରେ ଏକଶହ ଭିକ୍ଷୁଙ୍କୁ ଚାହା ପରିବେଷଣ କରିଥିବାର ବିବରଣୀଟିଏ ପଢ଼ିବାକୁ ପାଇପାରୁଛୁ । ସମ୍ଭବତଃ ସେତେବେଳେ ଚୀନ୍‌ର ଟାଙ୍ଗ୍ ରାଜଦରବାରରେ ନିଯୁକ୍ତ ଆମ ଦେଶର ଦୂତମାନେ ସେହି ଦେଶର ଚାହାକୁ ଜାପାନକୁ ଆଣିଥିଲେ ଏବଂ ସେହି ସମୟଟିର ଚଳଣି ଅନୁସାରେ ହିଁ ଚାହାକୁ ପ୍ରସ୍ତୁତ କରିଥିଲେ । ୮୦୧ ଖ୍ରୀଷ୍ଟାବ୍ଦରେ ଭିକ୍ଷୁ ସାଇ-ଚୋ ଦେଶକୁ ଲେଉଟିବା ବେଳେ ଚୀନ୍‌ରୁ କିଛି ଚାହାମଞ୍ଜି ଜାପାନ ନେଇ ଆସିଥିଲେ ଏବଂ ଏଇସାନ୍‌ଠାରେ ସେଥିରୁ ଚାରା ପ୍ରସ୍ତୁତ କରି ରୋପଣ ମଧ୍ୟ କରିଥିଲେ । ପରବର୍ତ୍ତୀ ଶତାବ୍ଦୀଗୁଡ଼ିକରେ ଏଠି ଜାପାନରେ ବହୁସଂଖ୍ୟକ ଚାହା ଉଦ୍ୟାନ ରହିଥିଲା ବୋଲି ମଧ୍ୟ ଶୁଣିବାକୁ ମିଳିଥାଏ । ସେତେବେଳେ ଆମର ସମ୍ଭ୍ରାନ୍ତବର୍ଗ ତଥା ଯାଜକମାନେ ଚାହା ପାନଦ୍ୱାରା ଖୁବ୍ ଆନନ୍ଦ ଲାଭ କରିଥିବାର ବି ବହୁତ ଉଲ୍ଲେଖ ପ୍ରାପ୍ତ ହୋଇଥାଏ । ସୁଙ୍ଗ୍ ଅମଳର ଚାହା ଆମ ଦେଶରେ ୧୧୯୧ ମସିହାରେ ଆସି ପହଞ୍ଚିଥିଲା । ଏଇ-ସାଇ ଜେଞ୍ଜି ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ସେହି ଘଟଣାଟି ଘଟିଥିଲା । ଜେଞ୍ଜି ଦକ୍ଷିଣମାର୍ଗୀ ଜେନ୍ ସମ୍ପ୍ରଦାୟର ଅଧ୍ୟୟନ କରିବା ନିମନ୍ତେ ହିଁ ସେତେବେଳେ ଚୀନ୍ ଯାତ୍ରା କରିଥିଲେ । ସାଙ୍ଗରେ ଯେଉଁ ମଞ୍ଜିକୁ ସିଏ ଜାପାନ ଆଣିଲେ, ତାହା ସଫଳତା ସହିତ ଜାପାନରେ ଗଛ ହୋଇ ଲାଗିଲା । ଗଛଗୁଡ଼ିକ ଲଗାହୋଇ ଥିବାର ତିନୋଟି ସ୍ଥାନ ଭିତରୁ କିଓଟୋ ନିକଟରେ ଅବସ୍ଥିତ ଉ-ଜି ଜିଲ୍ଲାଟି ଏବେ ମଧ୍ୟ ସାରା ପୃଥିବୀରେ ସର୍ବୋତ୍ତମ ଚାହାର ଉତ୍ପାଦନ କରୁଥିବାର ଗୌରବ ବହନ କରିଛି । ଦକ୍ଷିଣମାର୍ଗୀ ଜେନ୍ ସମ୍ପ୍ରଦାୟର ମଧ୍ୟ ସେଠାରେ ଖୁବ୍ ସତ୍ୱର ଭାବରେ ପ୍ରସାର ଘଟିଥିଲା ଏବଂ ସେଇଟି ସହିତ ସୁଙ୍ଗ୍ ରାଜବଂଶ ସମୟର ଚାହାପ୍ରସ୍ତୁତିର ବିଧି ତଥା ଚାହାର ଆଦର୍ଶଟି କେତେ କୁଆଡ଼କୁ ବ୍ୟାପି ଯାଇଥିଲା । ପଞ୍ଚଦଶ ଶତାବ୍ଦୀ ସମୟକୁ ଶୋଗୁନ୍‌ ଆଶିକାଗା ଭୋସିନାଭାଙ୍କର ପୃଷ୍ଠପୋଷକତା ଫଳରେ ଚାହା-ଉତ୍ସବଟି ଖୁବ୍ ଦୃଢ଼ ଭାବରେ ପ୍ରତିଷ୍ଠା ବି ଲାଭ କରିସାରିଥିଲା । ଏବଂ ଆପଣାର ଏକ ସ୍ୱକୀୟ ମର୍ଯ୍ୟାଦାରେ ଗୋଟିଏ ଧର୍ମେତର ଉତ୍ସବପାଳନ ରୂପେ ଗୃହୀତ ହୋଇ ସାରିଥିଲା । ସେହି କାଳରୁ ଚାହାବାଦର ସେହି ବିଶେଷ ଅନୁଷ୍ଠାନଟି ଜାପାନ ଦେଶରେ ଖୁବ୍ ଦୃଢ଼ ଭାବରେ ପ୍ରତିଷ୍ଠିତ ହୋଇ ରହିଆସିଛି । ପରବର୍ତ୍ତୀ ଶତାବ୍ଦୀଗୁଡ଼ିକରେ ଚୀନ୍‌ଦେଶରେ ବ୍ୟବହୃତ ହୋଇଥିବା ଫେଣ୍ଟା ଚାହାର ପ୍ରଚଳନଟି ଅପେକ୍ଷାକୃତ ଏବେ ଯାଇ ଆମଦେଶକୁ ଆସିଛି । କେବଳ ସପ୍ତଦଶ ଶତାବ୍ଦୀର ମଧ୍ୟଭାଗରୁ ହିଁ ପରିଚିତ ହୋଇ ପାରିଛି । ସାଧାରଣ ଚାହାପାନ-କ୍ଷେତ୍ରରେ ତାହା ଗୁଣ୍ଡ ଚାହାର ସ୍ଥାନକୁ ଅଧିକାର କରିନେଇଛି । ଅବଶ୍ୟ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସେହି ଗୁଣ୍ଡ ଚାହା ବର୍ତ୍ତମାନ ମଧ୍ୟ ସର୍ବୋତ୍ତମ ପ୍ରକାରଟି ହିସାବରେ ଆପଣାର ଗୌରବକୁ ବଜାୟ ରଖିଛି ।

 

ଜାପାନ ଦେଶର ଚାହା-ଅନୁଷ୍ଠାନରେ ହିଁ ଚାହା ସହିତ ସଂପୃକ୍ତ ହୋଇ ରହିଥିବା ଆଦର୍ଶ କଳ୍ପନାଟି ଆପଣାର ପରାକାଷ୍ଠାରେ ଆସି ପହଞ୍ଚି ପାରିଛି । ୧୨୮୧ ମସିହାରେ ଆମେ ମଙ୍ଗୋଲୀୟମାନଙ୍କର ଆମ ଦେଶ ଉପରେ ଆକ୍ରମଣକୁ ପ୍ରତିରୋଧ କରିବାରେ ସଫଳତା ଅର୍ଜନ କରିଥିଲୁ ଏବଂ ତାହାରି ଫଳରେ ହିଁ ଖୋଦ୍ ଚୀନ୍ ଦେଶରେ ଅତ୍ୟନ୍ତ ଶୋଚନୀୟ ଭାବରେ ପରାଭବ ଲାଭ କରିଥିବା ସୁଙ୍ଗ ଉଦ୍‌ବେଳନଟିକୁ ଆମେ ଆପଣା ଦେଶରେ ତଥାପି ଉଜ୍ଜୀବିତ କରି ରଖିପାରିଲୁ । ବହିରାଗତ ଯାଯାବରମାନଙ୍କର ଆକ୍ରମଣ ହେତୁ ତ ତାହା ଚୀଦେଶରେ ଏକ ବିଲୁପ୍ତିର ହିଁ ସମ୍ମୁଖୀନ ହୋଇଥିଲା । ଆମ ଜୀବନ ମଧ୍ୟକୁ ପ୍ରବେଶ କରି ଚାହା କେବଳ ଏକ ପାନୀୟ-ପ୍ରକରଣର ପ୍ରକରଣ ହୋଇ ନରହି ଅନେକ ଅଧିକ ଅନେକ କଥାକୁ ବୁଝାଇଥିଲା,–ଆମ ଜୀବନ ବଞ୍ଚିବାର କଳାରେ ତାହା ପ୍ରକୃତରେ ଏକ ପବିତ୍ର ଧର୍ମବତ୍ ଆଚରଣରେ ପରିଣତ ହୋଇ ରହିଗଲା । ଶୁଦ୍ଧତା ତଥା ସୁରୁଚିତାର ଅନୁଶୀଳନ-କ୍ଷେତ୍ରରେ ପ୍ରତୀକଟିଏ ହୋଇ ରହିଲା; ଏପରି ଗୋଟିଏ ପବିତ୍ର ବ୍ରତାନୁଷ୍ଠାନରେ ପରିଣତ ହେଲା, ଯେଉଁଟିରେ କି ଗୃହକର୍ତ୍ତା ଏବଂ ଅତିଥ ଉଭୟେ ପରସ୍ପର ସହିତ ମେଳରେ ବସି ଆମର ଏହି ପାର୍ଥିବ ଜୀବନର ପରମ ଆନନ୍ଦଟିଏ ଲାଭ କରିବାର ଏକ ଅନୁକୁଳ ଅବସରକୁ ସମ୍ଭବକରି ଆଣିବାଲାଗି ପ୍ରୟାସ କରିଥିଲେ । ଜୀବନରୂପୀ ସେହି ନିରାନନ୍ଦମୟ 'ଉଷରଭୂମିରେ ଚାହା-ଆପ୍ୟାୟନର ଅବସରଟି ବସ୍ତୁତଃ ଏକ ମରୂଦ୍ୟାନ ସଦୃଶ କାର୍ଯ୍ୟକଲା, ଯେଉଁଠାରେ କି କ୍ଲାନ୍ତ ପଥଚାରୀମାନେ ଏକତ୍ର ଏକ କଳାତ୍ମକ ଭାବାସ୍ଵାଦନର ଝରଣାର ଶାନ୍ତିଦାୟୀ ଜଳଦ୍ୱାରା ପରସ୍ପରର ଆପ୍ୟାୟନ କରିପାରିଲେ । ଉତ୍ସବଟି ପ୍ରକୃତରେ ଏପରି ଏକ ସଂପୂର୍ଣ୍ଣ ଭାବରେ, ତାତ୍କାଳିକ ନାଟକ ଅନୁଷ୍ଠାନ ଭଳି କାର୍ଯ୍ୟକଲା, ଯାହାର କଥାବସ୍ତୁଟିକୁ ଚାହାକୁ ମଝିରେ ରଖି ହିଁ ରଚନା କରାଯାଇଥିଲା,–ଏବଂ ସେଥିରେ ଜାତି ଜାତି ଫୁଲ ଏବଂ ଚିତ୍ରଶିଳ୍ପଗୁଡ଼ିକୁ ଆନୁଷଙ୍ଗିକ ରୂପେ ରଖାଯାଇଥିଲା । ସେଠାରେ ଏପରି ଗୋଟିଏ ହେଲେ କୌଣସି ରଙ୍ଗ ନଥିଲା, ଯାହାକି ପ୍ରକୋଷ୍ଠଟିର ସ୍ଵରସଙ୍ଗତିକୁ ଆଦୌ କୌଣସି ପ୍ରକାରେ ଚହଲାଇ ଦେଉଥିବ; ଏପରି କୌଣସି ଶବ୍ଦ ସେଠାରେ ବସ୍ତୁଗୁଡ଼ିକର ଛନ୍ଦଟିକୁ ନଷ୍ଟ କରିବନାହିଁ ଏବଂ ବ୍ୟବହାରଗତ ଏପରି କିଛି ନଥିବ ଯାହାକି ସେଠାରେ ରାଜତ୍ୱ କରୁଥିବା ପୂର୍ଣ୍ଣ ସୌଷମ୍ୟଟି ।

Image

 

ତାଓ ଓ ଜେନ୍‌

 

ଚାହାର ଏହି ଅନୁଷ୍ଠାନ ସହିତ ଜେନ୍ ଧର୍ମର ମାର୍ଗଟି ତ ଯୁଗଯୁଗରୁ ଯୋଡ଼ାହୋଇ ରହିଆସିଛି । ଆମେ ପୂର୍ବରୁ କହିଛୁ ଯେ ଏହି ଜେନ୍‌ର ଆଚରଣଗତ ସାଧନାଟିରୁ ହିଁ ଚାହା ଅନୁଷ୍ଠାନଟିର କ୍ରମବିକାଶ ହୋଇଥିଲା, ତାଓ ଧର୍ମସନ୍ଦେଶର ପ୍ରତିଷ୍ଠାତା–ଲାଓ ତ୍‌ସୁଙ୍କର ନାମ ମଧ୍ୟ ଚାହାର ଇତିହାସ ସହିତ ବହୁକାଳରୁ ସଂଯୋଜିତ ହୋଇ ରହିଛି । ଆମ ସାମାଜିକ ଅଭ୍ୟାସ ତଥା ଚଳଣିମାନଙ୍କର ଉଦ୍‌ଭବଟି ବିଷୟରେ ପ୍ରସ୍ତୁତ ପୋଥିଟିରେ 'ଲିପିବଦ୍ଧ ହୋଇ ରହିଛି ଯେ, ଜଣେ ଅତିଥି ଘରକୁ ଆସିଲେ ତାଙ୍କୁ ଚାହାଦ୍ୱାରା ଆପ୍ୟାୟିତ କରିବାର ଆନୁଷ୍ଠାନିକ ପ୍ରଥାଟି ଲାଓ-ତ୍‌ସୁଙ୍କର ଜଣେ ସୁପରିଚିତ ଶିଷ୍ୟ କ୍ୱାନ୍‌-ୟିନ୍‌ଙ୍କ ଦ୍ଵାରା ପ୍ରଥମେ ପ୍ରବର୍ତ୍ତିତ ହୋଇଥିଲା । କ୍ୱାନ୍‌-ୟିନ୍‌ଙ୍କ ସର୍ବପ୍ରଥମେ ହାନ୍ ଗିରିପଥର ଦ୍ୱାରଦେଶରେ ସେହି ବୟୋବୃଦ୍ଧ ଦାର୍ଶନିକଙ୍କ ଲାଗି ସେହି ସୁନେଲି ବର୍ଣ୍ଣର ପାନାମୃତଟିକୁ ଆଣି ଅର୍ପଣ କରିଥିଲେ । ଏହିସବୁ କାହାଣୀ ପ୍ରକୃତରେ କେତେ ପରିମାଣରେ ସତ୍ୟ ଅଥବା ସତ୍ୟ ନୁହନ୍ତି, ଏଠାରେ ଆମେ ଆଦୌ ସେହି କଥାଟିର ଆଲୋଚନା କରିବାନାହିଁ । ଅବଶ୍ୟ, ଏହି କଥାଟି ଅତ୍ୟନ୍ତ ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ, ସେହି ପୁରାତନ କାଳରେ ତାଓ ଧର୍ମର ଅନୁଗାମୀମାନେ ସେହି ପାନୀୟଟିକୁ ବ୍ୟବହାର କରୁଥିଲେ । ଏବଂ, ଏଠାରେ ଯେ ଆମେ ତାଓ ଏବଂ ଜେନ୍ ବିଷୟରେ ଏକ ଆଲୋଚନା କରିବାଲାଗି ଇଚ୍ଛା କରିଛୁ, ତାହାର ପ୍ରଧାନ କାରଣ ହେଉଛି ଯେ, ଜୀବନ ତଥା କଳା ବିଷୟରେ ସେହି ଉଭୟ ମାର୍ଗରେ ଯେଉଁସବୁ ବିଚାର ଅଛି, ସେଗୁଡ଼ିକ ଚାହାର କାହାଣୀଟିରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ମୂର୍ତ୍ତ ହୋଇ ଉଠିଛି ।

 

ଅତ୍ୟନ୍ତ କ୍ଷୋଭର କଥା ଯେ, ବିଦେଶୀ ଭାଷାରେ ଏବେ ମଧ୍ୟ ତାଓ ମାର୍ଗ ଓ ଜେନ୍ ମତ ବିଷୟରେ ସେପରି କୌଣସି ଗ୍ରନ୍ଥର ଉପସ୍ଥାପନା ହୋଇନାହିଁ । ଅବଶ୍ୟ ବହୁତ ପ୍ରଶଂସାଯୋଗ୍ୟ ଉଦ୍ୟମ କରାଯାଇଛି ସତ, ମାତ୍ର ଯଥେଷ୍ଟ ପରିମାଣରେ ହୋଇ ପାରିନାହିଁ ।

 

ସର୍ବବିଧ ଅନୁବାଦକୁ ସର୍ବଦା ଏକ ବିଶ୍ୱାସଘାତକତା ବୋଲି ହିଁ କୁହାଯିବ ଏବଂ ଜଣେ ମିଙ୍ଗ୍ ରାଜତ୍ୱକାଳର ଲେଖକ ଯେପରି ମନ୍ତବ୍ୟଟିଏ ଦେଇଛନ୍ତି, ତାହାକୁ ଖୁବ୍ ବେଶୀ ହେଲେ କେବଳ କୌଣସି ଜରିକାମର ଓଲଟ ପାଖଟାଏ ବୋଲି କୁହାଯାଇ ପାରିବ: ସୂତାମାନେ ସମସ୍ତେ ରହିଛନ୍ତି, ମାତ୍ର ରଙ୍ଗ ତଥା ଡ଼ିଜାଇନ୍‌ଟିର ସୂକ୍ଷ୍ମତାଟି ଆଦୌ ପରସ୍ଫୁଟ ହୋଇ ପାରୁନାହିଁ । ମାତ୍ର ଏପରି କେଉଁ ମହାନ୍ ସିଦ୍ଧାନ୍ତ ବା ସୂତ୍ର କେଉଁଠାରେ ରହିଛି, ଯାହାର କି ସତକୁ ସତ ଯଥେଷ୍ଟ ପ୍ରାଞ୍ଜଳ ଭାବରେ କୌଣସି ବ୍ୟାଖ୍ୟାବି କରାଯାଇ ପାରିବ ! ପ୍ରାଚୀନ ଗ୍ରନ୍ଥକାରମାନେ ଆଦୌ ଏକ ସୁବ୍ୟବସ୍ଥିତ ପ୍ରଣାଳୀ ସହିତ ଆପଣାର ସିଦ୍ଧାନ୍ତଗୁଡ଼ିକୁ ଉପସ୍ଥାପିତ କରିନାହାନ୍ତି । ସେମାନେ ତ ନାନା ପ୍ରହେଳିର ମାଧ୍ୟମରେ ଆପଣାର କଥାଗୁଡ଼ିକୁ କହିଛନ୍ତି; କାରଣ ସମ୍ଭବତଃ ସବୁବେଳେ ଆଶଙ୍କାମାନ କରିଛନ୍ତି ଯେ, ଏପରି ପୂରା ସବୁକିଛିକୁ ଖୋଲି କହିବାକୁ ଇଚ୍ଛା କଲେ ତୁଚ୍ଛା ଅର୍ଦ୍ଧସତ୍ୟ କେତେଟାକୁ ବଖାଣିବା ହିଁ ସାର ହେବ ! ସେମାନେ ତ ବହୁ କ୍ଷେତ୍ରରେ ସତେଅବା ପ୍ରକୃତରେ ମୋଟେ କିଛି ଜାଣି ନଥିବା ଜଣେ ବ୍ୟକ୍ତି ପରି କହିବାକୁ ଆରମ୍ଭ କରୁଥିଲେ ଏବଂ ଶେଷରେ ଆପଣାର ଶ୍ରୋତାମାନଙ୍କର ପ୍ରଜ୍ଞାକ୍ଷେତ୍ରରେ କିଞ୍ଚିତ୍ ବୃଦ୍ଧିସାଧନ ସମ୍ଭବ କରି ଆଣୁଥିଲେ-। ସ୍ଵୟଂ ଲାଓ-ତ୍‌ସୁ ମଧ୍ୟ ଆପଣାର ଅସାଧାରଣ ବିନୋଦଭାବନାର ପ୍ରୟୋଗ କରି ଜାଗାଏ କହିଛନ୍ତି, “ଯଦି ଅଳପ ବୁଦ୍ଧିସମ୍ପନ୍ନ ବ୍ୟକ୍ତିମାନେ ଏହି ତାଓ ବିଷୟରେ କିଛି ଶୁଣନ୍ତି, ତେବେ ସଙ୍ଗେସଙ୍ଗେ ଠୋ ଠୋ ହୋଇ ହସିବା ଆରମ୍ଭ କରିଦିଅନ୍ତି । ଏବଂ, ଏହିପରି ଉପହାସ କଲାପରି ନହସୁଥିଲେ ସେମାନେ ତାଓର ଅସଲ କାଥାଟିକୁ ବୁଝୁଛନ୍ତି ବୋଲି ଆଦୌ କୁହାଯାଇ ପାରିବ ନାହିଁ-

 

ଆକ୍ଷରିକ ଅର୍ଥରେ ତାଓ କହିଲେ ଏକ ମାର୍ଗକୁ ବୁଝାଏ । ଏହାକୁ ବିଭିନ୍ନ ସମୟରେ ମାର୍ଗ, ପରମ ସତ୍ୟର ଧାରଣା, ବିଧାନ, ସ୍ୱଭାବ, ପରମ ବିଚାରବୁଦ୍ଧି, ଶୈଳୀ–ଏହିପରି ନାନାପ୍ରକାରେ ଅନୁବାଦ କରାଯାଇଛି । ଏହି କୌଣସିଟି ଅନୁବାଦକୁ ଭୁଲ୍ ବୋଲି କହି ହେବନାହିଁ-। କାରଣ, ସ୍ୱୟଂ ତାଓବାଦୀମାନେ ମଧ୍ୟ ସେହି ଶବ୍ଦଟିକୁ ଯେପରି ବ୍ୟବହାର କରିଛନ୍ତି, ଜିଜ୍ଞାସାର ବିଷୟବସ୍ତୁ ଅନୁସାରେ ସେଗୁଡ଼ିକ ଭିତରେ ମଧ୍ୟ ବହୁତ ବହୁତ ପାର୍ଥକ୍ୟ ରହିଛି । ଏହି ବିଷୟରେ ନିଜେ ଲାଓ-ତ୍‌ସୁ ମଧ୍ୟ ଏପରି କହିଛନ୍ତି : ଏପରି ଏକ ବସ୍ତୁ ରହିଛି, ଯାହାମଧ୍ୟରେ କି ସବୁକିଛି ଅନ୍ତର୍ଗତ ହୋଇ ରହିଛି ଏବଂ ଯେତେବେଳେ ସ୍ଵର୍ଗ ବା ମର୍ତ୍ତ୍ୟ କୌଣସିଟି ମଧ୍ୟ ନଥିଲା, ସେତେବେଳେ ସେହି ଆଦ୍ୟ କ୍ଷଣଟିରେ ହିଁ ତାହାର ଆବିର୍ଭାବ ହୋଇଥିଲା । ତାହା ସକଳ ଶବ୍ଦର ଅତୀତ, ଏକାନ୍ତ ଏବଂ ଅଦ୍ୱିତୀୟ । ତାହା ଏକାକୀ ହୋଇ ହିଁ ଦଣ୍ଡାୟମାନ ରହିଛି ଏବଂ ସଦା ଅପରିବର୍ତ୍ତିତ ହୋଇ ରହିଛି । ଆପଣାକୁ ସମ୍ପୂର୍ଣ୍ଣ ଭାବରେ ବିପଦଶୂନ୍ୟ କରି ରଖି ତାହା ଆବର୍ତ୍ତିତ ହେବାରେ ଲାଗିଛି ଏବଂ ପୂର୍ଣ୍ଣ ବିଶ୍ୱବ୍ରହ୍ମାଣ୍ଡର ଜନନୀ ରୂପେ ବିଦ୍ୟମାନ ଅଛି । ମୋତେ ତାହାର ନାମ ମଧ୍ୟ ଜଣାନାହିଁ ଏବଂ ତେଣୁ ମୁଁ ତାହାକୁ ମାର୍ଗ ବୋଲି ହିଁ କହୁଛି । ଅତ୍ୟନ୍ତ କୁଣ୍ଠା ସହିତ ତାହାକୁ ଅନନ୍ତ ବୋଲି ମଧ୍ୟ କହୁଛି । ସେହି ଅନନ୍ତ ଓ ସେହି ଅଶେଷ,-ସେଇଟି ମଧ୍ୟ କ୍ଷଣିକ ଏବଂ ସଦା ଧାବମାନ, ସଦା ଧାବମାନ ଅର୍ଥାତ୍ ସଦା ବିଲୁପ୍ତ ଓ ଅନ୍ତର୍ହିତ ହେବାରେ ଲାଗିଛି ଏବଂ, ଅନ୍ତର୍ହିତ ହୋଇ ପୁନର୍ବାର ଲେଉଟି ଆସୁଛି ।” ଅର୍ଥାତ, ଅଧିକତର ଅର୍ଥରେ ତାଓ ମାର୍ଗ ନୁହେଁ, ତାହା ଏକ ମଧ୍ୟବର୍ତ୍ତୀ ପଥ । ବ୍ରହ୍ମାଣ୍ଡସ୍ତରୀୟ ସକଳ ପରିବର୍ତ୍ତନ ସେହି ଆତ୍ମାଟି, ଅଭିବୃଦ୍ଧି ଲାଭ କରୁଥିବାର ସେହି ନିରନ୍ତର ପ୍ରକ୍ରିୟାଟି ଯାହାକି ବାରମ୍ବାର ଫେରି ଆସୁଛି ଏବଂ ନୂତନ ଆକୃତିଗୁଡ଼ିକୁ ସମ୍ଭବ କରୁଛି । ଠିକ୍ ଗୋଟାଏ ଡ୍ରାଗନ ପରି ହିଁ ବାହୁଡ଼ି ଆସୁଛି । ସେହି ଡ୍ରାଗନ୍ ହେଉଛି ତାଓବାଦୀମାନଙ୍କର କେଡ଼େ ପ୍ରିୟ ପ୍ରତୀକଟି । ଠିକ୍ ମେଘମାନଙ୍କ ପରି ସଂଗୃହୀତ ହୋଇ ଆସୁଛି ଓ ପୁନର୍ବାର ମେଲି ଯାଉଛି । ଆମେ ତାଓକୁ ବିଶାଳ ପରିବର୍ତ୍ତନର ଏକ ପ୍ରକ୍ରିୟା ବୋଲି ହୁଏତ ବୁଝିବାକୁ ଚେଷ୍ଟା କରିପାରିବା । ବ୍ୟକ୍ତି ଜୀବନର ପ୍ରସ୍ଥଟିରେ ଏହାକୁ ସଂପୂର୍ଣ୍ଣ ବିଶ୍ଵବ୍ରହ୍ମାଣ୍ଡର ଏକ ମନଃସ୍ଥିତି ବୋଲି କୁହାଯାଇ ପାରିବ । ଏହାର ପୂର୍ଣ୍ଣ ଚରମ ସ୍ଥିତିଟି ମଧ୍ୟ ଏକ ଆପେକ୍ଷିକ ସ୍ଥିତି-

 

ଆମେ ସବାଆଗ ଏହି କଥାଟିକୁ ନିଶ୍ଚୟ ସ୍ମରଣ ରଖିବା ଯେ, ତାଓ ନାମକ ଏହି ମାର୍ଗବାଦଟି ତାହାର ପରବର୍ତ୍ତୀ ଜୈନ୍ ଦାର୍ଶନିକ ବାଦଟି ପରି ଦକ୍ଷିଣ ଚୀନ୍‌ର ବ୍ୟକ୍ତିବାଦୀ ପ୍ରବୃତ୍ତିଟିର ହିଁ ପ୍ରତିନିଧିତ୍ୱ କରିଥାଏ । ଏହା ବସ୍ତୁତଃ ଉତ୍ତର ଚୀନ୍‌ର କମ୍ୟୁନିଜ୍‌ମ୍‌ର ବିଚାରଟିର ଠିକ୍ ବିପରୀତ ମୂଲ୍ୟଟିର ହିଁ ପ୍ରତିନିଧତ୍ୱ କରୁଥିଲା । ଆମେ କନ୍‌ଫୁସିଅସ୍‌ଙ୍କର ବିଚାରଟିରେ ସେହି କମ୍ୟୁନିଜ୍‌ମ୍ ଚିନ୍ତାଧାରାଟିର ଅନ୍ୟ ପରିଚୟଟି ରହିଥିବାର ପ୍ରତ୍ୟକ୍ଷ କରିପାରିବା । ପୁନଶ୍ଚ ଦୁଇଟିର ମଧ୍ୟବର୍ତ୍ତୀ ହୋଇ ରହିଥିବା ସାମ୍ରାଜ୍ୟଟି ତ ଆକାରରେ ଇଉରୋପର ପୂର୍ଣ୍ଣ ଭୂଖଣ୍ଡଟିର ସମତୁଲ ହେବ ଏବଂ ସେହି ଅଞ୍ଚଳରେ ବହି ଯାଉଥିବା ଦୁଇ ନଦୀର ଅବବାହିକାର ଆୟତନ ମଧ୍ୟରେ ତାହା ଏକ ଭିନ୍ନ ଜୀବନବିଚାରର ହିଁ ସୂଚନା ପ୍ରଦାନ କରିଥାଏ । ଚୀନ୍‌ର ଦୁଇ ନଦୀ ୟାଙ୍ଗସିକିଆଙ୍ଗ ଓ ହୋୟାଙ୍ଗ ହୋ ନାମକ ଏହି ଦୁଇ ନଦୀକୁ ଆମେ ଯଥାକ୍ରମେ ଇଉରୋପର ଭୂମଧ୍ୟସାଗର ଏବଂ ବଲ୍‌ଟିକ୍ ସହିତ ତୁଳନା କରିପାରିବା । ବହୁ ଶତାବ୍ଦୀରୁ ଏକତ୍ର ଗୋଟିଏ ଏକକ ହୋଇ ରହିଥିଲେ ମଧ୍ୟ ଦକ୍ଷିଣ ତଥା ଉତ୍ତର ସେହି ଦୁଇ ଅଞ୍ଚଳଟି ମଧ୍ୟରେ ବିଚାର ତଥା ବିଶ୍ୱାସଗୁଡ଼ିକର କ୍ଷେତ୍ରରେ ବହୁତ ପାର୍ଥକ୍ୟ ରହି ଆସିଛି । ଇଉରୋପର ଉପରଲିଖିତ ସେହି ଲାଟିନ୍ ଏବଂ ଟିଉଟନ୍ ଦୁଇ ଅଞ୍ଚଳ ସଦୃଶ । ସେହି ଖୁବ୍ ପ୍ରାଚୀନ୍ ସମୟରେ ଯେତେବେଳେ ବର୍ତ୍ତମାନ ତୁଳନାରେ ପାରସ୍ପରିକ ଯୋଗସୂତ୍ରଗୁଡ଼ିକ ଆହୁରି ଅଧିକ ଆୟାସସାଧ୍ୟ ହୋଇ ରହିଥିଲା, ସେତେବେଳେ ମଧ୍ୟ ବିଚାରଗତ ସେହି ପାର୍ଥକ୍ୟଟି ସବୁଠାରୁ ଅଧିକ ସ୍ପଷ୍ଟ ଭାବରେ ପ୍ରତ୍ୟକ୍ଷ ହିଁ ହେଉଥିଲା । ଗୋଟିକର ଆୟତନରେ ରହିଥିବା କଳା ଏବଂ କାବ୍ୟର ପରିବେଶଟି ଅପରଟିର ସେହି ପରିବେଶଟିଠାରୁ ସମ୍ପୂର୍ଣ୍ଣ ରୂପେ ବାରି ହୋଇ ପଡ଼ୁଥିଲା । ଗୋଟିଏ ପକ୍ଷରେ ଲାଓ ତ୍‌ସୁ ଏବଂ ତାଙ୍କର ଅନୁଗାମୀମାନେ ଏବଂ ୟାଙ୍ଗସିକିଆଙ୍ଗ ଅଞ୍ଚଳର ପ୍ରକୃତି କବିମାନଙ୍କର ପୂର୍ବଗାମୀ କୁତ୍‌ସୁଗେନ୍‌ଙ୍କ ମଧ୍ୟରେ ଆମେ ଏପରି ଗୋଟିଏ ଆଦର୍ଶବାଦ ଉପସ୍ଥିତ ରହିଥିବାର ଲକ୍ଷ୍ୟ କରିପାରିବା, ଯାହାକି ସେମାନଙ୍କର ସମକାଳୀନ ଉତ୍ତରାଞ୍ଚଳୀୟ ଲେଖକମାନଙ୍କର ଶୁଷ୍କପ୍ରାୟ ନୀତିବାଦୀ ଧାରଣାଗୁଡ଼ିକ ସହିତ ଆଦୌ ମେଳ ଖାଇବନାହିଁ । ଲାଓ ତ୍‌ସୁଙ୍କର ଆବିର୍ଭାବ ଖ୍ରୀଷ୍ଟ ଜନ୍ମର ପାଞ୍ଚଶତାବ୍ଦୀ ପୂର୍ବରୁ ହୋଇଥିଲା ।

 

ଲାଓତ୍‌ସୁ–ତାଙ୍କୁ ତାଙ୍କର ଏକ ଅନ୍ୟ ଲୋକପ୍ରିୟ ନାମରେ ‘ଦୀର୍ଘକର୍ଣ୍ଣ-ବିଶିଷ୍ଟ’ ବୋଲି କୁହା ବି ହେଉଥିଲା, –ଙ୍କ ଆବିର୍ଭାବର ବହୁତ ପୂର୍ବରୁ ଲାଓମାର୍ଗୀୟ ଚିନ୍ତନର ହୁଏତ ବେଶ୍ ଏକ ଅଙ୍କୁରୋଦ୍‌ଗମ ହୋଇଯାଇଥିବାର ଖୁବ୍ ଅନୁମାନ କରାଯାଇ ପାରିବ । ଚୀନ୍‌ର ପୁରାତନ ଇତିବୃତ୍ତଗୁଡ଼ିକରେ, ବିଶେଷ କରି Book of the Changes ଗ୍ରନ୍ଥରେ ଆମକୁ ତାହାର ଅଭାସଟିଏ ଅବଶ୍ୟ ପ୍ରାପ୍ତ ହୋଇଯିବ । ମାତ୍ର ଖ୍ରୀ.ପୂ. ଷୋଡ଼ଶ ଶତାବ୍ଦୀରେ ଚୋଉ ରାଜବଂଶର ପ୍ରତିଷ୍ଠାଦ୍ଵାରା ଆପଣାର ଶୀର୍ଷବିନ୍ଦୁକୁ ସ୍ପର୍ଶ କରିଥିବା ଚୀନ୍‌ ସଭ୍ୟତାର ସେହି କ୍ଲାସିକ୍‌ ପର୍ଯ୍ୟାୟରେ ସେହି ସମୟରେ ପ୍ରବିଧି ତଥା ଚଳଣିଗୁଡ଼ିକ ପ୍ରତି ଯେଉଁ ଗଭୀର ସମ୍ମାନ ପ୍ରଦର୍ଶନ କରାଯାଉଥିଲା, ତାହା ଏକ ଦୀର୍ଘକାଳ ସକାଶେ ବ୍ୟକ୍ତିବାଦର ବିକାଶକୁ ପଥରୁଦ୍ଧ କରି ରଖିଥିଲା, ଯାହାର ପରିଣାମସ୍ୱରୂପ ଚୋଉ ବଂଶଟି ଭାଙ୍ଗି ଭାଗ ଭାଗ ହୋଇଯିବା ପରେ ଯାଇ ଅଗଣିତ ସଂଖ୍ୟାରେ ସ୍ଵାଧୀନ କ୍ଷୁଦ୍ରରାଜ୍ୟଗୁଡ଼ିକର ପ୍ରତିଷ୍ଠା ହେବାରେ ଲାଗିଥିବା ସମୟରେ ତାହା ଏକ ମୁକ୍ତ ଚିନ୍ତନର ପୂର୍ଣ୍ଣ ପ୍ରସାର ମାଧ୍ୟମରେ ବିକଶିତ ହୋଇ ଆସିପାରିଲା । ଲାଓ ତ୍‌ସୁ ଓ ଶୋ-ଷି (ଚୁଆଙ୍ଗ-ତ୍‌ସୁ) ଉଭୟେ ଦକ୍ଷିଣର ହିଁ ଅଧିବାସୀ ଥିଲେ ଏବଂ ସେହିମାନେ ହିଁ ନୂତନ ପଥଟିର ଜଣେ ଜଣେ ମୁଖ୍ୟତମ ପ୍ରବର୍ତ୍ତକ ହୋଇ ବାହାରିଥିଲେ । ଅନ୍ୟ ପକ୍ଷରେ କନ୍‌ଫୁସିଅସ୍ ଆପଣାର ବହୁସଂଖ୍ୟକ ଶିଷ୍ୟମାନଙ୍କ ସମେତ ସେହି ପୂର୍ବପୁରୁଷ ଅମଳର ପରମ୍ପରାଗୁଡ଼ିକୁ ସଂରକ୍ଷିତ କରି ରଖିବାର ଆଗ୍ରହୀ ହୋଇଥିଲେ । କନ୍‌ଫୁସିଅସ୍‌ଙ୍କର ବିଚାର ସମ୍ପର୍କରେ ଆଦୌ ଜ୍ଞାନ ନଥାଇ ଆମେ ଲାଓମାର୍ଗକୁ ବୁଝିବାରେ ଆଦୌ ସମର୍ଥ ହେବାନାହିଁ । ଏବଂ, ଏଇଟିକୁ ନଜାଣି ସେଇଟିକୁ ମଧ୍ୟ ବୁଝି ପାରିବାନାହିଁ ।

 

ଆମେ ପୂର୍ବରୁ କହିଛୁ ଯେ, ତାଓମାର୍ଗୀୟ କଳ୍ପନାରେ ରହିଥବା ପୂର୍ଣ୍ଣ ପରମସ୍ଥିତିଟିକୁ ଏକ ଆପେକ୍ଷିକ ସ୍ଥିତି ବୋଲି ମଧ୍ୟ ଗ୍ରହଣ କରିବାକୁ ହେବ । ନୈତିକତାର କ୍ଷେତ୍ରରେ ତାଓବାଦୀମାନେ ସମାଜରେ ପ୍ରଚଳିତ ପ୍ରବିଧ ତଥା ନୈତିକ ବିଧାନଗୁଡ଼ିକ ପ୍ରତି ବିଦ୍ରୂପଭାବ ଦେଖାଇଥିଲେ, କାରଣ ସେମାନେ ଉଚିତ ଓ ଅନୁଚିତ ଦୁଇଟିଯାକକୁ ହିଁ କେବଳ ଆପେକ୍ଷିକ ବୋଲି ବିଚାର କରୁଥିଲେ । ସଂଜ୍ଞାଟିଏ ନିରୂପଣ କରି ଦେବାରେ ତଥାପି ସର୍ବଦା ଏକ ସୀମା ଅବଶ୍ୟ ରହିବ ଏବଂ ଯେତେବେଳେ କୌଣସି ସ୍ଥିତିକୁ ‘ସଦା ଠିକ୍ ସେହିଭଳି’ ଓ “ପରିବର୍ତ୍ତନ-ରହିତ’ ବୋଲି କୁହାଯିବ, ସେତେବେଳେ ସେଗୁଡ଼ିକର କେବେ କୌଣସି ଅଭିବୃଦ୍ଧି ଆଦୌ ଘଟିବ ନାହିଁ ବୋଲି ଦାବୀ କରିବାକୁ ମଧ୍ୟ ହେବ । କୁତ୍‌ସୁଗେନ୍ କହୁଥଲେ, “ମନୀଷୀମାନେ ଏହି ପୃଥିବୀଟିକୁ ହିଁ ଗୋଟିଏ ସ୍ଥିତିରୁ ଆଉଗୋଟିଏ ସ୍ଥିତିରୁ ପ୍ରେରିତ କରି ନେଇ ପାରନ୍ତି ।’ ନୈତିକତାର କ୍ଷେତ୍ରରେ ଆମର ପରିମାପକଗୁଡ଼ିକ କୌଣସି ପୂର୍ବକାଳର ସମାଜରୁ ଜନ୍ମଲାଭ କରିଥାନ୍ତି ସତ, କିନ୍ତୁ ଏହି ସମାଜଟି ମଧ୍ୟ ପ୍ରକୃତରେ ସବୁକାଳକୁ ସେହି ଗୋଟିଏ ଭଳି ହୋଇ ରହିବ କି ? ଆମେ ଯେତେବେଳେ ସାମୂହିକ ପରମ୍ପରାଗୁଡ଼ିକୁ ସ୍ୱୀକାର କରି ଯାହାକିଛି କରୁଛୁ, ସେତେବେଳେ ସକଳ କ୍ଷେତ୍ରରେ ହିଁ ବ୍ୟକ୍ତିଟିକୁ ନେଇ ରାଷ୍ଟ୍ର ସକାଶେ ଉତ୍ସର୍ଗ କରୁଛୁ । ଏବଂ, ସେହି ଶକ୍ତିଶାଳୀ ବିଭ୍ରମଟିକୁ ସ୍ଥାୟୀ କରି ରଖିବ ବୋଲି ସକଳ ଉତ୍ସାହ ସହିତ ଆମର ଶିକ୍ଷା ଆମକୁ ଅଜ୍ଞାନ ଭିତରେ ହିଁ ବାନ୍ଧି ରଖିଛି । ଲୋକମାନଙ୍କୁ ଆଦୌ ସଦାଚାରଣ କରିବା ସକାଶେ କୁହାଯାଉନାହିଁ; ସେମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାଲାଗି ହିଁ କୁହାଯାଉଛି । ଆମେ ଅତ୍ୟନ୍ତ ବିପଜ୍ଜନକ ମାତ୍ରାରେ ଆତ୍ମସଚେତନ ହେବାଦ୍ୱାରା ହିଁ ଦୁଷ୍ଟ ବୋଲି ପ୍ରତିପାଦିତ ହେଉଛୁ । ଏହି କ୍ଷେତ୍ରରେ ଆମେ ଅନ୍ୟମାନଙ୍କୁ ମଧ୍ୟ କ୍ଷମା କରିବାକୁ ମୋଟେ ରାଜୀ ହେଉନାହୁଁ, କାରଣ ଆମେ ବେଶ୍ ଭଲ ଭାବରେ ଜାଣିଛୁ ଯେ, ଆମେ ଆପେ ହିଁ କେତେ ନା କେତେ ଭୁଲ ମଧ୍ୟରେ ଜଡ଼ିତ ହୋଇ ରହିଛୁ । ଆମ ଭିତରେ ଆମେ ବିବେକ ନାମକ ଏକ ବସ୍ତୁକୁ ଲାଳନପାଳନ କରି ରଖିଛୁ । କାରଣ ଅନ୍ୟମାନଙ୍କ ପାଖରେ ସତଟାକୁ କହି ଦେବା ପାଇଁ ଆମେ ପ୍ରକୃତରେ ଖୁବ୍ ଭୟ କରୁଛୁ । ଏବଂ, ଏଣେ ଭିତରେ ଆମେ ନିଜକୁ ମଧ୍ୟ ସତକଥା କହିଦେବାରେ ଭୟ କରୁଥିବାରୁ ବେଶ୍ ଗୌରବ ମଧ୍ୟ ଅନୁଭବ କରିପାରୁଛୁ । ଏହି ପୃଥିବୀଟା ଏହିଭଳି ହାସ୍ୟାସ୍ପଦ ହୋଇ ରହିଥିବା ବେଳେ ଜଣେ ମନୁଷ୍ୟ ପୃଥିବୀକୁ ବି ଖୁବ୍‌ ହାଲୁକା ଭାବରେ ଗ୍ରହଣ କରି ନନେବ ବା କିପରି ! ହଁ, ସବୁସ୍ଥାନରେ ଏହିପରି ଏକ ଅର୍ଥାର୍ଥୀ ରୀତିରେ ହିଁ ସବୁକିଛି ଚାଲିଛି । ତେଣୁ, ସମ୍ମାନ ଏବଂ ସାଧୁତା ବିଷୟରେ ପୁଣି କ’ଣ ବା କୁହାଯାଇ ପାରିବ ? ଏବଂ, ଭଲ ଏବଂ ସତଗୁଡ଼ିକୁ ମୂଲ କରି ଦାଣ୍ଡରେ ବିକୁଥିବା ସେହି ଆତ୍ମସନ୍ତୁଷ୍ଟ ବିକିବାବାଲାଟି ଆଡ଼କୁ ଥରେ ଅନାଇ ଦେଖ ତ ! ଜଣେ ମନୁଷ୍ୟ ତ ମନ କଲେ ଗୋଟାଏ ତଥାକଥିତ ଧର୍ମକୁ ମଧ୍ୟ ଖୁବ୍ କିଣିନେଇ ପାରୁଛି । ଏହି ରୀତିଟି ପ୍ରକୃତରେ ଘଟୁଛି ଏବଂ ନୈତିକତା ଦ୍ଵାରା ସମର୍ଥନ ଲାଭ କରି ଫୁଲ ତଥା ସଙ୍ଗୀତାଦି ଦ୍ଵାରା ପବିତ୍ର ହୋଇ ବି ରହିଛି । ଗୋଟିଏ ଉପାସନାର ସ୍ଥାନରୁ ଯଦି ତୁମେ ଏହି ନାନା ଆନୁଷଙ୍ଗିକକୁ କାଢ଼ି ନେଇଯିବ, ତେବେ ସେଥିରେ ଆଉ କଣ ଅବଶେଷ ରହିବ କହିଲ । ତଥାପି ମାହାଲଗୁଡ଼ିକ କି ଚମତ୍କାର ଭାବରେ ତିଷ୍ଠି ନରହିଛନ୍ତି । କାରଣ, ସବୁକିଛି ଖୁବ୍ ଶସ୍ତା ବି ହୋଇଯାଇଛି–ଗୋଟାଏ ପ୍ରାର୍ଥନା ଧାଡ଼ିକୁ ଉଚ୍ଚାରଣ କରି ସ୍ୱର୍ଗକୁ ଯାଇହେଉଛି ଏବଂ ଜଣେ ସମ୍ମାନାସ୍ପଦ ନାଗରିକ ବୋଲି ତୁମକୁ ସ୍ୱୀକୃତିପତ୍ର ମିଳି ବି ଯାଇପାରୁଛି । ତେଣୁ, ଆଉ ମୋଟେ କୌଣସି ବିଳମ୍ବ ନକରି ତୁମେ କୌଣସି ଗୋଟିଏ ମାଣ ବା ଗଉଣୀ ପଛରେ ଲୁଚି ରହିଯାଅ । କାରଣ, ଯଦି ତୁମର ପ୍ରକୃତ ଉପଯୋଗିତାଟି ପୃଥିବୀକୁ ଅବଗତ କରାଇ ଦିଆଯିବ, ତେବେ ସର୍ବାଧିକ ମୂଲ୍ୟ ଦେଇ ପାରୁଥିବା ଜଣେ ଗର୍‌ହାକ ପାଖରେ ତୁମେ ଅତିଶୀଘ୍ର ହିଁ ବିକା ହୋଇଯାଇପାରିବ । ଏହି ନର ଓ ନାରୀମାନେ କଣ ପାଇଁ ଆପଣାକୁ ଅଧିକ ଏବଂ ଆହୁରି ଅଧିକ ଯୋଗ୍ୟ ବୋଲି ଦେଖାଇ ବୁଲିବାକୁ ଇଚ୍ଛା କରୁଛନ୍ତି କହିଲ-! ଏହି ସଂସ୍କାରଟି ପୂର୍ଣ୍ଣତଃ ସେହି କ୍ରୀତଦାସମାନଙ୍କର ଯୁଗରୁ ପ୍ରାୟ ଏକ ସହଜାତ ପ୍ରବୃତ୍ତି ଭଳି ଗଡ଼ି ଆସିନାହିଁ କି ?

 

ଏହି ବିଚାରର ପୁରୁଷାର୍ଥଟା ଯେ ପରବର୍ତ୍ତୀ ସାମାଜିକ ଉଦ୍‌ବେଳନକୁ ଆପଣାର ଅଧିକାରଟା ମଧ୍ୟରେ ଆୟତ୍ତ କରି ରଖିବାରେ କେବଳ ଉଦ୍ୟତ ହୋଇ ରହିଥିଲା ତା’ ନୁହେଁ, ତାହା ସମାନ ପରିମାଣରେ ସେହି ସମକାଳୀନ ଭାବନାର ବାଡ଼ିଟିକୁ ଭାଙ୍ଗିଦେବା ସକାଶେ ମଧ୍ୟ ଖୁବ୍‌ ତତ୍ପରତା ଦେଖାଇଥିଲା । ଶିନ୍ ରାଜବଂଶ ସମୟରେ ତାଓ-ମାର୍ଗ ଆପଣାର କ୍ରିୟାଶୀଳତାରେ ବେଶ୍ ଶକ୍ତିଶାଳୀ ହୋଇଥିଲା,–ସେତେବେଳେ ସବୁଯାକ ଖଣ୍ଡରାଜ୍ୟ ଏକତ୍ର ଗୋଟିଏ ନାମରେ ଚୀନ୍ ବୋଲି ହିଁ ପରିଚିତ ହେଲେ । ସମସାମୟିକ ଚିନ୍ତାନାୟକ, ଗଣିତଜ୍ଞ, ପ୍ରବିଧି ତଥା ସମର ଆଦି କ୍ଷେତ୍ରର ଲେଖକ, ସାଧନାରତ ତପସ୍ୱୀ, ରସବିଦ୍ୟା-ବିଶାରଦ ତଥା ପରବର୍ତ୍ତୀ ୟାଙ୍ଗସିକିଆଙ୍ଗ କବିମାନଙ୍କୁ ଯେ ସେଇଟି କିପରି ପ୍ରଭାବିତ କରିଥିଲା, ତାହାର କିଞ୍ଚିତ୍ ଆଲୋଚନା କରିଥିଲେ ତାହା ଅବଶ୍ୟ ଆଗ୍ରହୋଦ୍ଦୀପକ ହୁଅନ୍ତା । ପୁନଶ୍ଚ, ବାସ୍ତବତାର ସଂଜ୍ଞା ନିରୂପଣ କରିବାକୁ ପ୍ରୟାସ କରିଥିବା ସେହି ନୈୟାୟିକମାନଙ୍କୁ ମଧ୍ୟ ଆମେ ମହତ୍ତ୍ୱହୀନ ବୋଲି କହି ବାଦ୍ ଦେବାନାହିଁ,–ତାହାର ରଙ୍ଗ ଧଳା ବୋଲି ଗୋଟିଏ ଘୋଡ଼ାକୁ ପ୍ରକୃତ ବସ୍ତୁଟିଏ ବୋଲି କୁହାଯାଉଛି ଅଥବା ତାହା ହାତକୁ ନିଦା ଲାଗୁଥିବାରୁ ଆମେ ତାକୁ ଏକ ବସ୍ତୁ ବୋଲି କହୁଛୁ, ସେମାନେ ସେଭଳି ବ୍ୟାପାରଗୁଡ଼ିକୁ ନେଇ ଆପଣାର ନାନା ସନ୍ଦେହ ବ୍ୟକ୍ତ କରୁଥିଲେ । ଏବଂ, ଜେନ୍ ମାର୍ଗର ଦାର୍ଶନିକମାନଙ୍କ ପରି ଛଅଟିଯାକ ରାଜତ୍ୱକାଳର କଥୋପକଥନକାରୀଙ୍କୁ ମଧ୍ୟ ଆମେ ଛାଡ଼ି ଯିବାନାହିଁ, ଯେଉଁମାନେ କି ଶୁଦ୍ଧ ତଥା ଅମୂର୍ତ୍ତି ଇତ୍ୟାଦି କଳ୍ପନାଗୁଡ଼ିକୁ ନେଇ ଗମ୍ଭୀର ଆଲୋଚନାମାନ କରି ଆନନ୍ଦ ଲାଭ କରୁଥିଲେ । ସର୍ବୋପରି, ତାଓବାଦ ସ୍ୱୟଂ ଅପାର୍ଥିବ ଏକାଧିକ ଧାରଣାଗୁଡ଼ିକର ଆଲୋଚନା କରି ଯାହାସବୁକୁ ହାସଲ ମଧ୍ୟ କରିଛି ତଥା ତାହାକୁ ଏକ ନିର୍ଦ୍ଦିଷ୍ଟ ନିର୍ଭରଯୋଗ୍ୟତାର ସାମର୍ଥ ଆଣି ଦେଇଛି, ସେଇଟିକୁ ଆମେ ସକଳ କ୍ଷେତ୍ରରେ ସମୁଚିତ ସମ୍ମାନ ନିଶ୍ଚୟ ପ୍ରଦର୍ଶନ କରିବା । ଚୀନ୍‌ଦେଶର ଇତିହାସ ଏପରି ବହୁସଂଖ୍ୟକ ଦୃଷ୍ଟାନ୍ତରେ ପୂର୍ଣ୍ଣ ହୋଇ ରହିଛି, ଯେଉଁଗୁଡ଼ିକରେ କି ତାଓମାର୍ଗର ରାଜପୁତ୍ର ତଥା ତପସ୍ୟାରତ ସାଧକ ଉଭୟ କିସମର ଅନୁରକ୍ତବୃନ୍ଦ ଆପଣା ଧର୍ମର ପରାମର୍ଶଗୁଡ଼ିକୁ ପାଳନ କରିଛନ୍ତି ଏବଂ ସେଥିରୁ ବହୁବିଧ ଖୁବ୍ ଆଗ୍ରହୋଦ୍ଦୀପକ ଫଳଗୁଡ଼ିକୁ ଲାଭ କରିଛନ୍ତି । ସେହି କାହାଣୀଟିକୁ ଶୁଣିଲେ ଆମକୁ ଅନେକ ଶିକ୍ଷା ମିଳିବ ଏବଂ ପୁଲକିତ ହେବାର ବହୁ ଅବସର ପ୍ରାପ୍ତ ହୋଇ ପାରିବ । ସେଥିରେ କେତେ କେତେ ବଳିଷ୍ଠ କିମ୍ବଦନ୍ତୀମାନ ରହିଛି, ଉପମାମାନେ ଭର୍ତ୍ତି ହୋଇଛନ୍ତି, ବହୁ ମହତ୍ତ୍ୱପୂର୍ଣ୍ଣ ଉକ୍ତିମାନେ ମଧ୍ୟ ଅଛନ୍ତି । ସଦାଖୁସୀ ଯେଉଁ ସମ୍ରାଟ କେବେ ଏହି ସଂସାରରେ ନଥିଲେ ଓ ତେଣୁ ତାଙ୍କର ବସ୍ତୁତଃ କେବେହେଲେ ମୃତ୍ୟୁ ବି ହୋଇ ନଥିଲା, ତାଙ୍କ ସହିତ କଥା କହିବା ନିମନ୍ତେ ଆମେ ପ୍ରକୃତରେ ଉତ୍ସୁକ ହୋଇ ଉଠିବା । ଆମେ ଇଚ୍ଛା କଲେ ଲିକ୍-ତ୍‌ସୁ ସହିତ ପବନ ଉପରେ ଯାଇ ଆରୋଗ୍ୟ ଗ୍ରହଣ କରିପାରିବା ଏବଂ, ଆମେ ନିଜେ ହିଁ ସେହି ପବନ ହୋଇଥିବାରୁ ଭଲ ଆରୋହଣ ଦ୍ଵାରା କେତେ ସଂପୂର୍ଣ୍ଣ ଭାବରେ ଧୀର ବି ଅନୁଭବ କରୁଥବା । ପୁନଶ୍ଚ, ଇଚ୍ଛାକଲେ ହୋୟାଙ୍ଗ-ହୋର ସେହି ଖାସ୍ ବୁଢ଼ାଟି ସହିତ ଶୂନ୍ୟମଣ୍ଡଳରେ ଯାଇ ଅବସ୍ଥାନ କରି ପାରିବା । ସେହି ବୁଢ଼ାଟି ସ୍ଵର୍ଗ ଏବଂ ମର୍ତ୍ତ୍ୟର ମଧ୍ୟବର୍ତ୍ତୀ ଏକ ସ୍ଥଳରେ ବାସ କରୁଥିଲେ, କାରଣ ସେ ସ୍ଵର୍ଗ ଅଥବା ମ କାହାରି । ଅଧୀନ ହୋଇ ରହିନଥିଲେ । ଏପରିକି, ସଂପ୍ରତି ଚୀନ୍ ଦେଶରେ ଉକ୍ତ ତାଓମାର୍ଗ ପ୍ରତି ଯେଉଁ ନାନାଭାବେ ବିକୃତ ବିଦ୍ରୁପଭାବ ପ୍ରଦର୍ଶନ କରାଯାଉଛି, ସେଥିରେ ମଧ୍ୟ ଆମକୁ ଏପରି ବହୁ କଳ୍ପନାସମ୍ପଦର ଦୃଷ୍ଟାନ୍ତ ଦେଖିବାକୁ ମିଳିବ, ଯାହାକୁ କି ଅନ୍ୟ କୌଣସି ସମ୍ପ୍ରଦାୟରେ ରହିଥିବାର ଆଦୌ ଦେଖି ହେବନାହିଁ ।

 

ତଥାପି, ଆମେ ଅବଶ୍ୟ ଜାଣି ରଖିବା ଯେ ସୌନ୍ଦର୍ଯ୍ୟବୋଧର ସେହି ବିଶେଷ କ୍ଷେତ୍ରଟିରେ ହିଁ ଏସିଆ ମହାଦେଶର ସାଂସ୍କୃତିକ ଜୀବନ ଲାଗି ତାଓମାର୍ଗର ସର୍ବପ୍ରମୁଖ ଅବଦାନଟି ନିହିତ ହୋଇ ରହିଛି । ଚୀନ ଇତିହାସକାରମାନେ ତାଓବାଦକୁ ସର୍ବଦା ‘ପରିପୂର୍ଣ୍ଣ ରୂପେ ଏହି ପୃଥିବୀରେ ରହିବାର କଳା’ ବୋଲି ବର୍ଣ୍ଣନା କରିଛନ୍ତି । କାରଣ ତାହା ବର୍ତ୍ତମାନଟି ବିଷୟରେ ଅର୍ଥାତ୍ ଆମ ବିଷୟରେ ହିଁ ଯାହାକିଛି କହିବା ପାଇଁ ଇଚ୍ଛା କରିଛି । ଆମ ନିଜ ମଧ୍ୟରେ ହିଁ ଈଶ୍ଵର ପ୍ରକୃତିକୁ ଆସି ଭେଟିଛନ୍ତି, ଓ ଗତ କାଲିଟି ଆଗାମୀ କାଲିଠାରୁ ବିଦାୟ ନେଇ ଚାଲିଯାଉଛି । ଏହି ବର୍ତ୍ତମାନର ମୁହୂର୍ତ୍ତଟି,–ସେଇଟି ହିଁ ସକଳ ଅର୍ଥରେ ସେହି ସଦାସଚଳ ଓ ଗତିଯୁକ୍ତ ହୋଇ ରହିଥିବା ଅନନ୍ତ ଏବଂ ଅଶେଷ, ସର୍ବବିଧ ଆପେକ୍ଷିକତାର ନ୍ୟାୟାନୁମୋଦିତ ମଣ୍ଡଳଟି । ସେହି ଆପେକ୍ଷିକତା ଏକ ଅନୁକୂଳନ ନିମନ୍ତେ ସର୍ବଦା ପ୍ରୟାସ କରୁଛି ଏବଂ ସେହି ଅନୁକୂଳନର ପୂର୍ଣ୍ଣ ପ୍ରକ୍ରିୟାଟି ହେଉଛି କଳା । ଆମର ଏହି ପରିବେଷ୍ଟନୀଟି ସହିତ ନିରନ୍ତର ଆପଣାକୁ ବାରବାର ଅନୁକୂଳିତ କରିବାର ପ୍ରୟାସ–ତାହାହିଁ କଳା । ପାର୍ଥିବ କହିଲେ ଏଠି ଯାହାକିଛିକୁ ବୁଝାଇବ, ତାଓର ମାର୍ଗ ସେଇଟିକୁ ସ୍ୱୀକାର କରି ନେଇଥାଏ; ମାତ୍ର, ଅନ୍ୟପକ୍ଷରେ କନ୍‌ଫୁସିଅସ୍ ଏବଂ ବୁଦ୍ଧଙ୍କର ଅନୁଗାମୀମାନେ ଆମର ବହୁ ଦୁଃଖ ତଥା ସନ୍ତାପ ମଧ୍ୟରେ ହିଁ ସୌନ୍ଦର୍ଯ୍ୟର ଆବିଷ୍କାର କରିବାକୁ ଚେଷ୍ଟା ହି କରୁଥାଆନ୍ତି । ତିନି ଭିନିଗାର ଚଖାଳିଙ୍କ ବିଷୟରେ ସୁଙ୍ଗ୍‌ ଅମଳର ଯେଉଁ ଉପମାଟି ରହିଛି, ସେଥିରେ ଏହି ତିନି ନୀତିମାର୍ଗ ବିଷୟରେ ଅତି ଚମତ୍କାର ଭାବରେ ବୁଝାଇ କହି ଦିଆଯାଇଛି । ସାକ୍ୟମୁନି, କନ୍‌ଫୁସିଅସ୍ ଏବଂ ଲାଓ-ତ୍‌ସୁଙ୍କ ମାର୍ଗମାନଙ୍କ ବିଷୟରେ । ଏକଦା ତିନିଜଣଯାକ ଏକ ଭିନିଗାର ପାତ୍ର ଆଗରେ ଛିଡ଼ା ହୋଇଥିଲେ–ଭିନିଗାରକୁ ଜୀବନର ଏକ ସନ୍ତକରୂପେ ହିଁ ସମସ୍ତେ ବୁଝନ୍ତି । ପଦାର୍ଥଟିକୁ ଚାଖି ଦେଖିବା ପାଇଁ ଏମାନେ ସମସ୍ତେ ନିଜ ନିଜର ଆଙ୍ଗୁଠିକୁ ନେଇ ତା’ଭିତରେ ଡୁବାଇ ଦେଇଥିଲେ । ବାସ୍ତବବାଦୀ କନ୍‌ଫୁସିଅସ୍ ଖଟା ଲାଗୁଛି ବୋଲି କହିଲେ, ବୁଦ୍ଧ କହିଲେ ପିତା ଲାଗୁଛି ଏବଂ ଲାଓ-ତ୍‌ସୁଙ୍କୁ ତାହା ମିଠା ଲାଗିଲା ।

 

ଲାଓ-ତ୍‌ସୁ ତ ଦୃଢ଼ତାର ସହିତ କହୁଥିଲେ ଯେ, ଯଦି ସବୁ ମଣିଷ ଏକତାଗୁଡ଼ିକୁ ପ୍ରକୃତରେ ରକ୍ଷା କରି ଜୀବନ ବଞ୍ଚିପାରନ୍ତେ, ତେବେ ଜୀବନନାମକ ଏହି ମିଳନର କ୍ଷେତ୍ରଟି ଆହୁରି ଅଧିକ ଆନନ୍ଦପ୍ରଦ ମଧ୍ୟ ହୋଇ ପାରନ୍ତା । ବସ୍ତୁମାନଙ୍କ ଭିତରେ ଉଚିତ ଅନୁପାତଟିଏ ରଖିବାରେ ସମର୍ଥ ହେବା ଏବଂ ନିଜର ସ୍ଥିତିଟିକୁ କୌଣସି ପ୍ରକାରେ ନହରାଇ ଅନ୍ୟମାନଙ୍କୁ ମଧ୍ୟ ସ୍ଥାନ ଦେଇ ପାରିବା–ପୃଥିବୀସ୍ଥ ଆମର ଏହି ଜୀବନନାଟକରେ ସେଇଟି ହେଉଛି ଯାବତୀୟ ସଫଳତାର ପ୍ରକୃତ ରହସ୍ୟ । ସେଥିରେ ଆପଣା ଭୂମିକାଟିକୁ ସୁଚାରୁ ଭାବରେ ସମ୍ପନ୍ନ କରିପାରିବା ନିମନ୍ତେ ସମଗ୍ର ନାଟକଟିକୁ ମଧ୍ୟ ଅବଶ୍ୟ ଜାଣିବାକୁ ହେବ; ଅର୍ଥାତ, କ୍ଷେତ୍ରଟି ଯେତେ ସାନ କିମ୍ବା ସ୍ଵଳ୍ପପରିସର ହୋଇଥାଉ ପଛକେ, ସମଗ୍ରତାର ବୋଧଟିକୁ ସର୍ବଦା ନଜରରେ ରଖବାକୁ ହେବ ହିଁ ହେବ । ବାୟୁଶୂନ୍ୟ ସ୍ଥାନର ଆପଣାର ଅତ୍ୟନ୍ତ ପରିଚିତ ଉପମାଟିକୁ ଦେଇ ଲାଓ-ତ୍‌ସୁ ତାହାର ବ୍ୟାଖ୍ୟା ମଧ୍ୟ କରିଛନ୍ତି । ସିଏ ଦାବୀ କରୁଥିଲେ ଯେ ଅସଲ ମୀମାଂସାକାରୀ ସତ୍ୟଟି ଏକ ଶୂନ୍ୟତାରେ ହିଁ ଅବସ୍ଥିତ ରହିଥାଏ । ଉଦାହରଣ ସ୍ଵରୂପ, ଏକ ବୃହତ୍ତର ଶୂନ୍ୟ ମଧ୍ୟରେ କୌଣସି କୋଠରୀର ଛାତ ତଥା କାନ୍ଥଗୁଡ଼ିକୁ ଠାଣ କରି ନେଇ ହିଁ ଆମେ ତାହାର ପ୍ରକୃତ ସତ୍ୟଟିକୁ ଠଉରାଇ ପାରିବା-କେବଳ ଛାତ କିମ୍ବା କାନ୍ଥଗୁଡ଼ିକରେ କୋଠରୀଟିକୁ ଆଦୌ ଦେଖି ପାରିବାନାହିଁ-। ଗୋଟିଏ ମାଠିଆର ବାସ୍ତବ ଉପଯୋଗିତା ତ ସେହିଠାରେ ରହିଥାଏ, ଯେଉଁଠି ସେଇଟିରେ ପ୍ରବେଶ କରୁଥିବା ପାଣିକୁ ଯାଇ ରହିବାର ଥାନଟା ମିଳିଯାଏ । ମାଠିଆର ଆକୃତି ଅଥବା ସେଇଟି ତିଆରି ହୋଇଥିବା ମାଟିଟାରେ ତାହା ଆଦୌ ପ୍ରାପ୍ତ ହୁଏନାହିଁ । ତେଣୁ, ସେହି ଶୂନ୍ୟଟିର ହିଁ ସର୍ବବିଧ ସମର୍ଥତା ରହିଛି, କାରଣ ତାହାରି ଭିତରେ ହିଁ ସବୁକିଛି ଅବସ୍ଥିତ ରହିପାରେ-। ଯାବତୀୟ ଗତିଶୀଳତା ମଧ୍ୟ ସେହି ଶୂନ୍ୟତା ମଧ୍ୟରେ ସମ୍ଭବ ହୁଏ । ତେଣୁ, ଯିଏ ଆପଣାକୁ ସେହିପରି ଏକ ଶୂନ୍ୟତାରେ ପରିଣତ କରି ରଖି ପାରିବ,–ଯେପରିକି ଅନ୍ୟମାନେ ଆଦୌ କୌଣସି ବାଧା ନପାଇ ତା’ଭିତରକୁ ପ୍ରବେଶ କରି ପାରୁଥିବେ, ତାହାରିଠାରେ ହିଁ ସକଳ ସ୍ଥିତି ଉପରେ କର୍ତ୍ତାରୂପେ ଅବସ୍ଥାପିତ ହୋଇ ରହିବାର ସମ୍ଭାବନା ରହିଥାଏ । ସେହି ସମଗ୍ରଟି ହିଁ ଅଂଶଟିର ସର୍ବବିଧ ନିରୂପଣ କରିବାକୁ ସମର୍ଥ ହୁଏ ।

 

ତାଓମାର୍ଗୀମାନଙ୍କର ଏହିସବୁ ବିଚାର ଆମେ କରୁଥିବା ଯାବତୀୟ କର୍ମର ସିଦ୍ଧାନ୍ତଗୁଡ଼ିକୁ ପ୍ରଭୂତ ପରିମାଣରେ ପ୍ରଭାବିତ କରିଆସିଛି, ଏପରିକି ଆମର ଘର ଚାରିପାଖରେ ବାଡ଼ ବୁଲାଇବା ଏବଂ କୁସ୍ତି ଲଢ଼ିବାର ସବୁକିଛି କ୍ଷେତ୍ରକୁ । ଆତ୍ମରକ୍ଷା କରିବାର ସେହି ଜାପାନୀ କୌଶଳ ଜୁଜୁତ୍‌ସୁ ନାମକ ସେହି ଜାପାନୀ କିସମଟି ତାଓ-ତେ-କିଙ୍ଗ ଗ୍ରନ୍ଥରୁ ହିଁ ନିଜର ନାମଟିକୁ ଲାଭ କରିଛି । ଜୁଜୁତ୍‌ସୁ ସେହି ଖାସ୍ କୌଶଳଟି ଅନୁସାରେ ନିଜ ତରଫରୁ କୌଣସି ପ୍ରତିରୋଧ ନକରି ଜଣେ ବ୍ୟକ୍ତି ଶତ୍ରୁର ବଳକୁ ତା’ଠାରୁ ଟାଣି ଆଣି ନିଃଶେଷିତ କରି ଦେଇଥାଏ । ଏବଂ, ଏହିପରି ଏକ ଶୂନ୍ୟ-କ୍ଷେତ୍ରର ସୃଷ୍ଟି କରି ପରିଶେଷରେ ବିଜୟଲାଭ କରିବ ବୋଲି ଆପଣାର ଶକ୍ତିକୁ ସଞ୍ଚିତ କରି ରଖେ । କଳାର କ୍ଷେତ୍ରରେ ସେହି ପ୍ରଣାଳୀଟିର ମହତ୍ତ୍ୱଟି ବେଶ୍ ପ୍ରକାଶିତ ହୋଇଥାଏ । କୃତିଟିକୁ ଦେଖୁଥିବା ବ୍ୟକ୍ତିଟିକୁ ନାନା ମୂଲ୍ୟ-ଆରୋପଣର ଅନୁମାନ କରିବାକୁ ଛାଡ଼ି ଦିଆଯାଏ । ତଥାପି, ତା ଉପରେ ସ୍ଵୟଂ ବିଚାର କରିବାର ଅବସରମାନ ଦିଆଯାଏ । କିଛି ଅକୁହା ଓ ଅପ୍ରକଟ କରି ରଖା ଯାଇଥାଏ ଏବଂ ସେହି କୃତିଟିକୁ ଦେଖୁଥିବା ବ୍ୟକ୍ତିଟି ହିଁ ନିଜର କିଛି ଅବଦାନଦ୍ୱାରା ସେଇଟିକୁ ପୂର୍ଣ୍ଣ କରେ । ଅର୍ଥାତ୍ କୌଣସି ପ୍ରକୃତରେ ବିଶେଷ ଖୁବ୍ ସୌନ୍ଦର୍ଯ୍ୟ ରହିଥିବା ଗୋଟିଏ କଳାକୃତି ଜଣେ ଦେଖଣାହାରି ରୂପେ ତୁମର ଦୃଷ୍ଟିକୁ ଆକର୍ଷଣ କରି ନେଇଯାଏ ଏବଂ ବସ୍ତୁତଃ ତୁମେ ମଧ୍ୟ ସେହି ସୃଜନ-ପ୍ରକ୍ରିୟାରେ ତାତ୍ପର୍ଯ୍ୟପୂର୍ଣ୍ଣ ଅଂଶଟିଏ ଗ୍ରହଣ କରିଥିବା ପରି ଅନୁଭବ କରୁଥାଅ । ଅର୍ଥାତ୍ ତୁମେ ମଧ୍ୟ ଯେପରି ସେଇଟି ଭିତରକୁ ପ୍ରବେଶ କରିପାରିବ ଏବଂ ଆପଣାର ସୌନ୍ଦର୍ଯ୍ୟାନୁଭୂତିର ଭାବଟିଦ୍ୱାରା ସେଇଟି ଭିତରକୁ ପ୍ରବେଶ କରିପାରିବ, ସେଥିଲାଗି ଖାଲି ସ୍ଥାନଟିଏ ନିଶ୍ଚୟ ରହିଥାଏ ।

 

ସୁତରାଂ, ଜୀବନଟିଏ ବଞ୍ଚିବାର କଳାତ୍ମକତାରେ ନୈପୁଣ୍ୟ ହାସଲ କରିଥିବା ଜଣେ ବ୍ୟକ୍ତିକୁ ତାଓମାର୍ଗଟିର ନ୍ୟାୟ ଅନୁସାରେ ବସ୍ତୁତଃ ଜଣେ ଆଦର୍ଶ ବ୍ୟକ୍ତି ବୋଲି ଅଭିହିତ କରାଯାଇ ପାରିବ । ଏହି ସଂସାରରେ ଭୂମିଷ୍ଠ ହୋଇ ସେ ସ୍ଵପ୍ନମାନଙ୍କ ରାଜ୍ୟରେ ଆସି ପ୍ରତିଷ୍ଟ ହୋଇଥାଏ ଏବଂ ମୃତ୍ୟୁ ସମୟକୁ ଯଥାର୍ଥ ସତ୍ୟ ମଧ୍ୟକୁ ଆପଣାକୁ ଜାଗୃତ କରି ନେଇଥାଏ । ଆପଣାର ଦୀପ୍ତିକୁ ସେ ଏପରି ଭାବରେ ନମନୀୟ କରି ରଖିଥାଏ, ଯେପରିକି ଅନ୍ୟମାନଙ୍କର ଅସ୍ପଷ୍ଟତା ମଧ୍ୟକୁ ସିଏ ଆପଣାକୁ ପ୍ରବିଷ୍ଟ କରାଇନେଇ ପାରୁଥିବ । ସେହି ବ୍ୟକ୍ତିଟି “ଶୀତକାଳ ସମୟରେ ଜଳସ୍ରୋତଟିଏ ପାର ହେଉଥିବା ଜଣେ ମନୁଷ୍ୟ ପରି କିଞ୍ଚିତ୍ ଅନିଚ୍ଛୁକ ହୋଇ ରହିଥିବ, ଆପଣାର ପ୍ରତିବେଶରେ ଥିବା ଅନ୍ୟମାନଙ୍କ ବିଷୟରେ ସଚେତନ ରହିଥିବା ପରି କୁଣ୍ଠା ପ୍ରକାଶ କରିପାରୁଥିବ-। ସେମାନଙ୍କ ପ୍ରତି, ଜଣେ ଅତିଥିଙ୍କ ପ୍ରତି ଯେପରି ରହିଥାଏ ତାର ଏକ ସମ୍ମାନବୋଧ ଥିବ, ତରଳିବାର ଉପକ୍ରମ କରୁଥିବା ବରଫ ପରି କିଞ୍ଚିତ୍ କମ୍ପନ ମଧ୍ୟ ଅନୁଭବ କରି ହେଉଥିବ । ଖଣ୍ଡେ ହତିଆର ବାଜି ନଥିଲା କାଠ ପରି ତା ଭିତରୁ ସତକୁ ସତ କ’ଣଟିଏ ଗଢ଼ାହେବାକୁ ଯାଉଛି, ସିଏ ସେହି ବିଷୟରେ ଠୋ’ କରି କିଛି କହିଦେଇ ବି ପାରିବନାହିଁ । ଗୋଟିଏ ଉପତ୍ୟକା ପରି ପ୍ରସାରିତ ହୋଇ ହିଁ ରହିଥିବ ଓ ଏକ ଖରସ୍ରୋତ ଜଳବିସ୍ତାର ପରି ଆଦୌ କୌଣସି ନିର୍ଦ୍ଧିଷ୍ଟ ଆକାରର ହୋଇ ନଥିବ ।” ତାର ଜୀବନରେ କରୁଣା, ମିତାଚାରିତା ତଥା ନମ୍ରତା ଏହି ତିନୋଟିଯାକ ଗୁଣ ତିନୋଟି ମୁକ୍ତା ସଦୃଶ ହୋଇ ରହିଥିବେ ।

 

ଯଦି ଆମେ ବର୍ତ୍ତମାନ ଜେନ୍ ଆଡ଼କୁ ଦୃଷ୍ଟିପାତ କରିବା, ତେବେ ଅବଶ୍ୟ ଦେଖିପାରିବା ଯେ, ସେଇଟି ମଧ୍ୟ ସର୍ବଦା ତାଓ ମାର୍ଗର ଉପଦେଶ ଉପରେ ପ୍ରଭୂତ ଗୁରୁତ୍ୱ ଦେଇଥାଏ । ସେହି ଶବ୍ଦଟି ସଂସ୍କୃତ ଭାଷାର ଧ୍ୟାନ ଶବ୍ଦରୁ ଉତ୍ପନ୍ନ ହୋଇଛି । ଧ୍ୟାନ ଏପରି ଦାବୀ କରିଥାଏ ଯେ, ଆମେ ପୂର୍ଣ୍ଣନିମଗ୍ନ ଭାବରେ ଧ୍ୟାନସ୍ଥ ହୋଇ ରହିପାରିଲେ ଏକ ଚରମ ଆତ୍ମ-ଉପଲବ୍ଧିର ସେହି ଉଚ୍ଚତାଟିରେ ଯାଇ ପହଞ୍ଚି ପାରିବା । ବୁଦ୍ଧତ୍ୱପ୍ରାପ୍ତିର ଛଅଟି ଉପାୟ ମଧ୍ୟରେ ଧ୍ୟାନ ହେଉଛି ଗୋଟିଏ ଏବଂ, ଜେନ-ମାର୍ଗର ଅନୁଗାମୀମାନେ ଏପରି ଏକ ଘୋଷଣା ମଧ୍ୟ କରିଥାନ୍ତି ଯେ, ଆପଣାର ଶେଷକାଳୀନ ଶିକ୍ଷାବଳୀରେ ସାକ୍ୟମୁନି ସେହି ପଦ୍ଧତିଟି ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଥିଲେ ଏବଂ ଆପଣାର ପ୍ରଧାନ ଶିଷ୍ୟ କାଶ୍ୟପଙ୍କୁ ତାହାର ପ୍ରଣାଳୀଗୁଡ଼ିକ ସହିତ ପରିଚିତ କରାଇ ଦେଇଥିଲେ । ସେହି ମାର୍ଗଟିର ପରମ୍ପରା ଅନୁସାରେ ଜେନ୍-ସମ୍ପ୍ରଦାୟର ସର୍ବପ୍ରଥମ ପ୍ରମୁଖ କାଶ୍ୟପ ସେହି ରହସ୍ୟଟିକୁ ଆନନ୍ଦଙ୍କୁ ପ୍ରଦାନ କରିଥିଲେ, ଏବଂ ଆନନ୍ଦ ମଧ୍ୟ ତାହାକୁ ପରବର୍ତ୍ତୀ ପ୍ରମୁଖମାନଙ୍କ ହାତରେ ଅର୍ପଣ କଲେ ଏବଂ ଏହିପରି ଭାବରେ ତାହା ୨୮ତମ ପ୍ରମୁଖ ବୋଧିଧର୍ମଙ୍କ ଯାଏ ଆସିଥିଲା । ଖ୍ରୀଷ୍ଟ ଷଷ୍ଠ ଶତାବ୍ଦୀର ପ୍ରଥମାର୍ଦ୍ଧରେ ବୋଧିଧର୍ମ ଉତ୍ତର ଚୀନକୁ ଆସିଥିଲେ ଓ ଚୀନଦେଶରେ ଜେନ୍‌ର ପ୍ରଥମ ପ୍ରମୁଖରୂପେ ପ୍ରତିଷ୍ଠିତ ହେଲେ । ଏହି ପ୍ରମୁଖମାନଙ୍କର ଇତିହାସ ସଂପର୍କରେ ପ୍ରକୃତରେ ବହୁତ ଅନିଶ୍ଚିତତା ରହିଛି । ସେମାନଙ୍କଦ୍ୱାରା ପ୍ରଚାରିତ ନୀତିଗୁଡ଼ିକ ବିଷୟରେ ମଧ୍ୟ ଅସ୍ପଷ୍ଟତାମାନ ରହିଛି । ଆପଣାର ଦାର୍ଶନିକ ଦିଗଟିରେ ପ୍ରଥମ କାଳର ସେହି ଜେନ୍ ମାର୍ଗଟିରେ ଏକ ପକ୍ଷରେ ଭାରତବର୍ଷର ନାଗାର୍ଜୁନଙ୍କର ନକାରାତ୍ମକତା ସହିତ ଅନେକ ସାମଞ୍ଜସ୍ୟ ରହିଛି ଏବଂ ଅନ୍ୟପକ୍ଷରେ ଶଙ୍କରାଚାର୍ଯ୍ୟଙ୍କଦ୍ଵାରା ସୂତ୍ରବଦ୍ଧ ହୋଇ ରହିଥିବା ଜ୍ଞାନଦର୍ଶନର ସମତା ରହିଥିବା ପରି ପରିଲକ୍ଷିତ ହେଉଛି । ସେହି ପ୍ରଥମ ଜେନ୍‌ମାର୍ଗର ସୂତ୍ରଟି ବିଷୟରେ ଆମେ ଏବେ ଯେଉଁପରି ଭାବରେ ପରିଚିତ ରହିଛୁ, ତାହାକୁ ନିଃସନ୍ଦେହ ଭାବରେ ଦକ୍ଷିଣ ଜେନ୍‌ର ପ୍ରତିଷ୍ଠାତା ଷଷ୍ଠ ଜେନ୍ ପ୍ରମୁଖ ଏନୋ (୬୩୭-୭୧୩)ଙ୍କ ନାମଟି ସହିତ ସଂଲଗ୍ନ କରି ହେବ । ସେହି ମାର୍ଗଟି ଚୀନ୍‌ର ଦକ୍ଷିଣ ଭାଗରେ ପ୍ରାଧାନ୍ୟ ଲାଭ କରିଥିବାରୁ ତାହାର ସେହିଭଳି ଏକ ନାମକରଣ କରାଯାଇଛି । ତାଙ୍କର ପରବର୍ତ୍ତୀ ଗୁରୁମୁଖ୍ୟ ହେଉଛନ୍ତି ସୁପ୍ରସିଦ୍ଧ ବାସୋ (୭୮୮ ଖ୍ରୀଷ୍ଟାବ୍ଦରେ ତାଙ୍କର ମୃତ୍ୟୁ ହୋଇଥିଲା) ଯିଏ କି ଆଧ୍ୟାତ୍ମିକ ଜୀବନରେ ଜେନ୍‌କୁ ଏକ ଜୀବନ୍ତ ପ୍ରଭାବ ରୂପେ ଉତ୍ତୋଳିତ କରିନେଇ ପାରିଥିଲେ । ବାସୋଙ୍କ ଶିଷ୍ୟ ହାକୁଜୋ (୭୧୯-୮୧୪) ଜେନ୍‌ମାର୍ଗର ସର୍ବପ୍ରଥମ ମଠର ସ୍ଥାପନା କରିଥିଲେ ଏବଂ ସେଇଟିର ପରିଚାଳନା ସକାଶେ ଏକ ବିଧି ତଥା ନିୟମାବଳୀର ପ୍ରଣୟନ କରି ଦେଇଥିଲେ-। ବାସୋଙ୍କ ପରବର୍ତ୍ତୀ କାଳରେ ଜେନ୍‌ମାର୍ଗର ଚର୍ଚ୍ଚାଗୁଡ଼ିକରେ ଆମେ ୟାଙ୍ଗସିକିଆଙ୍ଗ୍‌ ମାନସିକତାର ପ୍ରଭାବ ଆସି ପ୍ରବେଶ କରିଥିବାର ଓ ତାହାର ଫଳସ୍ୱରୂପ ଭାରତବର୍ଷୀୟ ଆଦର୍ଶବାଦ ବଦଳରେ ସ୍ଥାନୀୟ ଭାବନାଶୈଳୀ ଗୁଡ଼ିକ ଆସି ପ୍ରଧାନ ହୋଇଥିବାର ଖୁବ୍ ଲକ୍ଷ୍ୟ କରିପାରିବା । ଏହାର ବିରୋଧ କରି ଯେତେ ଯାହା ସଂପ୍ରଦାୟଗତ ଅଭିମାନର ଉଲ୍ଲେଖ କରାଯାଉଥିଲେ ମଧ୍ୟ ଆମେ ସେହି ଦକ୍ଷିଣାଞ୍ଚଳୀୟ ଜେନ୍ ଏବଂ ଲାଓ-ତ୍‌ସୁଙ୍କର ଶିକ୍ଷାଚୟ ତଥା ତାଓବାଦୀ ବିତର୍କଗୁଡ଼ିକ ମଧ୍ୟରେ ନାନା ସାମଞ୍ଜସ୍ୟ ରହିଥିବାର ନିଶ୍ଚୟ ଆବିଷ୍କାର କରିପାରିବା । ତାଓ-ତେ-ଚିଙ୍ଗ୍ ଗ୍ରନ୍ଥରେ ଆମେ ସେହି ସମୟରୁ ହିଁ ଆତ୍ମ-ସଂକେନ୍ଦ୍ରିକତାର ମହତ୍ତ୍ୱ ବିଷୟରେ ବହୁ ସନ୍ଦର୍ଭ ରହିଥିବାର ଦେଖିବାକୁ ପାଇବା, ପ୍ରାଣାୟାମର ପରାମର୍ଶମାନ ମଧ୍ୟ ରହିଥିବାର ଦେଖିବା । ଏଗୁଡ଼ିକ ଜେନ୍ ଧ୍ୟାନମାର୍ଗରେ ମଧ୍ୟ ଅପରିହାର୍ଯ୍ୟ ଗୋଟିଏ ଗୋଟିଏ ଉପାଦାନରୂପେ ସ୍ଥାନ ପାଇଛି-। ପୁନଶ୍ଚ, ଜେନ୍ ବିଦ୍ଵାନମାନେ ହିଁ ଲାଓ-ତୁସୁଙ୍କଦ୍ୱାରା ପ୍ରଣୀତ ଗ୍ରନ୍ଥଟିର ସର୍ବଶ୍ରେଷ୍ଠ ଟୀକାମାନ ଲେଖିଛନ୍ତି ।

 

ତାଓ ମାର୍ଗ ଭଳି ଜେନ୍ ମାର୍ଗଟିରେ ମଧ୍ୟ ଆପେକ୍ଷିକତାର ଆରାଧନା ବିଷୟରେ ପରାମର୍ଶ ଦିଆଯାଇଛି । ଜଣେ ପ୍ରମୁଖ ଜେନ୍‌ର ସଂଜ୍ଞା ନିରୂପଣ କରି ଦକ୍ଷିଣ ତରଫର ଆକାଶରେ ହିଁ ଉତ୍ତରସ୍ଥ ଧ୍ରୂବତାରାର ଉପସ୍ଥିତିକୁ ଅନୁଭବ କରିବା ବିଷୟରେ ଉପଦେଶ ଦେଇଛନ୍ତି । କେବଳ ବିରୁଦ୍ଧ ତତ୍ତ୍ୱ ଗୁଡ଼ିକର ଭାବାନୁଭବଟିକୁ ମାଧ୍ୟମ କରି ହିଁ ପ୍ରକୃତ ସତ୍ୟର ଉପଲବ୍ଧ କରାଯାଇ ପାରିବ-। ପୁଣି ତାଓ-ମାର୍ଗ ସଦୃଶ ଜେନ୍-ମାର୍ଗ ମଧ୍ୟ ବ୍ୟକ୍ତିବାଦର ଦୃଢ଼ ସମର୍ଥନ କରିଛି । ଯାବତୀୟ ସତ୍ୟ ଆମ ନିଜ ମନର କ୍ରୀୟାଶୀଳତାକୁ ଏହି ଭିତ୍ତିଟି ଉପରେ ହିଁ ଯାହାକିଛି ପ୍ରକଟ କରିପାରିବ । ଷଷ୍ଠ ପ୍ରମୁଖ ଏନୋ ଥରେ ଦୁଇଜଣ ଭିକ୍ଷୁ କୌଣସି ପାଗୋଡ଼ାର ପତାକାଟି ଚୂଡ଼ା ଉପରେ ଫର ଫର ହୋଇ ଉଡ଼ୁଥିବାର ଦେଖିବାକୁ ପାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ କହିଲେ, “ପବନଟା ଉଡ଼ାଉଛି ବୋଲି ଏହି ପତାକାଟି ଉଡ଼ିପାରୁଛି ।’’ ଏବଂ, ଆରଜଣକ କହିଲେ, "ନାହିଁ, ପତାକାଟି ହିଁ ଆପେ ଉଡ଼ୁଛି ।” କିନ୍ତୁ ସେମାନଙ୍କ କଥାର ଉତ୍ତର ଦେଇ ଏନୋ କହିଲେ ଯେ, ପ୍ରକୃତ ଉଡ଼ିବାଟା ପବନଦ୍ଵାରା ହେଉ ନାହିଁ କିମ୍ବା ପତାକାଦ୍ୱାରା ମଧ୍ୟ ହେଉନାହିଁ, - କିନ୍ତୁ ସେମାନଙ୍କ ମନଭିତରେ ସେହି ଭାବନାର ଅନୁକୂଳ ହୋଇ କିଛି ରହିଛି ବୋଲି ହିଁ ସେମାନଙ୍କୁ ସେହିଭଳି କିଛି ଦୃଷ୍ଟିଗୋଚର ହେଉଛି । ଥରେ ହାକୁଓଜା ଜଣେ ଶିଷ୍ୟଙ୍କ ସହିତ ଏକ ଅରଣ୍ୟପଥ ଦେଇ ଯାଉଥିବା ସମୟରେ ଗୋଟିଏ ଠେକୁଆକୁ ସେମାନେ କତି ହୋଇ ଆସୁଥିବାର ଦେଖି ଦଉଡ଼ି ପଳାଇବାର ଦେଖିଥିଲେ । ହାକୁଜା ପଚାରିଲେ, “ତୁମକୁ ଦେଖି ଠେକୁଆ ଦୌଡ଼ି ପଳାଇଗଲା କାହିଁକି ?” ଶିଷ୍ୟ ଉତ୍ତର ଦେଲେ, “ମୋତେ ଦେଖି ଡରିଲା ବୋଲି’’ । ଗୁରୁ ତା’ ପରେ କହିଲେ, “ନାହିଁ, ତୁମ ଭିତରେ ହତ୍ୟା କରିବାର ଏକ ପ୍ରବୃତ୍ତି ରହିଛି ବୋଲି ଠେକୁଆ ପଳାଇଲା ।” ଏଠାରେ ତାଓମାର୍ଗୀ ଶୋଷି (ଚୁଆଙ୍ଗ ତ୍‌ସୁ) ମଧ୍ୟ ଏପରି କହିଥିବା କଥାଟି ନିଶ୍ଚୟ ମନେ ପଡ଼ିଯିବ । ଏକଦା କୌଣସି ନଦୀର ବନ୍ଧରେ ଶୋଷି ନିଜର ଜଣେ ବନ୍ଧୁଙ୍କ ସାଙ୍ଗରେ କୁଆଡ଼େ ଯାଉଥିଲେ । ଶୋଷି ଖୁବ୍ ଖୁସୀ ହୋଇ ଏତେବଡ଼ ପାଟିରେ କହିଥିଲେ, “ମାଛମାନେ କେତେ ଆନନ୍ଦରେ ପାଣି ଭିତରେ ଖେଳିବାରେ ଲାଗିଛନ୍ତି ।’’ ବନ୍ଧୁଜଣକ ତାଙ୍କ କଥା ଶୁଣି ଏହିପରି ଏକ ଉତ୍ତର ଦେଇଥିଲେ, “ତୁମେ ତ ଆଦୌ ମାଛଟିଏ ନୁହଁ, ତେବେ କିପରି ଜାଣିଲ ଯେ ମାଛମାନେ ମନ ଆନନ୍ଦରେ ସେହି ପାଣିରେ ଖେଳିବାରେ ଲାଗିଛନ୍ତି-?’’ ଶୋଷି ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ, ତୁମେ ମଧ୍ୟ ମୋ’ଠାରୁ ଜଣେ ଭିନ୍ନ ମନୁଷ୍ୟ, ତେବେ ମାଛ ଗୁଡ଼ିକ ମନଆନନ୍ଦରେ ଖେଳୁଛନ୍ତି ବୋଲି ମୁଁ ଜାଣିନାହିଁ ବୋଲି ତୁମେ ବି କିପରି ଜାଣିଲ ?”

 

ତାଓର ମାର୍ଗ ଓ କନ୍‌ଫୁସିଅସଙ୍କ ଦ୍ଵାରା ପ୍ରଚାରିତ ମାର୍ଗଟି ମଧ୍ୟରେ ଯେପରି ବିରୋଧ ରହିଥିଲା, ଜେନ୍ ଓ ବୌଦ୍ଧଧର୍ମ ମଧ୍ୟରେ ବି ସେହିଭଳି ଏକ ବିରୋଧ ଥିଲା । ଜେନ୍‌ ମାର୍ଗର ବିଶ୍ୱାତୀତ ଦୃଷ୍ଟିଟି ଭିତରେ ଶବ୍ଦମାନଙ୍କୁ ଭାବନାର ପଥରେ ମୁଖ୍ୟତଃ ବାଧକ ବୋଲି ବିଚାର କରାଯାଉଥିଲା ଏବଂ ଅନ୍ୟପକ୍ଷରେ ବୌଦ୍ଧ ଶାସ୍ତ୍ରଗୁଡ଼ିକର ସଂପୂର୍ଣ୍ଣ ନିର୍ଣ୍ଣୟକ୍ଷେତ୍ରଟି କେବଳ ବ୍ୟକ୍ତିଗତ ଚିନ୍ତନ ତଥା ଅନୁମାନ ଉପରେ କେବଳ କିଞ୍ଚିତ୍‌ ମନ୍ତବ୍ୟମାନ ହିଁ ବ୍ୟକ୍ତ କରୁଥିଲା । ଜେନ୍‌ମାର୍ଗର ଅନୁଗାମୀମାନେ ବସ୍ତୁଚୟର ଅନ୍ତଃପ୍ରକୃତିଟି ସହିତ ପ୍ରତ୍ୟକ୍ଷ ସଂଯୋଗ ସ୍ଥାପନ କରିବା ପାଇଁ ଉଦ୍ଦେଶ୍ୟ ରଖିଥିଲେ ଏବଂ ଆପଣାର ବାହ୍ୟ ସାଧନଗୁଡ଼ିକ କେବଳ ସତ୍ୟର ଏକ ସ୍ପଷ୍ଟ ଅବବୋଧ ସକାଶେ କେତେକ ଉପକରଣ ସଦୃଶ ବ୍ୟବହାର କରୁଥିଲେ । ତେଣୁ, ସେହି ଅମୂର୍ତ୍ତଟି ଲାଗି ରହିଥିବା ଆସ୍ପୃହା ଏବଂ ଶ୍ରଦ୍ଧାଟି ହେତୁ ହିଁ ଜେନ୍‌ର ମାର୍ଗ କ୍ଲାସିକ୍ ବୌଦ୍ଧ ସଂପ୍ରଦାୟର ନାନାରଙ୍ଗ-ସମ୍ବଳିତ ଚିତ୍ରମାନଙ୍କ ତୁଳନାରେ କେବଳ କଳା ଓ ଧଳା ଅଙ୍କନ ଗୁଡ଼ିକୁ ଅଧିକ ପସନ୍ଦ କରୁଥିଲେ । ଏପରିକି କେତେ ଜେନ୍-ଉପାସକ ତ ସଂପୂର୍ଣ୍ଣ ଭାବରେ ମୂର୍ତ୍ତି-ଉପାସନାର ବିରୋଧ କରିଥିଲେ, କାରଣ ସେମାନେ ପିତୁଳା ତଥା ଯାବତୀୟ ଅନ୍ୟ ପ୍ରତୀକର ବିନା ସାହାଯ୍ୟରେ ନିଜ ଅନ୍ତର ମଧ୍ୟରେ ହିଁ ବୁଦ୍ଧଙ୍କର ପରିଚୟ ଲାଭ କରିବାକୁ ଚେଷ୍ଟା କରୁଥିଲେ । ସେହି କାରଣରୁ ଆମେ ଦେଖିବାକୁ ପାଇବା ଯେ, ତାଙ୍କୱଶୋ ଏକ ଶୀତଜର୍ଜର ଦିନବେଳେ ବୁଦ୍ଧଙ୍କର ଗୋଟିଏ କାଠତିଆରି ପ୍ରତିମାକୁ ଚିରି ତାହାରି ସାହାଯ୍ୟରେ ନିଆଁ ପୁଇଁବା ନିମନ୍ତେ ଆଗଭର ହୋଇ ଯାଇଥିଲେ । ପାଖରେ ଛିଡ଼ା ହୋଇଥିବା ଆଉଜଣେ ବ୍ୟକ୍ତି ଖୁବ୍‌ ତ୍ରସ୍ତ ହୋଇପଡ଼ି ଚିତ୍କାର କଲେ, “ତୁମେ ପ୍ରକୃତରେ କେଡ଼େ ବଡ଼ ଏକ ଧର୍ମଦ୍ରୋହ ନ କରୁଛ ।” ଜେନ୍ ଭିକ୍ଷୁ ଶାନ୍ତ ଭାବରେ ଉତ୍ତର ଦେଇ କହିଥିଲେ, “ହଁ, କାଠ ପୋଡ଼ିଯାଇ ଯେଉଁ ପାଉଁଶର ଅବଶେଷଟି ରହିବ, ମୁଁ ସେଥିରୁ ପବିତ୍ର ରତ୍ନଗୁଡ଼ିକ ଲାଭ କରିବାକୁ ଇଚ୍ଛା କରୁଛି । ସଂଗେ ସଂଗେ ଅତ୍ୟନ୍ତ କ୍ରୋଧରେ ଅନ୍ୟ ସେହି ବ୍ୟକ୍ତିଜଣକ କହିଲେ, “କିନ୍ତୁ ତୁମେ ପିତୁଳାଟି ଭିତରୁ ତ କଦାପି ରତ୍ନଗୁଡ଼ିକ ପାଇବ ନାହିଁ ।” ଏକଥା ଶୁଣି ତାଙ୍କା ପରିଶେଷରେ କହିଥିଲେ, ଯଦି ଏହି ମୂର୍ତ୍ତିଟି ଭିତରୁ ମୁଁ ରତ୍ନଗୁଡ଼ିକ ପାଇପାରିବି ନାହିଁ, ତେବେ ମୂର୍ତ୍ତିଟିକୁ ଆଦୌ ବୁଦ୍ଧ ବୋଲି କାହିଁକି କୁହାଯିବ ଏବଂ ମୁଁ ଆଦୌ କୌଣସି ଧର୍ମଦ୍ରୋହ କରୁଛି ବୋଲି ମଧ୍ୟ କାହିଁକି କୁହାଯିବ ?” ଏପରି କହି ସେ ପୁନର୍ବାର ଉକ୍ତ ଅଗ୍ନିରୁ ତାପ ନେବାରେ ଲାଗିଲେ ।

 

ପ୍ରାଚ୍ୟ ବିଚାର ଓ ସାଧନାକୁ ଜେନ୍ ମାର୍ଗର ଗୋଟିଏ ବିଶେଷ ଅବଦାନ ହେଉଛି ଯେ ତାହା ଏହି ପୃଥିବୀର ଯାବତୀୟ ବିଷୟକୁ ଆଧ୍ୟାତ୍ମିକ ବ୍ୟାପାର ସଦୃଶ ଏକ ସମାନ ମହତ୍ତ୍ୱ ପ୍ରଦାନ କରୁଥିଲା । ଜେନ୍ କହୁଥିଲା ଯେ, ବସ୍ତୁ ବସ୍ତୁ ମଧ୍ୟରେ ରହିଥିବା ଯଥାର୍ଥ ସମ୍ବନ୍ଧଟିର କ୍ଷେତ୍ରରେ କ୍ଷୁଦ୍ର ଏବଂ ବୃହତ୍ କୌଣସି ପାର୍ଥକ୍ୟ ନାହିଁ ଓ ଗୋଟିଏ ସାମାନ୍ୟ ପରମାଣୁରେ ମଧ୍ୟ ସମଗ୍ର ବିଶ୍ଵଟି ପରି ସମାନ ସମ୍ଭାବନାମାନ ନିହିତ ହୋଇ ରହିଛି । ତେଣୁ ପରିପୂର୍ଣ୍ଣତା ଲାଭ କରିବାକୁ ଇଚ୍ଛା କରୁଥିବା ଜଣେ ସାଧକକୁ ଆପଣାର ଜୀବନକ୍ଷେତ୍ରରେ ସେହି ଅନ୍ତର୍ଗତ ଆଲୋକର ପ୍ରତିଫଳନକୁ ଆବିଷ୍କାର କରିବାକୁ ହେବ । ଏହି ଦୃଷ୍ଟିରୁ ଜେନ୍ ସାଧନାର ବିହାର ଗୁଡ଼ିକର ସଂଗଠନରେ ମଧ୍ୟ ସର୍ବଦା ବହୁତ ତାତ୍ପର୍ଯ୍ୟ ବିଦ୍ୟମାନ ରହିଥିଲା । ପୀଠାଧୀଶଙ୍କ ବ୍ୟତୀତ ବାକୀ ପ୍ରତ୍ୟେକ ଅନ୍ତେବାସୀଙ୍କୁ ବିହାରଟିର ପରିଚାଳନାରେ କିଛି ନା କିଛି ବିଶେଷ କର୍ମର ଦାୟିତ୍ୱ ପ୍ରଦାନ କରାଯାଉଥିଲା ଏବଂ ପ୍ରକୃତରେ ଏକ ବିଚିତ୍ର କଥା ଯେ, ନବାଗତମାନଙ୍କୁ ଅପେକ୍ଷାକୃତ ଅଧିକ ହାଲୁକା କର୍ମମାନ ଦିଆ ହେଉଥିଲା ଏବଂ ଅଧିକ ସମ୍ମାନାସ୍ପଦ ଏବଂ ବରିଷ୍ଠ ଭିକ୍ଷୁମାନେ ଅଧିକ କ୍ଲେଶକର ତଥା ଅଧିକ ଭୃତ୍ୟୋଚିତ କାର୍ଯ୍ୟଗୁଡ଼ିକୁ ସମ୍ପନ୍ନ କରୁଥିଲେ । ଏହିଭଳି କର୍ମସଂପାଦନଗୁଡ଼ିକ ଜେନ୍ ଶୃଙ୍ଖଳାର ଗୋଟିଏ ଗୋଟିଏ ଅପରିହାର୍ଯ୍ୟ ଅଙ୍ଗ ହୋଇ ରହିଥିଲେ ଏବଂ କୌଣସି କାର୍ଯ୍ୟ ଯେଡ଼େ ସାମାନ୍ୟ ହୋଇଥିଲେ ମଧ୍ୟ ସେଗୁଡ଼ିକ ପୂର୍ଣ୍ଣ ନିଖୁଣ ଭାବରେ କରିବାକୁ ଅବଶ୍ୟ ପଡ଼ୁଥିଲା । ଏହିପରି ଭାବରେ, ବିହାରରେ ଘାସ ବାଛୁଥିବା ସମୟରେ, କୌଣସି ପରିବାରୁ ଚୋପା ଛଡ଼ାଇବା ସମୟରେ କିମ୍ବା ଚାହା ତିଆରି କରି ସମସ୍ତଙ୍କୁ ଦେଉଥିବା ବେଳେ ଖୁବ୍ ସାରଗର୍ଭକ ଆଲୋଚନାମାନ ମଧ୍ୟ ହେଉଥିଲା । ଜୀବନର ସାମାନ୍ୟରୁ ସମାନ୍ୟତମ ସକଳ ବ୍ୟାପାରରେ ମଧ୍ୟ ଯେ ଏକ ବୃହତ୍ତର ଅବଶ୍ୟ ରହିଛି, ଜେନ୍ ମାର୍ଗରୁ ଏହି ବିଚାରଟିରୁ ଏକ ପରିଣାମ ସ୍ୱରୂପ ହିଁ ଚାହାର ସଂସ୍କାରଟି ଉତ୍ପତ୍ତି ଲାଭ କରି ଆସିଛି । ତାଓର ମାର୍ଗ ସୌନ୍ଦର୍ଯ୍ୟବୋଧ କ୍ଷେତ୍ରର ଆଦର୍ଶଗୁଡ଼ିକ ଆଣି ଯୋଗାଇ ଦେଇଥିଲା ଏବଂ ଜେନ୍-ମାର୍ଗଟି ସେଗୁଡ଼ିକ ବାସ୍ତବ ରୂପ ପ୍ରଦାନ କରିବା ନିମନ୍ତେ ଉଦ୍ୟମ ହିଁ କରିଛି ।

Image

 

ଚାହା-କୋଠରୀ

 

ୟୁରୋପୀୟ ଗୃହନିର୍ମାଣର ପରମ୍ପରାରେ ନିର୍ମାଣକାରୀ ଶିଳ୍ପୀମାନେ ପଥର ଏବଂ ଇଟା ସାହାଯ୍ୟରେ ସେମାନଙ୍କର କାରିଗରୀକୁ ବ୍ୟକ୍ତକରି ଆଣିଛନ୍ତି । ଏବଂ, ସେହି ମାନକଟିରେ ପକାଇ ଆମ ଜାପାନ ଦେଶର କାଠ ଏବଂ ବାଉଁଶ ଦେଇ ଘର ତିଆରି କରିବାର ବିଧଟି ପ୍ରାୟ ଆଦୌ କିଛି ନୁହେଁ ବୋଲି ଗଣ୍ୟ ହେବ ଏବଂ ତାକୁ ହୁଏତ ଏକ ଗୃହନିର୍ମାଣ କଳାବୋଲି କହିବାକୁ ବି ମନହେବ ନାହିଁ । ଏବେ ଯାଇ ସମ୍ଭବତଃ ପାଶ୍ଚତ୍ୟ ନିର୍ମାଣପଦ୍ଧତିର କୌଣସି ଅବଗାହୀ ଛାତ୍ର ଆମ ବିଖ୍ୟାତ ଜାପାନୀ ମନ୍ଦିର ଗୁଡ଼ିକର ନିର୍ମାଣପ୍ରଣାଳୀ ଗୁଡ଼ିକ ଅଧୟନ କଲେଣି ଏବଂ ତାହାର ସ୍ୱତନ୍ତ୍ର ଚରିତ୍ରଟି ବିଷୟରେ କିଞ୍ଚିତ୍ ପ୍ରଶଂସାମୂଳକ ଭାବରେ କିଛି କହିଲେଣି । ଆମର ସେହି ଶାସ୍ତ୍ରୀୟ କାଳର ବାସ୍ତୁକଳା ବିଷୟର ଅବସ୍ଥାଟି ଯେତେବେଳେ ଏହିଭଳି, ସେତେବେଳେ ଆମ ଏଠାକାର ଚାହା କୋଠରୀର ନିର୍ମାଣସମ୍ବନ୍ଧୀ ଆତ୍ମାଟି ଭିତରେ ପ୍ରବେଶ କରି ସେଥିରେ ନିହିତ ସୂକ୍ଷ୍ମ ସୌନ୍ଦର୍ଯ୍ୟଟିକୁ ମଧ୍ୟ କେହି ଯଥାର୍ଥ ଭାବରେ ବୁଝିବ ବୋଲି କିପରି ବା ଆଶା କରାଯାଇ ପାରିବ ? ଅବଶ୍ୟ, ସେଇଟିର ନିର୍ମାଣ ତଥା ସାଜସଜା ବିଷୟରେ ଏକ ସୁସଙ୍ଗତ ସଂଜ୍ଞା ରହିଛି ଏବଂ ସେଇଟି ସହିତ ପାଶ୍ଚାତ୍ୟ ଜଗତର ସେହି କ୍ଷେତ୍ରରେ କୌଣସି ସାଦୃଶ୍ୟ ଦୃଷ୍ଟିଗୋଚର ମଧ୍ୟ ହେବନାହିଁ ।

 

ସୁକିୟା ଅର୍ଥାତ୍ ଆମ ଦେଶର ଚାହା କୋଠରୀକୁ ଶବ୍ଦର ଆଡ଼ମ୍ବର ଦେଇ ମୋଟେ କେବଳ ଯେକୌଣସି ମାମୁଲି ବଖରାଏ ଘରଠାରୁ ଭିନ୍ନ ବୋଲି ଆଦୌ କୁହାଯିବ ନାହିଁ, କୁଟାଛପର ରହିଥିବା କୁଡ଼ିଆଟିଏ–ଆମ ଭାଷାରେ ଆମେ ତାହାର ଏହିପରି ନାମକରଣ କରିଥାଉ-। କଳ୍ପନା ଦେଇ ତିଆରି କରାଯାଉଥିବା ଗୋଟିଏ ଖାସ୍ କୋଠରୀ–ସୁକିୟା କହିଲେ ପ୍ରାୟ ସେହିପରି କଥାଟିକୁ ହିଁ ବୁଝାଇଥାଏ, ପରବର୍ତ୍ତୀ କାଳମାନଙ୍କରେ ଚୀନ୍‌ରେ ଭିନ୍ନ ଭିନ୍ନ ଚାହା-ବିଶେଷଜ୍ଞ ନିଜ ନିଜ ଭାଷାରେ ନିଜ ନିଜ ଭାବନା ଅନୁସାରେ ତାହାକୁ ଭଳି ଭଳି ପ୍ରକାରେ ବର୍ଣ୍ଣନା ମଧ୍ୟ କରିଯାଇଛନ୍ତି । ସେହି ଦୃଷ୍ଟିରୁ ସୁକିୟା କହିଲେ କେଉଁଠାରେ ଏକ ଶୂନ୍ୟ-ବଖରା ଓ ପୁଣି ଆଉ କେଉଁଠାରେ ଏକ ଆଦୌ କୌଣସି ସନ୍ତୁଳନ ନଥିବା କୋଠାରୀକୁ ବୁଝାଇବ । ହଁ, ତାହାକୁ ଆମେ କଳ୍ପନା ଦେଇ ତିଆରି ହୋଇଥିବା କୋଠରୀଟିଏ ବୋଲି କହିବା, କାରଣ ମୂଳତଃ କବିମନର ଆବେଗକୁ କ୍ଷଣିକ ରୂପାୟନଟିଏ ଦେଇ ତାହାର ନିର୍ମାଣ କରାଯାଇଥାଏ । ହଁ, ତାହାକୁ ଏକ ଶୂନ୍ୟ-ବଖରା ବୋଲି ମଧ୍ୟ କୁହାଯାଏ । କାରଣ ସେଇଟିରେ ଆଦୌ କୌଣସି ଅଳଙ୍କରଣକୁ ସ୍ଥାନ ଦିଆ ଯାଏନହିଁ । ହଁ, ଏକ ଖାସ୍ ସମୟରେ ସୌନ୍ଦର୍ଯ୍ୟସମ୍ବନ୍ଧୀ ପ୍ରୟୋଜନ ଦୃଷ୍ଟିରୁ କେତେକ ବସ୍ତୁକୁ ହିଁ ସେହି ବଖରାଟି ଭିତରେ ଆଣି ରଖା ଯାଇଥାଏ । ପୁନଶ୍ଚ ସେଥିରେ ସନ୍ତୁଳିତ ହୋଇ ଆଦୌ କିଛି ହିଁ ନ ଥାଏ, କାରଣ ତାହା ଏକ ଅପୂର୍ଣ୍ଣତାର ଉପାସନା ନିମନ୍ତେ ଉତ୍ସର୍ଗୀକୃତ ହୋଇ ରହିଥାଏ ଏବଂ ସେହି କାରଣରୁ ଆଦୌ ପୂର୍ଣ୍ଣତା ଲାଭ କରି ନ ଥିବା କେତୋଟି ବସ୍ତୁକୁ ପ୍ରକୃତରେ ଜାଣିଶୁଣି ତା’ଭିତରେ ଆଣି ରଖା ଯାଇଥାଏ, ଯେପରିକି ଆପଣାର କଳ୍ପନାଶକ୍ତି ସାହାଯ୍ୟରେ ଆମେ ସେଥିରେ ପୂର୍ଣ୍ଣତାର ବୋଧଟିଏ ଆଣି ଦେଇପାରିବା । ଷୋଡ଼ଶ ଶତାବ୍ଦୀ ସମୟରୁ ଚାହାନୁଷ୍ଠାନିକତାର ଆଦର୍ଶମାନେ ଆମର ଗୃହନିର୍ମାଣ କଳାଟିକୁ ଏପରି ପ୍ରଭାବିତ କରି ଆସିଛନ୍ତି ଯେ, ଆମର ଏହି ସାଂପ୍ରତିକ କାଳଟିରେ ମଧ୍ୟ ଜାପାନର ଯେକୌଣସି ସାଧାରଣ ଘରର ଭିତରଟି ମଧ୍ୟ ଆପଣା ସାଜସଜ୍ଜାଇ ଯୋଜନାଟିରେ ଅତ୍ୟନ୍ତ ସରଳ ତଥା ପରିଚ୍ଛନ୍ନ ହୋଇ ରହିଆସିଛି;–ଏପରିକ ଅନ୍ୟଦେଶର ଆଗନ୍ତୁକମାନଙ୍କ ଆଖିକୁ ଚା’ଭିତରେ ସତେ ଅବା ଆଦୌ କିଛି ହେଲେ ନଥିଲା ପରି ବୋଧ ହେଉଛି ।

 

ସର୍ବପ୍ରଥମେ ସେନ୍ନୋ-ସୋଏକି ନାମଧେୟ ଜଣେ ବ୍ୟକ୍ତି ଚାହା ନିମନ୍ତେ ଏକ ସ୍ୱତନ୍ତ୍ର କୋଠରୀଟିଏ ଅବଶ୍ୟ ରହିବା ଉଚିତ ବୋଲି ଅନୁଭବ କରି ତାହାକୁ ସେହି ଅନୁସାରେ ଏକ ରୂପ ବି ଦେବାକୁ ଉଦ୍ୟମ କରିଥିଲେ । ପରବର୍ତ୍ତୀ କାଳରେ ସେ ରିକିଉ ବୋଲି ଆଉ ଗୋଟିଏ ନାମରେ ମଧ୍ୟ ପରିଚିତ ହେଲେ । ସେଇ ହେଉଛନ୍ତି ଆମ ଦେଶର ଚାହା ବିଶାରଦମାନଙ୍କ ମଧ୍ୟରେ ସମସ୍ତଙ୍କ ଠାରୁ ଅଧିକ ପରିମାଣରେ ପ୍ରସିଦ୍ଧ ଏବଂ ସେ ଷୋଡ଼ଶ ଶତାବ୍ଦୀରେ ତାଇକୋ-ହିଦେୟୋଶିଙ୍କର ପୃଷ୍ଠପୋଷକତା ପାଇ ଚାହା ନାମକ ଏକ ଆନୁଷ୍ଠାନିକ ଗଢ଼ଣଟିକୁ ସାକାର ରୂପଟିଏ ଆଣି ଦେଲେ ତଥା ବେଶ୍ ଏକ ଉଚ୍ଚସ୍ତରୀୟ ପରିପୂର୍ଣ୍ଣତା ପ୍ରଦାନ ମଧ୍ୟ କଲେ । ତାଙ୍କ ପୂର୍ବରୁ ଶ୍ରୀ ଜୋୱୋ ନାମକ ଆଉ ଜଣେ ବ୍ୟକ୍ତି ଚାହାକୋଠରୀର ଆକାରଗତ ଅନୁପାତଗୁଡ଼ିକ ଅବଶ୍ୟ ସ୍ଥିର କରି ସାରିଥିଲେ । ସିଏ ହେଉଛନ୍ତି ପଞ୍ଚଦଶ ଶତାବ୍ଦୀର ଜଣେ ବ୍ୟକ୍ତି ଏବଂ ତାହା ପରମ୍ପରାରେ ଜଣେ ଗୁରୁସ୍ଥାନୀୟ ବୋଲି ପରିଚିତ ହୋଇ ରହିଛନ୍ତି । ସେହି ପ୍ରଥମ କାଳରେ କଳ୍ପିତ ଚାହା-କୋଠରୀରେ ବୈଠକଖାନାର କେବଳ ଗୋଟିଏ ଅଂଶକୁ ହିଁ ଅନ୍ତର୍ଗତ କରି ରଖା ଯାଇଥିଲା । ସେତେବେଳେ ଅନୁଷ୍ଠାନଟିକୁ ଏକ ସ୍ଵତନ୍ତ୍ର ଯୋଗାଇ ଦେବାର ଅଭିପ୍ରାୟ ରଖି ମଝିରେ ପରଦା ଟାଙ୍ଗି ଦେଇ ସ୍ବତନ୍ତ୍ର ସ୍ଥାନ ପ୍ରଦାନ କରଯାଉଥିଲା ଓ ଅତିଥିମାନେ ସେହିଠାରେ ଯାଇ ବସୁଥିଲେ । ସେହି ଅଂଶଟିକୁ କାକୋଇ (ବାଡ଼ି) ବୋଲି ଚିହ୍ନିତ କରି ଦିଆହୋଇଥିଲା । ଏବେ ମଧ୍ୟ ଯେଉଁଠାରେ ଏହିପରି ଏକ ବିଭାଜନଦ୍ୱାରା ସ୍ଥାନଟି ଚିହ୍ନିତ କରିଦେଇ ଚାହାର ଅନୁଷ୍ଠାନ କରାଯାଉଛି, ସେଠାରେ ମଧ୍ୟ ସେହି କାକୋଇ ନାମଟିକୁ ବ୍ୟବହାର କରାଯାଉଛି । ଅର୍ଥାତ୍ ସେହି ନିମନ୍ତେ କୌଣସି ଏକ ସ୍ୱତନ୍ତ୍ର କୋଠରୀ ତିଆରି କରିଦିଆ ଯାଇନାହିଁ । ଏହିପରି ଭାବରେ ସୁକିୟା କହିଲେ ମୋଟାମୋଟି ଖାସ ଚାହା ପାନ କରିବାର ପ୍ରକୋଷ୍ଠ, ଏକ ମିଡ଼୍‌-ସୂୟା ଓ ଗୋଟିଏ ମାଚିଆଇକୁ ଏକତ୍ର ବୁଝାଉଛି ଏବଂ ତା’ସହିତ ଏକ ଉଦ୍ୟାନପଥ ଯାହାକୁ ରୋଜି ବୋଲି କୁହାଯାଉଛି । ସୁକିୟାଟି ଏପରି ଭାବରେ ତିଆରି ହୋଇଥାଏ ଯେ ସେଥିରେ ଖୁବ୍ ବେଶୀ ହେଲେ ପାଞ୍ଚଜଣଙ୍କଠାରୁ ଅଧିକ ଲୋକଙ୍କର ବସିବା ନିମନ୍ତେ ଜାଗା ନ ଥାଏ; ମିଡ୍-ସୂୟା ଅର୍ଥାତ୍ ଯେଉଁଠାରେ ଚାହାବାସନମାନଙ୍କୁ ଧୁଆଯାଏ ଏବଂ ଚାହା ପିଇବାର ବେଳହେଲେ ସେଠାରୁ ଅଣାଯାଏ । ପୁନଶ୍ଚ ଏଥର ଆସନ୍ତୁ ବୋଲି ଡାକରା ଆସିବା ପର୍ଯ୍ୟନ୍ତ ସମସ୍ତେ ଉପବିଷ୍ଟ ଥିବା ଅନୁଚ୍ଚ ମଣ୍ଡପଟି ହେଉଛି ମାଚିଆଇ ଏବଂ ସର୍ବଶେଷରେ ରୋଜି ନାମକ ଏକ ଉଦ୍ୟାନପଥ ଯାହା ମାଚିଆଠାରୁ ଚାହା କୋଠରୀଯାଏ ପଡ଼ିଥାଏ । ଚାହା କୋଠରୀରେ ଖାସ୍‌କରି ଆଖିରେ ପଡ଼ିଲା ଭଳି କିଛି ନଥାଏ । ପ୍ରକୃତରେ ଜାପାନରେ ସବୁଠାରୁ କ୍ଷୁଦ୍ର ଯେକୌଣସି ଗୃହଟି ତୁଳନାରେ ଏଇଟି ତଥାପି ଆହୁରି ଅଧିକ କ୍ଷୁଦ୍ର ଏବଂ ସେଇଟିକୁ ନିର୍ମାଣ କରିବାରେ ଯେଉଁ ଦ୍ରବ୍ୟ ଗୁଡ଼ିକ ବ୍ୟବହାର କରାଯାଏ, ଏକ ସୁରୁଚି ରହିଥିବା ସରଳତା ତଥା ଅଳ୍ପତାର ଧାରଣାଦେଇ ପାରିବାକୁ ସେଗୁଡ଼ିକ ବିଚାର କରି ସଂଗ୍ରହ କରା ଯାଇଥାଏ । ତଥାପି ଆମେ ଏହି କଥାଟିକୁ ମଧ୍ୟ ଭୁଲି ଯିବା ନାହିଁ ଯେ, ପୂର୍ବରୁ ହିଁ ପରିପୂର୍ଣ୍ଣ କଳାସଂପନ୍ନ ଭାବରେ ହିଁ ସେହି ବିଷୟରେ ଚିନ୍ତା କରାଯାଉଛି ଏବଂ ଆଚରିତ ସର୍ବବିଧ ଟିକିନିଖିର କ୍ଷେତ୍ରରେ ଅତ୍ୟନ୍ତ ଯତ୍ନର ସହିତ ସବୁ ଭାବିବାକୁ ମଧ୍ୟ ହୋଇଛି । ସମ୍ଭବତଃ ଜାପାନର ସବୁଠାରୁ ଅଧିକ ଆଡ଼ମ୍ବରର ପ୍ରଦର୍ଶନ ହୋଇଥିବା ପ୍ରାସାଦ ଓ ମନ୍ଦିର ଗୁଡ଼ିକ ତୁଳନାରେ ଅଧିକ ପରିମାଣରେ ବିଚାର କରାଯାଇଛି । ଯେକୌଣସି ସାଧାରଣ ଅଟ୍ଟାଳିକାଠାରୁ ଗୋଟିଏ । ଉତ୍ତମରୂପେ ନିର୍ମାଣ କରାଯାଇଥିବା ଚାହାକୋଠାରୀ ସକାଶେ ହୁଏତ ଅଧିକ ଅର୍ଥର ବିନଯୋଗ ହୋଇଛି । ଏଥିରେ ଲାଗୁଥିବା ଦ୍ରବ୍ୟ ଗୁଡ଼ିକରେ ପ୍ରୟୋଗ କରାଯାଉଥିବା କାରିଗରୀର କ୍ଷେତ୍ରରେ, ଏଥିନିମନ୍ତେ ଅଧିକ ନିପୁଣ ଭାବରେ ଯତ୍ନଶୀଳ ହେବାକୁ ପଡ଼ିଛି ଓ ଅଧିକ ନିୟମନିଷ୍ଠ ରହିବା ମଧ୍ୟ ଆବଶ୍ୟକ ହୋଇଛି-। ବସ୍ତୁତଃ, ଚାହାର ଆନୁଷ୍ଠାନିକ ଗୁରୁସକଳ ଏହି ନିର୍ମାଣ-କାର୍ଯ୍ୟରେ ଯେଉଁ ବଢ଼େଇମାନଙ୍କୁ ନିଯୁକ୍ତ ମଧ୍ୟ କରିଛନ୍ତି, ସେମାନେ ପ୍ରତ୍ୟେକେ ଆପଣାର କ୍ଷେତ୍ରରେ ଜଣେ ଜଣେ ବିଶେଷ କୃତିସଂପନ୍ନ ତଥା ସ୍ୱୀକୃତ ହୋଇ ରହିଥିବାର ହିଁ ପରିଲକ୍ଷିତ ହେଉଛି । ଲାଖ-ନିର୍ମାଣ କାର୍ଯ୍ୟରେ ଅତ୍ୟନ୍ତ କୁଶଳୀ କାରିଗରମାନଙ୍କ ତୁଳନାରେ ସେମାନେ ପ୍ରକୃତରେ ଆଦୌ କମ୍ ପାରଦର୍ଶୀ ନ ଥିଲେ ।

 

ନିର୍ମାଣର କୁଶଳତା ଦୃଷ୍ଟିରୁ ପାଶ୍ଚତ୍ୟ ବସ୍ତୁ-କଳାତ୍ମକତା ତୁଳନାରେ ଏହି ଚାହା କୋଠରୀର ଗଢ଼ଣ କେବଳ ଯେ ସଂପୂର୍ଣ୍ଣ ଭାବରେ ଏକ ଭିନ୍ନ ଧରଣର ଥିଲା ତା’ ନୁହେଁ, ଖାସ୍ ଜାପାନର କ୍ଲାସିକ୍ ଶ୍ରେଣୀୟ ନିର୍ମାଣକ୍ଷେତ୍ରୀୟ ଦୃଷ୍ଟାନ୍ତ ଗୁଡ଼ିକ ସହିତ ମଧ୍ୟ ତାହାକୁ ସେହି ଏକାଭଳି ବୋଲି ଆଦୌ କୁହାଯିବ ନାହିଁ । ଆମ ପ୍ରାଚୀନକାଳୀନ ଭବ୍ୟ ଅଟ୍ଟାଳିକା ଗୁଡ଼ିକୁ ଧର୍ମୀୟ ଅଥବା ଧର୍ମବାହାର ଯେଉଁ ଶ୍ରେଣୀରେ ବି ହୋଇଥାଉ ପଛକେ, ସେଗୁଡ଼ିକର କେବଳ ଆକାର ମାନଙ୍କର କ୍ଷେତ୍ରରେ, ଆଦୌ କୌଣସି ଦୃଷ୍ଟିରୁ ନୀରସ ବୋଲି କହି ନାପସନ୍ଦ କରାଯାଇ ପାରିବ ନାହିଁ । ଶତାବ୍ଦୀ ଶତାବ୍ଦୀର ବହୁଥରର ଅଗ୍ନିକାଣ୍ଡରେ ଯେଉଁ ଅଳ୍ପ କେତୋଟି ତଥାପି ରକ୍ଷା ପାଇ ପାରିଛନ୍ତି, ସେଗୁଡ଼ିକ ଏବେ ମଧ୍ୟ ଅବଲୋକନ କଲେ ସେମାନେ ନିଜର ଐଶ୍ୱର୍ଯ୍ୟ ତଥା ଆଳଙ୍କାରିତାରେ ଆମକୁ ଚମତ୍‌କୃତ କରି ଦେଉଛନ୍ତି । କାଠରେ ନିର୍ମିତ ସେହି ବୃହତ୍ ଆକାରର ସ୍ତମ୍ଭମାନଙ୍କର ଉଚ୍ଚତା ତିରିଶିରୁ ଚାଳିଶଫୁଟ ହେବ । ତଥା ବ୍ୟାସ ମଧ୍ୟ ଦୁଇ ବା ତିନି ଫୁଟ ହେବ । ସେଗୁଡ଼ିକ କେତେ କେତେ ସୂକ୍ଷ୍ମ ଓ ଜଟିଳ ବୁଣାଟର ଅବଲମ୍ବନ ଦେଇ ମଜବୁତ ଭାବରେ ଠିଆ କରି ରଖାଯାଇଛି, ବୃହତ୍ ଆକାରର ବରଗାମାନେ ଟାଇଲ୍ ଦ୍ଵାରା ଆଚ୍ଛାଦିତ ଛାତମାନଙ୍କୁ ସେଗୁଡ଼ିକ ଯେତେ ଓଜନ ହୋଇଥିଲେ ମଧ୍ୟ ସମ୍ଭାଳି ଧରିଛନ୍ତି । ଅବଶ୍ୟ ନିଆଁରୁ ରକ୍ଷା କରିବାର କ୍ଷେତ୍ରରେ କିଛି ଉପାୟ କରା ଯାଇନାହିଁ, କିନ୍ତୁ ଭୂମିକମ୍ପ ଗୁଡ଼ିକରୁ ତାହା ନିରାପଦ ରହିଛି । ଦେଶର ଜଳବାୟୁକୁ ଦୃଷ୍ଟିରେ ରଖି ସେଗୁଡ଼ିକ ସେହି କାଳରେ ଅନୁକୂଳ ଭାବରେ ନିର୍ମାଣ କରାଯାଇଥିଲା । ହୋରିଉଜିର ସୁନା ତିଆରି କକ୍ଷ ଓ ୟାକୁସିଜିର ପାଗୋଡ଼ା । ଏହି ଦୁଇଟିଯାକ କୀର୍ତ୍ତି ଆମ କାଷ୍ଠନିର୍ମିତ ଅଟ୍ଟାଳିକା ଗୁଡ଼ିକର ଦୀର୍ଘସ୍ଥାୟିତ୍ୱ ବିଷୟରେ ଗୋଟିଏ ଗୋଟିଏ ଉଲ୍ଲେଖଯୋଗ୍ୟ ଦୃଷ୍ଟାନ୍ତ ହୋଇ ରହିଅଛି । ସେହି ଅଟ୍ଟାଳିକା ଦୁଇଟି ଦୀର୍ଘ ବାରଶହ ବର୍ଷ ହେଲା ବସ୍ତୁତଃ ସେହିପରି ଦୃଢ଼ ଓ ଦମ୍ଭ ଭାବରେ ଠିଆ ହୋଇଛନ୍ତି ।

 

ପ୍ରାଚୀନ ସମୟର ମନ୍ଦିର ତଥା ପ୍ରାସାଦ ଗୁଡ଼ିକର ଆଭ୍ୟନ୍ତରୀଣ ପ୍ରଦେଶଗୁଡ଼ିକ ମଧ୍ୟ କେଡ଼େ ଐଶ୍ୱର୍ଯ୍ୟପୂର୍ଣ୍ଣ ଭାବରେ କୋଟିକମ ହୋଇ ରହି ଆସିଛନ୍ତି । ଦଶମ ଶତାବ୍ଦୀ ବେଳର ଉଜିନାମକ ସ୍ଥାନରେ ହୁଓଡୋ ମନ୍ଦିରରେ ରହିଥିବା ଚନ୍ଦ୍ରାତପ ଏବଂ ସୁନାର ରଙ୍ଗ ଦିଆଯାଇଥିବା ବିତାନମାନେ ସେହି ଆଗପରି ହିଁ ବିଦ୍ୟମାନ ରହିଛନ୍ତି । ବହୁତ ରଙ୍ଗର ତଥା ମୁକ୍ତା ଏବଂ ଦର୍ପଣମାନଙ୍କ ଦ୍ଵାରା ଖଚିତ ହୋଇ ରହିଥିବା ସେହିସବୁ କୀର୍ତ୍ତି ଅତୁଟ ହୋଇ ରହି ପାରିଛନ୍ତି । ପରବର୍ତ୍ତୀ କାଳରେ ନିକ୍କୋନାମକ ସ୍ଥାନରେ ଓ କିଓଟୋର ନିଜୋ ଦୁର୍ଗରେ ସେଗୁଡ଼ିକର ଆକାରଗତ ଗଢ଼ଣଠାରୁ ସେଥିରେ ରହିଥିବା ଅଳଙ୍କାରର ଐଶ୍ଚର୍ଯ୍ୟ ଗୁଡ଼ିକ ବସ୍ତୁତଃ କେତେ କେତେ ପରିମାଣରେ ବଳି ଯାଇଛି । ସେହି ଅଳଙ୍କରଣମାନ ପୁଣି ନାନା ରଙ୍ଗର ଏବଂ ବହୁତ ସୂକ୍ଷ୍ମ ନାନା କାରିଗରୀକୁ ମଧ୍ୟ ବହନ କରୁଛି । ଏପରିକି ସେଗୁଡ଼ିକ ଆରବ ତଥା ମୁର୍‌ମାନଙ୍କର କଳାତ୍ମକ ସୃଜନ-ନୈପୁଣ୍ୟର ସମକକ୍ଷ ବୋଲି ଅବଶ୍ୟ କୁହାଯିବ ।

 

ଏହି ଚାହା କୋଠରୀର ବିଶୁଦ୍ଧତା ଓ ସରଳତା ଆସିଥିଲା ଜେନ୍ ଧର୍ମମଠ ଗୁଡ଼ିକର ପ୍ରେରଣା ଗୁଡ଼ିକର ଅନୁକରଣରୁ । ବୌଦ୍ଧ ମାର୍ଗର ଅନ୍ୟ ଶାଖା ଗୁଡ଼ିକ ଠାରୁ ଜେନ୍ ସାଧନାକେନ୍ଦ୍ର ଗୁଡ଼ିକର ଗୋଟିଏ ବୃହତ୍ ପ୍ରଭେଦ ରହିଛି ଯେ, ଏହି ଅନ୍ୟ ସଂପ୍ରଦାୟ ଗୁଡ଼ିକରେ କେବଳ ଭିକ୍ଷୁମାନେ ହିଁ ଅବସ୍ଥାନ କରନ୍ତି । ଜେନ୍ ମଠ ଗୁଡ଼ିକର ଧର୍ମଗୃହଟି କେବଳ ଉପାସନା କିମ୍ବା ତୀର୍ଥଯାତ୍ରା କରାଯିବାର ଗୋଟିଏ ଗୋଟିଏ ସ୍ଥାନ ରୂପେ ଉଦ୍ଦିଷ୍ଟ ହୋଇ ରହି ନ ଥାଏ, ତାହାକୁ ତ ବରଂ ଏଭଳି ଏକ ଶିକ୍ଷାର ସ୍ଥଳ ବୋଲି ମଧ୍ୟ କୁହାଯିବ, ଯେଉଁଠାରେ କି ଶିକ୍ଷାର୍ଥୀମାନେ ଆସି ଏକତ୍ର ହୁଅନ୍ତି, ନାନାବିଧ ଆଲୋଚନା କରନ୍ତି ଏବଂ ଧାନର ଚାରଣା ବି କରନ୍ତି । ସେହି ପ୍ରକୋଷ୍ଠଟିରେ ୟାଡ଼ୁ ସାଡ଼ୁ ଗୁଡ଼ାଏ ଜିନିଷ ଦେଖିବାକୁ ମିଳେନାହିଁ; କେବଳ ମଝିରେ ମଣ୍ଡପଟିଏ ରହିଥାଏ ଏବଂ ସେହି ମଣ୍ଡପରେ ବେଦୀଟିର ପଛ ଆଡ଼କୁ ବୋଧିଧର୍ମଙ୍କର ମୂର୍ତ୍ତିଟିଏ । ବୋଧିଧର୍ମ ହେଉଛନ୍ତି ଏହି ସଂପ୍ରଦାୟଟିର ପ୍ରତିଷ୍ଠାତା । ତାଙ୍କର ଦୁଇ ପାର୍ଶ୍ଵରେ ସାକ୍ୟମୁନି ଏବଂ ଆନନ୍ଦ । ଏହି ଉଭୟେ ହେଉଛନ୍ତି ଜେନ୍ ଶାଖାର ଜଣେ ଜଣେ ସର୍ବ ପ୍ରଥମ କାଳର ପ୍ରମୁଖ । ସେହି ମୁନିମାନେ ଜେନ୍ ମାର୍ଗଟି ନିମନ୍ତେ ଯେଉଁ ବୃହତ୍ ଅବଦାନ ଗୁଡ଼ିକର କାରଣ ହୋଇ ରହିଛନ୍ତି, ତାହାରି ସ୍ମରଣ କରି ଏଠାରେ ପୁଷ୍ପ ଓ ଧୂପ ଅର୍ପଣ କରାଯାଉଥାଏ । ଆମେ ପୂର୍ବରୁ ହିଁ କହିଛୁ ଯେ, ଜେନ୍ ଭିକ୍ଷୁମାନେ ହିଁ ବୋଧିଧର୍ମଙ୍କର ସାମନାରେ ଥିବା ଚାହା ପାତ୍ରଟିରୁ ବାରମ୍ବାର ଚାହା ପାନ କରିବାର ଏହି ବିଧିଟିକୁ ଏକଦା ଆରମ୍ଭ କରିଥିଲେ ଏବଂ ସେହି ରୀତିଟିରୁ ହିଁ ଚାହାର ଏହି ଉତ୍ସବାନୁଷ୍ଠାନର ଜନ୍ମ ହୋଇଥିଲା । ଏବଂ, ଏକଥା ମଧ୍ୟ କୁହାଯାଇ ପାରିବ ଯେ, ଜେନ୍ ଉପାସନା-ପ୍ରକୋଷ୍ଠର ସେହି ବେଦୀଟି କୌଣସି ଜାପାନୀ ପରିବାର ବାସ କରୁଥିବା ଗୃହରେ ଥିବା ଟୋକୋଚିନାମା ନାମକ ସେହି ଖାସ୍ ସ୍ୱୀକୃତିପ୍ରାପ୍ତ ବଖରାର ଆଦିପ୍ରରୂପ ହୋଇ ରହିଲା, ଯେଉଁଠାରେ କି ଅତିଥିମାନଙ୍କର ପ୍ରୀତ୍ୟର୍ଥ ଚିତ୍ର ତଥା ପୁଷ୍ପଚୟ ସଜ୍ଜିତ ହୋଇ ରହିଥାଏ ।

 

ଚାହା-ଆପ୍ୟାୟନର ଏହି ଅନୁଷ୍ଠାନଟି କ୍ଷେତ୍ରରେ ଯେତେ ଯିଏ ସୁପ୍ରସିଦ୍ଧ ପ୍ରମୁଖ ବ୍ୟକ୍ତିରୂପେ ଚିହ୍ନିତ ହୋଇ ରହିଛନ୍ତି, ସେମାନେ ପ୍ରତ୍ୟେକେ ବସ୍ତୁତଃ ଜଣେ ଜଣେ ଜେନ୍‌ମାର୍ଗୀ ସାଧକ ହିଁ ଥିଲେ ଏବଂ ସେହି କାରଣରୁ ଜୀବନର ନାନା ବାସ୍ତବ ଭୂମିକୁ ଜେନ୍-ଭାବନାର ଅନ୍ତଃପ୍ରାଣଟିକୁ ସଞ୍ଚାରିତ କରି ଆଣିବାର ସର୍ବଦା ପ୍ରୟାସ କରିଥିଲେ । ଏହି କାରଣରୁ ହିଁ, ଚାହା-ଉତ୍ସବର ଅନ୍ୟାନ୍ୟ ସକଳ ଆନୁଷଙ୍ଗିକ ଗୁଡ଼ିକ ସଦୃଶ କୋଠରୀଟି ମଧ୍ୟ ଜେନ୍ ମାର୍ଗବିଧିଟିର ନାନା ପ୍ରକାରେ ପ୍ରତିଫଳନ ସମ୍ଭବ ମଧ୍ୟ କରାଇ ଆଣିଛି । ସଂପୂର୍ଣ୍ଣ ନିର୍ଦ୍ଧାରିତ ବିଧିଗୁଡ଼ିକୁ ମାନି ତିଆରି ହୋଇଥିବା ଚାହା-କୋଠରୀଟି ଯେ ଆୟତନରେ ଦଶଫୁଟ ବାହୁବିଶିଷ୍ଟ ଏକ ବର୍ଗକ୍ଷେତ୍ର ହୋଇ ରହିଛି ତାହା ବିକ୍ରମାଦିତ୍ୟଙ୍କ ସୂତ୍ରରେ ରହିଥିବା ଏକ ନିର୍ଦ୍ଦେଶ ଅନୁସାରେ କରାଯାଇଛି । ସେହି ଅତ୍ୟନ୍ତ ଆଗ୍ରହୋଦ୍ଦୀପକ ଗ୍ରନ୍ଥଟିରେ ବିକ୍ରମାଦିତ୍ୟ ଭିକ୍ଷୁପ୍ରବର ମଞ୍ଜୁଶ୍ରୀଙ୍କର ସ୍ୱାଗତ କରୁଛନ୍ତି ଏବଂ ଠିକ୍ ଏତିକି ଆୟତନ ରହିଥିବା ଏକ ପ୍ରକୋଷ୍ଠରେ ତାଙ୍କର ଚଉରାଅଶୀ ହଜାର ଶିଷ୍ୟଙ୍କ ସମେତ ତାଙ୍କୁ ଅଭ୍ୟର୍ଥନା ଜ୍ଞାପନ କରୁଛନ୍ତି । ଏହି ପ୍ରତୀକାତ୍ମକ ଆୟତନଟି ସୂଚାଇ ଦେଉଛି ଯେ, ଯଥାର୍ଥରେ ବୋଧି-ସଂପ୍ରାପ୍ତ ମହାନ୍‌ଗଣଙ୍କ ନିମନ୍ତେ ସ୍ଥାନର ନିର୍ଦ୍ଦିଷ୍ଟ ଆକାରଟିଏ ରହିବାର ପ୍ରକୃତରେ ସେପରି କୌଣସି ତାତ୍ପର୍ଯ୍ୟ ହିଁ ନ ଥାଏ । ପୁନଶ୍ଚ ରୋଜି ଅର୍ଥାତ୍ ଯେଉଁ ଉଦ୍ୟାନ-ପଥଟି ମାଚିଆଇର ଅତିଥିବର୍ଗଙ୍କୁ ଚାହାକୋଠରୀ ପର୍ଯ୍ୟନ୍ତ ନେଇଆସେ,–ସେଇଟି ମଧ୍ୟ ଧ୍ୟାନସ୍ଥ ହେବାର ପ୍ରଥମ ପର୍ଯ୍ୟାୟଟିକୁ ସୂଚିତ କରି ଦେଇଥାଏ । ସେହି ସର୍ବପ୍ରଥମ ଆତ୍ମା-ଆଲୋକନର ସ୍ତରଟିକୁ ଅନୁଭୂତି କରାଇଥାଏ । ସେହି ଅର୍ଥଟି ଅନୁସାରେ ରୋଜି ବାହ୍ୟ ପୃଥିବୀଟି ସହିତ ରହିଥିବା ସର୍ବବିଧ ସଂପର୍କର ଅବସାନ ଘଟାଏ ଓ ଗୋଟିଏ ନୂତନ ଅବବୋଧର ଉନ୍ମେଷ ଘଟାଏ, ଯାହାକି ଖାସ୍ ଚାହା ପ୍ରକୋଷ୍ଠଟି ମଧକୁ ପାଦ ପକାଇବା ମାତ୍ରକେ ସେହି ସ୍ଥିତିଟିକୁ ସଂପୂର୍ଣ୍ଣ ଭାବରେ ସେଠାରେ ଥିବା ସୌନ୍ଦର୍ଯ୍ୟକୁ ଆତ୍ମସ୍ଥ କରିନେବାର ଅନୁକୂଳତା ଆଣିଦିଏ । ସେହି ଉଦ୍ୟାନପଥଟିକୁ ପାର ହୋଇଥିବା କେହି କଦାପି ଏହି କଥାଟିକୁ ଭୁଲିବ ନାହିଁ ଯେ ସିଏ ସେହି ସଦାହରିତ ବୃକ୍ଷଗୁଡ଼ିକରୁ ବିଚ୍ଛୁରିତ ହୋଇ ଆସୁଥିବା ପଥଟିକୁ ଅତିକ୍ରମ କରି ପାହାଚ ପରେ ପାହାଚ ଅଗ୍ରସର ହୋଇ ନିୟମିତତା ଗୁଡ଼ିକ ଡେଇଁ ଯାଉଥିବ; ତା’–ଗୋଡ଼ତଳେ ଶୁଖିଲା ପାଇନ୍ ଗଛର ପତ୍ରଅଗ ଗୁଡ଼ିକ ଦଳିହୋଇ ଯିବାରେ ବି ଲାଗିଥିବେ,–ଦୁଇ ପାର୍ଶ୍ଵରେ ଶିଉଳୀରେ ବୋଳି ହୋଇ ରହିଥିବା ପଥର-ତିଆରି ଲଣ୍ଡନମାନେ ମଧ୍ୟ ମିଞ୍ଜି ମିଞ୍ଜି ହୋଇ ଜଳୁଥିବେ, ତାହାରି ସହିତ ତା’ଭିତର ଆତ୍ମାଟି ମଧ୍ୟ ସାଧାରଣ ପ୍ରହରର ଭାବନାଗୁଡ଼ିକରୁ କ୍ରମେ ଉପରକୁ ଉଠିଯିବାରେ ହିଁ ଲାଗିଥିବେ । ସେତେବେଳେ ଆମେ ହୁଏତ କୌଣସି ବୃହତ୍ ସହରରେ ଥାଇପାରୁ, କିନ୍ତୁ ତଥାପି ଖୁବ୍ ଅନୁଭବ ବି କରିପାରୁ, ଆମେ ସତେଯେପରି ଯାବତୀୟ ସଭ୍ୟତାର ଧୂଳି ଏବଂ କୋଳାହଳଠାରୁ ବହୁ ଦୂରରେ ଗୋଟିଏ ଅରଣ୍ୟ ଭିତରେ ହିଁ ଅଛୁ । ପ୍ରଶାନ୍ତି ତଥା ବିଶୁଦ୍ଧତାର ଏହି ପରିଣାମ ଗୁଡ଼ିକ ସମ୍ଭବ କରି ଆଣିବାରେ ସେହି ଚାହାକ୍ଷେତ୍ରୀୟ ପ୍ରବରମାନଙ୍କର ପ୍ରକୃତରେ ଅସାଧାରଣ ପାରଦର୍ଶିତା ରହିଥିଲା । ଉଦ୍ୟାନପଥଟି ଦେଇ ଯାଉଥିବାର ସେହି କ୍ଷଣଗୁଡ଼ିକରେ ଯେଉଁ ଅବବୋଧମାନେ ଉନ୍ମେଷିତ ହୋଇ ଆସନ୍ତୁ ବୋଲି ପ୍ରତ୍ୟାଶା ରହୁଥିଲା, ସେଇଟି ମଧ୍ୟ ଭିନ୍ନ ଭିନ୍ନ ବିଶାରଦମାନଙ୍କ କ୍ଷେତ୍ରରେ ଏକାନ୍ତ ହିଁ ଭିନ୍ନ ଥିଲା । ରିକିଟିଙ୍କ ସଦୃଶ କେତେକ ଅଗ୍ରଣୀ ପୂର୍ଣ୍ଣ ନିକାଞ୍ଚନତାର ଏକ ଅନୁଭୂତି ଲାଭ କରିବାର ଲକ୍ଷ୍ୟ ରଖିଥିଲେ ଏବଂ ସେହି ପଥଟିକୁ ନିର୍ମାଣ କରିବାର ପଶ୍ଚାତରେ ରହିଥିବା ରହସ୍ୟଟିକୁ ଏହି ସୁବିଦିତ ପଦଟିରେ ବ୍ୟକ୍ତ କରିଥିଲେ:

 

ମୋର ଦୃଷ୍ଟି କୁଆଡ଼େ କୁଆଡ଼େ

କେତେ ଦୂରକୁ ହିଁ ଡେଇଁ ଚାଲିଯାଉଛି;

ସେଠାରେ ଫୁଲମାନେ ନାହାନ୍ତି, ଏହି ନାନାବର୍ଣ୍ଣର

ପତ୍ରମାନେ ମଧ୍ୟ ନାହାନ୍ତି ! ସେଠାରେ

ଏକ ସମୁଦ୍ରତଟରେ ନିକାଞ୍ଚନ କ୍ଷୁଦ୍ର କୁଟୀରଟିଏ

ଅବସ୍ଥିତ ରହିଛି । ମ୍ଳାନହୋଇ ଆସୁଥିବା ଆଲୋକରେ

ଏକ ଶରତସନ୍ଧ୍ୟାର ମୁହୁର୍ତ୍ତରେ

 

କୋବୋରି–ଏନ୍‌ଶିଉଙ୍କ ଭଳି ଅନ୍ୟମାନେ କିଛି ଅନ୍ୟଭଳି ଅନୁଭୂତି ଲାଭର ଆଶା କରୁଥିଲେ । ଏନ୍‌ଶିଉଙ୍କର କହିଥିବା ଅନୁସାରେ ଉଦ୍ୟାନପଥଟି ନିମ୍ନୋକ୍ତ କେତୋଟି ଧାଡ଼ିରେ ହିଁ ବ୍ୟକ୍ତ ହୋଇ ଆସିଛି ।

 

Unknown

ବେଶ୍ କେତୋଟି ଗ୍ରୀଷ୍ମକାଳୀନ ବୃକ୍ଷଙ୍କର

ସମାହାର ମଧ୍ୟରେ, ସମୁଦ୍ରର ତରଙ୍ଗାଘାତ ସହିତ,

ଗୋଟିଏ ଧୂସରବର୍ଣ୍ଣ ସନ୍ଧ୍ୟାବେଳର ଚନ୍ଦ୍ରମା:

 

ତାଙ୍କଦ୍ୱାରା ରଚିତ ଏହି ଧାଡ଼ି କୋତୋଟିରୁ ମଧ୍ୟ ଏକ ଅର୍ଥ ବାହାର କରିବା ଆଦୌ କଷ୍ଟକର ହେବ ନାହିଁ । ସିଏ ଏପରି ଗୋଟିଏ ସଦ୍ୟ-ଜାଗୃତ ଆତ୍ମାର ଦୃଷ୍ଟିକୁ ସୃଷ୍ଟି କରି ଆଣିବାକୁ ଇଚ୍ଛା କରୁଥିଲେ ଯାହାକି ଅତୀତ ଦିନଗୁଡ଼ିକର ଛାୟାରେ ଆବୃତ ସ୍ୱପ୍ନଗୁଡ଼ିକ ମଧ୍ୟରେ ତଥାପି ବାଟଟିଏ ଖୋଜିବାରେ ରତ ହୋଇ ରହିଛି ଏବଂ ତଥାପି ବର୍ତ୍ତମାନ ମଧ୍ୟ ଗୋଟିଏ ସ୍ନିଗ୍ଧ ଆଧ୍ୟାତ୍ମିକ ଆଲୋକର ମଧୁର ଅଚେତନା ମଧ୍ୟରେ ସନ୍ତରଣ କରିବାରେ ଲାଗିଛି ଏବଂ କାହିଁ କେଉଁ ଦୂରଦୂରର ଦିଗନ୍ତଟି ଭିତରେ ଅପେକ୍ଷା କରି ରହିଥିବା ମୁକ୍ତିଟିକୁ ଅନୁଭବ କରିବ ବୋଲି ଅତ୍ୟନ୍ତ ଆକୁଳ ହୋଇ ରହିଛି ।

 

ଏହି ପ୍ରସ୍ତୁତିଟି ପରେ ଜଣେ ଅତିଥି ଆସି ଅସଲ ପ୍ରକୋଷ୍ଠଟିରେ ଏକ ପୂର୍ଣ୍ଣ ନୀରବତା ମଧ୍ୟରେ ଆସି ପ୍ରବେଶ କରିବେ ଏବଂ ଯଦି ସିଏ ଜଣେ ସାମୁରାଇ ଅର୍ଥାତ୍ ସୈନ୍ୟ ବିଭାଗୀୟ କର୍ତ୍ତା ହୋଇଥିବେ, ତେଣୁ ନିଜର ତରବାରୀକୁ କାନ୍ଥଗୁଡ଼ିକର କୌଣସି ଏକ ଆଢ଼ୁଆଳରେ ଥାକ ଉପରେ ରଖିଦେଇ ଯିବେ । କାରଣ, ଏକ ଚାହା ପ୍ରକୋଷ୍ଠ ହେଉଛି ସବା ଆଗ ଏକ ଶାନ୍ତିର ହିଁ ପ୍ରକୋଷ୍ଠ । ତା’ପରେ ସେହି ଅତିଥି ନିଜ ଦେହକୁ ଆନତ କରି ଆଣିବେ ଏବଂ ଗୋଟିଏ ସାନ ଦରଜାବାଟ ଦେଇ, .ତାହା ତିନିଫୁଟରୁ ମୋଟେ ଅଧିକ ଉଚ୍ଚ ହୋଇନଥିବ, :-ଗୃହଟି ଭିତରେ ପ୍ରବିଷ୍ଟ ହେବେ । ହଁ, ଉଚ୍ଚ ତଥା ନିମ୍ନପଦସ୍ଥ ସକଳ ଅତିଥିଙ୍କୁ ହିଁ ସେହିପରି କରିବାକୁ ହେବ । ସଂପୃକ୍ତ ସକଳ ବ୍ୟକ୍ତିଙ୍କ ଭିତରେ ଏକ ନମ୍ରଭାବକୁ ଜାଗୃତ କରି ଆଣିବାର ଅଭିପ୍ରାୟରେ ଏହି ବିଧିଟିକୁ ଏହିଭଳି ଭାବରେ କରାଯାଇଛି । କିଏ କାହା ପରେ ଯାଇ ମାଚିଆଇ ଭିତରେ ବସିବ, ସେହି କ୍ରମଟିକୁ ଆଗରୁ ହିଁ ନିର୍ଦ୍ଧାରିତ କରି ଦିଆଯାଇଥିବାରୁ, ସେହି ଅତିଥିମାନେ ଆଦୌ କୌଣସି କୋଳାହଳ ନ କରି ଭିତରେ ପ୍ରବେଶ କରି ନିଜ ନିଜର ସ୍ଥାନ ଗ୍ରହଣ କରିବେ । ସେମାନେ ସର୍ବପ୍ରଥମେ ଟୋକୋନୋମାରେ ଥିବା ଚିତ୍ରାବଳୀ ଅଥବା ଫୁଲ ଉଦ୍ଦେଶ୍ୟରେ ନିଜର ସମ୍ମାନ ଜ୍ଞାପନ କରିବେ । ଅତିଥିବୃନ୍ଦ ଆପେ ଆସନ ଗ୍ରହଣ କରି ବସି ନଥିବା ପର୍ଯ୍ୟନ୍ତ ଗୃହକର୍ତ୍ତା ସେଠାରେ ଯାଇ ଆଦୌ ପ୍ରବେଶ କରି ନ ଥିବେ । ପୂର୍ଣ୍ଣ ନୀରବତା ହିଁ ବିରାଜମାନ କରୁଥିବ ଏବଂ କେବଳ ଲୁହାର କେଟ୍‌ଲିଟି ମଧ୍ୟରେ ଫୁଟିବାକୁ ଆରମ୍ଭ କରିଥିବା ଜଳକୁ ଛାଡ଼ିଦେଲେ ଆଉ କୌଣସି ଶବ୍ଦ ଗୃହଟିର ନୀରବତାକୁ ଚହଲାଇ ଦେଉ ନ ଥିବ । ହଁ, କେଟ୍‌ଲିଟି ପ୍ରକୃତରେ ବଡ଼ ଚମତ୍କାର ଭାବରେ ଗୀତ ଗାଉଥିବ,–କାରଣ ତା’ଭିତରର ଲୌହଖଣ୍ଡ ଗୁଡ଼ିକ ସେଇଟି ଭିତରେ ଏପରି କାଇଦାରେ ରଖା ଯାଇଥିବ ଯେପରିକି ସେଥିରୁ ଗୋଟିଏ ଏପରି ପ୍ରକାରର ସଙ୍ଗୀତ ମଧ୍ୟ ଉତ୍ପନ୍ନ ହୋଇ ଆସୁଥବ ଏବଂ ଶୁଣିବା ସମୟରେ ତାହା ବର୍ଷା ଋତୁରେ ଫୁଲି ଉଠିଥିବା ସତେଅବା କୌଣସି ଜଳପ୍ରପାତର ଶବ୍ଦକୁ ଶୁଣୁଥିବା ପରି ଲାଗୁଥିବ କିମ୍ବା କୌଣସି ସମୁଦ୍ରର ଢେଉମାନେ କୂଳରେ ଅବସ୍ଥିତ ଉଚ୍ଚ ପଥରଗୁଡ଼ିଏ ଉପରେ ଆସି ବାଡ଼େଇ ହୋଇ ଯାଉଥିବା ପରି ଲାଗୁଥିବ ଅଥବା ଗୋଟିଏ ବୃଷ୍ଟିକାଳୀନ ଝଡ଼ ଆସି କୌଣସି ବାଉଁଶ ଗଛର ତୋଟା ଭିତରେ ମଡ଼ମଡ଼ ଶବ୍ଦ କରୁଥିବା ଭଳି ବୋଧ ହେଉଥିବ । ବା, ବହୁ ଦୂରରେ ରହିଥିବା କୌଣସି ପାହାଡ଼ ଉପରର ପାଇନ୍ ଗଛମାନେ ସତେଅବା ସୁ’ ସୁ’ ଶବ୍ଦ କରିବାରେ ଲାଗିଛନ୍ତି ବୋଲି ବୋଧ ହେଉଥିବ ।

 

ସେହି କୋଠରୀଟି ଭିତରେ ଦିନବେଳେ ମଧ୍ୟ ଆଲୋକର ଉଜ୍ଜଳତା ବେଶ୍ ସ୍ତୀମିତ ହୋଇ ଯାଇଥିବ, କାରଣ ଉପରେ ଥିବା ବଙ୍କା, ଛାତଟିର ନୂଆଣିଆ ଦାଢ଼ଗୁଡ଼ିକ ଖୁବ୍ କମ୍ ସୌରରଶ୍ମିକୁ ଭିତରକୁ ଆସିବା ସକାଶେ ବାଟ ଛାଡ଼ି ଦେଉଥିବେ । ସବୁକିଛିର ରଙ୍ଗ-ଛାତଠାରୁ ଆରମ୍ଭ କରି ଚଟାଣ ପର୍ଯ୍ୟନ୍ତ ଅତ୍ୟନ୍ତ ସୌମ୍ୟ ଦେଖାଯାଉଥିବ; ସ୍ୱୟଂ ଅତିଥିମାନେ ମଧ୍ୟ କୌଣସି ଗାଢ଼ ରଙ୍ଗର ପରିଚ୍ଛଦ ଧାରଣ କରି ନ ଥିବେ । ସର୍ବୋପରି ବୟସର ସ୍ନିଗ୍ଧତା ସହିତ ସେଠାରେ ସବୁକିଛି ଏପରି ହୋଇ ବି ରହିଥିବ, ଯାହାଫଳରେ ବି କୌଣସି ଗୋଟିଏ ପଦାର୍ଥ ମଧ୍ୟ ଅରଖ ନୂଆ ଚକ୍ ଚକ୍ ଜିନିଷଟିଏ ପରି ମୋଟେ ଆଖିକୁ ଆକର୍ଷଣ କରୁ ନ ଥିବ । ହଁ, ପ୍ରକୃତରେ ଏକ ବ୍ୟତିକ୍ରମ ରୂପେ ବାଉଁଶରେ ତିଆରି ଡଙ୍କାଟି ଏବଂ ସୂତାର ହାତପୋଛା ତଉଲିଆଟି ହିଁ ଯାହା ସେଠାରେ ରହିଥିବ । ସେହି ଦୁଇଟିଯାକ ଦ୍ରବ୍ୟ ବସ୍ତୁତଃ ସଂପୂର୍ଣ୍ଣ ଭାବରେ ଧଳା ଓ ନୂଆ ହୋଇ ଦେଖା ଯାଉଥବେ । ମାତ୍ର ଚାହାର କୋଠରୀଟି ଓ ଚାହାର ଅନ୍ୟ ସାମାନ ଗୁଡ଼ିକ ଯେତେ ବି ଫିକା ରଙ୍ଗର ଦିଶୁଥିଲେ ମଧ୍ୟ ସବୁ କିଛି ସେଠାରେ ସଂପୂର୍ଣ୍ଣ ଭାବରେ ଶୁଦ୍ଧ ଓ ପରିଷ୍କୃତ ହୋଇ ରହିଥିବେ-। କେଉଁଠି ନିତାନ୍ତ ଅନ୍ଧାରୁଆ କୌଣସି କୋଣ ଜାଗାରେ ମଧ୍ୟ ତଥାପି ଧୂଳି କଣାଟିଏ ଦୃଷ୍ଟିଗୋଚର ହେଉ ନ ଥିବ । କାରଣ, ଯଦି ବା ସେପରି କିଛି ଆଖିରେ ପଡ଼ିବ, ତେବେ ସଂପୃକ୍ତ ଆତିଥ୍ୟକର୍ତ୍ତା ମୋଟେ ଏହି ଆପ୍ୟାୟନର ଅନୁଷ୍ଠାନ ବିଷୟରେ ପ୍ରବୀଣତା ଲାଭ କରି ନାହାନ୍ତି ବୋଲି ଧରା ପଡ଼ିଯିବ । ଜଣେ ଆତିଥ୍ୟକର୍ତ୍ତାଙ୍କର ଅତ୍ୟାବଶ୍ୟକ ଏକ ସର୍ବପ୍ରଥମ ଗୁଣ ହେଉଛି ଯେ, ସିଏ ଘର ଝାଡ଼ୁ କରିବା କ୍ଷେତ୍ରରେ ମଧ୍ୟ ସେଥିରେ ସର୍ବଦା ଏକ କଳାତ୍ମକତା ରହିଥାଏ । କାରଣ ଏହି ପରିଷ୍କାର କରି ରଖିବା ଏବଂ ଧୂଳି ଝାଡ଼ିବାର କ୍ଷେତ୍ରରେ ମଧ୍ୟ ସର୍ବଦା ଏକ କଳାତ୍ମକତା ରହିଥାଏ । ଜଣେ ଖୁବ୍ ଖାମଖିଆଲି ଗୃହିଣୀର ନିତାନ୍ତ ବିବେକହୀନ ଅତ୍ୟୁତ୍ସାହର କବଳରେ ପଡ଼ି କୌଣସି ଗୋଟିଏ ବି ଧାତୁନିର୍ମିତ ପୁରୁଣା ଦ୍ରବ୍ୟ ଆକ୍ରାନ୍ତ ହୋଇପଡ଼ିବା କଦାପି ଉଚିତ ହେବନାହିଁ । ପୁନଶ୍ଚ, ଫୁଲଦାନୀରୁ ଯଦି ବିନ୍ଦୁ ବିନ୍ଦୁ ହୋଇ ପାଣି ବାହାରକୁ ପଡ଼ୁଥାଏ, ତେବେ ତାହାକୁ ମଧ୍ୟ ପୋଛିଦେବା ଉଚିତ ନୁହେଁ, କାରଣ ତାହା ହୁଏତ କାକର ଲାଗିଥିବାର ସୂଚନା ଆଣିଦେବ ଓ ପରିବେଶର ଉଷ୍ମତାଟିକୁ ନଷ୍ଟ କରିଦେବ ।

 

ଏହି ପ୍ରସଙ୍ଗରେ ରିକିଉଙ୍କଦ୍ୱାରା ରଚିତ ଏକ କାହାଣୀ ରହିଛି ଯେଉଁଥିରୁ କି ପରିଷ୍କାର ପରିଚ୍ଛନ୍ନତା ସଂପର୍କରେ ଚାହା-ଅନୁଷ୍ଠାନର ପ୍ରବୀଣମାନେ ସର୍ବଦା ଗୁରୁତ୍ୱ ଦେଇ ଆସିଥିବା ବିଷୟରେ ଏକ ଉପଯୁକ୍ତ ଦୃଷ୍ଟାନ୍ତ ମିଳି ଯାଇପାରିବ । ରିକିଉଙ୍କ ନିଜ ପୁଅ ଶୋଆନ୍ ଉଦ୍ୟାନ-ପଥଟିକୁ ଝାଡ଼ୁରେ ସଫା କରି ପାଣି ଛିଞ୍ଚୁଥିବା ସମୟରେ କାର୍ଯ୍ୟଟିକୁ ସିଏ ଥରେ ଲକ୍ଷ୍ୟ କରି ଦେଖୁଥିଲେ । ଏବଂ, ପୁଅକୁ ଉଦ୍ଦେଶ୍ୟ କରି କହିଲେ, ନାଇଁ, ତଥାପି ପୂରା ପରିଷ୍କାର ହେଲାନାହିଁ । ପୁଅଟି ନିକ କରି ରାସ୍ତାଟିକୁ ପରିଷ୍କାର କରି ଦେଇଥିଲା, ମାତ୍ର ସିଏ ତାକୁ ପୁନର୍ବାର ପରିଷ୍କାର କରିବାଲାଗି ପରାମର୍ଶ ଦେଲେ । ଏହିପରି ସଫା କରିବାରେ ଢେର ସମୟ ବିତିଗଲା ଏବଂ କିଞ୍ଚିତ୍ ବ୍ୟସ୍ତହୋଇ ପଡ଼ିଥିଲା ପରି ପୁଅ ବାପାଙ୍କୁ ଉଦ୍ଦେଶ୍ୟ କରି କହିଥିଲା, “ମୁଁ ତ ସବୁ ଅତ୍ୟନ୍ତ ଉତ୍ତମ ଭାବରେ ସଫା କରିଦେଇଛି । ପାହାଚଗୁଡ଼ିକ ତିନି ତିନି ଥର ଧୁଆ ହୋଇ ସାରିଲେଣି । ପଥରର ଲଣ୍ଠନବତୀ ଏବଂ ଗଛମାନଙ୍କ ଉପରେ ମୁଁ ଖୁବ୍ ଭଲ କରି ବି ପାଣି ଛିଞ୍ଚି ଦେଇଛି,–ଶିଉଳିଗୁଡ଼ିକ ମଧ୍ୟ ସଫା ହୋଇ ଉଜ୍ଜ୍ୱଳ ହରିତ ରଙ୍ଗରେ ବହୁତ ତୋରା ଦେଖାଗଲେଣି ଏବଂ ଗୋଟିଏ ହେଲେ ପତ୍ର କିମ୍ବା ଡାଳ ତଳେ ପଡ଼ିଥିବାର ଆଖିରେ ପଡ଼ୁନାହିଁ । ପ୍ରବୀଣ ଚାହା-ବିଶାରଦ ବାପ ଉତ୍ତର ଦେଇ କହିଲେ, “ଆରେ ବୋକା, କୌଣସି ଉଦ୍ୟାନପଥକୁ କେଉଁଠି ମଧ୍ୟ ଏପରି ସଫା କରାଯାଏ ନାହିଁ ।” କହି ସ୍ୱୟଂ ରିକିଉ ହିଁ ବଗିଚା ମଧ୍ୟକୁ ଗଲେ, ସେଠାରେ ଥିବା ଗୋଟିଏ ଗଛକୁ ଖୁବ୍‌ ଜୋରରେ ହଲାଇ ଦେଇଥିଲେ ଏବଂ ତାହା ହେତୁ ତଳକୁ ପଡ଼ିଯାଇଥିବା ସୁନେଲି ଏବଂ ନାଲି ରଙ୍ଗର ପତ୍ରଗୁଡ଼ିକୁ ଶରତ ଋତୁର ସେହି ପ୍ରାକୃତିକ ଶୈଳୀରେ ରାସ୍ତାଉପରେ ଆଣି ଛିଞ୍ଚ ଦେଇଥିଲେ । ସିଏ ପ୍ରକୃତରେ ଚାହୁଥିଲେ ଯେ, ଖାଲି ଓଳାଇ ପରିଷ୍କାର କରିଦେଲେ ଆଦୌ ଯଥେଷ୍ଟ ହେବନାହିଁ, ପ୍ରକୃତରେ ସବୁକିଛି ସୁନ୍ଦର ଓ ସ୍ୱାଭାବିକ ମଧ୍ୟ ଦେଖା ଯାଉଥିବ ।

 

‘କଳ୍ପନାର ଏକ ସଦନ’ କହିଲେ ତାହା ଏପରି ଏକ ଗଠନସଜ୍ଜାର ଧାରଣା ଦେବ, ଯାହାକି କୌଣସି ନା କୌଣସି ବ୍ୟକ୍ତିଗତ କଳାରୁଚିର ମଧ୍ୟ ପରିଚୟ ଦେଇ ପାରିବ । ଚାହାର ବିଶାରଦଙ୍କ ପସନ୍ଦ ଅନୁସାରେ ହିଁ ଚାହା-କୋଠରୀର ଯାବତୀୟ ସାଜ-ଆୟୋଜନ ଏବଂ, ଚାହା-କୋଠରୀଟା ଅନୁସାରେ ଚାହା-ବିଶାରଦ ଯାହା ମନ ତାହାଟାକୁ ଆଦୌ ଗ୍ରହଣ କରିବାଲାଗି ବାଧ୍ୟ ହେବେନାହିଁ । କାରଣ କୌଣସି ସଜ୍ଜା ସବୁଦିନପାଇଁ ସମସ୍ତଙ୍କର ଅବଶ୍ୟ ସ୍ୱୀକୃତି ନିମନ୍ତେ ଆଦୌ କରା ଯାଏନାହିଁ ଏବଂ ତେଣୁ ତାହାକୁ ଯାବତୀୟ ଅବସରରେ କେବଳ ଅସ୍ଥାୟୀ ବୋଲି ହିଁ ଗ୍ରହଣ କରିବାକୁ ହୋଇଥାଏ । ଅର୍ଥାତ୍ ପ୍ରକୃତ ସତ୍ୟଟି ହେଉଛି ଯେ, ପ୍ରତ୍ୟେକ ମନୁଷ୍ୟର ନିଜର ବୋଲି କହି ପାରିବାଭଳି ଏକ ଘର ନିଶ୍ଚୟ ରହିବ ଏବଂ ସେଇଟିକୁ ଆମେ ଜାପାନୀ ଜାତିର ଗୋଟିଏ ଖୁବ୍ ପ୍ରାଚୀନ ବିଧାନ ବୋଲି ଅବଶ୍ୟ ଜାଣିବା । ଶିଣ୍ଟୋ ଧର୍ମମାର୍ଗର ସେହି ବିଶ୍ୱାସଟି ଅନୁସାରେ ଗୃହସ୍ୱାମୀଙ୍କର ତିରୋଧାନ ଅନ୍ତେ ପ୍ରତ୍ୟେକ ଗୃହରୁ ଅନ୍ୟମାନଙ୍କୁ ବାହାରି ଅନ୍ୟତ୍ର ଚାଲିଯିବାକୁ ପଡ଼ିବ । ସମ୍ଭବତଃ ସେହି ଚଳଣିଟି ପଛରେ ଗୋଟିଏ ସ୍ୱାସ୍ଥ୍ୟରକ୍ଷାଗତ କାରଣ ମଧ୍ୟ ରହିଛି, ଯାହାକୁ ଏବେ ମଧ୍ୟ କେହି ସମ୍ପୂର୍ଣ୍ଣ ରୂପେ ହାସଲ କରି ପାରିନାହାନ୍ତି । ସେହି ପୁରାତନ କାଳରେ ଏପରି ଆଉ ଗୋଟିଏ ରୀତି ମଧ୍ୟ ରହିଥିଲା ଯେ, ନବବିବାହିତ ପ୍ରତ୍ୟେକ ଦମ୍ପତି ନିମନ୍ତେ ଗୋଟିଏ ନବନିର୍ମିତ ଗୃହ ମଧ୍ୟ ଉପଲବ୍ଧ ହୋଇ ପାରୁଥବା ଉଚିତ । ଏହିଭଳି କେତେକ ଚଳଣି ରହିଥିବାରୁ ହିଁ ଆମେ ଦେଖିବାକୁ ପାଇଥାଉ ଯେ, ପ୍ରାଚୀନ ସାମ୍ରାଜ୍ୟର ରାଜଧାନୀମାନଙ୍କୁ ବାରମ୍ବାର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ କରି ନିଆଯାଉଥିଲା । ସୂର୍ଯ୍ୟଦେବୀଙ୍କର ସର୍ବୋଚ୍ଚ ମନ୍ଦିରଟିକୁ ମଧ୍ୟ ପ୍ରତ୍ୟେକ କୋଡ଼ିଏ ବର୍ଷରେ । ପୁନର୍ବାର ନୂଆ କରି ତିଆରି କରା ଯେ ଯାଉଥିଲା, ସେଇଟି ମଧ୍ୟ ଆମକୁ ସେହି ପୁରାତନ କାଳର ବିଧିଟି ବିଷୟରେ ସୂଚିତ କରି ଦେଇଥାଏ । ଏବଂ, ବର୍ତ୍ତମାନ ମଧ୍ୟ ସେଇ ରୀତିଟି ଲୋପ ପାଇଯାଇନାହିଁ । ଆମର ଦେବାଳୟଗୁଡ଼ିକ ଯେ କାଷ୍ଠଦ୍ଵାରା ନିର୍ମିତ ହୋଇଛି, ତାହାରିଦ୍ୱାରା ହିଁ ସେହିସବୁ ରୀତି ଲୋପ ପାଇ ପାରିନଥିବା ସମ୍ଭବ ହୋଇ ପାରିଛି । ଖୁବ୍ ସହଜରେ ଭାଙ୍ଗି ଦିଆଯାଇ ପାରିବ ଏବଂ ଠିକ୍ ସେହିପରି ସହଜରେ ଗଢ଼ା ବି ଯାଇପାରିବ । କିନ୍ତୁ, ଯଦି ଇଟା ଅଥବା ପଥର ଦ୍ଵାରା ଅପେକ୍ଷାକୃତ ଅଧିକ ସ୍ଥାୟୀ ହେବାଭଳି କିଛି ଗଢ଼ା ଯାଇଥାନ୍ତା, ତେବେ ଇଚ୍ଛା କଲା ମାତ୍ରକେ ଗୋଟିଏ ସ୍ଥାନରୁ ଆଉଗୋଟିଏ ସ୍ଥାନକୁ ଉଠାଇନେବା ଆଦୌ ବୁଦ୍ଧିମାନର କାର୍ଯ୍ୟ ହୁଅନ୍ତା ନାହିଁ । ଉଦାହରଣ ସ୍ଵରୂପ, ନାର ରାଜବଂଶର କାଳଟି ପରେ ଚୀନ୍‌ଦେଶର ଅଧିକ ସ୍ଥାୟୀ ତଥା ପ୍ରକାଣ୍ଡ କରି ଯେଉଁ କାଠ ସଦନଗୁଡ଼ିକର ନିର୍ମାଣ ହୋଇଥିଲା, ସେଗୁଡ଼ିକ ପରବର୍ତ୍ତୀ କାଳରେ ବିନଷ୍ଟ ହୋଇ ଯାଇଥିଲା ।

 

ପଞ୍ଚଦଶ ଶତାବ୍ଦୀରେ ଯେତେବେଳେ ଜେନ୍ ଦର୍ଶନର ବ୍ୟକ୍ତିବାଦୀ ଦୃଷ୍ଟିକୋଣଟି ଅଧିକତର ପରିମାଣରେ ସ୍ଵୀକୃତି ଲାଭ କଲା, ଚାହା-ପାନର ଅନୁଷ୍ଠାନଟିରେ ମଧ୍ୟ ଉକ୍ତ ପୁରାତନ ବିଚାରଟି ବେଶ୍ ପ୍ରାଧାନ୍ୟଲାଭ କରିଥିଲା । ବୌଦ୍ଧ ଜୀବନଦୃଷ୍ଟିର କ୍ଷଣିକତାସମ୍ବନ୍ଧୀ ତତ୍ତ୍ୱ ତଥା ଜଡ଼ ଅପେକ୍ଷା ଅନ୍ତର-ସତ୍ୟ ଉପରେ ଅଧିକ ଗୁରୁତ୍ୱ-ପ୍ରଦାନର ଅବତାରଣା କରୁଥିବା ଜେନ୍-ମାର୍ଗଟିରେ ମନୁଷ୍ୟମାନେ ବାସ କରୁଥିବା ଗୃହଟିକୁ କେବଳ ଶରୀରଲାଗି ଏକ ସାମୟିକ ବିଶ୍ରାମସ୍ଥାନ ବୋଲି ଘୋଷଣା କରା ଯାଇଥିଲା; ପୁନଶ୍ଚ, ଏହି ଶରୀରକୁ ମଧ୍ୟ ଏକ ଅପରିଚିତ ଅରଣ୍ୟ ମଧ୍ୟରେ ତୁଚ୍ଛା ଏକ କୁଟୀର ବୋଲି କୁହାଗଲା;–ହଁ, ଗୋଟିଏ ଅଳ୍ପକ୍ଷଣସ୍ଥାୟୀ ଆଶ୍ରୟ ବୋଲି ଘୋଷଣା କରାଯାଇଥିଲା, ଯାହାକୁ କି ଆଖପାଖରୁ ପ୍ରାପ୍ତ ହୋଇଥିବା କିଛି ଘାସକୁ ହିଁ ଏକାଠି ଗୋଛାଟିଏ କରି ବାନ୍ଧି ତିଆରି କରାଯାଇଛି । ତେଣୁ, ଯେତେବେଳେ ଗୋଛାଟି ହୁଗୁଳି ଯାଉଥିଲା, ସେତେବେଳେ ସେଗୁଡ଼ିକ ପୁନର୍ବାର ମୂଳର ସେହି ତୁଚ୍ଛ ମୂଲ୍ୟହୀନ ଦ୍ରବ୍ୟରେ ହିଁ ପରିଣତ ହୋଇ ଯାଉଥିଲେ । ଏବଂ, ଚାହାପାନ ଲାଗି ଉଦ୍ଦିଷ୍ଟ ସେହି କୋଠରୀଟିରେ ମଧ୍ୟ ପ୍ରତୀକାତ୍ମକ ଭାବରେ ସେହି କିଞ୍ଚିତ୍‌ସ୍ଥାୟିତାର ଆଭାସ ପ୍ରଦାନ କରି କୁଟା ଛପରର ଛାତ, ମୋଟେ ଦମ୍ଭ ନଥିବା ସରୁ ସରୁ ଖୁଣ୍ଟ ଓ ବାଉଁଶଭଳି ହାଲୁକା ବସ୍ତୁ ଲଗାଇ ଯାବତୀୟ ନିର୍ମାଣ ଏବଂ ନିତାନ୍ତ ମାମୁଲି ପଦାର୍ଥମାନ ବ୍ୟବହାର କରି ବ୍ୟକ୍ତ କରାଯାଉଥିବା ଆପାତ ନାନା ଯତ୍ନହୀନତା–ଏଗୁଡ଼ିକ ପରିଲକ୍ଷିତ ହୋଇଛି-। କାରଣ ଶାଶ୍ୱତ ସତ୍ୟଟି କେବଳ ଆତ୍ମାରେ ହିଁ ରହିଛି ଏବଂ ଏଇଟି ଏହି ଯାବତୀୟ ଅତି ସରଳ ପରିବେଶକୁ ମାଧ୍ୟମ କରି ଚାକ୍ଷୁଷ ହୋଇ ପାରିବ ବୋଲି ଅନୁମାନ କରାଯାଇଛି–ଅସଲ ବ୍ୟଞ୍ଜନାଟିକୁ ସେହି ଶୁଦ୍ଧ ଏବଂ ସୂକ୍ଷ୍ମ ଆଲୋକଟି ଦ୍ଵାରା ସୌନ୍ଦର୍ଯ୍ୟଯୁକ୍ତ କରି ରଖିଛି ।

 

ଏକ ବ୍ୟକ୍ତିଗତ ରୁଚିକୁ ଦୃଷ୍ଟି ସମକ୍ଷରେ ରଖି ଯେ ଚାହାକୋଠରୀଟିକୁ ତିଆରି କରାଯିବ, ତଦ୍ଦ୍ୱାରା କଳାଜଗତର ସେହି ଔଚିତ୍ୟତତ୍ତ୍ୱଟିକୁ ହିଁ ସ୍ୱୀକାର କରାଯାଇଛି । ଯାବତୀୟ କଳା ସେହି କାଳଟି ସକାଶେ ପ୍ରକୃତରେ କିଛି ଅର୍ଥ ବହନ କରି ପାରୁଥିଲେ ସିନା ବସ୍ତୁତଃ ତାହାର ଉପଯୁକ୍ତ ସ୍ୱୀକୃତି ମଧ୍ୟ ଲାଭ କରି ପାରିବ ! ଅବଶ୍ୟ ଏପରି କରିବାକୁ ଯାଇ ଆମେ ଯେ ଉତ୍ତର-ପୁରୁଷମାନଙ୍କ ଆଡ଼କୁ ପୂରା ଆଖିବୁଜି ରଖିବା, ସେକଥା ମଧ୍ୟ ଆଦୌ ନୁହେଁ; ମାତ୍ର, ତଥାପି ଉପସ୍ଥିତ ଆମର ନିଜ କାଳଟିକୁ ମଧ୍ୟ ଉପଭୋଗ କରିବା ପାଇଁ ମଧ୍ୟ ଆମ ଲାଗି ପୂର୍ଣ୍ଣ ସମ୍ଭାବନା ରହିଥିବା ଉଚିତ । ଏକଥା ମଧ୍ୟ ଆବଶ୍ୟକ ନୁହେଁ ଯେ ଅତୀତର ସୃଜନଗୁଡ଼ିକ ପ୍ରତି ଆମେ କୌଣସି ହତାଦର ଦେଖାଇବା, ମାତ୍ର ଆମେ ସେଗୁଡ଼ିକୁ ଆମ ଚେତନା ମଧ୍ୟକୁ ପରିପାଚିତ କରି ଆଣିବା ନିମନ୍ତେ ମଧ୍ୟ ସମର୍ଥ ହେବା । ବିଗତ କାଳର ପରମ୍ପରା ଓ ସୂତ୍ରଗୁଡ଼ାକର ତାଳରେ ହିଁ ଏକ ଭୃତ୍ୟର ମନୋଦୃଷ୍ଟି ନେଇ ତାଳି ପକାଇବାରେ ଲାଗିଥିଲେ ନିର୍ମାଣକଳାର କ୍ଷେତ୍ରରେ ତାହା ବ୍ୟକ୍ତିତ୍ୱର ପ୍ରକାଶ କରାଇ ଆଣିବାରେ ଆମକୁ ଅତ୍ୟନ୍ତ ସଙ୍କୁଚିତ କରି ରଖିଥିବ । ସଂପ୍ରତି ଜାପାନରେ ଇଉରୋପୀୟ ଅଟ୍ଟାଳିକାର ଅନୁକରଣ କରିବା ଉପରେ ଅନ୍ଧଭାବରେ ଆଗ୍ରହୀ ହୋଇ ପଡ଼ିବାର ଯେଉଁ ପ୍ରବୃତ୍ତି ଦେଖିବାକୁ ମିଳୁଛି, ସେଥିରେ ପ୍ରକୃତରେ ଭିତରୁ କେହି ସତେଅବା କାନ୍ଦି ଉଠୁଥିବା ପରି ହିଁ ମନେ ହେଉଛି । ସମସ୍ତଙ୍କଠାରୁ ଅଧିକ ଆଗୁଆ ପାଶ୍ଚାତ୍ୟ ଦେଶମାନଙ୍କରେ ଗୃହନିର୍ମାଣର କ୍ଷେତ୍ରରେ ଯେ ପ୍ରାୟ କୌଣସି ମୌଳିକତା ଦୃଷ୍ଟିଗୋଚର ହେଉନାହିଁ, ସେକଥା ଦେଖି କେବଳ ବିସ୍ମିତ ହେବାକୁ ହିଁ ପଡ଼ୁଛି । ସେଠାରେ ସେହି ତୁଚ୍ଛା ଅଚଳ ଶୈଳୀଗୁଡ଼ିକର ପୁନରାବୃତ୍ତି ହୋଇ ଚାଲିଛି । କଳାର କ୍ଷେତ୍ରରେ ଆମେ ବର୍ତ୍ତମାନ ସମ୍ଭବତଃ ଏକ ପ୍ରଦର୍ଶନ-ପ୍ରଧାନ ପର୍ଯ୍ୟାୟର ମଧ୍ୟଦେଇ ଗତି କରୁଛୁ ଏବଂ କୌଣସି ଜଣେ ଅସାଧାରଣ ଭାବରେ ପ୍ରତାପଶାଳୀ ମହାନ୍ ପୁରୁଷ ଲାଗି ଅପେକ୍ଷା କରୁଛୁ, ଯିଏ କି ସର୍ବଦା ଏକ ନୂଆ ବଂଶର ପ୍ରତିଷ୍ଠା କରିବା ନିମନ୍ତେ ଆସି ଆବିର୍ଭୂତ ହେବ । ଏପରି କ’ଣ ପାଇଁ ନହୁଅନ୍ତା ଯେ ଆପଣାର ପ୍ରାଚୀନମାନଙ୍କୁ ଆମେ ଅଧିକ ପରିମାଣରେ ଭଲ ପାଆନ୍ତୁ ଏବଂ ଯୁଗପତ୍ ଭାବରେ ସେମାନଙ୍କର ଆହୁରି ଅଳ୍ପ ନକଲ ମଧ୍ୟ କରନ୍ତୁ ! ଏପରି ମଧ୍ୟ ଗୋଟିଏ କଥା ରହିଆସିଛି ଯେ, ସେକାଳର ଗ୍ରୀକ୍‌ମାନେ ପ୍ରକୃତରେ ବଡ଼ ଥିଲେ, କାରଣ ସେମାନେ ନିଜ ପୂର୍ବଜମାନଙ୍କର ଆଦୌ ଅନୁକରଣ କରିନଥିଲେ ।

 

‘ଶୂନ୍ୟ-ନିକେତନ’ର ସେହି କଥାଟି ସବୁକିଛିକୁ ଧାରଣ କରି ରହିଥିବା ତାଓ-ମାର୍ଗର ମୂଳସତ୍ୟଟିର ବାହକ ହୋଇ ରହିଥିବା ସଂଗେ ସଂଗେ ଅଳଙ୍କରଣର ପଦ୍ଧିତିରେ ଏକ ଅବିଚ୍ଛିନ୍ନ ପରିବର୍ତ୍ତନର ପ୍ରୟୋଜନଟିକୁ ମଧ୍ୟ ଦର୍ଶାଇ ଦେବାକୁ ଚେଷ୍ଟା କରେ । ଚାହାର ପ୍ରକୋଷ୍ଠଟି ଭିତରେ ୟାଡ଼ୁସାଡ଼ୁ ଆଦୌ କୌଣସି ଦ୍ରବ୍ୟ ରଖାଯାଇ ନଥାଏ । କେବଳ ଏପରି କେତୋଟି ବସ୍ତୁ ଥାଏ, ଯାହାକୁ କି କେବଳ ସେହି ସମୟଟି ପାଇଁ ସେଠାରେ ଆଣି ରଖାଯାଏ ଏବଂ ତାହା କୋଠରୀଟିରେ ଏକ ସୌନ୍ଦର୍ଯ୍ୟାନୁଭୂତିର ଅନୁକୂଳ ପରିବେଶ ସୃଷ୍ଟିକରି ପାରିବ ବୋଲି ଉଦ୍ଦିଷ୍ଟ ହୋଇ ରହିଥାଏ । ହଁ, କେତୋଟି ବିଶେଷ କଳାକୃତିକୁ ମଧ୍ୟ ସେଠାରେ ଆଣି ରଖାଯାଏ; ଅନ୍ୟ ପ୍ରତ୍ୟେକ ଦ୍ରବ୍ୟକୁ ନିଖୁଣ ଭାବରେ ଭାବି ଚିନ୍ତି ଅଣାଯାଇଥାଏ ଏବଂ ସବାମୂଳ ଅବକାଶଟିର ସୌନ୍ଦର୍ଯ୍ୟକୁ ତାହା ପ୍ରକୃତରେ ବଢ଼ାଇ ପାରିବ ବୋଲି ଦୃଷ୍ଟିଟିଏ ରଖି ସଜାଇ ଦିଆଯାଇଥାଏ । ହଁ, ସେଠାରେ ଏବେଳେକେ ବିଭିନ୍ନ ପ୍ରକାରର ସଙ୍ଗୀତମାନ ଶୁଣି ପାରିବାର ମଧ୍ୟ ଆଦୌ ବ୍ୟବସ୍ଥା ହୋଇ ନଥାଏ, କାରଣ, କେବଳ କୌଣସି କେନ୍ଦ୍ରସ୍ଥ ଅନୁଭବକୁ ନେଇ ଏକଧ୍ୟାନ ହୋଇ ରହିପାରିଲେ ଯାଇ ସିନା ଏକ ସୌନ୍ଦର୍ଯ୍ୟାନୁଭୂତି ସମ୍ଭବ ମଧ୍ୟ ହୁଏ ! ତେଣୁ, ପ୍ରକୃତରେ ସେହିପରି ବି ଦେଖିବାକୁ ମିଳେ ଯେ, ଆମ ଚାହା-ପ୍ରକୋଷ୍ଠଗୁଡ଼ିକର ସାଜସଜ୍ଜା ରୀତିଟି ପଶ୍ଚିମ ଜଗତର ରୀତିଟିରେ ଠିକ୍‌ ଓଲଟା ହୋଇ ରହିଥିବାର ଦେଖିବାକୁ ମିଳେ । ପାଶ୍ଚାତ୍ୟ ଜଗତରେ ତ ଯେକୌଣସି ଘରର ଭିତରଟିକୁ ସତେ ଯେପରି ଗୋଟିଏ ସଂଗ୍ରହାଳୟରେ ହିଁ ପରିଣତ କରି ଦିଆଯାଇଥାଏ । ଜାପାନର ଜଣେ ବ୍ୟକ୍ତି ଯାବତୀୟ ଅଳଙ୍କରଣରେ ସରଳତା ରହିଥିବାର ରୀତି ସହିତ ଅଭ୍ୟସ୍ତ ରହିଥାଏ ଏବଂ ବାରମ୍ବାର ସଜ୍ଜାର ପ୍ରଣାଳୀଗୁଡ଼ିକ ବଦଳି ଯାଉଥିବା ସହିତ ପରିଚିତ ବି ଥାଏ ଏବଂ ଅନ୍ୟ ପକ୍ଷରେ, ପଶ୍ଚିମର ଅଭ୍ୟନ୍ତରଟା ଗୁଡ଼ାଏ ଛବି, ପ୍ରତିମୂର୍ତ୍ତି ତଥା ଅନ୍ୟାନ୍ୟ କଳାକୃତିରେ ଭର୍ତ୍ତି ହୋଇ ରହିଥିବାରୁ ତା’ ଆଖିକୁ ସତେଅବା ଗୁଡ଼ାଏ ଏଣୁତେଣୁ ମହାର୍ଘ ଦ୍ରବ୍ୟର ସ୍ତୂପୀକୃତ ଏକ ଅଶିଷ୍ଟ ପ୍ରଦର୍ଶନ ସଦୃଶ ମନେ ହେଉଥାଏ । ଗୋଟିଏ ସତକୁ ସତ ଅପୂର୍ବ ନୈପୁଣ୍ୟଯୁକ୍ତ କଳାକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ନିମନ୍ତେ ନିଜ ପାଖରେ ଏକ ଅକଳନ ସୌନ୍ଦର୍ଯ୍ୟବୋଧର ସାମର୍ଥ ରହିଥିବା ଆବଶ୍ୟକ ହୋଇଥାଏ ଏବଂ, ଏପରି ଏତେଗୁଡ଼ିଏ ସଂଖ୍ୟାର ଗଦା ଗଦା ରଙ୍ଗ ତଥା ଆକାର-ବିଶିଷ୍ଟ କୃତିମାନଙ୍କର ଗହନ ଭିତରେ ଯେଉଁମାନେ ଲଗାତାର ବହୁଦିନ ଧରି ବାସ କରୁଥାନ୍ତି, ସେମାନଙ୍କ ପାଖରେ କଳାତ୍ମକ ଅନୁଭବରେ ସାମର୍ଥ୍ୟ ଅବଶ୍ୟ ରହିଥିବ କାହିଁକି ବା ବୋଲି ପ୍ରତ୍ୟାଶା କରିବାକୁ ହେବ ! ଏବଂ, ୟୁରୋପ ଓ ଆମେରିକାର ଘରମାନଙ୍କରେ ଅନେକ ସମୟରେ ତ ସେହିଭଳି ହିଁ ଦେଖିବାକୁ ମିଳେ !

 

ଆଦୌ କୌଣସି ସୌଷମ୍ୟ ଓ ସଙ୍ଗତି ରହିନଥିବା ପ୍ରକୋଷ୍ଠଟିରୁ ଆମ ଗୃହସଜ୍ଜା ଯୋଜନାର ଏକ ଅନ୍ୟ ପର୍ଯ୍ୟାୟର ପ୍ରରିଚୟ ପ୍ରାପ୍ତ ହୁଏ । ଜାପାନ ଦେଶର କଳାବସ୍ତୁଗୁଡ଼ିକରେ ସତେ ଯେପରି କୌଣସି ଗଠନସଙ୍ଗତି ନଥିବାର ଦେଖି ପାଶ୍ଚାତ୍ୟ ସମୀକ୍ଷକମାନେ ବହୁତ ସମୟରେ ନାନା ନକାରାତ୍ମକ ଟୀକାମାନ କରି ଥାଆନ୍ତି । ଏଇଟିକୁ ମଧ୍ୟ ଆମେ ଜେନ୍-ଭାବନାମାର୍ଗଟିର ମାଧ୍ୟମରେ ତାଓ-ମାର୍ଗୀ ଆଦର୍ଶଗୁଡ଼ିକର କ୍ରିୟାତ୍ମକ ପରିଣାମ ବୋଲି କହି ପାରିବା । ତା‘ ସହିତ ଉତ୍ତରାଞ୍ଚଳୀୟ ବୌଦ୍ଧ ବିଚାରକୁ ମଧ୍ୟ ଯୋଡ଼ିବାକୁ ଚେଷ୍ଟା କରିବା, ଯାହାକି ତ୍ରିରତ୍ନର ଉପାସନା ବିଷୟରେ ଆପଣାର ବହୁ ଘୋଷଣା କରିଥିଲା । ସଙ୍ଗତିଟିଏ ଯେ ଅବଶ୍ୟ ବ୍ୟକ୍ତ ହେଉଥିବା ଉଚିତ,–ଏମାନେ କେହି ତାହାର ବିରୋଧ କରିନାହାନ୍ତି । ଅନ୍ୟ ପକ୍ଷରେ, ପ୍ରକୃତ କଥାଟି ହେଉଛି ଯେ, ଆମେ ଯଦି ଚୀନ୍‌ଦେଶର ପ୍ରାଚୀନ ପିତଳମୂର୍ତ୍ତିଗୁଡ଼ିକର ଅଧ୍ୟୟନ କରିବା ଅଥବା ଟାଙ୍ଗ୍‌ ବଂଶର ଓ ନାର ସମୟର ଧମୀୟ କଳାକାରିତାକୁ ପରଖିବା, ତେବେ ଆମେ ନିଶ୍ଚୟ ଜାଣିବା ଯେ ସେହିସବୁ ସମୟରେ ସର୍ବବିଧ ସମସଙ୍ଗତିମାନ ରକ୍ଷା କରିବାର କ୍ଷେତ୍ରରେ ସର୍ବଦା ହିଁ ପ୍ରୟାସ କରାଯାଇ ଆସିଛି । ପୁନଶ୍ଚ, ଆମ କ୍ଲାସିକାଲ୍‌ ଯୁଗର ଆଭ୍ୟନ୍ତରୀଣ ଅଳଙ୍କରଣରେ ସୁନିଶ୍ଚିତ ଭାବରେ ଆପଣାର ଯାବତୀୟ ସଜ୍ଜାର କ୍ଷେତ୍ରରେ ସେମାନେ ସ୍ପଷ୍ଟତଃ ଏକ ସଂଗତିର ନିୟମଦ୍ୱାରା ହିଁ ପରିଚାଳିତ ହେଉଥିଲେ । ଅବଶ୍ୟ, ତାଓ ଓ ଜେନ୍ ଯୁଗମାନଙ୍କରେ ପରିପୂର୍ଣ୍ଣତା ହାସଲ କରିବା କହିଲେ ଏକାବେଳେକେ ଏକ ଅନ୍ୟ କଥାକୁ ବୁଝାଇଥିଲା । ସେମାନଙ୍କର ଦର୍ଶନମାର୍ଗରେ ସ୍ୱଭାବରେ ରହିଥିବା ଗତିଶୀଳତାଟି ପରିପୂର୍ଣ୍ଣତା ହାସଲ କରିବା ଅପେକ୍ଷା ବରଂ ପରିପୂର୍ଣ୍ଣତା ହାସଲ କରିବାର ପ୍ରକ୍ରିୟାଟିକୁ ହିଁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ସେହି ଅନୁସାରେ ଏପରି କୁହାଯାଇଥିଲା ଯେ ଯେଉଁ କଳାସୃଜକ ଆପଣାର ମାନସିକ ଭୂମିରେ ଅପରିପୂର୍ଣ୍ଣତାରେ ପରିପୂର୍ଣ୍ଣତାର ଉପଲବ୍ଧି କରିପାରିବ, ବସ୍ତୁତଃ କେବଳ ସେଇ ଯଥାର୍ଥ ସୌନ୍ଦର୍ଯ୍ୟର ଆବିଷ୍କାର କରିପାରିବ । ତେଣୁ, ଗୋଟିଏ କୃତି ମଧ୍ୟରେ ଅଭିବୃଦ୍ଧିର ଯେଉଁସବୁ ସମ୍ଭାବନା ନିହିତ ହୋଇ ରହିଛି, ଆମେ ତାହାରି ମଧ୍ୟରେ ହିଁ ଜୀବନ ତଥା କଳାର ପ୍ରକୃତ ପୌରୁଷଟିକୁ ସନ୍ଧାନ କରିବା । ଚାହା-ଆପ୍ୟାୟନ ପ୍ରକୋଷ୍ଠରେ ତେଣୁ ଉପସ୍ଥିତ ପ୍ରତ୍ୟେକ ଅତିଥି ପ୍ରକୃତରେ ଆପଣା କଳ୍ପନାର ପ୍ରୟୋଗଦ୍ୱାରା ତାଙ୍କ ଉପରେ ପଡ଼ୁଥିବା ସେହି ପରିବେଶଗତ ସମଗ୍ର ପ୍ରଭାବଟିକୁ ଅବଶ୍ୟ ସମ୍ପୂର୍ଣ୍ଣତା ସହିତ ଅନୁଭବ କରିବେ । ଜେନ୍-ଜୀବନମାର୍ଗ ହିଁ ଭାବନାର ସ୍ୱୀକୃତି ଲାଭ କରିଥିବା ସମୟରୁ ଦୂର ପ୍ରାଚ୍ୟର କଳାତ୍ମକ ବିଚାରର ମେଦିନୀଟି ଜାଣି ଜାଣି କେବଳ ପରିପୂର୍ଣ୍ଣତା ହାସଲ କରିବାର କ୍ଷେତ୍ରରେ ନୁହେଁ, ଯାବତୀୟ ପୁନରାବୃତ୍ତିର କ୍ଷେତ୍ରରେ ମଧ୍ୟ ସମସଙ୍ଗତି ହାସଲ କରିବାର ବିଧଟିକୁ ସତକୁ ସତ ଏଡ଼ିଏଡ଼ି ଆସିଛି । ସବୁ ଚିତ୍ରକାରିତା ଏବଂ ଶିଳ୍ପ ଅବଶ୍ୟ ଏକରୂପ ହେବାକୁ ଯେ ବାଧ୍ୟ ହେବ ସେହି କଥାଟିକୁ କଳ୍ପନାର ନିତ୍ୟ ଅଭିନବତାର ସନ୍ଦର୍ଭରେ ଘାତକ ବୋଲି ଘୋଷଣା କରାଯାଇଛି । ତା’ପରେ ଏକ ମନୁଷ୍ୟାକୃତି ଅପେକ୍ଷା ପ୍ରକୃତିର ଦୃଶ୍ୟ, ଚଢ଼େଇମାନଙ୍କର ଯୂଥ ଓ ଫୁଲମାନଙ୍କୁ ବର୍ଣ୍ଣନାର ଅଧିକ ପ୍ରିୟ ବସ୍ତୁରୂପେ ଗ୍ରହଣ କରାଯାଇଛି । ମନୁଷ୍ୟର ଆକୃତି ଏବଂ ପ୍ରକୃତି ତ ସ୍ୱୟଂ ତାକୁ ଦେଖୁଥିବା ବ୍ୟକ୍ତିଟି ଭିତରେ ହିଁ ବିଦ୍ୟମାନ ରହିଛି । ଆମେ ସାଧାରଣ ଭାବରେ ଅତିରିକ୍ତ ମାତ୍ରାରେ ହିଁ ସ୍ୱୟଂ ଦୃଷ୍ଟିଗୋଚର ହେବାରେ ଲାଗିଥାଉ ଓ ତଥାପି ଆମର ସର୍ବବିଧ ଦମ୍ଭ ସତ୍ତ୍ୱେ ଆମର ସେହି ନିଜ-ସଚେତନତାଟା ମଧ୍ୟ ପ୍ରାୟ ନିୟମତଃ ଖୁବ୍ ରସହୀନ ହୋଇ ପଡ଼ିଥାଏ ।

 

ଚାହାପାନର ଏହି କୋଠରୀରେ କାଳେ କୌଣସି କିଛିର ପୁନରାବୃତ୍ତି ହୋଇଯିବ, ସେହି ବିଷୟରେ ସମସ୍ତେ ଖୁବ୍ ଆଶଙ୍କିତ ହୋଇ ରହିଥାନ୍ତି । କୋଠରୀଟିକୁ ସଜାଇବା ନିମନ୍ତେ ଯେତେ ଯେତେ ଦ୍ରବ୍ୟ ଅଣାଯାଇଥାଏ, ସେଗୁଡ଼ିକୁ ପ୍ରକୃତରେ ଏପରି ଭାବରେ ବାଛିଥିବା ଉଚିତ ହେବ, ଯେପରିକି ଆଦୌ କୌଣସି ରଙ୍ଗ ଅଥବା ସଜାଇବାର ଶୈଳୀରେ ପୁନରାବୃତ୍ତି ହେବନାହିଁ । ହଁ, ଯଦି ତାଜା ଫୁଲଟିଏ ଥିବ, ତେବେ ଫୁଲମାନଙ୍କୁ ପ୍ରଦର୍ଶିତ କରାଯାଇଥିବା ଏକ ଚିତ୍ରକୁ ଆଉ କ’ଣ ପାଇଁ ଆଣି ରଖାଯିବ ? ଯଦି ଗୋଟିଏ ଗୋଲିଆ କେଟ୍‌ଲି ବ୍ୟବହୃତ ହେଉଛି, ତେବେ ପାଣିମାଠିଆଟା ଗୋଲିଆ ନହୋଇ ବରଂ କୋଣବିଶିଷ୍ଟ ହେବ । ଯଦି ପିଆଲାଟି କଳାରଙ୍ଗରେ କଲେଇ କରାଯାଇଛି ତେବେ ଚାହାର ଡ଼ିବାଟିରେ ଆଦୌ କଳା ଲାଖ ଦିଆଯାଇ ନଥିବ । ଏବଂ, ଟାକୋନୋମା ଉପରେ ଏକ ଧୂପଦାନୀ ଉପରକୁ ଗୋଟିଏ ଫୁଲଦାନୀ ନେଇ ରଖିବା ସମୟରେ ଦେଖିବାକୁ ପଡ଼ିବ ଯେ ତାହାକୁ ଏକାବେଳକେ ତା ମଝିରେ ରଖା ଯାଉନାହିଁ । କାରଣ, ସେପରି ରଖିବାଦ୍ଵାରା ନିଶ୍ଚୟ ଉକ୍ତ ସ୍ଥାନଟି ଦୁଇ ସମାନ ଭାଗରେ ବିଭକ୍ତ ହୋଇ ରହିବା ଭଳି ଧାରଣା ହେବ । ଟାକୋନାମାର ସ୍ତମ୍ଭଟି ଅନ୍ୟ ସ୍ତମ୍ଭଗୁଡ଼ିକରୁ ବାରି ହୋଇ ପଡ଼ିବା ଲାଗି ଏକ ଅନ୍ୟକାଠରେ ତିଆରି ହୋଇଥିବ, ଯେପରିକି ପ୍ରକୋଷ୍ଠଟିରେ ଆଦୌ କୌଣସି ନୀରସ ଏକରୂପତା ଆସି ପଶି ଯାଇଥିଲା ପରି ମୋଟେ ମନେ ହେବନାହିଁ ।

 

ଏହି କ୍ଷେତ୍ରରେ ମଧ୍ୟ ଆଭ୍ୟନ୍ତରୀଣ ସଜ୍ଜାର ଜାପାନୀ ପ୍ରଣାଳୀଟି ପାଶ୍ଚାତ୍ୟର ପ୍ରଣାଳୀଠାରୁ ବେଶ୍ ଭିନ୍ନ ପ୍ରକାରର ହୋଇଥାଏ । ପାଶ୍ଚାତ୍ୟରେ ତ ଦ୍ରବ୍ୟମାନେ ଏକ ସୁଷମତା ରକ୍ଷା କରି ଧାଡ଼ୀଧାଡ଼ୀ ହୋଇ କାନ୍ଥ ଓ ଏଠି ସେଠି ଭର୍ତ୍ତି ହୋଇ ରହିଥାଆନ୍ତି । ସେହି ମହାଦେଶର ଗୃହମାନଙ୍କରେ ଆମେ ଏପରି ନାନା ବସ୍ତୁକୁ ମଧ୍ୟ ଆସି ହାବୁଡ଼ି ଯାଉ, ଯେଉଁଗୁଡ଼ିକ ଆମକୁ ନିତାନ୍ତ ଅନାବଶ୍ୟକ ଗୁଡ଼ିଏ ପୁନରାବୃତ୍ତି ପରି ଲାଗୁଥାଏ । ଜଣେ ବ୍ୟକ୍ତି ସହିତ ସେଠାରେ କଥା କହୁଥିବା ସମୟରେ ବେଶ୍ ସାଧନାଟିଏ କରିବାକୁ ପଡ଼େ, କାରଣ ଠିକ୍ ତାର ପୂର୍ଣ୍ଣାବୟବ ଚିତ୍ରକୃତିଟିଏ ତାର ଠିକ୍ ପଛରେ ଥିବା କାନ୍ଥରେ ଟଙ୍ଗା ହୋଇ ଆମକୁ କଟମଟ କରି ଅନାଇଥାଏ । ଆମେ ତ ଦୁଇଟି ମଧ୍ୟରୁ–କେଉଁଟି ସତ,–ଯେଉଁଟି ଛବିଟି ମଧ୍ୟରୁ ଅନାଇଛି ନା ଯିଏ ଆମସାଙ୍ଗରେ କଥା ହେଉଛି,–ସେହି ବିଷୟରେ ଖୁବ୍ ଧନ୍ଦି ହେଉଥାଉ ଏବଂ ଏକ ବିଚିତ୍ର ଅନୁମାନ-ପ୍ରତ୍ୟୟର କବଳରେ ପଡ଼ି ଭାବୁଥାଉ ଯେ, ଦୁହେଁ ମୋଟେ ନୁହନ୍ତି, ମାତ୍ର ଦୁଇଟିରୁ କେବଳ ଗୋଟିଏ ହିଁ ପ୍ରକୃତ ଏବଂ ଆରଟି ନକଲି ହୋଇଥିବ । ବସ୍ତୁତଃ ଆମେ କେତେ ନା କେତେ ଅବସରରେ ଗୋଟିଏ ଭୋଜୀ-ମେଳରେ ବସିଛୁ-ଏବଂ ସେହି ଭୋଜନକକ୍ଷର କାନ୍ଥଗୁଡ଼ିକ ଉପରେ ବିପୁଳ ଭାବରେ ଭର୍ତ୍ତିହୋଇ ରହିଥିବା କେତେ କ’ଣ ଉପସ୍ଥାପନାଗୁଡ଼ିକର ପ୍ରତ୍ୟକ୍ଷ କରି ପ୍ରକୃତରେ ଭାବିତ ହୋଇ ପଡ଼ିଛୁ ଏବଂ, ଆମ ପାଚନ-ସାମର୍ଥ୍ୟ ବିଷୟରେ ପରୋକ୍ଷ ଭାବରେ ହୁଏତ କିଞ୍ଚିତ୍ ଆତଙ୍କିତ ଅନୁଭବ କରିଛୁ । ସେହି ନାନାବିଧ ଛବି-ପ୍ରଦର୍ଶନର ଗହନଟିରେ ପଶୁଟିଏ ପଛରେ କେଉଁଠି ଶିକାରୀଟିଏ ଦଉଡ଼ିଛି, କେଉଁଠି ଖୁଆଡ଼େ ମାଛ ଏବଂ ଆଉ କେଉଁଠି ମେଳାଏ ଫଳ ବି ଅଙ୍କା ହୋଇ ରହିଛି । ପରିବାରର ପୁରୁଣା ପ୍ଲେଟମାନଙ୍କର ଗୋଟିଏ ପ୍ରଦର୍ଶନୀକୁ ମଧ୍ୟ ରଖାଯାଇଛି ଏବଂ, ଯେଉଁ ପୂର୍ବର ବ୍ୟକ୍ତିମାନେ ସେଠାରେ ବସି ସେହି ପାତ୍ରଗୁଡ଼ିକରେ ଏକଦା ଭୋଜନ କରିଥିଲେ ଏବଂ ଇତିମଧ୍ୟରେ ପଞ୍ଚତ୍ୱପ୍ରାପ୍ତ ହୋଇ ସାରିଛନ୍ତି, ଆମକୁ ସେହିମାନଙ୍କର କଥା ହି ମନେ ପକାଇ ଦେଉଛନ୍ତି ।

 

ଏବଂ, ସେହି କ୍ଷେତ୍ରରେ ଆମ ଚାହା-କୋଠରୀର ଏହି ଏତେ ଏତେ ସରଳତା ତଥା ଯାବତୀୟ ଅଶିଷ୍ଟତାର ଅନୁପସ୍ଥିତି,–ଏହି ସବୁକିଛି ମିଶି ଗୃହଟିକୁ ପ୍ରକୃତରେ ଗୋଟିଏ ମନ୍ଦିରବତ୍ ପୁଣ୍ୟସ୍ଥାନରେ ପରିଣତ କରି ରଖିଛନ୍ତି, ଯେଉଁଠାରେ କି ବାହ୍ୟ ପୃଥିବୀର କୌଣସି ଉତ୍ପୀଡ଼ନ ଆସି ପଶିଯିବାର ଭୟ ନାହିଁ । ଏବଂ, କେବଳ ସେହିପରି ଗୋଟିଏ ସ୍ଥାନରେ ହିଁ ତ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ବିକ୍ଷୋଭରହିତ ହୋଇ ସୌନ୍ଦର୍ଯ୍ୟର ଯଥାର୍ଥ ମର୍ମପ୍ରବେଶ କରିବାର ଅନୁରାଗ ନେଇ ଆପଣାକୁ ସେଥିଲାଗି ଉତ୍ସର୍ଗ କରିପାରିବ । ଷୋଡ଼ଶ ଶତାବ୍ଦୀରେ ଯେତେବେଳେ ଦେଶର ଯୋଦ୍ଧାମାନେ ଓ ରାଷ୍ଟ୍ରଜ୍ଞମାନେ ଜାପାନକୁ ଗୋଟିଏ ଦେଶରୂପେ ଐକ୍ୟବଦ୍ଧ କରି ଆଣୁଥିଲେ ଓ ତାହାର ପୁନନିର୍ମାଣରେ ବ୍ୟସ୍ତ ହୋଇ ରହିଥିଲେ, ସେତେବେଳେ ଏହି ଚାହା-ଅନୁଷ୍ଠାନର ଖାସ୍ ପ୍ରକୋଷ୍ଠଟି ହିଁ ସେମାନଙ୍କୁ ଏକ ଅତ୍ୟନ୍ତ କାମ୍ୟ ଏକ ସାମୟିକ ବିଶ୍ରାମସ୍ଥଳ ଯୋଗାଇ ଦେବାରେ ପ୍ରକୃତରେ ନିମିତ୍ତବତ୍ ହୋଇ ରହିଥିଲା । ପୁନଶ୍ଚ, ସପ୍ତଦଶ ଶତାବ୍ଦୀରେ, ଟୋକୁଗାୱା ରାଜତ୍ଵ କାଳରେ ନିରାଟ ରୀତିବାଦର ସମ୍ଭାବ୍ୟ ସର୍ବବିଧ ବିକାଶ ହୋଇସାରିବା ପରେ କଳା ନିମନ୍ତେ ବିଶେଷ ଭାବରେ ସମର୍ପିତ ବ୍ୟକ୍ତିମାନଙ୍କ ସକାଶେ ତାହା ମୁକ୍ତ ସର୍ବବିଧ ଭାବବିନିମୟ ଲାଗି ପ୍ରକୃତରେ କେବଳ ଏକମାତ୍ର ଅବସର ହୋଇ ରହି ପାରିଥିଲା । କଳାର କୌଣସି ବୃହତ୍ ତଥା ଦୃଷ୍ଟାନ୍ତସ୍ତରୀୟ କୃତି ସମ୍ମୁଖରେ ସମ୍ରାଟଙ୍କର ଜଣେ ଉଚ୍ଚସ୍ତରୀୟ ପରିକର, ଜଣେ ସାମୁରାଇ ବା ସମ୍ମାନିତ ଯୋଦ୍ଧା ତଥା ସାଧାରଣ ମନୁଷ୍ୟଟିଏ ମଧ୍ୟରେ ଆଦୌ କୌଣସି ଅନ୍ତର ନଥିଲା । ଏହି ସାଂପ୍ରତିକ ସମୟଟିରେ ଶିଳ୍ପାୟନର ପ୍ରକୋପଚୟ ତ ସମଗ୍ର ପୃଥିବୀରେ ଯଥାର୍ଥରେ ଆଦୌ କୌଣସି ସୁରୁଚିସମ୍ପନ୍ନ ଜୀବନ ଅଧିକରୁ ଅଧିକ କଷ୍ଟକର ହେବାରେ ଲାଗିଛି । ଏବଂ, ସେହି ଦୃଷ୍ଟିରୁ ଚାହାର ଏହି ପ୍ରକୋଷ୍ଠଟିର ପ୍ରକୃତରେ ଆହୁରି ଅଧିକ ଆବଶ୍ୟକତା ରହିଛି ବୋଲି କୁହା ଯିବନାହିଁ କି ?

Image

 

କଳା-ଆସ୍ୱାଦନ

 

'ବୀଣାଟିକୁ ବଜାଇ ପାରିବା’ ବିଷୟରେ ତାଓପନ୍ଥୀମାନଙ୍କର ଯେଉଁ ଗପଟି ଅଛି, ଆପଣମାନେ ସେଇଟିକୁ ଶୁଣିଛନ୍ତି ? ଯେତେବେଳେ ଲୁଙ୍ଗ୍ ଜାତିର ମନୁଷ୍ୟମାନେ ଗିରିସଙ୍କଟ ମଧ୍ୟରେ ବାସ କରୁଥିଲେ, ସେତେବେଳେ ସେହି ଅତି ପୁରାତନ କାଳରେ ସେଠାରେ ଏକ ‘କିରି’ ଗଛ ଥିଲା । ସତକୁ ସତ ଅରଣ୍ୟ ଭିତରେ ରାଜାଟିଏ ବୋଲି କହି ହେବାଭଳି ଏକ ବିଶାଳ ବୃକ୍ଷ । ଏଡ଼େ ଉଚ୍ଚ ଯେ, ତାରାମାନଙ୍କ ସହିତ କଥା କହି ପାରୁଥିଲା । ତା’ଚେରଗୁଡ଼ିକ ମାଟିର ଗର୍ଭ ମଧ୍ୟରେ କେତେ କୁଆଡ଼ଯାଏ ବିସ୍ତାରି ରହିଥଲେ,–ଏପରିକି ସେହି କେତେ ତଳେ ଯେଉଁ ରୂପାବର୍ଣ୍ଣର ଡ୍ରାଗନ୍‌ଟା ନିଘୋଡ଼ ନିଦରେ ଶୋଇଥିଲା, ପିତଳ ରଙ୍ଗର ଚେରମାନେ ତା’ ପାଖଯାଏ ପହଞ୍ଚି ଗୁଡ଼ାଇ ହୋଇ ରହିଥିଲେ । ଏକଦା ଏପରି ହେଲା ଯେ ଜଣେ ମହାଶକ୍ତିଶାଳୀ ଗୁଣିଆ ଏହି ଗଛର କାଠରୁ ଗୋଟିଏ ଅଦ୍‌ଭୂତ ବୀଣା ତିଆରି କରିଥିଲା: ଏପରି ବହୁଶକ୍ତିଯୁକ୍ତ ବୀଣା, ଯାହାକି କେବଳ ଖାସ୍ ସମର୍ଥ ବାଦକମାନଙ୍କଦ୍ୱାରା ସାଧ୍ୟ ହୋଇପାରିବ । ବହୁବର୍ଷ ଯାଏ ବୀଣାଟି ଚୀନ୍‌ଦେଶର ସମ୍ରାଟଙ୍କ ପାଖରେ ତାଙ୍କର ଏକ ସମ୍ପଦ ହୋଇ ରହିଲା; ମାତ୍ର ଯେତେ ଯିଏ ବାଦକ ଆସି ଜଣକୁ ଜଣ ଚେଷ୍ଟା କଲେ, କେହି ତାହାର ତାରଗୁଡ଼ିକୁ ସାଧ୍ୟ କରି ସଙ୍ଗୀତଟିଏ ସମ୍ଭବ କରି ପାରିଲେ ନାହିଁ । ସେମାନଙ୍କର ଘୋର ଘୋର ଉଦ୍ୟମର ସତେଅବା କିଞ୍ଚିତ ଅନୁସ୍ପନ୍ଦନ ଦେଇ ସେହି ବୀଣାଟିରୁ କେତୋଟି କର୍କଶ ସ୍ଵର ଅବଶ୍ୟ ଉତ୍ପନ୍ନ ହୋଇ ପାରିଥିଲା,–ଭାରି ବେସୁରା ଭାବରେ ଶ୍ରୋତାମାନଙ୍କର ଭିତରେ ଅଶ୍ରଦ୍ଧା ହିଁ ଉତ୍ପନ୍ନ କରୁଥିଲା । ସେମାନେ ଯେତେ ଯେତେ ଗୀତ ବୋଲିଲେ, ସେଗୁଡ଼ିକ ସହିତ ତାଳ ମିଶାଇ କିଛି ବି ସମ୍ଭବ କରି ପାରିଲା ନାହିଁ । ସତେଯେପରି ବୀଣାଟା ମୋଟେ କୌଣସି ଓସ୍ତାଦର କୁହା ମାନିବାପାଇଁ ଆଦୌ ରାଜୀ ହେଲାନାହିଁ-

 

ଶେଷକୁ ବୀଣାବାଦକମାନଙ୍କ ଭିତରେ ରାଜା ବୋଲି ପରିଚିତ ହୋଇ ରହିଥିବା ପାଇୟା ମଧ୍ୟ ଆସି ପହଞ୍ଚିଲା । ନିଜର କୋମଳ ହାତଟିକୁ ଦେଇ ସିଏ ସବା ଆଗ ସେହି ବାଦ୍ୟଯନ୍ତ୍ରଟିକୁ ଯାଇ ଆଲିଙ୍ଗନ କଲା, କୌଣସି ଅମଣିଆ ଘୋଡ଼ାକୁ ଶାନ୍ତ କରି ଆଣୁଥିବା । ପରି ସେଇଟିକୁ ଥିରି ଥିରି ଥାପଡ଼େଇ ଦେଇଥିଲା ଏବଂ ତା' ପରେ ଯାଇ କେଡ଼େ ଶ୍ରଦ୍ଧଯୁକ୍ତ ଭାବରେ ବୀଣାର ତାରମାନଙ୍କୁ ସ୍ପର୍ଶ କଲା । ସିଏ ପ୍ରକୃତି ବିଷୟରେ ଗୀତ ଗାଇଲା, ଋତୁମାନଙ୍କୁ ନେଇ ଗାଇଥିଲା, ଉଚ୍ଚ ଉଚ୍ଚ ପର୍ବତ ଏବଂ କଳକଳ ନାଦରେ ବହିବାରେ ଲାଗିଥିବା ନିର୍ଝରିଣୀ ମାନଙ୍କର ଗୀତ ମଧ୍ୟ ଗାଇଲା । ଏ ସବୁ ଶୁଣୁ ଶୁଣୁ ଗଛଟିର ସବୁଯାକ ନିଦ ଭାଙ୍ଗି ଯାଇଥିଲା ଏବଂ ସିଏ ଜାଗି ଉଠିଲା । ବସନ୍ତର ମଧୁର ପବନ ମଧ୍ୟ ତା’ର ଶାଖାଗୁଡ଼ିକ ମଧ୍ୟରେ ମର୍ମରିତ ହୋଇ ଉଠିଥିଲେ । କୁନି କୁନି ଜଳପ୍ରପାତମାନେ ସେଇ ଗିରିସଙ୍କଟର ପଥଟିରେ ନୃତ୍ୟ କରି ବହି ଯାଉଥିବା ବେଳେ ଫୁଟା ଫୁଲର ସୌନ୍ଦର୍ଯ୍ୟକୁ ଦେଖି ପୁଲକିତ ହେଲେ । ଅବିଳମ୍ବେ ଗ୍ରୀଷ୍ମର ସ୍ୱପ୍ନମୟ କଟୁ ସ୍ୱରଗୁଡ଼ିକ ଶୁଭିବାକୁ ଆରମ୍ଭ କରିଥିଲା–କେତେ ଗଣନାତୀତ ସଂଖ୍ୟାରେ ପତଙ୍ଗମାନେ ସରବ ହୋଇ ଉଠିଲେ,–ବର୍ଷା ହେଉଥିବାର ଥିର ଟୁପୁ ଟୁପୁ ଶବ୍ଦ ଶୁଣାଯିବାକୁ ଲାଗିଲା, କୋଇଲି କରୁଣ ସ୍ୱରରେ ଗୀତ ଗାଇ ଉଠିଲା । ତେଣେ ବି କାନ ଡେରି ଶୁଣ,–ତେଣେ ବାଘଟିଏ ବି ଗର୍ଜନ କରୁଛି ! ଏବଂ ତାହାର ପ୍ରତିଧ୍ୱନି ମଧ୍ୟ ଉପତ୍ୟକାଟି ମଧ୍ୟରେ ନିନାଦିତ ହୋଇ ଉଠୁଛି । ହଁ, ଶରତଋତୁ ମଧ୍ୟ ଆସିଗଲା । କୌଣସି ମରୁଭୂମିର ରାତିଟିଏ ପରି, ସତେ ଅବା ଗୋଟିଏ ଖଣ୍ଡାର ତୀକ୍ଷ୍ମଧାର ପରି କାଲୁଆ ମାରି ଯାଇଥିବା ଘାସ ଉପରେ ଚନ୍ଦ୍ରର କିରଣ ମଧ୍ୟ ଚକ୍ଚକ୍‌ କରୁଛି । ହଁ, ଇହାଦେ ଦେଖ, ଶୀତଋତୁ ବି ଆସି ପହଞ୍ଚିଗଲା ଏବଂ ତୁଷାରକଣାରେ ବହଳ ହୋଇ ରହିଥିବା ବାୟୁପ୍ରସାରଟି ମଧ୍ୟରେ ଦଳ ଦଳ ହଂସ ମଧ୍ୟ ଚକ୍କର ଦେଇ ଉଡ଼ୁଛନ୍ତି । ହଁ, କୁଆପଥର ବୃଷ୍ଟି ହେଉଥିବାର କଡ଼ମଡ଼ ଶବ୍ଦ ବେଶ୍ ଶୁଣାଯାଉଛି । କି ପ୍ରମତ୍ତ ଆନନ୍ଦ ସହିତ ସେମାନେ ଡାଳମାନଙ୍କରେ ଆସି ବାଡ଼େଇ ହୋଇ ଯାଉଛନ୍ତି ।

 

ତା’ପରେ ପାଇ-ୟା ତାନଟିକୁ ବଦଳାଇ ଦେଲା ଏବଂ ପ୍ରୀତିର ଗୀତଗୁଡ଼ିକ ଗାନ କରିଥିଲା । ଏବଂ, ତାହାର ପ୍ରଭାବରେ ବନଭୂମିଟି ଗାଆଁରୁ ଆସିଥିବା କୌଣସି ଅତ୍ୟୁତ୍ସାହୀ ଯୁବକଟିଏ ପରି ଏପାଖ ସେପାଖ ହୋଇ ସତେଅବା କ’ଣ ସବୁ ଭାବନା ମଧ୍ୟରେ କୁଆଡ଼େ କେଉଁ ଗଭୀରରେ ବୁଡ଼ି ରହିଥିଲା ପରି ଟଳ ଟଳ ହେବାପରି ପ୍ରତୀତ ହେବାକୁ ଲାଗିଲା । ତେଣେ ମୁଣ୍ଡ ଉପରେ କାହିଁ କେତେ ଉଚ୍ଚରେ ସତେ ଅବା ଗୋଟିଏ ଅଭିମାନୀ ଝିଅ ପରି ଶୁଭ୍ର ରଙ୍ଗର ଉଜ୍ଜ୍ୱଳ ମେଘଖଣ୍ଡ ଭାସି ଭାସି ଚାଲିଗଲା ସିନା, ମାତ୍ର ମାଟି ଉପରେ ସତେଅବା ଏକ ମାର୍ମିକ ହତାଶାର କଳା ବୃହତ୍ ଦୀର୍ଘ ଛାଇଟିଏ ମଧ୍ୟ ନିକ୍ଷେପ କରିଦେଇ ଗଲା । ପୁଣି ତନ୍ତ୍ରୀର ସ୍ୱରରେ ଏକ ପରିବର୍ତ୍ତନ ହୋଇ ଗଲା ଏବଂ ପାଇ-ୟା ସମର ଗୀତମାନ ଗାଇବାକୁ ଲାଗିଲା,–ଅସ୍ତ୍ରରେ ଅସ୍ତ୍ର ଆସି ବାଜୁଥିବା ଝନତ୍‌କାରମାନ ଶୁଣାଗଲା, ଘୋଡ଼ାମାନେ ତୀବ୍ର ବେଗରେ ଦଉଡ଼ିବାରେ ଲାଗିଥିବା ପରି ଶବ୍ଦମାନ ହେଉଥିଲେ । ତା'ପରେ ସେହି ଲୁଙ୍ଗ-ମେନ୍ ଗିରିପଥଟିରେ ଏକ ଝଡ଼ର ଉଦ୍‌ବେଳନ ମାଡ଼ି ଆସିଥିଲା, ଡ୍ରାଗନଟିଏ ଚକ୍‌ଚକ୍ ବିଜୁଳି ଉପରେ ଆରୂଢ଼ ହୋଇ ରହିଥିଲା ଏବଂ ବଜ୍ରପାତ ସହିତ ପର୍ବତର ସେହି ବିସ୍ତାରଗୁଡ଼ିକ ମଧ୍ୟରୁ ଭୁସ୍ଖଳନର ଶବ୍ଦମାନ ଶୁଣା ଯାଉଥିଲା । ସତେ ଅବା ଏକ ଉଲ୍ଲାସଜନିତ ବିସ୍ମରଣରେ ସ୍ୱର୍ଗ ରାଜ୍ୟର ଅଧିପତି ସିଏ ଏପରି ବିଚକ୍ଷଣତା ଗୁଡ଼ିକ ହାସଲ କରିବାରେ କିଭଳି ସମର୍ଥ ହୋଇ ପାରିଲା ବୋଲି ପ୍ରଶ୍ନଟିଏ କରିଥିଲେ । ସିଏ ଉତ୍ତର ଦେଇ କହିଥିଲା, “ମଣିମା, ଅନ୍ୟମାନେ ପାରିଲେ ନାହିଁ । କାରଣ ସେମାନେ କେବଳ ଆପଣାର ନିଜ ଦକ୍ଷତା ହେତୁ ହିଁ ସଙ୍ଗୀତ ଗାନ କରୁଥିଲେ । କ’ଣଟିଏ ଗାଇବାକୁ ହେବ, ତାହା ନିଷ୍ପତ୍ତି କରିବାର ଭାରଟିକୁ ମୁଁ ସେହି ବୀଣାଟି ଉପରେ ହିଁ ଛାଡ଼ି ଦେଉଥିଲି । ଏବଂ, ତା’ପରେ ସେହି ବୀଣାଟି ପାଇ-ୟା ରେ ପରିଣତ ହୋଇଯାଇଛି ଅଥବା ପାଇ-ୟା ସ୍ୱୟଂ ବୀଣା ହୋଇଯାଇଛି, ବସ୍ତୁତଃ ସେ ବିଷୟରେ କିଛି ଜାଣି ପାରୁ ନ ଥିଲି ।”

 

ଯାବତୀୟ କଳା-ଆସ୍ୱାଦନର ରହସ୍ୟଟି ମଧ୍ୟ ସେହିଠାରେ ନିହିତ ହୋଇ ରହିଛି । ଆମର ସୂକ୍ଷ୍ମତମ ଯାବତୀୟ ଅନୁଭବ ମଧ୍ୟରେ ହିଁ ଆମର ଶ୍ରେଷ୍ଠ କଳାକୃତିଟି ଏକୀଭୂତ ହୋଇ ରହିଥାଏ । ପାଇ-ୟା ହେଉଛି ଅସଲି କଳାଟି ଓ ଆମେ ଅନ୍ୟମାନେ ହେଉଛୁ ଲୁଙ୍ଗ-ମେନ୍‌ର ସେହି ବୀଣା । ସୌନ୍ଦର୍ଯ୍ୟର ଜାଦୁକରୀ ସ୍ପର୍ଶଟି ଆସି ବାଜିବା ମାତ୍ରକେ ଆମ ସଭାର ଗୁପ୍ତ ତନ୍ତ୍ରୀମାନେ ହିଁ ବାଜିଉଠନ୍ତି,–ଆମ ଭିତରେ ଏକ ଅନୁସ୍ପନ୍ଦନ ମଧ୍ୟ ଜାଗରିତ ହୁଏ,–ତାହାରି ଡାକରାଟିକୁ ଶୁଣି ଆମେ ଶିହରି ଉଠିଥାଉ । ଗୋଟିଏ ମନ ଆଉ ଗୋଟିଏ ମନ ସହିତ କଥା କହୁଥାଏ । ସେହି ଅନର୍ବଚନୀୟ ବସ୍ତୁଟି ଆସି ଆମର କର୍ଣ୍ଣକୁହରରେ ପ୍ରବେଶ କରେ, ଅଦୃଶ୍ୟଟି ଦୃଶ୍ୟ ହୋଇ ଆସେ-। କଳାଟିର ସ୍ରଷ୍ଟା ଏପରି ସଂଗୀତଟିଏ ସୃଜି ଆଣନ୍ତି, ଯାହା ଆମ ନିମନ୍ତେ ଅଜ୍ଞାତ ହୋଇ ରହିଥାଏ-। ଦୀର୍ଘ କୋଉକାଳରୁ ବିସ୍ତୃତ ହୋଇ ଯାଇଥିବା ସ୍ମୃତିମାନେ ଏକ ନୂତନ ତାତ୍ପର୍ଯ୍ୟ ତଥା ବ୍ୟଞ୍ଜନାରେ ଆସି ଆବିର୍ଭୂତ ହୁଅନ୍ତି । ନାନାବିଧ ଭୟର ବଶବର୍ତ୍ତୀ ହୋଇ ଦବି ରହିଥିବା କେତେ କେତେ ଆଶା, କେତେ ନା କେତେ କାମନା, ଯେଉଁଗୁଡ଼ିକ ନିଜର ବୋଲି କହିବାକୁ ଆମକୁ ସଂକୋଚ ବୋଧ ହେଉଥିଲା, ସେଗୁଡ଼ିକ ଏକାଧିକ ନବ ନବ ଗୌରବରେ ଝଲକି ଉଠନ୍ତି । ଆମର ମାନସପଟ ଏପରି ଏକ ଆସ୍ତରଣ ସଦୃଶ କାର୍ଯ୍ୟ କରୁଥାଏ, ଯାହା ଉପରେ ହିଁ କଳାକାରମାନେ ଆପଣା ଆପଣାର ରଙ୍ଗଗୁଡ଼ିକ ଆଣି ଲଗାଇ ଦେଉଥାଆନ୍ତି । ଆମର ଚିତ୍ତସ୍ଥ ଆବେଗ ଗୁଡ଼ିକ ସେମାନେ ଆପଣାର ରଙ୍ଗ ରୂପେ ବ୍ୟବହାର କରନ୍ତି । ଛବିଉପରେ ଫୁଟାଇ ଅଣାଯାଇଥିବା ସେମାନଙ୍କର ଆଲୋକ ଏବଂ ଛାୟାଗୁଡ଼ିକ ମାଧ୍ୟମ କରି ସେମାନେ ଆମରି ଆନନ୍ଦମାନଙ୍କୁ ହିଁ ପରିସ୍ଫୁଟ କରି ଆଣନ୍ତି, ଆମର ବିମର୍ଷତାମାନଙ୍କୁ ଜୀବନ ଦେଇଥାନ୍ତି । ସେହି ଉତ୍‌କୃଷ୍ଟ କଳାକୃତିଟି ବସ୍ତୁତଃ ଆମକୁ ହିଁ ପ୍ରକଟ କରିଆଣେ, ଆମେ ହିଁ ସେହି କୃତିଟି ଠାରୁ ଅଭିନ୍ନ ହୋଇ ରହିଥାଉ ।

 

ତେଣୁ, କଳାର ଯାବତୀୟ ଆସ୍ୱାଦନ ଏବଂ ଗୁଣାତ୍ମକତା-ବୋଧ ପାଇଁ ମନଃସ୍ତରର ଯେଉଁ ସହାନୁଭୂତି ପୂର୍ଣ୍ଣ ସଂଯୋଗ-ସ୍ଥାପନର ପ୍ରୟୋଜନ ହୁଏ, ତା’ ପଛରେ ସର୍ବଦା ଏକ ପାରସ୍ପାରିକ ଅନୁମୋଦନ ହିଁ ସର୍ବଦା ରହିଥିବା ଅତ୍ୟନ୍ତ ଆବଶ୍ୟକ । ପ୍ରକୃତ ସନ୍ଦେଶଟିକୁ ପ୍ରାପ୍ତ କରିପାରିବା ଲାଗି ଆସ୍ୱାଦନକାରୀକୁ ଅବଶ୍ୟ ଏକ ସମୁଚିତ କଳାଦୃଷ୍ଟିର ଅନୁଶୀଳନ କରିବାକୁ ହିଁ ହୁଏ ତଥା ସ୍ଵୟଂ କଳାକାରକୁ ମଧ୍ୟ ସେହି ଦୃଷ୍ଟିଟିକୁ ଆଣି ଯୋଗାଇ ଦେଇ ପାରିବାର ଯୋଗ୍ୟତା ଅର୍ଜନ କରିବାକୁ ପଡ଼େ । ସ୍ଵୟଂ ସମ୍ରାଟଙ୍କର ଜଣେ ସମ୍ଭ୍ରାନ୍ତ ପରିକର ରୂପେ କାର୍ଯ୍ୟ କରିଥିବା କୋବୋରି-ଏନ୍‌ଶିଉ ଏହି ସ୍ମରଣୀୟ କଥାଟିକୁ ଏକଦା କହି ଯାଇଛନ୍ତି, “ଜଣେ ମହାନ ରାଜପୁରୁଷଙ୍କ ସମୀପକୁ ଯାଉଥିବା ପରି ଏକ ମହାନ୍ କଳାକୃତିର ନିକଟବର୍ତ୍ତୀ ହେବାପାଇଁ ମଧ୍ୟ ଆମକୁ ଅନୁରୂପ ଆଚରଣ ଗୁଡ଼ିକ ଦେଖାଇବାକୁ ହୋଇଥାଏ । କୌଣସି ମହାନ୍ କଳାକୃତିକୁ ବୁଝି ପାରିବା ଲାଗି ନିଜକୁ ସଂପୂର୍ଣ୍ଣ ଭାବରେ ନୁଆଁଇ ଆଣିବାକୁ ପଡ଼େ ଏବଂ, ସେହି କୃତିଟି ତୁମକୁ ପ୍ରକୃତରେ । କ’ଣ ସବୁ କହୁଛି, ସେଗୁଡ଼ିକ ଶୁଣିବା ନିମନ୍ତେ ପ୍ରାୟ ନିଃଶ୍ୱାସକୁ ବନ୍ଦ କରି ରଖି ଅପେକ୍ଷା କରି ରହିବାକୁ ହୋଇଥାଏ । ସୁଙ୍ଗ୍ ରାଜତ୍ୱ ସମୟର ଜଣେ ବିଖ୍ୟାତ ସମୀକ୍ଷକ ଏକଦା ସେହି ବିଷୟରେ ଗୋଟିଏ ଖୁବ୍ ଆକର୍ଷଣକାରୀ କଥା କହିଯାଇଛନ୍ତି । ସେ କହିଛନ୍ତି, ମୁଁ ଯୁବକଟିଏ ଥିଲାବେଳେ ଯେଉଁ ଶିଳ୍ପୀଙ୍କ ଚିତ୍ର ମୋତେ ଭଲ ଲାଗୁଥିଲା, ମୁଁ ସବା ଆଗ ତାଙ୍କରି ପ୍ରଶଂସା କରୁଥିଲି । କିନ୍ତୁ, ମୋ’ର ବିଚାର କରିବା ଶକ୍ତି କ୍ରମେ ପରିପକ୍ୱ ହୋଇ ଆସିବା ସହିତ ମୁଁ ନିଜକୁ ହିଁ ପ୍ରଶଂସା କଲି, କାରଣ ମୋତେ ଭଲ ଲାଗିବା ଭଳି ଛବିଟିଏ ସମ୍ଭବ କରିଥିବା ଜଣେ କଳାକାରଙ୍କର ଛବିଟିକୁ ହିଁ ମୋତେ ପ୍ରକୃତରେ ଭଲ ଲାଗୁଥିଲା । ଅତ୍ୟନ୍ତ ଦୁଃଖର କଥା ଯେ, ଆମ ଭିତରୁ ଏତେ କମ୍‌ସଂଖ୍ୟକ ବ୍ୟକ୍ତି ମହାନ୍‌ କଳାକାର ମାନଙ୍କର ଅନ୍ତର୍ମନଟିକୁ ଅଧ୍ୟୟନ କରି ପାରିବା ସକାଶେ ଆବଶ୍ୟକ କଷ୍ଟ ସ୍ୱୀକାରଟିକୁ କରିଥାଉ । ଆମ ଭିତରେ ନିତାନ୍ତ ଅନମନୀୟ ହୋଇ ରହିଥିବା ଅଜ୍ଞାନଟା ହିଁ ସେମାନଙ୍କ ପାଇଁ ନିଜର ସର୍ବନିମ୍ନ ଏହି କର୍ଭବ୍ୟଟିର ପାଳନ କରେ ଏବଂ ସେହି କାରଣରୁ ଆମେ ଆମ ସମ୍ମୁଖରେ ଉନ୍ମୋଚିତ ହୋଇ ରହିଥିବା ସୌନ୍ଦର୍ଯ୍ୟଟିର ଆସ୍ୱାଦନ କରିବାର ସୌଭାଗ୍ୟକୁ ହରାଇ ଦେଉ । ଜଣେ ପ୍ରକୃତ କଳାକାରର ସର୍ବଦା ହିଁ ଆମ ଆଗରେ କିଛି ନା କିଛି ଆଣି ବାଢ଼ି ଦେବାକୁ ରହିଥାଏ ସିନା, ମାତ୍ର ଆମେ ତାହାକୁ ଗ୍ରହଣ କରି ପାରୁନାହିଁ ଓ ଭୋକିଲା ହିଁ ରହିଯାଉ; କାରଣ ଆମ ଭିତରେ ସେଇଟିକୁ ଆସ୍ୱାଦନ କରିବାର କୌଣସି ଯୋଗ୍ୟତା ନ ଥାଏ ।

 

ଜଣେ ଉଚିତ ସହାନୁଭୂତି ସମ୍ପନ୍ନ ବ୍ୟକ୍ତି ଲାଗି ଗୋଟିଏ ମହାନ୍‌ କୃତି ପ୍ରକୃତରେ ଜୀବନ୍ତ ହୋଇ ଉଠେ ଏବଂ ଅନିର୍ବଚନୀୟ ସାଥିତ୍ୱର ଡ଼ୋରରେ ବାନ୍ଧି ହୋଇ ଯାଉଥିବା ପରି ଆମେ ସେଇଟି ଆଡ଼କୁ ଟାଣି ହୋଇ ଯିବାପରି ହିଁ ଅନୁଭବ କରୁ । ମହାନ୍‌ ସେହି ସକଳ ସ୍ରଷ୍ଟାଗଣଙ୍କୁ କେବଳ ଅମର ହିଁ କୁହାଯିବ, କାରଣ ସେମାନଙ୍କର ସକଳ ପ୍ରୀତି ତଥା ସକଳ ତ୍ରାସ ବାରମ୍ବାର ହିଁ ଆମ ଭିତରେ ଜୀବନ୍ତ ହୋଇ ଉଠୁଥାଏ । ଏବଂ, ଶିଳ୍ପୀର ହାତ ଅପେକ୍ଷା ତାଙ୍କର ଆତ୍ମା ହିଁ ତାଙ୍କର ଯେକୌଣସି କୃତିକୁ ସମ୍ଭବ କରି ଆଣିଥାଏ, ପ୍ରୟୋଗ କରାଯାଇଥିବା ଶୈଳୀଠାରୁ ସ୍ୱୟଂ ମନୁଷ୍ୟଟି ଅଧିକ ମୂର୍ତ୍ତ ହୋଇ ଉଠିଥାଏ ଓ ସେଇଟିର ଆବେଦନଟି ଅଧିକତର ପରିମାଣରେ ଆମକୁ ଆକୃଷ୍ଟ କରେ । ଏବଂ, ସଂପୃକ୍ତ ଆହ୍ୱାନଟିରେ ଖାସ୍ ମନୁଷ୍ୟଟି ଯେତିକି ପରିମାଣରେ ପ୍ରତିଭାତ ହୋଇଥାଏ, ତା’ଲାଗି ଆମର ଅନୁସ୍ପନ୍ଦନଟି ମଧ୍ୟ ସେତିକି ଅଧିକ ଗଭୀର ହୁଏ । ଅର୍ଥାତ୍ ଜଣେ ସ୍ରଷ୍ଟା ଏବଂ ଆମମାନଙ୍କ ଭିତରେ ରହସ୍ୟମୟ ସେହି ବୁଝାମଣାଟି ଯେତିକି ସମ୍ଭବ ହୋଇ ପାରୁଥାଏ, ତାହାରି ଅନୁସାରେ ହିଁ ଗୋଟିଏ କବିତା ତଥା ଅଭିଭୂତକାରୀ ଗୋଟିଏ ଅନ୍ୟକୃତି ମଧ୍ୟରେ ଆମେ ପାଠକମାନେ ମଧ୍ୟ ନାୟକ ଓ ନାୟିକାମାନଙ୍କ ସହିତ ଉଲ୍ଲସିତ ଅଥବା ଶୋକାର୍ତ୍ତ ମଧ୍ୟ ହେବାରେ ଲାଗିଥାଉ । ଜାପାନ ଦେଶର ସେକ୍‌ସପିଅର ବୋଲି ସୁପ୍ରଖ୍ୟାତ ଚିକାମାତ୍‌ସୁ ନାଟକୀୟ ଯାବତୀୟ ରଚନାର ଏକ ଅନ୍ୟତମ ନୀତିରୂପେ ଏକଦା ଏପରି କହିଛନ୍ତି ଯେ, ନାଟକଟିକୁ ଦେଖୁଥିବା ସମୂହଟି ମଧ୍ୟ ନାଟ୍ୟକାର ସହିତ ସେହି ପ୍ରକ୍ରିୟାରେ ସଂପୂର୍ଣ୍ଣ ଭାବରେ ଯୁକ୍ତ ହୋଇ ରହିଥିବ । ତାଙ୍କର ଏକାଧିକ ଛାତ୍ର, ଆପେ ଗୋଟିଏ ଗୋଟିଏ ନାଟକ ରଚନା କରି ତାଙ୍କର ଅନୁମୋଦନ ଲାଗି ତାଙ୍କୁ ଆଣି ଦେଇଥିଲେ, କିନ୍ତୁ ସେଗୁଡ଼ିକ ମଧ୍ୟରୁ କେବଳ ଗୋଟିଏ ନାଟକ ତାଙ୍କୁ ଉପଯୁକ୍ତ ବୋଲି ମନେ ହୋଇଥିଲା । ସେଇଟି ସହିତ ସେକସ୍‌ପିଅରଙ୍କର Comedy of Error ନାଟକର କିଛି ମାତ୍ରାରେ ସାଦୃଶ୍ୟ ରହିଥିଲା: ସେଥିରେ ଦୁଇଜଣ ଜାଆଁଳା ଭାଇ ପ୍ରାୟ ଗୋଟିଏ ଚେହେରାର ହୋଇଥିବାରୁ ସେମାନଙ୍କୁ ବହୁତ ଦୁଃଖ ଭୋଗ କରିବାକୁ ପଡ଼ିଥିଲା । ସେଇଟି ସଂପର୍କରେ ମନ୍ତବ୍ୟ ଦେଇ ଚିକାମାତ୍‌ସୁ କହିଥିଲେ, “ଏଇଟିରେ ହିଁ ନାଟକଟିର ପ୍ରକୃତ ପ୍ରାଣଟି ଅକ୍ଷୁର୍ଣ୍ଣ ରହିପାରିଛି, କାରଣ ତାହା ଦେଖଣାହାରୀମାନଙ୍କୁ ପ୍ରଭାବିତ କରି ପାରିଛି । ଅଭିନେତା ପାତ୍ର ଓ ପାତ୍ରୀମାନେ ଅଭିନୟଦ୍ୱାରା ଯେତିକି ବ୍ୟକ୍ତ କରିପାରନ୍ତି, ସାଧାରଣ ଦେଖଣାହାରୀ ତା'ଠାରୁ ଅନେକ ଅଧିକ ଗ୍ରହଣ କରି ପାରିବାର ଏକ ଅବସର ସେମାନଙ୍କୁ ଏଥିରେ ଉପଲବ୍ଧ ହୋଇ ପାରିଛି । ଅସଲ ଭ୍ରମାତ୍ମକତାଟି ଯେ ଠିକ୍ କେଉଁଠାରେ ରହିଛି, ସେମାନେ ସେହି କଥାଟିକୁ ଜାଣି ପାରୁଛନ୍ତି ଏବଂ ବିଚରା ପାତ୍ରଦ୍ୱୟ ଆପଣାର କୌଣସି ଦୋଷ ନଥାଇ ମଧ୍ୟ ଯେ ଏତେ ଦୁର୍ଗତିମାନ ଭୋଗ କରୁଛନ୍ତି, ସେଥିପାଇଁ ସେମାନଙ୍କ ପ୍ରତି ଦୟା ବି ଅନୁଭବ କରୁଛନ୍ତି ।

 

ଆପଣାର ଉପସ୍ଥାପନାଟି ସହିତ ଦେଖଣାହାରୀ ପକ୍ଷଟିକୁ ସଂପୃକ୍ତ କରି ରଖିବାର ଗୋଟିଏ ମାଧ୍ୟମ ରୂପେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତର ମହାନ୍ ସ୍ରଷ୍ଟାମାନେ ପ୍ରବର୍ତ୍ତନା ଅର୍ଥାତ୍ ବ୍ୟଞ୍ଜନାଟିର ମୂଲ୍ୟକୁ କେବେହେଲେ ପାସୋରି ନାହାନ୍ତି । ଆମ ଭାବନାର ଆକାଶରେ ନାନା ବୈପୁଲ୍ୟକୁ ସଞ୍ଚାରିତ କରି ଅଣାଯାଇଥିବାର କୃତିତ୍ୱଟିଦ୍ୱାରା ଅଭିଭୂତ ନ ହୋଇ କିଏ ପ୍ରକୃତରେ କୌଣସି ବୃହତ୍ କଳାକୃତିର ଚିନ୍ତା ମଧ୍ୟ କରିପାରିବ ? ଆମକୁ ସେଗୁଡ଼ିକ କେତେ ପରିଚିତ ନ ଲାଗନ୍ତି ! ଏବଂ କେତେ ନା କେତେ ସହାନୁଭୂତିସମ୍ପନ୍ନ ବୋଲି ମଧ୍ୟ ମନେ ହୋଇଥାନ୍ତି, ଏବଂ ଏକ ଆଧୁନିକ କାଳର ମାମୁଲି ଦୃଷ୍ଟାନ୍ତ ଗୁଡ଼ିକ ପ୍ରକୃତରେ କେଡ଼େ ଶୀତଳ ମଧ୍ୟ ନ ଲାଗନ୍ତି । ପ୍ରଥମ କିସମଟିରେ ଜଣେ ମନୁଷ୍ୟ କେଡ଼େ ସଂବେଦନଶୀଳ ଭାବରେ ଆପଣାର ସଂପୂର୍ଣ୍ଣ ହୃଦୟଟିକୁ ଆଣି ଅଜାଡ଼ି ଦେଇଥାଏ ଏବଂ ଦ୍ୱିତୀୟଟିରେ ସତେ ଅବା କେହି ଜଣେ କେବଳ ଉପରେ ଉପରେ ଖାଲି ନମସ୍କାରଟାଏ କରିଦେଇ ଚାଲି ଯାଉଥିଲା ପରି ମନେହୁଏ । ସଂପୂର୍ଣ୍ଣ ରୂପେ ଆପଣାର ଶୈଳୀଟା ମଧ୍ୟରେ ନିମଗ୍ନ ହୋଇ ରହିଥିବାରୁ ଆଧୁନିକ କାଳର ଜଣେ କଳାକାର ଖୁବ୍ କ୍ୱଚିତ୍ ହିଁ ନିଜର ଗାରଗୁଡ଼ିକର ସେପାଖକୁ ଅନାଇ ଆଦୌ କିଛି ଅନୁଭବ କରିବା ପାଇଁ ସମର୍ଥ ହୋଇଥାଏ । ଲୁଙ୍ଗ୍ ମେନ୍‌ର ସେହି ସଙ୍ଗୀତକାରମାନେ ବୀଣାଟିରୁ ଆଦୌ କୌଣସି ସଂଗୀତ ସମ୍ଭବ କରି ଆଣିବାରେ ବୃଥା ପ୍ରୟାସ କରିଥିବା ପରି, ସିଏ କେବଳ ଆପଣାର ବୀଣାଟିକୁ ହିଁ ବଜାଇବାରେ ଲାଗିଥାଏ । ତା’ର କୃତିମାନଙ୍କରେ ହୁଏତ ଖୁବ୍ ବିଚକ୍ଷଣ ବିଜ୍ଞାନ କୌଶଳମାନ ରହିଥାଏ ସତ, କିନ୍ତୁ ମାନବିକ ଆସ୍ପୃହାଗୁଡ଼ିକରୁ କାହିଁ କେତେ ଦୂରରେ ଯାଇ ରହିଥାଏ । ଆମ ଜାପାନରେ ଗୋଟିଏ ପୁରାତନ କଥା ରହି ଆସିଛି ଯେ, ଜଣେ ନାରୀ ଗୋଟାଏ ତୁଚ୍ଛା ଦମ୍ଭଗୁଡ଼ାକୁ ଦେଖାଇ ହେଉଥିବା ପୁରୁଷକୁ କେବେହେଲେ ଭଲ ପାଇ ପାରିବ ନାହିଁ, କାରଣ ତା’ହୃଦୟ ଭିତରେ କୌଣସି ପ୍ରେମ ପ୍ରବେଶ କରି ପାରିବା ସକାଶେ କୌଣସି ଖାଲି ସ୍ଥାନଟିଏ ହୁଏତ ନ ଥିବ । କଳାତ୍ମକତାର କ୍ଷେତ୍ରରେ ସର୍ବବିଧ ସହାନୁଭୂତି ତଥା ସମ୍ବେଦନା ପାଇଁ ସେହି ଦାମ୍ଭିକତା ହିଁ ଘାତକ ବୋଲି ପ୍ରମାଣିତ ହୋଇଥାଏ । ସ୍ଵୟଂ କଳାକାରର ଜୀବନରେ ଏବଂ ଜନଗଣଙ୍କର ଜୀବନରେ ବି-

 

ସମ୍ବେଦନଶୀଳପୂର୍ଣ୍ଣ ହୃଦୟମାନେ ପରସ୍ପରର ନିକଟବର୍ତ୍ତୀ ହୋଇ ଆସୁଥିବେ, କଳାର କ୍ଷେତ୍ରରେ ତା’ଠାରୁ ବଳି ପବିତ୍ରକାରୀ ଉପାଦାନ ଆଉ କିଛି ହେଲେ ନାହିଁ । ସମୀପବର୍ତ୍ତୀ ହୋଇ ଆସିବାର ସେହି ମୁହୁର୍ତ୍ତଟିରେ କଳାର ଜଣେ ପ୍ରେମୀ ମଧ୍ୟ ନିଜର ଗାରଗୁଡ଼ିକୁ ଅତିକ୍ରମ କରି ଚାଲି ଯାଇଥାଏ । ସିଏ ସତେ ଅବା ସେହିଠାରେ ହିଁ ଥାଏ ଏବଂ ନ ଥାଏ । ଅନନ୍ତ ସେପାଖ କିଛିର କିଛି ଝଲକ ଆସି ତା’ର ଚେତନାରୂପୀ ଆୟତନଟିକୁ ସ୍ପର୍ଶ କରି ଯାଉଥାଏ, ଅଥଚ ଆପଣାର ସେହି ଆନନ୍ଦଟିକୁ ପ୍ରକାଶ କରିବା ସକାଶେ ସେ କୌଣସି ଭାଷା ପାଉ ନ ଥାଏ । କାରଣ ବିଚରା ଆଖିଟାର କୌଣସି ଜିହ୍ୱା ହିଁ ନ ଥାଏ । ଏହି ଜଡ଼ରୂପୀ ଜଞ୍ଜିରଟା ଭିତରୁ ମୁକ୍ତି ଲାଭ କରି ତା’ର ଆତ୍ମା ବସ୍ତୁଗୁଡ଼ିକର ଛନ୍ଦୋମୟତା ମଧ୍ୟରେ ବିଚରଣ କରିବାରେ ଲାଗିଥାଏ । ଏବଂ, ଠିକ୍ ଏହିପରି ଭାବରେ କଳା ଯାବତୀୟ ଅର୍ଥରେ ଏକ ଧର୍ମର ସାଦୃଶ୍ୟକୁ ଲାଭ କରିପାରେ ଏବଂ ମନୁଷ୍ୟର ଜଗତଟିରେ ଏକ ଉତ୍ତୋଳନ ଆଣିଦିଏ । ସେହି ସଂକ୍ରମଣଶକ୍ତି ହିଁ ଯେକୌଣସି ଯଥାର୍ଥ କଳାକୃତିକୁ ଏକ ପବିତ୍ର ବହୁତ କିଛିରେ ପରିଣତ କରି ଦେଉଥାଏ । ସେହି ପୁରାତନ ଅମଳରେ ଜାପାନର ଅଧିବାସୀମାନେ କୌଣସି ଜଣେ ଯଥାର୍ଥ କଳାକାରଙ୍କର କୃତିକୁ ଗଭୀର ସମ୍ମାନର ସହିତ ଦେଖୁଥିଲେ । ଚାହା ଅନୁଷ୍ଠାନର ଅଗ୍ରଣୀମାନେ ଆପଣାର ସମ୍ପଦଗୁଡ଼ିକ ଅତୀବ ଗୋପନୀୟତା ସହିତ ସାଇତି ରଖୁଥିଲେ ଏବଂ, ଆପ୍ୟାୟନ ନିମନ୍ତେ ଉଦ୍ଦିଷ୍ଟ ସ୍ଥାନଟିକୁ ଆସିବା ପୂର୍ବରୁ ଗୋଟିଏ କିଛି ଭିତରେ ସାଇତା ହୋଇ ରହିଥିବା ବସ୍ତୁଗୁଡ଼ିକୁ ଖୋଲି ଦେଖିବାର ସେହି ଏକାନ୍ତ ପ୍ରୟୋଜନଟିକୁ ମଧ୍ୟ ଅନୁଭବ କରୁଥିଲେ । ପବିତ୍ରରୁ ଆହୁରି ଅଧିକ ପବିତ୍ର ଦ୍ରବ୍ୟ ଗୁଡ଼ିକ ସେମାନେ ସେଗୁଡ଼ିକ ଗୁଡ଼ାଇ ହୋଇ ରହିଥିବା ରେଶମର କନାଗୁଡ଼ିକ ଖୋଲି ଦେଖବାକୁ ଆରମ୍ଭ କରି ଦେଉଥିଲେ । ଖୁବ୍ କ୍ଵଚିତ୍ ହିଁ ଭିତରେ ରହିଥିବା ବସ୍ତୁଗୁଡ଼ିକ ସଂପୂର୍ଣ୍ଣ ଭାବରେ ଦେଖି ହେଉଥିଲା । ଏବଂ ସେହିସବୁ ଅବସରରେ କେବଳ ସେହି ଉପଚାରଟିରେ ଦୀକ୍ଷିତ ହୋଇଥିବା ବ୍ୟକ୍ତିମାନେ ହିଁ ସେଠାରେ ଉପସ୍ଥିତ ଥିଲେ ।

 

ଏବଂ, ଯେଉଁ ସମୟରେ ଚାହା ଅନୁଷ୍ଠାନର ଏହି ପରମ୍ପରାଟି ସ୍ୱୀକୃତିର ଏକ ଶିଖର ଆଡ଼କୁ ଆରୋହଣ କରିବାରେ ଲାଗିଥିଲା, ସେତେବେଳେ ତାଇକୋର ସେନାପତିମାନେ ସେମାନେ କେଉଁଠି ନା କେଉଁଠି ଯୁଦ୍ଧରେ ବିଜୟ ଲାଭ କରିଥିବାର ପୁରସ୍କାର ସ୍ୱରୂପ ଏକ ରାଜ୍ୟ ଲାଭ କରିବା ଅପେକ୍ଷା ବରଂ କୌଣସି ଏକ ବିରଳ କଳାକୃତି ସେମାନଙ୍କୁ ଉପହାର ଦିଆଗଲେ ପ୍ରକୃତରେ ଅଧିକ ସନ୍ତୋଷ ପ୍ରକାଶ କରୁଥିଲେ । କୌଣସି ଗୋଟିଏ ବିଖ୍ୟାତ କଳାକୃତି ହଜି ଯାଇଥିଲା ଏବଂ ପୁନର୍ବାର ମିଳିଲା ବୋଲି କାହାଣୀଟିକୁ ବିଷୟବସ୍ତୁ ରୂପେ ବ୍ୟବହାର କରି ଆମ ଦେଶର ବହୁସଂଖ୍ୟକ ଲୋକପ୍ରିୟ ନାଟକର ରଚନା ମଧ୍ୟ କରାଯାଇଛି । ଉଦାହାରଣ ସ୍ୱରୂପ, ଗୋଟିଏ ନାଟକରେ ହାସୋ-କାୱାଙ୍କର ପ୍ରାସାଦରେ ଶିଳ୍ପୀ ସାସନ୍‌ଙ୍କ ଦ୍ଵାରା ଅଙ୍କିତ ଧାରୁମା ନାମକ ସୁପ୍ରସିଦ୍ଧ କଳାଙ୍କନଟି ସଂରକ୍ଷିତ ହୋଇ ରହିଥିଲା; ସେଥିରେ ଏକଦା ଅଚାନକ ନିଆଁ ଲାଗି ଯାଇଥିଲା, କାରଣ ସେଠାରେ ଜଗି ରହିଥିବା ପ୍ରହରୀଟି ନିଜ କର୍ତ୍ତବ୍ୟରେ ଅବହେଳା ହିଁ କରିଥିଲା-। ଯେକୌଣସି ବିପଦର ସମ୍ମୁଖୀନ ହେବାକୁ ହେଉ ପଛକେ, ସେହି ବହୁମୂଲ୍ୟ ସମ୍ପଦଟିକୁ ଅବଶ୍ୟ ଜଳି ନଷ୍ଟ ହୋଇଯିବାରୁ ରକ୍ଷା କରାଯିବ ବୋଲି ସଂକଳ୍ପ ଗ୍ରହଣ କରି ସିଏ ଜଳୁଥିବା କୋଠରୀଟି ଭିତରକୁ ପଶି ଯାଇଥିଲା ଏବଂ ତାହାକୁ ଉଦ୍ଧାର କରି ନେଇ ଆସିଥିଲା । କିନ୍ତୁ, ବାହାରକୁ ବାହାରି ପାରିବା ନିମନ୍ତେ ସେତେବେଳେ ଆଉ କୌଣସି ଉପାୟ ନ ଥିଲା, କାରଣ ସବୁଯାକ ବାଟ ଟି ହିଁ ନିଆଁରେ ହୁତୁ ହୁତୁ ହୋଇ ଜଳିବାରେ ଲାଗିଥିଲା । ପ୍ରହରୀଟି କେବଳ ହାତରେ ଧରିଥିବା ଛବିଟିର କଥା ହିଁ ଚିନ୍ତା କରୁଥାଏ । ଏକ ଉପାୟ ସ୍ୱରୂପ ସେ ନିଜର ଖଣ୍ଡା ଦେଇ ଆପଣାର ଶରୀରରୁ ଫଡ଼ାଏ କାଟି ଦେଇଥିଲା ଏବଂ ତାଦ୍ଦ୍ୱାରା ଛବିଟିକୁ ଯେକୌଣସି ପ୍ରକାରେ ଗୁଡ଼ାଇ ବାନ୍ଧି ଦେଇଥିଲା ଓ ସେଇଟିକୁ ନିଜର ଖୋଲା ତରବାରୀଟିରେ ନେଇ ଗୁନ୍ଥି ଦେଇଥିଲା । ଶେଷକୁ ଯେତେବେଳେ ନିଆଁଟି ନିଭି ଆସିଲା, ସେତେବେଳେ ଲୋକଟିର ଦରଜଳା ଶରୀରଟି ହିଁ ଦେଖିବାକୁ ମିଳିଲା ଏବଂ ତା ଦେହର ସେହି ଫଡ଼ାଟି ତଳେ ଛବିଟି ମଧ୍ୟ ନିରାପଦ ହୋଇ ରହିଥିଲା । ଭାରି ଭୟାନକ ବସ୍ତୁତଃ ଏହି ପ୍ରକାରର କାହାଣୀ ଗୁଡ଼ିକ; ମାତ୍ର ଆମେ କୌଣସି ବହୁମୂଲ୍ୟ କଳାକୃତିକୁ ଯେ କେତେ ଧ୍ୟାନ ଦେଇଥାଉ, ସେଥିରୁ ତାହାର ମଧ୍ୟ ଏକ ଉଦାହରଣ ଅବଶ୍ୟ ମିଳିଯିବ । ଏବଂ ଜଣେ ବିଶ୍ୱସ୍ତ ସୈନିକର ଆନୁଗତ୍ୟ ବିଷୟରେ ମଧ୍ୟ ଉଦାହରଣଟିଏ ।

 

ଏଠାରେ ସର୍ବଦା ମନେ ବି ରହିବା ଉଚିତ ଯେ, ଗୋଟିଏ କଳାକୃତି ଆମକୁ ସତକୁ ସତ କେତେ କ’ଣ କହି ପାରୁଛି, ସେହି କୃତିଟିର ବସ୍ତୁତଃ ତାହାରି ଅନୁସାରେ ଏକ ମୂଲ୍ୟ ରହିବ ହିଁ ରହିବ । ଆମ ସହାନୁଭୂତି ମଧ୍ୟରେ ବିଶ୍ୱଜନୀନତାର ଆବେଦନ ରହିଥିଲେ ସେହି କୃତିଟିର ଭାଷା ମଧ୍ୟ ଅବଶ୍ୟ ବିଶ୍ୱଜନୀନ ହେବ । ମାତ୍ର, ବହୁ ସୀମାଦ୍ୱାରା ଆବଦ୍ଧ ହୋଇ ରହିଥିବା ଆମର ନିଜର ପ୍ରକୃତି, ଆମ ପରମ୍ପରାର ତଥା ଆମ ଚଳଣିଗତ ତାତ୍କାଳିକତା ଗୁଡ଼ିକର ପ୍ରଭାବ ତଥା ଆମର ବଂଶଗତ ସହଜାତ ପ୍ରବୃତ୍ତିମାନେ କଳାର ଆସ୍ୱାଦନ କ୍ଷେତ୍ରରେ ଆମର ପରିଧିମାନଙ୍କୁ ଖୁବ୍ ସୀମାବଦ୍ଧ କରି ହିଁ ରଖିଥାଆନ୍ତି । ଏପରିକି ଆମ ନିଜର ବ୍ୟକ୍ତିତ୍ୱଟା ମଧ୍ୟ ଗୋଟିଏ ଅର୍ଥରେ ଆମ ବୁଝିବାର କ୍ଷେତ୍ରରେ ଏକ ସୀମାକୁ ମଧ୍ୟ ନିର୍ଦ୍ଧାରିତ କରି ଦେଇଥାଏ ଏବଂ ଆମ ସୌନ୍ଦର୍ଯ୍ୟବୋଧୀ ବ୍ୟକ୍ତିସୀମାଟା ଅତୀତର କୃତିମାନଙ୍କ ମଧ୍ୟରେ ପ୍ରଧାନତଃ ଆପଣାର ସାଦୃଶ୍ୟଗୁଡ଼ିକ ବି ଆବିଷ୍କାର କରିବାକୁ ଇଚ୍ଛା କରୁଥାଏ । ଏକଥା ସତ ଯେ, କଳାତ୍ମକ ଆସ୍ୱାଦନ ତଥା ମୂଲ୍ୟବୋଧର କ୍ଷେତ୍ରରେ ଅଧିକରୁ ଅଧିକ ଅନୁଶୀଳନ ହେଉଥିଲେ କ୍ରମେ ବହୁତ କିଛି ଅଧିକ ପ୍ରଶସ୍ତତା ଲାଭ କରେ ଓ ଆମେ ତା’ପରେ କଳାଗତ ଅଭିବ୍ୟକ୍ତିଗୁଡ଼ିକ ବୁଝିବାରେ ବହୁତ ଅଧିକ ନିମନ୍ତେ ଅବଶ୍ୟ ସମର୍ଥ ହୋଇଆସୁ । କିନ୍ତୁ, ସର୍ବୋପରି ଏହି ବିଶ୍ଵସଂସାରରେ ଆମେ କେବଳ ଆପଣାର ପ୍ରତିଫଳନଟିକୁ ହିଁ ଦେଖୁ ଏବଂ ଆମ ନିର୍ଦ୍ଦିଷ୍ଟ ସ୍ୱଭାବଗତ ବିଶିଷ୍ଟତାମାନେ ହିଁ ଆମ ଅବବୋଧର ଶୈଳୀଗୁଡ଼ିକ ନିରୂପଣ କରିଦେଉ ଥାଆନ୍ତି । ତେଣୁ ତାହା ଅନୁଷ୍ଠାନର ପ୍ରସିଦ୍ଧ ଅଗ୍ରଣୀମାନେ ସେମାନଙ୍କର ବ୍ୟକ୍ତିଗତ ଅବଧାରଣା ମଧ୍ୟରେ ଅନୁଭବ କରି ପାରୁଥିବା ମାପ ଏବଂ ଆୟତନଗୁଡ଼ିକ ଅନୁସାରେ ହିଁ ନିଜ ଆବଶ୍ୟକ ବସ୍ତୁଗୁଡ଼ିକ ସଂଗ୍ରହ କରୁଥିଲେ ।

 

ଏହି ସନ୍ଦର୍ଭରେ ଗୋଟିଏ କାହାଣୀ ମନେ ପଡ଼ି ଯାଉଛି । ସେଇଟି ହେଉଛି କୋବୋରି-ଏନ୍‌ଶିଉଙ୍କ କାହାଣୀ । ଆପଣାର ଖାସ୍ ଦ୍ରବ୍ୟଗୁଡ଼ିକର ସଂଗ୍ରହ କରି ପାରୁଥିବା ହେତୁ ଏନ୍‌ଶିଉ ଚାହାରେ ଯେଉଁ ଖାସ୍ ଚମତ୍କାର ସ୍ୱାଦଟିକୁ ସମ୍ଭବ କରି ପାରୁଥିଲେ, ସେଥିଲାଗି ତାଙ୍କୁ ତାଙ୍କ ଶିଷ୍ୟମାନେ ଖୁବ୍ ପ୍ରଶଂସା କରୁଥିଲେ । ଥରେ ସେମାନେ କହିଲେ, “ଏହି ପ୍ରତ୍ୟେକଟି ପଦାର୍ଥ ଏପରି ସଂଗୃହୀତ କରାଯାଇଛି ଯେ, ସମସ୍ତେ ସୁନିଶ୍ଚିତ ଭାବରେ ତାହାର ପ୍ରଶଂସା କରିବେ ଏବଂ ଏଥିରୁ ପ୍ରମାଣିତ ହୋଇଯାଉଛି ଯେ, ରିକିଉଙ୍କଠାରୁ ଆପଣଙ୍କର ହିଁ ଅଧିକ ଆସ୍ୱାଦନଶକ୍ତି ଓ ରୁଚି ରହିଛି । କାରଣ, ତାଙ୍କର ସଂଗ୍ରହଟିକୁ କେବଳ ହଜାରଙ୍କ ଭିତରୁ ହୁଏତ ମାତ୍ର ଜଣେ ହିଁ ପ୍ରଶଂସା କରୁଥିଲେ ।’’ ମୁଖମଣ୍ଡଳରେ ଦୁଃଖର ଏକ ଆବେଶ ଆଙ୍କି ଦେଇ ଏନ୍‌ଶିଉ ଉତ୍ତର ଦେଲେ “ ମୁଁ ପ୍ରକୃତରେ କେତେ ଯେ ଅତ୍ୟନ୍ତ ସାଧାରଣ, ଏଥରୁ ତାହାରି ପ୍ରମାଣ ମିଳୁଛି । ମହାନ୍ ରିକିଉ ତ କେବଳ ସେହି ବସ୍ତୁଗୁଡ଼ିକ ହିଁ ଭଲ ପାଇବାର ସାହସ ଦେଖାଉଥିଲେ, ଯେଉଁ ଗୁଡ଼ିକର ତାଙ୍କପାଇଁ ଏକ ବ୍ୟକ୍ତିଗତ ଆବେଦନ ରହିଥିଲା ଏବଂ ଅପର ପକ୍ଷରେ ମୁଁ ତ କେବଳ ବହୁମାନଙ୍କର ପକ୍ଷଟିର ରୁଚି ଅନୁସାରେ ନିତାନ୍ତ ଚେତନାଶୂନ୍ୟ ଭାବରେ ଚାହା ତିଆରି କରି ଯୋଗାଇ ଦେବାରେ ଲାଗିଛି-। ତେଣୁ ଏକ ସଂପୂର୍ଣ୍ଣ ସତ୍ୟ କଥା ଯେ, ରିକିଉ ଚାହା-ଆପ୍ୟାୟନ କ୍ଷେତ୍ରରେ ପ୍ରବୀଣ ମାନଙ୍କ ମଧ୍ୟରେ ହଜାର ଜଣରେ ହିଁ ଜଣେ ଥିଲେ ।”

 

ବହୁତ ବହୁତ ଅନୁଶୋଚନାର ବିଷୟ ଯେ, ଆମର ଏହି ଆଧୁନିକ ସମୟରେ ଯାବତୀୟ ବାହ୍ୟ ଅବସରମାନଙ୍କରେ କଳାପ୍ରତି ଏତେ ଯେଉଁସବୁ ଉତ୍ସାହର ପ୍ରଦର୍ଶନ ଇତ୍ୟାଦି ହେବାରେ ଲାଗିଛି, ପ୍ରକୃତ ଅନୁଭୂତିର କ୍ଷେତ୍ରରେ ତାହାର ଆଦୌ କିଛି ହେଲେ ମୂଳଦୁଆ ହିଁ ଦେଖିବାକୁ ମିଳିବନାହିଁ । ଗଣତନ୍ତ୍ରର ଏହି ଯୁଗରେ, ଯାହାକୁ ଦାଣ୍ଡରେ ଶୁଭୁଥିବା ତୁଣ୍ଡମାନଙ୍କରେ ସବୁଠାରୁ ଶ୍ରେଷ୍ଠ ବୋଲି କୁହାଯାଉଛି, ଆପଣାର ସତ ଅନୁଭୂତି ଗୁଡ଼ିକ ଉପରେ କୌଣସି ଦୃଷ୍ଟି ନ ପକାଇ ହିଁ ଲୋକମାନେ ସେହିଗୁଡ଼ିକ ସକାଶେ ବେଶ୍ ଉଚ୍ଚାଟିତ ହୋଇ ପଡ଼ୁଛନ୍ତି । ସେମାନଙ୍କର ଜାଣିବାରେ ଯାହାକୁ ପାଇବା ଲାଗି ବେଶୀ ପଇସା ଦେବାକୁ ହେଉଛି, ସେମାନଙ୍କ ପାଖରେ ମଧ୍ୟ ସେହିଗୁଡ଼ିକ ହିଁ ସଂପତ୍ତିରୂପେ ରହିବା ଉଚିତ । ରୁଚି ବିଷୟରେ କୌଣସି ବିଚାର କରିବାର ପ୍ରୟୋଜନ ହିଁ ନାହିଁ ।

 

ଯେଉଁସବୁ ପଦାର୍ଥ ଅଧିକ ଫେଶନିଆ ହୋଇଛି, ସେହିଗୁଡ଼ିକ ଦରକାର; ସୌନ୍ଦର୍ଯ୍ୟ ବିଷୟରେ କୌଣସି ଧ୍ୟାନ ଦେବାର ଆବଶ୍ୟକତା ହେଉନାହିଁ । ସାଧାରଣ ଜନସମୁଦ୍ରଟି ଲାଗି ଚିତ୍ରବହୁଳ ପତ୍ରପତ୍ରିକା, ସେମାନଙ୍କର ନିକଟପରିଚିତ ଶିଳ୍ପବାଦଟାର

 

କେଡ଼େ ଯୋଗ୍ୟ ଏହି ଉଦ୍‌ଭାବନଟି,–ନ୍ୟାୟତଃ ସେହିଗୁଡ଼ିକ ବିଷୟରେ ମଥା ଖେଳାଇ କଳାତ୍ମକ ରସ-ଉପଲବ୍ଧିର ତର୍ପଣମାନ ଖୁବ୍ ମିଳିଯାଉଛି । ସେମାନେ ଅଭ୍ୟସ୍ତ ଭାବରେ କେବଳ ସେହିଗୁଡ଼ିକୁ ହିଁ ହଜମ କରି ପାରୁଛନ୍ତି । ପୂର୍ବତନ ଗୋଟିଏ କାଳରେ ଇଟାଲୀ ଦେଶର ତଥା ସେମାନଙ୍କ ନିଜ ଦେଶର ଆଶିକାଗା ମହାଶିଳ୍ପୀମାନେ ଯାହା କରୁଥିଲେ, ଏମାନେ ସେ କଥା ଆଦୌ କରୁନାହାନ୍ତି ଅଥଚ ଛଳନା କରି ସେମାନଙ୍କର କେତେ ଉଚ୍ଚ ପ୍ରଶଂସା କରିପାରୁଛନ୍ତି । କୌଣସି କଳାକାର ଦ୍ଵାରା ସୃଷ୍ଟ ହୋଇଥିବା କୃତିଟିର ବିଶେଷତା ଗୁଡ଼ିକ ଅପେକ୍ଷା ତା’ର ନାମଟା ହିଁ ସତେ ଯେପରି ଅଧିକ ମୂଲ୍ୟବାନ ହୋଇ ରହିଛି । ଜଣେ ଚୀନା କଳାସମୀକ୍ଷକ ବହୁ ଶତାବ୍ଦୀ ପୂର୍ବେ ଯେପରି ଅଭିଯୋଗ କରିଥିଲେ, “ନିଜର କର୍ଣ୍ଣେନ୍ଦ୍ରିୟଟାକୁ କାମରେ ଲଗାଇ ହିଁ ଲୋକମାନେ ଏକ ଅଙ୍କିତ କଳାଶିଳ୍ପର ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି ।” ଅର୍ଥାତ୍ ପ୍ରକୃତ ମୂଲ୍ୟାୟନର ଅଭାବ ହେତୁ ଏବେ ଯେଉଁଆଡ଼େ ଯାଇ ଖୋଜିବସିଲେ ପ୍ରଧାନତଃ ଅପାଣାକୁ କ୍ଲାସିକ୍ ବୋଲି କହି କପଟ କରୁଥିବା ଭୟଙ୍କରତା ଗୁଡ଼ିକ ହିଁ ସର୍ବତ୍ର ଆମର ଆଖିମାନଙ୍କ ପାଇଁ ଭରପୂର ହୋଇ ରହିଛି ।

 

ଆଉ ଗୋଟିଏ ସାଧାରଣ ଭୁଲ ହେଉଛି ଯେ, ଆମେ କଳାକୁ ଅନେକ ସମୟରେ ପ୍ରାୟ ଏକ ପୁରାତତ୍ତ୍ୱ-ବିଜ୍ଞାନ ସହିତ ଏକତ୍ର ଗୋଳେଇ ଘାଣ୍ଟି ଦେଉଛୁ । ପୁରାତନ ସମୟର କୌଣସି ବସ୍ତୁ କିମ୍ବା ବିଷୟ ନିମନ୍ତେ ଗୋଟିଏ ସମ୍ଭ୍ରମର ଦୃଷ୍ଟି ପୋଷଣ କରିବା-ଏଇଟି କାଳେ କାଳେ ମନୁଷ୍ୟ-ଜୀବନର ଏକ ସର୍ବୋତ୍ତମ ଚରିତ୍ର ହୋଇ ରହିଆସିଛି । ଏବଂ, ଆମେ ସକଳେ ଯେ ସେହି ଚରିତ୍ରଟିର ଅନୁଶୀଳନ କରିବା, ସେଥିରେ କୌଣସି ସନ୍ଦେହ ନାହିଁ । ପୁରାତନ ଯୁଗର ପ୍ରଖ୍ୟାତ ଶିଳ୍ପୀମାନେ ଭବିଷ୍ୟତର ପୀଢ଼ି ଗୁଡ଼ିକର ସନ୍ଦୀପନ ନିମନ୍ତେ କେତେ କେତେ ମାର୍ଗକୁ ଉନ୍ମୋଚନ କରାଇ ନେଇଛନ୍ତି । ସେଥିଲାଗି ଆମ ସମସ୍ତଙ୍କର ସମ୍ମାନ ଲାଭ କରିବାକୁ ସେମାନଙ୍କର ନିଶ୍ଚୟ ଅଧିକାର ରହିଛି । ଶତାବ୍ଦୀ ଶତାବ୍ଦୀର ଅନେକ ସମୀକ୍ଷା ଓ ସମାଲୋଚନା ସତ୍ତ୍ୱେ ସେମାନେ ତଥାପି ଅକ୍ଷୁର୍ଣ୍ଣ ହୋଇ ରହିଛନ୍ତି ଏବଂ ଆପଣାର ପୂର୍ବ ଗୌରବ ଗୁଡ଼ିକ ବହନ କରି ଆମମାନଙ୍କ ଯାଏ ଆସି ପାରିଛନ୍ତି, ତାହା ହିଁ ସେମାନଙ୍କୁ ଆମ ସମ୍ମାନର ଅବଶ୍ୟ ଅଧିକାରୀ କରାଇ ରଖିଥିବ । କିନ୍ତୁ, ଯଦି ଆମେମାନେ ସେମାନେ କେବଳ ଏତେ ଏତେ ବର୍ଷର ଜଣେ ପୁରାତନ ଚିତ୍ରସ୍ରଷ୍ଟା ବୋଲି ହିଁ ସେମାନଙ୍କର କୃତିଗୁଡ଼ିକୁ ବହୁତ ମୂଲ୍ୟବାନ ବୋଲି କହିବାରେ ଲାଗିଯିବା, ତେବେ ତାହା ଆମ ନିର୍ବୋଧତାର ପରିଚୟ ଦେବ । ତଥାପି, ଏହିପରି ହିଁ ବହୁତ ସମୟରେ ହୁଏ ଯେ, ବର୍ଷ ଗଣି ମୂଲ୍ୟ ନିରୂପଣ କରିବାର ଆମ ସହାନୁଭୂତି ଆମ ସୌନ୍ଦର୍ଯ୍ୟବୋଧର ବିବେକଟିକୁ ଅତ୍ୟନ୍ତ ଆଛନ୍ନ କରି ରଖିଥାଏ । ଜଣେ କଳାକାର କେଡ଼େ ନିରାପଦ ଭାବରେ ନିଜ ସମାଧିଟି ମଧ୍ୟରେ ଯାଇ ବିଶ୍ରାମ ଗ୍ରହଣ କରୁଥାନ୍ତି ଓ ଆମେ ତାଙ୍କ ଉପରେ ନେଇ ପ୍ରଶଂସାର କୁଢ଼ କୁଢ଼ ଫୁଲ ଗଦା କରିଦେବାରେ ଲାଗିଥାଉ । ଉନବିଂଶ ଶତାବ୍ଦୀରେ ଯେତେବେଳେ ବିବର୍ତ୍ତନବାଦର ସିଦ୍ଧାନ୍ତଟି ବହୁତ ପ୍ରଭାବଶୀଳ ହେବାକୁ ଆରମ୍ଭକଲା, ତାହାରି ଫଳରେ ଗୋଟିଏ ସମୂହ ବା ଖୁଆଡ଼ ଭିତରେ ବ୍ୟକ୍ତିଟିକୁ ସତେଅବା ମୋଟେ ଦେଖି ନ ପାରିବାର ଅଭ୍ୟାସଟିଏ ଆମକୁ ଅଧିକାର କରିନେଲା । କୌଣସି ଏକ ନିର୍ଦ୍ଦିଷ୍ଟ କାଳ ଅଥବା ପ୍ରକାରର ଉଦାହରଣକୁ ପ୍ରଦାନ କରିବାର ଅଭିପ୍ରାୟରେ ଜଣେ ସଂଗ୍ରହକାରୀ ଆବଶ୍ୟକ ନମୁନାଗୁଡ଼ିକୁ ସଂଗ୍ରହ କରିବା ପାଇଁ ବେଶ୍ ବ୍ୟସ୍ତସମସ୍ତ ହୋଇପଡ଼ିଲେ ଏବଂ ସେହି ପ୍ରକ୍ରିୟାରେ ବେଶ୍ ଭୁଲି ବି ଗଲେ ଯେ, କୌଣସି ଏକ କାଳ ଅଥବା ବର୍ଗର କେବଳ ଗୋଟିଏ ମାତ୍ର ଶ୍ରେଷ୍ଠକୃତି ହିଁ ସାମାନ୍ୟ ସ୍ତରର ବହୁସଂଖ୍ୟକ ନମୁନା ଅପେକ୍ଷା ଆମକୁ ସେହି କାଳ ତଥା ବର୍ଗ ବିଷୟରେ ସମଧିକ ପରିଚୟ ଅବଶ୍ୟ ପ୍ରଦାନ କରି ପାରିବ । ଆମେ ତ ଅତିମାତ୍ରାରେ ସବୁ କିଛିକୁ ଆଣି ଗୋଟିଏ ଗୋଟିଏ ଶ୍ରେଣୀରେ ଆଣି ପକାଇ ଦେବାରେ ଅଭ୍ୟସ୍ତ ହୋଇ ଯାଇଛୁ ଓ ସେହି କାରଣରୁ ଖୁବ୍ ଅଳପ ମାତ୍ରାରେ ହିଁ କଳାତ୍ମକ ସ୍ଵାଦଲାଭ କରିପାରୁଛୁ । ପ୍ରଦର୍ଶନର ଏହି ତଥାକଥିତ ବୈଜ୍ଞାନିକ ପ୍ରଣାଳୀ ନିମନ୍ତେ ସୌନ୍ଦର୍ଯ୍ୟର ଅନୁଭବଟିକୁ ବିସର୍ଜନ ଦେବା ହିଁ ଏକାଧିକ ସଂଗ୍ରହାଳୟର ଏକ ଅଭିଶାପରେ ହିଁ ପରିଣତ ହୋଇଛି ।

 

ଜୀବନର କୌଣସି ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ ସମକାଳୀନ କଳାର ଅଧିକାର ଗୁଡ଼ିକୁ କଦାପି ଅବଜ୍ଞା କରାଯାଇ ପାରିବ ନାହିଁ । ଆଜିର କଳା ହେଉଛି ବସ୍ତୁତଃ ଏପରି ଏକ ସମ୍ପଦ, ଯାହାକୁ କି ସକଳ ଅର୍ଥରେ ଆମ ନିଜର ବୋଲି କୁହାଯାଇ ପାରିବ; ତାହା ଆମ ଜୀବନଟିର ହିଁ ପ୍ରତିଫଳନ କରାଉଛି । ତେଣୁ, ତାହାର ନିନ୍ଦାଗାନ କରି ଆମେ ପ୍ରକୃତରେ ଆପଣାର ହିଁ ନିନ୍ଦାଗାନ କରୁଛୁ । ଏହି ଏବର ଯୁଗରେ କଳା ବୋଲି ଆଦୌ କିଛି ନାହିଁ ବୋଲି ଆମେ ଖୁବ୍ କହିବାରେ ଲାଗିଛୁ । ମାତ୍ର ଏଥିଲାଗି ପୁଣି କିଏ ପ୍ରକୃତରେ ଦାୟୀ ? ବସ୍ତୁତଃ ଅତ୍ୟନ୍ତ ଲଜାର କଥା ଯେ, ସେହି ଅତୀତ କାଳର ମହା ମହା ମାନଙ୍କ ବିଷୟରେ ଆମର ସବୁକିଛି ପ୍ରଶଂସାଗାନ ସତ୍ତ୍ୱେ ଆମେ ସ୍ୱୟଂ ନିଜର ସମ୍ଭାବନାଗୁଡ଼ିକ ଲାଗି ନିତାନ୍ତ କମ୍ ମନୋନିବେଶ କରୁଛୁ । ସଂଘର୍ଷରତ କେତେ କଳାକାର ତଥା ନିତାନ୍ତ ପରିଶ୍ରାନ୍ତ ଆତ୍ମାମାନେ ସତେଅବା ବଡ଼ ଉଷ୍ମତାହୀନ ହେୟଭାବ ମଧ୍ୟରେ ଛାୟାଚ୍ଛନ୍ନ ଭାବରେ କାଳାତିପାତ ହିଁ କରୁଛନ୍ତି । ଆମର ଏହି ଅତ୍ୟନ୍ତ ଆତ୍ମକୈନ୍ଦ୍ରିକ ଶତାବ୍ଦୀଟିରେ ସେମାନଙ୍କୁ ଆମେ ସତକୁ ସତ କ’ଣ ପ୍ରେରଣା ଯୋଗାଇ ଦେଇ ବା ପାରୁଛୁ ? ଆମର ଏହି ସଭ୍ୟତାଟିର ଦାରିଦ୍ର୍ୟମାନଙ୍କୁ ଲକ୍ଷ୍ୟକରି ସମ୍ଭବତଃ ସେହି ଅତୀତ ତ ଖୁବ୍ ଦୟା ବି ଅନୁଭବ କରୁଥିବ ଏବଂ ଆମ କଳାତ୍ମକତାର ତୁଚ୍ଛା ନିଷ୍ଫଳତା ଗୁଡ଼ିକୁ ଦେଖି ଭବିଷ୍ୟତଟି ମଧ୍ୟ ନିଶ୍ଚୟ ଖୁବ୍ ହସିବ । ଏବଂ, ଆମେ ଆମ ଜୀବନର ସୌନ୍ଦର୍ଯ୍ୟ ନାମକ ସେହି ଉପାଦାନଟିକୁ କେବଳ ଉଜାଡ଼ି ପକାଇବାରେ ଲାଗିଥିବା ଦ୍ଵାରା କଳାକୁ ମଧ୍ୟ ଉଜାଡ଼ି ଦେବାରେ ଲାଗିଛୁ । ହୁଏତ ଆଗାମୀ ଏକ ଖାସ୍ ପର୍ଯ୍ୟାୟରେ ଏପରି ଜଣେ ମହାଶକ୍ତିଶାଳୀ କଳାସୃଷ୍ଟିକାରୀର ସାଂପ୍ରତିକ ସମାଜର ଏହି ବୃକ୍ଷ-ଗଣ୍ଡିଟାରୁ ଆବିର୍ଭାବ ଘଟିବ, ଯିଏକି ଏପରି ଗୋଟିଏ ବୀଣାକୁ ସାକାର କରିଦେବ, ଯାହାର ତନ୍ତ୍ରୀମାନଙ୍କରୁ ଅସଲ ପ୍ରତିଭାର ଧ୍ୱନିମାନେ ଅବଶ୍ୟ ପୁନର୍ଜ୍ଜୀବିତ ହୋଇ ଉଠିବେ ।

Image

 

ପୁଷ୍ପରାଶି

 

ଏକ ବସନ୍ତକାଳୀନ ପ୍ରତ୍ୟୁଷର ଶିହରଣପୂର୍ଣ୍ଣ ଧୂସରତାରେ, ଯେତେବେଳେ ବୃକ୍ଷମାନଙ୍କର ଅନ୍ତରାଳରେ ଥାଇ ବିହଙ୍ଗମମାନେ ଏକ ରହସ୍ୟମୟ ମୂର୍ଚ୍ଛନାରେ ନିଜ ନିଜ କାନରେ କ’ଣ ସବୁ କଥା କହିବାରେ ଲାଗି ଥାଆନ୍ତି, ସେତେବେଳେ କ’ଣ ଆପଣମାନେ କେବେହେଲେ ଅନୁଭବ କରି ନାହାନ୍ତି ଯେ ପ୍ରକୃତରେ ସେମାନେ ନିଜ ନିଜର ସାଥିମାନଙ୍କୁ ଏହି ଫୁଲଗୁଡ଼ିକ ବିଷୟରେ ହିଁ କ’ଣ ସବୁ କହିବାରେ ଲାଗିଥିଲେ ? ଏବଂ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ସେହି ଫୁଲମାନଙ୍କର ଶୋଭାରେ ମୁଗ୍ଧ ଚକିତ ହୋଇ ପ୍ରଶଂସା କରି ମନୁଷ୍ୟମାନେ କିଛି କହିବା ସହିତ ସେହି କାଳରୁ ହିଁ ସେମାନଙ୍କର ପ୍ରେମ କବିତାମାନ ରଚନା କରିବାର ରୀତିଟି ମଧ୍ୟ ଅବଶ୍ୟ ପ୍ରଚଳିତ ହୋଇ ଆସିଛି । ପୂର୍ଣ୍ଣ ପ୍ରାକୃତିକ ଭାବ ଓ ମାଧୁରୀରେ ଭରି ରହିଥିବା, ଆପଣାର ନୀରବତା ହେତୁ ହିଁ ସୁରଭି ବିଞ୍ଚି ଦେଉଥିବା ଗୋଟିଏ ଫୁଲ ବ୍ୟତୀତ ଏପରି କେଉଁ ଅନ୍ୟ ଏକ ବସ୍ତୁ କେଉଁଠି ରହିଛି, ଯେଉଁଥି ମଧ୍ୟରେ କି ଆମେ ଏକ କୁମାରୀ ଆତ୍ମା ଆପଣାକୁ ଉନ୍ମୋଚିତ କରି ଆଣୁଥିବାର କଳ୍ପନା କରିପାରିବା ? ସେହି ଆଦି ପ୍ରାଚୀନ ପ୍ରଥମ ମନୁଷ୍ୟ ଆପଣାର ବାଳିକାଟିର ନିକଟବର୍ତ୍ତୀ ହୋଇ ସର୍ବପ୍ରଥମ ପୁଷ୍ପମାଳଟିକୁ ନିବେଦିତ କରିଦେବାଦ୍ୱାରା ହିଁ ଆପଣା ଭିତରର ପଶୁଟାକୁ ଅତିକ୍ରମ କରି ଯାଇପାରିଲା । ଏବଂ, ସେହି ଉତ୍ତୋଳନଟିଦ୍ୱାରା ହିଁ ସିଏ ଏଯାଏ ବଞ୍ଚି ଆସିଥିବା ନିଜର ପ୍ରକୃତି-ଅଧୀନ ଜୀବନର ପ୍ରୟୋଜନ ଗୁଡ଼ିକର ସ୍ତରରୁ ଉର୍ଦ୍ଧ୍ୱକୁ ଉଠିଯାଇ ପାରିଥିଲା । ସେହି ତଥାକଥିତ ଅନାବଶ୍ୟକତାଟିର ସୂକ୍ଷ୍ମ ପ୍ରୟୋଜନଟିର ଅନୁଭବ ସହିତ ହିଁ ସେ କଳାର ରାଜ୍ୟରେ ଯାଇ ପ୍ରବେଶ କଲା ।

 

ଆନନ୍ଦ ଅଥବା ନିରାନନ୍ଦ ଯେଉଁ ସ୍ଥିତିଟି ରହିଥାଉ ପଛକେ, ଏହି ଫୁଲମାନେ ହିଁ ସର୍ବଦା ଆମର ସାଥୀ ହୋଇ ରହିଥାନ୍ତି । ସେହିମାନଙ୍କ ସହଚାରିତାରେ ହିଁ ଆମେ ପାନ ଓ ଭୋଜନ କରୁ, ଗାଉ, ନାଚୁ ଏବଂ ସେମାନଙ୍କ ସହିତ ପ୍ରୀତିବଦ୍ଧ ହୋଇ ରହିଥାଉ । ସେମାନଙ୍କ ସହିତ ପ୍ରତ୍ୟୟରେ ଆବଦ୍ଧ ହେଉ ଏବଂ ସେଗୁଡ଼ିକ ଅନୁସାରେ ପରସ୍ପରର ନାମକରଣ କରିଥାଉ । ଆମେ ତ ସମସ୍ତେ କଇଁଫୁଲରେ ପୂଜା ଓ ଅର୍ଚ୍ଚନାମାନ କରୁ, ପଦ୍ମଫୁଲକୁ ସମ୍ମୁଖରେ ରଖି ଧ୍ୟାନସ୍ଥ ହେଉ, ଗୋଲାପ ଏବଂ ସେବତୀ ଫୁଲର ପ୍ରତୀକ ଧାରଣ କରି ଯୁଦ୍ଧମାନ ଯୁଝିବାକୁ ଯାଇଥାଉ । ଏପରିକି ସେହି ଫୁଲମାନଙ୍କର ଭାଷାରେ ଆମେ କଥା କହିପାରିବା ଲାଗି ମଧ୍ୟ ଚେଷ୍ଟା କରି ଆସିଛୁ । ସେମାନଙ୍କୁ ବାଦ୍ ଦେଲେ ନିଜ ଜୀବନଟିକୁ ମଧ୍ୟ ବଞ୍ଚିବା ମଧ୍ୟ ଆଦୌ କିପରି ସମ୍ଭବ ହୁଅନ୍ତା ! ଯେଉଁଠାରେ ଫୁଲମାନେ ନଥିବେ, ଏଭଳି ଏକ ଜଗତର କଳ୍ପନା କରିବାକୁ ତ ଆମକୁ ଭୟ ଲାଗୁଥିବ ! ଆମେ କେହି ନା କେହି ରୋଗରେ ପୀଡ଼ିତ ହୋଇ ପଡ଼ିବା ସମୟରେ ସେମାନେ ପ୍ରକୃତରେ କେତେ ସାନ୍ତ୍ୱନା ନ ଦିଅନ୍ତି ! ନିଜର ଆତ୍ମା ଭିତରେ କ୍ଳାନ୍ତବତ୍ ଅନୁଭବ କରୁଥିବାର ମୁହୂର୍ତ୍ତ ଗୁଡ଼ିକରେ ସେହି ଅନ୍ଧାର ମଧ୍ୟକୁ ଫୁଲମାନେ ହିଁ ତ ଆଲୋକର ସଞ୍ଚାର କରି ଆଣନ୍ତି ! ସେହି ଫୁଲମାନଙ୍କର ସଦାପ୍ରଶାନ୍ତ କୋମଳତା ଏହି ପୃଥିବୀଟିରେ ଆମେ ହରାଇ ବସୁଥିବା ପରି ମନେ ହେଉଥିବା ବିଶ୍ୱାସଟିକୁ ପୁନର୍ବାର ଆଣି ଭରି ଦେଇଥାଏ; ଗୋଟିଏ ସାନ ପିଲାର କେଡ଼େ ସୁନ୍ଦର ମୁହଁଟିକୁ ନିରୀଖି ଅନାଇବାଦ୍ୱାରା ଯେପରି ଆମର ହଜି ଯାଇଥିବା ଆଶାମାନେ ପୁନର୍ବାର ଫେରି ଆସନ୍ତି, ଆପଣାର ମୃତ୍ୟୁ ଅନ୍ତେ ନିଜର ସମାଧି ଭିତରେ ନିବୁଜ ହୋଇ ରହିଥିବା ସମୟରେ ସେହି ପୁଷ୍ପରାଶି ହିଁ ବସ୍ତୁତଃ ସମଦୁଃଖୀ ହୋଇ ସେହି ସମାଧି ଗୁଡ଼ିକ ଉପରେ ବିଦ୍ୟମାନ ରହିଥାନ୍ତି ।

 

ଯେତେ ଦୁଃଖପୂର୍ଣ୍ଣ ହୋଇଥିଲେ ମଧ୍ୟ ତଥାପି ଆମେ ଏହି ସତ୍ୟ କଥାଟିକୁ ଘୋଡ଼ାଇ ରଖି ପାରିବା ନାହିଁ ଯେ ସେହି ଫୁଲଗୁଡ଼ିକ ସହିତ ଆମ ସାହଚର୍ଯ୍ୟର କ୍ଷେତ୍ରରେ ଆମେ ନିଜର ସେହି ପଶୁସ୍ତରରୁ ପ୍ରକୃତରେ ଖୁବ୍‌ ବେଶୀ ଉର୍ଦ୍ଧ୍ୱକୁ ଆସି ପାରିନାହୁଁ । ହଁ, ଉପରେ ପରିହିତ ହୋଇ ରହିଥିବା ମେଷଚର୍ମଟାକୁ ଉତାରି ଦେବା ମାତ୍ରକେ ଭିତରେ ଥିବା ଗଧିଆଟା ହିଁ ସଂଗେ ସଂଗେ ଦାନ୍ତଗୁଡ଼ାକୁ ଦେଖାଇ ବାହାରି ଆସିବ । ଏପରି କଥାଟିଏ ରହିଛି ଯେ ଜଣେ ମନୁଷ୍ୟ ତାକୁ ଦଶବର୍ଷ ବୟସ ହୋଇଥିବା ସମୟରେ ଏକ ପଶୁ ହୋଇ ରହିଥାଏ, କୋଡ଼ିଏ ବର୍ଷରେ ଗୋଟିଏ ପାଗଳରେ ପରିଣତ ହୁଏ ଏବଂ ତିରିଶି ବର୍ଷ ହେଲେ, ସଂପୂର୍ଣ୍ଣ ଭାବରେ ବିଫଳ ହୋଇ ଯାଇଥିବାର ପ୍ରମାଣ ଦେଉଥାଏ । ଚାଳିଶି ବର୍ଷରେ ଧୂର୍ତ୍ତ ପାଲଟେ ଏବଂ ପଚାଶ ବର୍ଷରେ ପୂରା ଅପରାଧୀ ହୋଇ ବାହାରେ । କାରଣ, ସେତେବେଳେ ମଧ୍ୟ ସିଏ କେବଳ ସେହି ପ୍ରାଣୀଟାଏ ହୋଇ ହିଁ ରହିଥାଏ । ଆମ ପାଖରେ ଆମ ନିଜର ସେହି ବୁଭୁକ୍ଷାଟା ବ୍ୟତୀତ ଆଉ କ’ଣ ବା ରହିଥାଏ, ଆମ ବାସନା ଗୁଡ଼ିକ ବ୍ୟତୀତ ଆଉ କ’ଣ ଲାଗି ବି ପବିତ୍ର ବୋଲି ଆଦୌ କିଛି ରହିଥାଏ ! ଆମ ଆଖି ଆଗରେ କେତେ ନା କେତେ ମନ୍ଦିର ଭାଙ୍ଗିରୁଜି ଯାଇଛନ୍ତି; କିନ୍ତୁ ତଥାପି ସେହି ଗୋଟିଏ ମାତ୍ର ବେଦୀ ହିଁ ଆମ ପାଇଁ ସତେ ଅବା ଚିରସ୍ଥାୟୀ ହୋଇ ରହିଛି: ସେହି ବେଦୀଟି ଉପରେ ତ ଆମେ ଏକମାତ୍ର ଦେବତା ବୋଲି ମାନୁଥିବା ପିତୁଳାଟିକୁ ସର୍ବଦା ଧୂପଗୁଡ଼ିକୁ ନିବେଦନ କରି ଆସିଛୁ । ସେହି ପିତୁଳାଟି ହେଉଛି ଆମେ ନିଜେ-କେବଳ ନିଜେ । ଆମର ଈଶ୍ଵର ହେଉଛନ୍ତି, ଜଣେ କେଡ଼େ ବୃହତ୍ ଈଶ୍ୱର ଏବଂ ପଇସା ହେଉଛି ତାଙ୍କର ସନ୍ଦେଶବାହକ ଦୂତ ! ତାଙ୍କ ପାଖରେ ଆଣି ବଳି ଚଢ଼ାଇବାର ଉଦ୍ଦେଶ୍ୟରେ ଆମେ ଏହି ସମଗ୍ର ପ୍ରକୃତିଟାକୁ ଧ୍ୱଂସ ଛାରଖାର କରିଦେବାରେ ଲାଗିଛୁ । ଖୁବ୍ ଦମ୍ଭର ସହିତ ବି କହୁଛୁ ଯେ, ଆମେ ବସ୍ତୁ ତଥା ଜଡ଼ ଉପରେ ପୂର୍ଣ୍ଣ ବିଜୟ ହାସଲ କରିଛୁ ଏବଂ ଖୁବ୍ ପାସୋରି ପକାଉଛୁ ଯେ, ସେହି ଜଡ଼ଟା ହିଁ ଆମକୁ ତାହାର ଦାସଟିଏ କରି ରଖିଛି । ଏବଂ, ସଂସ୍କୃତି ତଥା ରୁଚିଯୁକ୍ତ ଜୀବନର ଦ୍ୱାହି ଦେଇ ଆମେ କେତେ ନା କେତେ ନୃଶଂସ ଆଚରଣ ନ କରୁଛୁ !

 

ତେଣୁ ହେ ଏଡ଼େ କୋମଳ ତୁମେ ଫୁଲମାନେ କହିଲ, ନକ୍ଷତ୍ରମାନଙ୍କର ହେ ଲୋତକ ବିନ୍ଦୁମାନେ, କହିଲ, ଫୁଲର ଏକ ବଗିଚାରେ ଫୁଟିଥିବା ସମୟରେ ଏବଂ ଯୂଥ ଯୂଥ ମହୁମାଛି ସକାଳର କାକର ଠୋପା ଏବଂ ସୂର୍ଯ୍ୟରଶ୍ମିଗୁଡ଼ିକ ବିଷୟରେ ଗୁଣୁ ଗୁଣୁ ହୋଇ ଗୀତ ଗାଇବାରେ ଲାଗିଥିବା ମହୁମାଛିଗଣଙ୍କ ଉଦ୍ଦେଶ୍ୟରେ ନିଜର ମୁଣ୍ଡଗୁଡ଼ିକୁ ହଲାଉଥିବା ବେଳେ ତୁମମାନଙ୍କ ନିମନ୍ତେ ଯେଉଁ ଭୟାବହ ମହାଦୁର୍ଭାଗ୍ୟ ଅପେକ୍ଷା କରି ରହିଛି, ତୁମ୍ଭେମାନେ ସେଇଟି ବିଷୟରେ ସତକୁ ସତ ଆଦୌ କିଛି ହେଲେ ଜାଣିଥାଅ କି ? ତେବେ, ଠିକ ଏହିପରି ବାୟୁଦ୍ଵାରା ଦୋହଲିବାରେ ହିଁ ଲାଗିଥାଅ, କ୍ରୀଡ଼ା କରୁଥାଅ ଓ ସ୍ଵପ୍ନ ହିଁ ଦେଖୁଥାଅ,–ସମୟଟି ଥିବାଯାଏ ଏହି ଧୀର ବସନ୍ତ ପବନରେ ମୁଣ୍ଡ ହଲାଉଥାଅ । ଆଗକୁ ଏପରି ଦିନଟିଏ ଆସୁଛି, ଯେତେବେଳେ କି ଗୋଟିଏ ନିର୍ଦ୍ଦୟ ହାତ ଆସି ତୁମର ତଣ୍ଟିଗୁଡ଼ିକୁ ଚିପି ଧରିବ । ତୁମର ଶ୍ୱାସରୁଦ୍ଧ ହେବ ଏବଂ ତୁମର ପାଖୁଡ଼ା ଗୁଡ଼ିକ ସଂପୂର୍ଣ୍ଣ ଭାବରେ ଛିନ୍ନଭିନ୍ନ ହୋଇଯିବେ । ତୁମମାନଙ୍କୁ କିଏ ସତେ ଅବା ଆସି ତୁମର ଏହି ନୀରବ ଶଯ୍ୟାଟିରୁ ଉଡ଼ାଇ ହିଁ ନେଇ ଯାଉଥିବେ । ସେହି କରାଳ ହାତଟା କେଡ଼େ ସଂବେଦନାରହିତ ହୋଇ ତାହା କରିବାରେ ନ ଲାଗିଥିବ ! ତୁମର ରକ୍ତଟା ତା’ ଆଙ୍ଗୁଠି ଗୁଡ଼ାକରେ ବୋଳି ହୋଇ ରହିଥିଲେ ମଧ୍ୟ ତୁମେ ସବୁ ପ୍ରକୃତରେ କେତେ କମନୀୟ ଦେଖା ଯାଉଛି ବୋଲି ତୁମମାନଙ୍କୁ କହିବାରେ ବି ଲାଗିଥିବ । କହତ ଦେଖି, ଏଇଟିକୁ ତା’ର ଦୟା ବୋଲି ଆଦୌ କୁହାଯିବ କି ? ହଁ, ଏପରି ମଧ୍ୟ ଘଟିପାରେ ଯେ, ଯାହାକୁ ତୁମେ ଅତ୍ୟନ୍ତ ଦୟାଶୂନ୍ୟ ବୋଲି ଜାଣିଥିବ ବା ତାହାରି ମସ୍ତକର କେଶରାଶି ମଧ୍ୟରେ ହିଁ ତୁମର ଭାଗ୍ୟଟା ଯାଇ ବନ୍ଦୀ ହୋଇ ରହିଥିବ, ଅଥବା ଯଦି ତୁମେ ଜଣେ ମନୁଷ୍ୟ ହୋଇଥାନ୍ତ, ତେବେ ତୁମର ମୁହଁ ଆଡ଼କୁ ଥରେ ମଧ୍ୟ ଅନାଇବା ସକାଶେ ଇଚ୍ଛା କରୁ ନ ଥିବା କୌଣସି କାହାର ବୋତାମରେ ଯାଇ ଖୋସା ହୋଇଥିବ-। କିମ୍ବା, ତୁମର ଏଭଳି ଦୁର୍ଭାଗ୍ୟଟିଏ ମଧ୍ୟ ହୋଇପାରେ ଯେ ଭଟ୍ଟା ପଡ଼ି ଆସୁଥିବା କୌଣସି ବ୍ୟକ୍ତିର ଗୋଟିଏ ଉନ୍ମତ୍ତପ୍ରାୟ ତୃଷାର ପରିତୃପ୍ତି ନିମନ୍ତେ ତୁମେ ଯାଇ ତୁଚ୍ଛା ପଚା ପାଣି ଭରି ହୋଇ ରହିଥିବା କୃଶ ଫୁଲଦାନୀଟାଏ ଭିତରେ ପଡ଼ି ରହିବାକୁ ବି ବାଧ୍ୟ ହେବ ।

 

ହେ ଫୁଲମାନେ, ଯଦି ତୁମେ ମିକାଡ଼ୋଙ୍କର ରାଜ୍ୟରେ ଅବସ୍ଥାନ କରୁଥାଆନ୍ତ, ତେବେ ହୁଏତ କୌଣସି ଏକ ସମୟରେ ଏପରି ଜଣେ ଭୀତିପ୍ରଦାୟକ ବ୍ୟକ୍ତି ସହିତ ଭେଟ ହୋଇ ଯାଆନ୍ତା, ଯାହା ହାତରେ ଏକ କଇଞ୍ଚି ରହିଥାଆନ୍ତା, ହୁଏତ ସାନ କରତଟାଏ ବି ଥାଆନ୍ତା । ସିଏ ନିଜକୁ ଜଣେ ପୁଷ୍ପବିଶାରଦ ବୋଲି କହୁଥାନ୍ତା । ସିଏ ଉଦ୍ୟାନ ସମ୍ପର୍କୀୟ ଯାବତୀୟ ଆରୋଗ୍ୟ-ବିଧାନରେ ପ୍ରବୀଣତା ଅର୍ଜନ କରିଛି ବୋଲି ଆସି ଦାବୀ ମଧ୍ୟ କରନ୍ତା । ଏବଂ, ତାହାକୁ ଦେଖି ତୁମେ ନିଶ୍ଚୟ ସ୍ୱଭାବତଃ ଘୃଣା ହିଁ ଅନୁଭବ କରନ୍ତୁ । କାରଣ, ଜଣେ ଆରୋଗ୍ୟକାରୀ ଡାକ୍ତର ବେରାମମାନଙ୍କୁ ସର୍ବଦା କେବଳ ବଢ଼ାଇ ଦେଇଥାଏ ବୋଲି ତୁମେ ବେଶ୍ ଭଲ ଭାବରେ ଜାଣିଥାଆନ୍ତ । ସିଏ ତୁମକୁ କାଟି ପକାଉଥିବ, ମୋଡ଼ି ଆଣୁଥିବ ଏବଂ ତୁମକୁ ଏପରି ଭଳି ଭଳି ଅସମ୍ଭବ ସ୍ଥିତିକୁ ବଙ୍କାଇ ନେଇ ଆସୁଥିବ, ଯାହାକି ତୁମଲାଗି ଉପଯୁକ୍ତ ହେବ ବୋଲି ସିଏ ସ୍ଵୟଂ ବିଚାର କରୁଥିବ । ଯେକୌଣସି ଅସ୍ଥିଚିକିତ୍ସକ ପରି ସିଏ ତୁମ ମାଂସପେଶୀଗୁଡ଼ିକୁ ବିକୃତ ଭାବରେ ମୋଡ଼ି ଆଣୁଥିବ, ଏବଂ ତୁମର ହାଡ଼ମାନଙ୍କୁ ଭାଙ୍ଗି ଦେଉଥିବ । ତୁମର ରକ୍ତସ୍ରାବକୁ ବନ୍ଦ କରିବାର ଅଭିପ୍ରାୟରେ ସିଏ ରଡ଼ ନିଆଁରେ ତୁମକୁ ପୋଡ଼ି ପକାଉଥିବ ଏବଂ ତୁମର ରକ୍ତସଂଚାଳନର ପ୍ରକ୍ରିୟାରେ ସହାୟକ ହେବ ବୋଲି ତୁମ ଭିତରକୁ ଖଣ୍ଡଖଣ୍ଡ ତାର ନେଇ ପୂରାଇ ଦେଉଥିବ । ତୁମର ଆହାରବ୍ୟବସ୍ଥା କରିବାକୁ ଯାଇ ଲବଣ, ଭିନିଗାର, ଫିଟକିରି ଏବଂ ସମୟ ସମୟରେ ଅତ୍ୟନ୍ତ କଟୁ ଅମ୍ଳମାନଙ୍କୁ ଆଣି ଯୁଟାଇ ଦେବ । ପୁନଶ୍ଚ, ପାଦ ପାଖରେ ଫୁଟୁଥିବା ପାଣି ଆଣି ଏପରି ଢାଳିବ ଯେ ତୁମେ ତ ନିଜର ଚେତା ମଧ୍ୟ ବୁଡ଼ିଯାଉଥିବା ପରି ଅନୁଭବ କରୁଥିବ । ଏବଂ, କେଡ଼େ ଦମ୍ଭ ସହିତ କହୁଥିବ ଯେ, ଏସବୁ ଉପଚାରମାନ କରି ସେ ତୁମକୁ ଅଧିକ ଦୁଇ ଚାରି ସପ୍ତାହ ବଞ୍ଚାଇ ରଖିପାରିବ । ତାର ଚିକିତ୍ସାଟି ସମ୍ଭବ ହୋଇ ନଥିଲେ ସେକଥା ମୋଟେ ହୋଇ ନଥାନ୍ତା । ଏହିପରି ଏକ ବ୍ୟକ୍ତିର କବଳକୁ ପ୍ରଥମଥର ପାଇଁ ଆସିବା ସମୟରେ ତୁମେ ହୁଏତ କେହି ତୁମକୁ ହତ୍ୟା କରି ତତ୍‌କ୍ଷଣାତ୍ ମାରିଦେଉ ବୋଲି ବରଂ ଇଚ୍ଛା ପ୍ରକାଶ କରିଥିବ । ପୂର୍ବର କୌଣସି ଜନ୍ମରେ ତୁମେ କ’ଣସବୁ ଅପରାଧ ଅବଶ୍ୟ କରିଥିଲ ଯେ ଏ ଜନ୍ମରେ ତୁମକୁ ଏପରି ଭୟଙ୍କର ଶାସ୍ତିଟିଏ ଭୋଗିବାକୁ ପଡ଼ିଲା ବୋଲି କହିଲା !

 

ପ୍ରାଚ୍ୟ ଜଗତର ଫୁଲ-ବିଶେଷଜ୍ଞମାନେ ଫୁଲମାନଙ୍କ ପ୍ରତି ଯେଉଁଭଳି ଆଚରଣମାନ ଦେଖାଇ ଥାଆନ୍ତି, ପଶ୍ଚିମର ସମାଜଗୁଡ଼ିକ ମଧ୍ୟରେ ପରିଲକ୍ଷିତ ହେଉଥିବା ଫୁଲକୁ ତୁଚ୍ଛା ବରବାଦ କରୁଥିବାର କୁଅଭ୍ୟାସଗୁଡ଼ିକୁ ସମ୍ଭବତଃ ତାହାଠାରୁ ହୁଏତ ଅଧିକ ଭୟଙ୍କର ବୋଲି କୁହାଯିବ । ଇଉରୋପ ଓ ଆମେରିକାରେ ନୃତ୍ୟଶାଳା ଏବଂ ଭୋଜୀ-ଉତ୍ସବର ଟେବୁଲଗୁଡ଼ିକୁ ସଜାଇବାରେ ଯେତେ ଯେତେ ଫୁଲର ବ୍ୟବହାର ହୁଏ ଓ ତହିଁ ଆରଦିନ ଫିଙ୍ଗି ଦିଆଯାଏ, ତାହାର ହିସାବ କରିବା ବି ମୋଟେ ସମ୍ଭବ ହେବନାହିଁ । ଫିଙ୍ଗିଦିଆ ଯାଉଥିବା ସେଗୁଡ଼ିକୁ ଏକାଠି ଗୁନ୍ଥିଲେ ସେଇଟି ହୁଏତ ଏକ ସମ୍ପୂର୍ଣ୍ଣ ମହାଦେଶର ଗଳାକୁ ମଧ୍ୟ ଖୁବ୍ ପାଇଯାଆନ୍ତା । ଜୀବନ ପ୍ରତି ଏହି ଯେଉଁ ଅବଜ୍ଞାଭାବଟି, ତାହା ତୁଳନାରେ ଆମ ଫୁଲ-ବିଶାରଦ ମାନଙ୍କର ଅପରାଧକୁ ସମ୍ଭବତଃ ଆଦୌ ସେତେ ଗମ୍ଭୀର ବୋଲି କୁହାଯିବ ନାହିଁ । ଜଣେ ଫୁଲ-ବିଶାରଦ ତ ଅନ୍ତତଃ ପ୍ରକୃତିର ବିଧାନଟିକୁ ସର୍ବଦା ସମ୍ମାନ ହିଁ ପ୍ରଦର୍ଶନ କରେ, ଭାରି ଯତ୍ନଶୀଳ ହୋଇ ଏକ ନିର୍ଦ୍ଧିଷ୍ଟ ଦୂରଦୃଷ୍ଟି ସହିତ ଫୁଲମାନଙ୍କୁ ବାଛେ ଏବଂ ସେଗୁଡ଼ିକ ମରିଯିବା ପରେ ସେହି ମୃତ୍ୟୁକୁ ମଧ୍ୟ ସମ୍ମାନ ହିଁ କରୁଥାଏ । ପାଶ୍ଚାତ୍ୟ ଜଗତରେ ତ ନିଜର ବହୁସମ୍ପତ୍ତିର ଆଡ଼ମ୍ବରଗୁଡ଼ିକୁ ଦେଖାଇହେବା ନିମନ୍ତେ ଫୁଲଗୁଡ଼ାକର ବହୁ ପ୍ରଦର୍ଶନ କରାଯାଉଥାଏ–ସତେଅବା ମାତ୍ର କେତେଟା ମୁହୂର୍ତ୍ତର ଗୋଟିଏ ଖିଆଲକୁ ପ୍ରକଟ କରାଯାଉଥାଏ । ଏବଂ, ଉକ୍ତ ପ୍ରଦର୍ଶନ ଜନିତ ଉଲ୍ଲାସ ମୁହୂର୍ତ୍ତଟି ଚାଲିଯିବା ପରେ ସେହି ଫୁଲମାନଙ୍କର ବସ୍ତୁତଃ କି ଗତି ହୁଏ ? ମଉଳି ଯାଇଥିବା ଗୋଟିଏ ଫୁଲକୁ ନିତାନ୍ତ ଖେଦଶୂନ୍ୟ ଭାବରେ ହୁଏତ କୌଣସି ଖତଗଦାରେ ନେଇ ପକାଇ ଦିଆଯାଇଥିବ–ଏଇଟି ତୁଳନାରେ ଅଧିକ କାରୁଣ୍ୟପୂର୍ଣ୍ଣ ଏକ ଦୃଶ୍ୟ ଏହି ପୃଥିବୀରେ ପ୍ରକୃତରେ ଆଉ କ‘ଣ ଥିବ ?

 

ବିଚରା ଏହି ଫୁଲମାନେ ଏପରି ସୁନ୍ଦର ଅଥଚ ଏତେ ଅସହାୟ ହୋଇ ଏହି ପୃଥିବୀରେ କାହିଁକି ଜନ୍ମଗ୍ରହଣ କରିଥିଲେ କେଜାଣି ? ସେମାନଙ୍କୁ ଏହି କୀଟମାନେ ଇଚ୍ଛା କଲା ମାତ୍ରକେ କାଟିଦେଇ ପାରୁଛନ୍ତି । ଅଥଚ ନିତାନ୍ତ ଅଳ୍ପବଳ ପଶୁମାନେ ବି ତ ବିପଦରେ ପଡ଼ିଗଲେ ତଥାପି ଲଢ଼େଇ କରି ପାରୁଛନ୍ତି । ଯୋଉ ଚଢ଼େଇମାନଙ୍କର ରଙ୍ଗ ଚକଚକ ପରଗୁଡ଼ିକୁ ମଣିଷମାନେ ଆଣି ନିଜର ଟୋପିରେ ଲଗାଇବାରେ ଏତେ ସୁଖ ପାଆନ୍ତି, ସେମାନେ ତ କିଛି ନା କିଛି ଇସାରା ପାଇବା ମାତ୍ରକେ ଉଡ଼ି ପଳାଇଯାଇ ପାରୁଛନ୍ତି । ଯେଉଁ ଜନ୍ତୁମାନଙ୍କର ଲୋମଦ୍ୱାରା ଆମେ କେଡ଼େ ଆନନ୍ଦରେ କୋଟ୍ ତିଆରି କରି ପିନ୍ଧୁଛୁ, ସେମାନେ ତ କିଏ ସେମାନଙ୍କ ଆଡ଼କୁ ଛପି ଛପି ଆସୁଛି ବୋଲି ଇସାରା ପାଇବା ମାତ୍ରକେ ଅବଶ୍ୟ କେଉଁଠି ଯାଇ ଲୁଚିଯାଇ ପାରୁଛନ୍ତି । କିନ୍ତୁ ହାୟ, ଏହି ପ୍ରଜାପତି ହିଁ ହେଉଛି ଏକମାତ୍ର ଫୁଲ, ଯାହାର ଡେଣାମାନେ ଅଛନ୍ତି; –ମାତ୍ର ଅନ୍ୟ ସମସ୍ତେ ହିଁ ସେମାନଙ୍କର ବିନାଶକାରୀମାନଙ୍କ ପାଖରେ ନିତାନ୍ତ ଅସହାୟ ହୋଇ ରହିଛନ୍ତି । ସେମାନେ ଆପଣାର ମୃତ୍ୟୁଯନ୍ତ୍ରଣାରେ ଅତ୍ୟନ୍ତ ବିକଳ ଭାବରେ ଚିତ୍କାର କଲେ ମଧ୍ୟ ତାହା ଆମର ବଧିରା ହୋଇ ରହିଥିବା କାନଗୁଡ଼ିକରେ କେବେହେଲେ ପ୍ରବେଶ କରି ପାରୁନାହିଁ । ହଁ, ଏହି ଯେଉଁମାନେ ଆମକୁ ଏତେ ଭଲ ପାଆନ୍ତି ଓ ଏତେ ଏତେ ପ୍ରକାରେ ଆମର ପରିଚର୍ଯ୍ୟା କରୁଥାନ୍ତି, ସତେଅବା ଖାସ୍ ସେହିମାନଙ୍କ ପ୍ରତି ହିଁ ଆମେ ସବୁଦିନେ ନୃଶଂସ ହୋଇ ରହିଥାଉ । ମାତ୍ର, ଏପରି ଗୋଟିଏ ସମୟ ବି ହୁଏତ ଅବଶ୍ୟ ଆସିବ, ଯେତେବେଳେ ଏହିସବୁ ନୃଶଂସତା ପ୍ରଦର୍ଶନ କରିଥିବା ହେତୁ ଆମର ଏହି ସର୍ବୋତ୍ତମ ବନ୍ଧୁମାନେ ଆମକୁ ଛାଡ଼ି ହିଁ ଚାଲିଯିବେ । ଆପଣମାନଙ୍କର ଆଖିରେ କ’ଣ କେବେ ପଡ଼ିନାହିଁ ଯେ, ଅରଣ୍ୟମାନଙ୍କରେ ଏପର୍ଯ୍ୟନ୍ତ ଫୁଟି ଆସିଥିବା ବହୁତ କିସମର ଫୁଲର ସଂଖ୍ୟାରେ ବର୍ଷକୁ ବର୍ଷ ହ୍ରାସ ହେବାରେ ଲାଗିଲାଣି ? ହଁ, ସମ୍ଭବତଃ ଏପରି ମଧ୍ୟ ହୋଇପାରେ ଯେ, ଏହି ମନୁଷ୍ୟ ଅଧିକ ମନୁଷୋଚିତ ହୋଇନଥିବା ପର୍ଯ୍ୟନ୍ତ ସେମାନେ ଗୋଟିଗୋଟି ହୋଇ ବିଲୁପ୍ତ ହୋଇ ଯାଆନ୍ତୁ ବୋଲି ସେମାନଙ୍କର ପ୍ରଜ୍ଞାସମ୍ପନ୍ନ ପୁରୁଷମାନେ ସେମାନଙ୍କୁ ପରାମର୍ଶ ଦେଇ କହିଛନ୍ତି । ହଁ, ସେମାନେ ହୁଏତ ଏହି ପୃଥିବୀକୁ ତ୍ୟାଗକରି ସ୍ୱର୍ଗକୁ ଚାଲି ଯାଇଛନ୍ତି ।

 

ଯେଉଁ ବ୍ୟକ୍ତିଟି ଉଦ୍ଭିଦମାନଙ୍କର ଲାଳନ କରୁଥାଏ, ତାହାର ସପକ୍ଷରେ ହୁଏତ ବହୁତ କିଛି କୁହାଯାଇପାରିବ । ହଁ, ଗୋଟିଏ କଇଞ୍ଚି ଧରି ଏଇଟାକୁ ବା ସେଇଟାକୁ ଯିଏ କାଟି ପକାଇବାରେ ଲାଗିଥାଏ, ଗୋଟିଏ ପାତ୍ରରେ ଗଛଟିଏ ପୋତି ବଢ଼ାଉଥିବା ସେହି ମନୁଷ୍ୟକୁ ସର୍ବଦା ଅଧିକ ହୃଦୟବାନ ଓ ମାନବାଚିତ୍ତ ବୋଲି କୁହାଯାଇ ପାରିବ । ଏହିପରି ଜଣେ ବ୍ୟକ୍ତିର ଜୀବନକୁ ଦେଖି ଆମେ ପ୍ରକୃତରେ କେତେ ଖୁସୀ ନହେଉ: ସିଏ ଗଛଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ପାଣି ପାଇପାରିବେ ଏବଂ ସେଗୁଡ଼ିକ ଉପରେ ଯଥେଷ୍ଟ ଆଲୁଅ ମଧ୍ୟ ପଡ଼ିବ ବୋଲି ସର୍ବଦା ଚିନ୍ତା କରେ । ପୋକମାନଙ୍କୁ ଦେଖି ବାହାର କରି ଦେଉଥାଏ, ଗଛମାନଙ୍କ ଉପରେ କାଳେ ହିମ ପଡ଼ିଯିବ ବୋଲି ଆଶଙ୍କିତ ରହିଥାଏ ଏବଂ, ଯେତେବେଳେ କଢ଼ମାନେ ଥିରିଥିରି ହୋଇ ବାହାରିବାକୁ ଆରମ୍ଭ କରନ୍ତି, ସେତେବେଳେ ସିଏ ଢେର ବ୍ୟସ୍ତ ହୋଇପଡ଼େ । ପତ୍ରମାନେ ଉଜ୍ଜ୍ୱଳ ଦେଖା ଯାଉଥିଲେ ସେ କେଡ଼େ ପୁଲକିତ ବି ହୋଇଯାଏ । ପ୍ରାଚ୍ୟ ଭୂଖଣ୍ଡରେ ଫୁଲର ଚାଷ କାହିଁ କେତେ ପୁରାତନ କାଳରୁ ରହିଆସିଛି ଓ ଜଣେ କବିର ତା’ର ସେହି ପ୍ରିୟ ଉଦ୍ଭିଦଗୁଡ଼ିକ ପ୍ରତି ରହିଥିବା ଭଲ ପାଇବାଗୁଡ଼ିକୁ ସେହି ଆରମ୍ଭ କାଳରୁ ହିଁ କାହାଣୀ ତଥା ସଂଗୀତମାନଙ୍କରେ ସଞ୍ଚିତ କରି ରଖା ଯାଇଛି । ଟାଙ୍ଗ୍‌ ଓ ଟାଙ୍ଗ ବଂଶ ଦୁଇଟିର ରାଜତ୍ଵ ସମୟରେ ଯହୁଁ ରୋମାଣ୍ଟିକ୍‌ ଶିଳ୍ପଟିର ବିକାଶ ହୋଇ ଆସିଥିଲା, ଏବେ ଶୁଣିବାକୁ ମିଳେ ଯେ ସେତେବେଳେ ଗଛମାନଙ୍କ ସକାଶେ କି ଅପୂର୍ବ ପାତ୍ରଗୁଡ଼ିକର ଗଠନ ମଧ୍ୟ ହେଲାନାହିଁ । ଚିରାଚରିତ ଅର୍ଥରେ ସେଗୁଡ଼ିକୁ ମୋଟେ କୁଣ୍ଡବୋଲି ନକହି ଉଦ୍ଭିଦମାନେ ରହିବାର ଗୋଟିଏ ଗୋଟିଏ ମୁକ୍ତା ଆଦିଦ୍ୱାରା ଖଚିତ ପ୍ରାସାଦ ବୋଲି ହିଁ କୁହାଯାଇ ପାରିବ । ପ୍ରତ୍ୟେକ ଫୁଲର ପରିଚର୍ଯ୍ୟା ନିମନ୍ତେ ଜଣେ ବିଶେଷ ପରିକର ନିଯୁକ୍ତ ହୋଇ ରହୁଥିଲା ।

 

ସେହି ପରିକର ଠେକୁଆର କଅଁଳ ଲୋମଦ୍ୱାରା ନିର୍ମିତ ବ୍ରଶ୍‌ମାନଙ୍କ ସାହାଯ୍ୟରେ ପତ୍ରଗୁଡ଼ିକୁ ପୋଛି ପକାଉଥିଲା । ପୁନଶ୍ଚ, ଏପରି ମଧ୍ୟ ଲେଖାହୋଇ ରହିଛି ଯେ, ପିଓନି ନାମକ ଗୋଟିଏ ବିଶେଷ କିସମର ଫୁଲକୁ ଜଣେ ରୂପବତୀ ପରିଚାରିକା ସଂପୂର୍ଣ୍ଣ ଔପଚାରିକ ଗୋଟିଏ ପରିଚ୍ଛଦ ପିନ୍ଧି ଜଳସ୍ନାନ କରାଇବା ମଧ୍ୟ ଆବଶ୍ୟକ ହେଉଥିଲା ଏବଂ, ଶୀତଦିନରେ ଫଳୁଥିବା ଗୋଟିଏ କୋଳିଗଛରେ ପାଣି ଦେବା ସକାଶେ ଜଣେ ପାଣ୍ଡୁର ବର୍ଣ୍ଣର ବେଶ୍ ପତଳା ଚେହେରାର ଜଣେ ଭିକ୍ଷୁଙ୍କୁ ନିଯୁକ୍ତ କରାଯାଉଥିଲା । ଆମ ଜାପାନରେ ହାଚିନୋକି ବୋଲି କୁହାଯାଇ ଆସିଥିବା ଗୋଟିଏ ଅତ୍ୟନ୍ତ ଲୋକପ୍ରିୟ ‘ନୋ’ ନୃତ୍ୟ,–ଆଶିକାଗା ରାଜତ୍ଵ ବେଳେ ଯେଉଁଟିର ରଚନା କରାଯାଇଥିଲା,–ଜଣେ ଏପରି ଦୁର୍ବଳ ସାମନ୍ତଙ୍କର କାହାଣୀକୁ ଭିତ୍ତିକରି ରଚିତ ହୋଇଛି, ଯିଏ କି ହିମପାତ ହେଉଥିବା ଗୋଟିଏ କାଲୁଆ ରାତିରେ ଟିକିଏ ନିଆଁରେ ସେକିହେବା ପାଇଁ ଇନ୍ଧନର ଅଭାବ ହେତୁ ଜଣେ ଭ୍ରାମ୍ୟମାଣ ସନ୍ୟାସୀଙ୍କର ପ୍ରୟୋଜନ ଲାଗି ଆପଣାର ଗୋଟିଏ ଅତି ପ୍ରିୟ ଗଛକୁ କାଟି ସେଥିରୁ ଅଗ୍ନି ପ୍ରସ୍ତୁତ କରିଥିଲେ । ବସ୍ତୁତଃ ସେହି ସନ୍ୟାସୀ ଆମ କାହାଣୀମାନଙ୍କରେ ବର୍ଣ୍ଣିତ ହାରୁନ୍-ଆଲ୍-ରସିଦ୍ (ହୋଜୋ-ତୋକିଓରି)ଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ । ଏବଂ, ତାଙ୍କୁ ସେହି ତ୍ୟାଗର ପୁରସ୍କାର ମଧ୍ୟ ଅବଶ୍ୟ ପ୍ରାପ୍ତ ହେଲା, ଏହି ନାଟକଟି ଆଜିଯାଏ ସର୍ବଦା ହିଁ ଟୋକିଓ ସହରର ଦର୍ଶକମାନଙ୍କର ଆଖିକୁ ଲୋତକରେ ଆର୍ଦ୍ର କରି ଆଣି ପାରୁଛି ।

 

ବିଶେଷ ଭାବରେ ସୁକୁମାର ଫୁଲଗୁଡ଼ିକର ସୁରକ୍ଷା ନିମନ୍ତେ ଅତ୍ୟନ୍ତ ସାବଧାନତା ଅବଲମ୍ବନ ମଧ୍ୟ କରିବାକୁ ହେଉଥିଲା । ଟାଙ୍ଗ ରାଜବଂଶର ସମ୍ରାଟ ହୁଏନ୍‌ସୁଙ୍ଗ ଚଢ଼େଇମାନଙ୍କ ଉତ୍ପାତରୁ ସେଗୁଡ଼ିକୁ ବଞ୍ଚାଇ ରଖିବା ଲାଗି ଡାଳମାନଙ୍କରେ ସାନସାନ ସୁନା ଘଣ୍ଟିମାନ ଲଟକାଇ ରଖୁଥଲେ । ସିଏ ବସନ୍ତ ସମୟରେ ଆପଣ ଦରବାରର ସଙ୍ଗୀତକାରମାନଙ୍କୁ ନିଜ ଗହଣରେ ନେଇ ଉଦ୍ୟାନକୁ ବାହାରି ଯାଉଥିଲେ ଓ ମୃଦୁ ସଙ୍ଗୀତ ଦ୍ଵାରା ଫୁଲମାନଙ୍କୁ ଆନନ୍ଦ ଦାନ କରୁଥିଲେ-। ଆର୍ଥୁରୀୟ କାହାଣୀଗୁଡ଼ିକର ଜଣେ ବୀର ୟୋଶିତ୍‌ସୁନେଙ୍କ ନାମ ସହିତ ଯୋଡ଼ା ହୋଇ ରହିଥିବା ଗୋଟିଏ ବିରଳ ଫଳକ ଏବେ ମଧ୍ୟ ଜାପାନର ଗୋଟିଏ ଭିକ୍ଷୁନିବାସରେ ଦେଖିବାକୁ ମିଳିଥାଏ । ଗୋଟିଏ ପ୍ରକାରର ବିଶେଷ ଅନନ୍ୟତା ରହିଥିବା ପ୍ଲମ୍ ଗଛର ସୁରକ୍ଷା ନିମନ୍ତେ ସେହି ଫଳକ ଉପରେ ଗୋଟିଏ ବିଜ୍ଞପ୍ତି ଲିଖିତ ହୋଇ ସେହିଦିନୁ ହିଁ ରହି ଆସିଛି ଓ କୌଣସି ସମରପ୍ରିୟ କାଳର କଠୋର ପରିହାସ ସହିତ ଆମ ସଭିଙ୍କୁ ନିବେଦନଟିଏ କରିଛି । ପ୍ରଥମେ ଫୁଲମାନଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବା ପରେ ଲେଖାଟିରେ ଘୋଷଣା କରାଯାଇଛି: “ଯେଉଁ ବ୍ୟକ୍ତି ଏହି ଗଛରୁ ଗୋଟିଏ ଡାଳକୁ ମଧ୍ୟ କାଟିବ, ସେହି ଅପରାଧରେ ତା’ର ଗୋଟିଏ ଆଙ୍ଗୁଠି ନିଶ୍ଚୟ କାଟି ଦିଆଯିବ ।’’ ଆମର ଏହି ଯୁଗରେ ନିତାନ୍ତ ବେପରୁଆ ଭାବରେ ଯେଉଁମାନେ ଫୁଲମାନଙ୍କୁ ନଷ୍ଟ କରିଦିଅନ୍ତି ଓ କଳାତ୍ମକ ପଦାର୍ଥମାନଙ୍କୁ ଖଣ୍ଡିଆ କରନ୍ତି, ସେମାନଙ୍କ ପାଇଁ ଏହିପରି କେତୋଟି ନିୟମ ଲାଗୁ ହୋଇ ପାରନ୍ତା କି ! ତଥାପି, ପାତ୍ରମାନଙ୍କରେ ଫୁଟୁଥିବା କେତେ କେତେ ଫୁଲର କ୍ଷେତ୍ରରେ ମଧ୍ୟ ମନୁଷ୍ୟମାନଙ୍କର ସେହି ସ୍ୱାର୍ଥପରତା ବେଶ୍ ଦୃଷ୍ଟିଗୋଚର ହୋଇଥାଏ । ସେହି ଫୁଲଗୁଡ଼ିକୁ ଆମେ କ‘ଣ ପାଇଁ ସେମାନଙ୍କ ନିଜ ଘରୁ ନେଇ ନାନାବିଧ ବିଚିତ୍ର ପରିବେଶରେ ନେଇ ରଖୁ ଏବଂ ସେମାନେ ସେହିଠାରେ ହିଁ ଫୁଟନ୍ତୁ ବୋଲି ସେମାନଙ୍କୁ ଆଦେଶ ଦେଇଥାଉ ! ଏହି ଆଚରଣଟା ତ ସଂପୂର୍ଣ୍ଣ ଭାବରେ ସେହିପରି ହୋଇଥାଏ, ଯଦି ଚଢ଼େଇମାନଙ୍କୁ ଆଦେଶ ଦିଆଯାଏ ଯେ ସେମାନେ ନିଜ ପିଞ୍ଜରାଟାରେ ଆବଦ୍ଧ ହୋଇ ରହି ହିଁ ଗୀତ ଗାଆନ୍ତୁ ଓ ସଙ୍ଗମ ମଧ୍ୟ କରନ୍ତୁ । କାହାକୁ କ’ଣ ଏକଥା କହିବାକୁ ହେବ ଯେ ତୁମର ଖାସ୍ ଘେରାମାନ ଦିଆଯାଇଥିବା ଆୟତନଗୁଡ଼ିକର କୃତ୍ରିମ ଉତ୍ତାପରେ ଅର୍ଚିଡ଼ମାନେ ସଂପୂର୍ଣ୍ଣ ଭାବରେ ଦବି ରହିଯାଆନ୍ତି ଏବଂ ଅତ୍ୟନ୍ତ ଆକୁଳ ଭାବରେ ଆପଣାର ଦକ୍ଷିଣ ଦିଗରେ ଥିବା ଆକାଶମାନଙ୍କର ଏକ ଝଲକ ପାଇବେ ବୋଲି ଛଟପଟ ହେଉଥାନ୍ତି !

 

ସେହି ବ୍ୟକ୍ତିକୁ ହିଁ ଯଥାର୍ଥରେ ଜଣେ ପୁଷ୍ପପ୍ରେମୀ ବୋଲି କୁହାଯାଇ ପାରିବ ଯିଏ ଫୁଲମାନଙ୍କର ସ୍ୱାଭାବିକ ଫୁଟିବା ଥାନଗୁଡ଼ିକରେ ହିଁ ସେମାନଙ୍କୁ ଯାଇ ଭେଟିଥାଏ । ହଁ, ଠିକ୍ ତାଓ ୟୁଆନ୍ ମିଙ୍ଗ୍‌ଙ୍କ ପରି, ଯିଏ କି ଗୋଟିଏ ଭଙ୍ଗା ବାଉଁଶବାଡ଼ ପାଖରେ ବସି ବଣ ସେବତୀମାନଙ୍କ ପାଖରେ କଥା ହୋଇ ପାରୁଥିଲେ । କିମ୍ବା ଲିନ୍ ହୋ ଚିଙ୍ଗ୍‌ଙ୍କ ଭଳି, ଯିଏକି ପଶ୍ଚିମ ଦିଗରେ ଅବସ୍ଥିତ ହ୍ରଦ-ଅଞ୍ଚଳରେ ପ୍ଲମ୍ ବୃକ୍ଷର ଫୁଲମାନଙ୍କର ଗହଣରେ ଏକ ଗୋଧୂଳି ସମୟରେ ପଦଚାରଣା କରି ନିଜକୁ ସେହି ରହସ୍ୟମୟ ସୁଗନ୍ଧଟି ମଧ୍ୟରେ ହଜାଇ ଦେଇ ପାରୁଥିଲେ । ଏପରି କଥାଟିଏ ରହିଛି ଯେ ଚାଉ ମୋଉ ଶିଉ ମଧ୍ୟ ବେଳେ ବେଳେ ଯାଇ ଗୋଟିଏ ନୌକା ମଧ୍ୟରେ ଶୋଉଥିଲେ, ଯେପରି କି ସିଏ ଦେଖୁଥିବା ସ୍ୱପ୍ନଗୁଡ଼ିକ ପଦ୍ମଫୁଲମାନଙ୍କର ସ୍ଵପ୍ନମାନଙ୍କରେ ମଧ୍ୟ ସମ୍ମିଳିତ ହୋଇଯାଇ ପାରିବ । ଠିକ୍ ସେହିପରି ଗୋଟିଏ ବାସନା ହିଁ ନାରା ବଂଶର ଜଣେ ପ୍ରସିଦ୍ଧ ଶାସନକର୍ତ୍ତ୍ରୀ ମହାରାଣୀ କୋମିଓଙ୍କୁ ସଚଳ କରି ଦେଉଥିଲା ଓ ସେ ସେତେବେଳେ ଏହି ଗୀତଟି ଗାଉଥିଲେ: ‘‘ଫୁଲରେ, ଯଦି ତୋତେ ମୁଁ ଗଛରୁ ତୋଳି ନେଇ ଆସିବି, ତେବେ ମୋର ହାତ ବାଜି ତୋ’ର ଶୁଦ୍ଧତାଟି ନଷ୍ଟ ହୋଇଯିବ । ତୁ ତ କେଡ଼େ ସୁନ୍ଦର ହୋଇ ଏହି ପଡ଼ିଆମାନଙ୍କ ଭିତରେ ପ୍ରସ୍ଫୁଟିତ ହୋଇ ରହିଛୁ । ତେଣୁ ତୋତେ ମୁଁ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଏହି ତିନି କାଳର ବୁଦ୍ଧମାନଙ୍କ ଉେଦ୍ଦଶ୍ୟରେ ହିଁ ସମର୍ପଣ କରିଦେଉଛି ।

 

ନାଇଁ ନାଇଁ, ଆମେ ଆଦୌ ଏତେ ବେଶୀ ଭାବପ୍ରବଣ ହେବାନାହିଁ । ବିଳାସବ୍ୟସନକୁ କମ୍ ମନ ଦେବା ଏବଂ ଅଧିକ ମହିମାଯୁକ୍ତ ହେବା । ଲାଓ ତ୍‌ସୁ କହିଥିଲେ, ସ୍ଵର୍ଗ ଏବଂ ମର୍ତ୍ତ୍ୟ–ଏମାନଙ୍କ ଚିତ୍ତରେ କୌଣସି ଦୟା ହିଁ ନଥାଏ ।” କୋବୋଦାଇଶ କହିଥଲେ, “ବହିଯାଅ, କେବଳ ବହିବାରେ ହିଁ ଲାଗିଥାଅ,–ଜୀବନର ସ୍ରୋତଟି ତ ସଦାଧାବମାନ ହୋଇ ରହିଛି । ଏହି ଯେତେ ଯାହା ସମସ୍ତେ ଯିବେ, ମୃତ୍ୟୁମୁଖରେ ପତିତ ହେବେ, ଏବଂ ଜୀବନ ଚାଲିଥିବ ।” ଯୁଆଡ଼େ ଅନାଇବ କେବଳ ବିଲୁପ୍ତି, କେବଳ ଧ୍ୱଂସର ହିଁ ଭଳିକି ଭଳି ଘଟଣା । ଉର୍ଦ୍ଧ୍ୱରେ ଧ୍ୱଂସ, ଏହି ଅଧଃରେ ମଧ୍ୟ ଧ୍ୱଂସ, ପଶ୍ଚାତରେ ଧ୍ଵଂସ ଓ ସମ୍ମୁଖରେ ମଧ୍ୟ ଧ୍ୱଂସ । ପରିବର୍ତ୍ତନ, ଅନୁକ୍ଷଣ ପରିବର୍ତ୍ତନ ହେଉଛି ସେହି ଗୋଟିଏ ମାତ୍ର ଚିରନ୍ତନ ସତ୍ୟ, ତେବେ ଆମେ ଜୀବନ ପରି ମୃତ୍ୟୁକୁ ମଧ୍ୟ କହିଁକି ସ୍ଵାଗତ ନଜଣାଇବା ? ସେହି ଉଭୟେ ହେଉଛନ୍ତି ଗୋଟିଏ ଅନ୍ୟଟିର ହିଁ ଅଂଶ ମାତ୍ର । ବ୍ରହ୍ମର ରାତ୍ରି ତଥା ଦିବସ,–ପୁରାତନ ଭାଙ୍ଗି ଚୁନା ହୋଇ ଯାଉଛି, ତେବେ ଯାଇ ସିନା ଆଦୌ କୌଣସି ପୁନଃସୃଜନ ସମ୍ଭବ ହେଉଛି: ଆମେ ସେହି ମୃତ୍ୟୁର ହିଁ ଉପାସନା କରିଛୁ, କରୁଣାର ସେହି କଠୋରା ଦେବୀଙ୍କର । ନାନାବିଧ ନାମରେ ପ୍ରକୃତରେ ତାଙ୍କରି ଉପାସନା କରିଛୁ । ସବୁକିଛିକୁ ଗର୍ଭସାତ୍ କରି ନେଉଥିବା ସେହି ଛାୟାଟାକୁ ହିଁ ତ ଘେବୁର୍‌ମାନେ ଅଗ୍ନି ମଧ୍ୟରେ ଆପଣାର ପ୍ରଣତି ଜ୍ଞାପନ କରିଥିଲେ । ସେହି ତରବାରୀ ରୂପକ ଆତ୍ମାର ନିର୍ଦ୍ଦୟ ବେସାଲିଶ ଜୀବନ-ଦର୍ଶନର ସମ୍ମୁଖରେ ଶିଣ୍ଟୋ ଜାପାନ ଏବେ ମଧ୍ୟ ସାଷ୍ଟାଙ୍ଗ ପ୍ରଣିପାତ କରିବାରେ ଲାଗିଛି । ସେହି ମହାରହସ୍ୟମୟ ଅଗ୍ନି ହିଁ ଆମର ଦୁର୍ବଳତାକୁ ହରଣ କରି ନେଉଛି, ସେହି ପବିତ୍ର ତରବାରୀଟି ଆମକୁ ଆମର ଯାବତୀୟ ବାସନାର ଜଞ୍ଜିରଗୁଡ଼ିକ ମଧ୍ୟରେ ଜଡ଼ିତ କରି ରଖିଛି । ଆମର ଭସ୍ମରାଶିରୁ ସେହି ସ୍ଵର୍ଗୀୟ ଦୁର୍ବାର ଆଶାସକଳର ଫୋନିକ୍‌ସ ପକ୍ଷୀ ପୁନର୍ବାର ଜୀବନ ଲାଭ କରି ବାହାରି ଆସି ପାରୁଛି । ଆମ ମୁକ୍ତିମଧ୍ୟରୁ ଏକ ଉଚ୍ଚତର ମନୁଷ୍ୟପଣର ଉପଲବ୍ଧ ଉଦ୍‌ଭୂତ ହୋଇ ପାରୁଛି । ଯଦି ତଦ୍ଦ୍ୱାରା ଆମେ ନୂତନ ବିଶ୍ଵ ଭାବନାର ସେହି ଉଦାତ୍ତକୁ ସମ୍ଭବ କରିଆଣି ପାରିବା, ତେବେ ଏହି ଫୁଲଗୁଡ଼ିକୁ ମଧ୍ୟ କାହିଁକି ନଷ୍ଟ ବି କରିନଦେବା ? ଆମେ ସେପରି କରି ସେମାନଙ୍କୁ କେବଳ ସୌନ୍ଦର୍ଯ୍ୟ ଲାଗି ନିଜକୁ ଉତ୍ସର୍ଗ କରିବାର ଏକ ପ୍ରକ୍ରିୟାରେ ହିଁ ଯୋଗ ଦେବାକୁ ହିଁ ଅନୁରୋଧ କରୁଛୁ । ଆମେ ଶୁଦ୍ଧତା ଏବଂ ସରଳତାକୁ ତଥାପି ବଜାୟ ରଖି ମଧ୍ୟ ସେହି କାର୍ଯ୍ୟଟି ଲାଗି ଆପଣାର ପ୍ରାୟଶ୍ଚିତ ମଧ୍ୟ କରିପାରିବା । ଏବଂ, ଏହିପରି ଗୋଟିଏ ବୁଦ୍ଧିଦ୍ୱାରା ପରିଚାଳିତ ହୋଇ ଆମ ଚାହା-ବିଶାରଦମାନେ ପୁଷ୍ପ-ଉପାସନାର ରୀତିକୁ ପ୍ରତିଷ୍ଠିତ କରି ଆଣିଥିଲେ ।

 

ଚାହା ଏବଂ ଫୁଲର ଆମ ବିଶାରଦ ମାନଙ୍କର ରୀତିଟି ସହିତ ପରିଚିତ ଥିବା ଯେକୌଣସି ବ୍ୟକ୍ତି ଅବଶ୍ୟ ଲକ୍ଷ୍ୟ କରିଥିବେ ଯେ, ସେମାନେ ସର୍ବଦା ସଂପୂର୍ଣ୍ଣ ଏକ ଧର୍ମବତ୍ ନିଷ୍ଠାରେ ହିଁ ଫୁଲଗୁଡ଼ିକ ବିଷୟରେ ଚିନ୍ତା କରିଥାନ୍ତି । ସେମାନେ ଆଦୌ କୌଣସି ଖିଆଲ ଅନୁସାରେ ଫୁଲମାନଙ୍କୁ ସଂଗ୍ରହ କରି ଆଣନ୍ତି ନାହିଁ, ମାତ୍ର ଖୁବ୍‌ ଯତ୍ନ ସହିତ ପ୍ରତ୍ୟେକଟି ଶାଖାକୁ ବାଛନ୍ତି ଏବଂ ସେମାନଙ୍କର ମନରେ ରହିଥିବା କଳାତ୍ମକ ସମଗ୍ର ଦୃଷ୍ଟିଟିକୁ ଆଖି ଆଗରେ ରଖି ସେମାନେ ସେଗୁଡ଼ିକ ଉପରେ ପାଣି ଛିଞ୍ଚନ୍ତି । ନିତାନ୍ତ ଆବଶ୍ୟକ ନଥିବା କୌଣସି ଗୋଟିଏ ଡାଳକୁ କାଟିଦେଲେ ସେମାନେ ଖୁବ୍ ଲଜ୍ଜିତ ହୁଅନ୍ତି । ଏହି କ୍ଷେତ୍ରରେ ଏପରି ଗୋଟିଏ ମନ୍ତବ୍ୟ ବି କରାଯାଇ ପାରିବ ଯେ, ଯଦି କୌଣସି ଡ଼ାଳରେ ଫୁଲ ସହିତ ପତ୍ରଗୁଡ଼ିକ ବିଷୟରେ ମଧ୍ୟ ବିଚାର କରି ଥାଆନ୍ତି,–କାରଣ ଏହା ଉଦ୍ଭିଦ-ଜଗତର ସମଗ୍ର ସୌନ୍ଦର୍ଯ୍ୟଟିକୁ ଅକ୍ଷୁର୍ଣ୍ଣ ରଖିବା ହିଁ ସେମାନଙ୍କର ଉଦ୍ଦେଶ୍ୟ ହୋଇ ରହିଥାଏ । ଅନ୍ୟ ଏକାଧିକ କ୍ଷେତ୍ର ଭଳି ଏହି କ୍ଷେତ୍ରଟିରେ ମଧ୍ୟ ପାଶ୍ଚାତ୍ୟ ଦେଶମାନଙ୍କରେ ଅନୁସୃତ ପ୍ରଣାଳୀଟିର ତୁଳନାରେ ସେମାନଙ୍କର ପ୍ରଣାଳୀ ସଂପୂର୍ଣ୍ଣ ଭିନ୍ନ ହୋଇ ରହିଥାଏ । ସେହିସବୁ ଦେଶରେ ତ କେବଳ ଫୁଲଗୁଡ଼ିକର କେଣ୍ଡାଟାକୁ ଅର୍ଥାତ୍ ସତେଅବା ମସ୍ତକଗୁଡ଼ିକୁ ଦେଖା ଯାଇଥାଏ, ଶରୀରଟା ଉପରେ ଆଦୌ ଆଖି ପଡ଼େନାହିଁ ଏବଂ ପୂରା ଗୋଛାଟିକୁ ଅତ୍ୟନ୍ତ ବିଚାରହୀନ ଭାବରେ ଫୁଲଦାନୀଟା ଭିତରେ ନେଇ ଭର୍ତ୍ତି କରି ଦିଆଯାଇଥାଏ-

 

ଚାହା-ଉତ୍ସବର ଜଣେ ନିପୁଣ ଯେତେବେଳେ ଆପଣାର ସନ୍ତୋଷ ହୋଇଯିବା ପର୍ଯ୍ୟନ୍ତ ଫୁଲକୁ ସଜାଇ ସାରନ୍ତି, ସେତେବେଳେ ସିଏ ତାକୁ ନେଇ ଟାକୁନାମା ଉପରେ ରଖିଦିଅନ୍ତି । ଏହି ଟାକେନାମା ହେଉଛି ଜଣେ ଜାପାନବାସୀର ଗୃହରେ ପ୍ରକୃତରେ ଗୋଟିଏ ଅତି ସମ୍ମାନିତ ସ୍ଥାନ । ସେଇଟି ପାଖରେ କେବେହେଲେ ଅନ୍ୟ କୌଣସି ଦ୍ରବ୍ୟ ରଖା ଯାଏନାହିଁ, ଯାହାକି ତା’ର ଶୋଭାଜନିତ ଏକକତାକୁ ପ୍ରଭାବିତ କରିବ । କୌଣସି ଅଙ୍କିତ କଳାଚିତ୍ର ମଧ୍ୟ ରଖାଯାଇନଥାଏ । ଅବଶ୍ୟ, ସୌନ୍ଦର୍ଯ୍ୟବର୍ଦ୍ଧନ ଦୃଷ୍ଟିରୁ କିଛି ବିଶେଷ କାରଣ ରହିଥିଲେ ସେଥିରେ ଆଦୌ କୌଣସି ବ୍ୟତିକ୍ରମ ଘଟେ, ଫୁଲଦାନୀ ଆପଣାର ସେହି ନିର୍ଦ୍ଧାରିତ ସ୍ଥାନଟିରେ ଜଣେ ରାଜା ସଦୃଶ ସିଂହାସନରେ ଅବସ୍ଥାପିତ ହୋଇ ରହିଥାଏ ଏବଂ, ଅତିଥି ଅଥବା ଶିଷ୍ୟମାନେ ପ୍ରକୋଷ୍ଠଟି ଭିତରକୁ ପ୍ରବେଶ କରି ପରମ ଶ୍ରଦ୍ଧାରେ ଆନତ ଭାବରେ ତାହାକୁ ଅଭିବାଦନ ଜଣାଇବେ ବୋଲି ମଧ୍ୟ ଏକ ବିଧି ରହିଥାଏ । ତା’ ପରେ ଯାଇ ସେମାନେ ହୁଏତ ନିମନ୍ତ୍ରଣକର୍ତ୍ତାଙ୍କ ସହିତ ଆଦୌ କୌଣସି ସମ୍ଭାଷଣ କରନ୍ତି । ନବୀନମାନଙ୍କର ସୁଶିକ୍ଷା ନିମନ୍ତେ ବଡ଼ ବଡ଼ ଚିତ୍ରର ଅନୁକୃତିତିମାନ ମଧ୍ୟ ରହିଥାଏ । ଏବଂ, ସେହି ସମସ୍ତ ଅନୁଷ୍ଠାନଟିର ଚର୍ଚ୍ଚା କରି ତ କେତେ କେତେ ପୁସ୍ତକର ରଚନା ମଧ୍ୟ କରାଯାଇଛି । ଫୁଲଟି ମଉଳି ଆସିଲେ ଗୃହକର୍ତ୍ତା ତାହାକୁ ନେଇ କୌଣସି ନଦୀରେ ବିସର୍ଜନ ଦେଇ ଆସନ୍ତି ବା ଅତ୍ୟନ୍ତ ଯତ୍ନ ସହିତ ମାଟିରେ ଗାତଟିଏ କରି ପୋତି ଦେଇଥାନ୍ତି । ସେମାନଙ୍କର ସ୍ମୃତିରକ୍ଷା ସକାଶେ ଅନେକ ସମୟରେ ସ୍ମାରକ ଇତ୍ୟାଦିର ମଧ୍ୟ ନିର୍ମାଣ କରାଯାଏ ।

 

ଅନୁମାନ କରାଯାଉଛି ଯେ, ପଞ୍ଚଦଶ ଶତାବ୍ଦୀରେ ଚାହା-ଅନୁଷ୍ଠାନର ଆରମ୍ଭ ସହିତ ଠିକ୍ ସେହି ସମୟରେ ହିଁ ପୁଷ୍ପସଜ୍ଜାର ଏହି ସଜ୍ଜାଟି ମଧ୍ୟ ଜନ୍ମଲାଭ କରିଛି । ସେକାଳର କାହାଣୀଗୁଡ଼ିକ ଅନୁସାରେ ଫୁଲକୁ ସଜାଇ ରଖିବାର କଳାକୁ ଆଦି ସମୟର ସେହି ବୌଦ୍ଧ ସନ୍ଥମାନେ ଆରମ୍ଭ କରିଥିଲେ । ପବନରେ ଉଡ଼ି ଯାଉଥିବା ଫୁଲମାନଙ୍କୁ ସେମାନେ ସଂଗ୍ରହ କରି ଆଣୁଥିଲେ ଏବଂ ଜୀବନ ରହିଥିବା ସକଳ ବସ୍ତୁ ନିମନ୍ତେ ସେମାନଙ୍କର ଚିତ୍ତରେ ଥିବା ଶ୍ରଦ୍ଧାଭାବଟି ହେତୁ ସେଗୁଡ଼ିକୁ ନେଇ ପାଣିରେ ଭର୍ତ୍ତି ହୋଇ ରହିଥିବା ଦାନୀମାନଙ୍କରେ ସାଇତି ରଖୁଥିଲେ । କଥିତ ଅଛି ଯେ ପ୍ରସିଦ୍ଧ କଳାକାର ଏବଂ ଆଶିକାଗା ୟୋସିମାସାଙ୍କର ଦରବାରରେ ଥିବା ଗୁଣଜ୍ଞ ସୋଆମି ସେହି ଆରମ୍ଭ ପର୍ଯ୍ୟାୟର ପୁଷ୍ପବିଶାରଦମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ । ଚାହା-ଅନୁଷ୍ଠାନର ଆଉଜଣେ ନିପୁଣ ଜୁକୋ ତାଙ୍କର ଜଣେ ଶିଷ୍ୟ ଥିଲେ । ଏବଂ, ଆଉଜଣେ ଶିଷ୍ୟ ହେଉଛନ୍ତି ଇକେନୋବୋ ପରିବାରର ପ୍ରତିଷ୍ଠାତା, ଯେଉଁଟି ପୁଷ୍ପସଜ୍ଜାର ଇତିବୃତ୍ତରେ ଚିତ୍ରକଳା ଜଗତର କାନୋସ୍ ସଦୃଶ ପ୍ରସିଦ୍ଧ ହୋଇ ରହିଛି । ଷୋଡ଼ଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ରିକିଉଙ୍କଦ୍ୱାରା ଚାହା ରୀତିଟି ପକ୍କା ହୋଇ ଆସିବା ସହିତ ଫୁଲ-ସଜାଇବାର ପରମ୍ପରାଟି ମଧ୍ୟ ଆପଣାର ସଂପୂର୍ଣ୍ଣ ପ୍ରତିଷ୍ଠାରେ ଯାଇ ପହଞ୍ଚିଥିଲା । ରିକିଉ ଓ ତାଙ୍କର ପରବର୍ତ୍ତୀମାନେ–ଅର୍ଥାତ୍ ଓଟାଓ୍ୱୁରାକା, ଫୁରୁକା-ଓରିବେ, କୋଏତ୍‌ମୁ, କୋବୋରି-ଏନ୍‌ଶିଉ ଏବଂ କାଟାଗିରି-ସେକିଶିଉ ଇତ୍ୟାଦି ପ୍ରତିଷ୍ଠାପ୍ରାପ୍ତଗଣ ଫୁଲର ନୂଆ ନୂଆ ସଜ୍ଜାର ଉଦ୍‌ଭାବନରେ ପରସ୍ପରର ସମକକ୍ଷ ହୋଇ ବି ପାରିଲେ । ଆମେ ଏହି ସନ୍ଦର୍ଭରେ ଅବଶ୍ୟ ସ୍ମରଣ ରଖିଥିବା ଯେ, ଚାହା-ନିପୁଣମାନଙ୍କର ପୁଷ୍ପ-ଉପାସନାର ସେହି ଚଳଣିଟି ସେମାନଙ୍କର ସୌନ୍ଦର୍ଯ୍ୟ-ଅନୁଶୀଳନର କେବଳ ଗୋଟିଏ ଅଂଶ ହିଁ ଥିଲା ଏବଂ ତାହାକୁ କଦାପି ଏକ ଧର୍ମବତ୍ ଚଳଣି ବୋଲି ମୋଟେ କୁହାଯିବନାହିଁ । ଚାହାପ୍ରକୋଷ୍ଠର ଅନ୍ୟାନ୍ୟ ଏକାଧିକ କଳାତ୍ମକତାର ବିଧି ପରି ଫୁଲ ସଜାଇବାର ଚଳଣିଟି ମଧ୍ୟ ସମଗ୍ର ସଜ୍ଜା-ଯୋଜନାର ଗୋଟିଏ ଅଂଶ ହୋଇ ରହିଥିଲା । ତେଣୁ, ସେକିଶୁଉ ଏପରି ଗୋଟିଏ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ଯେ, ଉଦ୍ୟାନ ଭିତରେ ଧଳା ବରଫ ପଡ଼ି ରହିଥିବା ସମୟରେ ପ୍ଲମ୍‌ଗଛର ଧଳା ଫୁଲକୁ ଆଣି ବ୍ୟବହାର କରିବା ଆଦୌ ଉଚିତ ହେବନାହିଁ । ହଁ, ଚାହାପ୍ରକୋଷ୍ଠରୁ ସର୍ବବିଧ “କୋଳାହଳକାରୀ’’ ଫୁଲକୁ ବହିଷ୍କୃତ କରି ରଖା ଯାଉଥିଲା । କାରଣ, ମୂଳତଃ ଯେଉଁ ସ୍ଥାନଟି ନିମନ୍ତେ ତାହା ସତକୁ ସତ ଉଦ୍ଦିଷ୍ଟ ଥିଲା, ସେଇଟି ସହିତ ସଙ୍ଗତି ରଖୁନଥିବା ଯେକୌଣସି ଚାହାନିପୁଣଙ୍କର ରୁଚିରେ ସେହି ଯାବତୀୟ ଫୁଲସଜ୍ଜାର ଆଦୌ ମହତ୍ତ୍ୱ ହିଁ ନଥିଲା । କାରଣ, ତାହାର ଧାରା ତଥା ଅନୁପାତଗୁଡ଼ିକୁ ପରିବେଷ୍ଟନୀଗୁଡ଼ିକ ସହିତ ପୂର୍ଣ୍ଣ ସମଞ୍ଜସତା ରକ୍ଷାକରି ବିଶେଷ ଭାବରେ ନିରୂପଣ କରାଯାଉଥିଲା ।

 

ଫୁଲ ନିମନ୍ତେ ହିଁ ଫୁଲକୁ ନେଇ ସଜ୍ଜାଇବା, ସପ୍ତଦଶ ଶତାବ୍ଦୀର ମଧ୍ୟ ଭାଗ ସମୟକୁ ପୁଷ୍ପବିଦ୍ୟାରେ ଖାସ୍ ନିପୁଣମାନଙ୍କର ଆବିର୍ଭାବ ପରେ ଯାଇ ସେହି ରୀତିଟି ଆରମ୍ଭ ହୋଇଥିଲା । ସେଇଟି ଆଉ ତା’ପରେ ଚାହାପ୍ରକୋଷ୍ଠର ଚରିତ୍ରଟି ଉପରେ ନିର୍ଭର କଲାନାହିଁ ଏବଂ, କେବଳ ଫୁଲଦାନୀଟାର ନିୟମଟି ବ୍ୟତୀତ ଅନ୍ୟ କୌଣସି ନିୟମର ଅପେକ୍ଷା ରଖିନଥିଲା । ତେଣିକି ସେହି କ୍ଷେତ୍ରରେ ନୂଆ ନୂଆ ଧାରଣା ତଥା ପ୍ରଣାଳୀର ମଧ୍ୟ ଉଦ୍‌ଭବ ହୋଇ ଆସିଥିଲା ଏବଂ ସେଥିରୁ ବେଶ୍ ବହୁସଂଖ୍ୟକ ବିଧାନ ଏବଂ ଶୈଳୀର ପ୍ରବର୍ତ୍ତନ ହେଲା । ଗତ ଶତାବ୍ଦୀର ମଧ୍ୟଭାଗର ଜଣେ ଲେଖକ ପ୍ରକୃତରେ ଏପରି ଗୋଟିଏ ମନ୍ତବ୍ୟ କରିଥିଲେ ଯେ ସିଏ ଗଣନା କରି ପୁଷ୍ପସଜ୍ଜାର ଶହେରୁ ଅଧିକ ଭିନ୍ନଭିନ୍ନ ଶୈଳୀର ଉଲ୍ଲେଖ ବି କରିଦେଇ ପାରିବେ । ସ୍ଥୂଳ ଭାବରେ କୁହାଯାଇ ପାରିବ ଯେ, ଏହି ସବୁଗୁଡ଼ିକୁ ଦୁଇଟି ପ୍ରଧାନ ଶ୍ରେଣୀରେ ବିଭକ୍ତ କରାଯିବ:-ଗୋଟିଏ ପ୍ରକୃତିବାଦୀ ଏବଂ ଆଉଗୋଟିଏ ଋଢ଼ିବାଦୀ । ଇକେନୋବୋ ମାନଙ୍କର ନେତୃତ୍ୱରେ ପରିଚାଳିତ ରୂଢ଼ିବାଦୀ ଶିବିରଗୁଡ଼ିକ ଏକ କ୍ଲାସିକ୍ ଆଦର୍ଶବାଦକୁ ଲକ୍ଷ୍ୟ ହିସାବରେ ଗ୍ରହଣ କରିଥିଲେ, ଯାହାକୁ କୋନୋ ବିଦ୍ୟାମତୀମାନଙ୍କର ଅନୁରୁପ ବୋଲି କୁହାଯାଇ ପାରିବ । ସେହି ଶିବିରର ପ୍ରଥମକାଳୀନ ସୂତ୍ରଧରମାନେ ଫୁଲ-ସଜ୍ଜାର ଯେଉଁ ବିବରଣୀଗୁଡ଼ିକୁ ରଖି ଯାଇଛନ୍ତି, ସେଗୁଡ଼ିକରେ ସାନ୍‌ସେତ୍‌ମୁ ଓ ତ୍‌ମୁନେନୋବୁଙ୍କର ଅଙ୍କିତ ଚିତ୍ରଗୁଡ଼ିକର ପୂର୍ଣ୍ଣ ପ୍ରତିଫଳନ ହିଁ ଦୃଷ୍ଟିଗୋଚର ହୋଇଥାଏ । ଅନ୍ୟ ପକ୍ଷରେ, ପ୍ରକୃତିବାଦୀ ଅନ୍ୟ ଶିବିର, ତାହାର ନାମଟିରୁ ମଧ୍ୟ ଯେପରି ସୂଚନା ମିଳିବ, ପ୍ରକୃତିକୁ ହିଁ ଆପଣାର ଅନୁକରଣୀୟ ମଡ଼େଲ ରୂପେ ଗ୍ରହଣ କରି ନେଇଥିଲା । କେବଳ ଏକ କଳାତ୍ମକ ଐକ୍ୟର ଅଭିବ୍ୟକ୍ତି ଦୃଷ୍ଟିରୁ ଯେତିକି ପରିବର୍ତ୍ତନ ଲୋଡ଼ା, ତାହା କେବଳ ସେତିକି ମାତ୍ରକୁ ପାଳନ କରୁଥିଲା । ଏଣୁ, ଚିତ୍ରକଳାର ଉକିୟୋଏ ତଥା ଶିଜୋ ଶାଖାରେ ବ୍ୟକ୍ତ ହୋଇଥିବା ଆବେଗଗୁଡ଼ିକୁ ମଧ୍ୟ ଏଥିରେ ପରିଲକ୍ଷିତ ହୋଇଥିବାର ଆଭାସ ପ୍ରାପ୍ତ ବି ହୋଇଯାଏ ।

 

ଏହି ସମୟଟିର ଫୁଲ ସଜାଇବା ବିଶାରଦମାନେ ଯେ କିପରି ବହୁ ବିଶଦ ଭଳି ଭଳି ସୂତ୍ର ତଥା ବିଧିମାନ ମାନି ସେହି କଳାତ୍ମକ କାର୍ଯ୍ୟଟିର ସମ୍ପାଦନ ପ୍ରକୃତରେ କରୁଥଲେ, ଯଥେଷ୍ଟ ସମୟ ଥିଲେ ଆମେ ଅବଶ୍ୟ ତାହାର ଆଉକିଛି ଚର୍ଚ୍ଚା କରିଥାଆନ୍ତେ ଏବଂ ତାହା ବେଶ୍ ଆଗ୍ରହୋଦ୍ଦୀପକ ହୋଇଥାନ୍ତା । ସେମାନେ ସେହି କ୍ଷେତ୍ରରେ କେତୋଟି ମୂଳଭୂତ ସିଦ୍ଧାନ୍ତ ଅନୁସାରେ ହିଁ ସବୁ କରୁଥଲେ, ଯେଉଁଟି ଅନୁସାରେ ଟୋକୁଗାଓ୍ୱା ସକଳ ସଜ୍ଜାବିଧି ସର୍ବଦା ପରିଚାଳିତ ହେଉଥିଲା । ସେମାନେ ମୁଖ୍ୟ ମାର୍ଗସତ୍ୟର (ସ୍ୱର୍ଗ) ଆଲୋଚନା କରୁଥଲେ, ତା’ପରେ ନିମ୍ନସ୍ଥ ସତ୍ୟଟିର । ଏବଂ ମନୁଷ୍ୟ ନାମକ ସତ୍ୟଟି ଦୁଇଟିକୁ ଏକ ସେତୁଭଳି ସଂଯୋଜିତ କରି ରଖୁଥଲା । ଏବଂ, ଯେକୌଣସି ଫୁଲ ସଜାଇବା ରୀତିଟିଏ ହେଉ ପଛକେ, ଯଦି ତାହା ସେହି ନୀତିଗୁଡ଼ିକର ଅନୁସରଣ କରୁନଥିଲା, ତେବେ ତାହାକୁ ତୁଚ୍ଛା ନିଷ୍ଫଳ ଏବଂ ମୃତବୋଲି କୁହାଯାଉଥିଲା । ପୁନଶ୍ଚ ସେମାନେ ଗୋଟିଏ ଫୁଲ ବିଷୟରେ ତିନୋଟି ଭିନ୍ନ ଭିନ୍ନ ବିଭାବ ଦେଇ ଆଲୋଚନା କରିବାର ଏକ ଗୁରୁତ୍ୱ ରହିଛି ବୋଲି ଦର୍ଶାଇ ଦେଉଥିଲେ : ଔପଚାରିକ, ଅର୍ଦ୍ଧ-ଔପଚାରିକ ତଥା ଅନୌପଚାରିକ । ପ୍ରଥମଟିରେ ଫୁଲଗୁଡ଼ିକ ସତେଅବା କୌଣସି ଭବ୍ୟ ନୃତ୍ୟଶାଳାରେ ସଜ୍ଜିତ ହୋଇ ରହିଥିବାର କଳ୍ପନା କରାଯାଉଥିଲା । ଦ୍ୱିତୀୟଟି କୌଣସି ଅପରାହ୍ନକାଳୀନ ପରିଚ୍ଛଦରେ ରହିଥିବା ଏକ ସହଜ ଲାଳିତ୍ୟର ପ୍ରତିନିଧିତ୍ୱ କରୁଥିଲା ଏବଂ ତୃତୀୟଟି ସତେଅବା କୌଣସି ଶୃଙ୍ଗାରକକ୍ଷର ଅତ୍ୟନ୍ତ ଆକର୍ଷକ ଢିଲାଢିଲା ପୋଷାକର ପ୍ରସ୍ତାବନା ଆଣି ଦେଉଥିଲା ।

 

ପୁଷ୍ପସଜ୍ଜାର ନିପୁଣ ବିଶାରଦମାନଙ୍କର ଫୁଲ ସଜାଇବାର ରୀତିଗୁଡ଼ିକର ତୁଳନାରେ ତ ଏଠାରେ ଆମେ ଚାହା–ଅନୁଷ୍ଠାନରେ ନିପୁଣମାନଙ୍କର ସେହି ଚଳଣିଟି ବିଷୟରେ ହିଁ ଅଧିକ ସହାନୁଭୂତି ସହିତ ଆଲୋଚନା କରିବା । ଚାହାପ୍ରକୋଷ୍ଠର ଫୁଲ ସଜାଇବାଟି ହେଉଛି ଏକ ଯଥାର୍ଥ ପରିବେଶରେ ଅନୁଷ୍ଠିତ ହେଉଥିବା କଳାତ୍ମକତା ଏବଂ ଜୀବନ ସହିତ ଅନ୍ତରଙ୍ଗ ଭାବରେ ଜଡ଼ିତ ହୋଇ ରହିଥିବାରୁ ଆମପାଇଁ ତାହାର ଅଧିକ ଆବେଦନ ରହିଛି । ଏହି ଶୈଳୀଟିକୁ ଆମେ ଗୋଟିଏ ସ୍ୱଭାବିକ ଶୈଳୀ ବୋଲି କହିବା ଏବଂ ତାହାକୁ ପ୍ରକୃତିବାଦୀ ଓ ରୂଢ଼ିବାଦୀ ଦୁଇଟିଯାକରୁ ଭିନ୍ନ ବୋଲି ସୂଚାଇ ମଧ୍ୟ ଦେବା । ଜଣେ ଚାହା-ଆନୁଷ୍ଠାନର ନିପୁଣର କର୍ତ୍ତବ୍ୟ ଫୁଲମାନଙ୍କୁ ବାଛିନେବା ସହିତ ସରିଗଲା ବୋଲି ସିଏ ସାଧାରଣତଃ ଭାବିନିଏ ଏବଂ ତା’ପରେ ଫୁଲକୁ ନେଇ ଆଉକିଛି ଚିନ୍ତା କରିନଥାଏ । ଶେଷଶୀତର ଏକ ସମୟରେ ଯଦି ଆମେ କୌଣସି ଚାହାକୋଠରୀ ଭିତରେ ଯାଇ ପ୍ରବେଶ କରିବା, ତେବେ ସମ୍ଭବତଃ ଦେଖିବାକୁ ପାଇବା ଯେ ଫୁଟି ଆସୁଥିବା ଗୋଟିଏ କାମେଲିଆ ଫୁଲ ସହିତ ବଣୁଆ ଚେରୀଫଳମାନେ ବେଶ୍ ପତଳା ହୋଇ ବିଚ୍ଛୁରିତ ରହିଛନ୍ତି । ହଁ, ଶୀତ ଯାଉଛି ଏବଂ ଅବିଳମ୍ବେ ବସନ୍ତ ଋତୁ ହିଁ ସମାଗତ ହେବାକୁ ବସିଲାଣି- ସେଥିରୁ ଏହିପରି ଏକ ସନ୍ଦେଶର ପ୍ରତିଧ୍ୱନି ଶୁଣିବାକୁ ମିଳିବ । ପୁନଶ୍ଚ, ଯଦି ଏକ ସନ୍ତାପକାରୀ ଅତ୍ୟନ୍ତ ଉତ୍ତପ୍ତ ଗ୍ରୀଷ୍ମକାଳୀନ ଦିବସରେ ଆମେ ମଧ୍ୟାହ୍ନ ସମୟର କୌଣସି ଚାହାପାନର ଅନୁଷ୍ଠାନରେ ଯାଇ ପହଞ୍ଚିବା, ତେବେ ସମ୍ଭବତଃ ଦେଖିବାକୁ ପାଇବା ଯେ, ସେଠା ଟାକୋନେମାର ଅନ୍ଧାରୁଆ ଶୀତଳତା ମଧ୍ୟରେ ଗୋଟିଏ ମାତ୍ର କଇଁଫୁଲ ରହିଥିବା ଏକ ଫୁଲଦାନୀ ଲଟକାଇ ରଖାଯାଇଛି; ସେଥିରୁ ବୁନ୍ଦାବୁନ୍ଦା ହୋଇ କାକର ପଡ଼ୁଛି,- ସତେଅବା ଆମ ଜୀବନର ତୁଚ୍ଛା ନିର୍ବୋଧତାଟାକୁ କିଞ୍ଚିତ୍‌ ପରିହାସ ମଧ୍ୟ କରୁଛି ।

 

କେବଳ ଫୁଲମାନେ ଥିବେ, ସେଇଟି ନିଶ୍ଚୟ ବେଶ୍ ଆଗ୍ରହୋଦ୍ଦୀପକ; କିନ୍ତୁ ଯଦି ତା’ସହିତ ଚିତ୍ରକଳା ଏବଂ କିଛି ମୂର୍ତ୍ତି ଏକତ୍ର ହୋଇ ରହିଥିବ, ତେବେ ସବୁଗୁଡ଼ିକ ମିଶି ପ୍ରକୃତରେ ମୋହ ଭିତରେ ନେଇ ହିଁ ପକାଇଦେବ । ଏକଦା ସେକିଶିଉ ଗୋଟିଏ ଚଟାଳିଆ ପାତ୍ରରେ କିଛି ଜଳୀୟ ଉଦ୍ଭିଦକୁ ସଜାଇ ରଖିଥଲେ । ସେଇଟିଦ୍ୱାରା ସତେଅବା ହ୍ରଦମାନଙ୍କରେ ରହୁଥିବା କିଛି ଉଦ୍ଭିଦ ଏବଂ ସେହିପରି କିଛିର ବେଶ୍ ଧାରଣାଟିଏ ମିଳି ଯାଉଥିଲା ଏବଂ ଉପରେ ରହିଥିବା କାନ୍ଥି ଉପରେ ସେ ସୋଆମିଙ୍କଦ୍ୱାରା ଅଙ୍କିତ ଏକ ଚିତ୍ରକୁ ନେଇ ଲଟକାଇ ଦେଇଥିଲେ, ଯେଉଁଥିରେ କି ବଣ ହଂସରାଳୀମାନେ ଆକାଶମାର୍ଗରେ ଉଡ଼ି ଚାଲିଯାଉଥିଲେ । ଆଉଜଣେ ଚାହାବିଦ୍ୟାର ପ୍ରବୀଣ ଶୋହା ସାଗରବେଳାର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିଥିବା ଗୋଟିଏ କବିତାକୁ ସେଠାରେ ଲେଖି ରଖାଇ ଦେଇଥିଲେ । ତା’ ପାଖରେ ଜଣେ କୈବର୍ତ୍ତର କୁଡ଼ିଆଘରର ଅନୁକରଣ କରି ତିଆରି ହୋଇଥିବା ପିତଳ ଧୂପଦାନୀଟିଏ ମଧ୍ୟ ରହିଥିଲା । ଏବଂ, ବେଳା ଭୂମି ଉପରେ କିଛି ଜଙ୍ଗଲୀ ଫୁଲ ବିଞ୍ଚିହୋଇ ପଡ଼ିଥିଲା । ସେହି ଅନୁଷ୍ଠାନରେ ଉପସ୍ଥିତ ଜଣେ ଅତିଥି ଲେଖିଛନ୍ତି ଯେ ସେହି ସମଗ୍ର ଦୃଶ୍ୟ ଉପସ୍ଥାପନାଟି ମଧ୍ୟରେ ସିଏ ବିଦାୟ ନେଇ ଚାଲି ଯାଉଥିବା କୌଣସି ଶରତକାଳର ଅନୁଭବଟିଏ ଲାଭ କରି ପାରିଥିଲେ ।

 

ଫୁଲମାନଙ୍କୁ ନେଇ ରହି ଆସିଥିବା କାହାଣୀମାନଙ୍କର କୌଣସି ଅନ୍ତ ହିଁ ନାହିଁ । ସେଗୁଡ଼ିକ ମଧ୍ୟରୁ ଆମେ ଏଠାରେ କେବଳ ଗୋଟିଏର ଉଲ୍ଲେଖ କରିବା । ଷୋଡ଼ଶ ଶତାବ୍ଦୀରେ ‘ମଣ୍ଟିଙ୍ଗ୍ ଗ୍ଲୋରି' ନାମକ ପୁଷ୍ପଲତାଟି ଆମ ଦେଶରେ ଖୁବ୍ ବିରଳ ଥିଲା । ରିକିଉ ନିଜର ଏକ ପୂରା ବଗିଚାରେ ସେହି ଲତାଟିର କର୍ଷଣ କରିଥିଲେ ଏବଂ ବହୁତ ଯତ୍ନ ସହକାରେ ସେଇଟିର ରକ୍ଷଣାବେକ୍ଷଣ କରୁଥିଲେ । ମୃଗର ଖୋଜ ସଦୃଶ ଦିଶୁଥିବା ତାଙ୍କ ବଗିଚାର ଫୁଲର ଉଦ୍ଭିଦଟିର ଖ୍ୟାତି ଯାଇ ଟାଇକୋଙ୍କର କାନଯାଏ ମଧ୍ୟ ପହଞ୍ଚିଥିଲା ଏବଂ ସିଏ ସେଇଟିକୁ ସ୍ୱୟଂ ଥରେ ଦେଖିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ । ତେଣୁ ରିକିଉ ତାଙ୍କୁ ଥରେ ସକାଳେ ଚାହାପାନ ସକାଶେ ନିଜ ଘରକୁ ନିମନ୍ତ୍ରିତ କଲେ । ନିର୍ଦ୍ଧାରିତ ଦିବସଟିରେ ଟାଇକୋ ପାଦରେ ଚାଲିଚାଲି ଆସି ବଗିଚାରେ ପହଞ୍ଚିଲେ; ମାତ୍ର ମୃଗପାଦୀ ଫୁଲର କୌଣସି ଚିହ୍ନବର୍ଣ୍ଣ ମଧ୍ୟ ଦେଖିବାକୁ ପାଇଲେ ନାହିଁ । ହଁ, ମାଟିକୁ ସମତଳ କରିଦେଇ ତା’ ଉପରେ ଉପଳଖଣ୍ଡ ସହିତ ବାଲୁକା ବିଛାଇ ଦିଆ ଯାଇଥିଲା । ଦୁଃଖ ହେତୁ ପ୍ରାୟ କ୍ରୋଧ ପ୍ରକାଶ କରି ଉତ୍ପୀଡ଼କ ଶାସକ ଚାହାର ପ୍ରକୋଷ୍ଠରେ ଯାଇ ପ୍ରବେଶ କଲେ; ମାତ୍ର, ସେଠାରେ ଯେଉଁ ଦୃଶ୍ୟଟିକୁ ଦେଖିବାକୁ ପାଇଲେ, ତାହା ସମ୍ପୂର୍ଣ୍ଣଭାବରେ ହିଁ ତାଙ୍କର ମିଜାଜଟିକୁ ବଦଳାଇ ଦେଇଥିଲା । ଟାକୋନୋମା ଉପରେ ସୁଙ୍ଗ୍‌ ରାଜତ୍ୱକାଳର କାରିଗରୀ ଦ୍ଵାରା ତିଆରି ହୋଇଥିବା ଏକ ବିରଳ ପିତଳପାତ୍ରରେ କେବଳ ସମ୍ପୂର୍ଣ୍ଣ ଏକକ ହୋଇ ମର୍ଣ୍ଣି ଗ୍ଲୋରି ଫୁଲଟିଏ ରହିଥିଲା: ସମଗ୍ର ଉଦ୍ୟାନର ରାଣୀ ତୁଲ୍ୟ ସେହି ମର୍ଣ୍ଣିଗ୍ଲୋରି ଫୁଲଟି !

 

ଏହି ସବୁଯାକ ଦୃଷ୍ଟାନ୍ତରେ ଆମକୁ ସେହି ପୁଷ୍ପର ଉତ୍ସର୍ଗ-ଉତ୍ସବରେ ରହିଥିବା ମହତ୍ତ୍ୱଟିର ହିଁ ପରିଚୟ ମିଳି ଯାଉଥିବ । ସ୍ଵୟଂ ଫୁଲମାନେ ମଧ୍ୟ ସମ୍ଭବତଃ ସେହି ମହତ୍ତ୍ୱଟିକୁ ହୃଦୟଙ୍ଗମ କରୁଥିବେ । ସେମାନେ ତ ଆମ ମନୁଷ୍ୟମାନଙ୍କ ପରି ଭୀରୁ ନୁହନ୍ତି । କେତେ ଫୁଲ ଅଛନ୍ତି, ଯେଉଁମାନେ ଏହିପରି ଭାବରେ ଉତ୍ସର୍ଗୀକୃତ ହେବାରେ ଗୌରବ ହିଁ ଅନୁଭବ କରନ୍ତି । ଜାପାନୀ ଚେରୀ ଫୁଲମାନେ ତ ଅବଶ୍ୟ କରନ୍ତି, କାରଣ ସେମାନେ ବାୟୁଗୁଡ଼ିକ ଆଗରେ ଆପଣାକୁ ନେଇ ସମର୍ପିତ କରିଦିଅନ୍ତି । ଯୋଶିନୋ କିମ୍ବା ଆରାଶିୟାମାଠାରେ ଅବସ୍ଥିତ ସୌରଭ ଦ୍ଵାରା ଆମୋଦିତ ହିମବାହଟିର ସମ୍ମୁଖରେ ଯେଉଁମାନେ ଯାଇ ଛିଡ଼ା ହୋଇଥିବେ, ସେମାନେ ସେହି ସତ୍ୟଟିକୁ ନିଶ୍ଚୟ ଉପଲବ୍ଧି କରିଥିବେ । କତିପୟ ମୁହୁର୍ତ୍ତ ଲାଗି ସେଗୁଡ଼ିକ ମୁକ୍ତାଦ୍ଵାରା ଖଚିତ କ୍ଷୁଦ୍ର ମେଘଖଣ୍ଡ ଭଳି ମୁଣ୍ଡଉପରେ ବୁଲିବାରେ ଲାଗିଥାନ୍ତି ଏବଂ ଚକଚକ ଝରଣାମାନଙ୍କ ଉପରେ ନୃତ୍ୟରତ ହୋଇ ରହନ୍ତି ଏବଂ ତା'ପରେ, ହାସ୍ୟୋଚ୍ଛଳ ଝରଣାପାଣି ଉପରେ ଭାସି ଭାସି ଚାଲିଯାଉଥିବା ସମୟରେ ସେମାନେ ସତେଅବା କହୁ ବି ଥାଆନ୍ତି: “ବିଦାୟ ହେ ବସନ୍ତକାଳ, ତୁମକୁ ବିଦାୟ ! ଆମେ ଏବେ ଚାଲି ହିଁ ଯାଉଛୁ ସେ ହି ଅନନ୍ତ କାଳର ଗର୍ଭକୁ !”

Image

 

ଚାହା-ଅନୁଷ୍ଠାନର ନିପୁଣମାନେ

 

ଧର୍ମର ଉକ୍ତି ଅନୁସାରେ ଭବିଷ୍ୟ ଆମ ପଶ୍ଚାତରେ ରହିଛି । କଳାର ଉକ୍ତିଟି ହେଉଛି ଯେ ଏହି ବର୍ତ୍ତମାନଟି ହିଁ ଶାଶ୍ୱତ,–ସର୍ବକ୍ଷଣ ଚାହାନୁଷ୍ଠାନ-ବିଦ୍ୟାର ନିପୁଣମାନେ କହୁଥିଲେ ଯେ ଯେଉଁମାନେ କଳାର ପ୍ରଭାବକୁ ଆପଣାର ଜୀବନରେ ଏକ ଜୀବନ୍ତ ସତ୍ୟରେ ହିଁ ପରିଣତ କରି ରଖିଥାନ୍ତି, କେବଳ ସେହିମାନେ ହିଁ ତାହାର ମର୍ଯ୍ୟାଦାଟିକୁ ବୁଝି ଥାଆନ୍ତି । ତେଣୁ ସେମାନେ ଆପଣା ରୁଚିର ଏକ ଉଚ୍ଚସ୍ତରୀୟ ମାର୍ଜନାଦ୍ୱାରା ନିଜର ବାସ୍ତବ ଜୀବନଟିକୁ ସୁସଂବଦ୍ଧ କରି ରଖିଥିଲେ ଏବଂ ଚାହାଉତ୍ସବର ପ୍ରକୋଷ୍ଠ ମଧ୍ୟରେ ସେଇଟି ହିଁ ଉପଲବ୍ଧ ହେଉଥିଲା । ଯାବତୀୟ ସ୍ଥିତିରେ ମନୋଭୂମିର ପ୍ରଶାନ୍ତିଟିକୁ ସୁରକ୍ଷିତ ରଖିବାକୁ ହେଉଥିଲା ଏବଂ ସର୍ବବିଧ କଥୋପକଥନକୁ ଏପରି ନିୟମର ଅଧୀନ କରି ରଖାଯାଉଥିଲା ଯେପରିକି ତଦ୍ଦ୍ୱାରା ସେହି ସଂପୂର୍ଣ୍ଣ ପରିବେଷ୍ଟନୀଟିର ସମଜଂସତା କୌଣସି ପ୍ରକାରେ ବାଧାପ୍ରାପ୍ତ ହେଉ ନଥିଲା । ପରିଚ୍ଛଦଗୁଡ଼ିକ ମଧ୍ୟ ଏପରି ରଙ୍ଗର ତଥା ଏପରି ପ୍ରସ୍ତୁତି-ଶୈଳୀର ଅନୁସରଣ କରୁଥିଲେ; ଶରୀରର ସ୍ଥିତି ଏବଂ ଚାଲିବାର ଧରଣ ଇତ୍ୟାଦି ଏପରି ନିର୍ଦ୍ଧାରିତ ହୋଇ ରହୁଥିଲା, ଯେପରିକି ସେଗୁଡ଼ିକ ସମସ୍ତେ ଏକ କଳାରୁଚି ସମ୍ପନ୍ନ ବ୍ୟକ୍ତିତ୍ୱକୁ ବ୍ୟକ୍ତ କରି ଆଣିପାରୁଥିବେ । ଏପରି ବହୁ ବିଷୟ ଥିଲା, ଯେଉଁଗୁଡ଼ିକୁ କି ସେଠାରେ ଆଦୌ ହାଲୁକା ଭାବରେ ଏଡ଼ାଇ ଦିଆଯାଇ ପାରୁନଥିଲା;–କାରଣ, ଆପଣାକୁ ଅନୁରୂପ ଭାବରେ ସୁନ୍ଦର କରି ଗଢ଼ିଆଣି ନଥିଲେ ଜଣେ ବ୍ୟକ୍ତିର ଆଦୌ କୌଣସି ସୌନ୍ଦର୍ଯ୍ୟର ନିକଟବର୍ତ୍ତୀ ହେବାର କୌଣସି ଅଧିକାର ମଧ୍ୟ କାହିଁକି ରହିବ ! ସୁତରାଂ ଜଣେ ଚାହା-ଉତ୍ସବର ଅବଗାହୀ ନେତାଙ୍କୁ କେବଳ ଜଣେ କଳାକାରଙ୍କ ଅପେକ୍ଷା କିଞ୍ଚିତ୍ ଅଧିକ ହୋଇ ପାରିବାକୁ ମଧ୍ୟ ପ୍ରୟାସ କରିବାକୁ ହେଉଥିଲା । ତାଙ୍କୁ ତ ସକଳ ଅର୍ଥରେ ସ୍ଵୟଂ ଏକ କଳା ହିଁ ହୋଇପାରିବାକୁ ହେଉଥିଲା । ଏହାକୁ ବସ୍ତୁତଃ ସୌନ୍ଦର୍ଯ୍ୟ ଉପଲବ୍ଧର ଜେନ୍ ବୋଲି ହିଁ କୁହାଯିବ । ଯଦି ଆମେ ନିଜେ ଅନୁରୂପ ହୋଇ ତିଆରି ହୋଇ ପାରିବା, ତେବେ ତ ଆମକୁ ସବୁଠାରେ କେବଳ ପରିପୂର୍ଣ୍ଣତା ହିଁ ଦୃଷ୍ଟିଗୋଚର ହେବାକୁ ଲାଗିବ । ରିକିଉ ସେହି ପୁରାତନ ସମୟର ଧାଡ଼ିଏ ଉଦ୍ଧାର କରୁଥିଲେ ଯେଉଁଥିରେ ଥିଲା, “ଯେଉଁମାନେ କେବଳ ଫୁଲଗୁଡ଼ିକ ନିମନ୍ତେ ଆକୁଳ ହେଉଥାଆନ୍ତି, ସେମାନଙ୍କୁ ତ ମୁଁ ସେହି ପୂର୍ଣ୍ଣପ୍ରସ୍ଫୁଟିତ ବସନ୍ତକାଳଟିକୁ ନେଇ ଦେଖାଇବା ପାଇଁ ଇଚ୍ଛା କରିବି, ଯେଉଁଟି ପ୍ରକୃତରେ ତୁଷାରଦ୍ୱାରା ଆଚ୍ଛାଦିତ ପାହାଡ଼ମାନଙ୍କର ସଂଘର୍ଷରତ ଫୁଲକଢ଼ଗୁଡ଼ିକ ମଧ୍ୟରେ ଯାଇ ଅବସ୍ଥାନ କରୁଥାନ୍ତି !”

 

ସେହି ଚାହା-ବିଶାରଦମାନଙ୍କର କଳାପ୍ରତି ଯେଉଁ ଅବଦାନ, ତାହା ପ୍ରକୃତରେ ବହୁ ପ୍ରକାରର । ସେମାନେ ତ ସଂପୂର୍ଣ୍ଣ ଭାବରେ ସେହି ଶାସ୍ତ୍ରୀୟ ଗୃହନିର୍ମାଣ-ପଦ୍ଧତି ତଥା ଆଭ୍ୟନ୍ତରୀଣ ସଜ୍ଜାପଦ୍ଧତିର କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ସମ୍ଭବ କରି ପାରିଥିଲେ ଏବଂ ଗୋଟିଏ ନୂତନ ଶୈଳୀର ପ୍ରତିଷ୍ଠା ଯେ କଲେ, ଆମେ ଚାହା-ପ୍ରକୋଷ୍ଠ ସମ୍ବନ୍ଧରେ ଲିଖିତ ଅଧ୍ୟାୟଟିରେ ଯାହାର ବର୍ଣ୍ଣନା ପ୍ରଦାନ କରିଛୁ । ଏପରି ଏକ ଶୈଳୀ, ଯାହାଦ୍ୱାରା କି ଷୋଡ଼ଶ ଶତାବ୍ଦୀ ପରେ ନିର୍ମିତ ରାଜପ୍ରସାଦ ଏବଂ ମଠଗୁଡ଼ିକୁ ବହୁ ପରିମାଣରେ ପ୍ରଭାବିତ ମଧ୍ୟ କରିଥିଲା-। ବହୁ ନୈପୁଣ୍ୟଦ୍ୱାରା ଅଳଙ୍କୃତ କୋବୋରି-ଏନ୍‌ଶିଉ କାତ୍‌ସୁରାର ସମ୍ରାଟ-ସଦନ, ନାଜୋୟା ତଥା ନିଜୋଠାରେ ଅବସ୍ଥିତ ଦୁର୍ଗଗୁଡ଼ିକ ଓ କୋହୋଆନ୍‌ର ଭିକ୍ଷୁକନିବାସ ପ୍ରଭୃତି ନିର୍ମାଣଗୁଡ଼ିକ ସେହି ବୃହତ୍ ପ୍ରତିଭାର କେତୋଟି ଦୃଷ୍ଟାନ୍ତ ରୂପେ ହିଁ ବିଦ୍ୟମାନ ରହିଛି । ଜାପାନ ଦେଶର ସୁପ୍ରସିଦ୍ଧ ସବୁଯାକ ଉଦ୍ୟାନର ଯୋଜନା ମଧ୍ୟ ସେହି ଚାହାବିଶାରଦମାନଙ୍କ ଦ୍ଵାରା କରାଯାଇଥିଲା । ଯଦି ସେହି ବିଶାରଦମାନଙ୍କଠାରୁ ପ୍ରେରଣା ଆସିନଥାନ୍ତା, ତେବେ ଆମ ପାତ୍ରନିର୍ମାଣର କାରିଗରୀ ମଧ୍ୟ ଆଦୌ ସେହି ଅତ୍ୟୁଚ୍ଚ ଉତ୍କର୍ଷକୁ ହାସଲ ବି କରିନଥାନ୍ତା । ଚାହା ଅନୁଷ୍ଠାନ ମାନଙ୍କରେ ଯେଉଁ ବାସନଗୁଡ଼ିକର ବ୍ୟବହାର ହୋଇଥାଏ, ସେଗୁଡ଼ିକ ମଧ୍ୟ ଆମ ସେରାମିକ୍ ଉଦ୍ୟୋଗର ଶିଳ୍ପୀମାନଙ୍କର କୌଶଳମାନଙ୍କୁ ସ୍ମରଣ କରାଇ ଦେଇଥାଏ । ଏନ୍‌ଶିଉଙ୍କ ନାମ ସହିତ ସଂଲଗ୍ନ ‘ସାତଭାଟି’ର ପ୍ରକ୍ରିୟାଟି ଜାପାନୀ ପାତ୍ର-ଗଢ଼ଣ କଳାର ସକଳ ଶିକ୍ଷାର୍ଥୀମାନଙ୍କ ଲାଗି ସୁବିଦିତ ହୋଇ ରହିଛି । ଆମ ବସ୍ତ୍ର-ବୟନ ଶିଳ୍ପର ଏକାଧିକ ପ୍ରଣାଳୀ ସେଗୁଡ଼ିକର ରଙ୍ଗ ତଥା ଗଢ଼ଣର ଏକଦା କଳ୍ପନା କରିଥିବା ଚାହାବିଶାରଦଗଣଙ୍କର ନାମକୁ ଏବେ ମଧ୍ୟ ବହନ କରିଥାଏ । ବସ୍ତୁତଃ, କଳାର କୌଣସି ବିଭାଗ ମଧ୍ୟ ଆଦୌ ଆମ ଆଖିରେ ପଡ଼ିବନାହିଁ, ଯେଉଁଟି ସହିତ ଚାହାବିଶାରଦମାନଙ୍କର ପ୍ରତିଭାର କୌଣସି ଚିହ୍ନ ପ୍ରତିଫଳିତ ହେଉନଥିବ । ଚିତ୍ରବିଦ୍ୟା ଓ ଲାଖଶିଳ୍ପର କ୍ଷେତ୍ରରେ ସେମାନଙ୍କର ବିପୁଳ ଅବଦାନର ଉଲ୍ଲେଖ କରିବାର ମଧ୍ୟ ବସ୍ତୁତଃ ପ୍ରାୟ କୌଣସି ପ୍ରୟୋଜନ ରହିଥିବାର ବୋଧ ହୁଏନାହିଁ । ଗୋଟିଏ ଅନ୍ୟ ବୃହତ୍ତମ ଚିତ୍ରବିଦ୍ୟାର ଶୈଳୀ ତ ଚାହାବିଦ୍ୟା–ବିଶାରଦ ହୋନ୍ନାମି-କୋଏତ୍‌ମୁଙ୍କଦ୍ୱାରା ହିଁ ଉଦ୍‌ଭାବିତ ହୋଇଛି, ଯିଏ କି ଜଣେ ଲାଖର ଶିଳ୍ପୀ ଓ ପାତ୍ରନିର୍ମାତା ବୋଲି ସୁପ୍ରସିଦ୍ଧ ରହିଛନ୍ତି । ତାଙ୍କର ଏହିସବୁ କୃତିର ତୁଳନାରେ ତାଙ୍କ ନାତି କୋହୋ ଏବଂ କୋରିନ ଓ କେନ୍‌ଜାନ୍ ଦୁଇ ଭାତୃପୌତ୍ରଙ୍କର ସୁନ୍ଦର କୀର୍ତ୍ତିଗୁଡ଼ିକ ସତେଅବା ଖୁବ୍ ମ୍ଳାନ ହିଁ ଦେଖାଯିବାକୁ ଆରମ୍ଭ କରିବ । ସାଧାରଣତଃ ଯେଉଁପରି ସୂଚିତ କରି ଦିଆଯାଇଛି, ସମଗ୍ର କୋରିନ୍ ଗୋଷ୍ଠୀଟିରେ ଚାହା-ପରମ୍ପରାର ପୂର୍ଣ୍ଣ ପ୍ରତିଫଳନ ହିଁ ଘଟିଛି । ସେହି ଗୋଷ୍ଠୀର ମୋଟାମୋଟି ଶୈଳୀ ମଧ୍ୟରେ ସ୍ୱୟଂ ପ୍ରକୃତିର ପ୍ରାଣବନ୍ତତାଟି ପ୍ରତିଭାତ ହୋଇଥିବା ପରି ବୋଧ ହୋଇଥାଏ ।

 

କଳାର କ୍ଷେତ୍ରରେ ଚାହାବିଶାରଦ ମାନଙ୍କର ସର୍ବଦା ଏକ ଶକ୍ତିଶାଳୀ ପ୍ରଭାବ ପଡ଼ି ଆସିଥିଲେ ମଧ୍ୟ ସେମାନେ ଆପଣା ଜୀବନର ଆଚରଣରେ ତାହାଦ୍ୱାରା ଯେପରି ପ୍ରଭାବିତ ହୋଇ ଆସିଛନ୍ତି, ସେଇଟିର ତୁଳନାରେ ଏହା ପ୍ରକୃତରେ ପ୍ରାୟ କିଛି ବି ହେବନାହିଁ । କେବଳ ଏକ ଯେକୌଣସି ଭଦ୍ର ସମାଜର ଚଳଣିମାନଙ୍କରେ ନୁହେଁ, ଆମ ଗୃହଜୀବନ ସହିତ ସଂପୃକ୍ତ ଯାବତୀୟ ଟିକିନିଖରେ ମଧ୍ୟ ଉକ୍ତ ବିଶାରଦଗଣଙ୍କର ଗଭୀର ପ୍ରଭାବ ଆସି ପଡ଼ିଥିବାର ସ୍ପଷ୍ଟ ଭାବରେ ପରିଲକ୍ଷିତ ହୋଇଥାଏ । ଆମ ରାନ୍ଧଣାର ବିଶେଷ ବିଶେଷ କେତେକ ପ୍ରକାର ତଥା ଆମର ଭୋଜନ ପରିଷିବାର ରୀତିଟିରେ ସେହିମାନଙ୍କର ଉଦ୍‌ଭାବନ ଗୁଡ଼ିକ ସର୍ବଦା ବିଦ୍ୟମାନ ରହିଥାଏ-। ବିଶେଷ ଆଡ଼ମ୍ବର ରହିଥିବା ରଙ୍ଗର ପରିଧାନ ନ କରିବାର କଥାଟିକୁ ସେହିମାନେ ଆମକୁ ଶିଖାଇଛନ୍ତି ଏବଂ ଫୁଲଗୁଡ଼ିକ ପ୍ରତି ଏକ ସମୁଚିତ ଦୃଷ୍ଟି ରଖି ପାରିବାର କାଇଦାରେ ମଧ୍ୟ ସେମାନଙ୍କର ଶିକ୍ଷା ନିହିତ ହୋଇ ରହିଛି । ଆମେ ପୂର୍ଣ୍ଣ ସ୍ଵଭାବପ୍ରେରିତ ଭାବରେ ସରଳ ହେବା, ସେମାନେ ସେଇଟି ଉପରେ ଖୁବ୍ ଗୁରୁତ୍ୱ ପ୍ରଦାନ କରିଛନ୍ତି ଏବଂ ବିନମ୍ର ରହିବାର ସୁନ୍ଦରତାଟିକୁ ଆମକୁ ଦର୍ଶାଇ ଦେଇଛନ୍ତି । ପ୍ରକୃତରେ ସେହିମାନଙ୍କର ଶିକ୍ଷାକୁ ମାଧ୍ୟମ କରି ହିଁ ଚାହା ଆମ ଦେଶର ଜନଗଣଙ୍କର ଜୀବନରେ ଆସି ପ୍ରବେଶ କରିଛି ।

 

ଆମେ ଯେଉଁ ମନୁଷ୍ୟମାନେ ଆପଣାକୁ ଏକ ଯଥାର୍ଥ ଶୃଙ୍ଖଳାରେ ଆଣି ପକାଇ ନ ଥାଉ ଏବଂ ନାନା ନର୍ବୋଧତା ଦ୍ଵାରା ଭର୍ତ୍ତି ଏହି ବିକ୍ଷୋଭ-ପରିପୂର୍ଣ୍ଣ ସାଗରଟିକୁ ହିଁ ଜୀବନ ବୋଲି ଗ୍ରହଣ କରିନେଉ, ଆମେ ତ ନିରନ୍ତର ହିଁ ନାନା ଦୁଃଖମୟତା ମଧ୍ୟରେ ଛଟପଟ ହେଉଥାଉ ଏବଂ କେବଳ ବୃଥା ସୁଖୀ ତଥା ସନ୍ତୋଷଯୁକ୍ତ ହୋଇ ରହିଛୁ ବୋଲି ଦେଖାଇ ହେବାର ପ୍ରୟାସ କରୁ । ନିଜର ଏକ ନୈତିକ ସ୍ଥିରାବସ୍ଥା ତଥାପି ବଜାୟ ରଖିବାଲାଗି ଚେଷ୍ଟା କରି କେତେ ଝୁଣ୍ଟିପଡ଼ୁ ଏବଂ ଦିଗ୍‌ବଳୟର ବକ୍ଷ ଉପରେ ଭାସି ଚାଲି ଯାଉଥିବା ପ୍ରତ୍ୟେକ ମେଘଖଣ୍ଡଟି ମଧ୍ୟରେ ସତତ ସତେ ଅବା ସତେ ନାନା ପୂର୍ଣ୍ଣାଭାସ ଦେଖିବାରେ ଲାଗିଥାଉ । ତଥାପି, ସେହି ଶାଶ୍ୱତ ଅଭିମୁଖରେ ଉତ୍ତାଳ ହୋଇ ଧାଇଁଥିବା ତରଙ୍ଗ ଗୁଡ଼ିକର ଲୀଳା ମଧ୍ୟରେ ଆନନ୍ଦ ରହିଥାଏ, ସୌନ୍ଦର୍ଯ୍ୟ ମଧ୍ୟ ରହିଥାଏ । କ’ଣ ପାଇଁ ଆମେ ସେମାନଙ୍କ ଅନ୍ତର ଭିତରେ ପ୍ରବେଶ କରିବାରେ ତଥାପି ଅସମର୍ଥ ହୋଇ ରହୁ ? ଅଥବା, ଲିଖ୍‌-ତ୍‌ସୁଙ୍କ ଭଳି ଆପେ ହିଁ ସତେ ଅବା ଏକ ଝଡ଼ ଉପରେ ଯାଇ ଆରୋହଣ ବି କରିଥାଉ !

ଅର୍ଥାତ୍ ଯିଏ ସୌନ୍ଦର୍ଯ୍ୟ ମଧ୍ୟରେ ବାସ କରୁଥାଏ, କେବଳ ସେହି ବ୍ୟକ୍ତି ହିଁ ସୁନ୍ଦରତା ସହିତ ମୃତ୍ୟୁକୁ ଗ୍ରହଣ କରିବାରେ କ୍ଷମ ହେବ । ବିଖ୍ୟାତ ଚାହା-ବିଶାରଦମାନଙ୍କର ଅନ୍ତିମ ମୁହୂର୍ତ୍ତ ଗୁଡ଼ିକ ସେମାନେ ଅତିବାହିତ କରିଥିବା ଜୀବନଟି ସଦୃଶ ହିଁ ସର୍ବ ପ୍ରକାରେ ଏତେ ଗଭୀର ତଥା ସଂବେଦନାପୂର୍ଣ୍ଣ ଭାବରେ ରୁଚିଯୁକ୍ତ ହୋଇ ରହିଥିଲା । ସମଗ୍ର ବିଶ୍ୱର ବୃହତ୍ ଛବିଟି ସହିତ ସମଚ୍ଛନ୍ଦ ହୋଇ ରହିପାରିବା ନିମନ୍ତେ ଅନୁକ୍ଷଣ ପ୍ରୟାସ କରୁଥିବାରୁ ସେମାନେ ଯେକୌଣସି ମୁହୂର୍ତ୍ତରେ ହିଁ ସେହି ପରମ ଅଜ୍ଞାତ ମଧ୍ୟରେ ପ୍ରବେଶ କରିବା ଲାଗି ପ୍ରସ୍ତୁତ ହୋଇ ରହି ପାରୁଥିଲେ-। ‘ରିକିଉଙ୍କର ସର୍ବଶେଷ ଚାହା-ଉତ୍ସବ’ଟି ସବୁକାଳକୁ ହିଁ ପ୍ରକୃତରେ ସେହି କରୁଣାମୟ ଉଜ୍ଜ୍ୱଳତାର ପରାକାଷ୍ଠୀ ହୋଇ ନିଶ୍ଚୟ ରହିବ ।

ରିକିଉ ଓ ତାଇକୋ-ହିଦେୟୋଶିଙ୍କ ମଧ୍ୟରେ ସ୍ଥାପିତ ହୋଇଥିବା ବନ୍ଧୁତାଟି ବେଶ୍ ଦୀର୍ଘକାଳ ଲାଗି ସ୍ଥାୟୀ ହୋଇ ରହିଥିଲା ଏବଂ ବୀର ଯୋଦ୍ଧା ତାଇକୋ ଚାହାର ବିଶାରଦ ରିକିଉଙ୍କୁ ସର୍ବଦା ଖୁବ୍ ସମ୍ମାନ ପ୍ରଦର୍ଶନ କରୁଥିଲେ । ମାତ୍ର, ଜଣେ କ୍ରୂର ରାଜ୍ୟଶାସକ ସହିତ ସ୍ଥାପିତ ସେହି ସମ୍ମାନଭରା ବନ୍ଧୁତା ସର୍ବଦା ବସ୍ତୁତଃ ଅତ୍ୟନ୍ତ ଆଶଙ୍କାଯୁକ୍ତ ହୋଇ ମଧ୍ୟ ରହିଥିଲା । ସେହିପରି ଯୁଗଟିରେ ବିଶ୍ୱାସଘାତକତାର ଆଦୌ ଅନ୍ତ ହଁ ନଥିଲା ଏବଂ ଲୋକେ ଆପଣାର ନିକଟତମ ଜ୍ଞାତିପରିଜନମାନଙ୍କୁ ବି ସଂପୂର୍ଣ୍ଣ ବିଶ୍ୱାସ କରିପାରୁ ନ ଥିଲେ । ରିକିଉ ଆଦୌ ଏପରି ଜଣେ ପାରିଷଦ ନ ଥିଲେ ଯିଏକି ଯେକୌଣସି ଅବସରରେ ମଧ୍ୟ ରାଜ୍ୟକର୍ତ୍ତାଙ୍କର ଜଣେ ଭୃତ୍ୟବତ୍ ହୋଇ ରହିପାରନ୍ତେ ଏବଂ ତେଣୁ ସେହି ଭୟପ୍ରଦ ପୃଷ୍ଠପୋଷକଙ୍କ ସହିତ ଚର୍ଚ୍ଚାମାନଙ୍କରେ ତାଙ୍କର ମତପାର୍ଥକ୍ୟ ମଧ୍ୟ ଘଟୁଥିଲା । ତାଇକୋ ଏବଂ ରିକିଉଙ୍କ ମଧ୍ୟରେ କିଛି ସମୟ ସକାଶେ ଘଟିଥିବା ସେହିପରି କୌଣସି ଏକ ଶୀତଳତାପୂର୍ଣ୍ଣ ସ୍ଥିତିରେ ରିକିଉଙ୍କର ଶତ୍ରୁମାନେ ରାଜାଙ୍କୁ ବିଷ ଦେଇ ହତ୍ୟା କରିବାର ଗୋଟିଏ ଷଡ଼ଯନ୍ତ୍ରରେ ସେ ଜଡ଼ିତ ହୋଇ ରହିଛନ୍ତି ବୋଲି ଅଭିଯୋଗ ଆଣିଥିଲେ । କାନକୁହାମାନେ ହିଦେୟୋଶିଙ୍କ ପାଖରେ ଯାଇ କହିଥିଲେ ଯେ ସ୍ଵୟଂ ଏହି ଚାହାବିଶାରଦ ହିଁ ତାଙ୍କଦ୍ୱାରା ପ୍ରସ୍ତୁତ କପେ ସବୁଜ ବର୍ଣ୍ଣର ପାନୀୟ ଆଣି ତାଙ୍କୁ ପ୍ରଦାନ କରିବେ, ଯେଉଁଥିରେ କି ବିଷ ଦିଆଯାଇଥିବ ଏବଂ ଏହିପରି ଭାବରେ ଶାସକଙ୍କର ମୃତ୍ୟୁ ଘଟିବ । ଏହି ସନ୍ଦେହଟିକୁ ଯଥେଷ୍ଟ ବୋଲି ଜାଣି ଶାସକ ରିକିଉଙ୍କୁ ତୁରନ୍ତ ହତ୍ୟା କରାଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ ଏବଂ ଆଉ କୌଣସି ନିବେଦନ କରି ତାଙ୍କର ମତକୁ ବଦଳାଇବା ନିମନ୍ତେ କୌଣସି ଅବସର ମଧ୍ୟ ଦିଆ ଗଲାନାହିଁ । ମୃତ୍ୟୁଦଣ୍ଡର ଆଦେଶ ପାଇଥିବା ଅପରାଧୀଙ୍କୁ କେବଳ ଏହି ଗୋଟିଏ ମାତ୍ର ସମ୍ମାନିତ ସୁଯୋଗ ପ୍ରଦାନ କରାଯାଇଥିଲା ଯେ ସିଏ ନିଜ ହାତରେ ହିଁ ଆପଣାର ଜୀବନକୁ ଶେଷ କରିବେ ।

ଆତ୍ମସଂହାରର ସେହି ନିର୍ଦ୍ଧାରିତ ହୋଇଥିବା ଦିନଟିରେ ରିକିଉ ଆପଣାର ମୁଖ୍ୟ ଶିଷ୍ୟମାନଙ୍କୁ ଏକ ସର୍ବଶେଷ ଚାହା-ଉତ୍ସବକୁ ନିମନ୍ତ୍ରଣ କଲେ । ସମୟ ମୁତାବକ ଅତିଥିବୃନ୍ଦ ଶୋକାକୁଳ ମୁଖମୁଦ୍ରାରେ ଅଙ୍ଗନରେ ଆସି ରୁଣ୍ଡ ହେଲେ । ଉଦ୍ୟାନର ମାର୍ଗଟିକୁ ସେମାନେ ଅନାଇ ଦେଖିବା ମାତ୍ରକେ ସେଠାରେ ଦଣ୍ଡାୟମାନ ବୃକ୍ଷରାଜି ସତେଅବା ଭୟରେ କମ୍ପି ଉଠିଲେ ଏବଂ ସେଗୁଡ଼ିକର ପତ୍ରମର୍ମରରେ ଗୃହଭ୍ରଷ୍ଟ ପ୍ରେତମାନଙ୍କର ଫୁସ୍ ଫୁସ୍ କଥାମାନ ଶୁଭିବାକୁ ଆରମ୍ଭ କରିଥିଲା । ସତେଅବା ପାତାଳପୁରର ଫାଟକମାନଙ୍କ ସମ୍ମୁଖରେ ପ୍ରସ୍ତର ନିର୍ମିତ ଧୂସରବର୍ଣ୍ଣ ଲଣ୍ଡନମାନେ ଜଳିବାରେ ଲାଗିଥାଆନ୍ତି । ଚାହାପ୍ରକୋଷ୍ଠ ମଧ୍ୟରୁ କୌଣସି ବିରଳ ଧୂପର ବାସନାର ତରଙ୍ଗଟିଏ ଭାସି ଆସୁଥିଲା । ଅର୍ଥାତ୍ ଅତିଥିମାନେ ଏଥର ପ୍ରବେଶ କରନ୍ତୁ ବୋଲି ଅନୁରୋଧ ହିଁ କରାଗଲା । ସେମାନେ ଜଣ ଜଣ ହୋଇ ଅଗ୍ରସର ହେଲେ ଓ ଆପଣାର ସ୍ଥାନମାନ ଗ୍ରହଣ କରିଥିଲେ । ଟାକୋନୋମାରେ ଗୋଟିଏ କାକେମୋନୋ ଅର୍ଥାତ୍ କୌଣସି ପୁରାତନ କାଳର ଭିକ୍ଷୁଙ୍କର ଏକ ଅପୂର୍ବ ରଚନା ଲେଖା ହୋଇ ରହିଥାଏ । ପାର୍ଥିବ ସର୍ବବିଧ ବସ୍ତୁ ଯେ ବସ୍ତୁତଃ କେତେ କ୍ଷଣସ୍ଥାୟୀ, ସେଥିରେ ସେହି ଭାବନାଟିକୁ ସୂଚିତ କରିଦିଆ ଯାଇଥିଲା । ଚାହାର କେଟ୍‌ଲିଟି କୋଇଲାଚୂଲୀ ଉପରେ ଗୀତ ଗାଇବାକୁ ଆରମ୍ଭ କରିଦେଲା । ସତେ ଯେପରି କୌଣସି ଉଜ୍ଜ୍ୱଳ ବର୍ଣ୍ଣର ଡେଣା ରହିଥିବା ଏକ ପତଙ୍ଗ ଝିଁ ଝିଁ ଶବ୍ଦ କରୁଥିବା ପରି ମନେ ହେଉଥାଏ, ସମ୍ଭବତଃ ବିଦାୟ ନେଇ ଚାଲିଯାଉଥିବା ଗ୍ରୀଷ୍ମ ଋତୁଟି ଆଗରେ ଆପଣା ଦୁଃଖର ନିବେଦନ ହିଁ କରୁଥାଏ । ଅବିଳମ୍ବେ ନିମନ୍ତ୍ରଣକର୍ତ୍ତା ଗୃହମଧ୍ୟକୁ ଆସିଲେ । ପ୍ରତ୍ୟେକ ଅତିଥିଙ୍କୁ ସେମାନଙ୍କର ଚାହା ପରଷି ଦିଆଯାଇଥିଲା ଏବଂ ପ୍ରତ୍ୟେକେ ପୂର୍ଣ୍ଣ ନୀରବତା ସହିତ ତାହାକୁ ପାନ କରୁଥିଲେ । ସମସ୍ତଙ୍କ ଶେଷରେ ସ୍ଵୟଂ ନିମନ୍ତ୍ରଣକାରୀ ମଧ୍ୟ ପିଇଲେ ଏବଂ ପ୍ରତିଷ୍ଠିତ ଭଦ୍ରତାଟି ଅନୁସାରେ ଚାହାର ସରଞ୍ଜାମ ସକଳକୁ ପରଖି ଦେଖିବା ନିମନ୍ତେ ପ୍ରଧାନ ଅତିଥି ଅନୁମତିର ପ୍ରାର୍ଥନା କରିଥିଲେ । ରିକିଉ ଯାବତୀୟ ସଂରଜାମ ଗୁଡ଼ିକ ଆଣି ସେମାନଙ୍କ ଆଗରେ ରଖିଲେ । କାକେ-ମୋନୋଟି ମଧ୍ୟ ଆଦୌ ବାଦ୍ ଯାଇ ନ ଥିଲା । ସମସ୍ତେ ବସ୍ତୁଗୁଡ଼ିକର ସୌନ୍ଦର୍ଯ୍ୟ ବିଷୟରେ ନିଜ ନିଜର ପ୍ରଶଂସା ବ୍ୟକ୍ତ କରିବା ଉତ୍ତାରୁ ରିକିଉ ସେଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ଅତିଥିଙ୍କୁ ଗୋଟିଏ ଗୋଟିଏ ବସ୍ତୁ ସ୍ମୃତି ହିସାବରେ ଉପହାର ଦେଲେ । କେବଳ ପାତ୍ରଟିକୁ ଆପଣା ଲାଗି ରଖିଥିଲେ ଏବଂ କହିଲେ, ମନ୍ଦ ଭାଗ୍ୟର ଓଷ୍ଠଦ୍ୱୟଦ୍ୱାରା ଦୂଷିତ ହୋଇ ଯାଇଥିବା ଏଇଟି ଯେପରି କୌଣସି ମନୁଷ୍ୟଦ୍ୱାରା ବ୍ୟବହୃତ ନ ହୁଏ । ଏତିକି କହି ସେ ପାତ୍ରଟିକୁ ଭାଙ୍ଗି ଖଣ୍ଡ ଖଣ୍ଡ କରି ଦେଇଥିଲେ ।

ଅନୁଷ୍ଠାନଟି ସେହିଠାରେ ସମାପ୍ତ ହୋଇଥିଲା । ଅତିଥିମାନେ ଅତ୍ୟନ୍ତ କଷ୍ଟରେ ହିଁ ଲୋତକ ସମ୍ବରଣ କରିବାକୁ ଚେଷ୍ଟା କରୁଥାଆନ୍ତି । ସେମାନେ ତା’ପରେ ସେଠାରୁ ଅନ୍ତିମ ବିଦାୟ ନେଇ ପ୍ରସ୍ଥାନ କଲେ । କେବଳ ଜଣଙ୍କୁ ସମସ୍ତଙ୍କଠାରୁ ଅଧିକ ନିକଟ ତଥ୍ୟ ଅଧିକ ପ୍ରିୟ ଜଣେମାତ୍ର ବ୍ୟକ୍ତିଙ୍କୁ ରହିବା ଲାଗି ଅନୁରୋଧ କରାଯାଇଥିଲା । ସେ ରହିବେ ଏବଂ ସର୍ବଶେଷ ଘଟଣାଟିକୁ ପ୍ରତ୍ୟକ୍ଷ କରିବେ । ତା’ପରେ ରିକିଉ ନିଜ ଦେହରୁ ଚାହାପାନ ସମୟର ପରିଧାନଟିକୁ ଓହ୍ଲାଇ ଦେଇଥିଲେ ଏବଂ ଭାଙ୍ଗିଭୁଙ୍ଗି ଅତ୍ୟନ୍ତ ଯତ୍ନ ସହକାରେ ତଳେ ବିଛା ହୋଇଥିବା ଚଟାଇଟି ଉପରେ ରଖିଦେଲେ । ତା’ ପରେ ସିଏ ସେଇଟି ତଳେ ପିନ୍ଧି ରଖିଥିବା ମୃତ୍ୟୁକାଳୀନ ଶୁଦ୍ଧ ଶୁଭ୍ର ପରିଧାନଟି ବାହାରକୁ ଦୃଶ୍ୟମାନ ଆସି ପାରିଥିଲା । ତା’ପରେ ସେ ଅତ୍ୟନ୍ତ ସ୍ଥିରଚିତ୍ତ ହୋଇ ତାଙ୍କର ହତ୍ୟା ଲାଗି ଉଦ୍ଦିଷ୍ଟ ଛୁରିକାଟିର ଉଜ୍ଜ୍ୱଳ ବପୁଟି ଉପରେ ଦୃଷ୍ଟିପାତ କଲେ ଏବଂ ଏହିପରି ଏକ ଅତି ଚମତ୍କାର କବିତା ଦ୍ଵାରା ତାହାକୁ ସମ୍ବୋଧନ କରି ଉଚ୍ଚାରଣ କଲେ–

ସ୍ୱାଗତମ୍‌, ତୁମକୁ ମୋ’ର ସ୍ଵାଗତମ୍

ହେ ମୋର ଶାଶ୍ୱତ କାଳର ତରବାରୀଟି !

ବୁଦ୍ଧ ତଥା ଧର୍ମ ଉଭୟଙ୍କର ମାଧ୍ୟମରେ ହିଁ

ତୁମେ ମୋ’ର ପଥଟିକୁ ବିଦୀର୍ଣ୍ଣ କରି

ଉନ୍ମୋଚିତ କରି ଆଣିଛ ।

ତାଙ୍କର ମୁଖମଣ୍ଡଳ ଉପରେ ଇଷତହାସ୍ୟର ରେଖାଟିଏ ଫୁଟି ଉଠିଥିଲା ଏବଂ ରିକିଉ ସେହି ଅଜ୍ଞାତ ରାଜ୍ୟଟି ମଧ୍ୟକୁ ପ୍ରୟାଣ କରିଥିଲେ ।

(କାକୁଜୋ ଓକାକୁରା, ଫେବୃଆରୀ ୧୪,୧୮୬୩-ସେପ୍ଟେମ୍ବର ୨, ୧୯୧୩-ତାଙ୍କର ଆଉ ବି ଗୋଟିଏ ନାମ ହେଉଛି ତେନ୍-ଶିନ୍ ଓକାକୁରା । ଜାପାନ ଦେଶର ଜଣେ ପ୍ରଖ୍ୟାତ ବିଦ୍ୱାନ୍ ଯାହାଙ୍କର ଜାପାନର କଳାତ୍ମକତାର କ୍ଷେତ୍ରରେ ମୂଲ୍ୟବାନ ଅବଦାନ ରହିଛି । ୟାକୋହାମା ସହରରେ ଜନ୍ମ । ଟୋକିଓ ବିଶ୍ୱବିଦ୍ୟାଳୟରୁ ଶିକ୍ଷାପ୍ରାପ୍ତ । ଜାପାନ ସୂକ୍ଷ୍ମକଳା ଏକାଡେମୀର ଜଣେ ପ୍ରତିଷ୍ଠାତା । ୧୯୦୪ ଖ୍ରୀଷ୍ଟାବ୍ଦରେ ଆମେରିକାର ବୋଷ୍ଟନ ସହରରେ ଥିବା ସୂକ୍ଷ୍ମକଳା ମିଉଜିଅମ୍‌ର ଏସିଆ ମହାଦେଶୀୟ କଳା-ବିଭାଗର ପ୍ରଥମ ମୁଖ୍ୟରୂପେ ନିଯୁକ୍ତ ହୋଇଥିଲେ ।

(ଓକାକୁରାଙ୍କର ସବୁଯାକ ରଚନା ଇଂରାଜୀରେ ଲିଖିତ । ଇଉରୋପ, ଆମେରିକା ଯୁକ୍ତରାଜ୍ୟ, ଚୀନ ଏବଂ ଭାରତବର୍ଷ ପ୍ରଭୃତି ଦେଶର ଭ୍ରମଣ ତାଙ୍କର କଳାଦୃଷ୍ଟିକୁ ଏକାଧିକ ପ୍ରସ୍ଥ ଯୋଗାଇ ଦେବାରେ ଅବଶ୍ୟ ସହାୟତା କରିଥିଲା । ସମଗ୍ର ଏସିଆ ମହାଦେଶର ପ୍ରାଣ, ଆତ୍ମା ତଥା ନିୟତି ଏକ ଓ ଅଭିନ୍ନ ବୋଲି ଦର୍ଶାଇବାରେ ସେ ସର୍ବଦା ପ୍ରୟାସ କରୁଥିଲେ । କିନ୍ତୁ, ଯେତେବେଳେ ତାଙ୍କ ନିଜ ଦେଶଟି ପାଶ୍ଚାତ୍ୟ ଶକ୍ତିମାନଙ୍କ ଭଳି ବଡ଼ ହେବାର ଲକ୍ଷ୍ୟରେ ସେମାନଙ୍କର ମାର୍ଗକୁ ଅନୁସରଣ କରିବାକୁ ଆରମ୍ଭ କଲା, ସେତେବେଳେ ଓକାକୁରା ତାହାର ଖୁବ୍ ବିରୋଧ ମଧ୍ୟ କରିଥିଲେ ।

ଜାପାନ ବାହାରେ ତାଙ୍କର ବହୁ ପ୍ରଖ୍ୟାତ ପ୍ରଶଂସକ ମଧ୍ୟ ଥିଲେ । ଏହି ସନ୍ଦର୍ଭରେ ଜର୍ମାନୀର ଦାର୍ଶନିକ ମାର୍ଟିନ୍ ହାଇଡ଼ିଗର, ଆମେରିକାର କବି ଏଜରା ପାଉଣ୍ଡ ଓ ଆମ ଦେଶର ରବୀନ୍ଦ୍ରନାଥ ଠାକୁରଙ୍କର ନାମଗୁଡ଼ିକୁ ଅବଶ୍ୟ ଉଲ୍ଲେଖ କରାଯାଇ ପାରିବ ।

The Book of Tea ହେଉଛି ତାଙ୍କଦ୍ଵାରା ଲିଖିତ ସର୍ବାଧିକ ପରିଚିତ ପୁସ୍ତକ ।)

Image

 

Unknown

ଚାହାରୁ ଦାର୍ଶନିକତା

 

ଚାହା ସେହି ଅତିପୁରାତନ କେଉଁ କାଳରୁ ଚୀନଦେଶରେ ଥିଲା । ଦ୍ରୂମ ଆକାରରେ ଥିଲା । ପୁନଶ୍ଚ କେଉଁ ଗୋଟିଏ କାଳରେ ସେହି ଦେଶର କୌଣସି କୌଣସି ଅଞ୍ଚଳର ଅଧିବାସୀମାନେ ତାହାର କିଞ୍ଚିତ୍ ପରିଚୟ ପାଇବାରୁ ଚାହା ଜଙ୍ଗଲରୁ କ୍ଷେତମାନଙ୍କୁ ଆସିଲା । ପ୍ରଥମେ ଏକ ଔଷଧ ପରି ବ୍ୟବହୃତ ହେଉଥିଲା, ତା’ପରେ ଏକ ସ୍ଫୂର୍ତ୍ତିଦାୟକ ସାମୟିକ ପାନୀୟ ରୂପେ ଏବଂ ତା’ପରେ କ୍ରମେ ସମସ୍ତଙ୍କଦ୍ୱାରା ସମାଦୃତ ଗୋଟିଏ ନିତ୍ୟ ପାନୀୟର ଅଭ୍ୟାସ ରୂପେ-। ସମାଜର ଭିନ୍ନ ଭିନ୍ନ ସାମାଜିକ ଏବଂ ଆର୍ଥିକ ବର୍ଗଗୁଡ଼ିକର ଲୋକମାନେ ତାହାକୁ ଆପଣାର ଅବସ୍ଥା ଅନୁସାରେ ଭିନ୍ନ ଭିନ୍ନ ପ୍ରକାରେ ବ୍ୟବହାର କରିଥିବେ ଏବଂ ଅପେକ୍ଷାକୃତ ଅଧିକ ଅବସ୍ଥାପନ୍ନମାନେ ସେଥିରେ ସ୍ୱଭାବତଃ କିଛି କିଛି କଳାତ୍ମକତା ଆଣି ବେଶ୍ ମିଶାଇ ଦେଇଥିବେ । ଆଉ କିଛି ନହେଉ ପଛକେ, ଅନ୍ତତଃ ଆମ ବର୍ଗ ତଥା ଆମ ରୁଚିଗୁଡ଼ିକ ଯେ ନିମ୍ନତର ବର୍ଗଗୁଡ଼ିକର ରୁଚିଠାରୁ ଭିନ୍ନ ପ୍ରକାରର, ସ୍ଥୂଳତଃ ସେହି କଥାଟିକୁ ଦର୍ଶାଇଦେବା ସକାଶେ ଚଳଣିଟା ମଧ୍ୟ ଭିନ୍ନ ପ୍ରକାରର ହୋଇଯିବାରେ ଲାଗିଥିବ । ଏ ସବୁକୁ ଯେ କେଉଁ ମଥାଟିଏ କିମ୍ବା ମଥାମାନେ ଔପଚାରିକ ଭାବରେ ଚିନ୍ତା କରି ନେଇ ସ୍ଥିର କରିଥିବେ, ସେକଥା ଆଦୌ ନୁହେଁ । ସାମାଜିକ ବିଧାନର ପ୍ରାୟ ସକଳ କ୍ଷେତ୍ରରେ ଯାହା ସଚରାଚର ହୁଏ, ବର୍ଗ ବର୍ଗ ମଧ୍ୟରେ ଅଭ୍ୟସ୍ତ ଅବଚେତନ ଗୁଡ଼ିକର ମାହାଲରେ ଯେଉଁ ଦୂରତାଗୁଡ଼ିକ ସଂପୃକ୍ତ ଜନମାନସଟିଦ୍ୱାରା ସ୍ୱୀକୃତ ହୋଇ ରହିଥାଏ ଏବଂ ସେହି ଅନୁସାରେ ବାହାରର ଚଳଣିମାନଙ୍କୁ ଆକାର ଦେବାରେ ଲାଗିଥାଏ, ଚାହାର ଆମର ଏହି ଆଲୋଚ୍ୟ କ୍ଷେତ୍ରଟିରେ ମଧ୍ୟ ବସ୍ତୁତଃ ତାହା ହିଁ ହୋଇଥିବ ।

 

ହଁ, ଅପେକ୍ଷାକୃତ ଅଧିକ ଥିଲାବାଲାମାନେ ଚାହା ପିଇବାର ଚଳଣିଟିରେ କିଛି ସ୍ୱତନ୍ତ୍ର ଅଳଙ୍କରଣ ଯୋଡ଼ିଦେଇ ତାହାକୁ ଚାହା-ଉତ୍ସବ ବୋଲି କହିବେ ଏବଂ ଏଭଳି କରି ଅବସରଟିକୁ ବେଶ୍ ଅଧିକ ମନୋରମ ଭାବରେ ଉପଭୋଗ କରି ହେଉଛି ବୋଲି ଆପଣାର ମନକୁ ବୁଝାଇ ଦେଇଥବେ ଏବଂ ଖାସ୍ କିଛି ବର୍ଗର ଏହି ସମ୍ଭ୍ରାନ୍ତପଣଟିକୁ ନିର୍ଦ୍ଦିଷ୍ଟ ବଂଶଗୁଡ଼ିକ ପ୍ରାୟ ଏକ ଉତ୍ତରାଧିକାରର ମାନ୍ୟତା ପ୍ରଦାନ କରି ଅବିଚ୍ଛିନ୍ନ ହିଁ ରଖିଥିବେ ।

 

ଏବଂ, କାଳେ କାଳେ ବିଦ୍ୱାନ ପଣ୍ଡିତ, କବି, କଳାକାର ସଙ୍ଗୀତାମୋଦୀ ସ୍ୱତନ୍ତ୍ର ଗୋଷ୍ଠୀମାନେ, ସେମାନେ ତ ଯେକୌଣସି ସମାଜରେ ଆପଣାକୁ ବିଶିଷ୍ଟ ବର୍ଗମାନଙ୍କ ପକ୍ଷଟିରେ ହିଁ ସାମିଲ କରି ରଖିବାରେ ଅଧିକ ଆତ୍ମସନ୍ତୋଷ ଲାଭ କରି ଆସିଛନ୍ତି । ଏବଂ, ଅପର ପକ୍ଷରେ ରାଜାମାନେ ପାରିଷଦ ହିସାବରେ ଯୁଗେ ଯୁଗେ ସେହିମାନଙ୍କୁ ପାର୍ଶ୍ଵରେ ବସାଇ କିଞ୍ଚିତ୍‌ ଭାବଗତ ଉତ୍ତୋଳନ ଅନୁଭବ କରି ଆସିଥିବା ପରି ସମ୍ଭ୍ରାନ୍ତ ସମ୍ପନ୍ନତରମାନେ ମଧ୍ୟ ସୁଯୋଗ ଅନୁକ୍ରମରେ ସର୍ବଦା ସେହିପରି କିଛି ଲୋଡ଼ି ହିଁ ଆସିଛନ୍ତି । ଚୀନ୍ ଦେଶର ସମାଜରେ କୌଣସି ସମୟରେ ସେହିପରି କିଛି ହୋଇଥିବ ଏବଂ ସମ୍ଭ୍ରାନ୍ତ ଘରର ଚାହାପାନରେ ଏକ ବିଶେଷ ଆୟୋଜନ ହୋଇ ତାହାକୁ ଚାହା-ଉତ୍ସବ ବୋଲି କୁହାଯାଇଥିବ । ଆମେ କଦାପି ପାସୋରିଯିବା ନାହିଁ ଯେ, ସେହି ଆପ୍ୟାୟନକୁ ମାଧ୍ୟମ କରି ଚାହାର ଉତ୍ସବମାନେ ନିୟମତଃ ସମ୍ଭ୍ରାନ୍ତମାନଙ୍କ ଘରେ ହିଁ ସକଳ ସମୟରେ ବସିଛି । କୌଣସି କବି, କଳାକାର, ବିଦ୍ୱାନ ବା ସେହି କାଟର ଆଉ କାହାଘରେ ଆଦୌ ବସିନାହିଁ । ସେହି ସ୍ୱତନ୍ତ୍ର ଗୁଣୀବୃନ୍ଦଙ୍କୁ ସେଠାକୁ ହକାରି ଅଣାଯାଇଛି ।

 

ପୁନଶ୍ଚ, ଏହିପରି ଗୋଟିଏ ଖାସ୍ ମିଜାଜରେ ଏକତ୍ର ହୋଇଥିବା ଗୋଷ୍ଠୀମାନେ ଯେତେବେଳେ ଚାହାପାନର ସେହି ଔପଚାରିକତାର ଅମୋଦିତ ପରିବେଶରେ ଏକ ନିଖୁଣ ବିଧିକୁ ମାନି ଆୟୋଜିତ ଆପ୍ୟାୟନରେ ଏକତ୍ର ହୋଇ ଏକ ସହଜ ପୁଲକରେ ପ୍ରେରିତ ହୋଇ ଆସୁଥିବେ, ସେଥିରୁ ଦର୍ଶନର ନାନାବିଧ ଚର୍ଚ୍ଚା ମଧ୍ୟ ସେମାନଙ୍କୁ ଆସି ମୋହିତ କରିଦେଇଥିବ । ଚୀନ ଦେଶର ଇତିହାସରେ ତ ମହାମନା ଦାର୍ଶନିକମାନେ ସେହି ଅତି ପ୍ରାଚୀନ କାଳରୁ ହିଁ ରହି ଆସିଥିଲେ ଏବଂ ବର୍ଗନିର୍ବିଶେଷରେ ସମସ୍ତଙ୍କର ଚିତ୍ତ ମଧ୍ୟରେ ଏକ ସ୍ୱାଭାବିକ ସ୍ଥାନ ଅଧିକାର କରି ବି ନେଇଥିଲେ । ଚାହା ଆପ୍ୟାୟନର ମୁଗ୍ଧ ମେଳଗୁଡ଼ିକରେ ଯେ ତେଣୁ ଏକ ବର୍ଣ୍ଣନାନୁକୂଳ ପରିବେଶର ସୃଷ୍ଟି ବେଶ୍ ଅନାୟାସରେ ସୃଷ୍ଟି ହୋଇ ଆସୁଥିବ ଏବଂ ଖାସ୍ ଜ୍ଞାନତଦ୍‌ବିତ୍‌ମାନେ ସେହି ଆନୁଷ୍ଠାନିକ ପାନର ଅବସରଟିକୁ ଆହୁରି ଅଧିକ ପ୍ରଭାଯୁକ୍ତ କରି ରଖିବାର ଉତ୍ସାହରେ ସେଇଟି ସହିତ କେତେ ଦାର୍ଶନିକତା ଆଣି ସଂଯୋଜିତ କରି ଦେଉଥିବେ, ସେଥିରେ ବିସ୍ମିତ ହେବାର ସେପରି କୌଣସି କାରଣ ରହିବା ଆଦୌ ଉଚିତ ନୁହେଁ । ଲେଖକ ଓକାକୁରା ମଧ୍ୟ ନିଜର ଚାହାଉତ୍ସବ ସଂପର୍କିତ ମିନି ଗ୍ରନ୍ଥଟିରେ ନ୍ୟାୟତଃ ତାହା ହିଁ କରିଛନ୍ତି । ସିଏ ତ ଗ୍ରନ୍ଥଟିକୁ ଇଂରାଜୀରେ ରଚନା କରିଛନ୍ତି, ଯେପରିକି ବୃହତ୍ତର ପୃଥିବୀର ମନୁଷ୍ୟମାନେ ସେଇଟି ବିଷୟରେ ୱାକିବ୍‌ହାଲ ହୋଇପାରିବେ । ଏବଂ, ତାଙ୍କ ନିଜ ଭାଷାରେ ମଧ୍ୟ ବହୁସଂଖ୍ୟକ ପୋଥି ସେହିକାଳରୁ ରହିଛି, ଯେଉଁ ଗୁଡ଼ିକରେ କି ଆପ୍ୟାୟନଟି ସହିତ ନିଜ ଭୂମିର ଦାର୍ଶନିକ ସୂତ୍ରଗୁଡ଼ିକୁ ଆଣି ଗୁନ୍ଥି ଦିଆଯାଇଛି । ଅର୍ଥାତ, ଆଗ ଦାର୍ଶନିକତା ମୋଟେ ନୁହେଁ, ଆଗ ହେଉଛି ଚଳଣିଟି,, ନିତାନ୍ତ ଲୋକସ୍ତରୀୟ ଚଳଣିଟି ! କ୍ରମେ ତାହା ସମ୍ଭ୍ରାନ୍ତ ମହଲ ଗୁଡ଼ିକ ମଧ୍ୟକୁ ସ୍ୱୀକୃତ ହୋଇ ଆସିଛି ଓ ତାହାକୁ ରସାୟିତ କେତେ କେତେ ପବିତ୍ର ଝଲମଲ ଦେଇ ସୁଦୃଶ୍ୟ କରାଯାଇଛି । ସୁଦୃଶ୍ୟ କରାଇବାର ସେହି ଭବ୍ୟ ଶ୍ରମଟିକୁ କଳାତ୍ମକତା ବୋଲି କୁହାଯାଇଛି ଏବଂ ସେଥିରୁ ମିଳୁଥିବା ତୃପ୍ତିଗୁଡ଼ିକରେ ଡେଣାମାନ ଲଗାଇ ଅତ୍ୟୁତ୍ସୁକମାନେ ସେଥିରେ ଦାର୍ଶନିକତାର ପୁଟମାନଙ୍କୁ ଆଣି ଗଅଁଠାଇ ଦେଇଛନ୍ତି । ଆମେ ଅବଶ୍ୟ ସ୍ମରଣ ରଖିବା ଯେ, ଚାହା ପ୍ରଥମେ ଚୀନ୍‌ରେ ହିଁ ସେଠା ଲୋକାଚାରର ଏକ ଅଙ୍ଗହୋଇ ରହିଥିଲା । ସେଠାରେ ବି ସମ୍ଭ୍ରାନ୍ତମାନେ ଆପଣାର ବର୍ଗଗତ ମେଳଗୁଡ଼ିକରେ ଉପଚାରଟିକୁ ନିଶ୍ଚୟ କିଶ୍ଚିତ୍ କଳାତ୍ମକତାର ରୂପସଜ୍ଜା ଆଣି ଦେଇଥିବେ । ସମ୍ଭବତଃ କିଛି ଦାର୍ଶନିକତାର ବି ସଂଯୋଜନ ହୋଇଥିବ । ମାତ୍ର ଜାପାନକୁ ଆସି ତାହା ଏକ ପୂର୍ଣ୍ଣତର ଆନୁଷ୍ଠାନିକତାର ମର୍ଯ୍ୟାଦା ପାଇଥିବା ପରି ଅନୁମାନ ହେଉଛି । ଆଗ ସମ୍ଭ୍ରାନ୍ତ ମାନଙ୍କର ଗୋଷ୍ଠୀରେ ପ୍ରତିଷ୍ଠା ଲାଭ କରି ସମ୍ଭବତଃ ତଳକୁ ଅର୍ଥାତ୍ ଲୋକସ୍ତରକୁ ଯାଇଥିବ । ଅର୍ଥାତ୍ ଚୀନରେ ଲୋକସ୍ତରରୁ ସମ୍ଭ୍ରାନ୍ତ ମହଲକୁ ଏବଂ ଜାପାନରେ ସମ୍ଭ୍ରାନ୍ତ ମହଲରୁ ଲୋକସ୍ତରକୁ ; ଚୀନରେ ତଳୁ ଉପରକୁ ଏବଂ ଜାପାନରେ ଉପରୁ ତଳକୁ ।

 

ସ୍ୱାଭାବିକ ସମ୍ଭବତଃ ଯାବତୀୟ ପ୍ରକ୍ରିୟାରେ ଆଗ ହେଉଛି ଜୀବନଟି ବଞ୍ଚିବା ଏବଂ ତା’ପରେ ଏକ ଖାସ୍ ହାୱାଟିଏ ପାଇଲେ ସେହି ଜୀବନକୁ ନେଇ ଦର୍ଶନଗୁଡ଼ିକୁ ବାହାର କରିବା । କେଉଁଠି ମନୁଷ୍ୟମାନେ ଆଗ ବଞ୍ଚିବା ନିମନ୍ତେ ଦର୍ଶନଟିଏ ବାହାର କରିଛନ୍ତି ଏବଂ ତା’ପରେ ତାହାରି ଅନୁସାରେ ଜୀବନଟିଏ ବଞ୍ଚିଛନ୍ତି, ହୁଏତ ଏପରି କେବେହେଲେ ହୋଇନାହିଁ । ବରଂ, ଏପରି ମଧ୍ୟ ହୁଏତ କିଞ୍ଚିତ୍ ସାହସ କରି କୁହାଯାଇ ପାରିବ ଯେ, ଯେଉଁମାନେ ଦର୍ଶନ ଆଡ଼େ ବେଶୀ ମନ ଦେଇଛନ୍ତି, ସେମାନେ ଅପେକ୍ଷାକୃତ ଜୀବନଟିଏ ବଞ୍ଚିବାର ସେହି ସବାମୂଳ କଥାଟିର କ୍ଷେତ୍ରରେ କମ୍ ଧ୍ୟାନ ଦେଇଛନ୍ତି । ଆମର ଏହି ଆଧୁନିକ ପୃଥ୍ୱୀକାଳର ମୁଣା ମୁଣା ସିଦ୍ଧାନ୍ତତତ୍ତ୍ୱ ଏବଂ ଦର୍ଶନ-ପରାମର୍ଶର ଯୁଗରେ ଅଧିକତର ସଂଖ୍ୟାରେ ମନୁଷ୍ୟମାନେ ଜୀବନଟିଏ ବଞ୍ଚିବାର ଧନ୍ଦାଟି ଉପରେ ହିଁ ଅଧିକ ମନୋନିବେଶ କରି ରହିଛନ୍ତି ଏବଂ ତାହା ହିଁ କରିବାକୁ ଏକ ବାସ୍ତବତାର ଧର୍ମ ବୋଲି ବିବେଚନା ମଧ୍ୟ କରୁଛନ୍ତି । ବହିମାନେ ଲେଖାହୋଇ ସମ୍ମାନିତ ଥାନମାନଙ୍କରେ ରହିଛନ୍ତି, ତଥାପି ସେଗୁଡ଼ିକ ଆଗ ଘାଣ୍ଟି ସେଇଥିରୁ ନିର୍ଦ୍ଦେଶ ନେଇ ସାଧାରଣ ମନୁଷ୍ୟମାନେ ମୋଟେ ଜୀବନଗୁଡ଼ିକ ବଞ୍ଚୁନାହାନ୍ତି । ସେହି ବଞ୍ଚିବାର ପ୍ରକ୍ରିୟାଟିଠାରୁ ହିଁ ପ୍ରାୟ ସବୁକିଛି ଶିକ୍ଷା କରୁଛନ୍ତି । ତେଣୁ ସେମାନଙ୍କର ବଞ୍ଚିବାର କ୍ଷେତ୍ରରେ ମଧ୍ୟ ଅନୁଭୂତ ପ୍ରୟୋଜନ ଅନୁସାରେ ଗୁଳାମାନେ ବଦଳି ଯାଉଛନ୍ତି । ନିତାନ୍ତ ସ୍ୱାଭାବିକ ଭାବରେ ଏକ ସତତ ସଚଳତା ଅବିଚ୍ଛିନ୍ନ ଭାବରେ ରହିଛି । ଏବଂ, ବର୍ତ୍ତମାନ ସମ୍ଭବତଃ ଏଥିରେ କିଛି ଆଭାସ ମିଳି ପାରୁଥିବ ଯେ, ସାମଗ୍ରିକ ଭାବରେ ମନୁଷ୍ୟମାନଙ୍କର ସମୂହଗୁଡ଼ିକ ଜୀବନ ବଞ୍ଚିବାର ପରିମଳଟିର କ୍ଷେତ୍ରରେ ବହିମାନଙ୍କରୁ ଔପଚାରିକ ଓ ଆନୁଷ୍ଠାନିକ ସିଦ୍ଧାନ୍ତ ଗୁଡ଼ିକରୁ ଯେତେ ନୁହେଁ, ବିଶେଷ କୌଣସି କୋଳାହଳ ନକରି ହିଁ ତଥାପି ଆଗକୁ ଆଗକୁ ରହିଥିବା ବାଟଗୁଡ଼ିକୁ ପାଇଯାଇ ପାରିଛନ୍ତି ।

 

ଅର୍ଥାତ୍ ଚାହାପାନର କ୍ଷେତ୍ରରେ ସେହି ଉପର ଏବଂ ସମ୍ଭ୍ରାନ୍ତମାନେ ହିଁ ଏକ ଉତ୍ସବର ଭିଆଣ କରି ସେମାନଙ୍କର ବୁଝିବାକୁ ଏକ କଳାତ୍ମକତାର ସୃଷ୍ଟିକରି ଅଧିକ ଆନନ୍ଦ ପାଇଛନ୍ତି ଓ ଆମୋଦିତ ଅନୁଭବ କରିଛନ୍ତି । ବେଳେ ବେଳେ ଉତ୍ସବଟିର ଉତ୍ସବୀୟତାକୁ ହୁଏତ ଅଧିକ ମହତ୍ତ୍ଵ ତଥା ଗୁରୁତ୍ୱ ଦେଇଛନ୍ତି । ଯେଉଁଟିକୁ ସାଧାରଣ ତୁମେ ଆମେ ମଣିଷମାନେ ଅଲଗା କିଛି ବୋଲି ହୁଏତ କେବେହେଲେ ଅନୁଭବ କରୁନାହିଁ, ସମ୍ଭ୍ରାନ୍ତମାନେ ସମ୍ଭବତଃ ଯୁଗେ ଯୁଗେ ତାହାକୁ ହିଁ ସଂସ୍କୃତି ବୋଲି କହିଆସିଛନ୍ତି କି ? ଆମର ଏହି ମଥାପ୍ରଧାନ ଯୁଗଟାରେ ମଧ୍ୟ ସେହି ଉତ୍ପୀଡ଼ନଟା ଅଧିକ ଅନୁଭୂତ ହେଉଛି ଏବଂ ତାହାକୁ କେଡ଼େ ଆନୁଷ୍ଠାନିକ ଅଲିଅଳରେ ସମାଜ ଭିତରର ଖାସ୍‌ମାନେ ସଂସ୍କୃତି ବୋଲି କହୁଛନ୍ତି । ହଁ, ସେମାନେ ସମସ୍ତଙ୍କ ଭିତରେ ରହିଛନ୍ତି; ବହୁସଂଖ୍ୟକ ସାଧାରଣ ମଣିଷ ରହିଛନ୍ତି ବୋଲି ସେହି ଅଳପ ତଥାକଥିତ ସଂସ୍କୃତିସ୍ଥମାନେ ତିଷ୍ଠି ରହିଛନ୍ତି, ତଥାପି ସାଧାରଣଙ୍କଠାରୁ ଆପଣାକୁ କେତେ ଯୋଜନ ଉପରେ ବୋଲି ଆପଣାକୁ ବୁଝାଇ ରଖି ସେମାନେ ଆତ୍ମପ୍ରସାଦ ଲାଭ କରୁଛନ୍ତି । ସମୁଦ୍ର ଉପରର ପୁଳା ପୁଳା ଫେଣ ହୋଇ ରହିବାକୁ ଏଣୁ ସଂସ୍କୃତି ଭିତରେ ରହିଥିବାର ସନ୍ତକ ବୋଲି ଗ୍ରହଣ କରିନିଆ ଯାଇଛି । ପୂରା ସମୁଦ୍ରଟାକୁ ସତେ ଅବା ଭାରି ନାକ ଟେକି ଫେଣମାନେ ବେଶ୍ ସାଂସ୍କୃତିକ କହି ହେଉଥିବା ଅସାଂସ୍କୃତିକ ଆନନ୍ଦଟିଏ ପାଉଛନ୍ତି । ତାହାରି ଭିତରେ କଳା, ସାହିତ୍ୟ, ସଂଗୀତ–ସେଗୁଡ଼ିକୁ ପୁଣି ଗୋଟାଏ ଖାସ୍ ଅନୁପ୍ରାସ ଦେଇ ମନୁଷ୍ୟ ଜୀବନର ସୂକ୍ଷ୍ମ ଏକ ବିଭବ ବୋଲି ଖୁବ୍‌ ଗମ୍ଭୀର ଭାବରେ କୁହାଯାଉଛି । ସଭାଘର ସଂସ୍କୃତି, ସେଥିପାଇଁ ନାନାଭଳି ଖାସ୍ ବିଧିମାନ; ଏବଂ, ସାଧାରଣ ଜୀବନ ବୋଲି ସଂସାରରେ ଯାହାକିଛି ଚାଲିଛି ବୋଲି ତଳେ ଏବଂ ଉପରେ ଯେ ସମସ୍ତେ ଆତଯାତ ହୋଇ ପାରୁଛନ୍ତି, ସଂସ୍କୃତିନାମକ ଏହି ମଞ୍ଚଟିକୁ ଉଠି ଆସିବା ପାଇଁ ତାହାକୁ ବେଶ୍ ଭବ୍ୟ ଭାବରେ ଭୁଲିଯିବାକୁ ହେଉଛି ।

 

ଆମ ଆଦିବାସୀମାନଙ୍କର ନାଚ, ଗୀତ, ବାଜା ଏବଂ ପର୍ବାନୁଷ୍ଠାନ,–ତାହା ସେମାନଙ୍କ ଲାଗି ସୂକ୍ଷ୍ମ ନୁହେଁ କିମ୍ବା ସ୍ଥୂଳ ନୁହେଁ, ତାହା ଜୀବନ । ଜୀବନର ପୂର୍ଣ୍ଣ ବେଢ଼ାଟି ଭିତରେ ସବୁକିଛି ଏକାଠି ଗଁଠାହୋଇ ରହିଛି । ଉପର ନାହିଁ କି ତଳ ନାହିଁ । ଆମେ ଯେଉଁ ସ୍ଥୂଳମାନେ, ଘଡ଼ିଏ ସୂକ୍ଷ୍ମର ସୁଆଦ ଚାଖିବୁ ବୋଲି ସେମାନଙ୍କୁ ନେଇ ଗବେଷଣା କରୁ, ଆମେ ସେମାନଙ୍କର ସଂସ୍କୃତିଟିକୁ ଅଲଗା କରି ଦେଖୁ; ତାହାକୁ ସହରକୁ ଡାକି ଚିତ୍ତର ଆପ୍ୟାୟନ କରୁ, ସେମାନଙ୍କର କାହାଣୀ ଏବଂ ଗୀତ ଗୁଡ଼ିକର ବୌଦ୍ଧିକ ଚର୍ଚ୍ଚା କରି କେତେ ଭାବବିହ୍ୱଳ ହୋଇପଡ଼ୁ । ତଥାପି ସେମାନଙ୍କର ବାକି ଅର୍ଥାତ୍ ନିତ୍ୟଦୈନିକ ଜୀବନଟାକୁ ଦେଖି ମଧ୍ୟ ନ ଦେଖିବା ପରି ହେଉ । ସେମାନଙ୍କୁ ପାଖରେ ବସାଇବାକୁ ଏବଂ ସାଙ୍ଗରେ ନେବାକୁ ଘୋର ଅନୈତିକ ବୋଲି ବିଚାର କରୁ ଏବଂ ଖୁବ୍ ସମ୍ଭବ ସେମାନଙ୍କର ଭାତ ଓ ଲୁଣର ଜୀବନଟିକୁ ଧାପେ ବି ବଦଳାଇବା ଉଦ୍ଦେଶ୍ୟରେ ଦେଶର ଶାସନ ଯେଉଁ ଅର୍ଥର ବରାଦ କରେ, ସେଗୁଡ଼ିକ ମଧ୍ୟ ମଝିରେ ଥାଇ ସତେଅବା ଆମ ନିଜର ଖାସ୍ ସାହୀଟାରେ ସିଦ୍ଧାନ୍ତ କରିଥିବା ପରି ହଡ଼ପ କରି ବି ନେଉ । ସେମାନେ ଯେଉଁଠି ସେଇଠି ନ ରହିଲେ କାଳେ ଆମର ସାଂସ୍କୃତିକ ସମ୍ଭ୍ରାନ୍ତ ଜୀବନଟି ବାଧାପ୍ରାପ୍ତ ହେବ, ସତେଅବା ନିୟମତଃ ଏକ ପ୍ରମାଦବୋଧ ମଧ୍ୟରେ ଆପଣାକୁ ସାବଧାନ କରି ରଖିଥାଉ । ଏବଂ, ଏଭଳି କରି ନିଜକୁ ସତେଅବା ଅଧିକ ଲକ୍ଷ୍ମୀମନ୍ତ ବୋଲି ଅନୁଭବ କରୁ । ବହିମାନେ କହୁଛନ୍ତି, ଜାପାନରେ ଏବେ ମଧ୍ୟ ପବିତ୍ର ଚାହାଉତ୍ସବଟି ସେହି ଉପରସ୍ଥ ସୁନାରୂପା ମାନଙ୍କର ଏକ ଅନୁଷ୍ଠାନ ହୋଇ ରହିଛି । ଆମେ ଯେ ସାଧାରଣ ନୋହୁ ଏବଂ ଏଣୁ ଆପଣାକୁ ସମ୍ଭ୍ରାନ୍ତ ବୋଲି କହିପାରିବୁ, ଅନ୍ତତଃ ନିଜକୁ ସେହିପରି କିଛି ପ୍ରବୋଧନା ଦେଇ ପୂର୍ଣ୍ଣ-ବିଧିଯୁକ୍ତ ପରିପାଟୀରେ ହୁଏତ ତାହାରି ଏକ ସ୍ଥୂଳ ଆଚରଣ ସେଇଟିର ମାଧ୍ୟମରେ କରାଯାଉଛି । ସେଠାରେ ମଧ୍ୟ ଭୃତ୍ୟମାନେ ନିୟୋଜିତ ରହିଛନ୍ତି, ଯେଉଁମାନେ କି ନିୟମ ମୁତାବକ ଯାବତୀୟ ସରଞ୍ଜାମ ଆଣି ଯୋଗାଇ ଦେଉଛନ୍ତି, ମାତ୍ର ଖାସ୍ ଆପ୍ୟାୟନଟିରେ ସାମିଲ ହେବାର ବି ନାହିଁ । ଅତ୍ୟାଧୁନିକ ଜାପାନ ଦ୍ୱୀପପୁଞ୍ଜରେ ଅତୀତଟା ତଥାପି ରହିଛି ଓ କାଳକାଳକୁ ଅବଶ୍ୟ ରହିବ ବୋଲି ଏକ ବିଶ୍ୱସନୀୟ ପ୍ରତିଶ୍ରୁତି ହୁଏତ ଦେଇ ପାରୁଛି । ଶ୍ରୀଯୁକ୍ତ ଓକାକୁରାଙ୍କର ମହାନ୍ ପୁସ୍ତକଟିରେ ସେ ବିଶ୍ୱବାସୀଙ୍କର ଅବଗତି ନିମନ୍ତେ କେତେ ନା କେତେ ସନ୍ତର୍ପଣରେ ଚାହାର ଉକ୍ତ ଉତ୍ସବଟିର ଏକ ଆତ୍ମୀୟତାପୂର୍ଣ୍ଣ ପରିଚୟ ପ୍ରଦାନ କରିବାକୁ ପ୍ରୟାସ ନ କରିଛନ୍ତି । ପାଠକମାନଙ୍କ ସକାଶେ ଅଧିକ ପ୍ରାଞ୍ଜଳ କରିପାରିବେ ବୋଲି ସେଥିରେ ଏକାଧିକ ରଙ୍ଗୀନ୍ ଚିତ୍ର ବି ଦେଇଛନ୍ତି । ଏବଂ; ସମୁଦାୟ ଚଳଣିଟିକୁ ସେ ସେହି ଦେଶର ଦାର୍ଶନିକ ତଥା ଧର୍ମୀୟ ପରମ୍ପରାଟି ସହିତ ଯୋଡ଼ିବା ନିମନ୍ତେ ମୋଟେ କାର୍ପଣ୍ୟ କରିନାହାନ୍ତି ।

 

ଧର୍ମସଂସ୍କୃତିର ଅଧ୍ୟୟନ କରିଥିବା ଜଣେ ଜଣେ ବିଦ୍ୱାନ୍ ସମୀକ୍ଷକ ଆମେ ସାଧାରଣ କଥାରେ ବୌଦ୍ଧଧର୍ମକୁ ଗୋଟିଏ ଧର୍ମବୋଲି କହି ଆସିଥିବା ମାର୍ଗଟିରେ ଏକ ସ୍ୱତନ୍ତ୍ର ଧର୍ମ ବୋଲି କହିବାକୁ ସମ୍ମତ ହୋଇନାହାନ୍ତି; ତଥାପି ଗୌତମବୁଦ୍ଧ ଏବଂ ତାଙ୍କର ସନ୍ଦେଶଗୁଡ଼ିକର ପ୍ରେରଣାରେ ଯେଉଁ ଉଦ୍‌ବେଳନଟି ସେହି କାଳରୁ ଆମକୁ ଏଯାଏ ମଧ୍ୟ ବହୁପ୍ରକାର ସଚଳ କରି ରଖିଛି, ତାହାର ଇତିହାସଟିରେ ବସ୍ତୁତଃ କେତେ ନା କେତେ ସ୍ୱତନ୍ତ୍ର୍ୟ ଦେଖିବାକୁ ମିଳିଥାଏ । ଭାରତବର୍ଷରେ ପ୍ରଥମେ ପ୍ରଚାରିତ ହୋଇଥିବା ସେହି ବାଣୀଟି କେତେ କ'ଣ ଉସାହରେ ଯେ ଏହି ଭୂମିଟିର ସୀମାକୁ ଡେଇଁ ଯାଇଥିଲା, ତାହାର ଗାଥାଟି ଏବେ ମଧ୍ୟ ପ୍ରାୟ ଗୋଟିଏ ପ୍ରହେଳି ପରି ମନେ ହୋଇଥାଏ । ସ୍ଵୟଂ ବୃଦ୍ଧଦେବ ତ ଆପଣାର ଯାବତୀୟ ପ୍ରଚାର ଏବଂ ପ୍ରବର୍ତ୍ତନଦ୍ୱାରା ଏକ ଅନ୍ୟଭଳି ଅଧ୍ୟାତ୍ମର ସନ୍ଦେଶ ଦେଇ ନିଜ ସମୟର ସମାଜଟାକୁ ଦୋହଲାଇ ଦେଇଥିଲେ, କିନ୍ତୁ ମଗଧର ଚଣ୍ଡାଶୋକ ପ୍ରାୟ ସଂପୂର୍ଣ୍ଣତଃ ଏକ ବ୍ୟକ୍ତିଗତ କାରଣରୁ ଆପଣାକୁ ଧର୍ମାଶୋକ ବୋଲି ଘୋଷଣା କରିବା ପରେ ତାଙ୍କରି ଖାସ୍ ମିହନ୍ତ ତଥା ରାଜକୀୟ ଉସାହ ଗୁଡ଼ିକ ଦ୍ଵାରା ବୌଦ୍ଧଧର୍ମ ପ୍ରବାସରେ ବାହାରି ଯାଇଥିଲା, ସିଂହଳ, ବ୍ରହ୍ମଦେଶ, ଶ୍ୟାମ, କମ୍ୱୋଜ, ମଧ୍ୟ ଏସିଆ, ତିବ୍ଦତ୍‌, ଚୀନ୍ ଓ ଜାପାନ ଯାଏ ଖେଦି ଯାଇଥିଲା । ଭାରତବର୍ଷରେ ଗୌତମଙ୍କ ଅନ୍ତେ ବେଶ୍ କତିପୟ ଶତାବ୍ଦୀରେ ହିଁ ତାହା ହୀନଯାନ ଓ ମହାଯାନ, ବଜ୍ରଯାନ, ମନ୍ତ୍ରଯାନ, ତନ୍ତ୍ରଯାନ, ପ୍ରତ୍ୟେକବୁଦ୍ଧ-ଯାନ ଓ ସହଜଯାନ ଏହିପରି କେତେ କେତେ କେନାରେ କେତେ ପ୍ରକାରେ ଗଠିତ ହୋଇ ଯାଇଥିଲା । ଖୁବ୍ ସମ୍ଭବ ସେହି ନବଦୀକ୍ଷିତ କେତେଜଣ ସ୍ଥାନୀୟ ରାଜପୁରୁଷମାନଙ୍କର ନିର୍ଦ୍ଦେଶ ଅନୁସାରେ ବୁଦ୍ଧଦେବ ମୂର୍ତ୍ତି ହେଲେ, ଏକଦା ମୂଳ ପ୍ରଚାରକ ପ୍ରତ୍ୟାଖ୍ୟାନ କରିଥିବା ସଂସ୍କୃତ ଭାଷାରେ ପୁନର୍ବାର ପବିତ୍ର ଶାସ୍ତ୍ରମାନ ଲେଖାଯାଇଥିଲା । ସ୍ତୂପମାନ ନିର୍ମିତ ହେଲେ; ବୁଦ୍ଧଙ୍କୁ ବସାଇ ରଥ ଟଣା ହେଲା, ଇତ୍ୟାଦି ଇତ୍ୟାଦି । ଆମର ଏହି ସ୍ଥାନୀୟ ଘର ଓଡ଼ିଶାରେ ବୋଦ୍ଧଧର୍ମର ନାମକୁ ବ୍ୟବହାର କରି ଆମ ବିଦ୍ଵାନ୍‌ଗଣ କେତେ କେତେ ଯେଉଁ ଉଷ୍ମତା ଏବେ ପ୍ରଦର୍ଶନ କରୁଛନ୍ତି, ସେମାନେ ବୌଦ୍ଧ ବାର୍ତ୍ତାଟିର ଠିକ୍ କେଉଁ ସୋପାନ ଅର୍ଥାତ୍ ସଂସ୍କରଣଟିର ଯେ ଆଲୋଚନା କରୁଛନ୍ତି, କେଡ଼େ ସରଳ ଭାବାତିଶଯ୍ୟରେ ସେହି କଥାଟିକୁ ସତେଅବା ସଂପୂର୍ଣ୍ଣ ଭାବରେ ପାସୋରି ପକାଉ ନାହାନ୍ତି ତ ! ପୁଷ୍ପଗିରି ଉଦୟଗିରି ପ୍ରଭୃତି ବୌଦ୍ଧପୀଠରେ ମାଟିତଳୁ ଯେଉଁ ପ୍ରତ୍ନତାତ୍ତ୍ୱିକ ସାକ୍ଷ୍ୟମାନେ ଆମ ନଜରକୁ ଆସୁଛନ୍ତି, ସେଗୁଡ଼ିକ ପ୍ରକୃତରେ ବୌଦ୍ଧ ଉପାସନାର କେଉଁ ପର୍ଯ୍ୟାୟଟିକୁ ସୂଚିତ କରାଇ ଦେଉଛନ୍ତି ? ସ୍ୱୟଂ ଗୌତମବୁଦ୍ଧଙ୍କ ମୁଖରୁ ଯେଉଁ ଅନନ୍ୟ ଜୀବନସତ୍ୟ ଗୁଡ଼ିକ ନିଃସୃତ ହୋଇଥିଲା, ଏହି ଉତ୍କଳୀୟ ଖନନ ତଥା ଆବିଷ୍କାର ଗୁଡ଼ିକରୁ ତାହାର ଆଦୌ କୌଣସି ଅବଶେଷର ବି ସୂଚନା ମିଳୁଛି କି ? ସେହି ଦିଗରେ ଆମର ତଥ୍ୟସନ୍ଧାନୀମାନେ କିଛି ଆଲୋକପାତ କାହିଁକି କରୁନାହାନ୍ତି କେଜାଣି !

 

ଏକଦା ଅଦ୍ୱୈତବାଦୀ ଆଦି ଶଙ୍କରାଚାର୍ଯ୍ୟଙ୍କୁ ସମସାମୟିକ ବହୁ ଅନ୍ୟମାନେ ପ୍ରଚ୍ଛନ୍ନ ବୌଦ୍ଧ ବୋଲି କହି ଖୁବ୍ ଝିଙ୍ଗାସିଥିଲେ । ଆମ ଓଡ଼ିଶାରେ ପଞ୍ଚସଖାଙ୍କୁ ମଧ୍ୟ ଅନ୍ୟଶାଖା ବିଷ୍ଣୁମାର୍ଗୀମାନେ ପ୍ରଚ୍ଛନ୍ନ ବୁଦ୍ଧ ବୋଲି କହି ନିନ୍ଦା କରିଛନ୍ତି । କବି ଜୟଦେବ ତ ବୁଦ୍ଧଦେବଙ୍କୁ ବିଷ୍ଣୁଙ୍କର ନବମ ଅବତାର ବୋଲି ପ୍ରଚଳିତ କରାଇ ଦେଇଛନ୍ତି । ଆମ ପୁରୀଧାମରେ ପ୍ରତିଷ୍ଠିତ ଜଗନ୍ନାଥଙ୍କୁ ମଧ୍ୟ ବୁଦ୍ଧରୂପରେ ସଂକୀର୍ତ୍ତନ କରାଯାଇଛି । ବୌଦ୍ଧ ନାଗାର୍ଜୁନଙ୍କର ଶୂନ୍ୟବାଦ ସହିତ ଏହି ଉନବିଂଶ ଶତାବ୍ଦୀର ଆମ ଏହି ଭୂମିଟିର ମହିମା-ମାର୍ଗୀମାନେ ବ୍ୟବହାର କରୁଥିବା ଶୂନ୍ୟବାସୀ, ଶୂନ୍ୟପୁରୁଷ ଇତ୍ୟାଦି କଳ୍ପନା ଗୁଡ଼ିକୁ ସମତୁଲ କରି ଦିଆଯାଇଛି । ବ୍ୟାସକବି ଫକୀରମୋହନ “ବୌଦ୍ଧାବତାର କାବ୍ୟ’ ବୋଲି ଏକ ରଚନା ଲେଖି ଆମ ଆଗରେ ଏକ ଅନ୍ୟ ପ୍ରସ୍ଥରେ ଆବିର୍ଭୂତ ହୋଇଥିବା ପରି ମନେ ବି ହେଉଛନ୍ତି । ଏହିପରି ଗୋଟିଏ ବହୁରଙ୍ଗ ଭାରତୀୟ ଭୂମି ଉପରେ ଯେତେବେଳେ ଆମେ ବୌଦ୍ଧଧର୍ମର ଦୂର ଦେଶମାନଙ୍କୁ କରିଥିବା ପ୍ରବାସର ବିବରଣୀ ଗୁଡ଼ିକୁ ନିରୀକ୍ଷଣ କରିବାକୁ ମନ କରିବା, ସେତେବେଳେ ତ ନିଶ୍ଚିତ ଭାବରେ ଆହୁରି ଅଧିକ ଆଚମ୍ବିତ ହୋଇଯିବା ।

 

ଭାରତବର୍ଷରୁ ଧର୍ମ-ସନ୍ଦେଶଟି ହିମାଳୟ ଡେଇଁ ତିବ୍ଦତକୁ ଗଲା ଏବଂ ସେ ସ୍ଥାନୀୟ ଉପାସନା-ମାର୍ଗମାନଙ୍କ ସହିତ ମିଶିଯାଇ ପରବର୍ତ୍ତୀ କାଳଗୁଡ଼ିକ ପାଇଁ ତିବ୍ଦତୀୟ ବୌଦ୍ଧଧର୍ମ ରୂପେ ଏକ ଖାସ୍ ଗଢ଼ଣରେ କି ସାବଳୀଳ ଭାବରେ ଗଢ଼ି ହୋଇ ଯାଇଥିଲା । ନେପାଳରେ ପ୍ରବେଶ କରି ସେଠାରେ ମଧ୍ୟ କେତେ ସହଜତା ସହିତ ଏକ ନେପାଳୀ ଛାଞ୍ଚରେ ପରିଣତ ହୋଇପାରିଲା । ଏବଂ, ଉତ୍ତର-ପଶ୍ଚିମ ଗିରିପଥ ଦେଇ ମଧ୍ୟଏସିଆର ତତ୍କାଳୀନ ମଙ୍ଗୋଲମାନଙ୍କର ଧର୍ମାଚାର ସହିତ କେଡ଼େ ଚମତ୍କାର ସାଲିଶ୍‌ମାନ ସମ୍ଭବ କରି ନେଇଥିଲା । ବିଦ୍ଵାନମାନଙ୍କର ଉତ୍ସାହରେ ପଡ଼ି ଆମେ ଉକ୍ତ ପ୍ରକ୍ରିୟାଟିକୁ ଆଦୌ ଏକ ମିଶ୍ରଣ ଅଥବା ସମନ୍ୱୟ ବୋଲି କହିବାକୁ ମନ କରିବା ନାହିଁଟି ! ସକଳ ବାସ୍ତବତା ସହିତ ତାହାକୁ ଗୋଟିଏ ସାଲିଶ୍ ବୋଲି ହିଁ କୁହାଯିବା ଉଚିତ । ସାମରିକ ଫଉଜ ନେଇ ଏଠି ଭାରତବର୍ଷ ଯାଏ ଚମକି ଆସିଥିବା କୁଖ୍ୟାତ ଚେଙ୍ଗିସ୍ ଖାଁ ବୌଦ୍ଧ ଥିଲେ । ଚୀନର କେତେ ସମ୍ରାଟ ମଧ୍ୟ ବୌଦ୍ଧ ଧର୍ମାବଲମ୍ବୀ ଥିଲେ, ଯେଉଁମାନଙ୍କର ଆଚାର ତଥା ଆନନ୍ଦ ଆସ୍ୱାଦନ ବିଷୟରେ ପର୍ଯ୍ୟଟକ ମାର୍କୋ ପୋଲୋ କେତେ ରମଣୀୟ ବର୍ଣ୍ଣନା ଦେଇଯାଇଛନ୍ତି । ଏବଂ, ଧର୍ମପ୍ରବାସଟିର ଏହି ଖେଦାଟିକୁ ପଣ୍ଡିତମାନେ ଏକ ଖାସ୍ ମହତ୍ତ୍ୱ ଦେଇ କହିଛନ୍ତି ଯେ, ସାଧନାଙ୍ଗରେ ଭାରତବର୍ଷର ଯେଉଁ ବୌଦ୍ଧ ତପୀମାନେ ଧ୍ୟାନ ଉପରେ ସର୍ବାଧକ ମହତ୍ତ୍ୱ ଦେଉଥିଲେ, ସେମାନଙ୍କର ସେହି ଉପଚାରଟି ଚୀନ୍‌ରେ ମଧ୍ୟ ନବଦୀକ୍ଷିତ ଭିକ୍ଷୁଗଣଙ୍କ ଭିତରେ ଆଦର ଲାଭ କରିଥିଲା ଓ ନିଜର ଭାଷାଗତ ଉଚ୍ଚାରଣରେ ସେମାନେ ତାହାକୁ ଚାନ୍ ବୋଲି କହିଥିଲେ । ଏବଂ, ସେହି ଉପଚାରଟା ମଧ୍ୟବର୍ତ୍ତୀ ସମୁଦ୍ରପଥକୁ ଅତିକ୍ରମ କରି ଜାପାନରେ ଜେନ୍ ନାମରେ ପରିଚିତ ହୋଇଛି । ଆଗରୁ ସୂଚିତ ହୋଇଛି ଯେ, ଜାପାନର ଜଣେ ଭିକ୍ଷୁ ସେହି କାଳରେ ଆପଣାର ପ୍ରଶିକ୍ଷଣକ୍ରମରେ ଚୀନ ଦେଶକୁ ଆସିଥିଲେ ଏବଂ ଫେରନ୍ତି ବାଟରେ ସାଙ୍ଗରେ କିଛି ଚାହାବୀଜ ନେଇ ଯାଇଥିଲେ । ସେହିପରି ଭାବରେ ଜାପାନରେ ମଧ୍ୟ ଚାହାର ପ୍ରବର୍ତ୍ତନ ସମ୍ଭବ ହୋଇଥିଲା ।

 

ଚୀନ ହେଉଛି ଏକ ବହୁପୁରାତନ ଦେଶ ଏବଂ ସାଂସ୍କୃତିକ ତଥା ଧର୍ମମାର୍ଗ ଗୁଡ଼ିକର କ୍ଷେତ୍ରରେ ମଧ୍ୟ ତାହାର ଏକ ବିଶେଷ କାହାଣୀ ସେହିକାଳୁ ରହିଆସିଛି । ଗୋଟିଏ ଅତ୍ୟନ୍ତ ବୃହତ୍ ଭୂଖଣ୍ଡ ହୋଇଥିବାରୁ ସେଠାରେ ବହୁ ଶତାବ୍ଦୀରୁ ବସ୍ତୁତଃ ଆଞ୍ଚଳିକ ରାଜବଂଶମାନେ ହିଁ ରାଜପଣ କରି ଆସିଛନ୍ତି । ଅର୍ଥାତ୍ ସଂସ୍କୃତି ଓ ଧର୍ମ-ଚାରଣାର କ୍ଷେତ୍ରରେ ମଧ୍ୟ ପାର୍ଥକ୍ୟ ଗୁଡ଼ିଏ ରହିଛନ୍ତି । ସେହି ଗୋଟିଏ ମୂଳ ଭାଷାରେ ମଧ୍ୟ ଅଞ୍ଚଳଗତ ବିଭେଦମାନେ ନିତାନ୍ତ ସ୍ୱାଭାବିକ ଭାବରେ ରହିଆସିଛନ୍ତି । ସେହି ପ୍ରାଚୀନକାଳରେ ଚୀନ ଦେଶରେ ଯେଉଁ ଦାର୍ଶନିକମାନେ ରାଜ୍ୟରୁ ରାଜ୍ୟକୁ ଏବଂ ରାଜଧାନୀରୁ ରାଜଧାନୀକୁ ଯାଇ ଆପଣାର ସନ୍ଦେଶ ଗୁଡ଼ିକୁ ପ୍ରଦାନ କରୁଥିଲେ, ସେମାନେ ସମସ୍ତେ ଆପଣାର ରୀତିରେ ଜଣେ ଜଣେ ପର୍ଯ୍ୟଟକ ହିଁ ଥିଲେ । ବିଭିନ୍ନ ଦରବାରରେ ରାଜା ଓ ଶାସକମାନଙ୍କଠାରୁ ଆଦର ଓ ସ୍ୱୀକୃତି ମଧ୍ୟ ଲାଭ କରୁଥିଲେ । ସେହି ସନ୍ଦର୍ଭରେ ଚୀନ୍‌ର ଯେଉଁ ତିନିଜଣ ପ୍ରଥମ ବ୍ୟକ୍ତିଙ୍କୁ ପୃଥିବୀଯାକ ଆମେ ଅନ୍ୟମାନେ ମନେ ପକାଇବା, ସେମାନେ ହେଉଛନ୍ତି କୁଙ୍ଗ୍‌ ଫୁ-ସି (କନ୍‌ଫୁସିଅସ୍), ଲାଓ ତ୍‌ସୁ ଏବଂ ଚ୍ୱାଙ୍ଗ୍‌ତ୍‌ସୁ । ସେମାନେ ଯାହାକିଛି ପ୍ରଚାର କରୁଥଲେ, ସେଗୁଡ଼ିକୁ ଧର୍ମବୋଲି ନ କହି ଗୋଟିଏ ଗୋଟିଏ ଜୀବନଯାପନ କରିବାର ମାର୍ଗଦର୍ଶନ କହିଲେ ବରଂ ଅଧିକ ଯୁକ୍ତିଯୁକ୍ତ ହିଁ ହେବ । ତିନିଜଣଙ୍କ ମଧ୍ୟରୁ ପ୍ରଥମୋକ୍ତ ଦୁଇଜଣ ତ ଗୌତମବୁଦ୍ଧଙ୍କର ସମସାମୟିକ ଥିଲେ । ଏମାନଙ୍କ ବ୍ୟତୀତ ଆହୁରି ଅନେକ ଅନେକ କେହି ଧର୍ମପ୍ରଚାରକ ନୁହନ୍ତି, ଜଣେ ଜଣେ ଲୋକସଂଗ୍ରହକାରୀ.ବୋଲି ଆମ ଗୀତାଶାସ୍ତ୍ରର ଭାଷାରେ ହୁଏତ କୁହାଯାଇ ପାରିବ । ପୃଥିବୀର ବହୁ ସୁବିଦିତ ଧର୍ମପ୍ରକାର ଗୁଡ଼ିକ ଅନୁସାରେ ସାଧାରଣତଃ ଈଶ୍ୱର କହିଲେ ଯାହା ବୁଝାଏ ଏମାନେ ସେଇଟି ବିଷୟରେ ପ୍ରାୟ କିଛି କହିନାହାନ୍ତି । ତଥାପି ଆମେ ସେମାନଙ୍କୁ ନାସ୍ତିକ ବୋଲି କହି ଆଦୌ ଆଡ଼େଇ ଦେଇ ପାରିବା ନାହିଁ । ସେମାନେ ନିଜ ନିଜର ସନ୍ଦେଶ ଗୁଡ଼ିକର ମାଧ୍ୟମରେ ଏକ ଯଥାସମ୍ଭବ ବିକାରମୁକ୍ତ ସହଜୀବନ ବିଷୟରେ କହୁଥିଲେ । ସବାଆଗ ମନୁଷ୍ୟମାନେ ଏହି ଇହଭୂମିର ଭିତ୍ତିଟା ଉପରେ ହିଁ ଯଥାସମ୍ଭବ ପରିପୂର୍ଣ୍ଣ ଜୀବନଟିଏ ବଞ୍ଚି ଶିଖନ୍ତୁ ବୋଲି ସେମାନେ ନାନୀ ଇଙ୍ଗିତରେ ଉଦ୍‌ବୋଧନ ଦେଉଥିଲେ । ରାଜା ଓ ସମ୍ରାଟମାନଙ୍କ ଲାଗି ତଥା ପ୍ରତ୍ୟହିକ ସମୂହସ୍ଥ ସାଧାରଣ ମାନଙ୍କ ଲାଗି ସେମାନଙ୍କର ଖୁବ୍‌ ସିଧା ପରାମର୍ଶମାନ ରହିଥିଲା । କନ୍‌ଫୁସିଅସ୍‌ ତାଙ୍କର ଏକ ଆଦର୍ଶ ପ୍ରତିରୂପ ରୂପେ ଜଣେ ସାଧାରଣ ମଣିଷର ଚିତ୍ରକୁ ଉତ୍ତୋଳିତ କରି ଦେଖାଉଥିଲେ, ଯିଏକି ବାଟ ଚାଲୁଥିବା ଆହୁରି ବହୁତଙ୍କ ସକାଶେ ଦୃଷ୍ଟାନ୍ତ ସ୍ବରୂପ ହୋଇ ପାରୁଥିବ । ପୂର୍ଣ୍ଣ ସକାରାତ୍ମକ ଜୀବନଚିତ୍ରଟିଏ, ବ୍ୟକ୍ତି ନିମନ୍ତେ ତଥା ସାମାଜିକ ସହଜୀବନଟି ନିମନ୍ତେ । ଲାଓ ତ୍‌ସୁ ତାଓ ମାର୍ଗର କଥା କହୁଥଲେ, ଯେଉଁଥିରେ କି ନାସ୍ତି ବା ନୈରାଶ୍ୟର କୌଣସି ସ୍ଥାନ ନ ଥିଲା, ସତେ ଅବା ମଣିଷ ଭିତରେ ଆଉଗୋଟିଏ କ’ଣ ମୂଲ୍ୟକୁ ଉଦ୍‌ବୋଧିତ କରି ଆଣୁଥିଲା, ଯାହା ସତକୁ ସତ ଏକ ଉପଯୁକ୍ତ ଜୀବନପ୍ରେରଣାକୁ ଗଭୀର ଭାବେ ସେହି ନିଜ ଭିତରେ ହିଁ ଚିହ୍ନିବା ଲାଗି ବହୁତ ବଳ ଦେଇ ଯାଉଥିଲା ।

 

ଏହି ପୂର୍ବଭିତ୍ତିର ଭୂମି ଉପରେ ହିଁ ବୌଦ୍ଧଧର୍ମ ଚୀନ ଦେଶରେ ପ୍ରବେଶ କରିଥିଲା ଏବଂ କହିବା ଅନାବଶ୍ୟକ ଯେ ସେହି ପୂର୍ବଭିତ୍ତିର ଆଧାରଟି ଉପରେ ଏକ ସ୍ୱାଭାବିକ ଅନ୍ୟପ୍ରକାରେ ଆକାରମାନ ଗ୍ରହଣ କଲା । ଭାରତବର୍ଷରେ ବୁଦ୍ଧଦେବଙ୍କର କଳ୍ପନା କରିବା ମାତ୍ରକେ ଜଣେ ଧ୍ୟାନମଗ୍ନ ପୁରୁଷ ଆମ ସମସ୍ତଙ୍କର ଚିତ୍ତପଟରେ ଅବଶ୍ୟ ଉକୁଟି ହୋଇ ଆସନ୍ତି । ସେହି ଅନୁସାରେ ଭାରତରେ ପଥର ଦେଇ ତିଆରି ହୋଇଥିବା ବୌଦ୍ଧ ମୂର୍ତ୍ତିଗୁଡ଼ିକୁ ଆମେ ସଚରାଚର ଗୋଟିଏ ଖାସ୍ କଳ୍ପନାପ୍ରସ୍ଥ ଦେଇ ସର୍ବଦା ଗଢ଼ି ନେବାରେ ଅଭ୍ୟସ୍ତ ହୋଇ ରହିଛୁ । ଚୀନଦେଶର ବୌଦ୍ଧ ମୂର୍ତ୍ତିମାନେ କାଠରେ ତିଆରି । ଆମର ଧ୍ୟାନୀ ବୁଦ୍ଧ, ଚୀନରେ The Laughing Buddha - ଆମର ତପସ୍ୱୀର ଏକ ପାରମ୍ପରିକ ଚେହେରାରେ ଏକ ନିର୍ଦ୍ଦିଷ୍ଟ ମୁଦ୍ରାରେ ଆସୀନ ବୁଦ୍ଧ–ଚୀନରେ ବୁଦ୍ଧମୂର୍ତ୍ତିଙ୍କର ଗୋଟିଏ କେଡ଼େ ବଡ଼ ପେଟ ! ଦେଖିଲେ ଭିତରେ ବାହାରେ ଆମର ସବୁକିଛି କେଡ଼େ ହାଲୁକା ଓ ଖୁସୀ ହୋଇଆସେ । ସିଏ କେଡ଼େ ପାଖ ହୋଇ ଆସନ୍ତି, କେବେ ସଂସାର ଛାଡ଼ିଥିଲେ ବୋଲି ମୋଟେ ମନେ ହୁଏ ନାହିଁ । ତାଙ୍କୁ ନିଃସଙ୍କୋଚରେ ସବୁ ମାଗି ହୁଏ । ମଝି ଚାଇନାରେ ଏକ ପର୍ବତ ଗାତ୍ରରେ ପ୍ରାୟ ପନ୍ଦର କି କୋଡ଼ିଏ ଭବ୍ୟ ବୁଦ୍ଧ ମୂର୍ତ୍ତି ନିର୍ମିତ ହୋଇ ସେହି କେଉଁ କାଳରୁ ରହିଛି, ଯେଉଁମାନଙ୍କୁ କି ସେମାନଙ୍କର ନାମ ଅନୁସାରେ ଭିନ୍ନ ଭିନ୍ନ ଦ୍ରବ୍ୟ ମଗା ଯାଇପାରେ । ଯିଏ ଧନ ଦିଅନ୍ତି, ସିଏ ହେଉଛନ୍ତି ଧନପତି ବୁଦ୍ଧ ।

 

ଏହିପରି ଭଳି ଭଳି ନାମ ଓ ଭଳି ଭଳି ଅନୁରୂପ ସମର୍ଥତା । ଦେଖିଲେ ତ ପ୍ରଥମେ କିଞ୍ଚିତ୍ ଅସହଜ ଲାଗେ, ଚୀନଦେଶରେ ବୁଦ୍ଧ ଭଗବାନଙ୍କୁ ଆଣି ବିକୃତ କରି ଦିଆଯାଇଛି ବୋଲି ହଠାତ୍ କୌଣସି ଆମ୍ବିଳା ଭାବନାଟାଏ ମଧ୍ୟ ଉଦୟ ହୋଇପାରେ; କିନ୍ତୁ ଚୀନ୍‌ର ଖାସ୍ ପୃଷ୍ଠଭୂମିଟି ଉପରେ ବୁଝି ପାରିବାର ବିବେକଟିଏ ରହିଥିଲେ ବେଶ୍ ପ୍ରାସଙ୍ଗିକ ବୋଧ ହୋଇଥାଏ ।

 

ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ କଥାଟିଏ ଯେ, ଚୀନ୍‌ର ବୌଦ୍ଧଭିକ୍ଷୁମାନେ ହିଁ ଚାନ୍ ବୌଦ୍ଧ ରୀତିଟିକୁ ଜାପାନକୁ ବୋହି ନେଇ ଯାଇଥିଲେ ଏବଂ ସେଠାରେ ତାହା ଜେନ୍ ନାମରେ ହିଁ ପ୍ରସାର ଲାଭ କରିଥିଲା । କୁନି ଏବଂ ବୃହତ୍ କେତେଗୁଡ଼ିଏ ଦ୍ୱୀପର ସମଷ୍ଟି ହୋଇଥିଲେ ମଧ୍ୟ ଜାପାନ ତଥାପି ନିଜସ୍ୱ ଏକ ରୀତି ଅନୁସାରେ ହିଁ ଏକ ସାଂସ୍କୃତିକ ଏକକଗଢ଼ଣ ରୂପେ ବିକାଶଲାଭ କରିଆସିଛି । ଜାପାନର ମଉରସୀ ଧର୍ମଟି ହେଉଛି ଶିଣ୍ଟୋ ଧର୍ମ । ଜାପାନ ହେଉଛି ପାରମ୍ପରିକ ଭାବରେ ଶୋଗୁନ୍ ଏବଂ ସାମୁରାଇମାନଙ୍କର ଦେଶ । ଆମେ ବୁଝିପାରିବାଭଳି ଭାଷାରେ କହିଲେ ପ୍ରାୟ ଏକ କ୍ଷାତ୍ର ଅତିରିକ୍ତତାର ଦେଶ । ଏହି ବହୁ ବହୁ ଆଧୁନିକ କାଳଟାରେ ମଧ୍ୟ ସେଠାରେ ମନୁଷ୍ୟମାନଙ୍କର ରକ୍ତରେ ଏବଂ ନାଡ଼ୀମାନଙ୍କରେ ଏପରି ଏକ କ୍ଷାତ୍ର ଉତ୍ତେଜନା ରହିଛି, ଯାହାକି ପ୍ରାୟ ଏକ କୁଳଗତ ଉପସର୍ଗପରି ବସା ବାନ୍ଧି ଯାଇଛି । ଜାପାନୀମାନେ ଉପରକୁ କେତେ ଶୀତଳ, ଶାନ୍ତ ଧୀର–ସତେ ଅବା ଏକ ଇଷତ୍‌ ହସ ଉପରେ ରହିଥିବାରୁ ଗୋଟାଏ ଅନ୍ୟ ପ୍ରକାରର ଦୁରାଗ୍ରହୀପଣ ଭିତରେ ପୂରା ନିଦା ହୋଇ ରହିଛି ଏବଂ ଯାବତୀୟ ଅବକାଶରେ ସେଇଟି ହିଁ ଜୀବନର ପ୍ରାୟ ସବୁକିଛି ନିଷ୍ପତି କରୁଛି । ସେହି ଦେଶର ଶିକ୍ଷା ବ୍ୟବସ୍ଥା ତଥା ଶିକ୍ଷାଗତ ସକଳ ସମ୍ବନ୍ଧ ସତେଅବା ଭାରି ଏକମୁନିଆ ହୋଇ ରହିଛି । ଆଗେ ସିନା ଏକ ଖାସ୍ ସମ୍ଭ୍ରାନ୍ତ ବର୍ଗକୁ ଶୋଗୁନ ଓ ସାମୁରାଇ ବୋଲି ସ୍ୱତନ୍ତ୍ର ଭାବରେ ସେମାନେ ଜନ୍ମିଥିବା ବଂଶଟି ମୁତାବକ ଚିହ୍ନଟ କରାଯାଉଥିଲା, ମାତ୍ର ଏକ ଗଣତାନ୍ତ୍ରିକ ଗଢ଼ଣ ଭିତରେ ବାଧ୍ୟହୋଇ ରହିବାର ସାଂପ୍ରତିକ ସ୍ଥିତିଟିରେ ସେହି ବୈଶିଷ୍ଟି ପ୍ରାୟ ସାର୍ବଜନୀନ ହୋଇ ଯାଇଥିବାର ଅନୁମାନ ମଧ୍ୟ କରିହେଉଛି ଏବଂ ତାହାକୁ ଜାତୀୟତା ବୋଲି କହି ବେଶ୍ ଉତ୍ସାହିତ ହୁଏତ କରାଯାଉଛି । ହାରାକରୀ ଅର୍ଥାତ୍ ଆତ୍ମହତ୍ୟାକୁ ସେହି ପରମ୍ପରାରେ ଯେପରି ଭାବରେ ଏକ ଖାସ୍ ଦୃଷ୍ଟିରେ ରଖାଯାଇ ଆସିଛି ଏବଂ ଏବେ ମଧ୍ୟ ଏକାଧିକ ଅବସରରେ ଖୁବ୍‌ ବାରି ହେଉଛି, ସେଇଟି ମଧ୍ୟ ଜାପାନ-ଦେଶୀୟ ମାନସିକତା ବିଷୟରେ ପୃଥିବୀର ଆମ ଅନ୍ୟମାନଙ୍କୁ ବେଳେ ବେଳେ ଭାରି ବିଚିତ୍ର ବି ମନେ ହେଉଥିବ । ଏହିପରି ଏକ ସମଗ୍ର ଚିତ୍ରମଣ୍ଡଳ ଉପରେ ଆମେ ଜାପାନ ଦେଶରେ ସେଠାରେ ଜେନ୍‌ମାର୍ଗଟି ବିଷୟରେ ଆଦୌ କୌଣସି ଧାରଣା କରିବାକୁ ଚେଷ୍ଟା କଲେ ତାହା ପ୍ରକୃତରେ ଅଧିକ ନ୍ୟାୟଯୁକ୍ତ ହେବ । ଏବେ ତ ଜାପାନ ବାହାରେ ବିଶେଷକରି ପାଶ୍ଚାତ୍ୟ ମନୋଗବେଷଣା କ୍ଷେତ୍ରରେ ଜେନ୍ ଖାସ୍ ମାର୍ଗଟିର ବହୁ ଆଲୋଚନା ଏବଂ ଗବେଷଣା କରାଯାଉଛି ଏବଂ ତାହାର ଖାସ୍ ଆବେଦନଟିରୁ ବିଶେଷ ବିଶେଷ ଉତ୍ତର ମଧ୍ୟ ଖୋଜାଯାଉଛି, ଯାହାକି ବିଶ୍ଵଯାକର ଆମ ସବୁ ମଣିଷଙ୍କୁ ବି ଉପକୃତ କରିପାରିବ । ଜାପାନୀ ଜେନ୍ ସାହିତ୍ୟର ଇଉରୋପୀୟ ଭାଷାନୁବାଦମାନ ମଧ୍ୟ ହେବାରେ ଲାଗିଛି । ଶ୍ରୀଯୁକ୍ତ ଓକାକୁରା ତାଙ୍କର ଚାହାସମ୍ବନ୍ଧୀୟ ପୁସ୍ତକଟିରେ ଜେନ୍‌ର ଜୀବନଦର୍ଶନ ସହିତ ଚାହା-ଉତ୍ସବାନୁଷ୍ଠାନଟିର ସୂତ୍ରଗତ ସଂଯୋଗଟିଏ ରହିଛି ବୋଲି ଏକାଧିକ ସୂଚନା ମଧ୍ୟ ଦେଇଛନ୍ତି । ଆମେ ଆଗକୁ ଆଗକୁ ସେହି ସୂଚନା ଗୁଡ଼ିକୁ ଯଥାସମ୍ଭବ ଅଧିକ ଫରଚା ଭାବରେ ବୁଝିବା ନିମନ୍ତେ ଚେଷ୍ଟା କରିବା । ପ୍ରକରଣଟିରେ ସେହି ଚର୍ଚ୍ଚାଟିକୁ ଆରମ୍ଭ କରିବା ପୂର୍ବରୁ ଆମେ ଶ୍ରୀଯୁକ୍ତ ସୁଜୁକିଙ୍କର ସୁବିଦିତ ନାମଟିକୁ ମଧ୍ୟ ସ୍ମରଣ କରିବା, ଯିଏ କି ବିଶେଷ ଦୂରଦୃଷ୍ଟି ସହିତ ଜେନ୍‌ନାମକ ମାର୍ଗ ପରମ୍ପରାଟିକୁ ପୃଥିବୀର ବୃହତ୍ତର ଚର୍ଚ୍ଚାକ୍ଷେତ୍ର ଗୁଡ଼ିକ ଯାଏ ବହନ କରିଆଣିଛନ୍ତି । ତାଙ୍କ ପରେ ବିଦେଶରେ ଆଉକେତେ ମଧ୍ୟ ପରିପୂର୍ଣ୍ଣ ଆଗ୍ରହରେ ତାହା ଅବଶ୍ୟ କରୁଛନ୍ତି ସତ, ତଥାପି ଶ୍ରୀ ସୁଜୁକିଙ୍କର ନାମଟି ସେହି ଗୋଷ୍ଠୀର ସବା ଆଗରେ ରହିଛି ।

 

ଜେନ୍ ବୌଦ୍ଧଧର୍ମରେ ପ୍ରକୃତରେ କାହାଣ କାହାଣ କାହାଣୀ ଭରପୂର ହୋଇ ରହିଛି । ଶ୍ରୀଯୁକ୍ତ ସୁଜୁକୀ ସେଗୁଡ଼ିକର ଏକ ଭବ୍ୟ ବୃହତ୍ ସଂଗ୍ରହ ମଧ୍ୟ ଇଂରାଜୀ ଭାଷାରେ ପ୍ରକାଶ କରିଛନ୍ତି-। ଖ୍ରୀଷ୍ଟଧର୍ମଗ୍ରନ୍ଥ ବାଇବେଲ୍‌ରେ ବିଜୁବାର୍ତ୍ତାବହ ଯୀଶୁଙ୍କ ମୁହଁରୁ ପ୍ରାୟ ସେହି ଶୈଳୀରେ କେତେ Parable ଅର୍ଥାତ୍ କାହାଣୀ ଉଚ୍ଚାରିତ ହୋଇଥିବାର ନଜିର ମିଳିଥାଏ । ଭାରତବର୍ଷରେ ଗୌତମ ବୁଦ୍ଧ ମଧ୍ୟ ସେହି ଶୈଳୀରେ ଆପଣାର ବାର୍ତ୍ତାଗୁଡ଼ିକ ଲୋକବୋଧର ସ୍ତରକୁ ସୁଗମ କରି ଆଣିବାର ଦୃଷ୍ଟାନ୍ତ ଦେଇ ଯାଇଥିଲେ । ବିଶ୍ୱ-ଆଧ୍ୟାତ୍ମର ଭାଣ୍ଡଟିରେ ଜେନ୍ କାହାଣୀମାନେ ସତେ ଅବା ଅମୂଲ୍ୟ ସମ୍ପଦରୂପେ ସୁରକ୍ଷିତ ହୋଇ ରହିଛନ୍ତି ଏବଂ ସେହି ମାର୍ଗଟି ଆଡ଼କୁ ସତ୍ୟାନ୍ୱେଷୀ ମାନଙ୍କର ହୃଦୟକୁ ଆକର୍ଷିତ କରି ପାରୁଛନ୍ତି । ଏକ ସମଗ୍ର ଧାରଣା ଦେବାର ଉଦ୍ଦେଶ୍ୟରେ ଆମେ ଏଠାରେ ସେଥିରୁ ଗୋଟିଏ କାହାଣୀ ସହିତ ପରିଚିତ ହେବା ଏବଂ ଜେନ୍ ଆବେଦନର ପରମ୍ପରାଟି ସହିତ କିଞ୍ଚିତ୍ ଭାବସୂତ୍ର ହୁଏତ ଲଗାଇ ପାରିବା: ଜାପାନ ଦେଶର କୌଣସି ଗୋଟିଏ ଭିନ୍ଧୁ-ବିହାର, ଯେଉଠି ଜଣେ ବିଖ୍ୟାତ ଗୁରୁ ବାସ କରୁଥିଲେ । ତାଙ୍କ ସହିତ ଜଣେ ଶିଷ୍ୟ । ଉଭୟେ ପ୍ରଭାତରୁ ହିଁ ଏକତ୍ର ଭିକ୍ଷା କରିବା ନିମନ୍ତେ ବାହାରକୁ ବାହାରି ଯାଆନ୍ତି ଏବଂ ପ୍ରାୟ ସନ୍ଧ୍ୟା ସମୟରେ ଫେରି ଆସନ୍ତି । ହଁ, ପ୍ରତ୍ୟହ ଏକତ୍ର ଭିକ୍ଷା କରି ଯାଆନ୍ତି ନାହିଁ, ଦୁଇ ଭିନ୍ନ ଭିନ୍ନ ଅଞ୍ଚଳକୁ ହିଁ ଯାଇଥାନ୍ତି । ଥରେ ଏକ ଶୀତଋତୁ ସମୟର ଘଟଣା । ସମୟ ଅନୁସାରେ ଗୁରୁ ଓ ଶିଷ୍ୟ ଭିକ୍ଷାପାତ୍ର ଧରି ବାହାରି ଯାଇଥିଲେ । ବେଳ ବୁଡ଼ି ଆସିବା ବେଳକୁ ଆଗ ଶିଷ୍ୟ ଆସି ଘରେ ପହଞ୍ଚିଥିଲେ । ଦିନମାନ ଥଣ୍ଡାରେ ବୁଲି ବୁଲି ତାଙ୍କର ହାତଗୋଡ଼ କୋଲ ମାରି ଯାଉଥାଏ, ମଞ୍ଜ ହାଡ଼ଟା ଖୁବ୍ କମ୍ପି ଉଠୁଥାଏ । ଯୁବକ ଶିଷ୍ୟ ଭାବିଲେ, ଟିକିଏ ଅଗ୍ନିର ଯୋଗାଡ଼ ହୋଇ ପାରିଲେ ସିଏ ଟିକିଏ ସେକି ହୋଇ ପାରନ୍ତେ ଏବଂ ତେବେ ଶରୀରକୁ କିଞ୍ଚିତ୍ ଆରାମ ମଧ୍ୟ ଅବଶ୍ୟ ମିଳନ୍ତା-। ସେଥିନିମନ୍ତେ କିଛି କାଠ ବି ତ ଦରକାର । ଅଦରକାରୀ କାଠ କିଛି ଖୋଜି ବାହାର କରି ପାରିଲେ ସିନା ତାହାରି ସାହାଯ୍ୟରେ ସେ କିଛି ଅଗ୍ନିର ଯୋଗାଡ଼ କରିପାରିବେ । ଚାରିଆଡ଼କୁ ଚାହିଁ ସେ ଅଦରକାରୀ କାଠ କ’ଣ ଅଛି, ଖୋଜିବାକୁ ଲାଗିଲେ ।

 

କବାଟ ଝରକା, କାଠର ଗୃହଛାତ, କାଠରେ ତିଆରି ଚଟାଣଟା,–ବିବାକ ସବୁକିଛି ତ ଦରକାରୀ । ତେବେ ସେ କୋଉଟିକୁ ଅଦରକାରୀ ବୋଲି ବାଛି ନିଃଶଙ୍କ ହୋଇ ନିଆଁଟିଏ ସମ୍ଭବ କରି ପାରିବେ ! ହଠାତ୍ ସାକ୍ୟମୁନି ବୁଦ୍ଧଙ୍କର ଆସ୍ଥାନ ଆଡ଼କୁ ତାଙ୍କର ଦୃଷ୍ଟି ପଡ଼ି ଯାଇଥିଲା । ସେଠାରେ ଉପବିଷ୍ଟ ଦୁଇଟି କାଠ ମୂର୍ତ୍ତି,–ବୁଦ୍ଧ ଭଗବାନଙ୍କର, ଶିଷ୍ୟ ମନକୁ ମନ ଚିନ୍ତା କଲେ, - ସେହି ବୁଦ୍ଧଭଗବାନ ତ ଜଣେ, - ତାଙ୍କର ତ ଗୋଟିଏ ମୂର୍ତ୍ତି ହେଲେ ଖୁବ୍ ଚଳିବ, ଉପାସନା କିମ୍ବା ଧ୍ୟାନରେ କୌଣସି ଅସୁବିଧା ମୋଟେ ହେବନାହିଁ । ଅର୍ଥାତ୍ ଯଦି ଗୋଟିଏରେ କାର୍ଯ୍ୟଟି ଚଳିବ, ତେବେ ଗୋଟିଏ ଦରକାରୀ ହେଲେ ଅନ୍ୟଟିକୁ ଅଧିକା ବା ଅଦରକାରୀ ବୋଲି କାହିଁକି କୁହାନଯିବ । ଆପଣାର ମନଟିକୁ ସିଏ ଏହିପରି ଭାବରେ ବେଶ୍ ବୁଝାଇ ଦେଇ ପାରିଲେ । ଏବଂ, ଯେଉଁ ଗୋଟିକୁ ବୃଥା ଅଧିକା ବୋଲି ଭାବିଲେ, ସେଇଟିକୁ ବେଦୀ ଉପରୁ ତଳକୁ ନେଇ ଆସିଥିଲେ ଓ କୁରାଢ଼ୀରେ ଫଡ଼ା ଫଡ଼ା କରି ହାଣିଲେ । ସେଥିରେ ଅଗ୍ନିସଂଯୋଗ କରି ମନଆନନ୍ଦରେ ଦେହଟାକୁ ଉଷୁମ କରୁଛନ୍ତି, ସେହି ସମୟରେ ଗୁରୁ ମଧ୍ୟ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଠାକୁରଙ୍କର ସିଂହାସନ ଉପରେ ଦୁଇଟି ପରିବର୍ତ୍ତେ ଗୋଟିଏ ବୁଦ୍ଧମୂର୍ତ୍ତି ଦେଖି ଏବଂ ଉହ୍ମେଁଇଟିଏ ସମ୍ମୁଖରେ ରଖି ଯୁବା-ଭିକ୍ଷୁ ନିଆଁ ପୁଉଁଥିବାର ଦର୍ଶନ କରି ସେ ବ୍ୟାପାରଟିକୁ ପୂରା ଅନୁମାନ ବି କରି ନେଇଥିଲେ ଏବଂ ଖୁବ୍‌ ବ୍ୟସ୍ତ ହୋଇ ତାଙ୍କୁ କହିଲେ, ତୁମେ ଆଜି କେଡ଼େବଡ଼ ଅକାର୍ଯ୍ୟଟାଏ କରି ପକାଇଲ, ସ୍ଵୟଂ ଭଗବାନଙ୍କୁ ନିଆଁରେ ପକାଇ ଜାଳିଦେଲ ! ତରୁଣ ଶିଷ୍ୟଜଣକ ତ ପୂର୍ଣ୍ଣ ନିର୍ମଳ ବିବେକରେ ସବୁକିଛି କରିଥିଲେ; ତେଣୁ ସତେଅବା ଆଦୌ କୌଣସି ଅପରାଧ ହୋଇନଥିବା ପରି ଉତ୍ତର ଦେଇଥଲେ: ଆଜ୍ଞା ଠାକୁର ତ କାହିଁ ନିଆଁରେ ପଡ଼ି ମୋଟେ ସେଁ ସେଁ ହେଉ ନାହାନ୍ତି । ଗୁରୁ ତତ୍‌କ୍ଷଣାତ୍‌ ଜବାବ ଦେଲେ, ଆରେ, ସିଏ କ’ଣ ପ୍ରକୃତରେ ବୁଦ୍ଧ ଯେ ସେଁ ସେଁ ହେବେ,–ସେଇଟିତ ବୁଦ୍ଧଙ୍କର କାଷ୍ଠନିର୍ମିତ କେବଳ ଏକ ମୂର୍ତ୍ତି ।

 

ଗୁରୁଙ୍କର ଉକ୍ତିଟି କନିଷ୍ଠ ଜଣଙ୍କୁ ବେଶ୍ ଉତ୍ସାହିତ ହିଁ କଲା । ସିଏ ତତ୍‌କ୍ଷଣାତ୍ ସେହି ଆବେଗଟିରେ ଆଉ ପଦେ ଯୋଡ଼ିଦେଇ କହିଥିଲେ, ଆଜ୍ଞା, ଆପଣ ମଧ୍ୟ ତ ସାରା ଦିନଟା ଥଣ୍ଡା କାଲୁଆ ଭିତରେ ବୁଲି ବୁଲି ଫେରିଛନ୍ତି । ଆପଣଙ୍କର ଦେହଟି ମଧ୍ୟ ନିଶ୍ଚୟ କିଛି ଉତ୍ତାପ ପାଇବା ସକାଶେ ଇଚ୍ଛା କରୁଥିବ; ଏବଂ, ଯଦି ଆଦେଶ ଦିଅନ୍ତେ ତେବେ ବେଦୀ ଉପରେ ଯେଉଁ ଅନ୍ୟ ମୂର୍ତ୍ତିଟି ରହିଛି, ମୁଁ ସେଇଟିକୁ ଆଣି କାଠ ପ୍ରସ୍ତୁତ କରିଦିଅନ୍ତି ଓ ସେଥିରୁ ଆପଣଙ୍କ ନିମନ୍ତେ ଅଗ୍ନିଟିଏ ସଜ କରି ଦିଅନ୍ତି । ବାସ୍, କାହାଣୀଟି ସେଇଠି ଶେଷ ହୋଇଛି । ଏହିଭଳି ଶହ ଶହ କାହାଣୀ ଏବଂ ହଠାତ୍ ପରୋକ୍ଷ ଭାବରେ ସେଗୁଡ଼ିକ ଦ୍ଵାରା କିଛି ଇଙ୍ଗିତ କରି ଦିଆଯାଇଛି ବୋଲି ଅବଶ୍ୟ ଲାଗିବ ସିନା, କିନ୍ତୁ ସତେଅବା ସିଧା ଯାଇ ମନୁଷ୍ୟପ୍ରଜ୍ଞାର ତତ୍ତ୍ୱବିବେକକୁ ଫୋଡ଼ି ଦେଉଥିବା ପରି ମନେ ହେବ ଏବଂ ସେହି ପଦ୍ଧତିରେ ଅସଲ ସତ୍ୟଟିଏ ସେହି ଭିତରୁ ହିଁ ଆଲୋକିତ କରି ଆଣୁଥିବା ପରି ବୋଧ ହେବ । ଜାପାନର ସାମାଜିକ ସ୍ଥିତାବସ୍ଥାଗୁଡ଼ିକରେ ଏହିସବୁ କାହାଣୀ ସେହି ପ୍ରାଚୀନ କାଳରେ କମ୍ ଗୋଳର ସୃଷ୍ଟି କରିନଥିବ । ପ୍ରଚଳିତ ଧର୍ମର କର୍ତ୍ତାମାନେ କମ୍ ଚିହିଙ୍କି ଉଠି ନଥିବେ । ଉପଲବ୍ଧ ତଥ୍ୟମାନଙ୍କରୁ ମନେ ହେଉଛି, ସେତେବେଳେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବୌଦ୍ଧ ଭିକ୍ଷୁମାନେ ବୌଦ୍ଧଧର୍ମକୁ ଲୋକସ୍ତର ଯାଏ ଭେଦାଇ ଆଣିବାକୁ ନିଶ୍ଚୟ ଭଳି ଭଳି ପନ୍ଥା ଓ ପ୍ରୟାସର ଆଶ୍ରୟ ଗ୍ରହଣ କରିଥିବେ । ପାରମ୍ପରିକ ଶିଣ୍ଟୋ ଧର୍ମ ଏବଂ ସମାଜର ସମ୍ଭ୍ରାନ୍ତ ଏବଂ କ୍ଷାତ୍ର ବର୍ଗଗୁଡ଼ିକ ଏକ ବହିରାଗତ ଧର୍ମକୁ ସମ୍ଭବତଃ ସେପରି କୌଣସି ଉଦାରତା ଆଦୌ ଦେଖାଇ ନଥିବେ ଏବଂ ସେହି କାରଣରୁ ଭିକ୍ଷୁମାନେ ତଳୁ ଲୋକସ୍ତରରୁ ହିଁ ନୂତନ ବାର୍ତ୍ତାଟି ନିମନ୍ତେ ଏକ ସୁନିଶ୍ଚିତ ମୂଳଦୁଆ ସମ୍ଭବ କରି ଆଣିବାର ଅଭିପ୍ରାୟରେ ହିଁ କିଛି ଅନ୍ୟଭଳି ଚେଷ୍ଟା ହୁଏତ କରିବେ । ଦଶମ ଶତାବ୍ଦୀରୁ ଗୋଟିଏ ସେହିଭଳି ଘଟଣାକୁ ଚର୍ଚ୍ଚାକୁ ଆଣି କହିଲେ, କୁୟା ନାମକ ଜଣେ ଆଦ୍ୟ ଦଶମ ଶତାବ୍ଦୀର ଭିକ୍ଷୁ ବୌଦ୍ଧ ଧ୍ୟାନକୁ ଲୋକମାନଙ୍କର ସହଜ ପହୁଞ୍ଚ ମଧ୍ୟକୁ ଆଣିବା ସକାଶେ ଗୋଟିଏ ଅଭିନବ ଶୈଳୀକୁ ଆଣି ପ୍ରବର୍ତ୍ତିତ କରାଇଥିଲେ-। ଭଗବାନ ବୁଦ୍ଧ ଅମିତାଭଙ୍କର ନାମ-ସଂକୀର୍ତ୍ତନକୁ ଏକ ଆକର୍ଷଣୀୟ ପଦ୍ଧତିରୂପେ ଲେକମାନଙ୍କର ଚିତ୍ତରେ ସ୍ଵୀକୃତ କରି ଆଣିଲେ । ଲୋକମାନଙ୍କୁ ନେଇ ନଗରକୀର୍ତ୍ତନ ଆରମ୍ଭ କରି ଦେଇଥିଲେ । ଲୋକମାନେ ନାଚି ନାଚି ସହରର ମାର୍ଗଗୁଡ଼ିକରେ ନାମଟିକୁ ଗାଇଗାଇ ବାହାରି ଯାଉଥିଲେ । ବେକରେ ଗୋଟିଏ ଘଣ୍ଟି ମଧ୍ୟ ବନ୍ଧା ହେଉଥିଲା, ଯାହାକି ନାଚିବା ସମୟରେ ଝାଞ୍ଜପରି ବାଜି ଉଠୁଥିଲା । କୁୟା ସେହି ଦଳଗୁଡ଼ିକର ଆଗେ ଆଗେ ରହି ଅମିତାଭଙ୍କର ନାମଟିକୁ ବାରମ୍ବାର ଦୋହରାଉ ଥିବା ସାନସାନ ସହଜ ସ୍ଵରଚିତ ଗୀତଗୁଡ଼ିକୁ ମଧ୍ୟ ଗାନ କରୁଥିଲେ ।

 

ସେଥିରୁ ଗୋଟିଏ ଗୀତ ଏହିଭଳି ରଚିତ ହୋଇଥିବାର ଉଲ୍ଲେଖ ରହିଛି: ଯେଉଁବ୍ୟକ୍ତି ମାତ୍ର ଥରୁଟିଏ ଅମିତାଭଙ୍କର ପୁଣ୍ୟନାମଟିକୁ ଉଚ୍ଚାରଣ କରେ, ସିଏ ସେହି ପରମାନନ୍ଦର ଧର୍ମର ଧାମରେ ଯାଇ ଅବଶ୍ୟ ପ୍ରବେଶ କରିପାରେ । ସେହି ଧାମଟି ଏଠାରୁ କେତେ ନା କେତେ ଦୂରରେ ଯାଇ ଅବସ୍ଥିତ ରହିଛି ବୋଲି ମୁଁ ଲୋକମୁଖରୁ ବହୁବାର ଶୁଣିଛି ସିନା; କିନ୍ତୁ ମୁଁ ତ କହିବି ଯେ, ଯେଉଁ ବ୍ୟକ୍ତି ସତକୁ ସତ ସେଠାକୁ ଯିବାଲାଗି ଇଚ୍ଛା କରିବ, ସିଏ ତ ଗୋଟିଏ ଦିନରେ ଯାଇ ସେଠାରେ ପହଞ୍ଚିଯିବ । କିମ୍ବଦନ୍ତୀ ରହିଛି, ଭିକ୍ଷୁ କୁୟା ପ୍ରଥମେ ଏହିପରି ରାସ୍ତାକୁ ବାହାରି ଗୀତ ଗାଇବାକୁ ଆରମ୍ଭ କରି ଦେଉଥିଲେ ଏବଂ ଲୋକମାନେ ତାଙ୍କ ସହିତ ଯୋଗ ଦେବାପାଇଁ ଘର ଭିତରୁ ବାହାରି ପଡ଼ୁଥିଲେ । ବିଶେଷ ମଣ୍ଡଳୀଟିଏ ପ୍ରାୟ ଆପେଆପେ ଗଠିତ ହୋଇ ଆସୁଥିଲା; ସମସ୍ତେ ନାଚୁଥିଲେ ଓ ଗାଉଥିଲେ । ସମସ୍ତେ ଆରାଧ୍ୟ ଭଗବାନ ଅମିତାଭଙ୍କର ଆବାହନ କରୁଥିଲେ । କିଞ୍ଚିତ୍ ପରବର୍ତ୍ତୀ ଦ୍ଵାଦଶ ଶତାବ୍ଦୀର ଆଉଗୋଟିଏ ଉଦାହରଣ: ସେତେବେଳର ଜଣେ ସନ୍ଥ ହ୍ୟୁନେନ୍‌ ଏପରି ସର୍ବଦା କହୁଥିଲେ ଯେ, ସୁନିଶ୍ଚିତ ଇହମୁକ୍ତି ନିମନ୍ତେ ସେହି ଅମିତାଭଙ୍କର ନାମସ୍ମରଣ ହେଉଛି ସର୍ବୋତ୍ତମ ପଥ । ତାହାଠାରୁ ଅଧିକ ସହଜ ଆଉ କୌଣସି ମାର୍ଗ ହିଁ ନାହିଁ । ସେହି ନାମସ୍ମରଣକୁ ସେହି କାଳଟିରେ ନେମ୍ବୁତ୍ସୁ ବୋଲି କୁହା ଯାଉଥିଲା । ସେତେବେଳେ ତାହା ଭଗବାନ ଅମିତାଭଙ୍କର ନାମସ୍ମରଣ ସହିତ ଧ୍ୟାନ କରିବାକୁ ବୁଝାଉଥିଲା, କିନ୍ତୁ ଏକ ପରବର୍ତ୍ତୀ ପର୍ଯ୍ୟାୟରେ ଧ୍ୟାନ ଉପରେ ସେତେ ବେଶୀ ଗୁରୁତ୍ୱ ଦିଆନଯାଇ କେବଳ ନାମଟିର ଅଖଣ୍ଡ ଭାବରେ ପୁନରାବୃତ୍ତି କରାଇବାକୁ ବୁଝାଇଥିଲା । ଅର୍ଥାତ୍ ଭାବମୁଗ୍ଧ ଅନ୍ତସ୍କରଣରେ ନାମଟିର ବାରମ୍ବାର ପୁନରାବୃତ୍ତି,–ତାହାହି ମୁକ୍ତିର ଉପାୟ । ଅର୍ଥାତ୍, ନିତାନ୍ତ ସାଧାରଣ ମନୁଷ୍ୟଟିଏ ମଧ୍ୟ ଯେଉଁଟିକୁ କରିପାରିବ, ପଥଟା ଦୁର୍ଗମ ବୋଲି ଶଙ୍କି ଯିବନାହିଁ । ବୌଦ୍ଧ ଉପାସନାର ଗତିପଥଟି ଜାପାନ ଦେଶରେ କ୍ରମଶଃ ସେହି ଆଡ଼କୁ ମୁହାଁଇ ଯାଇଥିଲା । ହୁଏତ ଫଳରେ ପୂର୍ଣ୍ଣ ମାର୍ଗଦୀକ୍ଷାଟିର ଆଭିମୁଖ୍ୟଟିରେ ମଧ୍ୟ ଏକ ପରିବର୍ତ୍ତନ ପ୍ରାୟ ଆପେ ଆପେ ଘଟିଥିଲା । ହଁ, ଜୀବନ କହିଲେ ଆମର ଅଭ୍ୟସ୍ତ ତଥା ତାତ୍କାଳିକ ପରିମାପଗୁଡ଼ିକ ଅନୁସାରେ ଆମେ ଯାହା ବା ଯେତିକି ବୁଝୁଛୁ, ଅସଲ ସତ୍ୟ ଅର୍ଥାତ୍ ଅଧ୍ୟାତ୍ମ୍ୟ ବିଶ୍ୱାସଟି କେବଳ ସେତିକି ମଧ୍ୟରେ ମୋଟେ ସୀମାବଦ୍ଧ ହୋଇ ରହିନାହିଁ । ଏହି ସୀମାଗୁଡ଼ିକରୁ ସେଇଟି ସର୍ବବିଧ ଅର୍ଥରେ ଏକ ଉତ୍ତୋଳନକୁ ହିଁ ବୁଝାଇଛି । ଭିକ୍ଷୁମାନେ କହୁଥିଲେ, ସେହି ଉପଲବ୍ଧିଟିଦ୍ୱାରା । ଅପରିମିତ ଶାନ୍ତିର ଅନୁଭବଟିଏ ସମ୍ଭବ ହୋଇ ଆସିବ, ମନୋଗତ ଯାବତୀୟ କ୍ଷେତ୍ରରୁ ସର୍ବବିଧ ଶଙ୍କା ଅପସାରିତ ହୋଇଯିବ, ସତତ କାହାର ସୁରକ୍ଷା ପ୍ରାପ୍ତ ହେଉଥିବା ଭଳି ପରିପୂର୍ଣ୍ଣ ଅନୁଭବ ହେବ । ଅର୍ଥାତ୍ ଏକ ସଂକ୍ଷିପ୍ତ ସାର ହିସାବରେ କହିଲେ, ମନୁଷ୍ୟମାନଙ୍କୁ ଏହି ସଂସାର ଭିତରୁ ସର୍ବବିଧ ପ୍ରୟାସ ଦ୍ଵାରା ଆପଣାକୁ ପ୍ରତ୍ୟାହୃତ କରିନେବାକୁ ହିଁ ପଡ଼ିବ । ଏହି ନିତ୍ୟ-ଅଭ୍ୟସ୍ତ ସଂସାର ଭିତରୁ ସୂତ୍ରଗୁଡ଼ିକୁ ଛିନ୍ନ କରି ସେହି ଅନ୍ୟ ପୃଥିବୀଟି ମଧ୍ୟରେ ବିଚରଣ କରିବାକୁ ପଡ଼ିବ ।

 

ଏଗୁଡ଼ିକର ସମାନ୍ତର ଭାବରେ ଜେନ୍ ବୌଦ୍ଧଶାଖାଟି ମଧ୍ୟ ସେତେବେଳେ ସର୍ବଦା ରହିଥିଲା ଏବଂ ଅଧ୍ୟାତ୍ମ୍ୟ ସାଧନା ବିଷୟରେ ପ୍ରାୟ ଏକ ଅନ୍ୟ କଥାଟିଏ କହୁଥିଲା । ଆପଣାର ବାହାରେ ଏବଂ କୌଣସି ଏକ ଅନ୍ୟ ଜଗତରେ ଯାଇ ବୁଦ୍ଧତ୍ୱର ପ୍ରାପ୍ତି ସମ୍ଭବ ହେବ ବୋଲି ଭାବନା ବା ପ୍ରଚାରଟିର ତାହା ତୀବ୍ର ବିରୋଧ କରୁଥିଲା । ଜେନ୍ କହୁଥିଲା, ନାଇଁ, ପ୍ରତ୍ୟେକ ବ୍ୟକ୍ତିର ଅନ୍ତର ମଧ୍ୟରେ ହିଁ ଏକ ବୁଦ୍ଧ-ସ୍ଵଭାବ ରହିଛି ଏବଂ ତାହାକୁ ଉପଲବ୍ଧି କରିବାକୁ ହେଲେ ନିଜର ଭିତରକୁ ହିଁ ଅନାଇ ପାରିବାକୁ ହେବ । ଅର୍ଥାତ୍, ଆପଣାକୁ ସକଳାଙ୍ଗ ତଥା ସର୍ବତୋଭାବେ ବୁଝିବାକୁ ହେବ । ଜେନ୍ ଯାବତୀୟ ଆତ୍ମ ଆଲୋକନ ଏବଂ ଆତ୍ମଜାଗୃତିକୁ କୌଣସି ଜଳାଶୟରେ ପ୍ରତିଫଳିତ ହୋଇଥିବା ଚନ୍ଦ୍ରମାଟିଏ ସହିତ ତୁଳନା କରିଛି । ସେହି ପ୍ରତିଫଳନଟି ଦ୍ଵାରା ଚନ୍ଦ୍ରମା ଆଦୌ ପୁଷ୍କରିଣୀର ପାଣିଦ୍ଵାରା ଓଦା ହୋଇ ଯାଏନାହିଁ କିମ୍ବା ଚନ୍ଦ୍ରମାଟି ପାଣିର ତଳଯାଏ ଯାଇପାରିଲା ବୋଲି ପାଣି ମଧ୍ୟ ମୋଟେ ଦୁଇଭାଗ ହୋଇ ଯାଏ ନାହିଁ । ଚନ୍ଦ୍ରାଲୋକ ତ ସମଗ୍ର ପୃଥିବୀ ଉପରେ ଏକ ବିପୁଳ ବ୍ୟାପ୍ତରୂପ ଧାରଣ କରି ପଡ଼ିଥାଏ, ତଥାପି ଅରାଏ ପାଣି ମଧ୍ୟରେ ମଧ୍ୟ କେଡ଼େ ସ୍ୱାଭାବିକ ଭାବରେ ଆସି ପୂର୍ଣ୍ଣ ସମାହିତ ଭାବରେ ରହିପାରେ । ସମଗ୍ର ଆକାଶଟାର ଏଡ଼େ ବଡ଼ ଜହ୍ନଟା ଗୋଟାଏ କ୍ଷୁଦ୍ର କାକରବିନ୍ଦୁ ଉପରେ ମଧ୍ୟ ଠୁଳ ପରିପୂର୍ଣ୍ଣ ରୂପେ ଅବସ୍ଥାନ କରିପାରେ । ସେଥିଲାଗି ଆଦୌ କୌଣସି ଆୟାସ କରିବାକୁ କେବେ ମଧ୍ୟ ହୋଇନଥାଏ । ଗୋଟିଏ ଜଳବିନ୍ଦୁ ମଧ୍ୟ ତା’ଭିତରକୁ ସାରା ଆକାଶମଣ୍ଡଳର ଜହ୍ନଟା ପ୍ରତିଫଳିତ ହୋଇ ଆସିବା ସମୟରେ କୌଣସି ପ୍ରତିରୋଧ କଦାପି କରେନାହିଁ । ଠିକ୍ ସେହିପରି, ଜଣେ ମନୁଷ୍ୟ ମଧ୍ୟ ତା’ ଜୀବନରେ ଆଲୋକନର ସେହି ଅସଲ ପ୍ରକ୍ରିୟାଟି ସମ୍ଭାରିହୋଇ ଆସିବାରେ କୌଣସି ବାଧା କାହିଁକି ବା ଦେବ ? ଯଦି ତୁମେ କେବେ ଗଭୀରତାକୁ ମାପିବା ଲାଗି ଇଛା କରୁଛ, ତେବେ ଉଚ୍ଚତାକୁ ଏକ ପରିମାପକ ରୂପେ ବ୍ୟବହାର କରିପାରିଲେ ଯାଇ ତାହା କରିପାରିବ । ଅର୍ଥାତ, ତୁମର ଇପ୍ସିତ ସେହି ବସ୍ତୁଟି ଯେତେ ଅଧିକ ଉଚ୍ଚରେ ଥିବ, ଏଠି ଜଳଟି ଉପରେ ତାହାର ପ୍ରତିଫଳନଟି ବସ୍ତୁତଃ ସେତିକି ଅଧିକ ଗଭୀର ମଧ୍ୟ ହେବ ।

 

କଥାଗୁଡ଼ିକ କେଡ଼େ ସହଜ ଏବଂ ବ୍ୟବହୃତ ଶବ୍ଦମାନେ ମଧ୍ୟ କେଡ଼େ ସିଧା ଅଥଚ ଅର୍ଥସମୃଦ୍ଧ ! ନିତିଦିନର ଏହି ଜୀବନରୁ ହିଁ ଅନୁଭବ ଏବଂ ଉଦାହରଣ ନେଇ କେତେ କୁଆଡ଼େ ଉଚ୍ଚକୁ ତଥା ଗଭୀରକୁ ସ୍ପର୍ଶ କରାଇ ଆଣୁଥିବା ପରି ଲାଗୁଛି । କୌଣସି ଏକ ବିଶେଷ ଶାସ୍ତ୍ରୀୟତାର ବାଡ଼ବତା ମୋଟେ କିଛିହେଲେ ନାହିଁ । ଏହି ମାମୁଲି ଜୀବନ ଗୁଜରାଣ ଗୁଡ଼ିକର ବେଢ଼ାଟାକୁ ପାର ହୋଇ ସତେଅବା ଖାସ୍ ପବିତ୍ର ଆଉକୌଣସି ବିଶେଷ ପିଞ୍ଜରା ଭିତରେ ଯାଇ ପଶିଲେ ଯେ ଆମେ ଉଚ୍ଚତର ସତ୍ୟମାନଙ୍କର ଯୋଗ୍ୟ ହୋଇପାରିବା, କାହାଣୀ ଅଥବା ଉପମାଗୁଡ଼ିକରେ ସେପରି କୌଣସି ଚେତାବନୀର ଗନ୍ଧ ହିଁ ନାହିଁ । ହଁ, କେଡ଼େ ସରଳ ଓ ସାବଲୀଳ ଭାବକଥା ଗୁଡ଼ିକ, ଅଥଚ ଏକାବେଳେକେ ମର୍ମପ୍ରବେଶ କରି ଆମ ଭିତରର ଯେତେ ଯେତେ ଅଭ୍ୟସ୍ତ ଏବଂ ଅତିବହଳ ଅମଙ୍ଗମାନଙ୍କୁ ଗୋଟାସୁଦ୍ଧା ଦୋହଲାଇ ଦେଉଛି ! ଜେନ୍ ପନ୍ଥାର ସେହିସବୁ ରୀତିର ସମ୍ମୁଖୀନ ହେଉଥିବା ସମୟରେ ନିତାନ୍ତ ଅସତର୍କ ଭାବରେ ଏଠି ଆମ ଭାରତବର୍ଷୀୟ ସନ୍ଥମାନଙ୍କର ରୀତିମାନେ ଖୁବ୍‌ ମନେ ପଡ଼ି ଯାଆନ୍ତି । ବାହାରେ କେଡ଼େ ଆଡ଼ମ୍ବରରହିତ, ଅଥଚ ମୂଳଭୂତ ସନ୍ଦେଶମାନଙ୍କରେ ପ୍ରକୃତରେ କେତେ ନା କେତେ ଶକ୍ତିଶାଳୀ । ଅଧ୍ୟାତ୍ମକୁ ଜୀବନ ସହିତ ଗଅଁଠାଇ ରଖିବାର ବିଶ୍ୱପରମ୍ପରାଟିରେ ଜାପାନର ସେହି ଜେନ୍ ଶାଖାଟି ମଧ୍ୟ ସେହି କାଳରୁ ହିଁ ଗୋଟିଏ ଅନ୍ୟତମ ଉଜ୍ଜ୍ୱଳ ଦୃଷ୍ଟାନ୍ତ ହୋଇ ରହିଆସିଛି । ଆମ ଆଧୁନିକ କାଳର ଏହି ଖାସ୍ ଜୀବନବାଚୀ ଉଦ୍‌ବୋଧନମାନଙ୍କର ପରିବେଶଟିରେ ସମ୍ଭବତଃ ଖାସ୍ ଆନୁଷ୍ଠାନିକ ଏକାଧିକ ଅସମର୍ଥତା ହେତୁ ଏତିକି ଆଲୋଡ଼ା ଭଳି ବୋଧ ହେଉଥିବା ଧର୍ମମାନେ କ୍ରମେ ତାତ୍ପର୍ଯ୍ୟ ହରାଇବାରେ ଲାଗିଥିବା ପରି ବୋଧ ହେଉଥିବା ସମୟରେ ଏହି ସହଜ ଅଦରକାରୀ ମାର୍ଗଗୁଡ଼ିକର ଯେପରି ପ୍ରାସଙ୍ଗିକତା ବୃଦ୍ଧି ପାଇବାରେ ଲାଗିଛି । ବଡ଼ ବଡ଼ ଧର୍ମମାନଙ୍କର ରାଢ଼ପଣ ହେତୁ ଦେଉଳଭଙ୍ଗାର ଉପଦ୍ରବଟା ଅଧିକ ସିନା ହେବାରେ ଲାଗିଛି, ମାତ୍ର ସେହି ଅନ୍ୟ ଆବେଦନଟିର ଅଧିକ ଖୋଜା ହେଉଛି । ପୃଥିବୀକୁ ତାହାର ବାହ୍ୟସ୍ତରୀୟ ନାନା ଦୂରତା ସତ୍ତ୍ୱେ କ୍ରମଶଃ ଯେଉଁ ଆଧ୍ୟାତ୍ମଗୁଡ଼ିକର ଅଧିକ ଭୂମିକା ରହିଛି ବୋଲି ସର୍ବତ୍ର ହୃଦୟଙ୍ଗମ କରାଯାଉଛି, ସେତେବେଳେ ଜାପାନରେ ତଥାକଥିତ ବିତ୍ତୀୟ ସମୃଦ୍ଧିଠାରୁ ଜେନ୍ ମାର୍ଗର ସନ୍ଦେଶ ଗୁଡ଼ିକ ଲାଗି ପୃଥିବୀର ଅଧିକରୁ ଅଧିକ ମନୁଷ୍ୟ ଆଗ୍ରହୀ ହେବାରେ ଲାଗିଛନ୍ତି । ବିଶ୍ୱ-ଅଧ୍ୟାତ୍ମର ଆହ୍ୱାନ-କ୍ଷେତ୍ରରେ ଜେନ୍‌ର ଏକ ବିଶେଷ ଅବଦାନ ଅବଶ୍ୟ ରହିଛି । ଜାପାନ ଦେଶର ଜେନ୍‌ ନାମକ ସେହି ଉପାସନା ଏବଂ ଅଭିବ୍ୟକ୍ତି-ମାର୍ଗରେ ପୃଥିବୀର ତଥାକଥିତ ଆମ ବଡ଼ ବଡ଼ ଧର୍ମମାନଙ୍କ ପରି କୌଣସି କେନ୍ଦ୍ରସ୍ଥ ମହାପୀଠ ନଥିଲା । କୌଣସି ସର୍ବମାନ୍ୟ ଶାସ୍ତ୍ର କିମ୍ବା ସଂହିତାମାନେ ବି ନ ଥିଲେ । ସେହି ପରମ୍ପରାଟି ଏକାଧିକ ଶତାବ୍ଦୀ ଲାଗି ପ୍ରଧାନତଃ ଭିକ୍ଷୁମାନଙ୍କର ନେତୃତ୍ୱରେ ପରିଚାଳିତ ହେଉଥିଲା । ଗୋଟିଏ ସମୟରେ ଭିନ୍ଧୁ-ବିହାର ଗୁଡ଼ିକ ଭିତରେ ସମ୍ଭବତଃ ପରିଚୟ ଅବଶ୍ୟ ଥିଲା, ମାତ୍ର କେହି କାହାର ଅଧୀନ ନ ଥିଲେ । ବଡ଼ମାନଙ୍କ ଭିତରେ କେହି ସବାବଡ଼ ନଥିଲେ । ପ୍ରତ୍ୟେକ ବିହାରରେ ଜଣେ ହୁଏତ ବୟୋଜ୍ୟେଷ୍ଠ ମୁଖ୍ୟ ରହିଥିଲେ ଓ ତାଙ୍କରି ମାର୍ଗଦର୍ଶନରେ ଆପଣାକୁ କ୍ରମଗଠିତ ଓ ପ୍ରଶିକ୍ଷିତ କରି ନେଉଥିବା ବିଦ୍ୟାର୍ଥୀମାନେ ଅବଶ୍ୟ ବାସ କରୁଥିଲେ । ଏବଂ ସବୁଠାରୁ ହୁଏତ ଅଧିକ ମହତ୍ତ୍ୱପୂର୍ଣ୍ଣ କଥାଟି ହେଉଛି ଯେ, କୌଣସି ମୁଖ୍ୟ ଭିକ୍ଷୁ ନିଜର ଖାସ୍ ମାର୍ଗଗତ ରୁଚିଗୁଡ଼ିକର ଗୁଳାରେ ଅନ୍ୟ କନିଷ୍ଠମାନଙ୍କୁ ମଣ କରିନେବାରେ ଆଦୌ ଆଗ୍ରହୀ ନଥିଲେ । ବରଂ ପ୍ରତ୍ୟେକର ଆଗ୍ରହ ବଢ଼ୁ, ଆସ୍ପୃହା ଜାଗ୍ରତ ହେଉ-ସେମାନଙ୍କର ଭିତରକୁ ବାଟ ଫିଟୁ ଓ ସେମାନେ ସେହି ରୀତିରେ ଆପଣାର ଖାସ୍ ମାର୍ଗଟିର ସନ୍ଧାନ ଲାଭ କରନ୍ତୁ, ତାହାହିଁ ସର୍ବବିଧ ସାଧନା ତଥା ଅଚରଣର ମୂଳ ଆବେଦନ ହୋଇ ରହିଥିଲା । ଏବେ ମଧ୍ୟ ଅଧ୍ୟାତ୍ମ ଚର୍ଚ୍ଚାର ମହଲରେ ଏକ ଶୈଳୀଗତ ଅଭିବ୍ୟକ୍ତି ହିସାବରେ ଜେନ୍ ଶିକ୍ଷକମାନେ ବ୍ୟବହାର କରିଥିବା ବାକ୍ୟଗୁଡ଼ିକର ଏକ ସ୍ୱତନ୍ତ୍ର ବ୍ୟଞ୍ଜନା ରହିଛି । ମୂଳତଃ ଭାରତବର୍ଷରୁ ଏକ ବିଶେଷ ବାର୍ତ୍ତାରୂପେ ଦୂର ସେଦେଶରେ ଯାଇ ପହଞ୍ଚିଥିଲେ ମଧ୍ୟ ସେହି ସେଠାଟିର ବିଶେଷ ପରିବେଶ ବାଜି ଓ ସତେଅବା ଏକ ଖାସ୍ ପ୍ରକାରର ଆହ୍ୱାନଗୁଡ଼ିକର ସମ୍ମୁଖୀନ ହୋଇ ତାହା ସେହି ସ୍ୱାତନ୍ତ୍ର୍ୟଟିକୁ ଲାଭ କରିଛି କି ? ଆମେ ଏହାପରେ କିଛି ଜେନ୍‌ବାକ୍ୟ ସହିତ କିଞ୍ଚିତ୍ ପରିଚିତ ହେବାକୁ ଚେଷ୍ଟା କରିବା ଏବଂ ହୁଏତ ଉକ୍ତ ସ୍ଵତନ୍ତ୍ର ଶୈଳୀଟିକୁ ବୁଝି ପାରିବା !

 

ବିଶ୍ଵାସ କରିବ, କିନ୍ତୁ ଖାସ୍ ଅର୍ଥାତ୍ ନିର୍ଦ୍ଦିଷ୍ଟ ଏଇଟା ବା ସେଇଟାରେ ବିଶ୍ୱାସ କରିବା ନାହିଁ,–ସେଇଟି ହିଁ ଜେନ୍ । ସଂପର୍କ ଅବଶ୍ୟ ଯୋଡ଼ିବ, ମାତ୍ର ଖାସ୍ ଏଇଟି ଅଥବା ସେଇଟି ସହିତ ସଂପର୍କ ଯୋଡ଼ିବ ନାହିଁ–ତାହା ହିଁ ଜେନ୍ ।” ଶୁଣିଲା ବେଳକୁ ପରାମର୍ଶଟି ତୁଚ୍ଛ ଅର୍ଥହୀନ ଭଳି ମନେ ହେଉଛି ସିନା,–ସତେଅବା ଗୋଟିଏ କ’ଣ ବିରୋଧାଭାସର ବାଣମାରି ଆମକୁ ଭୂତାଇ ଦେବାର ଚତୁରତା କରାଯାଇଛି କି ? ଆମ ପୃଥିବୀରେ ଯୁଗେ ଯୁଗେ ଧର୍ମ ତଥା ଧର୍ମେତର ଏକାଧିକ ସାମୂହିକ ଜୀବନକ୍ଷେତ୍ରରେ କ’ଣ ବିଶ୍ୱାସକୁ ଆଳକରି ମନୁଷ୍ୟମାନଙ୍କୁ ଗୋଟାଏ ଏଇଟା ବା ସେଇଟା ଭିତରେ କଠୋର ଭାବରେ ବାନ୍ଧି ଦିଆଯାଇଛି । ନିଜଟିକୁ ବିଶ୍ୱାସ କରିବାର ଉତ୍ସାହରେ ଲକ୍ଷ ଲକ୍ଷ ମନୁଷ୍ୟ ଅନ୍ୟ ମାର୍କାର ବିଶ୍ୱାସମାନଙ୍କୁ ତୁଚ୍ଛା ଅସାର ବୋଲି ଭାବିବାର ମନ୍ଦୋତ୍ସାହ ଲାଭ କରିଛନ୍ତି ଏବଂ, ତା’ ପରେ ବିଶ୍ୱାସ ଭିତରେ ବିବାଦ ଲାଗିଯାଇଛି-ନାନାବିଧ ଅଫିମକୁ ଗିଳାଇ ମନୁଷ୍ୟମାନଙ୍କୁ ଧର୍ମଚାରଣାର କ୍ଷେତ୍ରରେ ତୁଚ୍ଛା ଅଚାରଣାମାନଙ୍କରେ ବାଇକରି ରଖାଯାଇଛି । ଘୃଣା, ଦୂରତା, ଅବୁଝାମଣା, ଦ୍ୱନ୍ଦ ଏବଂ ଦୁଷ୍ଟତାରେ ପୃଥିବୀଟା କମ୍ପି ଉଠିଛି ଏବଂ ଭଗବାନ ବୋକା ବନି ରହି ଯାଇଛନ୍ତି । କିଏ ବା କେଉଁମାନେ ସତକୁ ସତ ଆଦୌ କୌଣସି ବିଶ୍ୱାସରେ ବଞ୍ଚୁଛନ୍ତି ? ଠିକ୍ ସେହିପରି ସଂପର୍କ ଯୋଡ଼ିବାର ସେହି ଅନ୍ୟ ଅନୁରାଗଟି ନିଜର ଦେଶ, ନିଜର ଠାକୁରଗଣ, ନିଜର ସଂସ୍କୃତି ଏବଂ ନିଜର ଏଡ଼େ, ପ୍ରିୟ ଅଭ୍ୟାସଗତ ଚଳଣିଗୁଡ଼ିକ ସହିତ ସଂପର୍କ ଯୋଡ଼ୁଯୋଡ଼ୁ ମନୁଷ୍ୟମାନେ ଗୋଟାଏ ଗୋଟାଏ ଖାସ୍ ବ୍ୟୂହ ଭିତରେ ନିଜକୁ ଧର୍ମତଃ କେଡ଼େ ଉତ୍ତେଜନାପୂର୍ଣ୍ଣ ଭାବରେ କିଳି ହିଁ ରଖିଛନ୍ତି । ନିଜ ଆଦର୍ଶଟା ପ୍ରତି ଆନୁଗତ୍ୟ ଦେଖାଇବାର ଧୂମ୍ ଭିତରେ ମାତି ସେମାନେ ପୃଥିବୀରେ ଯେ ସେମାନଙ୍କ ସଦୃଶ ଅନ୍ୟ ମନୁଷ୍ୟମାନଙ୍କର ମଧ୍ୟ ଯେ ଆଦର୍ଶମାନେ ରହିବେ, ସେହି ସତ୍ୟଟିକୁ ଖୁବ୍ ପାସୋରି ଦେଇଛନ୍ତି ଏବଂ ତାହାକୁ ହିଁ ନିଜ ଆଦର୍ଶ ଲାଗି ନିଷ୍ଠାବାନ୍ ହୋଇ ରହିବାର ସବୁକିଛି ବୋଲି ଧରି ନେଇଛନ୍ତି । ପ୍ରତିଷ୍ଠିତ କ୍ଷମତାମାନେ ସେତେବେଳେ କି ତତ୍ପରତା ସହିତ ସେମାନଙ୍କୁ କାବୁ କରି ନେଇଛନ୍ତି ।

 

ଏହି କଥାଟି ସହିତ ଖୁବ୍‌ ନିବିଡ଼ ଭାବରେ ସମ୍ବନ୍ଧ ରଖିଥିବା ଆଉ ଗୋଟିଏ ବହୁପରିଚିତ ଜେନ୍ ଉକ୍ତି : ‘‘ଯଦି ତୁମର କେବେ ଜଣେ ବୁଦ୍ଧଙ୍କ ସହିତ ଭେଟ ହେବ, ତେବେ ତୁମେ ତାଙ୍କୁ ଆଦୌ କାଳବିଳମ୍ବ ନ କରି ହତ୍ୟା ହିଁ କରିବ । ଯଦି ଜେନ୍ ଶାଖାର କୌଣସି କୁଳାଚାର୍ଯ୍ୟ ଜ୍ୟେଷ୍ଠଙ୍କୁ ଭେଟିବ, ତେବେ ତୁମେ ତାଙ୍କୁ ତୁରନ୍ତ ହତ୍ୟା କରିବ କାରଣ ଯାବତୀୟ ଅନୁକରଣ କରିବାର ସେହି ଯେଉଁ ଚଳଣିଟି, ତାହା ହେଉଛି ଏକ ମୃତ୍ୟୁ ।” ଭାରତବର୍ଷରେ ଏହି ବାକ୍ୟଟି ଶୁଣିବା ମାତ୍ରକେ ଅନେକ ଧର୍ମସ୍ଥ ମନୁଷ୍ୟାତ୍ମା ଅବଶ୍ୟ ଶିହରି ଉଠିବେ, ଏଭଳି ଜଗତହୁଡ଼ା ଶବ୍ଦଟାଏ ତୁଣ୍ଡରେ ଉଚ୍ଚାରଣ କରିବାକୁ ତୁଚ୍ଛା ଦ୍ରୋହ ବୋଲି କହି ଗର୍ଜି ଉଠିବେ । ଗୁରୁଦ୍ରୋହ-ତେଣୁ ସଂପୂର୍ଣ୍ଣ ଭାବରେ ଈଶ୍ଵରଦ୍ରୋହ । ଭାରତୀୟ ଧର୍ମଦୀକ୍ଷାର ବ୍ୟାକରଣରେ ତ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସହିତ ସମତୁଲ କରି ଦେଖାଇ ଆମ ପରମ୍ପରାଟା କେତେ ନା କେତେ ହୃଷ୍ଟ ଅନୁଭବ କରି ଆସିଛି ! କି ଖାସ୍ ବିହ୍ୱଳତା ସହିତ ଗୁରୁଙ୍କୁ ସାକ୍ଷାତ ପରଂବ୍ରହ୍ମ ବୋଲି ଘୋଷଣା ମଧ୍ୟ କରାଯାଇଛି । ଆଧୁନିକ କାଳ ସମେତ ଯୁଗ ଯୁଗର ଅଧ୍ୟାତ୍ମ୍ୟ ତ କହିଆସିଛି ଯେ ଆମ ପ୍ରତ୍ୟେକ ମନୁଷ୍ୟ ଭିତରେ ଗୋଟିଏ ଆତ୍ମସତ୍ୟ ରହିଛି,–ଆତ୍ମସତ୍ୟର ବିକାଶ କରି ଆଣିବାକୁ ହେଲେ ପ୍ରତ୍ୟେକକୁ ଆପଣାର ଅନନ୍ୟ ସ୍ଵଭାବଟିକୁ ପୂର୍ଣ୍ଣ ଶ୍ରଦ୍ଧାର ସହିତ ଚିହ୍ନି ପାରିବାକୁ ହେବ ଏବଂ ତାହାରି ଖାସ୍ ଧର୍ମଟି ଅନୁସାରେ ହିଁ ସେହି ଅନ୍ତରସ୍ଥ ଅସଲଟିକୁ ପ୍ରକଟ କରି ଆଣିବାକୁ ପଡ଼ିବ । ଅର୍ଥାତ୍ ଜଣେ ଶିଷ୍ୟର ମାର୍ଗଦର୍ଶନ କରାଇବାକୁ ଯାଇ କୌଣସି ଗୁରୁ ଯଦି ପ୍ରଧାନତଃ ଅନୁକରଣ କରିବା ନିମନ୍ତେ ପ୍ରୟାସ କରାଇବାକୁ ଆରମ୍ଭ କରେ, ତେବେ ତଦ୍ୱାରା କେବଳ ଅନିଷ୍ଟ ହିଁ ହୁଏ । ହଁ, କେବଳ ବାହ୍ୟଟାର ହୁଏତ ଅନୁକରଣ କରି ସତକୁ ସତ କିଛି ଘଟୁଛି ବୋଲି ଗୋଟିଏ ପ୍ରତୀତି ମଧ୍ୟ ଏହି କ୍ଷେତ୍ରରେ ବେଶ୍ ବଣା କରି ରଖିପାରେ । ଅତୀତରେ ଅଧିକତର ପରିମାଣରେ ହୋଇଛି ବୋଲି ନିର୍ଦ୍ଦିଷ୍ଟ ଭେକମାନଙ୍କୁ ଅବଲମ୍ବନ କରି ପୃଥିବୀରେ ସମ୍ପ୍ରଦାୟମାନେ ବହୁତ ସୃଷ୍ଟି ହୋଇଛନ୍ତି ତଥା ଖୁବ୍ ଉପଦ୍ରବ କରି ଆସିଛନ୍ତି,–ମାତ୍ର ଆଧ୍ୟାତ୍ମିକ ସର୍ବବିଧ ଅଭ୍ୟୁଦୟ ଅତ୍ୟନ୍ତ ବାଧାପ୍ରାପ୍ତ ହୋଇଛି । ମୃତ୍ୟୁ ହିଁ ସାର ହୋଇଛି । ଅଧ୍ୟାତ୍ମମାନେ ବୋକା ବନି ରହି ଯାଇଛନ୍ତି ।

 

ପୁନଶ୍ଚ, “ପୂର୍ଣ୍ଣ ସ୍ଥିର ହୋଇ ବସିଲେ ଆପଣା ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ଅମିତ ଶକ୍ତିର ଅବଶ୍ୟ ପରିଚୟ ମିଳିଥାଏ । ମାତ୍ର, ଆଦୌ କୌଣସି ambition ବା ମହତ୍ତ୍ୱାକାଂକ୍ଷା ନଥାଏ ।’’ ପୃଥିବୀ ଯାକର ପରମ୍ପରାରେ ବସ୍ତୁତଃ ଆଗ ମହତ୍ତ୍ୱାକାଂକ୍ଷା, ସେଇଥିରୁ ଅଧିକାଂଶ ମନୁଷ୍ୟଙ୍କର ସବୁକିଛି ଶକ୍ତି । ସେହି ଶକ୍ତି ମନୁଷ୍ୟମାନଙ୍କୁ ଉନ୍ମତ୍ତ କରିଦିଏ ଏବଂ ସେଇଥିରୁ ହିଁ ପ୍ରମାଦମାନେ ଜନ୍ମଲାଭ କରି ଥାଆନ୍ତି । କିନ୍ତୁ, ନିଜ ଭିତରେ ରହିଥିବା ଶକ୍ତି ବିଷୟରେ ପରିପୂର୍ଣ୍ଣ ଭାବରେ ସଚେତନ ହୋଇ ରହିଥିବ, କିନ୍ତୁ ଖାସ୍ ନିଜର ଗୋଟାସୁଦ୍ଧା ନିଜର ହୋଇ କୌଣସି ମହତ୍ତ୍ୱାକାଂକ୍ଷା ନଥିବ । ତେବେଯାଇ ତ ଜଣେ ମନୁଷ୍ୟ ଏହି ପୃଥିବୀରେ କେତେ କେତେ ବୃହତ୍ କାର୍ଯ୍ୟସାଧନର ପ୍ରକ୍ରିୟାରେ ନିମିତ୍ତ ରୂପେ ବ୍ୟବହୃତ ହୋଇପାରିବ ! ଜେନ୍‌ର ଗୁରୁ ତାହାକୁ ହିଁ ପୃଥିବୀର ସବୁଠାରୁ ଅଧିକ କଷ୍ଟକର କଥା ବୋଲି କହିଛନ୍ତି । ବାହାରକୁ ଦେଖିବାକୁ ତ ପୃଥିବୀରେ ମହତ୍ତ୍ୱାକାଂକ୍ଷା ବୀରମାନେ ସଫଳତା ପରେ ସଫଳତାମାନ ଲାଭ କରିବାରେ ଲାଗିଥାନ୍ତି । ବ୍ୟକ୍ତିଗତ ବହୁବିଧ କ୍ଷେତ୍ରରେ ସାହସିକ ଇଚ୍ଛାପୂରଣମାନ ଲାଗି ହିଁ ରହିଥାଏ ଏବଂ ଏଣେ ତାହାରି ପରିଣାମରେ ପୃଥିବୀ ହାରିହାରି ଯାଉଥାଏ । ସାଂପ୍ରତିକ ଆମର ଏହି ପୃଥିବୀରେ ବ୍ୟକ୍ତି ତଥା ଜାତି ଦୁଇଟିଯାକ ସ୍ତରରେ ହିଁ କେତେ କେତେ ମହତ୍ତ୍ୱାକାଂକ୍ଷା ଏବଂ ସେହି ଅନୁସାରେ ବହୁବିଧ ଯଶସ୍ମିତା ସିନା, ଏବଂ ତଥାପି କେତେ କ’ଣ କ୍ଲାନ୍ତିମାନେ ଯେ ମନୁଷ୍ୟମାନଙ୍କର ନିୟତି ଗୁଡ଼ିକୁ ବିମୂଢ଼ କରି ରଖିଛନ୍ତି, ସେଥିରୁ ପରିତ୍ରାଣ ଲାଭ କରିବା ପାଇଁ ସମ୍ମୁଖରେ ସତେଅବା ଆଦୌ କୌଣସି ରାସ୍ତା ନ ଥିବାଭଳି ମନେ ବି ହେଉଛି ଏବଂ ମହା ମହା ମତିମାନେ ହଡ଼ବଡ଼େଇ ଯାଉଛନ୍ତି । ଜେନ୍‌ର କୋଟିଏ ବାକ୍ୟରେ କୁହାଯାଇଛି, ହଁ, ତୁମେ ଜୟଲାଭ କର, ମାତ୍ର ଅନ୍ୟମାନଙ୍କୁ ପରାସ୍ତ ନକରି ଜୟଲାଭ କର’ । ଏହି କଥାଟିରୁ ଇଚ୍ଛା କଲେ ଆମେ କେତେ ନା କେତେ ଅର୍ଥ ଅବଶ୍ୟ ବାହାର କରି ପାରିବା ଓ ସମ୍ଭବତଃ ଆଗକୁ କିଛି ବାଟ ମଧ୍ୟ ପାଇଯିବା, ତାହାକୁ ହିଁ ଜେନ୍ ଗୁରୁ ଜେନ୍ ମାର୍ଗଟିର ଅସଲ ସମସ୍ୟା ବୋଲି ଉଲ୍ଲେଖ କରିଛନ୍ତି । ଖାଲି କ’ଣ ଜେନ୍‌ର ସମସ୍ୟା ! ସେଇଟି ଆମ ସମସ୍ତଙ୍କର ସମସ୍ୟା । ଏବେ ମଧ୍ୟ ଚାଲ ଆମେ ଦଣ୍ଡେ ଚିନ୍ତା କରିବାକୁ ଇଚ୍ଛା କରିବା ତ ପୃଥିବୀରେ ସେହି ଅଭିନବ ବିଜୟଟି କେବେ ପ୍ରକୃତରେ ଘଟିବ, ଯେତେବେଳେ ଏପଟଟା ବିଜୟୀ ହେବ ବୋଲି ଅପର ପଟଟାକୁ ଆଦୌ ପରାଜୟ ସ୍ୱୀକାର କରିବାକୁ ପଡ଼ିବ ନାହିଁ । ଅର୍ଥାତ, କେହି ମୋଟେ ପରାସ୍ତ ହେବେ ନାହିଁ ଏବଂ ତେଣୁ ନ୍ୟାୟତଃ ପ୍ରତିହିଂସାପରାୟଣ ହୋଇ ଆଉ ଏକ ମଉକାର ପ୍ରତୀକ୍ଷାରେ ମୋଟେ ଛୁରୀ ପଜାଇବାର କୌଣସି ଆବଶ୍ୟକତା ଅନୁଭବ କରିବେ ନାହିଁ-। ଏହି କଥାଟିକୁ କିଞ୍ଚିତ୍‌ ପ୍ରସାରଣ ଦେଇ ସମ୍ଭବତଃ ଏଭଳି ଆଉ କଥାଟିଏ କୁହାହୋଇଛି ।

 

What is zen ? Zen is looking at things with the eye of God ! “ଜେନ୍ ହେଉଛି ଜଗଦୀଶ୍ୱରଙ୍କର ଆଖିରେ ହିଁ ବସ୍ତୁଗୁଡ଼ିକୁ ଦେଖିବା, ସେହି ଜଗଦୀଶ୍ଵରଙ୍କର ଆଖରେ ପୃଥିବୀର ସ୍ଥିତି ତଥା ବସ୍ତୁଗୁଡ଼ିକ ଦେଖୁବା ଏବଂ ତାହାର ଏକ ଆନୁଷଙ୍ଗିକ ରୂପେ, ସେହି ଜଗଦୀଶ୍ୱରଙ୍କର ଆରେ ଦେଖୁଥିବା ପରି ସେଗୁଡ଼ିକର ସମାଧାନ ବାହାର କରିବା । ସେହି ଆବହମାନ କାଳରୁ ହିଁ ଚଳନ୍ତି ବୋଲି କୁହାହୋଇ ଆସିଥିବା ଆମ ମନୁଷ୍ୟମାନଙ୍କର ଇତିହାସ ଉପରେ ଆଖୁମାନଙ୍କୁ ବୁଲାଇ ଆଣିଲେ ତ କେଡ଼େ ସଫା ହୋଇ ଦେଖାଯିବ ଯେ, ଯୁଗେ ଯୁଗେ ମନୁଷ୍ୟମାନେ, ଅଥବା ଅଧିକ ନିର୍ଦ୍ଦିଷ୍ଟ ଭାବରେ କହିଲେ, ମନୁଷ୍ୟମାନଙ୍କ ମଧ୍ୟରେ ଖାସ୍ ବୀରମାନେ ନିଜ ଆଖିରେ ହିଁ ଜଗଦୀଶ୍ୱରଙ୍କୁ ଦେଖିବାର ଗୋଟାଏ ପ୍ରୀତିରେ ମାତି କରି ରହିଛନ୍ତି । ସେହି ଆପଣା ଆଖିରେ ତେଣୁ ସମଗ୍ର ପୃଥିବୀଟାକୁ ମଧ୍ୟ ଦେଖିଛନ୍ତି । ସେଇଥିରୁ ତ ଆମର ଏଠାରେ ଅପ୍ରମିତ ପ୍ରକାରର ସଂପ୍ରଦାୟ, ମତବାଦ ଓ ମତବାଦ ମଧ୍ୟରେ ନାହିଁ ନ ଥିବା ସମରମାନ, ତୁଚ୍ଛା ଭେକମାନଙ୍କର କୋଳାହଳ ଏବଂ ସତେଅବା କେବଳ ନିଜେ ତିଷ୍ଠି ରହିବାର ଅତ୍ୟୁତ୍ସାହରେ ବାକୀ ସମସ୍ତଙ୍କୁ ନିଜର ଗୋଲାମ କରି ରଖିବାର ଅପପ୍ରୟାସ ଗୁଡ଼ାଏ । ଜଗତ ପଛକେ ନରହୁ, ତଥାପି କେବଳ ମୁଁ ରହିବି ବୋଲି ସ୍ୱାର୍ଥବୁଦ୍ଧି ଗୁଡ଼ାକ । ଜଗଦୀଶ୍ୱର, ତ ଏହିସବୁ ଉପଦ୍ରବକୁ ଦେଖି ପୂରାପଣେ ଜଳକା ହୋଇ ସାରିବେଣି । ତେଣୁ, ଜଗଦୀଶ୍ଵରଙ୍କ ଆଖିରେ ଜଗତକୁ ଦେଖିବା ବିଷୟରେ ଯଦି ଜେନ୍ ସେତେବେଳେ ନିଜର ଭିକ୍ଷୁମାନଙ୍କର ତୁଣ୍ଡରେ ଘୋଷଣା କରିଥିବ, ସେତେବେଳେ ସେହି କ୍ଷୁଦ୍ର ଦ୍ୱୀପାୟତନ ଜାପାନରେ ମଧ୍ୟ ନିଶ୍ଚୟ ହୁଲସ୍ତୁଲ ପଡ଼ି ଯାଇଥିବ । ଭାରତବର୍ଷରେ ଉପଲବ୍ଧ ଶାସ୍ତ୍ରଗୁଡ଼ିକ ଅନୁସାରେ ଗୌତମ ବୁଦ୍ଧ ହିଁ ସମ୍ଭବତଃ ସାହସ କରି ତଥା ଏକ ଅନ୍ୟ ନେତୃତ୍ୱର ଉଦ୍‌ବୋଧନ ଦେଇ ସେହି କାଟର କେତେ କଥା କହିଥିଲେ, ବିଧି ଉପରେ ବୋଧିର ବିଜୟଘୋଷଣା କରିଥିଲେ । ମାତ୍ର ତାଙ୍କ ଅନ୍ତେ ସେ ସେହି ପୁରାତନ ପରମ୍ପରାଟା ଦ୍ଵାରା କେଡ଼େ ଶୀଘ୍ର ହିଁ ଗିଳି ହୋଇଗଲେ । ସେହି ଅସଲ ନିଆଁଟା ସେହି କେତେ ଦୂରକୁ ଯାଇ ଜେନ୍ ବୌଦ୍ଧସାଧନାର ବାର୍ତ୍ତାଗୁଡ଼ିକର ମାଧ୍ୟମରେ ପୁନର୍ବାର ଉଜ୍ଜୀବିତ ହେବାକୁ ଚେଷ୍ଟା କରିଥିଲା କି ?

 

ଜଗଦୀଶ୍ୱରଙ୍କର ଆଖି ଅର୍ଥାତ୍‌ ପ୍ରତ୍ୟେକ ମନୁଷ୍ୟ ଭିତରେ ସମୃଦ୍ଧ ହୋଇ ଆସିବା ଲାଗି ଅପେକ୍ଷା କରି ରହିଥିବା ତାର ସର୍ବୋତ୍ତମ ଆଖି । ଆଖିଟି ଅନୁସାରେ ଆସ୍ପୃହା ଏବଂ ଆସ୍ପୃହା ଅନୁସାରେ ସାଧନା । ଆଦୌ କିଛି ହୋଇ ରହିବାର ସେହି ପୁରୁଣା ନାନାବିଧ ରକ୍ଷଣଶୀଳତାର ଅନୁସରଣ କରୁଥିବା କୌଣସି ଏଇଟା ବା ସେଇଟା ସାଧନା ନୁହେଁ–ସଂପୂର୍ଣ୍ଣ ଭାବରେ ଜଗତଟିକୁ ସାଙ୍ଗରେ ଧରି ଆପଣା ଭିତରକୁ ବାଟଟିଏ ଚାଲିବା ଓ ଆପଣାକୁ ଅଧିକରୁ ଅଧିକ ଗଭୀର ଆତ୍ମୀୟତା ସହିତ ଚିହ୍ନିବାରେ ସମର୍ଥ ହେବା ତଥା ଆପଣା ନାମକ ସେହି ସର୍ବୋତ୍ତମଟି ସହିତ ସାଙ୍ଗ ହୋଇ ଜଗତକୁ ମଧ୍ୟ ଚିହ୍ନିବା । ତେଣୁ ଜେନ୍ ସାଧନାର ଆଉ ଗୋଟିଏ ବାର୍ତ୍ତା ହେଉଛି–Renouncing the world, but not renouncing oneself - ପୃଥିବୀକୁ ତ୍ୟାଗ କରିବ ହୁଏତ, ମାତ୍ର ଆପଣାକୁ ତ୍ୟାଗ କରିବ ନାହିଁ । ଆପଣାକୁ ତୁମେ ଏକ ନିମିତ୍ତରୂପେ ଯୋଗ୍ୟ କରିନେବ । ତେବେ ଯାଇ ଜଗଦୀଶ୍ୱରଙ୍କର କାର୍ଯ୍ୟରେ ସତକୁ ସତ ଲାଗି ପାରିବ ଏବଂ, ଅଧ୍ୟାତ୍ମର ସ୍ତରରେ ଭଗବାନଙ୍କ କାର୍ଯ୍ୟରେ ଲାଗିବା ଏବଂ ଜଗତର କାର୍ଯ୍ୟରେ ଲାଗିବା ମଧ୍ୟରେ ସମ୍ଭବତଃ ମୋଟେ କୌଣସି ପାର୍ଥକ୍ୟ ହିଁ ନ ଥାଏ । ଜଗତକୁ ତ୍ୟାଗ କରିବ, ଅର୍ଥାତ୍ ସ୍ୱାର୍ଥ ଛାଡ଼ିବ । ସ୍ଵାର୍ଥ ନାଆଁରେ ଜଗତକୁ ଗିଳି ପକାଇବାର ଆଦୌ କୌଣସି ଦୁର୍ବୃଦ୍ଧି କରିବ ନାହିଁ । ଭାରତୀୟ ଉପନିଷଦରେ ଜଗତକୁ ତ୍ୟାଗ କରିବା ଲାଗି ନୁହେଁ, ଭୋଗ କରିବାର କଥା କୁହାଯାଇଛି । ଜଗତକୁ ଆମେ ତ୍ୟାଗଦ୍ଵାରା ଭୋଗ କରିବା ବୋଲି ପରାମର୍ଶ ପ୍ରଦାନ କରାଯାଇଛି । ଆପଣାର ଯାବତୀୟ ସ୍ୱାର୍ଥବୁଦ୍ଧିକୁ ତ୍ୟାଗ କରିବ ଏବଂ ତେବେ ଯାଇ ଏହି ଜଗତକୁ ଭୋଗ କରିପାରିବ । ତାହାହିଁ ସ୍ୱାସ୍ଥ୍ୟ, ତାହାହିଁ ମୋକ୍ଷ, ତାହାହିଁ ଅଧ୍ୟାତ୍ମ । ଭାରତବର୍ଷର ତଥାକଥିତ ବୃହତ୍ ପରମ୍ପରାଟି ଜୀବନ ତଥା ଜଗତ ବିଷୟରେ ମୁଖ୍ୟତଃ ଯେଉଁ ନକାରାତ୍ମକ ଦୃଷ୍ଟିଟିର ପରିବେଶକୁ ସୃଷ୍ଟି କରି ରଖିଛି, ତଦ୍ଦ୍ୱାରା ଅତ୍ୟନ୍ତ ଦୟନୀୟ ଭାବରେ ହିଁ ଏଠାରେ ଜୀବନରୂପୀ ଜଗତକୁ ଭାରି ହତଲକ୍ଷ୍ମା କରି ରଖାଯାଇଛି । ନାହିଁ, ମନୁଷ୍ୟ ଆପଣାକୁ ନୁହେଁ, ସ୍ୱାର୍ଥକୁ ତ୍ୟାଗ କରିବ; ଅର୍ଥାତ୍ ଜୀବନରେ ଏପରି ଏକ ବୃହତ୍ତରର ପରିଚୟ ଲାଭ ଭରିବ, ଯାହାକି ତାହାକୁ ଏକ ନିତ୍ୟଜୀବନର ସର୍ବବଧ କ୍ରିୟାଶୀଳତାରେ ହିଁ ଜଗଦୀଶ୍ୱରଙ୍କୁ ପ୍ରତ୍ୟକ୍ଷ କରି ଅଣାଇପାରିବ ।

 

ଏହିସବୁ କଥାକୁ ସବାଆଗରେ ରଖି ଯେତେବେଳେ ଜେନ୍ ସାଧନାଦାଣ୍ଡକୁ ବାହାରିଥିବ, ସେତେବେଳେ ସେହିକାଳର ନ୍ୟସ୍ତସ୍ୱାର୍ଥମାନେ କଦାପି ତାହାର ସ୍ୱାଗତ କରି ନ ଥିବେ, ରାଷ୍ଟ୍ର ମଧ୍ୟ ସ୍ୱାଗତ କରି ନ ଥିବ । ଭାରତବର୍ଷରେ ବହୁତ ଅନ୍ୟଭଳି କଥା କହିଥିବା ହେତୁ ସେ କାଳରେ ବୌଦ୍ଧ ବାର୍ତ୍ତାଟିକୁ କ’ଣ କମ୍ ବିରୋଧ ସହ୍ୟ କରିବାକୁ ହୋଇଥିଲା ? ବିଶେଷତଃ ରାଜାମାନେ ଯେତେବେଳେ ଅଧିକ ନିରାପଦ ବୋଲି ବିଚାରି ବ୍ରାହ୍ମଣ୍ୟ ଧର୍ମାଚାରଟିର ପୃଷ୍ଠପୋଷକତା କରିଥିଲେ, ସେତେବେଳେ ବୌଦ୍ଧ ଅନ୍ୟ ମାର୍ଗଟିକୁ ବହୁତ କଟାଳ ସହ୍ୟ କରିବାକୁ ହୋଇଥିଲା । ବ୍ରାହ୍ମଣ୍ୟ ଗୁଳାଟିକୁ ଶୁଦ୍ଧ ଅର୍ଥାତ୍ ଠିକ୍ ବୋଲି ମାନୁଥିବା ପକ୍ଷଟା ବୌଦ୍ଧ ଅନ୍ୟ ପଟଟିକୁ ହୀନିଜ୍ଞାନ କରି ଅବଶ୍ୟ ଦେଖୁଥଲା । ଆମ ଓଡ଼ିଶାରେ ଯେତେବେଳେ ଏକ ଦୀର୍ଘ ବୌଦ୍ଧ ପରମ୍ପରା ପରେ ବ୍ରାହ୍ମଣ୍ୟର ସମର୍ଥନ କରି କେଶରୀମାନେ ଗାଦୀରେ ଆସୀନ ହେଲେ, ସେତେବେଳେ ସେମାନେ ଓଡ଼ିଶାର ବ୍ରାହ୍ମଣମାନଙ୍କ ଠାରେ ବୌଦ୍ଧ ହାୱାସବୁ ବାଜି ସେମାନଙ୍କୁ ଅଶୁଦ୍ଧ କରାଇଥିବ ବୋଲି ଭାବି ଦୂର କାନ୍ୟକୁବ୍‌ଜରୁ କେତେ ହଜାର ବ୍ରାହ୍ମଣ ପରିବାରକୁ ଏଠାକୁ ହକାରି ବି ଆଣିଥିଲେ । ଠିକ୍ ସେହିପରି ଚୀନ୍ ଦେଶରେ ବୌଦ୍ଧଧର୍ମର ପ୍ରବେଶ ଘଟିବା ପରେ ସେ ପରମ୍ପରାବାଦୀମାନେ ମଧ୍ୟ ବେଶ୍ ଚିନ୍ତିତ ହୋଇ ପଡ଼ିଥିଲେ ଏବଂ ରାଜାମାନଙ୍କୁ ପ୍ରବର୍ତ୍ତାଇ ବିହିତ କିଛି ପ୍ରତିକାର କରାଇବା ସକାଶେ ଅବଶ୍ୟ କେତେ କ’ଣ କରାଇଥିଲେ । ଥରେ ନୁହେଁ, ଏକାଧିକ ବାର । କଥିତ ଅଛି ଯେ, ଖ୍ରୀଷ୍ଟ ପଞ୍ଚମ ଶତାବ୍ଦୀରେ ପ୍ରାକ୍ ତାଓବାଦୀମାନେ ବହିରାଗତ ବୌଦ୍ଧମାନଙ୍କ ପ୍ରତି ଏକାଧିକ ଅସୂୟା ଏବଂ ଅସହିଷ୍ଣୁତା ପ୍ରଦର୍ଶନ କରିଥିଲେ । ନବମ ଶତାବ୍ଦୀରେ ମଧ୍ୟ ପ୍ରାୟ ସେହିପରି ଆଉ ଏକ ଅସହିଷ୍ଣୁତା ପ୍ରକଟ କରାଯାଇଥିବାର ନଜିର ରହିଛି । ତତ୍କାଳୀନ ଜଣେ ପ୍ରଖ୍ୟାତ ସାହିତ୍ୟକାର ହାନ ୟୁ ମହାମହିମ ଚୀନ ସମ୍ରାଟଙ୍କ ନିକଟକୁ ଏକ ନିବେଦନପତ୍ର ପ୍ରେରଣ କରି ତାଙ୍କୁ ଜଣାଇଥିଲେ ଯେ, ବୌଦ୍ଧଧର୍ମ ଦେଶର ବହୁତ କ୍ଷତି କରୁଥିବାରୁ ତାହାକୁ ସାରା ଦେଶରେ ନିଷିଦ୍ଧ ହିଁ କରାଯାଉ । କାଳର ସ୍ରୋତରେ ସେକାଳର ସେହି ସମ୍ରାଟ କୁଆଡ଼େ ପାସୋର ହୋଇ ରହିଗଲେ, ସେହି ଅସହିଷ୍ଣୁ ସାହିତ୍ୟକାର ମଧ୍ୟ କ୍ରମେ ଅବଶ୍ୟ ରହି ଯାଇଥିବେ, ତଥାପି ଜେନ୍‌ର ଆହ୍ୱାନଟି ଏବେ ମଧ୍ୟ ରହିଛି ସାରା ପୃଥିବୀଟା ଲାଗି ।

 

ଏବେ ତ ଧର୍ମର ପେଣ୍ଠମାନେ ଯେତେ ଅନ୍ୟଭଳି ନାନା ପ୍ରଦର୍ଶନ ମଧ୍ୟରେ ଲୁଚି ରହିବାକୁ ଏବଂ ବାଆଁରେଇ ହେବାକୁ ଇଚ୍ଛା କରୁଥିଲେ ମଧ୍ୟ ତଥାପି ଭୟାନକ ପ୍ରକାରେ ସଂସାରାସକ୍ତ ହୋଇ ରହିଛନ୍ତି । ସେ କାଳଟାରେ ମଧ୍ୟ ଖୁବ୍ ରହିଥିବେ । ଜେନ୍ ଗୁରୁମାନେ ସେହି ସଂସାରାସକ୍ତ ଧର୍ମଭେକୀମାନଙ୍କୁ କେଡ଼େ କୌତୁକପୂର୍ଣ୍ଣ ଭାବରେ Potato digging priests ବୋଲି କହିଛନ୍ତି । ଆପଣାର ଅଲଗା ଅଲଗା କ୍ଷେତଗୁଡ଼ିକର ଆବାଦ କରି ଈଶ୍ଵରୀୟ ଉଲୁଗୁଣା ଗୁଡ଼ିକ ବ୍ୟବହାର କରି ସେମାନେ କେତେ ନା କେତେ ସନ୍ତର୍ପଣ ସହିତ ସେଥରୁ ଆଳୁ ଖୋଳିବାରେ ବ୍ୟସ୍ତ ହୋଇ ରହି ଆସି ନାହାନ୍ତି ! ଖାଲି ଚୀନରେ କିମ୍ବା ଜାପାନରେ ନୁହେଁ, ପୃଥିବୀରେ ଗୋଟି ଗୋଟି କରି ସବୁ ଧର୍ମରେ ଜେନ୍ ଏକ ଅନ୍ୟ ଜାଗରଣ ବିଷୟରେ କହିବାର ସାହସ କରିଛି । ସ୍ୱୀକୃତ ଛାଞ୍ଚଗୁଡ଼ିକର ସଚ୍ଚୋଟପଣ ବିଷୟରେ ଚ୍ୟାଲେଞ୍ଜ, ଦେଇଛି-ଲୋକମାନଙ୍କ ନିମନ୍ତେ ଏକ ସଂପୂର୍ଣ୍ଣ ସହଜବୋଧ, ଶୈଳୀରେ ଏବଂ ଯୁଗପତ୍ ଭାବରେ ସେମାନଙ୍କୁ ସେମାନଙ୍କର ଗଭୀର ସତ୍ୟଘର ଗୁଡ଼ିକ ଆଡ଼କୁ ନିର୍ଦ୍ଦେଶିତ କରି ନେବାର ଅଭିପ୍ରାୟରେ । ଧର୍ମମାନଙ୍କରେ ପ୍ରାୟ ଏକାଧିକ କ୍ଲାସିକ୍ ଚାତୁର୍ଯ୍ୟରେ ଧର୍ମଚାରଣାକୁ ଏଠାଟିର ଜୀବନରୁ ବିମୁଖ ହୋଇ ଆଉ କେଉଁ ଖାସ୍ କୌଣସି କଳ୍ପନାମୟତା ମଧ୍ୟକୁ ପଳାୟନ କରିବାର ମନ୍ତ୍ରଣା ଦିଆଯାଇଛି, ପୃଥିବୀଟାକୁ ତଥା ଏହି ପୃଥିବୀକୁ ଭୂମିରୂପେ ଅପଣାର କରିନେଇ କୌଣସି ଶିଖରର ସତ୍ୟଗୁଡ଼ିକ ଏଠାକୁ ଅବତରଣ କରାଇ ଆଣିବାରେ ସକଳ ଅଭିଳାଷକୁ ନଶ୍ଵର ବୋଲି କହି ହୁଏତ ନିତାନ୍ତ ଅପହଞ୍ଚମାନଙ୍କୁ ଶାଶ୍ୱତ ବୋଲି ଘୋଷଣା କରିଛି । ଜେନ୍ ଏହି ପାଦଦେଶରୁ ଆରମ୍ଭ ନ କଲେ ହିଁ ଶିଖରଟା ବିଷୟରେ ବିଡ଼ମ୍ବିତ ହୋଇ ରହିଯିବାକୁ ହେବ ବୋଲି ଚେତାବନୀ ଦେଇଛି । ଜଣେ ଜେନ୍‌ଗୁରୁଙ୍କ ଶବ୍ଦଗୁଡ଼ିକୁ ଉଦ୍ଧାର କରି କହିଲେ, ବାବୁ, ତୁମେ ଏହି ବତ୍ତର୍ମାନ କାଳମୁହୂର୍ତ୍ତ ଗୁଡ଼ିକୁ ନେଇ ଚେଷ୍ଟାଯୁକ୍ତ ହୋଇ ରହ, ତେବେ ଦେଖିବ ଯାହାକୁ ତୁମେ ଶାଶ୍ୱତ କିମ୍ବା ଚିରନ୍ତନ ବୋଲି କହି ସେଗୁଡ଼ିକ କେବଳ ଅପହଞ୍ଚ ବୋଲି ଧରିନେଇ ଉପସ୍ଥିତ ମୁହୂର୍ତ୍ତଗୁଡ଼ିକୁ ମଧ୍ୟ ହେଳା କରିବାରେ ଲାଗିଛ, ସେଇଟି ମଧ୍ୟ ତୁମ ଜୀବନଭୂମିର ନିକଟ ହୋଇ ଆସିବ ।

 

ସେଥିପାଇଁ, ହଠାତ୍ ଗୁଡ଼ାଏ ବିରୋଧାଭାସୀ ଶବ୍ଦର ଭୁଆଁ ବୁଲାଇ ଦେଇଥିବା ପରି ମନେ ହେଉଥିବା ଆଉ ଗୋଟିଏ ଜେନ୍ ଉକ୍ତି ଘୋଷଣା କରିଛି: Zen is the religion of disrespected respect and respectful disrespect: ଉକ୍ତିଟା ଆମ ବାହାର ଶ୍ରବଣେନ୍ଦ୍ରିୟଟି ପାଇଁ ଆଦୌ ସତକୁ ସତ କୌଣସି ସତ୍ୟର ଅବବୋଧ ଆଣି ଦେଉଥିବା ଭଳି ସମ୍ଭବତଃ ମନେ ହିଁ ହେବନାହିଁ । ନିତାନ୍ତ ନକାରାତ୍ମକ ପରି ଲାଗିବ । ପୂରା ପୃଥିବୀଯାକର ସନ୍ଥମାନେ ଏହିପରି ଏକ ଭାଷାକୁ ବ୍ୟବହାର କରିଛନ୍ତି । ଭାରତୀୟ ମଧ୍ୟଯୁଗରେ ସନ୍ଥସାହିତ୍ୟ ତାହାକୁ ସନ୍ଧ୍ୟାଭାଷା ବୋଲି କହିଛି । ଗୋଧୂଳି ସମୟରେ ଭାଷା-ପୂରା ଆଲୋକିତ ନୁହେଁ, ଆଦୌ କୌଣସି ଅର୍ଥକୁ ବହନ କରୁନଥିବା ତୁଚ୍ଛା ଅନ୍ଧାର ବି ନୁହେଁ । ଭିତରକୁ ପ୍ରବେଶ କରି ପାରିଲେ ଜଣେ ଜିଜ୍ଞାସୁର ଚେତନାକୁ କେତେ ନା କେତେ ସତ୍ୟର ଉଦ୍‌ଭାସ ଦେଇ ଯାଉଥିବାର ଏକ ଭାଷା-। ଖାଲି ଉପରଟାକୁ ଦେଖି ଫିଡ଼ିକି ଯାଉଥିବା ଚଞ୍ଚଳମନାଙ୍କ ପାଇଁ ମୋଟେ କିଛି ନୁହେଁ, କିନ୍ତୁ ସତକୁ ସତ କିଛି କ’ଣଟିଏ ସନ୍ଧାନରେ ଆପଣାକୁ ଗ୍ରହଣଶୀଳ ଓ ସମ୍ମତ କରି ଜୀବନରେ ବାଟ ଚାଲୁଥିବା ପ୍ରତ୍ୟେକ ମନୁଷ୍ୟ ଲାଗି, ତୁମ ଆମ ପ୍ରତ୍ୟେକଙ୍କ ଲାଗି । ସନ୍ଥମାନଙ୍କୁ ସାଧାରଣ ଲୋକସ୍ତରଟା ସେଥିପାଇଁ ସର୍ବତ୍ର ଅଧିକ ବୁଝିଛି ଏବଂ ନ୍ୟସ୍ତସ୍ୱାର୍ଥ ପ୍ରତିଷ୍ଠିତମାନେ ପ୍ରମାଦ ଗଣିଛନ୍ତି । ତେଣୁ ସନ୍ଥମାନଙ୍କର ଶୈଳୀ ଏକ ଶାସ୍ତ୍ରୀୟ ଦୂରତା ରକ୍ଷା କରି ଏବଂ ଅନେକ ସମୟରେ ପ୍ରତିଷ୍ଠିତ କ୍ଷମତାଥାନ ଗୁଡ଼ିକର ପ୍ରୀତ୍ୟର୍ଥେ ଲୋକମାନଙ୍କୁ ଆଦୌ କିଛି ହେଲେ ଗିଳାଇ ଦେବାର ପରମ୍ପରାରେ ଧନ୍ଦାଗୁଡ଼ିକ ମୋଟେ ମନ କରୁନଥିଲା । ତଥାକଥିତ ଅଶାନ୍ତମାନଙ୍କୁ ନାନା ସୁଶ୍ରାବ୍ୟ ଏବଂ ସୁଭୋଜ୍ୟ ପ୍ରଶମକମାନ ଦେଇ ଶାନ୍ତ କରି ରଖିବାର ଫନ୍ଦି ଧରୁନଥିଲା । ଭିତର ଆଉ ବାହାର ମଝିରେ ରହିଥିବା ସେହି ପର୍ଦ୍ଦାଟାକୁ ଫାଡ଼ି ଦେବାକୁ ହିଁ ପ୍ରୟାସ କରୁଥିଲା, ଯାହାଦ୍ଵାରା କି ଜଣେ ମନୁଷ୍ୟ ଆପେ ଆପେ ଆଗ୍ରହ କରିବ,. ଆପେ ଖୋଜିବ ଏବଂ ସର୍ବୋପରି ସିଏ ସତକୁ ସତ ଆଦୌ କିଛି ପାଇଲା କି ନ ପାଇଲା, ତାହାର ବାରତାଟାକୁ ନିଜେ ହିଁ ପାଇ ପାରୁଥିବ ।

 

ଏବଂ, ସେଇଥି ନିମନ୍ତେ ଏହି ଖାସ୍ ଅଭିସନ୍ଧିର ଉକ୍ତିଟି : Teaching is a kind, of teasing and to arouse the great doubt: ଚୁମୁଟି ଦେବା, ନିଦ୍ରାଭଙ୍ଗ କରାଇବା । ଅସଲ ଶିକ୍ଷକ ମୋହଭଙ୍ଗ ହିଁ କରାଏ, ଅଭ୍ୟସ୍ତ ସତର୍କତାମାନଙ୍କୁ ଦୋହଲାଇ ଦିଏ, ଏକ ଅନନ୍ତ ତୃଷାର ଜାଗୃତି ଘଟାଏ । ସଂତାପଗୁଡ଼ିକୁ ହରଣ କରାଏନାହିଁ, ସିଏ ସେଗୁଡ଼ିକୁ ଏକାଧିକ ପ୍ରସ୍ଥ ଆଣି ଦେଇପାରେ । ତା’ପରେ ଜଣେ ଶିକ୍ଷାର୍ଥୀର ଭୋକ ମୋଟେ ଶାନ୍ତ ହୁଏନାହିଁ । ନିରନ୍ତର ବୃଦ୍ଧି ସିନା ପାଉଥାଏ, ମାତ୍ର ନିର୍ବାପିତ ହୋଇଯାଏ ନାହିଁ । ଗୋଟିଏ ନେତ୍ରକୁ ସହସ୍ରନେତ୍ର କରାଇବାର କଳାଟି ହେଉଛି ଅସଲ ଶିକ୍ଷା । ଯେଉଁଗୁରୁ ପୂର୍ଣ୍ଣ ସନ୍ତୋଷ ଆଣିଦିଏ, ସିଏ ସତେ ହିଁ ଶିକ୍ଷାର୍ଥୀଠାରୁ ବେଶ୍ ଦୂରଛଡ଼ା ହୋଇ ରହିଥାଏ । ସେହି ଦୂରଛଡ଼ା ହୋଇ ରହିଥିବାକୁ ଅନେକେ ଗୁରୁଭକ୍ତି ବୋଲି କେଉଁ ଅବିବେକରେ କହିଛନ୍ତି କେଜାଣି ! ଅସଲ ଗୁରୁ ବସ୍ତୁତଃ ମିତ୍ରବତ୍ ହିଁ ଲାଗେ । ମିତ୍ରବତ୍ ଲାଗେ ବୋଲି ତାଙ୍କଠାରୁ ଅଧିକରୁ ଅଧିକ ଆହରଣ କରିବାର ଇଚ୍ଛାଟିଏ ସବୁବେଳେ ସକ୍ରିୟ ହୋଇ ରହିଥାଏ । କୃପଣ ଗୁରୁ ଏବଂ ଭୟାଳୁ ବିଦ୍ୟାର୍ଥୀ,–ଉଭୟେ ହିଁ ସକଳ ବିଦ୍ୟାର୍ଜନର କ୍ଷେତ୍ରରେ ଦୂରତାମାନଙ୍କୁ ଖୁବ୍ ଚେଙ୍ଗା କରି ରଖିଥାନ୍ତି । ଜେନ୍, ଶିକ୍ଷାମାର୍ଗରେ ଯେ ଚୁମୁଟି ଦେବାର, ଚିଡ଼ାଇ ପକାଇବାର ଓ ଶାନ୍ତିଭଙ୍ଗ କରାଇବାର ସେହି ଅନ୍ୟକଥାଟିକୁ କୁହାଯାଉଛି, ତାହାହିଁ ଆମର ଏହି ଆଧୁନିକ ଏକାଳଟିରେ ମଧ୍ୟ କେଡ଼େ ବ୍ୟତିକ୍ରମଟିଏ ପରି ବୋଧ ହେଉଛି । ସକଳ ଅର୍ଥରେ ଏଇଟି ହେଉଛି ଏକାବେଳକେ ଏକ ଅନ୍ୟଭଳି ବଣିଜ, ଏକ ଅନ୍ୟ ପାରସ୍ପରିକତା ସକାଶେ ଆସ୍ପୃହା ଓ ଏକ ଅନ୍ୟ ଅଧ୍ୟାତ୍ମ । କୌଣସି କର୍ତ୍ତୃତ୍ଵପ୍ରଧାନ ଧର୍ମ ଏଥିରେ ଏବେମଧ୍ୟ ସମ୍ମତ ହେବେ ନାହିଁ । ଆମ ସନ୍ଦେହଗୁଡ଼ିକର ସତକୁ ସତ ଆଦୌ କୌଣସି ସମ୍ପୂର୍ଣ୍ଣ ମୋଚନ ସମ୍ଭବ ହୋଇ ପାରିବ କି ? ଖାଲି ଧର୍ମପୀଠ କିମ୍ବା ଧର୍ମସ୍ଥାନ ମାନଙ୍କରେ ନୁହେଁ, ସାଧାରଣ ଯେକୌଣସି ବିଦ୍ୟାଳୟରେ ମଧ୍ୟ ଯେତେବେଳେ ଯଥେଷ୍ଟ ପରିମାଣରେ ସବୁକଥା କହିଦେଇ ଅପର ପକ୍ଷଟିକୁ ଶାନ୍ତକରି ଦିଆଯାଏ, ସେଠାରେ ପ୍ରତ୍ୟେକ ଶିକ୍ଷାର୍ଥୀ ମଧ୍ୟରେ ଅପେକ୍ଷା କରି ରହିଥିବା ଈଶ୍ୱରଗୁଣଟିକୁ ପ୍ରକୃତରେ ଭାରି କଷ୍ଟ ହେଉଥିବ । ସବୁ ମନୁଷ୍ୟ ଆପେ ଭାବନ୍ତୁ, ଆଖିବୁଜି ଆଦୌ ମାନି ନ ନିଅନ୍ତୁ, ଏହି କଥାଟିକୁ କ୍ଷମତାସୀନମାନେ ଆପଣା ତରଫରୁ କେବେହେଲେ ମାନି ନେଇନାହାନ୍ତି । କେତେ କେତେ ରାଜନୀତିକ ବହଳତାର ଚମକମାନ ସୃଷ୍ଟି କରାଯାଇଛି ଓ ଏଥର ପୃଥିବୀର ଭାଗ୍ୟ ଅବଶ୍ୟ ବଦଳିଲା ବୋଲି ବହୁ କପଟୋକ୍ତି କରାଯାଇଛି ସତ, ମାତ୍ର ଅସଲ ସାହସଟି ତଥାପି ସମ୍ଭବ ହୋଇନାହିଁ, ଏବଂ ବିଡ଼ମ୍ବନା ଲାଗି ରହିଛି ।

 

ଜାପାନୀ ଚାହାଉତ୍ସବକୁ ସନ୍ଦର୍ଭ କରି ଜେନ୍ ଉପାସନା ତଥା ଅନୁଭବଟିର ମାର୍ଗରେ ପଶ୍ଚିମ ଜଗତରେ କ୍ରମେ ଯେଉଁସବୁ ଚର୍ଚ୍ଚା ବିସ୍ତାରଲାଭ କରୁଛି, ତାହା ଏବେ ସଙ୍ଗୀତଚର୍ଚ୍ଚାର ଆୟତନ ଭିତରକୁ ମଧ୍ୟ ଅନୁଲମ୍ବିତ ହୋଇ ଆସିଲାଣି । ସୌନ୍ଦର୍ଯ୍ୟବୋଧର ମହଲରେ ତାହାକୁ ୱାବି (Wabi) ବୋଲି କୁହାଯାଉଛି । ଏପରି ଏକ ଦୃଷ୍ଟିକୋଣ ସଙ୍ଗୀତରେ, ଭାବାନୁବୋଧର ଜୀବନରେ ତଥା ଚାହା-ଉତ୍ସବରେ; ସରଳତା ହିଁ ଯାହାର ମୁଖ୍ୟ ଆବେଦନ ହୋଇଥିବ, ଯେଉଁଥିରେ ଆଦୌ କୌଣସି କୃତ୍ରିମତା ପରିଦୃଷ୍ଟ ହେଉନଥିବ, ଯାହା ଯଥାସମ୍ଭବ ଏକ ପ୍ରାକୃତିକ ଉପସ୍ଥାପନାର ଆବେଗ ସୃଷ୍ଟି କରୁଥିବ । ଅର୍ଥାତ୍ ଏହା ହେଉଛି ଏପରି ଗୋଟିଏ ସଂକ୍ରାମଣଧର୍ମୀ ପ୍ରଭାବ, ଯାହାକୁ ଅନୁଭବ କରି ହେଉଥିବା ସିନା, କିନ୍ତୁ ଠିକେ ଠିକେ ବର୍ଣ୍ଣନା କରି ଆଦୌ ପ୍ରକାଶ କରିହେବ ନାହିଁ । କରିବା ସକାଶେ ପରିଶ୍ରମ କରିବାରେ ଲାଗିଥିଲେ ମଧ୍ୟ ତଥାପି ଅସଲଟୀ ସର୍ବଦା ଅସ୍ପଷ୍ଟ ରହିଗଲା ପରି ଲାଗୁଥିବ । ସେହି ଅନୁସାରେ, ପ୍ରାୟ ଏକ ପାରମ୍ପରିକତା ଭିତରେ ଯାଇ ପଡ଼ି ଯାଇଥିବା ପରି ଚାହାର ଉତ୍ସବଟିକୁ ‘ଛପରଘରର ଆପ୍ୟାୟନ’ ବୋଲି କୁହାହୋଇ ଆସିଥିଲା । ଏକ ଅନ୍ତରଙ୍ଗ ଅଳ୍ପସଂଖ୍ୟକ ଅତିଥିଙ୍କର ସାନ ମେଳଟିଏ ହୋଇଥିବ; ସାଧାରଣ ଭାବରେ ଘରମାନଙ୍କରେ ଯେଉଁ ପାତ୍ର ଇତ୍ୟାଦି ବ୍ୟବହାର ହୁଏ, ଏଠାରେ ମଧ୍ୟ ସେହି ଗୁଡ଼ିକ ରହିବ,–ମୂଳକଥା ହେଉଛି, କୌଣସି ଦେଖାଇହେବା ରହିବନାହିଁ, କଥାରେ ଅଥବା କଦରଗୁଡ଼ିକର କ୍ଷେତ୍ରରେ କେହି ଆଦୌ କୌଣସି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିବା ପରି ମୋଟେ ଧାରଣା ହେଉନଥିବ । ହଁ, ସବୁକିଛି ମୋଟାମୋଟି ଗାଉଁଲି ପରି ଲାଗିବ । ଚାହା ଉତ୍ସବର ସର୍ବଜନସ୍ୱୀକୃତ ବିଦ୍ୱାନ ସେନ୍‌ରିକ୍ୟୁ ଏହି ଅନୁଷ୍ଠାନରେ ଚାରିଗୋଟି କଥାକୁ ହିଁ ସର୍ବମୂଳ ବୋଲି ଧାର୍ଯ୍ୟ କରି ଦେଇଥିଲେ । ପରିବେଶରେ ସୁସମଞ୍ଜସତା ରହିବ, ପରସ୍ପର ପ୍ରତି ଯଥୋଚିତ ସମ୍ମାନ ରହିଥିବ, ଶୁଦ୍ଧତା ବିରାଜ କରୁଥିବ ଏବଂ କେଉଁଠାରେ କୌଣସି ବିକ୍ଷୋଭ ହିଁ ନଥିବ । ଯେଉଁମାନେ ସେହି ଅବସରଟିରେ ଅତିଥି ହୋଇ ଆସିଥିବେ ଓ ଯେଉଁମାନେ ସେମାନଙ୍କୁ ନିମନ୍ତ୍ରଣ କରି ଆଣିଥିବେ, ସେମାନଙ୍କ ଭିତରେ ବାହାର ପୃଥିବୀର କୌଣସି ପ୍ରକାରର ପାତରଅନ୍ତର ବିଚାର, ବିତ୍ତଗତ ସମ୍ପନ୍ନତା କିମ୍ବା ପଦଗତ ପାର୍ଥକ୍ୟର ସଚେତନତା ମଧ୍ୟ ରହିବନାହିଁ, ଜଣେ ଜଣେ ସହଜ ମନୁଷ୍ୟର କୋଳାହଳଶୂନ୍ୟ ପ୍ରସନ୍ନ ତୃପ୍ତିଭାବନା ହିଁ ଯାହା ରହିଥିବ । ଯେତେ ଅଧିକ ପଇସା ଖରଚ କରିବାକୁ ପଡ଼ିଲେ ମଧ୍ୟ ଯାବତୀୟ ଅସାଧାରଣକୁ ବାଦ୍ ଦେଇ ସାଧାରଣ ମଣ୍ଡନଟିଏ ତିଆରି ହୋଇ ପାରିଥିବ ।

 

ହଁ, କୋଠରୀରେ ସଜାହୋଇ ରହିଥିବା ଫୁଲମାନେ ମଧ୍ୟ ସେମାନେ ସେହି ପ୍ରାକୃତିକ ସ୍ଵସ୍ଥାନଗୁଡ଼ିକରେ ଡାଳମାନଙ୍କରେ ଫୁଟି କରି ରହିଥିବା ପରି ମନେ ହେଉଥିବେ,–ସେମାନଙ୍କୁ କେହି ଗଛରୁ ଛିଣ୍ଡାଇ ଏଠାକୁ ଆଣିଛି ବୋଲି ଆଦୌ ଲାଗୁନଥିବ । ଅତିଥିମାନେ ଆସିବେ, ସ୍ଥାନଗ୍ରହଣ କରିବେ ଏବଂ ଆପ୍ୟାୟନ-ଉତ୍ସବଟି ସମାପ୍ତ ନହେବା ପର୍ଯ୍ୟନ୍ତ କଦାପି ଉଠି ପଳାଇବେ ନାହିଁ । କେବଳ କେଟ୍‌ଲି ଭିତରେ ପାଣି ଫୁଟୁଥିବାର ଶବ୍ଦ ବ୍ୟତୀତ ସେଠାରେ କୌଣସି ଶବ୍ଦ ହିଁ ଶ୍ରୁତିଗୋଚର ହେବନାହିଁ । କେଟ୍‌ଲି ତଳେ କିଛି କ୍ଷୁଦ୍ର ଲୁହାଖଣ୍ଡକୁ ଏହିପରି ଭାବରେ ରଖାଯାଇଥିବ, ଯାହାଫଳରେ କି ପାଣି ଫୁଟିବାକୁ ଆରମ୍ଭ କଲେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର ଶବ୍ଦ ହିଁ କାନରେ ଆସି ପଡ଼ୁଥବ । ମନେ ହେଉଥବ, ଦୂରରେ ସତେଅବା କେଉଁଠାରେ ମେଘ ବରଷୁଛି ଅଥବା ପାଣି ସୁଅଟିଏ ବୋହିଯାଉଛି ବୋଲି ଏପରି ଶବ୍ଦଟିଏ ଶୁଣିବାକୁ ମିଳୁଛି । ପୁନଶ୍ଚ ଚାହା ପରଷି ଦେଉଥିବା ତଥା ଚାହା ପାନ କରୁଥିବା ସମୟରେ ସଂପୃକ୍ତ ବ୍ୟକ୍ତିମାନଙ୍କର ଅଙ୍ଗସଞ୍ଚାଳନା କେଉଁପରି ଅବଶ୍ୟ ହେବ, କେଡ଼େ, ଟିକିନିଖି ସହିତ ବହିଗୁଡ଼ିକରେ ସେହିସବୁ ତରୀକା ବତାଇ ବି ଦିଆଯାଇଛି । ସରଳ ଦିଶିବାର ସାଧନାଟିଏ ପକ୍କା କରିବା ସକାଶେ ମଣିଷକୁ ଯେ ଏତେ ଏତେ ଜଟିଳ ବିଧିବିଧାନକୁ ମାନିବାକୁ ହେବ, ତାହାର ବାସ୍ତବ ପରିପ୍ରକାଶ କେବଳ ଖାସ୍ କେତେକ ସଂସ୍କୃତିରେ ହୁଏତ ପ୍ରକୃତରେ ସମ୍ଭବ ହୋଇଥାଏ । ଏକ ସିଦ୍ଧାନ୍ତର ଛାଞ୍ଚରେ ପକାଇ କହିବାକୁ ଗଲେ, ୱାବି ହେଉଛି ମୂଳତଃ ଏକ ନିର୍ଦ୍ଦିଷ୍ଟ ପ୍ରକାରର ମାନସିକତା, ଯାହା ସର୍ବଦା ମିତାଚାରିତା, ସରଳତା ତଥା ପୂର୍ଣ୍ଣ ବିନମ୍ରତାର ଦ୍ୟୋତକ ହୋଇ ରହିଥାଏ । କିଞ୍ଚିତ୍ ଦାର୍ଶନିକତାର ଶାଦ୍ଦିକ ଆଭାସଟିଏ ପ୍ରଦାନ କରି ପୁଣି ଏପରି ବି କୁହାଯାଇ ଛି ଯେ, ୱାବି ତଥା ସମଗ୍ର ଚାହା ଆପ୍ୟାୟନର ଅନୁଷ୍ଠାନଟିର ପଶ୍ଚାତରେ ସେହି ମାର୍ଗର ଅଭିଜ୍ଞମାନେ କହିବାକୁ ଇଚ୍ଛା କରିଛନ୍ତି ଯେ, ଆମେ ଏହି ମନୁଷ୍ୟମାନେ ଯେଉଁଭଳି ଏକ ପୃଥିବୀକୁ ଆସି ଜୀବନ ଧାରଣ କରି ରହିଛୁ, ସେଠାରେ ମୋଟେ କିଛି ସ୍ଥାୟୀ ନୁହେଁ–କୌଣସି ଗୋଟିଏ କିଛି ମଧ୍ୟ ପରିପୂର୍ଣ୍ଣ ନୁହେଁ । ଆମର ଏହି ଜୀବନ ନାମକ ଆୟତନଟି ମଧ୍ୟରେ ସବୁ ଅସ୍ଥାୟୀ, ସବୁ କ୍ଷଣିକ; ଋତୁମାନେ ଆସିବେ ଓ ଚାଲିଯିବେ, ଅଙ୍କୁରଟିରୁ ଗଛଟିଏ ଜାତ ହେବ, ଗଛରେ ଫୁଲ ଫୁଟିବ ଏବଂ ଫଳ ଧରିବ ଏବଂ ତା’ପରେ ସେହି ଫୁଲ ମଉଳି ହିଁ ଯିବ, ଫଳ ମଧ୍ୟ ଝଡ଼ି ତଳେ ପଡ଼ିବ । ତେଣୁ, ହେ ମନୁଷ୍ୟମାନେ, ତୁମେମାନେ ତାହାରି ମଧ୍ୟରେ ହିଁ ଖାସ୍ କେତୋଟି ମୁହୁର୍ତ୍ତକୁ ସୃଷ୍ଟି କରିବା ନିମନ୍ତେ ଅବଶ୍ୟ ଆକାଂକ୍ଷାଟିଏ ଅବଶ୍ୟ ରଖ ଯେତେବେଳେ କି ତୁମେମାନେ ଏକ ସୌନ୍ଦର୍ଯ୍ୟର ତଥାପି ଆବିଷ୍କାର କରିପାରିବ । ସେହି ସୌନ୍ଦର୍ଯ୍ୟଟିକୁ ଆବିଷ୍କାର କରି ପାରିବାର ଯୋଗ୍ୟ ହୁଅ, ନିଜର ଆଖିଗୁଡ଼ିକୁ ମଧ୍ୟ ତାହାରି ଅନୁରୂପ ଯୋଗ୍ୟ କରି ତିଆରି କରୁଥାଅ ।

 

ଜେନ୍ ବୌଦ୍ଧଧର୍ମର ମୋଟାମୋଟି କାହାଣୀଟିକୁ ଯେ ଏତେଗୁଡ଼ାଏ ବିସ୍ତାର ଦେଇ ଏଠାରେ ବାଢ଼ି ଦିଆଯିବାର ଉଦ୍ୟମଟିଏ କରାଗଲା, ସେଇଟିରେ ହଠାତ୍ ହୁଏତ କିଞ୍ଚିତ୍ ଆଶ୍ଚର୍ଯ୍ୟ ବି ଲାଗିବ । ଚାହାର ଉତ୍ସବଟି ସହିତ ଏଇଟିର ପୁଣି କି ସମ୍ବନ୍ଧ ରହିଛି ବୋଲି ପଚାରିବାକୁ ମନ ହେବ । ଶ୍ରୀଯୁକ୍ତ କାକୁଜୋ ଓକାକୁରା ସେହି ଉତ୍ସବ ସମ୍ପର୍କରେ ଲେଖିଥିବା ପୁସ୍ତିକାଟିରେ ଜେନ୍ ବୌଦ୍ଧମାର୍ଗଟି ସହିତ ଚାହା-ଆପ୍ୟାୟନର ଚଳଣିଟିକୁ ଆଣି ନାନାପ୍ରକାରେ ଯୋଡ଼ିବାର ପ୍ରୟାସ କରିଛନ୍ତି । ଭାରତବର୍ଷର ଧ୍ୟାନପ୍ରଧାନ ବୌଦ୍ଧ-ଶାଖାଟି ଚୀନ୍‌ଦେଶରେ ଚାନ୍ ନାମରେ ଯେଉଁ ବିଶେଷ ପରିଚିତି ଲାଭ କରିଥିଲା, ଜାପାନରୁ ପ୍ରଶିକ୍ଷଣ ନିମନ୍ତେ ଚୀନ୍ ପ୍ରବାସରେ ଆସିଥିବା ଜଣେ ଭିକ୍ଷୁ ହିଁ ସର୍ବପ୍ରଥମେ ଚାହା ଉଦ୍ଭିଦର ବୀଜକୁ ନିଜ ଦେଶକୁ ସାଙ୍ଗରେ ନେଇ ଯାଇଥିଲେ ଏବଂ ମୁଖ୍ୟତଃ ସେହି କାରଣରୁ ଜାପାନର ଚାହା-ପରମ୍ପରାଟି ସହିତ ଜେନ୍ ଧର୍ମର ଏକ ଆବେଦନ ଏପରି ନିବିଡ଼ ଭାବରେ ଗଅଁଠା ହୋଇ ରହିଗଲା କି ? କଥିତ ରହିଛି ଯେ, ସେହି ପ୍ରଥମ କାଳରେ ଚାହାକୁ ଧ୍ୟାନସମୟରେ ଭିତରଟାକୁ ଏକସ୍ଥିର କରି ରଖିବାର ଏକ ମାଧ୍ୟମରୂପେ ଚୀନ୍‌ରେ ବ୍ୟବହାର କରାଯାଉଥିଲା । ସମ୍ଭବତଃ ଜାପାନ ଦେଶରେ ମଧ୍ୟ ଜେନ୍ ଭିକ୍ଷୁମାନେ ଚାହାର ସେହି ବିଶେଷ ଗୁଣଟି ସକାଶେ ପାନୀୟଟି ଆଡ଼କୁ ଆକୃଷ୍ଟ ହୋଇଥିବେ । ତଥାପି, ଯାହା ସକଳ ଅର୍ଥରେ ଅବଶ୍ୟମ୍ଭାବୀ ବୋଲି ଅବଶ୍ୟ ବୁଝିହେବ, ଭିକ୍ଷୁବିହାରର ବେଢ଼ାକୁ ଡେଇଁଯାଇ ସାଧାରଣ ଲୋକସ୍ତର ମଧ୍ୟକୁ ପ୍ରବେଶ କରିବାରେ ଚାହାକୁ ଆଦୌ କୌଣସି ବିଳମ୍ବ କଦାପି ଲାଗି ନଥିବ । କେବଳ ଧ୍ୟାନାସନରେ ବସିଥିବା ସମୟରେ ସ୍ଥିର ରହିବାରେ ସାହାଯ୍ୟ କରିବା ବ୍ୟତୀତ ସେହି ନୂତନ ପାନପଦାର୍ଥଟିର ନିଶ୍ଚୟ ଆହୁରି କେତେ କେତେ ଗୁଣ ରହିଥିବ ବୋଲି ଲୋକମାନେ ବେଶ୍ ଆବିଷ୍କାର ମଧ୍ୟ କରିଥିବେ । ତୁଣ୍ଡକୁ ଯାହା ସୁଆଦ ଲାଗୁଛି, ମିଜାଜଟାରେ ସ୍ଫୂର୍ତ୍ତି ଆଣି ଦେଉଛି, ଏବଂ ନୂଆ ହୋଇ ଦେଶକୁ ଆସିଥିବାରୁ ଦ୍ରବ୍ୟଟିକୁ ବ୍ୟବହାର କରିବାରେ ଯେ ଏକ ଖାସ୍ ମର୍ଯ୍ୟାଦା ରହିଛି,–ଏହିପରି ଅନେକ କାରଣ ଅଚିରେ ପ୍ରଚାରିତ ହେବାକୁ ଆରମ୍ଭ କରିଥିବ । ନିତାନ୍ତ ସୃଷ୍ଟି କଥା ଯେ, ନୂତନ ଅଭ୍ୟାସଟିକୁ ନିଜର କରିନେବାରେ ସାଧାରଣ ଲୋକମାନଙ୍କ ନିମନ୍ତେ ଆଦୌ କିଛି ହିଁ ପ୍ରୟୋଜନ ପଡ଼ିନଥିବ । ଚାହାକୁ ନେଇ ଏକ ଭବ୍ୟ ଉତ୍ସବର ଉଦ୍‌ଭାବନ ହୋଇପାରିବ ବୋଲି ମଥା ଖେଳାଇବା ଲାଗି ସେମାନେ ପ୍ରାୟ ମୋଟେ ଆଗ୍ରହୀ ହୋଇ ନଥିବେ-। ତେଣୁ, ବେଶ୍ ଅନୁମାନ କରିହେଉଛି ଯେ ଚାହାପାନକୁ ନେଇ ଏକ ଉତ୍ସବର ଭିଆଣ କରିବା ଓ ସେଥିରୁ ଏକ ଖାସ୍ ଆନନ୍ଦଲାଭ କରିବା, ସେହି ବିଶେଷ ଭାଗ୍ୟଟିକୁ କେବଳ ସମାଜର ସମ୍ଭ୍ରାନ୍ତମାନେ ହିଁ ଲାଭ କରିଥିବେ । ସେଥିରେ କ୍ରମେ କିଛି ଦାର୍ଶନିକତା ଆଣି ଯୋଡ଼ିଦେବା ନିମନ୍ତେ କାହିଁକି ବା କୌଣସି ବିଶେଷ ବୁଦ୍ଧିମତ୍ତା ଲାଗି ଅପେକ୍ଷା କରାଯାଇଥିବ ?

 

ହଁ, କବି, ଅଧିକ ବିତ୍ତଶାଳୀ ବିଭିନ୍ନ ବର୍ଗ, ଉତ୍ତମବଂଶଜ ଖାସ୍‌ମାନେ, ସାମୁରାଇ ଏବଂ ଶୋଗୁନ୍‌ମାନେ, ଏହି ସମ୍ଭ୍ରାନ୍ତ ଶ୍ରେଣୀଗୁଡ଼ିକ ନିଶ୍ଚୟ ଚାହାକୁ ଗୋଟିଏ ଆନୁଷ୍ଠାନିକ ଉତ୍ସବ–ଅବସରରୂପେ ବିକଶିତ କରାଇ ଆଣିଥିବେ । ସମଗ୍ର ପୃଥିବୀଯାକ ଯାହା ସର୍ବଦା ହୋଇଆସିଛି, ଚାହାର ଇତିହାସରେ ମଧ୍ୟ ସେହିପରି ହୋଇଥିବ । ସେହିସବୁ ଅବସର ଭିତରକୁ ଅବର ଯିଏସିଏ ପଶି ଆସିବାର କୌଣସି ପ୍ରଶ୍ନ ହିଁ ରହିବା ଉଚିତ ନୁହେଁ । ସେହିମାନଙ୍କ ବର୍ଗରୁ ଏକାନ୍ତ ଆବଶ୍ୟକ ବୋଲି କେତେକ ଭୃତ୍ୟ ଉତ୍ସବଗୃହଟି ମଧ୍ୟରେ ଅବଶ୍ୟ ପ୍ରବେଶ କରୁଥିବେ ସତ, କିନ୍ତୁ ନିର୍ଦ୍ଧାରିତ ପରିପାଟୀଗୁଡ଼ିକ ଅନୁସାରେ ଆପ୍ୟାୟନମଞ୍ଚଟିକୁ ପ୍ରସ୍ତୁତ କରିଦେଇ ସେମାନେ ନିୟମତଃ ଅପସରି ହିଁ ଯାଉଥବେ । ତା’ପରେ ଯାଇ ମତିମାନ୍ ଶ୍ରୀମାନ୍‌ମାନଙ୍କର ଶୁଭାଗମନ ଆରମ୍ଭ ହେଉଥିବ । ସେମାନେ ବାହାର ସମାଜଟାର ସକଳ ଦାମ୍ଭିକତାକୁ ଅନ୍ତତଃ ସେହି ସମୟଟି ନିମନ୍ତେ ବାହାରେ ରଖିଦେଇ ଏକ ଚରମ ସନ୍ତର୍ପଣଭାବ ସହିତ ଆସି ପହଞ୍ଚି ଯାଉଥବେ । ଆପଣାର ନମ୍ରତାର ସାକ୍ଷ୍ୟ ଦେଇ ସେମାନଙ୍କୁ ସେଥିପାଇଁ ଏକ ନୁଆଁଣିଆ ଦ୍ୱାରଦେଇ ଆସିବାର ବିଧିଟିକୁ ଆବଶ୍ୟକ ମନେ କରାଯାଉଥିଲା କି ? ଚାହା ପରଷାଯିବା ସହିତ ଯେତେବେଳେ ଔପଚାରିକ ଭାବରେ ଅଭିଳଷିତ ଉଚିତ ଆବେଗ ସଞ୍ଚାରିତ ହୋଇ ଆସୁଥିଲା, ସେତେବେଳେ ସେମାନେ ପୂର୍ଣ୍ଣ କଦରଟିକୁ ମାନି ଉଚ୍ଚ ଉଚ୍ଚ ପ୍ରସଙ୍ଗଗୁଡ଼ିକର ଆଲୋଚନା କରୁଥିଲେ । ଏବଂ, ସେହିଭଳି ଖାସ୍ ଅବସରମାନଙ୍କର ସର୍ବବିଧ ଆଲୋଚନାକୁ ତ ସମ୍ଭ୍ରାନ୍ତମାନେ ସବୁ ଯୁଗରେ ଦାର୍ଶନିକ ଆଲୋଚନା ବୋଲି କହି ଆସିଛନ୍ତି ଏବଂ ସେତିକିରେ ହିଁ କେଡ଼େ ପୂର୍ବନିର୍ଦ୍ଧାରିତବତ୍ ଖୁସୀ ବି ହୋଇଛନ୍ତି ।

 

ଜେନ୍ ବୌଦ୍ଧମାର୍ଗଟି ଅନେକ ସ୍ଥିତାବସ୍ଥାକୁ ଭାଙ୍ଗିବା ନିମନ୍ତେ ପ୍ରାୟ ସବୁକିଛି କରିଛି ଏବଂ କହିଛି । ସତ୍ୟଗୁଡ଼ିକର ସାମନା କରିପାରିଲେ ଯେ ସତ୍ୟର ମର୍ଯ୍ୟାଦାଟିକୁ ପୂର୍ଣ୍ଣ ସଂପୃକ୍ତି ସହିତ ବୁଝିହୁଏ ସେହିପରି ଏକ ବିଶେଷ ବାର୍ତ୍ତାର ଉଦ୍‌ବୋଧନ ମଧ୍ୟ ଦେଇଛି । ଏବଂ, ବୌଦ୍ଧ ଜେନ୍ ଭିକ୍ଷୁମାନେ ହିଁ ସେଥିପାଇଁ ତାହାର ଅସଲ ବାହକରୂପେ ଆପଣାର ଭଳିଭଳି ଭୂମିକା ଗ୍ରହଣ କରିଛନ୍ତି । ଜାପାନ ଦେଶଟି ତ ପ୍ରାୟ ସେହି କୋଉ ସବାମୂଳ କାଳରୁ ହିଁ ରାଜତନ୍ତ୍ରର ଯୁଆଳିତଳେ ଜୀବନ ଯାପି ଆସିଛି । ସେହି ଅନୁସାରେ ଶିଣ୍ଟୋନାମକ ବିଶେଷ ଧର୍ମଟିଏ । ସମାଜଟିଏ ସେହି ଅନୁସାରେ ମଣହୋଇ ଚଳିପାରିବ ବୋଲି ଶୋଗୁନ୍ ଏବଂ ସାମୁରାଇମାନଙ୍କର ମଉରସୀ ପରାକ୍ରମଗୁଡ଼ିଏ । ସେଠାରେ ବଶହୋଇ ରହିବା, ମାନିନେବା ହେଉଛି ସର୍ବପ୍ରଥମ କର୍ତ୍ତବ୍ୟଧର୍ମ । ଏପରି ଏକ ଅନ୍ୟ ଧାତୁର ଦୃଢ଼ ପ୍ରସ୍ଥଗୁଡ଼ିକ ମଧ୍ୟରେ ତୁମେ କିପରି ଲଙ୍କାରେ ହରିନାମକୁ ବଞ୍ଚି ତଥାପି ତିଷ୍ଠି ରହିପାରିବ ! ତେଣୁ କେବଳ ପ୍ରତୀକ, କେବଳ ପ୍ରଦର୍ଶନ କେତୋଟି,–ତାହାହିଁ ସାନ୍ତ୍ୱନା, ତାହାହିଁ ସବୁକଥା । ଏବେ ଆମ ଏ ଯୁଗରେ ମଧ୍ୟ ସାହିତ୍ୟ ଯେତେବେଳେ ସିଧା ଜୀବନର ପକ୍ଷରେ ରହିବା ନିମନ୍ତେ ସାହସ କରିପାରେ ନାହିଁ, ସେତେବେଳେ ତାହା ପ୍ରତୀକମାନଙ୍କର ଆଶ୍ରୟ ନିଏ, ପ୍ରତୀକଶ୍ରଦ୍ଧାକୁ ହିଁ ସାହିତ୍ୟଶ୍ରଦ୍ଧା ଏବଂ ଏପରିକି ଜୀବନଶ୍ରଦ୍ଧା ବୋଲି ଘୋଷଣାକରି ବାଆଁରେଇ ହୁଏ ଏବଂ ଆପଣାର ଆତ୍ମା ପାଖରେ ଧୋକାଦିଏ । ଧର୍ମମାନେ ମଧ୍ୟ ଯେତେବେଳେ ଜୀବନକୁ ପାରନ୍ତି ନାହିଁ, ସେତେବେଳେ ସେମାନେ ବହୁ ଭଙ୍ଗିମାରେ ପ୍ରତୀକମସ୍ତୀ ଦେଖାଇହୁଅନ୍ତି, ପ୍ରତୀକମାନଙ୍କୁ ଆଳକରି ଅର୍ଥାତ୍ ସର୍ବସାର କରି ମାନି ବୀର ହୋଇ ବାହାରନ୍ତି । ଚାହା-ଉତ୍ସବର ଆପ୍ୟାୟନଟିକୁ ଯେଉଁମାନେ ପୂର୍ଣ୍ଣ ଉପଚାରରେ ଏକ ସାମୟିକ ଉତ୍ତୋଳନକାରୀ ପ୍ରାୟ ଏକ ବିକ୍ଷେପରୂପେ ଗ୍ରହଣ କରୁଥିଲେ, ସେମାନେ ସେହିପରି କୌଣସି ଅନ୍ତର୍ଦୁଖରେ ହୁଏତ ଛଟପଟ ମଧ୍ୟ ହେଉଥିଲେ । ତେଣୁ, ପ୍ରତୀକମାନଙ୍କରୁ ସାନ୍ତ୍ୱନାଲାଭ କରୁଥିଲେ, ଏକ ନିର୍ଦ୍ଦିଷ୍ଟ କିସମର ସାଜସଜ୍ଜାରୁ ହିଁ ସତ୍ୟର ଆଘ୍ରାଣ ପାଇବାକୁ ଚେଷ୍ଟା କରୁଥିଲେ । ନିର୍ଦ୍ଧାରିତ ବିଧିମାନଙ୍କରେ ବ୍ୟତିକ୍ରମ ହୋଇଥିଲେ ସତେଅବା ସବୁ ମାରା ହୋଇଗଲା ପରି ଆତଙ୍କିତ ଅନୁଭବ କରୁଥିଲେ । ସେମାନେ ଜେନ୍‌ର ଆହ୍ୱାନଗୁଡ଼ିକରୁ ଆପଣାକୁ ମାଫ୍ କରାଇ ରଖିବାର ଅଭିପ୍ରାୟରେ ଏକାଧିକ ହୃଦୟବୁଦ୍ଧିର ପ୍ରୟୋଗକରି ଜେନ୍ ପରିବେଶଟିଏ ତିଆରି କରି ରଖୁଥିଲେ ।

 

ଖୁବ ସମ୍ଭବ ସେହିଭଳି କିଛି କାରଣବଶତଃ ଚାହାର ଉତ୍ସବଟି ଏବେ ମଧ୍ୟ ସକଳ ନ୍ୟାୟରେ ସମ୍ଭ୍ରାନ୍ତମାନଙ୍କର ଏକ ଘରୋଇ ମଜଲିସ୍‌ପରି ହୋଇରହିଛି । ଜେନ୍ ଜୀବନସନ୍ଦେଶଟିର ଅସଲ ଆଭିମୁଖ୍ୟଟିକୁ ସେମାନେ ସତେଅବା ପ୍ରତୀକ କେତେଟା ମଧ୍ୟକୁ ଜାକି ଆଣି ହୁଏତ ବେଶ୍ ସାନ୍ତ୍ୱନା ପାଉଛନ୍ତି ଏବଂ ଉପାସକ ଜେନ୍ ଭିକ୍ଷୁମାନେ ତାହାକୁ ଆପଣାର ମଠଗୁଡ଼ିକର ଚାରିସୀମା ମଧ୍ୟରେ ହିଁ ସତେ ଅବା ଅନ୍ତରୀଣ କରି ରଖିଛନ୍ତି । ସେମାନଙ୍କ ପାଇଁ ସତ୍ୟମାନେ ଆପଣାର ପୋଥିରେ ପରିଣତ ହୋଇ ରହିଛନ୍ତି ଏବଂ ତଦବଗାହୀ ବିଦ୍ଵାନମାନେ ଦୂର ବିଦେଶମାନଙ୍କରେ ତାହାର ପ୍ରସାର କରୁଛନ୍ତି । ଯେଉଁ ଯୁଗବଧିଟିରେ ଶ୍ରୀଯୁକ୍ତ ଓକାକୁରା ତାଙ୍କର ଏହି ଚାହା ପୁସ୍ତିକାଟିକୁ ଲେଖିଥଲେ, ତାହାପୂର୍ବରୁ ଜାପାନ ଏକଦା ସେଠା ଶାସକମାନଙ୍କର କଟକଣା ଅନୁସାରେ ଅବଶିଷ୍ଟ ପୃଥିବୀଠାରୁ ଆପଣାକୁ ବିଚ୍ଛିନ୍ନ କରି ରଖିଥଲା । ବାହାରର କୌଣସି ହାଓ୍ୱାର ସଂକ୍ରମଣ ଆମର ଏହି ଏକଣା ଦ୍ୱୀପମାଳାଟିକୁ ଦୂଷିତ କରି ନପାରୁ, ସମ୍ଭବତଃ ସେହିପରି କୌଣସି ତ୍ରସ୍ତତା ଶାସକମାନଙ୍କୁ ସେପରି ଗୋଟିଏ ନିଷେଧକୁ ଜାରିକରି ରଖିବା ନିମନ୍ତେ ଅବଶ୍ୟ ପ୍ରେରଣା ଦେଉଥିବ । ତା’ପରେ ଆଉ ଏକ ସମ୍ରାଟୀୟ ଯୁଗ ଆସି ପହଞ୍ଚିଲା, ଯେତେବେଳେ ପହଡ଼ଟାକୁ ଖୋଲି ଦିଆଗଲା: ଅଭିପ୍ରାୟ, କିଛି ଜାପାନୀ ବାହାରକୁ ଯାଆନ୍ତୁ, ବିଶେଷକରି ଆଧୁନିକ ଜ୍ଞାନକୌଶଳ ଗୁଡ଼ିକୁ ଶିକ୍ଷାକରିବା ଲାଗି ପାଶ୍ଚାତ୍ୟ ଦେଶଗୁଡ଼ିକୁ ଯାଆନ୍ତୁ ଏବଂ ଦେଶରେ ଯନ୍ତ୍ରବିଦ୍ୟା ସାହାଯ୍ୟରେ ଉତ୍ପାଦନ ବୃଦ୍ଧିକରି ଦେଶକୁ ଉନ୍ନତ କରନ୍ତୁ । ଅର୍ଥାତ୍ ବିତ୍ତୀୟତାର କ୍ଷେତ୍ରରେ ଜାପାନ ଅଧିକ ଅଗ୍ରଗତି କରୁ ଅଥଚ ଘରର ପରମ୍ପରାଟିରେ କୌଣସି ଖୁଣ ନବାଜୁ । ପରମ୍ପରାଟାକୁ ମଧ୍ୟ ସେତେବେଳେ ସେ ସମ୍ଭ୍ରାନ୍ତବର୍ଗ ସଂସ୍କୃତି ବୋଲି କହୁଥିଲେ । ସମ୍ରାଟ ରହିଲେ, ସମ୍ରାଟଙ୍କ ପ୍ରତି ଆନୁଗତ୍ୟ କିଞ୍ଚିତ କଲେଇମଡ଼ା ହୋଇ ଏକ ଖାସ୍ ଅନନ୍ୟ କିସମର ଜାତୀୟତାବାଦରେ ପରିଣତ ହେଲା । ଆମେ ବେଶ୍ ନିର୍ଭୁଲ ଭାବରେ ସେହି ଉଦ୍ୟମଟିକୁ ଗୋଟିଏ ରାଜନୀତିକ ଶିଣ୍ଟୋ ଜୀବନଦୃଷ୍ଟି ବୋଲି ମଧ୍ୟ କହିପାରିବା । ଆଧୁନିକ ପ୍ରାୟ ସକଳ ସମ୍ପନ୍ନତା ତଦ୍ଦ୍ୱାରା ଉଗ୍ରରୁ ଆହୁରି ଜହ ଉଗ୍ର ହେବା ସକାଶେ ଭାରି ମୁହାଁସ ପାଇଲା । ତା’ପରେ ଦୁଇ ଦୁଇଟା ମହାଯୁଦ୍ଧରେ ଜାପାନ ଯେଉଁ ତରଫଟାରେ ନିଜକୁ ସାମିଲ୍‌କରି ରଖିଥିଲା, ସେହି ତରଫଟା ଯାବତୀୟ ମାନବବାଚୀ ଆଭିମୁଖ୍ୟର ଯେ ପ୍ରଧାନତଃ ଶତ୍ରୁବୋଲି ହିଁ ବିବେଚିତ ହେଲା, ସେପରି ଘଟିବାର ବହୁ ଅତିସମଚୀନ କାରଣମାନ ରହିଛି । ୧୯୦୪ ମସିହାରେ ରୁଷ୍‌ - ଜାପାନ ଯୁଦ୍ଧରେ ଜାପାନର ଯେଉଁ ଜିତାପଟ ହେଲା, ତାହା ଭାରତ ସମେତ ଏସିଆ ମହାଦେଶର ଏକାଧିକ ଉପନିବେଶର ମୁକ୍ତି-ଆନ୍ଦୋଳନକୁ ଅବଶ୍ୟ ଉତ୍ସାହ ଯୋଗାଇ ଦେଲା, ତଥାପି ଜାପାନ ଆପଣାର ସାମୂହିକ ଅବଲମ୍ବନ ଗୁଡ଼ିକର କ୍ଷେତ୍ରରେ ପ୍ରାୟ ସେହି ଆଗପରି ହିଁ ପାରମ୍ପରିକ ହୋଇ ରହିଥିଲା ।

 

ଶ୍ରୀଯୁକ୍ତ ଓକାକୁରା ଆଲୋଚ୍ୟ ବହିଟିକୁ ଇଂରାଜୀ ଭାଷାରେ ଲେଖିଛନ୍ତି । ସିଏ ନିଜ ଘର ଭାଷାରେ ମୋଟେ କିଛି ହେଲେ ଲେଖିନାହାନ୍ତି ବୋଲି ମଧ୍ୟ ପ୍ରାପ୍ତ ତଥ୍ୟଗୁଡ଼ିକରୁ ଜାଣି ହେଉଛି । ବେଶ୍ ଅନୁମାନ କରାଯାଇ ପାରୁଛି ଯେ, ସିଏ ସମ୍ପୂର୍ଣ୍ଣତଃ ବିଦେଶୀ ପାଠକମାନଙ୍କ ଲାଗି ନିଜ ଦେଶର ବିବରଣ ପ୍ରଦାନ କରି କିଛି ଲେଖିବାକୁ ମନସ୍ଥ କରିଥିବା ସମୟରେ ଯଥାସମ୍ଭବ ବେଶ୍ କିଛି ଅତିରଂଜିତ ଅର୍ଥାତ୍ ଏକପାଖିଆ କରି ଲେଖିବା ଲାଗି ଅବଶ୍ୟ ଉତ୍ସାହିତ ହୋଇଥିବେ । ତେଣୁ ଚାହା-ଆପ୍ୟାୟନର ଉତ୍ସବଟି ବିଷୟରେ ତାଙ୍କ ବହିଟିର ମୂଲ୍ୟାୟନ କରୁଥିବା ସମୟରେ ଆମେ ସେହି ଦିଗଟିକୁ ମଧ୍ୟ ଆଦୌ ବାଦ୍ ଦେଇପାରିବା ନାହିଁ । ଜେନ୍ ବୌଦ୍ଧ ଧର୍ମର ଯେ ପ୍ରଧାନତଃ ଏକ ପ୍ରତିମା ଭଙ୍ଗକାରୀ ଦିଗ ମଧ୍ୟ ରହିଛି ଓ ବୃହତ୍ତର ବିଶ୍ଵ ଯେ ପ୍ରଧାନତଃ ତାହାର ସେହି ଦିଗଟିଦ୍ୱାରା ଅଧିକ ଆକର୍ଷିତ ହୋଇ ତାହାକୁ ଅଧ୍ୟୟନ କରିବା ନିମନ୍ତେ ମନ କରିଛି, ଲେଖକ ଓକାକୁରାଙ୍କର ବର୍ଣ୍ଣନାଭଙ୍ଗୀ ଅଥବା ବିଷୟ-ବିଚାରଟିରୁ ତାହାର ଆଦୌ କୌଣସି ଇଙ୍ଗିତ ମିଳୁନାହିଁ । ଏବଂ, ଗୋଟିଏ କଥା ବାରମ୍ବାର ମନେ ପଡ଼ି ମଧ୍ୟ ଯାଉଛି ଯେ, ଚାହା ଉତ୍ସବଟି ଅବିକଳ ସେକାଳ ପରି ଏବେ ମଧ୍ୟ ସମ୍ପନ୍ନ ଏବଂ ସମ୍ଭ୍ରାନ୍ତମାନଙ୍କର ହିଁ ଏକ ସାମୟିକ ସୁଖବିଳାସ ହୋଇ ରହିଛି । ସମ୍ଭବତଃ ଏକଥାମଧ୍ୟ ଅନୁମାନ କରାଯାଇ ପାରିବ ଯେ ସମଗ୍ରତଃ ଏକ ସାମୂହିକ ସଂସ୍କୃତି ହିସାବରେ ଜାପାନ ଆମ ପୃଥବୀର ପୂର୍ଣ୍ଣ ବେଢ଼ଟି ଭିତରକୁ ସାମିଲ୍ ହୋଇ ଆସୁଥିବା ସହିତ ସେହି ଚାହା ଉତ୍ସବ ଅଧିକ ସୀମାବଦ୍ଧ ହୋଇଯାଉଛି । ମୁଖ୍ୟତଃ ବହିରାଗତ ପର୍ଯ୍ୟଟକମାନଙ୍କର ପ୍ରୀତ୍ୟର୍ଥେ ନମୁନାଟିଏ ହୋଇ ରହିଛି । ଆମ ନିଜ ଦେଶଟିରେ ମଧ୍ୟ, ସାଧାରଣତଃ ବହିରାଗତ ଭାରତ-ଅନୁରାଗୀ ପର୍ଯ୍ୟଟକମାନଙ୍କ ଲାଗି ଆମ ସାମନ୍ତମାନଙ୍କର ଆନୁଷ୍ଠାନିକ ଯୋଜନାବୁଦ୍ଧିକୁ ପ୍ରୟୋଗକରି ନାନା ଭିଆଣରେ ଯେଉଁଭଳି ସମୁଚିତ ନମୁନାମାନଙ୍କୁ ପ୍ରସ୍ତୁତ କରି ରଖିବାର ଚେଷ୍ଟା କରାଯାଇଥାଏ, ଜାପାନ ଦେଶର ଶ୍ରଦ୍ଧାଳୁମାନେ ମଧ୍ୟ ସେହିପରି କୌଣସି ଆଗ୍ରହରେ ଚାହାପାନକୁ ନିଠକରି ଗଠିତ ହୋଇ ଆସିଥିବା ଏକ ଉତ୍ସବର ଅନୁରୂପ କିଛି ରମଣୀୟତା ଦେଇ ଏକ ଜୀବନଦର୍ଶନର ବାନ୍ଧ ଭିତରେ ବୁଣି ଗୋଟିଏ ଖାସ୍ ଉପସ୍ଥାପନା ଆଡ଼କୁ ମନ କରିଥାଆନ୍ତି କି ?

 

ଜାତୀୟ ଉନ୍ନୟନର ତୁଳନାତ୍ମକ କ୍ଷେତ୍ରରେ ଜାପାନ ହେଉଛି ଏସିଆ ମହାଦେଶର ହୁଏତ ଏକମାତ୍ର ଦେଶ, ଯିଏକି ଆମ ସମସ୍ତଙ୍କର ଖାତାରେ ସବା ଉପରେ ଯାଇ ରହିଛି ଏବଂ ପାଶ୍ଚାତ୍ୟ ପୃଥିବୀର ଅଗ୍ରଣୀ ବିତ୍ତଶାଳୀ ଦେଶମାନଙ୍କର ସମକକ୍ଷ ଏକ ସ୍ଥାନରେ ଯାଇ ବସି ପାରିବାର ସ୍ଵୀକୃତିଲାଭ କରିପାରିଛି । ବେଳେବେଳେ ତ ଭାରି ଆଚମ୍ବିତ ହୋଇ ଭାବିବାକୁ ମନ ମଧ୍ୟ ବଳେ ଯେ ବିଶ୍ୱର ସେହି ବିତ୍ତଶାଳୀତା ଅର୍ଥାତ୍ ବୁଦ୍ଧିମତ୍ତାର ଦୌଡ଼ରେ ଯିଏ ତାର ସ୍ଥାନୀୟ ପ୍ରତିବେଶୀମାନଙ୍କୁ ସାତ କି ସତର ପଛରେ ପକାଇ ଦେଇ କୁଆଡ଼େ କେତେ ଆଗରେ ଯାଇ ରହିଛି, ସିଏ ସତକୁ ସତ ନିଜ ପରମ୍ପରାଟିକୁ କେତେ ପରିମାଣରେ କିପରି ତଥାପି ବଜାୟ ରଖିପାରିଛି ? ସାନ ଦେଶଟିଏ, ପ୍ରାକୃତିକ ବିପର୍ଯ୍ୟୟମାନ ସର୍ବଦା ଲାଗିରହିଛି, ଲୋକସଂଖ୍ୟା କେତେନା କେତେ ଅଳପ, ତଥାପି ଦେଶଟି କେଡ଼େ ପାରଙ୍ଗମ,–ଏକାବେଳେକେ ସେହି ଶିଖରମାନଙ୍କର ସ୍ଥାନରେ । ପୃଥିବୀରେ ଅରାଏ ବୋଲି ଉପନିବେଶ ବି ନାହିଁ ଏବଂ ସର୍ବୋପରି, ବିଗତ ବିଶ୍ୱଯୁଦ୍ଧରେ ପରାଜିତମାନଙ୍କ ମଧ୍ୟରେ ଗଣା ହେଉଥିବାରୁ ତାହାକୁ ବହୁକଟକଣା ମଧ୍ୟରେ ପ୍ରାୟ ବାଧ୍ୟ ହୋଇ ରହିବାକୁ ପଡ଼ୁଛି । ଏଡ଼େ ଶକ୍ତିମନ୍ତ ଏବଂ ଉଚ୍ଚାକାଂକ୍ଷାଯୁକ୍ତ ଦେଶଟିଏ, ଅଥଚ ତାହାର ନିଜସ୍ୱ କୌଣସି ବୈଦେଶିକ ନୀତି ନିର୍ଣ୍ଣୟ କରିବାର ସ୍ୱାଧୀନତା ନାହିଁ । ତଥାପି ଦେଶଟି ସତେଅବା ନିଜର ମୌରସୀ-ପ୍ରାୟ ଭିତରଟାରୁ ହିଁ କେତେ କ’ଣ ପ୍ରତ୍ୟୟ ଲାଭ କରି ସେଗୁଡ଼ିକୁ କାର୍ଯ୍ୟାନ୍ୱିତ କରିପାରୁଛି ବୋଲି ସିଏ ସବା ଉପରର ପଙ୍ଗତମାନଙ୍କରେ ସ୍ଥାନ ପାଇପାରୁଛି । କୁଟୁମ୍ବଟା ଅତି ସାନ,–ପ୍ରତିଯୋଗିତାମାନେ ସତେଅବା ଠିକ୍ ଖଣ୍ଡାଦାଢ଼ ଉପରେ ବାଟ ଚାଲୁଥିବା ପରି । ଏବଂ, ସେହି ବିଶେଷ ସ୍ଥିତିଟିକୁ ସଚେତନ ଭାବରେ ନଜରରେ ରଖି ସେଦେଶର ପାଠପଢ଼ା ସଫଳତା-ଅର୍ଜନ ନିମନ୍ତେ ଅଣନିଃଶ୍ୱାସୀ କରି ରଖିଥିବା ସର୍ବବିଧ ଦଉଡ଼ ଉପରେ ରାଜନୀତିକ ଛାଞ୍ଚଟା ଗଣତନ୍ତ୍ରର ଖୋପଗୁଡ଼ାକରେ ବେଶ୍ ଢ଼ଳାଇହୋଇ ରହିଛି, ତଥାପି ସତେ ଅବା କେଉଁଠି କେତେସବୁ ମୋଟେ ଖାପଖାଇ ପାରୁନାହାନ୍ତି, ମୋଟେ ମଙ୍ଗିବାକୁ ପ୍ରସ୍ତୁତ ନୁହନ୍ତି । ସମ୍ପନ୍ନତା ବୃଦ୍ଧି ପାଇବାରେ ମୋଟେ କୌଣସି କସର ନାହିଁ, ତଥାପି ସାମୂହିକ ଜୀବନରୂପୀ ଶରୀରଟାରେ ଜ୍ଵର ଭର୍ତ୍ତିହୋଇ ରହିଛି ।

 

ଏବଂ, ମୋଟେ କଳ ପାଉଥିବା ପରି ଲାଗୁନାହିଁ । ସମସ୍ତେ ଅବିରତ ମନ କରୁଛନ୍ତି ସବା ଉପରେ ଯାଇ ପହଞ୍ଚିବା ପାଇଁ,–ଏବଂ, ଉପରେ ସମସ୍ତଙ୍କ ସକାଶେ ଜାଗା ମିଳନ୍ତା ବି କିପରି-! ସେଇଥିରୁ ନୈରାଶ୍ୟ, ଘୋର ନୈରାଶ୍ୟ ! ଉପରେ, ସଦା ଢଳଢଳ ମୁଖ ମୁଦ୍ରାଟିଏ, ଅଥଚ ଭିତରେ ତୃପ୍ତି ଲୋଡ଼ୁଥିବା ଅତୃପ୍ତିମାନେ । ନିତାନ୍ତ ପିଲାବୟସରୁ ହିଁ ସେହିପରି ଏକ ସଙ୍କଟ ମଧ୍ୟରେ ନିଜ କହୁଣିଦ୍ଵାରା ଅନ୍ୟମାନଙ୍କୁ ପେଲିଦେଇ ଏବଂ ଅନ୍ୟମାନଙ୍କର କହୁଣିଦ୍ଵାରା ପେଲା ଖାଇଖାଇ ଯିବାର ସତେଅବା ପ୍ରାୟ କୌଣସି ସମାପ୍ତି ନଥିବା କଷଣଗୁଡ଼ିକ । ପରିବାରରେ ଦ୍ୱନ୍ଦ୍ୱ-ବାପା ମା’ ବିକଳ ଆମ ପିଲାଟି କିପରି ଉପରକୁ ଏବଂ ଆହୁରି ଉପରକୁ ଯାଉ, ଦଉଡ଼ିବାରେ ଲାଗିଥାଉ, ପାରିବି ନାହିଁ ବୋଲି ମୋଟେ କେବେ ହେଲେ ନକହୁ । ଇସ୍କୁଲମାନଙ୍କରେ ଶ୍ରେଣୀଗୃହରେ ତେଣୁ ଅନୁରୂପ ଭୟ ଏବଂ ଦୂରତାମାନ । ନାଇଁ, ପିଲାଟିଏ ଖେଳିବା ଲାଗି, କିଞ୍ଚିତ୍‌ ଅନ୍ୟମନସ୍କ ଅର୍ଥାତ୍ ହାଲୁକା ହେବାଲାଗି ଆଉ କୁଆଡ଼ୁ ବେଳ ବା ପାଇବ ? ବାହାରେ ଗୋଟିଏ ରାକ୍ଷସତୁଲ୍ୟ ମିହନ୍ତ ଏବଂ ଭିତରେ ହଟି ରହିଯିବାର ପ୍ରାଣଘାତକ ଆଶଙ୍କାମାନେ । ସମସ୍ତଙ୍କ ସକାଶେ ଯେତେବେଳେ କେବେହେଲେ ମଧ୍ୟ ଜାଗାମିଳିବ ନାହିଁ, ସେତେବେଳେ କେହି ତ ଅବଶ୍ୟ ବଞ୍ଚିତ ହେବେ, ରହିଯିବେ,–ଛଟପଟ ହେଉଥିଲେ ମଧ୍ୟ ଥମ୍ବି ରହିଯିବାକୁ ବାଧ୍ୟ ହେବେ । ସେଇଟି ହେଉଛି ସାମୂହିକ ଜୀବନ ହାଟରେ ଭୋଗ କରିବାକୁ ପଡ଼ୁଥିବା ଏକ ଚରମ ବିପର୍ଯ୍ୟୟ । ଭିତରେ କିଏ ବୈରୀଭଳି ରହି ଏପରି ଭାବରେ ଜୀବନଟାକୁ ବିଫଳ କରିଦେଉଛି କି ? ସେଇଥିରୁ ଏକ ନିଦାରୁଣ ବ୍ୟର୍ଥତାବୋଧ ଓ ନିଜପ୍ରତି ଅସୂୟାଭାବ । ନିଜସହିତ ଦ୍ରୋହ-ଆଚରଣ ଏବଂ, ତାପରେ ବାହାରର ବହୁ ସମ୍ପନ୍ନତାମାନେ ପ୍ରକୃତରେ ଆଉ କି କାମର ବା ହୋଇପାରିବେ ?

 

ହିସାବମାନେ କହୁଛନ୍ତି ଯେ, ସେହି ଜାପାନ ଦେଶରେ ଖୁବ୍ ଉଲ୍ଲେଖଯୋଗ୍ୟ ସଂଖ୍ୟାରେ ଲୋକେ ଆତ୍ମହତ୍ୟା କରନ୍ତି । ସତକୁ ସତ ଗୋଟିଏ ସୁଖୀ ସମାଜରେ ମନୁଷ୍ୟମାନେ କେଉଁଦୁଃଖରେ କାହିଁକି ବା ନିଜହାତରେ ନିଜର ଜୀବନର ସମାପ୍ତି ଘଟାଇବାକୁ ମନ କରନ୍ତେ ! ପୁନଶ୍ଚ, ସ୍ଥାନାୟତନର ଅନୁପାତ ଅନୁସାରେ ବିଚାର କଲେ ସେଠାରେ ସମ୍ଭବତଃ ପୃଥିବୀରେ ସର୍ବାଧିକ ପ୍ରତିଶତ ମନୁଷ୍ୟ ପ୍ରତିବର୍ଷ ଆତ୍ମହତ୍ୟା କରନ୍ତି । ସତକୁ ସତ ସୁସ୍ଥ ମଣିଷଟିଏ ତ ଯେକୌଣସି ପ୍ରତିକୂଳ ପରିସ୍ଥିତିର ସାମନା କରିବା ସକାଶେ ନିଜ ଭିତରୁ ହିଁ ପ୍ରତ୍ୟୟ ଓ ବଳ ପାଇ ପାରୁଥନ୍ତା । ଏବଂ, ବୟସର ମାନଦଣ୍ଡ ଉପରେ ମାପିବସିଲେ ଜାଣି ବି ହେଉଛି ଯେ ଆତ୍ମହତ୍ୟାର ନିଷ୍ପତ୍ତି ଗ୍ରହଣ କରୁଥିବା ଅଧିକ ଭାଗର ମନୁଷ୍ୟ ହେଉଛନ୍ତି ମୁଖ୍ୟତଃ ଗଜା ବୟସର, ପନ୍ଦର ବା ଅଠରରୁ ପଇଁତିରିଶି ବର୍ଷ ମଧ୍ୟରେ । ବାହାରେ ଯାବତୀୟ ସୁଖଦାୟକ ସାମଗ୍ରୀ ମହଜୁଦ୍ ହୋଇ ରହିଥିଲେ ମଧ୍ୟ ମନୁଷ୍ୟମାନେ ଆପଣା ଭିତରେ କେଉଁସବୁ ଅସଲ ଆଧାରଶିଳା ଉପରେ ନିର୍ଭର କରି ପାରନ୍ତିନାହିଁ ଯେ ବଞ୍ଚିବାର ଏବଂ ବାଟଚାଲିବାର ସକାରାତ୍ମକ ଡୋରଗୁଡ଼ିକୁ ହରାଇ ବସନ୍ତି ଏବଂ ଏହି ନୈରାଶ୍ୟପୂର୍ଣ୍ଣ ରଙ୍ଗମଞ୍ଚଟା ମଧ୍ୟରୁ ସତେ ଅବା ଆଉ କୋଉଠିକୁ ଚାଲିଯିବାପାଇଁ ବ୍ୟାକୁଳ ହୋଇ ଉଠନ୍ତି । ଚାରିପାଖର ଲକ୍ଷ୍ମୀ-ବଜାରଟା ଓ ଲକ୍ଷ୍ମୀମନ୍ତ ସମ୍ଭାବନାଚୟ ସେମାନଙ୍କୁ ଯଥେଷ୍ଟ ଭରସା ଦେଇ ରଖି ବି ପାରନ୍ତି ନାହିଁ । କୋଉଠି ନା କୋଉଠି କ’ଣଟାଏ କିମ୍ବା କ’ଣ ସବୁ ଜଖମ ହୋଇ ରହି ନ ଥିଲେ ମୋଟେ ସେପରି ଘଟନ୍ତା ନାହିଁ । ପେଟର ପ୍ରୟୋଜନଟା ପୂରିପାରୁଥିବା ଦ୍ଵାରା ହୃଦୟଟାକୁ ମଧ୍ୟ ବଳ ମିଳିପାରନ୍ତା । ମଣିଷମାନେ କେଡ଼େ ସ୍ୱାଭାବିକ ଭାବରେ ଏଠି ସମସ୍ତଙ୍କର ମେଳ ଭିତରେ ନିଜପାଇଁ ମନପୂରାଇ ସବୁ ସାଉଁଟିନେଇ ପାରୁଥାନ୍ତେ ଏବଂ ସଂସାରଟାଯାକକୁ ଖୁସୀ କରି ରଖିପାରିବା ଭଳି ଆପଣାକୁ ଦେଇ ମଧ୍ୟ ପାରୁଥାନ୍ତେ । ବିତ୍ତ ପଛକୁ ବିତ୍ତ ଥାଇତି ହୋଇ ରହିଥିବା ସତ୍ତ୍ୱେ କେହି କୌଣସି ଅହେତୁକ ମାୟାବାଦ ମଧ୍ୟରେ ଯାଇ କଦାପି ପଡ଼ିଯାଉ ନଥାନ୍ତେ । ଜାପାନ ନାମକ ସେହି ଏଡ଼େ ସୁଖଶାଳୀ ଦେଶରେ ତାହା ହୋଇପାରୁନାହିଁ କାହିଁକି କେଜାଣି ? ସେଥିପାଇଁ ପୃଥିବୀଯାକ ଭାଳେଣି ପଡ଼ିଛି । ତଥାପି ରହସ୍ୟଟିକୁ ଭେଦି ହେଉନାହିଁ ।

 

ସେହି ପ୍ରାଚୀନ ଶତାବ୍ଦୀଗୁଡ଼ିକର ଯେଉଁ କାଳରେ ସମ୍ପନ୍ନ ଜୀବନ-ମହଲର ସାମନ୍ତସଦୃଶ ବର୍ଗଟି ଚାହାପାନକୁ ଏକ ଉତ୍ସବର ଆନନ୍ଦରେ ପରିଣତ କରି ରଖି ବହୁତ ଆପ୍ୟାୟନ ଲାଭ କରୁଥିଲେ, ସେତେବେଳେ ସବୁଶ୍ରେଣୀର ମନୁଷ୍ୟଙ୍କ ପାଖରେ ସେହି ସର୍ବନିମ୍ନ ପ୍ରୟୋଜନଗୁଡ଼ିକ ମେଣ୍ଟାଇ ପାରିବାର ସମ୍ପନ୍ନତା ନିଶ୍ଚୟ ରହିଥିଲା ବୋଲି କଦାପି ଦାବୀ କରାଯାଇପାରିବ ନାହିଁ । ଭାଗ୍ୟଟା ସେତେବେଳେ ମଧ୍ୟ ଖୁବ୍ ଭାଗ ଭାଗ ହୋଇରହିବ । ତେଣୁ, ସେହି ସମୟରେ ମଧ୍ୟ ନିଜ ବିବେକକୁ ଅନ୍ତତଃ କିଞ୍ଚିତ୍‌ ସାମୟିକ ଅନ୍ୟମନସ୍କତା ଆଣି ଦେବାପାଇଁ ଚାହାପାନକୁ ସମ୍ଭ୍ରାନ୍ତମାନେ ଏକ ମାଧ୍ୟମ ରୂପେ ଭିଆଣ କରି ଆଣିଥିବେ । ତତ୍କାଳୀନ ପ୍ରତିଷ୍ଠିତ କ୍ଷମତାର ଚହଲପହଲ ଗୁଡ଼ିକରେ ସେହି ବିଶେଷ କତିପୟ ବର୍ଗ ହିଁ ମୁଖ୍ୟ ଭୂମିକାଗୁଡ଼ିକର ମାରଫତରେ ରହିଥିବେ । ଦେଶର ସାହିତ୍ୟ, କଳା, ସଂଗୀତ ଓ ସଂସ୍କୃତି ବୋଲି ଚଳୁଥିବା ସବୁକିଛି ସୂକ୍ଷ୍ମ ଅନୁଧାବନ ସେହିମାନଙ୍କର ପରିଚର୍ଯ୍ୟା କରୁଥିବ । ସାଧାରଣ ମନୁଷ୍ୟ-ଯୂଥଟା ସେହିମାନଙ୍କର ଅନୁଗ୍ରହବଶ ହୋଇ ହିଁ ରହିଥିବ । ଏବଂ, ଯାହା ସଚରାଚର ହୋଇଥାଏ, ଅପେକ୍ଷାକୃତ ଅଧିକ ସତ୍ୟନିଷ୍ଠା ସହକାରେ ଦେଶର ମିକାଡ଼ୋ (ସମ୍ରାଟ)ଙ୍କୁ ଏହି ମର୍ତ୍ତ୍ୟଭୂମିଟାରେ ସାକ୍ଷାତ ଅବତାର ରୂପେ ଗ୍ରହଣ କରି ମଧ୍ୟ ନେଇଥିବ ଏବଂ, ଉଚ୍ଚତ୍ତର ବିଶେଷ ବର୍ଗଟିର ଖାସ୍ ଅୟସ ତଥା ଅଭ୍ୟାସମାନଙ୍କୁ ମଧ୍ୟ ସତେଅବା ସେମାନଙ୍କୁ ଦୈବ ଦ୍ଵାରା ପ୍ରଦତ୍ତ କେତୋଟି ଖାସ୍ ଅଧିକାର ସଦୃଶ ମାନିନେଇଥିବ । ପୃଥିବୀରେ ନାନାମନ୍ତେ ଅସଜଡ଼ା ହୋଇ ପଡ଼ିଥିବା ଅଧିକାଂଶ ସମୂହରେ ଯାହା ଅଳ୍ପ ବହୁତ ସେହିପରି ହୋଇ ରହିଛି, ସେତେବେଳର ଜାପାନ ଦେଶରେ ତାହାହିଁ ସ୍ୱୀକାର ଲାଭ କରିଥିବ ।

 

ସେହି ମୂଳ ମହୁଡ଼ିଟି ଉପରୁ ମଝିରେ ମଝିରେ ବାତ୍ୟାଟିଏ ଆସି କିଞ୍ଚିତ୍ ସ୍ଥିତାବସ୍ଥାଟିକୁ ଦୋହଲାଇ ଦେଉଥିବା ପରି ସୁଦୂର ଭାରତବର୍ଷର ବୌଦ୍ଧ ସନ୍ନ୍ୟାସୀମାନେ ଆସି ପହଞ୍ଚିଥିବେ, ପ୍ରାଜ୍ଞ ଜୀବନବକ୍ତା କନ୍‌ଫୁସିୟସ୍ ନିଜର ଖାସ୍ ବାଣୀଗୁଡ଼ିକର ପ୍ରଚାର କରିଥିବେ, ଲାଓ-ତ୍‌ସୁ ଏବଂ ଚୁଆଙ୍ଗ-ତ୍‌ସୁଙ୍କର ବିଶେଷ ସନ୍ଦେଶମାନେ ଖାସ୍ ଅନୁଗାମୀ ତଥା ସମ୍ପ୍ରଦାୟଚୟକୁ ମାଧ୍ୟମ କରି ଭଳି ଭଳି ଉଦ୍‌ବେଳନ ବି ସୃଷ୍ଟି କରିଥିବେ । ବାହାରୁ ଟେକାଟିଏ ଆସି ପଡ଼ିବା ଭଳି ସମାଜରୂପୀ ମହାସରୋବରଟାରେ କିଛିକ୍ଷଣ ଲାଗି କ’ଣ ସବୁ ଭାରି ଚହଲି ଉଠୁଥିବ, ନୂଆ ଉତ୍ସାହମାନେ ଉଦ୍ରେକ ହୋଇ ଆସୁଥିବେ ଏବଂ ପ୍ରାୟ ନିମେଷ କେତେଟାପରେ ସେହି ସର୍ବକାଳୀୟ ମୋଟା ସ୍ଥିତାବସ୍ଥାଟା ପୁନର୍ବାର ଜମିଆସୁଥିବ । ଏକ ନୂଆ ଅଧ୍ୟାତ୍ମ ବିକ୍ଷୋଭର ଉପକ୍ରମ କରି ଭିକ୍ଷୁମାନେ ଯେତେବେଳେ ପ୍ରଥମେ ଚୀନ୍‌ରେ ଚାନ୍ ଏବଂ ତାପରେ ଜାପାନରେ ଜେନ୍ ବାର୍ତ୍ତାଟିର ଅବତାରଣା କରିଥିବେ, ସେତେବେଳେ ମଧ୍ୟ ହୁଏତ କେତେକ’ଣ ନୂତନ ଉତ୍ସାହ ଅନୁଭୂତ ହୋଇଥିବ, ଏବଂ କ୍ରମେ ତା’ ପରେ ସେହି ପୁରୁଣାଟି ସହିତ ଖାପଖାଇଯିବା ପରି ମନେ ହେଉଥିବା କିଛି ଉପାଦାନ ଆପାତତଃ ଆଖିଦୃଶିଆ ଭାବରେ ସଂପୃକ୍ତ ବହୁତଙ୍କର ଆଦରଲାଭ କରିଥିବ ସିନା, ମାତ୍ର କ୍ରମେ ପ୍ରଧାନତଃ ସବୁ ତୁନିପଡ଼ି ହିଁ ଆସିଥିବ । ଜେନ୍ ଗୁରୁମାନେ ଆପଣାର ଅଲଗା ଅଲଗା ଗାଦୀ ନିର୍ମାଣ କରି କେତେଜଣ ଶିଷ୍ୟଙ୍କ ଗହଣରେ ଆସ୍ଥାନମାନ ତିଆରି କରି ନେଇଥିବେ । ବେଶ୍ ଆଗ୍ରହୋଦ୍ଦୀପକ ଘଟଣାଟିଏ ଯେ, ଏହି ସନ୍ଦର୍ଭରେ ଅଲଗା ଅଲଗା ଗୁରୁମାନଙ୍କର ଉଜ୍ଜ୍ୱଳ ଉଦ୍‌ଗାରଗୁଡ଼ିକ ପ୍ରାୟ ସମ୍ପ୍ରଦାୟ ଭେଦରେ ଭିନ୍ନଭିନ୍ନ ସ୍ଥାନରେ, ସୁରକ୍ଷିତ ହୋଇ ରହିଛି ଏବଂ ବିଦ୍ୱାନମାନେ କ୍ରମେ ସେଗୁଡ଼ିକୁ ଏକାଠି ଗୋଟିଏ ମାର୍କା ଦେଇ ଜେନ୍ ବୌଦ୍ଧମାର୍ଗ ବୋଲି ସଂଗ୍ରହ କରିଛନ୍ତି ସିନା, ମାତ୍ର ଏକାଧିକ ଗୁରୁ କୌଣସି ନା କୌଣସି ଅବକାଶରେ ଏକତ୍ର ପରସ୍ପରକୁ ଭେଟି ମାର୍ଗଟି ବିଷୟରେ କିଛି ଚର୍ଚ୍ଚା କରିଥିବାର କୌଣସି ଦୃଷ୍ଟାନ୍ତ କେଉଁଠି ମଧ୍ୟ ଦେଖିବାକୁ ମିଳେ ନାହିଁ-। ସମଗ୍ର ଜୀବନକୁ ଏକାବେଳେକେ ଗୋଟିଏ କରି ଥାପି ମନୁଷ୍ୟମାନଙ୍କ ବିଷୟରେ ଏତେଏତେ ମୂଲ୍ୟବାନ ସତ୍ୟର ଉପସ୍ଥାପନା କରିଥିବା ବୃହତ୍ ସେହି ବିବିଧ ମାର୍ଗର ସାଧନାସ୍ଥ ପ୍ରବୀରମାନେ ପରସ୍ପର ପାଖରୁ ଦୂରହୋଇ ରହିଯିବାକୁ କାହିଁକି ସଚରାଚର ଏତେ ଉତ୍ସାହ ପ୍ରକଟ କରିଛନ୍ତି, ତାହାର କାରଣମାନେ ପ୍ରକୃତରେ କ’ଣ ହୋଇଥବେ କେଜାଣି ? କ୍ରମେ ସେହି ସନ୍ଦେଶଗୁଡ଼ିକ ବହୁ ସରାଗ ସହିତ ଯେକୌଣସି ଭୂମିର ବୃହତ୍ତର ପରମ୍ପରାଟି ମଧ୍ୟରେ ସାମିଲ୍ ହୋଇଯାଏ ଏବଂ ନିଜ ଭୂମିଟିରେ ଏତେଏତେ ସତକୁ ସତ ସାମିଲ୍ ହୋଇ ରହିଛନ୍ତି ବୋଲି ଜାଣି ସାଧାରଣମାନେ ମଧ୍ୟ ଖୁବ୍‌ ଗୌରବ ଅନୁଭବ କରିଥାଆନ୍ତି । ତଥାକଥିତ ଜାତୀୟତାବାଦର ଦାଣ୍ଡଟାରେ ସେଇଟି ବିଶେଷ ଭାବରେ ଘଟିଛି । ଆମ ଆଧୁନିକ ଜଗତଟିରେ ଏକ ଜାତୀୟତାବାଦଦ୍ୱାରା ବିଶେଷ ଭାବରେ ଉଦ୍‌ବୁଦ୍ଧ ହୋଇଥିବା ଦେଶ ଜାପାନରେ ସେହି ପ୍ରକ୍ରିୟାଟି ଏକାଧିକ ମର୍ଯ୍ୟାଦା ସହିତ ଯେ ଘଟିଛି, ସେଥିରେ ଆଶ୍ଚର୍ଯ୍ୟ ହେବାର ସେପରି କୌଣସି କାରଣ ରହିବା ଉଚିତ ନୁହେଁ । ପ୍ରାୟ ସେହି ଉତ୍ସାହରେ ଲେଖକ ଓକାକୁରା ଚାହା-ଆପ୍ୟାୟନର ଉତ୍ସବକୁ ଜେନ୍ ସହିତ ଆଣି ଯୋଡ଼ିବାକୁ ହୁଏତ ଇଚ୍ଛାମଧ୍ୟ କାହିଁକି ନକରିବେ !

Image

 

Unknown

ଚାହା : ପାନୀୟରୁ ପଣ୍ୟ

 

ଚାହା ନାମକ ପାନୀୟଟି ଚୀନଦେଶରେ ମୁଖ୍ୟତଃ ଏକ ପାନୀୟରୂପେ କୋଉ କାଳରୁ ହିଁ ପ୍ରଚଳିତ ହୋଇ ରହିଥିଲା । ଏକ ପ୍ରାକୃତିକ ଉତ୍ପାଦ ରୂପେ ବଡ଼ ବଡ଼ ଗଛରୂପେ ଜଙ୍ଗଲରେ ରହିଥିଲା । ଗୃହମାନଙ୍କରେ ତା’ର ପତ୍ରଗୁଡ଼ିକୁ ସଂଗ୍ରହ କରି ଆଣି ଲୋକେ ତାହାକୁ ଏକ ପାନୀୟ ରୂପେ ବ୍ୟବହାର କରୁଥିଲେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସ୍ୱାଦଟି ସକାଶେ ଯେତେ ନୁହେଁ, ସୁଗନ୍ଧଟି ଲାଗି ହିଁ ସେମାନେ ପାନୀୟଟିଦ୍ୱାରା ଅଧିକ ପରିମାଣରେ ଆପ୍ୟାୟିତ ହେଉଥିଲେ-। କ୍ରମେ ଚାହା ଏକ ଆରୋଗ୍ୟକାରୀ ଦ୍ରବ୍ୟ ରୂପେ ମଧ୍ୟ ଚଳଣିକୁ ଆସିଲା । ସେତେବେଳେ ମଧ୍ୟ ଏକ ପଣ୍ୟରୂପେ ଦେଶଟି ମଧ୍ୟରେ ଚାହାର ସ୍ଥାନୀୟ କାରବାର ନିଶ୍ଚୟ ହେଉଥିଲା ସତ, ମାତ୍ର ସେଇଟି ଉପରେ ବାହାରର ବଣିକମାନଙ୍କର ଆଖି ହୁଏତ ମୋଟେ ପଡ଼ି ନ ଥିଲା । ଏହି ଅନ୍ୟ ପର୍ଯ୍ୟାୟଟି ପରେ ଯାଇ ଆସିଥିଲା । ଇଉରୋପୀୟ ସାମ୍ରାଜ୍ୟବାଦର ଯୁଗରେ । ଚାହାର ଆଦରକୁ ଆମ ପୃଥିବୀର କୋଣ ଅନୁକୋଣକୁ ନେଇ ପ୍ରବେଶ ଘଟାଇବାର ଖାସ୍ କୃତିତ୍ୱଟି ହେଉଛି ସେହି ବାଣିଜ୍ୟିକ ସାମ୍ରାଜ୍ୟବାଦର ।

 

ପଣ୍ୟ ଅର୍ଥାତ୍ କିଣାବିକାର ଫନ୍ଦିଟି ମାଧ୍ୟମରେ ଅର୍ଥୋପାର୍ଜନ ସମ୍ଭବ କରାଉଥିବାର ଏକ ମାର୍ଗ । ସିଦ୍ଧିଲାଭର ମାର୍ଗ । ଅଭୀଷ୍ଟସିଦ୍ଧି ହିଁ ସବାଆଗ । ସଫଳତାଟା ହିଁ ମୁଖ୍ୟତମ ଲକ୍ଷ୍ୟ । ଯଶୋଲିପ୍‌ସୁ ସାହିତ୍ୟଲେଖକ ମାନଙ୍କପାଇଁ ସାହିତ୍ୟ ଏକ ପଣ୍ୟ, ଜଣେ ତଥାକଥିତ ଜାତୀୟତାବାଦୀ ପାଇଁ ଜାତି ଓ ଦେଶ ଗୋଟିଏ ଗୋଟିଏ ପଣ୍ୟ, ନେତାର ଆଖିରେ ଜନସମୂହ ମଧ୍ୟ ପଣ୍ୟ । ଆଦର୍ଶବାଦୀ ପାଇଁ ଆଦର୍ଶ ପଣ୍ୟ । ଆମର ଏହି ପାଖ ଏବଂ ଚିହ୍ନାଟିକୁ ହିଁ ସମଗ୍ର ପୃଥିବୀ ବୋଲି ମଣୁଥିବା ବୀର ତଥା ମହାମାନ୍ୟମାନଙ୍କ ଲାଗି ଜଗନ୍ନାଥ ହୁଏତ ସେହିଭଳି ଗୋଟିଏ ପଣ୍ୟ । ସେ କାଳର ଜଣେ ଗଜପତି ଯେପରି ନିଜକୁ ଜଗନ୍ନାଥଙ୍କର ଆଦ୍ୟସେବକ ବୋଲି ଘୋଷଣା କରିବାକୁ ନିଷ୍ପତ୍ତି କରି ପକାଇଥିଲେ, ଆମ ଠାକୁରଙ୍କୁ କାର୍ଯ୍ୟତଃ ଏକ ପଣ୍ୟ ବୋଲି ଜ୍ଞାନ କରି ସିଏ ସେପରି କରିଥିଲେ କି ? ଆମ ଅର୍ଥାର୍ଥୀମାନଙ୍କର ଏହି ସମାଜଟାରେ ପରଲୋକଗତ କୌଣସି ପୂର୍ବଜଙ୍କର ଶ୍ରାଦ୍ଧାଦି ଅବସରରେ ଏକ କାଙ୍ଗାଳି ଭୋଜନର ଆୟୋଜନ କରି ପୂର୍ଣ୍ଣକାମ ଅନୁଭବ କରୁଥିବା ଜଣେ ନିଷ୍ଠାପର ମଣିଷର ଆଖିରେ ସେହି କାଙ୍ଗାଳିମାନେ ମଧ୍ୟ କାହିଁକି ପଣ୍ୟବତ୍ ଦିଶୁ ବି ନ ଥିବେ !

 

ଚୀନ ଦେଶରେ ଚାହାର ଇତିହାସ ପଛକୁ ପଛକୁ ପ୍ରାୟ ଖ୍ରୀଷ୍ଟପୂର୍ବ ତିନିହଜାର ଅବ୍ଦଯାଏ ଲମ୍ବିକରି ରହି ଆସିଛି । ଚାହାର ଜନ୍ମସ୍ଥାନ କହିଲେ ଲୋକାନୁମାନରେ ଚୀନକୁ ହିଁ ଧରି ନିଆଯାଉଥିଲେ ମଧ୍ୟ ତଥାପି ସଙ୍କେତ ମିଳୁଛି ଯେ, ଉତ୍ତର ବ୍ରହ୍ମଦେଶ ଏବଂ ଶ୍ୟାମ ବା ଥାଇଲାଣ୍ଡରେ ମଧ୍ୟ ଚାହାର କିଛି ନା କିଛି ପ୍ରଚଳନ ସେହି ପୁରାତନ କାଳରେ ମଧ୍ୟ ରହିଥିଲା । ଏବଂ, ସେହିସବୁ କାଳର ବହୁତ ପରେ ଯେତେବେଳେ ୧୭ଶ ଶତାବ୍ଦୀର ଆରମ୍ଭରେ ଇଉରୋପର ବାଣିଜ୍ୟକାରବାର ଲମ୍ବି ଲମ୍ବି ସୁଦୂର ପ୍ରାଚ୍ୟରେ ଯାଇ ପହଞ୍ଚିଲା, ସେତେବେଳେ ଯାଇ ଚାହା ସେଠାକୁ ଯାଇଥିଲା । ତା’ପରେ ମନୁଷ୍ୟର ବିଚକ୍ଷଣ ବାଣିଜ୍ୟବୁଦ୍ଧିର ପ୍ରେରଣାରେ କାରବାରଟା ଅଭୂତପୂର୍ବ ପ୍ରକାରେ ବୃଦ୍ଧି ପାଇଥିଲା । ବିବରଣୀରୁ ଜଣାଯାଉଛି ଯେ, ୧୮୦୫ ଖ୍ରୀଷ୍ଟାବ୍ଦକୁ ଇଂଲଣ୍ଡ ସାଢ଼େ ସାତଲକ୍ଷ ପାଉଣ୍ଡ ଓଜନର ଚାହା ବାହାରୁ ଆମଦାନୀ କରି ଦେଶକୁ ଆଣୁଥିଲା । ୧୮୩୪ ମସିହାରେ ଯାଇ ଆମ ଭାରତବର୍ଷରେ ଚାହାରୁ ଆବାଦ ଆରମ୍ଭ ହେଲା । ଆସାମର ପାର୍ବତ୍ୟ ଅଞ୍ଚଳରେ ଅରଣ୍ୟରେ ବଢ଼ି ଆସିଥିବା ଚାହାର ସନ୍ଧାନ ମିଳିଥିଲା । ସେଇଥିରୁ ବିଧିବଦ୍ଧ ଚାହା-ଆବାଦ ଆରମ୍ଭ ହୋଇଥିଲା । ଏହିପରି ଉତ୍ପନ୍ନ ହେଉଥିବା ଚାହା ୧୮୩୯ ବେଳକୁ ସେଠି ଲଣ୍ଡନର ବଜାରରେ ଯାଇ ବିକ୍ରୀ ହେଲା । ଲୋକଙ୍କର ଆଦୃତି ଲାଭ କରି ଏକ ଉଦ୍ୟୋଗରେ ପରିଣତ ହେଲା ।

 

ଉନବିଂଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ପ୍ରାଧାନତଃ ଚୀନଦେଶରୁ ହିଁ ଚାହା ରପ୍ତାନୀଦ୍ୱାରା ବାହାରକୁ ଯାଉଥିଲା । କ୍ରମେ ଭାରତବର୍ଷ ହିଁ ରପ୍ତାନୀ କରୁଥିବା ଦେଶମାନଙ୍କ ମଧ୍ୟରେ ସର୍ବଶୀର୍ଷ ସ୍ଥାନଟିକୁ ଅଧିକାର କରି ପାରିଥିଲା । ତା’ ପଛକୁ ସିଂହଳର ମଧ୍ୟ ଆବିର୍ଭାବ ହେଲା । ଏବଂ, ତାପରେ ଇଣ୍ଡୋନେସିଆର ଜାଭା ଦ୍ୱୀପରେ । ଇହାଦେ ତ ପ୍ରାୟ ତିରିଶିଗୋଟି ଦେଶରେ ଚାହାର ଚାଷ ହେଉଛି-ମଧ୍ୟଏସିଆର ଜର୍ଜିଆଠାରୁ ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ ଏକାଠି ମିଶାଇ କହିଲେ ଭାରତବର୍ଷ, ସିଂହଳ, ଚୀନ ଓ ଜାପାନ ପଛକୁ ଆଠଗୋଟି ଆଫ୍ରିକୀୟ ଦେଶରେ । ରୁଷିଆର ଜର୍ଜିଆ, ତା’ ପରେ ତୁରସ୍କ ଏବଂ ଇରାନରେ । ଦକ୍ଷିଣ ଆମେରିକାରେ ମଧ୍ୟ କିଛି କିଛି । ଚୀନଦେଶରେ ସାଧାରଣତଃ ଯେଉଁ ଚାହାର ଆବାଦ କରାଯାଏ, ସେଥିରେ ଏକାଧିକ କେନା ଥାଏ ଏବଂ ଗଛଟି ପ୍ରାୟ ତିନି ମିଟର ପର୍ଯ୍ୟନ୍ତ ଉଚ୍ଚ ହୁଏ । ଖୁବ ଟାଣୁଆ ଉଦ୍ଭିଦଟିଏ ଏବଂ ଭୀଷଣ ଶୀତ ସହ୍ୟ କରିପାରେ ଓ ଶହେବର୍ଷ ଯାଏ ବଞ୍ଚେ । ସେଠାରେ ଅପେକ୍ଷାକୃତ ଅଧିକ ଉଚ୍ଚତାରେ ଯେଉଁ ଚାହାର ଚାଷ କରାଯାଏ ସେଥିରେ ଏକ ସୁଗନ୍ଧ ମଧ୍ୟ ରହିଥାଏ ଅର୍ଥାତ୍ ତାହା ଲୋକମାନଙ୍କର ଅଧିକ ପସନ୍ଦ ହୁଏ । ଆସାମରେ ଆବାଦ ହେଉଥିବା ଚାହାରେ ଗୋଟିଏ କେନା, ଗଛଟି ଛଅରୁ ଅଠର ମିଟର ପର୍ଯ୍ୟନ୍ତ ଉଚ୍ଚହୁଏ ଏବଂ ପ୍ରାୟ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେଗୁଡ଼ିକରୁ ପତର ଛିଣ୍ଡା ଯାଇପାରେ । ଆସାମର ଉଚ୍ଚତର ଅଞ୍ଚଳରେ ଯେଉଁ ଗାଢ଼ ସବୁଜ ରଙ୍ଗର ପତ୍ର ଥିବା ଉଦ୍ଭିଦ ଆବାଦ କରାଯାଏ, ସେଥିରୁ ଖୁବ୍ ଉତ୍ତମ ଧରଣର ଚାହାପତ୍ର ମିଳିଥାଏ । ଗଛରୁ ଚାହାପତ୍ର ତୋଳିବା ସମୟରେ ସର୍ବତ୍ର ଉପରର ଦୁଇପତ୍ର ସହିତ ଅଗଟିକୁ ଛିଣ୍ଡାଇ ଅଣାଯାଏ । ଚାହାର ପ୍ରକାର ଯେପରି ଏକାଧିକ, ଚାହା ପ୍ରସ୍ତୁତ କରିବାର ପ୍ରଣାଳୀ ମଧ୍ୟ ଏକାଧିକ । ଚୀନ, ଜାପାନ ଏବଂ ତାଇୱାନ୍‌ରେ ସବୁଜ ରଙ୍ଗର ଚାହା, ମାତ୍ର ପୃଥିବୀଯାକ ବ୍ୟବହୃତ ହେଉଥିବା ୮୦% ଚାହାର ରଙ୍ଗ ହେଉଛି କଳା । ବର୍ତ୍ତମାନ, ଚାହାର ବାଣିଜ୍ୟ କାରବାରକୁ ନେଇ କିଞ୍ଚିତ୍ ତଥ୍ୟ । ଚାହା ତ ଏଭଳି ଗୋଟିଏ ଦ୍ରବ୍ୟ ଯେ ତାହାକୁ ଖୁବ୍ ବେଶୀ ବର୍ଷଯାଏ ଆଦୌ ରଖି ହୁଏନାହିଁ । ଖୁବ୍ ବେଶୀ ହେଲେ କେବଳ କେତେ ମାସଯାଏ ତାହା ଉଚିତ ପାନଯୋଗ୍ୟ ଅବସ୍ଥାରେ ରହିପାରେ । ତେଣୁ ଆନ୍ତର୍ଜାତିକ ବଜାରରେ ମଧ୍ୟ ଚାହାର ଦାମ୍ ଆଦୌ ସ୍ଥିର ହୋଇ ରହିପାରେ ନାହିଁ । ସେହି ମନ୍ଦ ସମ୍ଭାବନାମାନଙ୍କର ସମ୍ମୁଖୀନ ହେବାଲାଗି ଏକଦା ଭାରତବର୍ଷ, ସିଂହଳ ଓ ଇଣ୍ଡୋନେସିଆ ମିଳିତ ଭାବରେ ଗୋଟିଏ ଆନ୍ତର୍ଜାତୀୟ ଚାହା କମିଟି ମଧ୍ୟ ଗଠନ କରିଥିଲେ । ଅନେକ କ୍ଷେତ୍ରରେ ସଂପୃକ୍ତ ଦେଶମାନଙ୍କରେ ଚାହାକୁ ନିଲାମରେ ବି ବିକ୍ରୀ କରାଯାଏ ଏବଂ ପ୍ରଧାନତଃ ଘରୋଇ ସଂସ୍ଥାମାନେ ସେଥିରେ ଅଂଶଗ୍ରହଣ କରିଥାଆନ୍ତି ।

 

ଏକଥା ସାମ୍ରାଜ୍ୟ-ଶାସନର ଛାତ୍ରମାନେ ସମସ୍ତେ ଜାଣିଛନ୍ତି ଯେ ଇଂଲଣ୍ଡର ବଣିକସ୍ୱାର୍ଥ ପ୍ରାୟ ଏକ ତୀକ୍ଷ୍ମ ଅନ୍ତଃଦୃଷ୍ଟି ସହିତ ଚୀନଦେଶର ଚାହାକୁ କେନ୍ଦ୍ରକରି ଏକ ଲାଭଜନକ ବ୍ୟବସାୟ-ଜାଲକୁ ବହୁ କୁଶଳତା ସହିତ ପୃଥିବୀର ଏହି ଅଂଶଟିରେ ବିଛାଇ ଦେଇଥିଲା । ସମ୍ଭବତଃ ଭାରତବର୍ଷରେ ଶ୍ରମିକମାନଙ୍କର ଅପେକ୍ଷାକୃତ ଅଳ୍ପ ମଜୁରି ହୋଇଥିବାରୁ ଏଠାରେ ମଧ୍ୟ ବିଶେଷ ଏକ ବାଣିଜ୍ୟିକ ଉତ୍ସାହରେ ଚାହା ବଗିଚାମାନ ଆରମ୍ଭ ହୋଇ ଯାଇଥିଲା । ସତେ ଅବା ଏକ ତତ୍ତୁଲ୍ୟ ବିନିମୟ ଦ୍ରବ୍ୟରୂପେ ଭାରତରୁ ଅଫିମ ଚୀନକୁ ମଧ୍ୟ ଗଲା ଓ ଚୀନର ଅଧିବାସୀମାନଙ୍କୁ ବାଧ୍ୟତାମୂଳକ ଭାବରେ ଅହିଫେନର ଭକ୍ତ କରିବା ନିମନ୍ତେ ଉଦଗ୍ର ନାନା ଚେଷ୍ଟା ମଧ୍ୟ ହୋଇଥିଲା-। ସେହି ସମୟର ଗୋଟିଏ ଯୁଦ୍ଧକୁ ଚୀନର ଇତିହାସରେ ଅଫିମ ଯୁଦ୍ଧ ବୋଲି କୁହାଯାଇ ଆସିଛି । ଆମ ଆସାମରେ ମଧ୍ୟ ଚାହା ବଗିଚାମାନଙ୍କରେ କେତେ କେତେ ଶୋଷଣଜନିତ ଉତ୍ପୀଡ଼ନ ହୋଇଛି । ସେତେବେଳେ ଓଡ଼ିଶାରୁ ମଧ୍ୟ ଚାହା ବଗିଚାରେ ଶ୍ରମିକ ହୋଇ ଖଟି କିଞ୍ଚିତ୍‌ ଲକ୍ଷ୍ମୀଲାଭର ଆଶାରେ ବହୁସଂଖ୍ୟକ ବ୍ୟକ୍ତି ଆସାମ ଯାତ୍ରା କରିଛନ୍ତି ଏବଂ ସେଥିରୁ ଥୋକେ ସେଠାକାର ସ୍ଥାୟୀ ବାସିନ୍ଦା ହୋଇ ରହି ଯାଇଛନ୍ତି । ଚାହା ବଗିଚାରେ ମାଲିକମାନଙ୍କର ଶ୍ରମିକପୀଡ଼ନ ବିଷୟରେ ସାହିତ୍ୟର ବି ରଚନା ହୋଇଛି । ପ୍ରଥମେ ତ ସାହେବମାନେ ସେହି ପେଣ୍ଠଗୁଡ଼ିକର ମାଲିକ ହୋଇ ରହିଥିଲେ । ସେମାନଙ୍କ ପରେ ମାଲିକାନାଟି ଭାରତୀୟ ଖାସ୍‌ମାନଙ୍କ ହାତକୁ ଆସିବା ପରେ ମଧ୍ୟ କ’ଣ କମ୍ ଅନାଚାର କରାଯାଇଛି !

 

ଆମ ସମସ୍ତଙ୍କର ଗୋଚରରେ ପୃଥ୍ୱୀ-ଇତିହାସର ଏକ ବିଶେଷ ଘଟଣାରୂପେ ଅବଶ୍ୟ ରହିଥିବ ଯେ ଏକଦା ଯୁକ୍ତରାଜ୍ୟ ଆମେରିକା ନାମକ ଭୂଖଣ୍ଡଟା ମଧ୍ୟ ଇଂରେଜ ଶାସନାଧୀନ ହୋଇ ରହିଥିଲା । ପୂର୍ବର ଏକ ପ୍ରଥମ ପର୍ଯ୍ୟାୟରେ ସିନା ଗୋରାମାନେ ସେଠାରେ ପହଞ୍ଚି ମୂଳ ବାସିନ୍ଦାମାନଙ୍କୁ ପ୍ରାୟ ବିଲୁପ୍ତ କରିଦେଇ ବସବାସ ଆରମ୍ଭ କରିଥିଲେ, ମାତ୍ର ସେହି ଗୋରାସମୂହଟି ମଧ୍ୟ ଘଟଣାକ୍ରମେ ବ୍ରିଟିଶ୍ ସାମ୍ରାଜ୍ୟର ଏକ ଉପନିବେଶ ରୂପେ ଶାସିତ ହେଉଥିଲା । ସର୍ବମୂଳ ସ୍ଵାର୍ଥମାନେ ବ୍ରିଟିଶ୍ ଶାସକପକ୍ଷଟିର ଏକପାଖିଆ ଅଧିକାର ଭିତରେ ହିଁ ରହିଥିଲେ । ସେହି ମାଲିକାନା ବିରୋଧରେ କ୍ରମେ ଅସନ୍ତୋଷ କୁହୁଳି ଉଠିଥିଲା ଓ ପ୍ରତିବାଦମାନ ହେଉଥିଲା । ସେତିକିବେଳର ସେହି କାହାଣୀଟିରେ ମଧ୍ୟ ଚାହା ନାମକ ବିଶେଷ ପଣ୍ୟସମ୍ପଦଟିର ଯେଉଁ ଭୂମିକାର ଉଲ୍ଲେଖ ରହିଛି, ଆମେ ସେଇଟି ବିଷୟରେ କିଞ୍ଚିତ୍‌ ଅବଶ୍ୟ ପରିଚିତ ହେବା । ଯଥାସମ୍ଭବ କିଞ୍ଚିତ୍‌ ବିସ୍ତାରିତ ଭାବରେ ଜାଣି ରଖିବା !

 

୧୭୭୩ ମସିହା ମଇମାସର କଥା । ଇଂଲଣ୍ଡର ପାର୍ଲିଆମେଣ୍ଟରେ ଗୋଟିଏ ଆଇନର ଘୋଷଣା କରାଯାଇଥିଲା, ଯାହା ବଳରେ କି ତତ୍କାଳୀନ ଇଷ୍ଟ ଇଣ୍ଡିଆ ଚାହା କୋମ୍ପାନୀକୁ ପାଞ୍ଚ ଲକ୍ଷ ପାଉଣ୍ଡ ଓଜନର ଚାହାକୁ ଆମେରିକା ନାମକ ସେହି ଉପନିବେଶକୁ ରପ୍ତାନୀ କରିବାର ଅଧିକାର ଦିଆଗଲା । କୋମ୍ପାନୀ ସେଠାରେ ଉକ୍ତ ଚାହାକୁ ବିକ୍ରୀ କରିବେ ଓ ଏକ ଖାସ୍ ରିହାତି ପ୍ରଦାନ ଅନୁସାରେ ସେମାନଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । କୁହାଯାଇଛି ଯେ, ସେହି କୋମ୍ପାନୀ ନାନା କୁତତ୍ତ୍ୱାବଧାନ ହେତୁ ପ୍ରାୟ ଦେୱାଲିଆ ହେବାକୁ ବସିଥିଲା ଏବଂ ନାନା ପ୍ରକାର ଦୁର୍ନୀତି ତଥା ଭ୍ରଷ୍ଟାଚାର ମଧ୍ୟ ଆସି ପଶି ଯାଇଥିଲା ଓ, ସରକାର ବାହାଦୂର କିଛି ଟିକସ ରିହାତି ମଞ୍ଜୁର କରି କୋମ୍ପାନୀର ଦଶାରେ କିଛି ସୁଧାର ଆଣିବାକୁ ଇଚ୍ଛା କରୁଥିଲେ । ସେହି ବିଶେଷ ସୁବିଧାଟିକୁ ହାସଲ କରିବାରୁ କୋମ୍ପାନୀ ଅନ୍ୟ ପ୍ରତିଦ୍ୱନ୍ଦୀ ବେପାରୀ ମାନଙ୍କର ତୁଳନାରେ ଅପେକ୍ଷାକୃତ ଅଧିକ ଶସ୍ତାରେ ଚାହାକୁ ବିକ୍ରୀ କରିପାରିଲା । ଅର୍ଥାତ୍, ତତ୍କାଳୀନ ଆମେରିକାର ବେପାର ନାମକ ଭାରସାମ୍ୟରେ ତଦ୍ଦ୍ୱାରା ଏକାଧିକ ସଂକଟର ସୃଷ୍ଟି ହୋଇଥିଲା । ବହୁତ ବ୍ୟକ୍ତି ଏବଂ ସଂସ୍ଥା ଏହି ନୂତନ ବ୍ୟବସ୍ଥାଟିକୁ ଗ୍ରହଣ କରି ପାରି ନ ଥିଲେ ଓ ବହୁ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଥିଲେ । ବୃହତ୍ ବନ୍ଦର ବୋଷ୍ଟନ୍‌ର ସାମ୍ ଆଡାମ୍‌ସ୍‌ ନାମକ ବ୍ୟାପାର କାରବାର ସଂସ୍ଥାଟିଏ ମଧ୍ୟ ଅସନ୍ତୁଷ୍ଟମାନଙ୍କ ମଧ୍ୟରେ ଅନ୍ୟତମ ଥିଲା ।

 

ସେହିବର୍ଷ ନଭେମ୍ବର ୨୭ ତାରିଖ ଦିନ ବିଲାତରୁ ଚାହାବୋଝ ଲଦଉ କରି ଆସିଥିବା ତିନୋଟି ଜାହାଜ ଆସି ବୋଷ୍ଟନ ସହରରେ ପହଞ୍ଚିଥିଲେ । ମାତ୍ର ପ୍ରତିବାଦକାରୀମାନେ ପୋତାଶ୍ରୟରେ ମାଲ ଉତାରିବା ସକାଶେ ଅନୁମତି ଦେଲେନାହିଁ । ଜାହାଜବାଲା ସେମାନଙ୍କୁ ଦେୟ ଶୁଳ୍କ କାଳେ ଦେଇ ପାରିବେ ନାହିଁ ଏବଂ ତା’ପରେ ଚାହାବୋଝ ଗୁଡ଼ିକୁ ବାଜ୍ୟାପ୍ତି କରି ସେଗୁଡ଼ିକୁ ବିକ୍ରୀ କରାଯିବା ଲାଗି ବଜାରକୁ ନିଆଯିବ, ସେହି ଆଶଙ୍କାରେ ଆଡାମସ୍ ଏବଂ ବୋଷ୍ଟନ ସହରର ପାରିଷଦବର୍ଗ ନିଜ ମଧ୍ୟରେ ବିଚାର କରି ସମାଧାନଟିଏ ବାହାର କରିଥିଲେ । ଡ଼ିସେମ୍ବର ୧୬ତାରିଖ ଦିନ ରାତ୍ରି ସମୟରେ କେତେକ ଲୋକ ଦଳ ବାନ୍ଧି ସ୍ଥାନୀୟ ଲୋହିତ ଭାରତୀୟଙ୍କ ପରି ପୋଷାକ ପିନ୍ଧି ଛଦ୍ମବେଶରେ ଜାହାଜଗୁଡ଼ିକ ଉପରକୁ ଉଠିଯାଇଥିଲେ ଏବଂ ୩୪୨ଟି ଚାହା ରହିଥିବା ଢ଼ାବଲକୁ ସମୁଦ୍ର ପାଣି ଭିତରକୁ ଫିଙ୍ଗି ଦେଇଥିଲେ । କହିବା ବାହୁଲ୍ୟ ଏପରି ଆଇନ-ବାହାର କାର୍ଯ୍ୟଟିଏ କରାଗଲା ବୋଲି ସହରର ମାନ୍ଦା ଦୃଷ୍ଟିକୋଣର ବ୍ୟକ୍ତିମାନେ ତାହାର ନିନ୍ଦା କଲେ ଏବଂ ପ୍ରଗତିଶୀଳମାନେ ଖୁସୀ ହୋଇଥିଲେ । ଇଂଲଣ୍ଡର ସରକାର ତା’ପରେ ଅଧିକ ରୋଷାନ୍ୱିତ ହୋଇ ଅନୁରୂପ ଆଇନ୍‌ମାନ ପ୍ରଣୟନ କରିଥିଲେ ଏବଂ ଏହିପରି ଭାବରେ ଯେଉଁ ଅସନ୍ତୋଷ କ୍ରମେ ଅଧିକ ଆହୁରି ଅସନ୍ତୋଷକୁ ଜନ୍ମ ଦେଇଥିଲା, ତାହା ହିଁ କ୍ରମେ ଦାନା ବାନ୍ଧି ଆସି ଏକ ସ୍ୱାଧୀନତା ଆନ୍ଦୋଳନର କାରଣ ମଧ୍ୟ ହେଲା । ଆମେରିକା ସ୍ୱାଧୀନ ହେଲା । ଚାହା ଢ଼ାବଲ ଗୁଡ଼ିକୁ ସମୁଦ୍ରକୁ ଫିଙ୍ଗି ଦେବାର ସେହି ସାହସିକ ଘଟଣାଟି ଇତିହାସରେ Boston Tea Party ନାମରେ ସେହି ଦିନଠାରୁ ବିଖ୍ୟାତ ହୋଇ ରହିଛି ।

 

ଏଥିପୂର୍ବରୁ ଏପରି କେତେକ ଘଟଣା ଘଟିଥିଲା, ଯାହାକି ସେହି ଐତିହାସିକ ବିରୋଧ ପ୍ରଦର୍ଶନକୁ କ୍ରମଶଃ କୁହୁଳାଇ ଆଣିଥିଲା । ପ୍ରାୟ ଚାହା ବଣିଜର ଯାବତୀୟ ସରବରାହରେ ଭାରତବର୍ଷ ଏବଂ ଅନ୍ୟାନ୍ୟ ବ୍ରିଟିଶ ଉପନିବେଶ ମଧ୍ୟରେ ଯେଉଁ କାରବାର କ୍ରିୟାଶୀଳ ହୋଇ ରହିଥିଲା, ସେଥିରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କୋମ୍ପାନୀର ହିଁ ପୂରା ଏକଚାଟିଆ ରହିଥିଲା । କମ୍ପାନୀର ଚାହା ଉପରେ ଟିକସ ଲାଗୁ ହେବାରୁ ଉପନିବେଶମାନେ ସେହି ଚାହାକୁ ଅଧିକା ଦାମ୍ ଦେଇ କିଣିବା ସକାଶେ ଆଉ ସମ୍ମତି ପ୍ରକାଶ କଲେନାହିଁ ଏବଂ ତେଣେ ଆପଣାର ଚାହିଦା ପୂରଣ କରିବାକୁ ହଲାଣ୍ଡଠାରୁ ଚାହା କ୍ରୟ କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ । ଫଳରେ ବ୍ରିଟିଶ ଚାହା କୋମ୍ପାନୀର ଗୋଦାମରେ ବିକ୍ରୀ ହୋଇ ନପାରିବା ହେତୁ ଗଦା ଗଦା ଚାହା ଜମା ହୋଇ ରହିଲା ଓ ଚାହାର ବ୍ୟବସାୟ ତାହା ଫଳରେ ପୂରା ବନ୍ଦ ହୋଇ ଯିବାର ଆଶଙ୍କା ଦେଖା ଯାଇଥିଲା । ଏପରି ଗୋଟିଏ ପ୍ରତିଷ୍ଠିତ ବାଣିଜ୍ୟିକ ସଂସ୍ଥା ବିଫଳତା ସ୍ୱୀକାର କରି ରହିଯାଉ ବୋଲି ତତ୍କାଳୀନ ବ୍ରିଟିଶ ସରକାର କଦାପି ଇଚ୍ଛା କରି ନ ଥାନ୍ତେ । ତେଣୁ ସିଏ ପ୍ରାଣପଣେ ଲାଗି ପଡ଼ିଥିଲେ । ନାଇଁ, ଅନୁକୂଳ ଆଇନମାନ ପାସ୍ କରି ଯେପରି ହେଲେ ଉପନିବେଶମାନଙ୍କୁ ବାଧ୍ୟ ହିଁ କରିବାକୁ ହେବ । ସେହି ଅଭିପ୍ରାୟରେ ୧୭୭୩ ମସିହାରେ ଏକ ଚାହା ଆଇନ ଇଂଲଣ୍ଡର ପାର୍ଲିଆମେଣ୍ଟରେ ଗୃହୀତ ହୋଇଗଲା । ଏଥିରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଉପନିବେଶ ମାନଙ୍କରେ ସିଧା ଯାଇ ଚାହାର କାରବାର ଜାରି ରଖିବାର ଅଧିକାର ପ୍ରଦତ୍ତ ହେଲା । ଅର୍ଥାତ୍, ସେଠାରେ ଆଗରୁ କାରବାରରେ ରହିଥିବା ସ୍ଥାନୀୟ ବ୍ୟବସାୟୀ ସଂସ୍ଥାମାନଙ୍କୁ ଅସ୍ୱୀକାର କରାଯାଇଥିଲା । ଏଇଟିରୁ ସୁରକ୍ଷା ପାଇ ଇଷ୍ଟଇଣ୍ଡିଆ କୋମ୍ପାନୀ ଅନ୍ୟମାନଙ୍କର ତୁଳନାରେ ଶସ୍ତା ହାରରେ ଚାହା ବିକ୍ରୟ କରିବାର ସୁବିଧା ପାଇପାରିଲା ଏବଂ ହଲାଣ୍ଡରୁ ଚୋରାରେ ଚାହା ଆଣି ଆମେରିକାରେ ବିକ୍ରୀ କରିବାର ଅନ୍ୟ ରୀତିଟି ଆଉ କୌଣସି ବାଧା ଦେଇ ପାରିଲା ନାହିଁ ।

 

ତା’ପରେ ଗୋଟିଏ ମୌଳିକ ପ୍ରଶ୍ନକୁ ମୂଳ କରି ଏକ ବିବାଦ ଉପୁଜି ଆସିଲା ଯାହାକି ଉପନିବେଶ ମାତ୍ରକେ ସବୁଠାରେ ହିଁ ଶାସକମାନଙ୍କ ନିମନ୍ତେ ଏକ ମୁଣ୍ଡବଥାର କାରଣ ହୋଇଥିଲା-। ଆମକୁ ଶାସନ କରୁଥିବା କର୍ତ୍ତାମାନେ ତ ଆମର ପ୍ରତିନିଧି ନୁହନ୍ତି, ତେବେ ଆମେ କାହିଁକି ସେମାନଙ୍କର ନିୟମକୁ ମାନି ଟିକସ ମଧ୍ୟ ଗଣିବୁ ! ସେମାନେ ଆମ ପ୍ରତିନିଧି ହୋଇଥିଲେ ସିନା ଆମର ପ୍ରୟୋଜନ ଗୁଡ଼ିକୁ ବୁଝୁଥାଆନ୍ତେ ଏବଂ ତା‘ ହେଲେ ଆମେ ସେମାନଙ୍କଠାରୁ ଉଚିତ କୌଣସି ଶାସନ ପାଉଥାଆନ୍ତୁ ! ତେଣୁ, ଆମେରିକାର ସେହି ଉପନିବେଶ ଗୁଡ଼ିକ ପୁନର୍ବାର ଦାବୀ କରିଥିଲେ ଯେ ବ୍ରିଟିଶ ସରକାର ସେହି ଅସଙ୍ଗତିଟିକୁ ହୃଦୟଙ୍ଗମ କରନ୍ତୁ ଓ ଚାହା ଉପରେ ବସାଇଥିବା ଟ୍ୟାକ୍ସଟିକୁ ଉଠାଇ ଦିଅନ୍ତୁ । ପୁଣି, ଏକଥା ମଧ୍ୟ ଘଟିଲା ଯେ ବନ୍ଦରର ଶ୍ରମିକମାନେ ମଧ୍ୟ ଜାହଜରୁ ଚାହାର ବଣ୍ଡୁଲିଗୁଡ଼ାକୁ କୂଳକୁ ଉତାରିବା ଲାଗି ମନା କରି ଦେଇଥିଲେ, ଏବଂ ତେଣେ ବ୍ରିଟିଶ୍ ଶାସନକର୍ତ୍ତା ସେହି ଶ୍ରମିକମାନେ ଅବଶ୍ୟ ମାଲ୍ ଉତାରିବେ ବୋଲି ଜିଦ୍ କରି ବସିଲେ । ପୁନଶ୍ଚ ତେଣେ ଲୋକମାନେ ମଧ୍ୟ ଚାହା ସକାଶେ ବସିଥିବା ଟିକସକୁ ନିଶ୍ଚୟ ଦେବେ ବୋଲି କହି ନଛୋଡ଼ବନ୍ଧା ହୋଇ ବାହାରିଥିଲେ । ଏହିପରି ପ୍ରାୟ ଗୋଟିଏ ଅଚଳ ଅବସ୍ଥାର ସୃଷ୍ଟି ହିଁ ହେଲା । ୧୭୭୩ ସାଲ ଡ଼ିସେମ୍ବର ଷୋଳ ତାରିଖରେ ଆପଣାକୁ ‘ମୁକ୍ତିର ସନ୍ତାନ’ ବୋଲି କହୁଥିବା ଦଳେ ଲୋକ ଯାଇ ବୋଷ୍ଟନ ପୋତାଶ୍ରୟରେ ପହଞ୍ଚି ଯାଇଥିଲେ । ସେମାନେ ଚିହ୍ନି ହେବେନାହିଁ ବୋଲି ଲୋହିତ ଭାରତୀୟମାନଙ୍କ ଭଳି ପୋଷାକ ପରିଧାନ କରିଥିଲେ । ସିଧା ଜାହାଜ ଉପରକୁ ଉଠି ଯାଇ ତିନୋଟି ଯାକରେ ଥାକ ମରାହୋଇ ରହିଥିବା ପ୍ରାୟ ପାଞ୍ଚଟନ୍ ଓଜନର ଚାହାକୁ ସମୁଦ୍ର ଭିତରକୁ ପକାଇ ଦେଇଥିଲେ ।

 

ସଂପୂର୍ଣ୍ଣ ପୃଷ୍ଠଭୂମିଟିକୁ ବୁଝିବା ପାଇଁ ସମ୍ଭବତଃ ଆଉ କିଛି ଘଟଣା ସହିତ କିଞ୍ଚିତ ପରିଚୟ ଲାଭ କରିବା ଉଚିତ ହେବ । ଆଗରୁ ଆମେରିକାର ସେହି ନୂଆ ଅଧିକାର–ପ୍ରତିଷ୍ଠାର ପ୍ରକ୍ରିୟାରେ ଫରାସୀ ଏବଂ ମୂଳ ବାସିନ୍ଦା ଲୋହିତ ଭାରତୀୟମାନଙ୍କ ଦ୍ଵାରା ବ୍ରିଟିଶ ସରକାରଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥିଲା । ୧୭୬୩ ମସିହାରେ ସେହି ଯୁଦ୍ଧମାନେ ଶେଷ ହେବାପରେ ବ୍ରିଟିଶ ସମ୍ରାଟ ଏବଂ ତାଙ୍କ ସରକାର କୌଣସି ନା କୌଣସି ପନ୍ଥା ଅବଲମ୍ବନ କରି ସେହି ଖର୍ଚ୍ଚର ଅନ୍ତତଃ କିଛି ହେଲେ ଭରଣା କରି ଆଣିବା ସକାଶେ ନାନାବିଧ ବାଟ ପ୍ରକୃତରେ ଖୋଜୁଥିଲେ । ଏବଂ, ଗୋଟିଏ ଉପାୟ ସ୍ୱରୂପ ସେମାନେ ଉପନିବେଶର ପ୍ରଜାମାନଙ୍କ ଉପରେ କିଛି ଟିକସ ବସାଇବା ଲାଗି ଖୁବ୍‌ ଚିନ୍ତା ବି କରୁଥିଲେ । ପୁନଶ୍ଚ ଉପନିବେଶର ସ୍ଥାନୀୟ ସରକାରମାନେ ମଧ୍ୟ କାଳକ୍ରମେ ନିଜକୁ ଗୋଟିଏ ଗୋଟିଏ ସ୍ଵାଧୀନ ସତ୍ତାପ୍ରାୟ ବିଚାର କରିବାକୁ ଯେପରି ମନୋଭାବ ଇତ୍ୟାଦିର ଲକ୍ଷଣ ପ୍ରକାଶ କରୁଥିଲେ, ବ୍ରିଟିଶ କର୍ତ୍ତୃପକ୍ଷ କିଛି ଅଧିକ ନିୟନ୍ତ୍ରଣଦ୍ୱାରା ସେଥିରେ ମଧ୍ୟ କିଛି ପରିବର୍ତ୍ତନ ଆଣିବା ନିମନ୍ତେ ଇଚ୍ଛା କଲେ । ବହୁବର୍ଷ କାଳ ସାମ୍ରାଜ୍ୟର ଶାସନ ଯୁଦ୍ଧରେ ହିଁ ଅଧିକତର ପରିମାଣରେ ବ୍ୟସ୍ତ ହୋଇ ରହିଥିବାରୁ କ୍ରମେ ସେହିପରି ଏକ ହୁଗୁଳା ଅବସ୍ଥା ସୃଷ୍ଟି ହୋଇ ପାରିଥିଲା । ମୂଳ ବ୍ରିଟିଶ ସରକାର ସତେଅବା ଲଗାମମାନଙ୍କୁ ଧରି ରଖିବାର କ୍ଷେତ୍ରରେ ଧୀରେ ଧୀରେ ଅସମର୍ଥ ହେଉଛି ବୋଲି ମଧ୍ୟ କିଞ୍ଚିତ୍‌ ଧାରଣା ମଧ୍ୟ ବେଶ୍ ଜନ୍ମିବାରେ ଲାଗିଥିଲା । ଏବଂ,ଯେତେବେଳେ ସେହି ଉପରୁ ନୂଆ ଆଇନ ଗୁଡ଼ିକୁ ଆଣି ଲଦି ଦିଆଗଲା, ସେତିକିବେଳେ ଅଧିବାସୀମାନେ ଅତ୍ୟନ୍ତ ଅସନ୍ତୁଷ୍ଟ ହିଁ ହେଲେ ଏବଂ ତାହା ଫଳରେ ଉଭୟ ପକ୍ଷ ମଧ୍ୟରେ ବେଶ୍ ଗୋଟିଏ ବୈମନସ୍ୟ ଅନୁଭୂତ ହେବାକୁ ଆରମ୍ଭ କଲା । ସେତେବେଳେ ଚାହା ଉପରେ ଏହି ଟିକସ ବସିବାର ଘଟଣାଟା ମଧ୍ୟ ଆସି ଘଟିବାରୁ ଲୋକଅସନ୍ତୋଷ ଆହୁରି ଅଧିକ ଚାକ୍ଷୁଷ ହୋଇ ଆସିଲା । ଦୁହେଁ ପରସ୍ପରଠାରୁ ଅଧିକରୁ ଅଧିକ ଦୂରବର୍ତ୍ତୀ ହେବାରେ ଲାଗିଥିଲେ ଓ ଦୂରତାମାନେ ବଢ଼ି ଆମେରିକାର ସେହି ଐତିହାସିକ ବିପ୍ଳବଟି ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରି ହିଁ ଆଣୁଥିଲେ ।

 

ଉପନିବେଶର ଅଧିବାସୀମାନେ ନୂଆ ଆଇନ ଅନୁସାରେ ଧାର୍ଯ୍ୟ ହୋଇଥିବା ଟିକସ ଦେବାଲାଗି ମନା କରିଦେଇଥିଲେ । କାରଣ ସ୍ୱରୂପ ସେହି ଗୋଟିଏ ଅଭିଯୋଗ,–ଶାସକମାନେ ଆମ ପ୍ରତିନିଧି ହୋଇ ନ ଥିବାରୁ ଆମେ ଆଦୌ ଏ ଟିକସ ଦେବୁନାହିଁ । ସାମ୍ରାଜ୍ୟ ମୁଣ୍ଡ ନୁଆଁଇଲା ଏବଂ ଚାହା ଟିକସ ଆଉ ଅନ୍ୟ ଟିକସର ନିୟମ ଗୁଡ଼ିକୁ ପ୍ରତ୍ୟାହାର କରି ନେଇଥିଲା । ସମ୍ଭବତଃ, ସରକାର ବର୍ତ୍ତମାନ ଏତିକି ତଥାପି ଦର୍ଶାଇ ଦେବାଲାଗି ଇଚ୍ଛା କରୁଥିଲେ ଯେ ଏହିପରି ଭାବରେ ଉପନିବେଶ ଗୁଡ଼ିକ ଉପରେ କର ବସାଇବାକୁ ସେମାନଙ୍କର ସର୍ବଦା ଅଧିକାର ରହିଛି ଏବଂ କେବଳ ସେଇ ଇଚ୍ଛା କଲେ ହୁଏତ କୌଣସି ନିର୍ଦ୍ଦିଷ୍ଟ ଟିକସକୁ ପ୍ରତ୍ୟାହାର କରି ନେଇପାରିବେ । ୧୭୭୩ ମସିହା ମଇ ମାସରେ ବିଲାତ ପାର୍ଲିଆମେଣ୍ଟ ଏକ ବିଶେଷ ଚତୁରତା ଅବଲମ୍ବନ କରିଥିଲା ଏବଂ ଆମେରିକାକୁ ଚାହା ଆମଦାନୀ କରି ବିକ୍ରୟ କରିବା ନିମନ୍ତେ ଇଷ୍ଟ ଇଣ୍ଡିଆ କୋମ୍ପାନୀକୁ ଏକାଧିକାର ପ୍ରଦାନ କଲା । ପୁନଶ୍ଚ, ଉପନିବେଶର ବାସିନ୍ଦାମାନଙ୍କ ନିମନ୍ତେ ଚାହା ଟିକସରେ ଏକ ରିହାତି ମଧ୍ୟ କରି ଅଣାଗଲା । ଆମେରିକାର ସେମାନେ ଆଗ ଅପେକ୍ଷା ବେଶ୍ ଶସ୍ତା ଭାବରେ ରପ୍ତାନୀ କରି ଅଣା ଯାଉଥିବା ଏହି ଚାହାକୁ କିଣି ପାରିବେ ବୋଲି ଘୋଷଣା ମଧ୍ୟ କରାଯାଇଥିଲା । ମତଲବଟି ରହିଥିଲା ଯେ ଶସ୍ତା ଦାମ୍‌ର ପ୍ରଲୋଭନ ପାଇ ସେମାନେ ଯେତେବେଳେ କୋମ୍ପାନୀର ଚାହାକୁ କ୍ରୟ କରିବେ, ତଦ୍ଦ୍ୱାରା ସେମାନେ ଟିକସ ବସାଇବା ପାଇଁ ସାମ୍ରାଜ୍ୟ ସରକାରଙ୍କର ରହିଥିବା ଅଧିକାରକୁ ପ୍ରକାରାନ୍ତରେ ସ୍ୱୀକାର ହିଁ କରିନେବେ । ବ୍ରିଟିଶ୍ ସରକାର ଅବଶ୍ୟ ଅନ୍ଦାଜ କରିବେ ଯେ ଉପନିବେଶର ସେହି ଲୋକମାନେ ଚାହାପାନ କରିବାର ଏହି ଅତିପ୍ରିୟ ଅଭ୍ୟାସଟିକୁ କେବେହେଲେ ପରିତ୍ୟାଗ କରି ପାରିବେ ନାହିଁ ଏବଂ ସେହି କାରଣରୁ ଟିକସ ଦେବାକୁ ଆଉ ଅରାଜୀ ହେବନାହିଁ । ମାତ୍ର, କାରଣ ଯାହା ହେଉ ପଛକେ, ସେହି ଅନ୍ଦାଜଟା ଅନୁସାରେ ଆଦୌ ଘଟଣାଟି ଘଟି ପାରିନଥିଲା । ଚାଲାକି କରି ସେମାନଙ୍କୁ ଯେ ପ୍ରତାରଣା କରାଯାଇ ପାରିବ, ସେହି କଥାଟି ମିଥ୍ୟାବୋଲି ପ୍ରମାଣିତ ହୋଇଗଲା । କାରଣ, ପରେ ଇଷ୍ଟ ଇଣ୍ଡିଆ କୋମ୍ପାନୀ ତରଫରୁ ଯେତେବେଳେ ଚାହା ଲଦା ହୋଇ ସେହି ପୂର୍ବ ଉପକୂଳର ଆଉ ଦୁଇଗୋଟି ଜାହାଜ ବନ୍ଦରରେ ଆସି ଲାଗିଲେ, ସେତେବେଳେ ମଧ୍ୟ ସେଗୁଡ଼ିକୁ ପୋତାଶ୍ରୟ ମଧ୍ୟରେ ଲଙ୍ଗର ପକାଇବାକୁ ଛାଡ଼ିଦିଆ ଯାଇନଥିଲା । ଆଉ ଗୋଟିଏ ବନ୍ଦରରେ ଆଉ କେତେ ପୋତ ଲଙ୍ଗର ପକାଇ ପାରିଲେ ନାହିଁ ସିନା, ମାତ୍ର ସେଗୁଡ଼ିକର ମାଲବୋଝକୁ କୂଳରେ ଥିବା ଗୋଦାମରେ ନେଇ ରଖାଗଲା ଏବଂ ବଜାରକୁ ଛାଡ଼ି ଦିଆଯାଇ ନଥିଲା । କଥିତ ଅଛି ଯେ, ସେଠାରେ ସେଗୁଡ଼ିକ ତିନିବର୍ଷ କାଳ ପଡ଼ି ରହିଥିଲେ ଏବଂ ଶେଷକୁ ସ୍ୱାଧୀନତା ସଂଗ୍ରାମକୁ କିଛି ଆର୍ଥିକ ସାହାଯ୍ୟ ମିଳିପାରିବ ବୋଲି ସଂଗ୍ରାମୀମାନେ ସେଗୁଡ଼ିକୁ ବଜାରକୁ ନେଇ ବିକ୍ରୀ କରି ଦେଇଥିଲେ ।

 

ସେହିପରି, ଯେତେବେଳେ ଚାହାବୋଝେଇ ତିନୋଟି ଜାହାଜ ବୋଷ୍ଟନରେ ଆସି ପହଞ୍ଚିଲା, ତଦ୍ଦ୍ୱାରା ସ୍ଥାନୀୟ ଅଧିବାସୀମାନଙ୍କର ମନରେ ତାହା ତୀବ୍ର ପ୍ରତିକ୍ରିୟାମାନ ସୃଷ୍ଟି କଲା । ସେହି ପ୍ରତିକ୍ରିୟା, ୧୭୭୩ ମସିହା ଡ଼ିସେମ୍ବର ଷୋଳ ତାରିଖ ଦିନ ପ୍ରକୃତରେ ଏକ ଶୀର୍ଷ ସୀମାରେ ଯାଇ ପହଞ୍ଚିଥିଲା, ଯେତେବେଳେ ପ୍ରାୟ ସାତ ହଜାର ସ୍ଥାନୀୟ ଅଧିବାସୀ ବେଶ୍ ଉତ୍ତେଜିତ ଭାବରେ ବନ୍ଦରକୁ ଆସି ଦଳ ଦଳ ହୋଇ ବୁଲିବାକୁ ଆରମ୍ଭ କଲେ । ସେଦିନ ସକାଳଓଳି ଏକ ସାଧାରଣ ସଭାରେ ନିଷ୍ପତ୍ତି ଗ୍ରହଣ କରାଗଲା ଯେ, ଚାହାପାଇଁ ଲୋକମାନେ ମୋଟେ କୌଣସି ଟିକସ ଦେବେ ନାହିଁ ଏବଂ ଆଖର ଜାହଜମାନେ ଚାହାବୋଝକୁ ଉତାରି ନପାରି ପୋତାଶ୍ରୟରୁ ବାହାରି ଚାଲିଯିବାକୁ ବାଧ୍ୟ ହିଁ ହେବେ । ଲୋକମାନଙ୍କର ପକ୍ଷରୁ ଗୋଟିଏ କମିଟି ଯାଇ ଶୁଳ୍‌କ ଆଦାୟର କର୍ମକର୍ତ୍ତାମାନଙ୍କର ଦପ୍ତରରେ ଏକ ଦାବୀ କଲେ ଯେ ସେମାନେ ଜାହଜମାନଙ୍କୁ ପୋତାଶ୍ରୟରୁ ବାହାରି ଚାଲିଯିବାକୁ ହିଁ ବର୍ତ୍ତମାନ ଆଦେଶ ଦେବେ । କର୍ତ୍ତାମାନେ ସେହି ଦାବୀଟି ମୁତାବକ କିପରି ବା କାର୍ଯ୍ୟ କରିଥାଆନ୍ତେ ! ଏହିପରି ଗୋଟିଏ ଅଚଳ ଅବସ୍ଥା ସୃଷ୍ଟି ହୋଇଥିଲା । କମିଟି ଯାଇ ସମବେତ ଜନତାକୁ ଶୁଳ୍କ ବିଭାଗୀୟ କର୍ତ୍ତାମାନଙ୍କର ଅରାଜୀଟି ବିଷୟରେ ଜଣାଇବା ସଂଗେ ସଂଗେ ଲୋକମାନେ ଅତ୍ୟନ୍ତ ଉତ୍ତେଜିତ ଭାବରେ ଚିତ୍କାର ହିଁ କରିବାକୁ ଲାଗିଲେ । ସେତେବେଳ ଦିନ ପ୍ରାୟ ରତ ରତ ହୋଇ ଆସୁଥାଏ ଏବଂ ସେହି ସମୟରେ ପ୍ରାୟ ଦୁଇଶହ ମନୁଷ୍ୟଙ୍କର ଗୋଟିଏ ଦଳ ଲୋହିତ ଭାରତୀୟଙ୍କର ପୋଷାକ ପିନ୍ଧି ଛଦ୍ମବେଶରେ ନିକଟସ୍ଥ ଗୋଟିଏ ଛୋଟ ପାହାଡ଼ ଉପରେ ଯାଇ ରୁଣ୍ଡହୋଇ ଯାଇଥିଲେ ଏବଂ ଏକ ସଂଗ୍ରାମର ଆହ୍ୱାନ ଦେଇ ଦୁଇ ଦୁଇ ଜଣ ବିଶିଷ୍ଟ ଗୋଟିଏ ଧାଡ଼ୀର ଆକାରରେ ପୋତାଶ୍ରୟ ପାଖରେ ଯାଇ ପହଞ୍ଚିଗଲେ । ସେମାନେ ତିନୋଟି ଯାକ ଜାହଜ ଭିତରକୁ ପ୍ରବେଶ କରି ଜମା ହୋଇଥିବା ବୋଝମାନଙ୍କୁ ପାଣିକୁ ପକାଇ ଦେଇଥିଲେ । ଏପରି ଏକ ଘଟଣାରେ ଲଣ୍ଡନରୁ ଥାଇ ଆମେରିକାର ଗୋଟାଏ ଭୂଇଁକୁ ଶାସନ କରୁଥିବା କେଶରୀମାନେ କିପରି ବା ପୂରା ଫିଡ଼ିକି ଯାଇ ନ ଥାନ୍ତେ । ବ୍ରିଟିଶ ପାର୍ଲିଆମେଣ୍ଟରେ କଡ଼ାରୁ ଆହୁରି କଡ଼ା ଆଇନ ପାସ୍ ହେଲା ଏବଂ କଟକଣାମାନ ଜାରି ହେବାକୁ ଆରମ୍ଭ କଲା । ଆଖର ବୋଷ୍ଟନ୍ ବନ୍ଦରଟିକୁ ବନ୍ଦ ମଧ୍ୟ କରିଦିଆ ଯାଇଥିଲା । ସେହି ଯେଉଁ ନିଆଁ କ୍ରମେ ଏହିପରି ଭାବରେ କୁହୁଳି ଉଠିଲା, ସେଇଥିରୁ ହିଁ ବିଶ୍ଵର ଇତିହାସରେ ଆମେରିକାର ସ୍ଵାଧୀନତା ନିମନ୍ତେ ଏକ ଉପୋଦ୍‌ଘାତର ଦ୍ଵାର ଖୋଲି ଯାଇଥିଲା ।

 

ସେହି ସେଦିନ ଯେଉଁ ଲୋହିତ ଭାରତୀୟଙ୍କର ବେଶରେ ପ୍ରତିବାଦୀମାନେ ଚାହା ବୋଝେଇ ଜାହାଜମାନଙ୍କରେ ପ୍ରବେଶ କରିଥିଲେ, ସେମାନଙ୍କ ମଧ୍ୟରେ ରହି ପ୍ରତ୍ୟକ୍ଷ ଭାଗ ନେଇଥିବା ଜଣେ ବ୍ୟକ୍ତି ତା’ପରେ ଘଟିଥିବା ଯାବତୀୟ ଘଟଣାର ବିବରଣୀଟିଏ ଲେଖି ରଖିଥିଲେ । ସେଥିରୁ ଜାଣିବାକୁ ମିଳୁଛି ‘ବେଳ ରତରତ ହୋଇ ଆସୁଥାଏ,–ମୁଁ ବେଶ୍ ତରତର ହୋଇ ଜଣେ ଲୋହିତ ଭାରତୀୟର ବେଶ ଧାରଣ କରି ବାହାରି ପଡ଼ିଥିଲି । ହାତରେ ଠିକ୍ ସେହିମାନଙ୍କ ପରି କୁରାଢ଼ୀଟାଏ ଧରିଥାଏ । ତା’ପରେ ନିଜର ମୁହଁ ଏବଂ ହାତମାନଙ୍କରେ ଗୋଟାଏ କମାରଶାଳକୁ ଯାଇ କୋଇଲାଗୁଣ୍ଡ ବୋଳି ହେଲି । ସେଠାରୁ ଆମେ ଉକ୍ତ ଜାହାଜମାନେ ଆଶ୍ରୟ ନେଇଥିବା ପୋତାଶ୍ରୟ ଆଡ଼କୁ ଗଲୁ । ଏହିପରି ଗୋଟିଏ ଛଦ୍ମ ମନୁଷ୍ୟକୃତି ଧାରଣ କରି ଆମେ ଯେମିତି ରାସ୍ତା ଉପରେ ବାହାରିଛୁ, ସେମିତି ଆଉମାନେ ମଧ୍ୟ ଆମସହିତ ଆସି ମିଶିଥିଲେ । ସମସ୍ତେ କୁରାଢ଼ୀ ଧରିଛନ୍ତି ଏବଂ ସମସ୍ତଙ୍କର ହାତ ଓ ମୁହଁରେ କଳା ବୋଳା ହୋଇଛି । ଆଗକୁ ଆଗକୁ ଏହିପରି ଯାଇ ଦଳଟି ପୋତାଶ୍ରୟରେ ପହଞ୍ଚି ଯାଇଥିଲା । ଆମ ଭିତରୁ ତିନିଜଣ ନେତାରୂପେ ନିଯୁକ୍ତ ହୋଇଥିଲେ,–ଅର୍ଥାତ୍ ସେମାନେ ନିର୍ଦ୍ଦେଶମାନ ଦେବେ ଓ ଆମେ ସେଗୁଡ଼ିକ ଅନୁସାରେ ଯାହାକିଛି କରିବୁ । ସେମାନଙ୍କର ପ୍ରସ୍ତାବ ଅନୁସାରେ ଆମେ ତିନୋଟି ଦଳରେ ବିଭକ୍ତ ହୋଇଗଲୁ-। ଅର୍ଥାତ୍ ଏହିପରି ବିଭକ୍ତ ହୋଇ ଆମେ ତିନୋଟିଯାକ ଜାହାଜରେ ଯାଇ ପ୍ରବେଶ କରିପାରିବୁ । ମୁଁ କେବଳ ଆମ ଦଳର ନିର୍ବାଚିତ ନେତାଙ୍କର ନାଆଁ ଟିକୁ ଜାଣିଥିଲି । ଅନ୍ୟ ଦଳରେ କେଉଁମାନେ ନିର୍ଦ୍ଦେଶକ ହୋଇଥିଲେ, ସେକଥା ମୋତେ ଜଣାନଥିଲା । ଅର୍ଥାତ୍, ଆମେ ସମସ୍ତେ କେବଳ ନିଜ ନିଜ ଦଳର ନେତାଙ୍କର ନାମ ଜାଣିଥିଲୁ । ତିନିଦଳଯାକ ନିର୍ଦ୍ଦିଷ୍ଟ ଗୋଟିଏ ସମୟରେ ହିଁ ଜାହାଜ ମାନଙ୍କରେ ପ୍ରବେଶ କରିବେ ବୋଲି ଆଦେଶ ପାଇ ଆମେ ସମସ୍ତେ ସେହିପରି ହିଁ କରିଥିଲୁ । ତା’ପରେ ଆମ ନିର୍ଦ୍ଦେଶକ ମୋତେ ହିଁ ଜାହାଜର ପରିକର ରୂପେ କାର୍ଯ୍ୟ କରିବାକୁ ନିଯୁକ୍ତ କଲେ ଏବଂ ମୁଁ ନିର୍ଦ୍ଦେଶ ପାଇ ଜାହାଜର କପ୍ତାନଙ୍କ ପାଖକୁ ଯାଇ ଚାହାର ପେଟି ଗୁଡ଼ିକ ରହିଥିବା କୋଠରୀର ଚାବି ମାଗିଲି । ମୁଁ ତତ୍‌କ୍ଷଣାତ୍ ସେହି ଆଦେଶଟିର ପାଳନ କରିଥିଲି । କପ୍ତାନ ମଧ୍ୟ ମୋ ହାତକୁ ଚାବି ବଢ଼ାଇ ଦେଇଥିଲେ । ମୋତେ ସାବଧାନ କରିଦେଇ କେବଳ କହିଥିଲେ ପେଟୀଗୁଡ଼ିକୁ ଖୁବ୍ ସତର୍କତା ସହିତ କୋଠରୀ ମଧ୍ୟରୁ ବାହାର କରିବାକୁ ହେବ, ଯେପରିକି ସେଗୁଡ଼ିକ ଫାଟି ନ ଯାଏ । ହଁ, ଜାହାଜର ମଧ୍ୟ ଯେପରି ଆଦୌ କୌଣସି କ୍ଷତି ମଧ୍ୟ ନ ହୁଏ । ତା’ପରେ ଆମ ଦଳର ନିର୍ଦ୍ଦେଶକଙ୍କଠାରୁ ଆଦେଶ ପାଇବାରୁ ଆମେ ପେଟୀଗୁଡ଼ିକ ଭିତରୁ ଚାହାର ବାକ୍ସଗୁଡ଼ିକ ବାହାର କରି ଗୋଟି ଗୋଟି କରି ପାଣି ଭିତରକୁ ପକାଇ ଦେଇଥିଲୁ । ସେହି ଆଦେଶଟି ମଧ୍ୟ ସଂପୂର୍ଣ୍ଣ ଭାବରେ ପାଳିତ ହେଲା । ପ୍ରଥମେ କୁରାଢ଼ୀ ସାହାଯ୍ୟରେ ପେଟୀମାନଙ୍କୁ ଖୋଲିବାକୁ ହେଲା ଏବଂ ତା’ ପରେ ବାକ୍ସମାନଙ୍କୁ ସମୁଦ୍ରମଧ୍ୟକୁ ନିକ୍ଷେପ କରିବାକୁ ହୋଇଥିଲା । ଅର୍ଥାତ୍ ଉକ୍ତ କାର୍ଯ୍ୟଟିକୁ ସଂପୂର୍ଣ୍ଣ କରିବାରେ ତିନିଘଣ୍ଟା ସମୟ ଲାଗିଲା । ଅନ୍ୟ ଜାହାଜ ଗୁଡ଼ିକରେ ଆମ ସାଥୀର ଅନ୍ୟବ୍ୟକ୍ତିମାନେ ମଧ୍ୟ ଠିକ୍ ସେହି କାର୍ଯ୍ୟଟିକୁ ଯଥା ସମୟରେ ସଂପନ୍ନ କରିଥିଲେ-। ହଁ, ସେତେବେଳେ ଆମର ଚାରିପାଖରେ ଅସ୍ତ୍ରଶସ୍ତ୍ର ବୋଝାଇ ହୋଇ ରହିଥିବା ବ୍ରିଟିଶ ଜାହାଜମାନେ ସେଠି ରହିଲେ ସିନା, ମାତ୍ର ଆମର ପ୍ରତିରୋଧ କରିବା ସକାଶେ ଆଦୌ କିଛି କଲେ ନାହିଁ । ଏବଂ, ଏହିପରି ଭାବରେ ତିନୋଟିଯାକ ଜାହାଜରେ ବୋଝେଇ ହୋଇ ରହିଥିବା ସବୁ ଚାହା ସମୁଦ୍ର ମଧ୍ୟକୁ ବିସର୍ଜନ ଦିଆଯିବାର ପରବର୍ତ୍ତୀ ଦିନ ସକାଳେ ଦେଖିବାକୁ ମିଳିଥିଲା ଯେ, ବେଶ୍ ବହୁତ ସଂଖ୍ୟାର ଚାହା ଡ଼ିବାମାନ ପାଣି ଉପରେ ଭାସିବାରେ ଲାଗିଥିଲେ । ତା’ପରେ ଏପରି ମଧ୍ୟ ଘଟିଥିଲା ଯେ, କେହି ନିଜପାଇଁ ଅନ୍ତତଃ କିଛି ଚାହାକୁ ପାଣି ଉପରୁ ଛାଣିନେବା ନିମନ୍ତେ କୌଣସି ଚେଷ୍ଟା କରିନଥିଲେ; ବରଂ କେତେକ ସାଧାରଣ ବାସିନ୍ଦା ଡଙ୍ଗାରେ ଆହୁଲା ମାରି ପୋତାଶ୍ରୟ ଭିତରକୁ ପ୍ରବେଶ କଲେ ଏବଂ ଭାସୁଥିବା ଚାହାଗୁଡ଼ିକ ଯେପରି ସଂପୂର୍ଣ୍ଣ ଭାବରେ ଭିଜିଯାଇ ବ୍ୟବହାର ଲାଗି ସଂପୂର୍ଣ୍ଣ ଭାବରେ ଅନୁପଯୋଗୀ ହୋଇଯିବ, ସେଥିପାଇଁ ସେଗୁଡ଼ିକୁ ପୂରାପୂରି ପାଣି ସହିତ ମିଶାଇ ଦେଉଥିଲେ ।

 

ସେହି ବୋଷ୍ଟନ ଟି ପାର୍ଟି ବିଷୟରେ ଆଖିଦେଖା ଆଉଏକ ବିବରଣୀ । କିଛି କିଛି କଥାର ପୁନରାବୃତ୍ତି ହୋଇଛି । ତଥାପି ବିବରଣୀଟିରୁ ଆମେ ପ୍ରାୟ କିଛିହେଲେ ବାଦ୍ ଦେବାନାହିଁ: ଯେଉଁ ଚାହା ପେଟୀଗୁଡ଼ିକୁ ଆମେ ଜାହାଜ ଉପରୁ ସମୁଦ୍ରର ପାଣିକୁ ଫିଙ୍ଗି ଦେଇଥିଲୁ, ତାହା ତିନୋଟି ଜାହାଜରେ ଲଦାହୋଇ ପୋତାଶ୍ରୟ ଭିତରକୁ ଆସିଥିଲେ । ତିନୋଟିଯାକ ଜାହାଜ କିତି କତି ହୋଇ ଲଙ୍ଗର ପକାଇ ଛିଡ଼ା ହୋଇ ଥାଆନ୍ତି । ସେଗୁଡ଼ିକୁ ଜଗିରହିବା ସକାଶେ ଚାରିପାଖରେ ଅସ୍ତ୍ରଶସ୍ତ୍ର ମହଜୁଦ୍ ହୋଇ ରହିଥିବା ଯୁଦ୍ଧଜାହାଜ କେତୋଟି ମଧ୍ୟ ଲଙ୍ଗର ପକାଇଥାନ୍ତି । ସେହି ଯୁଦ୍ଧଜାହାଜମାନଙ୍କର କପ୍ତାନମାନେ ପୂର୍ବରୁ ହିଁ ସର୍ବସାଧାରଣଙ୍କୁ ଘୋଷଣା କରି କହି ଦେଇଥିଲେ ଯେ ଯଦି ସହରର ଅଧିବାସୀ ବିଦ୍ରୋହୀମାନେ ଏକ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଏହି ତିନି ଜାହଜରୁ ଚାହପେଟୀଗୁଡ଼ିକ ଉତାରି ଦିଆଯିବା ସକାଶେ ଛାଡ଼ି ନଦେବେ, ତେବେ ସେଦିନ ପେଟୀମାନଙ୍କୁ ବଳପ୍ରୟୋଗ କରି ହିଁ କୂଳକୁ ଉତାରି ଅବଶ୍ୟ ଦିଆଯିବ । ସେଥିରେ ବିରୋଧ କରାଗଲେ ତୋପର ସମ୍ମୁଖୀନ ହେବାକୁ ହିଁ ପଡ଼ିବ । ୧୭୭୩ ମସିହା ଡ଼ିସେମ୍ବର ସତର ତାରିଖକୁ ଉକ୍ତ ଦିନଟି ଧାର୍ଯ୍ୟ କରାଯାଇଥିଲା । ସେହି ଦିବସଟିର ପୂର୍ବଦିନ ଅଥଚ ଷୋଳ ତାରିଖରେ ସହରର ସେହି ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କର ଗୋଟିଏ ସଭା ଡକାଗଲା । ସହରରେ ଗୋଟିଏ ଗୀର୍ଜାରେ ସମସ୍ତେ ଆସି ଏକତ୍ର ହେବେ ବୋଲି କୁହା ହୋଇଥାଏ । ଚାହାପେଟୀଗୁଡ଼ିକୁ ଯେପରି ତଥାପି କୂଳକୁ ଉତାରି ପାରିବା ସମ୍ଭବ ନହେବ, ସେହି ସଂପର୍କରେ ବିଚାର-ପରାମର୍ଶ କରି କିଛି ଉପାୟ ସ୍ଥିର କରିବା ନିମନ୍ତେ ସେହି ସଭାଟିକୁ ଡକା ଯାଇଥିଲା । ଏବଂ, ଲୋକମାନଙ୍କ ପାଖରୁ ଯେପରି ଚାହା ସକାଶେ ମୋଟେ କୌଣସି ଟିକସ ଆଦାୟ କରାଯାଇ ନପାରିବ, ସେହି ବିଷୟରେ କଥା ପଡ଼ିବାର ରହିଥିଲା । ସଭାରେ କେତେଜଣଙ୍କୁ ନେଇ ଗୋଟିଏ କମିଟି ଗଠିତ ହେଲା, ଯେଉଁମାନେ କି ଗଭର୍ଣ୍ଣରଙ୍କୁ ଯାଇ ସାକ୍ଷାତ କରିବେ ଏବଂ, ଲୋକମାନଙ୍କର ସେହି ଲକ୍ଷ୍ୟର ପୂରଣ ନିମନ୍ତେ ସେ କୌଣସି ପ୍ରକାରର କି ପଦକ୍ଷେପ ଗ୍ରହଣ କରିପାରିବେ, ତାଙ୍କୁ ସେହି ପ୍ରଶ୍ନଟିକୁ ମଧ୍ୟ ପଚାରିବେ ।

 

ହଁ, ଗଭର୍ଣ୍ଣର ବିଷୟଟି ଉପରେ କିଛି ଚିନ୍ତା କରିବେ ଏବଂ ନିର୍ଦ୍ଦିଷ୍ଟ ଭାବରେ କିଛି ନା କିଛି ଉତ୍ତର ଅପରାହ୍ନ ପାଞ୍ଚଟା ସୁଦ୍ଧା ଜଣାଇ ଦିଆଯିବ ବୋଲି ତେଣୁ ପ୍ରତିଶ୍ରୁତି ମିଳିଲା । କମିଟିର ସଦସ୍ୟମାନେ ଉକ୍ତ ସମୟରେ ପୁନର୍ବାର ଯାଇ ଗଭର୍ଣ୍ଣରଙ୍କର ଦପ୍ତରରେ ପହଞ୍ଚିଥିଲେ ଏବଂ ସମ୍ବାଦ ମିଳିଲା ଯେ ସିଏ ସେଠାରେ ନାହାନ୍ତି ଓ ସେଠାରୁ ପ୍ରାୟ ଛଅ ମାଇଲ୍ ଦୂରରେ ଥିବା ତାଙ୍କର ଆଉଗୋଟିଏ ମହକୁମାକୁ ଯାଇଛନ୍ତି । କମିଟିର ସଦସ୍ୟମାନେ ଫେରି ଆସିଥିଲେ ଏବଂ ଗଭର୍ଣ୍ଣର ବର୍ତ୍ତମାନ ନାହାନ୍ତି ଓ ଅନ୍ୟତ୍ର ଚାଲି ଯାଇଛନ୍ତି ବୋଲି ସଭାରେ ସମବେତ ହୋଇଥିବା ସମୂହଟିକୁ ଖବର ଦେଇଥିଲେ । ଉପସ୍ଥିତ ସମାଗମଟିର ମନରେ ସେକଥା ଜାଣି ବେଶ୍ ପ୍ରତିକ୍ରିୟାମାନ ସୃଷ୍ଟି ବି ହେଲା । ତତ୍‌କ୍ଷଣାତ୍ ସଭାଟିକୁ ଭାଙ୍ଗି ଦିଆଗଲା ଏବଂ ବହୁସଂଖ୍ୟକ ବ୍ୟକ୍ତି “ଏଥର ପ୍ରତ୍ୟେକ ବ୍ୟକ୍ତି ଯାହା କରିବାକୁ ଉଚିତ ବୋଲି ମନେ କରିବ, ସେ ତାହାହିଁ ଅବଶ୍ୟ କରିବ ତଥା ସର୍ବୋପରି ନିଜର ଦେଶପ୍ରତି ହିଁ କର୍ତ୍ତବ୍ୟସଚେତନ ରହିବ ବୋଲି ବଡ଼ପାଟିରେ କହି ଆପଣାର ବିକ୍ଷୁବ୍ଧ ମନୋଭାବକୁ ମଧ୍ୟ ପ୍ରକାଶ କରିଥିଲେ,’’ ଏବଂ, ଏକ ପ୍ରକୃତ ବାଟ ମଧ୍ୟ ମିଳି ଯାଇଥିବା ପରି ସେମାନଙ୍କ ମଧ୍ୟରୁ ବହୁତ ଲୋକ ସତେଅବା ବେଶ୍ ଉଲ୍ଲସିତ ହୋଇ ପୋତାଶ୍ରୟ ଆଡ଼କୁ ଦଉଡ଼ିବାର ଦେଖାଯାଇଥିଲା ।

 

କ୍ରମେ ସଞ୍ଜ ବୁଡ଼ି ଆସିଥାଏ । ଏବଂ ମୁଁ ଖୁବ୍‌ ତରତର ହୋଇ ନିଜକୁ ଅନୁରୂପ ପୋଷାକ ପିନ୍ଧି ଜଣେ ଲୋହିତ ଭାରତୀୟ ପରି ଦେଖାଯିବାକୁ ଚେଷ୍ଟା କରିଥିଲି । ହାତରେ ସାନ କୁରାଢ଼ୀଟିଏ ଧରିଲି । କୌଣସି କମାରଶାଳକୁ ଯାଇ ମୁହଁ ଓ ହାତରେ କୋଇଲାଗୁଣ୍ଡ ବୋଳିବାକୁ ମଧ୍ୟ ହୋଇଥିଲା । ଆମେ ସମସ୍ତେ ପ୍ରାୟ ଅବିକଳ ଗୋଟିଏ ପରିଚୟ ଧାରଣ କଲୁ ଏବଂ ପୋତାଶ୍ରୟ ଅଭିମୁଖେ ଚାଲି ଯାଇଥିଲୁ । ସମସ୍ତେ ଆମର ଲକ୍ଷ୍ୟସ୍ୱରୂପ ସେହି ଜାହଜ ତିନୋଟି ଆଡ଼କୁ ହିଁ ଅଗ୍ରସର ହେବାରେ ଲାଗିଲୁ । ସେଠାରେ ଆମ ଭିତରୁ ଏପରି ତିନିଜଣଙ୍କୁ ଖାସ୍ ନିଦ୍ଧାରିତ କରି ରଖାଗଲା ଯେଉଁମାନେ କି ଆମକୁ ଯାହାସବୁ କରିବାକୁ ହବ, ସେହି ବିଷୟରେ ନିର୍ଦ୍ଦେଶ ଦେବେ ଏବଂ ସେହି ନିର୍ଦ୍ଦେଶଗୁଡ଼ିକୁ ମାନି ଆମେ ଯାହାକିଛି ଅବଶ୍ୟ କରିବୁ । ସେମାନେ ଆମ ସମସ୍ତଙ୍କୁ ତିନୋଟି ଦଳରେ ବାଣ୍ଟି ଦେଲେ । ପ୍ରତ୍ୟେକ ଦଳ ଚାହା ବୋଝେଇ ହୋଇ ରହିଥିବା ଗୋଟିଏ ଗୋଟିଏ ଜାହାଜରେ ପ୍ରବେଶ କରିବେ ବୋଲି ଆମକୁ ଜଣାଇ ଦିଆଗଲା । ହଁ, ତିନୋଟିଯାକ ଜାହାଜରେ ଏକା ସମୟରେ ପ୍ରବେଶ କରିବାକୁ ହେବ । ଆମ ଦଳର ନେତାଙ୍କର ନାମ ମୋତେ ଜଣାଇ ଦିଆଗଲା ସତ, ମାତ୍ର ଅନ୍ୟ ଦଳର ଅନ୍ୟ ଦୁଇଜଣ ନେତାଙ୍କ ନାମ ମୋର ଅନବହିତ ରହିଥିଲା ।

 

ଆଦେଶ ଅନୁସାରେ ଆମେ ଏକା ସମୟରେ ହିଁ ତିନୋଟି ଜାହାଜରେ ଯାଇ ପ୍ରବେଶ କଲୁ । ଆମର ନେତା ମୋତେ ଦଳତରଫରୁ ଜାହଜଟିର କପ୍ତାନଙ୍କ ପାଖକୁ ଯାଇ ଗୋଦାମଘରର ଚାବି ଏବଂ ପ୍ରାୟ ଏକ ଡଜନ ମହମବତୀ ମାଗି ଆଣିବା ସକାଶେ ପ୍ରେରଣ କରିଥିଲେ । ମୁଁ ସଙ୍ଗେ ସଙ୍ଗେ ଆଦେଶ ପାଳନ କଲି ଏବଂ କପ୍ତାନ ମହୋଦୟ ମଧ୍ୟ ମୋ’ କଥା ଅନୁସାରେ ପଦାର୍ଥଗୁଡ଼ିକୁ ମୋ’ହାତକୁ ବଢ଼ାଇ ଦେଇଥିଲେ । ଅବଶ୍ୟ ସେ ମୋତେ ସତର୍କ କରିଦେଇ କହିଥିଲେ ଯେ, ମୁଁ ଯାହାକିଛି କରିବି ପଛକେ, ଜାହାଜର ଆଦୌ କୌଣସି ଲୋକସାନ ନଘଟାଇବା ବିଷୟରେ ସବୁବେଳେ ସାବଧାନ ହୋଇ ରହିଥିବି । ତାପରେ ଆମ ଦଳପତିଙ୍କର ଆଦେଶ ଅନୁସାରେ କୋଠରୀଗୁଡ଼ିକ ଖୋଲା ହେଲେ । ସେହି ଅନୁସାରେ ପେଟୀମାନଙ୍କୁ ବାହାରକୁ ବାହାର କରି ନିଆଗଲା ଏବଂ ହତିଆର ସାହାଯ୍ୟରେ ସେଗୁଡ଼ିକୁ ଭାଙ୍ଗି ଚାହାବାକ୍ସମାନଙ୍କୁ ବାହାରକୁ ଅଣା ଯାଇଥିଲା । ଶେଷରେ ସେମାନଙ୍କୁ ପାଣିଭିତରକୁ ନିକ୍ଷେପ କରିବାର କାର୍ଯ୍ୟଟି ମଧ୍ୟ ସମାପ୍ତ ହେଲା-। ପ୍ରାୟ ତିନିଘଣ୍ଟା ଭିତରେ ଜାହାଜ ଉପରେ ଆମ ଉପରେ ନ୍ୟସ୍ତ ହୋଇଥିବା ସକଳ କାର୍ଯ୍ୟ ସମ୍ପାଦିତ ହୋଇ ଯାଇଥିଲା । ଆମ ଚାରିପାଖରେ ଅସ୍ତ୍ରଶସ୍ତ୍ର ଦ୍ଵାରା ସଜ୍ଜିତ ବ୍ରିଟିଶ ଜାହାଜମାନେ ଏହି ତିନୋଟି ଜାହାଜକୁ ଘେରି କରି ଛିଡ଼ା ହୋଇଥିଲେ ସିନା, କିନ୍ତୁ ଏମାନେ ଆମର ପ୍ରତିରୋଧ କରିବା ସକାଶେ ଆଦୌ କୌଣସି ଉଦ୍ୟମ କରିନଥିଲେ ।

 

ତା’ପରେ ଆମେ ପ୍ରତ୍ୟେକେ ନିଜ ନିଜ ଘରମାନଙ୍କୁ ଫେରି ଆସିଲୁ । ବାଟରେ ମୋଟେ ଏକ ଆରେକ ସହିତ କୌଣସି କଥାବାର୍ତ୍ତା ହୋଇନଥିଲୁ । ଏପରିକି ଆମ ସହିତ ରହିଥିବା ଓ ଏହି ସବୁଯାକ କାମ କରିଥିବା ବ୍ୟକ୍ତିମାନେ କେଉଁସବୁ ସ୍ଥାନରୁ ଆସିଛନ୍ତି ଓ ସେମାନଙ୍କର ନାମ ମଧ୍ୟ କ’ଣ, ଏସବୁ କୌଣସି କଥା ପରସ୍ପରକୁ ପଚାରି ଜାଣିବାକୁ ବି ଚେଷ୍ଟା କରିନଥିଲୁ । ହଁ, ମୁଁ କେବଳ ଆମ ନିର୍ଦ୍ଦିଷ୍ଟ ଦଳର ନେତାଙ୍କର ନାମଟିକୁ ଜାଣିଥିଲି ଏବଂ କିଛିଦିନ ପର୍ଯ୍ୟନ୍ତ ମନେ ରଖିଥିଲି । ସତେଅବା ଆଗରୁ ଏହିଭଳି ଗୋଟିଏ ନିଷ୍ପତ୍ତି ହୋଇ ରହିଥିଲା ଯେ, ଆମେ ସମସ୍ତେ କେବଳ ଜଣେ ଜଣେ ସେଚ୍ଛାସେବୀ ହୋଇ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାଲାଗି ଆସିଛୁ ଏବଂ ତେଣୁ ନିର୍ଦ୍ଦେଶ ମୁତାବକ ସେହି କାର୍ଯ୍ୟଟିକୁ କରିଯିବୁ ଏବଂ ସେହି କଥାଟିକୁ ହିଁ ମନରେ ରଖିଥିବୁ ଓ ଆଉ ଅନ୍ୟ କୌଣସି କଥାକୁ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବୁ ନାହିଁ । ତଥା, କାର୍ଯ୍ୟଟିକୁ କରୁଥିବା ସମୟରେ ଯାହାକିଛି ପରିଣାମ ଆସି ପହଞ୍ଚିବ, ସେଇଟିକୁ ମଧ୍ୟ ନିଜେ ନିଜେ ଆଦରିନେବୁ । ଏବଂ, ତାହାହିଁ ହୋଇଥିଲା; କାଯ୍ୟଟିକୁ କରିବା ସମୟରେ କୌଣସି ବ୍ୟାଘାତ ଅଥବା ବିପଦର ସମ୍ମୁଖୀନ ହେବାକୁ ପଡ଼ିଲାନାହିଁ । ଏବଂ, ବସ୍ତୁତଃ, ତା’ର ପରବର୍ତ୍ତୀ ଦିନର ରାତ୍ରିଟି ବୋଷ୍ଟନବାସୀଙ୍କ ନିମନ୍ତେ ସଂପୂର୍ଣ୍ଣ ଶାନ୍ତିର ହିଁ ଏକ ରାତ୍ରିରୂପେ ଅନୁଭୂତ ହେଉଥିଲା: ସତେଅବା ପୂର୍ବ ରାତିରେ ସେପରି କୌଣସି ବିଶେଷ ଘଟଣା ଘଟିନାହିଁ, ପୂରା ସେହିଭଳି ଲାଗୁଥିଲା ।

 

ହଁ, ଚାହାର ବାକ୍ସଗୁଡ଼ିକୁ ଫଟାଇ ସେଥିରେ ଥିବା ଚାହାକୁ ଆମେ ପାଣି ଭିତରକୁ ଉଜାଇଁ ଦେଉଥିବା ସମୟରେ ସହର ତଥା ପାଖଆଖ ଜାଗାମାନଙ୍କର କେତେକ ଲୋକ ନିଜ ଘରର ବ୍ୟବହାର ସକାଶେ କିଛି ଚାହା ଛାଣି ସଂଗ୍ରହ କରିନେବାଲାଗି କେତେକ ଉଦ୍ୟମ କରୁଥିଲେ । ଆମେ କାର୍ଯ୍ୟଟିକୁ କରୁଥିବା ସମୟରେ କିଛି କିଛି ଚାହା ବାକ୍ସମାନଙ୍କରୁ ବାହାରି ଜାହାଜର ଡେକ୍ ଉପରେ ଯେତେବେଳେ ଏଣେ ତେଣେ ହୋଇ ପଡ଼ି ଯାଉଥିଲା, ସେମାନେ ସେତେବେଳେ ମୁଠାଏ ମୁଠାଏ ସଂଗ୍ରହ କରି ପକେଟରେ ପୂରାଇ ଦେବାଲାଗି ଚେଷ୍ଟା କରୁଥିଲେ । ମୋର ପରିଚିତ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ମୁଁ ସେହି ଲୋକମାନଙ୍କ ମଧ୍ୟରେ ଦେଖିବାକୁ ପାଇଥିଲି, ସିଏ ବେଶ୍ ହୁଏତ ଭାବୁଥାନ୍ତି ଯେ ସିଏ ସେହି କାର୍ଯ୍ୟଟି କରୁଥିବା ସମୟରେ ତାଙ୍କୁ ଆଦୌ କେହିହେଲେ ଦେଖି ପାରୁନାହାନ୍ତି । ସିଏ ଚାହାର ଗୁଣ୍ଡଗୁଡ଼ିକୁ ପିନ୍ଧିଥିବା କୋଟର ପକେଟ ତଥା ଅନ୍ୟ ସ୍ଥାନଗୁଡ଼ିକରେ ଭରିବାରେ ଲାଗିଥାନ୍ତି । କିନ୍ତୁ ମୁଁ ତାଙ୍କୁ ବେଶ୍ ଦେଖି ନେଇଥିଲି ଏବଂ ଆମ ଦଳର ନେତାଙ୍କୁ ୟାଙ୍କର କାର୍ଯ୍ୟଟି ବିଷୟରେ ଯାଇ କହିଦେଲି । ତାଙ୍କୁ ଅଟକବନ୍ଦୀ କରି ରଖିବା ନିମନ୍ତେ ଆମ ନେତା ଆଦେଶ ଦେଇଥିଲେ ଏବଂ ତା’ପରେ ଖୁବ୍ ତରକା ହୋଇ ଯେତେବେଳେ ସେ ଜାହାଜ ଉପରୁ ଖସି ଚାଲିଯିବାକୁ ଉଦ୍ୟତ ହେଉଥିଲେ, ସେତେବେଳେ ମୁଁ ଦଉଡ଼ିଯାଇ ତାଙ୍କର କୋଟ୍‌କୁ ପଛଆଡ଼ୁ ପକଡ଼ି ନେଇଥିଲି । ଏହିପରି ଭାବରେ ତାଙ୍କୁ ପଛରୁ ଧରି ଟାଣି ଆଣୁଥିବା ବେଳେ ତାଙ୍କର କୋଟ୍‌ଟି ମଧ୍ୟ ଚିରି ଯାଇଥିଲା । ତଥାପି, ସିଏ ଅଟକି ରହିନଥିଲେ ଓ ସିଧା ଫକ୍‌କରି ଜାହାଜରୁ ଡେଇଁ ପଡ଼ି ପଳାଇ ବି ଯାଇଥିଲେ । ତଥାପି, ଉପରେ ସ୍ଥଳଭାଗରେ ଯେଉଁ ବହୁତ ମଣିଷ ସେତେବେଳେ ଜମା ହୋଇ ରହିଥିଲେ, ସେମାନେ ତାଙ୍କୁ ବେଶ୍ ଉତ୍ତମ ମଧ୍ୟମ ନବସାଇ ଆଦୌ ଛାଡ଼ି ଦେଇନଥିଲେ ।

 

ଆହୁରି ଜଣେ ଢେର୍‌ ପ୍ରୌଢ଼ ବୟସର ବେଶ୍ ଡେଙ୍ଗା ଚେହେରାର ବ୍ୟକ୍ତି,–ସିଏ ମଧ୍ୟ ସେହିପରି ଡେକ୍ ଉପରୁ କେତେ ପୋଷ ଚାହା ସାଉଁଟି ନେବା ସକାଶେ ଚେଷ୍ଟା କରୁଥାଆନ୍ତି । ମୁଣ୍ଡରେ ଗୋଟିଏ ଲମ୍ବା ଗୋଲିଆ ହୋଇ ଦିଶୁଥବା ଟୋପି ପିନ୍ଧିଥାନ୍ତି ଏବଂ ତା ତଳକୁ ଧଳା ରଙ୍ଗର ବାଳ ମଧ୍ୟ ଲଗାଇଥାନ୍ତି । ସେତେବେଳର ପରିଧାନ-ପରିପାଟୀରେ ସେତେବେଳେ ସେଇଟି ବେଶ୍ ଫେଶନ ହିସାବରେ ଚଳୁଥିଲା । ହଁ, ଖୁବ୍ କଉଶଳ ସହକାରେ ସିଏ ମଧ୍ୟ କିଛି ଚାହାଗୁଣ୍ଡକୁ ନେଇ ନିଜ ପକେଟରେ ଭରି ରଖିଥିଲେ । କିନ୍ତୁ ଆମର ଦଳଟି ମଧ୍ୟରୁ କାହା ଆଖିରେ ପଡ଼ି ଧରା ବି ହେଲେ । ସେମାନେ ତାଙ୍କର ମୁଣ୍ଡରୁ ଟୋପି ତଥା ପରିହିତ ସେହି କେଶଗୁଚ୍ଛଟିକୁ କାଢ଼ି ନେଇ ଯାଇଥିଲେ । ତା’ପରେ ସିଏ ପକେଟରେ ଭରି ରଖିଥିବା ଚାହାକୁ କାଢ଼ି ବାହାର କରିନେଲେ ଏବଂ ତା’ପରେ ତାଙ୍କୁ ଶୂନ୍ୟେଶୂନ୍ୟେ ଟେକି ନେଇ ଜାହଜ ଉପରୁ ସିଧା ପାଣି ଭିତରକୁ ପକାଇ ଦେଇଥିଲେ । ବୁଢ଼ା ବ୍ୟକ୍ତି ଜଣକ ତଥାପି ଯେକୌଣସି ପ୍ରକାରେ ପହଁରି ପହଁରି କୂଳ ଉପରକୁ ଅବଶ୍ୟ ଉଠି ଯାଇଥିଲେ ସତ, କିନ୍ତୁ ତାଙ୍କୁ ମଧ୍ୟ ସେଠାରେ ଜମିଥିବା ଲୋକଙ୍କ ମଧ୍ୟରୁ କାହା କାହାଠାରୁ ମଝିରେ ମଝିରେ ଗୋଟାଏ ଦୁଇଟା ନାତ ଖାଇବାକୁ ଅବଶ୍ୟ ପଡ଼ିଥିଲା ।

 

ଏବଂ, ତହି ଆରଦିନ ବଡ଼ିସକାଳେ ଆମେ ସବୁଯାକ ଚାହାକୁ ଜାହଜରୁ ଖଲାସ କରି ପାଣି ଭିତରକୁ ଫୋପାଡ଼ି ଦେବା ପରେ ଦେଖାଗଲା ଯେ ବେଶ୍ କିଛି ପରିମାଣର ଚାହା ମୁଣ୍ଡାମୁଣ୍ଡା ହୋଇ ପାଣିଉପରେ ଭାସିବାରେ ଲାଗିଥିଲା । ତା’ଉପରେ ମଧ୍ୟ ଲୋକମାନଙ୍କର ନିଶ୍ଚୟ ଆଖି ପଡ଼ିବ ଓ ସେମାନେ ଲୋଭାସକ୍ତ ହୋଇ ସେଥିରୁ ଯାହିତାହି କିଛି ଛାଣି ନେଇ ଘରକୁ ନେବା ନିମନ୍ତେ ମନ ବି କରିବେ ବୋଲି ବହୁତ ଆଶଙ୍କା ହେଉଥିଲା । ଆଶଙ୍କା ସତ ମଧ୍ୟ ହେଲା । କାରଣ କେତେକ ବ୍ୟକ୍ତି ସାନ ସାନ ଡଙ୍ଗାରେ ପୋତାଶ୍ରୟ ଭିତରକୁ ଆସି ଚାହାର ସେହି ମୁଣ୍ଡାମାନଙ୍କୁ ଛାଣିନେବା ସକାଶେ ପ୍ରକୃତରେ ପହଞ୍ଚି ଯାଇଥିଲେ ।

 

ସେମାନଙ୍କର ସେହି ଉଦ୍ୟମକୁ ନିଷ୍ଫଳ କରିଦେବା ଉଦ୍ଦେଶ୍ୟରେ ଆମେ ଆଦେଶ ପାଇ ଆହୁଲା ସାହାଯ୍ୟରେ ସେହି ଭାସମାନ ମୁଣ୍ଡାଗୁଡ଼ିକୁ ପିଟି ଭାଙ୍ଗି ଦେଇଥିଲୁ ଏବଂ ତାହା ଫଳରେ ସେସବୁ ଅଳ୍ପ ସମୟ ମଧ୍ୟରେ ପାଣି ମଧ୍ୟରେ ଖେଳାଇ ହୋଇଗଲେ ଏବଂ, ଯେହେତୁ ଶୁଖୁଲା ଗୁଣ୍ଡଗୁଡ଼ିକ ସବୁ ଓଦା ହୋଇ ପାଣି ଉପରେ ଇତସ୍ତତଃ ଭାବରେ ଖେଳାଇ ହୋଇ ଯାଇଥିଲା, ସେଗୁଡ଼ିକୁ ଦେଖି ଆଉ ତେଣେ ଆକର୍ଷିତ ହେବାର କୌଣସି କାରଣ ମଧ୍ୟ ରହିଲା ନାହିଁ ।

 

ଯେତେଯାଏ ହେତୁରେ ରହିଛି, ଚାହା ସହିତ ମୋ’ର ପ୍ରଥମ ପରିଚୟ ସେହି ନିତାନ୍ତ ପିଲା ବୟସରେ । ଆମ ଘରକୁ ଲାଗି ଲକ୍ଷ୍ମୀଧର ବଡ଼ବାପାଙ୍କ ଘର, ଆମ ସାହୀର ସବୁଯାକ ପିଲାଙ୍କର ସିଏ ହେଉଛନ୍ତି ଦଫାଦର ବଡ଼ବାପା । ଆମ ଗୋବିନ୍ଦପୁର ଥାନା ଅଧୀନରେ ଦଫାଦାର ହୋଇ ଥାଆନ୍ତି । ସବୁଦିନ ସକାଳେ ଚାହା ପିଇବାର ତାଙ୍କର ଅଭ୍ୟାସ ଏବଂ, ଦିନେ ଦିନେ ପିଲାଙ୍କ ପ୍ରତି ତାଙ୍କର ଏକ ସମବେଦନା କାହିଁକି ହୁଏ କେଜାଣି, ଚାହା ପିଇବାର ତାଙ୍କର ଅନୁଷ୍ଠାନଟିକୁ ମଧ୍ୟ ସିଏ ଆମକୁ ଡାକନ୍ତି । ଡାକ ପାଇବା ମାତ୍ରକେ ଆମେ ପଡ଼ିଶାର ପାଞ୍ଚ ଛଅ ବର୍ଷ ବୟସର ପିଲାମାନେ ତକ୍ଷଣେ ଦଉଡ଼ି ବି ଆସୁ । ତାଙ୍କ ପିଣ୍ଡା ଉପରେ କେତେ ଶାନ୍ତ ହୋଇ ବସି ପଡ଼ୁ । ଦଫାଦାର ବଡ଼ବାପା ସପ୍ତାହରେ ଦୁଇଦିନ ବିରିଡ଼ି ହାଟରୁ ବଟି ସଂଗ୍ରହ କରି ପନିପରିବା ଓଗେର କେତେ ପଦାର୍ଥ ଘରକୁ ନେଇ ଆସନ୍ତି । ତେଜରାତି ଦୋକାନ ମାନଙ୍କରୁ କାଗଜ ପୁଡ଼ିଆରେ ରହିଥିବା କେତେ ମାଳ ଗୁଣ୍ଡ ଚାହା । ବଡ଼ମାଆ ସେଦିନ ଗୋଟିଏ ବଡ଼ ରସ ଡେକ୍‌ଚିରେ ସମସ୍ତଙ୍କୁ କୁଳେଇ ପାରିବା ପରି ହାଣ୍ଡିଏ ଚାହା କରନ୍ତି । ପୂରା ନାଲି ଚାହା; କ୍ଷୀର ନ ଥାଏ ସିନା, କିନ୍ତୁ ଚିନି ନିଶ୍ଚୟ ଦିଆ ଯାଇଥାଏ । ଦେଖିବା ବେଳକୁ ଗାଢ଼ା ବର୍ଷଣା ପାଣି ପରି ଦେଖାଯାଏ । ଆମକୁ ପ୍ରକୃତରେ ମୁଗ୍ଧ ହିଁ କରିଦିଏ । ତା’ ପରେ ସିଏ ଘରେ ଥିବା ଗିନା, ଗିଲାସ, ବେଲା ଓ ଗର୍ଭ ଥିବା ଥାଳିଆ ମାନଙ୍କରେ ମୁନ୍ଦାଏ ମୁନ୍ଦାଏ ରନ୍ଧା ଚାହା ଢାଳିଦେଇ ଆମ ଆଗରେ ଆଣି ବାଢ଼ିଦିଅନ୍ତି । ସେହି ଆପ୍ୟାୟନରେ ସ୍ୱୟଂ ବଡ଼ବାପା ମଧ୍ୟ ଆମ ସହିତ ସାମିଲ ହୋଇ ଚୁଲୀମୁଣ୍ଡକୁ ଲାଗି ବସିଥାଆନ୍ତି । ଦହଡ଼ ଦହଡ଼ ଚାହାରୁ ବାମ୍ଫ ବାହାରୁଥାଏ । ଆମ ପିଲାଙ୍କର ମନରେ ଏକ ରୋମାଞ୍ଚକରତା ଆଣି ଦେବାରେ ସେତିକି ହିଁ ଯଥେଷ୍ଟ ହୁଏ । ବଡ଼ମା ଆସି ପ୍ରତ୍ୟେକ ଅତିଥିଙ୍କର ଚାହାପାତ୍ରରେ ମୁଠାଏ ମୁଠାଏ ହୁଡ଼ୁମ କିମ୍ବା ଉଖୁଡ଼ା ମଧ୍ୟ ଆଣି ପକାଇ ଦିଅନ୍ତି । ସବୁ ସରିଲେ ଆମେ ଯେଝା ଯେଝା ଘରକୁ ଫେରିଯାଉ ।

 

ସେତେବେଳେ ଆମ ଜାଣିବାରେ ଆଉ କୋଉ ଘରେ କେହି ଚାହା ପିଉଥିବାର ମୋତେ ଜଣାନାହିଁ । ତା’ପରେ ହାଇସ୍କୁଲ ପାଠ ପଢ଼ିବା ସକାଶେ ମୁଁ ଯେତେବେଳେ କଟକ ଆସିଲି, ସେତେବେଳେ ଜଳଖିଆ ଦୋକାନମାନଙ୍କରେ ଚାହାର କୌଣସି ବିଧାନ ପଶି ନଥିଲା । ସେତେବେଳେ ଦିନେ ଦିନେ ଏକ ଅଦ୍‌ଭୂତ ପ୍ରଦର୍ଶନ ରୂପେ ମୋର ଚାହା ସହିତ ଦ୍ୱିତୀୟ ପରିଚୟ ଘଟିଥିଲା ବୋଲି ମନେ ପଡ଼ୁଛି । ଚଉଧୁରୀ ବଜାରର ଏକ ପ୍ରଧାନ ମୋଡ଼ରେ ସେହି ଅଣ-ଓସାରିଆ ଚଉଛକୀ ରାସ୍ତାଟା,–ହଁ, ସେହିଠାରେ ଦୁଇଜଣ ମନୁଷ୍ୟ ରଣପା ଉପରେ ଚଢ଼ି ଯାତାୟତ କରୁଥାଆନ୍ତି । ପରିଧାନ ନିତାନ୍ତ ବିଚିତ୍ର ପ୍ରକାରର । କଳାରଙ୍ଗ ପୂରା ନଳୀ ରହିଥିବା ପ୍ୟାଣ୍ଟ ଓ ଠିକ୍ ସେହି ରଙ୍ଗର ଢ଼ିଲା ଜାମା ଦୁଇଟା । ବେକରେ ଧଳା ରଙ୍ଗର ଗୋଟିଏ ଗୋଟିଏ ନେକ୍ ଟାଇ । ମୁଣ୍ଡରେ କଳା ରଙ୍ଗର ଟପ୍ ହ୍ୟାଟ୍ ଏବଂ ଆଖିରେ କଳା କଳା ଡ଼ିମା ଡ଼ିମା ଦେଖାଯାଉଥିବା ଚଷମା-। ଯେମିତି ହେଲେ ଆଖିମାନଙ୍କୁ ଆକର୍ଷିତ କରିନେଇଯିବ । ତାଳଗଛ ପରି ରଣପା-ପିନ୍ଧା ପାଦରେ ଦୁଇ ବାବୁ ନାଟୁଆଙ୍କ ପରି ଏପାଖ ସେପାଖ ଏବଂ ଏ ରାସ୍ତା ସେ ରାସ୍ତା ହେବାରେ ଲାଗିଥାନ୍ତି । ପୁଙ୍ଗା ସାହାଯ୍ୟରେ ଉଚ୍ଚ ଉଚ୍ଚ ପାଟିରେ ଚାହା ପାନର ଗୁଣଗାନ କରୁଥାନ୍ତି । ତଳେ ବେଶ୍ ଲୋକଭିଡ଼ଟିଏ ଜମି ଯାଉଥିଲା । ଏମାନେ ବିଦେଶୀ ଲିପ୍‌ଟନ କୋମ୍ପାନୀ ତରଫରୁ ଚାହାର ପ୍ରଚାର ହିଁ କରୁଥାନ୍ତି । ଚାହା ପିଇବାର ପ୍ରକୃତରେ କେତେ ନା କେତେ ଗୁଣ,–ଶରୀର ପାଇଁ, ମନର ସ୍ଫୂର୍ତ୍ତି ପାଇଁ, ଆତ୍ମାର ଆନନ୍ଦ ପାଇଁ ଏବଂ ସମାଜରେ ଅଧିକ ଖାତିର ଆଣିଦେବାପାଇଁ ଏବଂ ଆହୁରି କେତେ ନା କେତେ କ'ଣ ସବୁ ପାଇଁ । ସେମାନେ କେଡ଼େ ଚୋବାଇ ଚୋବାଇ କହୁଥିବା ଏକ ଓଡ଼ିଆ ଏବଂ ହିନ୍ଦୀ ମିଶା ଭାଷା ପ୍ରକୃତରେ ଅତ୍ୟନ୍ତ ମନୋରମ ଲାଗୁ ବି ଥାଏ । ସବୁକିଛି କୁ କେଡ଼େ ହାଲୁକା କରିଦେଉଥାଏ । ଏବଂ, ତେଣେ ତଳେ ଗୋଟିଏ କୋଣରେ ସରଞ୍ଜାମ ଗୁଡ଼ିକୁ ଗୋଟିଏ ଟେବୁଲ ଉପରେ ସଜାଇ କୋମ୍ପାନୀ ତରଫରୁ ଆଉମାନେ ଚାହା ପ୍ରସ୍ତୁତ କରିଦେଉଥାନ୍ତି, ଜନତାର ଆପ୍ୟାୟନ ସକାଶେ ।

 

କହିବା ବାହୁଲ୍ୟ, ପୂରା ମାଗଣା; କେବଳ ଜନସେବା ନିମନ୍ତେ ଉଦ୍ଦିଷ୍ଟ । ଜନସମୂହଙ୍କୁ ନିତାନ୍ତ ସ୍ୱେଚ୍ଛାପ୍ରଣୋଦିତ ଭାବରେ ଏକ ଉଚ୍ଚତର ମନୋରଂଜନ ଆଣି ଦେବାର ସୌଭାଗ୍ୟ ଜୁଟାଇ ଦେବା ନିମନ୍ତେ କୋମ୍ପାନୀ ତରଫରୁ ଏକ ବିଶୁଦ୍ଧ ପ୍ରୟାସ । ବିନା ଶୁଳ୍କରେ ଚାହାର ସ୍ୱାଦ ଲାଭ କରିଥିବା ଉପସ୍ଥିତ ସେହି ବ୍ୟକ୍ତିମାନେ ଏକ ଅଭିଳାଷ ଜନ୍ମିବା ମାତ୍ରକେ ଯେ ତେଣେ ଟାଣି ହୋଇ ଆସୁଥିବେ, ସେଥିରେ ସନ୍ଦେହର କାହିଁକି ବା କାହାର କୌଣସି ଅବକାଶ ରହିବ ! ସମ୍ଭବତଃ ଏହିଭଳି ଏକ ବନ୍ଧୁତାପୂର୍ଣ୍ଣ ସୌଜନ୍ୟ-ପ୍ରଦର୍ଶନର ମାର୍ଗରେ ଭାରତବର୍ଷରେ ଚାହାପଣ୍ୟର ପ୍ରଥମ ପରିଚୟ ହୋଇଥିଲା ଏବଂ ଅବିଳମ୍ବେ ଏକ ଅପରିହାର୍ଯ୍ୟ ଅମଳରେ ହିଁ ପରିଣତ ହୋଇଗଲା । ସତେଅବା କେହି କୁତୁକୁତୁ କରୁଥିବା ପରି ଥିରିଥିରି ଏକ ବିଶେଷ ପ୍ରୀତିରେ ନେଡ଼ିରୁ କହୁଣିକୁ ଏବଂ ପ୍ରାୟ ଚାହୁଁ ଚାହୁଁ କାଖଯାଏ ଆସି ପହଞ୍ଚିଗଲା ଏବଂ ପରିଶେଷରେ ପୂରା କାନ୍ଧଟାକୁ ହିଁ ମାଡ଼ି ବସିଲା । ଅତିଥି-ସମାଦରର କେତେ ରୀତି ତ ଆମ ଦେଶରେ କାଳକାଳରୁ ରହି ଆସିଥିଲା । ହିମାଳୟର ତରାଇ ଅଞ୍ଚଳରେ ଗରମ ଖରାବେଳେ ଅତିଥି ଅଭ୍ୟାଗତ କେହି ଆସି ଘରେ ପହଞ୍ଚିଗଲେ ତାଙ୍କୁ ପରିବାର ତରଫରୁ ଲୋଟାଏ ଥଣ୍ଡା ପାଣି ସହିତ କିଛି ଗୁଡ଼ ଗୋଳାଇ ଯଚା ଯାଉଥିଲା । କେଉଁଠାରେ ହୁଏତ ସାଧାରଣ ରତୁମାନଙ୍କରେ କାଗଜି ମିଶା ତୁଚ୍ଛା ପାଣି ଅଥବା କିଛି ନବାତ ଥିଲେ ତ ତାହାର ଆହୁରି ଆନନ୍ଦର ହିଁ ବିଷୟ । ଆମ ଓଡ଼ିଶାର ଭୋଗରାଇ ବାଲିଆପାଳ ପ୍ରଭୃତି ଅଞ୍ଚଳରେ ଘରେ କୁଣିଆ ଆସି ପହଞ୍ଚିଗଲେ ସଂଗେ ସଂଗେ ନଡ଼ିଆ ଗଛକୁ ଉଠିଯାଇ ପଇଡ଼ କାଟି ଆଣି ପରିବେଷଣ କରିବାର ରୀତିଟି ଏବେ ମଧ୍ୟ ଢ଼େର ଅବ୍ୟାହତ ରହିଛି । ଦକ୍ଷିଣ ଓଡ଼ିଶାର ଆଦିବାସୀ ଓ ଗ୍ରାମ ଅଞ୍ଚଳରେ ତ ଏବେ ମଧ୍ୟ ପରିବାର କେତେ ଥିବେ, ଯେଉଁମାନେ କି ଘରେ ଆଉ କିଛି ନ ଥିଲେ ତୁମକୁ କଂସାରେ ତୁଚ୍ଛା ତୋରାଣି ସହିତ କିଛି ଲୁଣ ପକାଇ ତୁମ ଆଗରେ ଆଣି ଥୋଇ ବି ଦେବେ । ମୋଟେ ପଚାଶ ବର୍ଷ ତଳେ ଯେତେବେଳେ ଯାତ୍ରୀମାନେ ପାଦରେ ଚାଲି ଚାଲି ବଦ୍ରୀକେଦାର ଇତ୍ୟାଦିର ଦର୍ଶନ ନିମନ୍ତେ ଯାଉଥିଲେ, ସେତେବେଳେ ରାସ୍ତାକଡ଼ରେ ମାତ୍ର ଅଳ୍ପ ଆଳ୍ପ ଦୂରତାରେ ତାଙ୍କ ସକାଶେ ପ୍ରସ୍ତୁତ ହୋଇଥିବା ଚାହା ଅବଶ୍ୟ ମିଳି ଯାଉଥିଲା ସତ; ମାତ୍ର ନିରୁତା ଗରମ କ୍ଷୀର ମଧ୍ୟ ମିଳି ପାରୁଥିଲା । ଆଶ୍ଚର୍ଯ୍ୟ ହେବାକୁ ପଡ଼ୁଥିଲା ଯେ, ସେଠାରେ କ୍ଷୀର ହିଁ ଚାହାଠାରୁ ଅପେକ୍ଷାକୃତ ଅଧିକ ଶସ୍ତା ଥିଲା ।

 

ଇତିମଧ୍ୟରେ ଯେ ଚାହା ସତେଅବା ଭୁବନବ୍ୟାପୀ ହୋଇଯାଇଛି, ସେଥିଲାଗି କ’ଣ ଆମେ ଖାଲି ସେହି କେତେଟା ଚାହା ବେପାର କରୁଥିବା କୋମ୍ପାନୀମାନଙ୍କୁ ହିଁ ସବୁଯାକ ଶ୍ରେୟଃ ପ୍ରଦାନ କରିବା ! ନା ସେମାନଙ୍କର ଏତେ ଏତେ ବହୁ-ବୁଦ୍ଧିଯୁକ୍ତ ବିଜ୍ଞାପନମାନଙ୍କୁ ହିଁ ଦାୟୀ କରିବା-? ଯିଏ ଅଥବା ଯେଉଁମାନେ ଦାୟୀ ହୁଅନ୍ତୁ ବା ନ ହୁଅନ୍ତୁ ପଛକେ, କ୍ରମେ ଚାହା ନାମକ ସେହି ଖାସ୍ ଆକର୍ଷଣୀୟ ପାନୀୟଟି ଗୋଟିଏ ଭୁବନବ୍ୟାପୀ ପଣ୍ୟରେ ପରିଣତ ହୋଇଛି । ପୃଥିବୀର ସକଳ ମହାଦେଶରେ ସେଇଟି କେଡ଼େ ଲୋକପ୍ରିୟ ହୋଇପାରିଛି । ବେଳେ ବେଳେ ତ ଗୋଟିଏ କଥା ମଧ୍ୟ ଅନୁମାନ କରି ହେଉଛି ଯେ, ଆଦୌ ବିଜ୍ଞାପନ ବୋଲି କିଛି କରାଯାଉ ନଥିଲେ ମଧ୍ୟ ଚାହାର ଡ଼ିପୋମାନଙ୍କୁ ମୋଟେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ । ଆମ ଗାଆଁର ସବୁ ଘରେ ହିଁ ଚାହା । କାହା ଘରେ ଦାମିକା ଚାହା, ତ ଆଉ କାହାଘରେ ଶସ୍ତା ଚାହା ଏବଂ ତୁମର ସାମାଜିକ ସମ୍ମାନସ୍ତର ଅନୁସାରେ ସେପରି ସବୁକାଳରେ ହେବ ହିଁ ହେବ-। ଚାହା ଶସ୍ତା ଅଥବା ମହଙ୍ଗା ଯାହା ହୋଇଥାଉ ପଛକେ ଚାହାପାନ-ଜନିତ ଆନନ୍ଦଟି ଏକାବେଳକେ ସାର୍ବଜନୀନ । ରାସ୍ତାମାନଙ୍କରେ ଜାଗାଏ ଜାଗାଏ ଆଉ ଖାଇବା ଚିଜ କିଛି ନ ମିଳୁ ପଛକେ, ଚାହା ଦୋକାନଟିଏ ଆବଶ୍ୟ ଥିବ । ବାହାରୁ ଯେଡ଼େ ହୀନମାନିଆ ହୋଇ ଦେଖା ଯାଉଥାଉ ପଛକେ, ସେଠାରୁ କପେ କିମ୍ବା ଗିଲାସେ ଚାହା ମାଗି ତୁଣ୍ଡରେ ସୁ‘ଡ଼ୁ କରି ଦେବା ମାତ୍ରକେ ପୂର୍ଣ୍ଣ ଆପ୍ୟାୟନ ମିଳିବ । ସେତିକି କ’ଣ କମ୍ ଯଥେଷ୍ଟ !

 

କ୍ରମଶଃ ଚାହାଟା ଆତିଥ୍ୟ-ଆପ୍ୟାୟନର ଏପରି ଗୋଟିଏ ମହାପ୍ରଭାବଶାଳୀ ମାଧ୍ୟମରେ ପରିଣତ ହୋଇଗଲା କିଭଳି କେଜାଣି ! ହଁ, ବୁଝିହେଉଛି ଆଗ ମୁଖ ଅର୍ଥାତ୍ ଉଦରକୁ କିଛି ଯୋଗାଇ ଦେଇ ତା’ପରେ ଯାଇ ଆପ୍ୟାୟନଟାକୁ ହୁଏତ କିଞ୍ଚିତ୍ ଚାହାଦ୍ୱାରା ସମାପ୍ତ କରାଯାଇ ପାରନ୍ତା । ମାତ୍ର ଏବେ ତ ସବା ଆଗ ଚାହା । ଆପଣ ବସନ୍ତୁ ମୁଁ ଚାହା ଆଣି ଦେଉଛି, ଆଗ ଚାହା ପିଉଥାଆନ୍ତୁ, ମୁଁ କିଛି ଜଳଯୋଗ ଆଣିଦେବି । ପୂର୍ବେ ପାରମ୍ପରିକ ରୀତିଟି ଅନୁସାରେ ଜଳଯୋଗ କହିଲେ ପ୍ରାୟ ନିୟମତଃ ନିଦା, ପୂରା ନିଦା କିଛି ଆହାରଦ୍ରବ୍ୟକୁ ବୁଝାଉଥିଲା । ମାତ୍ର ଏବେ ପରିପୂର୍ଣ୍ଣ ଅର୍ଥସଙ୍ଗତିକୁ ରକ୍ଷା କରି ଆଗ ଜଳ ଅର୍ଥାତ୍ ଚାହାଦ୍ୱାରା ଅନୁକୂଳ ଓ ତା’ପରେ ଯାଇ କିଛି ଯୋଗ । ଏବେ କେତେକ ପରିବାରରେ ତ ଜଳଯୋଗ କହିଲେ କେବଳ ଚାହାକୁ ହିଁ ବୁଝାଉଛି ଓ ତଦ୍ଦ୍ୱାରା ସଂପୃକ୍ତ ଉଭୟ ପକ୍ଷ ହିଁ କେଡ଼େ ସହଜରେ ସେତିକିକୁ ଜଳଯୋଗ ବୋଲି ବୁଝି ମଧ୍ୟ ଯାଉଛନ୍ତି । ପୁନଶ୍ଚ, ଜଳଯୋଗର ସର୍ବଦା ତଥା ସର୍ବତ୍ର ଗୋଟିଏ ନିର୍ଦ୍ଧାରିତ ସମୟ ମଧ୍ୟ ରହିଛି । କିନ୍ତୁ ଚାହା ତ ସବୁ ସମୟରେ ପିଆଯାଇ ପାରିବ ଓ ତେଣୁ ଦିଆ ମଧ୍ୟ ଯାଇପାରିବ । ଆମ ଭାଷାରେ ଆମେ ତଥାପି ଭାତ ଡାଲି ତରକାରୀର ନିରୂପିତ ରୀତିଟିକୁ ଭାତ ଖାଇବା ବୋଲି କହୁ ଓ ତେଣୁ ଚାହା ପିଇବା କଥାଟିକୁ ମଧ୍ୟ ସମ୍ଭବତଃ ଗୋଟିଏ ଦୋସରା ବ୍ୟଞ୍ଜନାରେ ବୁଝୁ । ଅପର ପକ୍ଷରେ ପ୍ରତିବେଶୀ ବଙ୍ଗ ପ୍ରଦେଶରେ ଚାହା ସହିତ ‘ଖାଇବା’ କ୍ରିୟାଟିକୁ ବ୍ୟବହାର କରି ଥାଆନ୍ତି । ଜଲ୍ ଖେୟେଛି ଏବଂ ଠିକ୍ ସେହିପରି ଚାହା ଖେୟେଛି । ସେହି ଭାଷାଭାଷୀ ଏକାଧିକ ବନ୍ଧୁଙ୍କର ମୁଖରୁ ଶୁଣିଛି ଯେ, ଚାହାର ଏପରି ଏକ ଖାସ୍ ଗୁଣ (ବା ଦୁର୍ଗୁଣ) ରହିଛି ଯେ ପେଟକୁ ଗଲେ ଭୋକଟା ମରିଗଲା ବାଗିର୍ ଲାଗିଥାଏ ଏବଂ ତେଣୁ ଜଳଖିଆ ବୋଲି ବିଶେଷ କିଛି ଆହାର କରିବା ଆବଶ୍ୟକ ହୁଏନାହିଁ । ପଇସା ବଞ୍ଚି ଯାଇଥାଏ । ତେଣୁ, ବହୁତ ପରିବାରରେ ବ୍ୟକ୍ତି ସକାଳେ କେବଳ କପେ ଚାହା ଗର୍ଭସ୍ଥ କରି ପ୍ରାତଃ ଆହାର ସମସ୍ୟାଟାର ସମାଧାନ ବି କରି ଦେଇଥାନ୍ତି । ତଦ୍ଦ୍ୱାରା ଜଳଯୋଗ ବାବଦ ଅଧିକ ଖର୍ଚ୍ଚ ବଞ୍ଚି ଯାଇଥାଏ ।

 

ଆଖି ବୁଜି ମଧ୍ୟ ଅନୁମାନ କରିହେବ ଯେ ଚାହାପାନର ଚଳଣିଟି ସେହି ବଙ୍ଗଳାରୁ ହିଁ ଓଡ଼ିଶାରେ ଆସି ପ୍ରବେଶ କରିଛି । ଆଗେ, ପ୍ରାୟ ସେହି କୋମ୍ପାନୀ ଶାସନର ଅମଳରେ, ଯେତେବେଳେ ଓଡ଼ିଶାକୁ ବଙ୍ଗଳା ସହିତ ଛନ୍ଦିକରି ରଖାଯାଇଥିଲା, ସେତେବେଳେ ପ୍ରାୟ ଶହେ ପ୍ରତିଶତ ବଙ୍ଗବାସୀ ହିଁ ଆମର ଏଠାରେ ଶାସନର ମାଧ୍ୟମ ରୂପେ କାର୍ଯ୍ୟ କରୁଥିଲେ । ବହୁତ ଜମିଦାର ମଧ୍ୟ ସେହି ଉତ୍ତର ପଟୁ ଆସି ଏଠାରେ ବହୁତ ସାଂସ୍କୃତିକ ଚଳଣିର ନୂଆ ଫର୍ଦ୍ଦମାନ ମେଲି ଦେଇଥିଲେ । ଓଡ଼ିଶାକୁ ଚାହାର ଫେଶନ୍‌ଟା ମଧ୍ୟ ସେହିବାଟେ ସଂକ୍ରମିତ ହୋଇ ଆସିଥିଲା କି ? ପରିବର୍ତ୍ତୀ କାଳଦଶନ୍ଧି ମାନଙ୍କରେ ମଧ୍ୟ ଯେତେବେଳେ କଲିକତାର ଚଟକଳ ଏବଂ କାଳିମାଟି ଅର୍ଥାତ୍ ଟାଟାନଗରରେ ନୂଆ ହୋଇ ବସିଥିବା ଇଷ୍ପାତ୍ କାରଖାନାକୁ ଓଡ଼ିଶାରୁ କେତେ ବ୍ୟକ୍ତି ଜୀବିକା ପାଇଁ ଯାଇ ପହଞ୍ଚିଥିବେ, ସେମାନଙ୍କର ମାଧ୍ୟମରେ ମଧ୍ୟ ଚାହା ଆସି ଆମ ଏଠାରେ ଏକ ଚଳଣିରୂପେ ଗୃହୀତ ହୋଇଥିବ । ଏକାବେଳକେ ଆମ ଗାଆଁମାନଙ୍କରେ ସେହି ପ୍ରବାସୀ ଖାସ୍ ଶ୍ରମିକମାନେ ଯେଉଁମାନଙ୍କୁ ଆଧାର କରି ଗାଆଁମାନଙ୍କୁ ନଗଦ ପଇସା ଆସି ପହଞ୍ଚୁଥିବେ ଏବଂ ତେଣୁ ଯେଉଁମାନଙ୍କୁ ଗ୍ରାମବାସୀ ଗୋଟିଏ ବିଶେଷ ସମ୍ଭ୍ରମ ଅର୍ଥାତ୍ କଦର ଦେଇ ଦେଖିବାଲାଗି ଅବଶ୍ୟ ପ୍ରଲୁବ୍ଧ ହୋଇଥିବେ, ସେମାନେ ମଧ୍ୟ ଚାହାପାନର ଅଭ୍ୟାସଟାକୁ ଆମ ଏଯାଏ ବହନ କରି ଆଣିବାରେ ନିମିତ୍ତବତ୍ କାର୍ଯ୍ୟ କରିଥବେ । ଯେଉଁ ଆଦିବାସୀମାନେ ଆଖିମାନଙ୍କୁ ଲମ୍ବାଇ ପାରି ଯୁଗଆଡ଼କୁ ଚାହିଁ ଦେଖିବାର ପ୍ରାୟ ଏକ ସୌଭାଗ୍ୟ ଲାଭ କରୁଥିବେ ଏବଂ ସେହି ଆକର୍ଷଣରେ ଆମ ଭୁବନେଶ୍ଵର ପର୍ଯ୍ୟନ୍ତ ଆସି ପାରୁଥିବେ, ସେମାନେ ମଧ ନିଜ ଅରଣ୍ୟ ଅଞ୍ଚଳରେ ଅବସ୍ଥିତ ଗାଆଁମାନଙ୍କୁ ଚାହାର ସନ୍ଦେଶଟିକୁ ବହନ କରିନେବାରେ କେଡ଼େ ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଥିବେ । ସେହି ଅଞ୍ଚଳମାନଙ୍କରେ ମଧ୍ୟ ଯେଉଁସବୁ ସରକାରୀ ମହକୁମା ମାନଙ୍କରେ କାଗଜପତ୍ର ସ୍ତରରେ ଯେଉଁମାନେ ନିଯୁକ୍ତ ହୋଇ ସଂପ୍ରତି ରହିଛନ୍ତି, ସେମାନେ ହେଉଛନ୍ତି ନିୟମତଃ ଆମ ଏପଟର । ପିଲାଙ୍କର ସାନବଡ଼ ଇସ୍କୁଲଗୁଡ଼ିକରେ ମଧ୍ୟ ପଥପ୍ରଦର୍ଶକ ତଥା ଶିକ୍ଷକମାନେ ପୂରା ଆମ ତୋଟାଟାର । ଚାହାର ପରମ ସୌଭାଗ୍ୟ ଯେ, ସେମାନେ ମଧ୍ୟ ଆଲୋଚିତ ଆମର ଏହି ସଂକ୍ରମଣର କାହାଣୀଟିରେ ଅବଶ୍ୟ ପ୍ରଶଂସନୀୟ ବହୁ ଭୂମିକା ଗ୍ରହଣ କରିଥିବେ ।

 

କଥା ହେଉଛି, ଯେଉଁ ଦିଗରୁ ତଥା ଯାହାର ନିମିତ୍ତତ୍ଵ ଦ୍ଵାରା ହେଉ ପଛକେ, ଚାହା ଆମ ଘର ଏହି ଓଡ଼ିଶାରେ ମଧ୍ୟ ଏକ ସାର୍ବଜନୀନ ପାନୀୟ ବସ୍ତୁରେ ପରିଣତ ହୋଇ ପାରିଛି । ଚାହା ମଧ୍ୟ ଗୋଟିଏ ସେହିପରି ପଦାର୍ଥ, ଯାହାକି ଧନୀ ଏବଂ ଦରିଦ୍ର ନିର୍ବିଶେଷରେ ସମସ୍ତଙ୍କ ପାଇଁ ଆକର୍ଷଣୀୟ ହୋଇଛି । ମାତ୍ର, ଏହି ପଦାର୍ଥଟି ପ୍ରକୃତରେ ଆଗ ଗୋଟିଏ ପାନୀୟ ଅଥବା ଗୋଟିଏ ପଣ୍ୟ, ଚାହାର ରସ ଆସ୍ୱାଦନକାରୀ କେତେ ମନୁଷ୍ୟ ସେହି ବିଷୟରେ ଆଦୌ କିଛି ଭାବିବା ସକାଶେ କେତେ କମ୍ ଫୁରସତ ମଧ୍ୟ ପାଉଛନ୍ତି । ଏଥିରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ ଯେ, ନିତାନ୍ତ ସାଧାରଣ ସ୍ତରର ଲୋକେ ଚାହା ପାନ କରୁଥିବା ସମୟରେ ନିଜକୁ ଏକ ସାମାଜିକ ତରାଜୁରେ ପକାଇ ବଡ଼ରୁ ବଡ଼ ଆଉମାନଙ୍କ ସହିତ ନିଶ୍ଚୟ ବେଳେ ବେଳେ ପୂରା ସମତୁଲ ବୋଲି ଅନୁଭବ କରୁଥିବେ ଏବଂ, ଯେଉଁ ଦେଶରେ ଉପରର କେତେ କେତେ ବୁଦ୍ଧି ଖଟା ହୋଇ ଦେଶବାସୀଙ୍କୁ ସତର ପ୍ରକାରର ଦୂରତାରେ ସତେ ଅବା ଝଲମଲ କରି ରଖିବାରେ ବହୁ ପ୍ରଚେଷ୍ଟା କରାଯିବାରେ ଲାଗିଛି, ସେଠାରେ ଅନ୍ତତଃ ଚାହାପାନର କ୍ଷେତ୍ରରେ ଯେ ବାଘ ବକ୍ରୀ ସମାନ ହୋଇ ରହିଥିବା ପରି ବିଚରା ତଳ ଗୁଡ଼ିକୁ ଅନୁଭବ ହେଉଥିବ, ସେଥରେ ଖୁସୀ ହେବାର ମଧ୍ୟ ଏକାଧିକ କାରଣ ଅବଶ୍ୟ ରହିବ । କେତେଥର ବହୁତଙ୍କ ପାଖରୁ ଏପରି କଥାଟିଏ ଶୁଣିଛି ଯେ ଏବେ ଗାଆଁ ମାନଙ୍କରେ ବିଲକୁ ମୂଲିଆ ଆସି ପହଞ୍ଚିବା ମାତ୍ରକେ ସେମାନଙ୍କ ନିମନ୍ତେ ପ୍ରଥମେ ଚାହାର ହିଁ ବ୍ୟବସ୍ଥା କରିଦେବାକୁ ହେଉଛି । ପାଗ କାହାଳ ହୋଇଥିବା ସମୟରେ ପୁଣି ନିର୍ଦ୍ଦିଷ୍ଟ ମଧ୍ୟାନ୍ତର ମାନଙ୍କରେ ଚାହାପାନର ବ୍ୟବସ୍ଥାମାନ କରିବାକୁ ପଡ଼ୁଛି । କାର୍ଯ୍ୟତଃ ସେହି ମୂଲିଆମାନଙ୍କର ଫରମାସରେ ହିଁ ଏହିଭଳି କରିବାକୁ ପଡ଼ୁଛି । ସାଆନ୍ତ ମାନଙ୍କର ତ ମୂଲିଆକାମ କରିବାରେ କୌଣସି ଅଭ୍ୟାସ ଅର୍ଥାତ୍ ଚଳଣି ନାହିଁ, ସେଥିପାଇଁ ମୂଲିଆଙ୍କ ବରାଦରେ ହଁ ବୋଲି ନକହି କୌଣସି ଗତି ନାହିଁ । ସାଆନ୍ତମାନେ ସମ୍ଭବତଃ ଆପେ ଚାହା ପାନ କରି ମୂଲିଆମାନଙ୍କର କାମ କ’ଣ କିପରି ହେବ ବା ହେଉଛି ବୋଲି ଜାଣିବାକୁ ବାହାରିଛନ୍ତି । ମାତ୍ର ତା’ ବୋଲି ମୂଲିଆମାନେ ଯେ ସେହି ବିଶେଷ ବିଳାସଟିକୁ ପାଇବା ଉଚିତ, ସେ କଥାଟିକୁ ସେମାନେ କଦାପି ହଜମ କରି ପାରି ନ ଥିବେ । ପୁନଶ୍ଚ, ଏଥିରେ ଜାତିଗତ ଫରକଟାର ବିଚାର କରି ସେମାନେ ଆପଣାର ବିବେକଟାରେ ଆହୁରି ଅଧିକ ଅଶାନ୍ତ ବି ଅନୁଭବ କରିଥିବେ । ସାଆନ୍ତେ ଯେଉଁ ଜାତିର, ବିଲରେ ମୂଲ ଲାଗି ଆସିଥିବା ଏମାନେ ମୋଟେ ସେହି ଜାତିର ନୁହନ୍ତି । ତେଣୁ, ସେମାନଙ୍କ ଲାଗି ଚାହାର ବ୍ୟବସ୍ଥା କରାଉଥିବା ସମୟରେ ସେମାନେ ସମାଜ ନାମକ କୌଣସି ବିଧାତାର ନିୟମକୁ ଲଂଘନ କରୁଥିବା ପରି କ’ଣ ପାଇଁ ଭାବୁ ନ ଥିବେ ! ଥରେ ଚାଲ କିଞ୍ଚିତ୍‌ ଭାବିଛନ୍ତି କହିବାତ ଅନ୍ତତଃ ଗୋଟାଏ ମଉକାରେ ସମସ୍ତେ ମନୁଷ୍ୟମାତ୍ରକେ ପରସ୍ପରକୁ ସମତୁଲ କରାଇ ପାରୁଥିବା ସେହି ଚାହା ନାମକ ଚିଜଟିକୁ ଆମେ ଧନ୍ୟବାଦ ଦେବା ନା ଛି ଛି ବୋଲି କହିବା !

 

ଏହାପରେ ଆମେ ଚାହା-ସଂପର୍କିତ ଆମର ଏହି ଆଲୋଚନାକୁ ଯଥାସମ୍ଭବ ଅଧିକ ନିର୍ଦ୍ଦିଷ୍ଟ ଭାବରେ ଭାରତବର୍ଷ ଆଡ଼କୁ ମୁହାଁଇ ଆଣିବା । ପ୍ରାୟ ଦୁଇ ଶତକର ଏକ କାହାଣୀ ଏବଂ ମୂଳତଃ ବିଦେଶୀ ଆମର ତତ୍କାଳୀନ ନୂଆ ଶାସକମାନଙ୍କଦ୍ୱାରା ରଚିତ ଓ ସମ୍ଭବ ହୋଇଥିବା କାହାଣୀଟିଏ । ଉନବିଂଶ ଶତାବ୍ଦୀର ଚତୁର୍ଥ ଦଶକରୁ ଆରମ୍ଭ କରା ଯାଉଥିବା ଗୋଟିଏ ଉଦ୍ୟମର କାହାଣୀ । ଆଖର ସିଧା ଚୀନଦେଶରୁ ଇଉରୋପୀୟ ଭୂଖଣ୍ଡକୁ ଚାହା ଆମଦାନୀ ହୋଇ ଆସୁଥିଲା ଏବଂ କେତେକ ବ୍ରିଟିଶ କୋମ୍ପାନୀମାନେ ଇଂଲଣ୍ଡର ଅଧୀନସ୍ଥ ଏକ ଉପନିବେଶ ଭାରତବର୍ଷରେ ହିଁ ଚାହା ଉତ୍ପାଦନ କରାଇ ତଦ୍ଦ୍ୱାରା ଅଧିକ ଲାଭବାନ ହେବା ଲାଗି ପାଞ୍ଚ କରିବାକୁ ଆରମ୍ଭ କରିଥିଲେ । ଚୀନ୍‌ର ଚାହାବାଣିଜ୍ୟ ସହିତ ଭାରତରେ ଚାହା-ଉତ୍ପାଦନ ଦ୍ଵାରା ପ୍ରତିଦ୍ୱନ୍ଦିତା କରାଯାଇ ପାରିବ ବୋଲି ସେମାନେ ବୁଝି ପାରିଥିଲେ । ସେହି ବିଚାରଟି ଅନୁସାରେ ଆସାମ ଏବଂ ଉତ୍ତରବଙ୍ଗର ଚାହା ଆବାଦକୁ ଅଧିକ ବ୍ୟବସ୍ଥିତ ଭାବରେ ହାତକୁ ନିଆଗଲା । ସେହି ଚାହା ବଗିଚା ଗୁଡ଼ିକରୁ ଅଧିକ ଶସ୍ତାରେ ପ୍ରଚୁର ପରିମାଣର ଚାହା ଉତ୍ପାଦିତ ହୋଇପାରିଲା ଅର୍ଥାତ୍ ଅଧିକ ପରିମାଣର ଚାହା ଏଥର ବିଲାତରେ ଯାଇ ପହଞ୍ଚି ପାରିଲା ଓ ବର୍ଗ ନିର୍ବିଶେଷରେ ସେଠାରେ ଚାହା ସମସ୍ତଙ୍କର ଗୋଟିଏ ପାନୀୟର ମର୍ଯ୍ୟାଦା-ସ୍ତରକୁ ଉନ୍ନୀତ ହୋଇ ଯାଇଥିଲା । ତଥାପି, ସେହି ଆରମ୍ଭ ଦଶକମାନଙ୍କରେ ଭାରତବର୍ଷରେ ଚାହା ମୁଖ୍ୟତଃ ଏଠି ଶାସନକ୍ଷେତ୍ରରେ ଥିବା ସାହେବ ଏବଂ ସେମାନଙ୍କ ମହଲରେ କାରବାର ହୋଇ ପାରୁଥିବା ଅଳ୍ପ କେତେ ବିଶେଷ ଗହଣରେ ହିଁ ପ୍ରଚଳିତ ଥିଲା ଏବଂ ଉତ୍ପାଦନକୁ ଆହୁରି ଅଧିକ ବଢ଼ାଇବାର ବିଧିମତେ ପ୍ରୟାସ କରି ଭାରତର ବଜାରରେ ମଧ୍ୟ ତାହା ସାଧାରଣଙ୍କ ପହୁଞ୍ଚ ମଧ୍ୟକୁ ଆସିବା ଭଳି ସୁଲଭ ହୋଇ ଆସିଥିଲା । ହଁ, ପ୍ରଥମେ ଚାହା ଭାରତୀୟ ବିଶେଷମାନଙ୍କ ମହଲରେ ପ୍ରଧାନତଃ ଚଳୁଥିଲା ଏବଂ ଏକ ଖାସ୍ ସାମାଜିକ ମର୍ଯ୍ୟାଦାର ପ୍ରତୀକରୂପେ ମଧ୍ୟ କାର୍ଯ୍ୟ କରୁଥିଲା । ସେମାନେ ତଦ୍ଦ୍ୱାରା ଆପଣାକୁ ନବାଗତ ପାଶ୍ଚାତ୍ୟ ସଂସ୍କୃତିକୁ ଗ୍ରହଣ କରିଥିବା ପରି ବେଶ୍ ଦର୍ଶାଇ ପାରୁଥିଲେ ଏବଂ ତଦ୍ଦ୍ୱାରା ନିଶ୍ଚୟ ବେଶ୍ ହରଷିତ ବି ଅନୁଭବ କରୁଥିଲେ । ଅବଶ୍ୟ ଏକଥା ମଧ୍ୟ ଠିକ୍ ଯେ, ବହୁତ ଲୋକ ଏହି ନୂତନ ଆବିର୍ଭାବଟି ପ୍ରତି ବିରୋଧ ପ୍ରକଟ କରୁଥିଲେ; ସେମାନେ ଚାହାବଗିଚା ଗୁଡ଼ିକରେ ଭାରତୀୟ ଶ୍ରମିକମାନଙ୍କୁ ଅକଥନୀୟ ଅତ୍ୟାଚାର ଏବଂ ଅବିଚାରଦ୍ୱାରା ବାଧ୍ୟ କରି ରଖାଯାଇଛି ବୋଲି ଅଭିଯୋଗ ମଧ୍ୟ ପ୍ରକଟ କରୁଥିଲେ । ତେଣେ, ଚାହାକୁ ଗୋଟିଏ ପାନୀୟ ରୂପେ ବ୍ୟବହାର କଲେ ଲୋକମାନଙ୍କର ସ୍ୱାସ୍ଥ୍ୟରେ ହାନି ଘଟୁଛି ଏବଂ ଦେଶରେ ପାରମ୍ପରିକ ଏକାଧିକ ପାନୀୟ ବହୁକାଳରୁ ଚଳିଆସୁଛି ଓ ଆମେ କାହିଁକି ଏହି ଚାହାପ୍ରତି ଆକୃଷ୍ଟ ହେବା ବୋଲି ପରାମର୍ଶ ବି ଦିଆ ଯାଉଥିଲା । ଏଭଳି ବିରୋଧ ମାନଙ୍କର ସମ୍ମୁଖୀନ ହେବା ନିମନ୍ତେ କୋମ୍ପାନୀଗୁଡ଼ିକୁ ମଧ୍ୟ ଅତୀବ ଆକର୍ଷକ ବିଜ୍ଞାପନ ଆଦିର ବିକଳ୍ପ ମାର୍ଗମାନ ମଧ୍ୟ କ’ଣ ପାଇଁ ବାହାର କରାଯାଇ ନ ଥାନ୍ତା ! ।

 

କୋମ୍ପାନୀମାନେ ନିତାନ୍ତ ଦରିଦ୍ରମାନଙ୍କୁ ଚାହାପାନର ସାମର୍ଥ ଯୋଗାଇ ଦେବାକୁ ପଇସିକିଆ ଚାହାପୁଡ଼ିଆ ଇତ୍ୟାଦିର ଉଦ୍‌ଭାବନ କରିଥିଲେ । କେତେ କେତେ ଚାତୁର୍ଯ୍ୟ ଏବଂ ଚାତୁରୀବୁଦ୍ଧି ପ୍ରୟୋଗ କରି ବିଜ୍ଞାପନ ସବୁ ବାହାରିଲା ଏବଂ କୋମ୍ପାନୀମାନେ ବହୁତ ପଇସା ଖରଚ କରି ଇଉରୋପୀୟ ତଥା ଭାରତୀୟ ଉଭୟ ଶ୍ରେଣୀର ବ୍ୟକ୍ତିଙ୍କୁ ଆଡ଼ମ୍ବରପୂର୍ଣ୍ଣ ମିଳିତ ଚାହା ଆପ୍ୟାୟନର ଅନୁଷ୍ଠାନ ମାନଙ୍କରେ ଏକତ୍ର ଡାକି ବସାଇଲେ । ବିଲାତ ଏବଂ ନିଜ ଦେଶର ବିଲାତୀ ଶାସକମାନଙ୍କ ଆଡ଼କୁ ଯଥାସମ୍ଭବ ଅଧିକ କତି ହୋଇ ରହିଥିବାର ସେହି ଗୋଲାମମନର ଖାସ୍ ଆସ୍ପୃହାଟି ଦ୍ଵାରା ଆକର୍ଷିତ ହୋଇ ଅନେକେ ଚାହାର ଜାଲଭିତରେ କି ହାଉଲେ ହାଉଲେ ଯାଇ ଅବଶ୍ୟ ପଡ଼ିଯାଇ ବି ନଥିବେ ! ପୁନଶ୍ଚ ଚାହାର ନାମଟିକୁ ମଧ୍ୟ ପ୍ରାୟ ସେହି ପରି ଶୁଭୁଥିବା ବିଲାତିଆ ଆଉକିଛି ପ୍ରକାରେ ଉଚ୍ଚାରଣମାନ ଯୋଡ଼ି ବିଜ୍ଞାପନ ଗୁଡ଼ିକ ଅବଶ୍ୟ ଅଧିକ ଉଲ୍ଲାସମାନ ସୃଜି ହିଁ ଆଣିଥିବ । ସେହି ଉତ୍ସାହରେ Darjeeling Tea କୁ Darlington Tea ବୋଲି ପରିଚିତ କରାଯାଇଥିଲା ଓ Cachear (କାଚାର) Tea କୁ Catcher Teaର ଉପନାମରେ । ସେତେବେଳେ ଇଂଲଣ୍ଡରେ ମହାରାଣୀ ଭିକ୍ଟୋରିଆଙ୍କର ରାଜତ୍ୱ ଏବଂ ଭଲ କିସମର କେତେ ଚାହାକୁ ବେପାରୀ କୋମ୍ପାନୀମାନେ Queen's Own Tea ମଧ୍ୟ କହିବାରେ ପ୍ରବୃତ୍ତ ବି ହୋଇଥିଲେ । ଧୋତୀ ଏବଂ ଜ୍ୟାକେଟ ପିନ୍ଧା ବାବୁମାନେ ସକାଳୁ ଶଯ୍ୟାତ୍ୟାଗ କରିବା ମାତ୍ରକେ ଟେବୁଲ ଉପରେ ପୂରା ଧୂଆଁ ବାହାରୁଥିବା ଗରମ ଚାହା କପଟିଏ ଦର୍ଶନ କରି କୃତକୃତ୍ୟ ମଣୁଥିବାର ଉପସ୍ଥାପନା କରି ବିଜ୍ଞାପନମାନେ ସକସକ ତତ୍କାଳୀନ ଲୋକମନରେ ମଧ୍ୟ ଖୁବ୍ ଉଚ୍ଚାଟନ ସୃଷ୍ଟି କରିଥିବେ ।

 

ଉନବିଂଶ ଶତାବ୍ଦୀର ଆନୁମାନିକ ଅଶୀ-ଦଶକରେ ପ୍ରଚଳିତ ଥିଲା ବୋଲି ଅନୁମାନ ହେଉଥିବା ଏକ ଉଡ଼ା କାହାଣୀ ଅନୁସାରେ ଇନ୍ଦ୍ର,ବ୍ରହ୍ମା, ବରୁଣ ଏବଂ ନାରାୟଣ ଏହି ଚାରି ଦେବତା ଭାରତବର୍ଷରେ ଇଂରାଜୀ ଶାସନ କିପରି କ’ଣ ଚଳୁଛି କି ନାହିଁ ନିଜ ଆଖିରେ ଦେଖିବା ନିମନ୍ତେ ସ୍ୱର୍ଗରୁ ମର୍ତ୍ତ୍ୟଧାମକୁ ଅବତରଣ କରିଥିଲେ । ବିଶଦ ଭାବରେ ବାସ୍ତବ ସ୍ଥିତିଗୁଡ଼ିକୁ ଏହି ଦେବତା ଚତୁଷ୍ଟୟ ଅନୁଧ୍ୟାନ କରି ଦେଖିଥିଲେ । ଲୋକମାନଙ୍କର ଜୀବନଶୈଳୀ ତଥା ଅଭ୍ୟାସ ଗୁଡ଼ିକର କ୍ଷେତ୍ରରେ ନୂଆ କ’ଣସବୁ ଆସି ପ୍ରବେଶ କରିଛି, ସେମାନେ ବିଶେଷ ଭାବରେ ସେଇଟି ଦେଖିବା ପାଇଁ ଲକ୍ଷ୍ୟ ରଖିଥିଲେ । ଲୋକମାନେ କିପରି ନାନାବିଧ ନିଶା ସେବନର ଜାଲରେ ଯାଇ ପଡ଼ି ଯାଇଛନ୍ତି, ସେମାନେ ତାହାର ଯେଉଁ ବିବରଣୀଟି ପ୍ରସ୍ତୁତ କଲେ ସେଥିରେ ତାହାର କିନ୍ତୁ କୌଣସି ଉଲ୍ଲେଖ ନଥିଲା । ସେଥିରେ ଆଦୌ କୌଣସି ମିଥ୍ୟ ହିଁ ନ ଥିଲା, କାରଣ ପ୍ରକୃତ ଘଟଣାପ୍ରବାହଟିରୁ ସ୍ପଷ୍ଟ ଭାବରେ ଜଣାପଡ଼ୁଛି, ପ୍ରଥମ ମହାଯୁଦ୍ଧର ପରବର୍ତ୍ତୀ କୋଡ଼ିଏ ବର୍ଷର ଅବଧିଟିରେ ଯାଇ ଚାହା କୋମ୍ପାନୀଗଣ ବିଶେଷ ବିବେକମାନ ଲଗାଇ ଚାହାକୁ ସର୍ବସାଧାରଣଙ୍କର ଏକ ପ୍ରିୟ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥରେ ପରିଣତ କରିବାର ଅଭିପ୍ରାୟ ନେଇ ବିସ୍ତାରିତ ଭାବରେ ଗୋଟିଏ ଅଭିଯାନ ଆରମ୍ଭ କଲେ, ଯାହାକୁ ସେମାନେ ଏକ ଖାସ୍ ନାମ ଦେଇ Educational propaganda' ବୋଲି କହିଛନ୍ତି । ଖୁବ୍ ଜୋର୍‌ସୋର୍‌ରେ ପ୍ରଚାର ଅଭିଯାନ ଚାଲିଥିଲା । ମାଗଣାରେ ଚାହାର ବିତରଣ ହେଲା । ବେଶଭୂଶା ପିନ୍ଧି ନର ଓ ନାରୀମାନେ ସହରମାନଙ୍କରେ ଛକ ଜାଗା ଗୁଡ଼ିକରେ ଚାହାର ଗୁଣଗାନ କରି ଅଭିନବ ଆକର୍ଷଣଯୁକ୍ତ ପ୍ରଚାର ଆରମ୍ଭ କରିଦେଇଥିଲେ । ମେଳା, ଯାନିଯାତ୍ରା ତଥା ଚଳନ୍ତା ରେଳଗାଡ଼ୀ ମାନଙ୍କରେ ନାଟକ ଏବଂ ପ୍ରହସନ-ଅଭିନୟର ରୀତିରେ ବହୁବିଧ କୁଶଳତା ସହିତ ପ୍ରଚାର ଆରମ୍ଭ ହୋଇ ଯାଇଥିଲା । ପୁନଶ୍ଚ, ସେମାନେ ଗଳିକନ୍ଦି ଗୁଡ଼ିକରେ ପ୍ରବେଶ କରି ପରିବାରମାନଙ୍କ ଲାଗି ମଧ୍ୟ ସେହି ଅମୃତତୁଲ୍ୟ ପାନୀୟଟିର ଉପକାରିତା ବିଷୟରେ ଦୃଢ଼ ପ୍ରତ୍ୟୟମାନ ସୃଷ୍ଟି କରିଥିଲେ । ସେଠାରେ ମଧ୍ୟ କୁଟୁମ୍ବର ସଦସ୍ୟମାନଙ୍କୁ ପୂରା ମାଗଣାରେ ଗରମ ଚାହାର ବିତରଣ କରାଗଲା । ସେହି ପରିବାରରେ ସମସ୍ତଙ୍କର ଆଗରେ ଚାହା ପ୍ରସ୍ତୁତ କରାଗଲା, ଯେପରି ସଂପୃକ୍ତ ଗୃହିଣୀମାନେ ମଧ୍ୟ ତାହା ଦେଖି ଆପେ ବି କୌଶଳଟିକୁ ଶିକ୍ଷା କରିପାରିବେ ।

 

ତା’ପରେ ରେଳଷ୍ଟେସନ ମାନଙ୍କରେ ଉଭୟ ଇଂରାଜୀ ଏବଂ ସ୍ଥାନୀୟ ଭାଷାରେ ଚାହା ବିଜ୍ଞାପନର ଫଳକମାନ ଝୁଲାଇ ଦିଆଗଲା ଏବଂ କେତେ ସହଜରେ ଯାତ୍ରୀମାନଙ୍କୁ ଏକ ନୟନାଭିରାମ ମନୋରମତାର ଅନୁଭବ ଆଣି ଦେଇପାରିଲା । ସେହି ବିଜ୍ଞାପନର ମହାଭିଯାନରେ କଳାତ୍ମକତାରେ ସତେ ଅବା ଲିପ୍‌ଟନ୍ ଏବଂ ବ୍ରୁକବଣ୍ଡ ଦୁଇ କୋମ୍ପାନୀ ମଧ୍ୟରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇ ଯାଇଥିଲା ଏବଂ ସରଳ ସାଧାରଣମାନେ ତାହାର ପୂର୍ଣ୍ଣ ଉପଭୋଗ କରି ପାରିଥିଲେ । ଏବଂ, ଉପଭୋଗ କରୁ କରୁ ବ୍ୟାଧର ଜାଲରେ ଯାଇ ପଡ଼ି ଯାଇଥିଲେ । ଏକ ଅଭିନବ ବାତାବରଣର ସୃଷ୍ଟି ମଧ୍ୟ ହୋଇଗଲା ଯେ ଏହି ଯାବତୀୟ ନୂତନ ବ୍ୟାପାରଟା ବିଜ୍ଞାନର ପୂର୍ଣ୍ଣ ଅନୁମୋଦନ ଅବଶ୍ୟ ଲାଭ କରିଛି । ସେତେବେଳେ ଲୋକ-ଅନ୍ଦାଜର ପ୍ରାୟ ସକଳ କ୍ଷେତ୍ରରେ ଇଉରୋପରୁ ଯାହାକିଛି ଆସି ଉପନିବେଶରେ ପହଞ୍ଚି ଯାଉଥିଲା ତାହାକୁ ବିଜ୍ଞାନର ହିଁ ଏକ ବହୁମୂଲ୍ୟବାନ ଅବଦାନ ବୋଲି ମାନିନେବାର ସଂପୂର୍ଣ୍ଣ ଅନୁକୂଳ ଜଳବାୟୁଟିଏ ଏଠି ଦେଶରେ ମହଜୁଦ ହୋଇ ରହିଥିଲା । କ୍ରମେ ଉତ୍ସାହର ଏହି ବନ୍ୟାଟିର ମାଦକରେ ପ୍ରଭାବିତ ହୋଇ ସ୍ଥାନୀୟ ବଙ୍ଗଳା ଭାଷାରେ ମଧ୍ୟ ବଙ୍ଗାଳୀମାନେ ବହି ଲେଖିଲେ, ଯେଉଁଥିରେ କି ଚାହାର ଚାଷ ଓ ଆବାଦରୁ ଆରମ୍ଭ କରି ଚାହା ତିଆରି କରିବାର ବିଧିଟି ପର୍ଯ୍ୟନ୍ତ ସକଳ ଉପାୟକୁ ଯୋଗାଇ ଦିଆ ଯାଇଥିଲା-। ଅର୍ଥାତ୍, ତା’ ପରେ ବଙ୍ଗାଳୀ ବିଶେଷ କେତେଜଣ ଧନୀ ମଧ୍ୟ ଆପଣାର ଚାହା ଉତ୍ପାଦନ ଆରମ୍ଭ କରି ଦେଇଥିଲେ । ଏହାପରେ ଚାହା ବଗିଚାର ଶ୍ରମିକଶୋଷଣକୁ କେବଳ ସାହେବମାନଙ୍କର ଏକ ଅପକୀର୍ତ୍ତି ବୋଲି କଣ ପାଇଁ କୁହା ଯାଇଥାଆନ୍ତା ! ଅବଶ୍ୟ ଆଗ ଇଂରେଜ ଚାହା କାରବାରୀମାନେ ଚାହା ବିଷୟକ ବିଜ୍ଞାପନ ଗୁଡ଼ିକୁ ଯଥାସମ୍ଭବ ସାର୍ବଜନୀନ କରି ଆଣିବାର ମାର୍ଗରେ ସବାଆଗ ପ୍ରେରଣା ଦେଇଥିଲେ ଏବଂ ବଙ୍ଗାଳୀ ଅଧିକ-ଆକାଙ୍‌କ୍ଷୀମାନେ ସେମାନଙ୍କର ପଦାଙ୍କ ଅନୁସରଣ କରିଥିଲେ । ଉଲ୍ଲେଖ ରହିଛି ଯେ ବିଂଶ ଶତାବ୍ଦୀର ଆରମ୍ଭରେ ବଡ଼ଲାଟ୍ ଲର୍ଡ କର୍ଜନ୍ ଇଂରେଜ ଚାହା କୋମ୍ପାନୀ ମାନଙ୍କୁ କେବଳ ବିଦେଶକୁ ଚାହା ରପ୍ତାନୀ ନ କରି ଖାସ୍ ଭାରତବର୍ଷରେ ମଧ୍ୟ ତାହାର ଏକ ପ୍ରଶସ୍ତତର ବଜାର ସମ୍ଭବ କରି ନେବାଲାଗି ବିଶେଷ ପ୍ରବର୍ତ୍ତନା ପ୍ରଦାନ କରିଥିଲେ । ୧୮୯୩ ମସିହାରେ ଅନୁଷ୍ଠିତ ଚିକାଗୋର ବିଶ୍ୱ ପଣ୍ୟବଜାର ପ୍ରଦର୍ଶନୀ ଭାରତର ଇଂରାଜୀ କୋମ୍ପାନୀ ଲିପ୍‌ଟନ୍‌କୁ ଚାହା କାରବାର କ୍ଷେତ୍ରରେ ତାହାର ବିଶେଷ କୃତିତ୍ୱ ସକାଶେ ପୁରସ୍କୃତ ମଧ୍ୟ କରିଥିଲା । ସମ୍ଭବତଃ, ପ୍ରାୟ ସର୍ବକାଳୀନ ଭାରତୀୟ ବାବୁସୁଲଭ ମିଜାଜାଟାକୁ ଠଉରାଇ ନେଇଥିବା ପରି ଇଂରେଜୀ ଚାହା କୋମ୍ପାନୀର ଜଗତଟା ଆପଣାର ଚାହା ସମ୍ବନ୍ଧୀ ବିଜ୍ଞାପନ-ସଂସାରଟାକୁ ଏପରି ଭାବରେ ସାଉଁଳାଇ ଆଣିବାରେ ପ୍ରୟାସୀ ହୋଇଥିଲା, ଯେପରି ଚାହାର ସେବନ ଦ୍ଵାରା ଏହି ଦେଶର ଜଣେ ସାଧାରଣ ମନୁଷ୍ୟ ଉଚ୍ଚ ସାମାଜିକ ଖାତିରି ମଧ୍ୟ ଅବଶ୍ୟ ପାଇପାରିବ ବୋଲି ଅନୁଭବ କରିବ । ଆପଣାକୁ କେତେ ତଳେ ରହିଥିବାରୁ ସତେଅବା ଏକ ନିତ୍ୟତଳ ସ୍ତରରେ ରହିଛି ବୋଲି ଦୁଃଖୀ ଅନୁଭବ କରୁଥିବା ଜଣେ ମନୁଷ୍ୟ ଯଦି ଚାହାପାନର ସେହି ଅଭିନବ ଅଭ୍ୟାସଟିକୁ ଗ୍ରହଣ କରି ନିଜକୁ ଅଧିକ ଉପରକୁ ଉଠିଗଲା ପରି ଅନୁଭବ କଲା, ତେବେ ତାହାହିଁ ତ ବେପାରୀ ନିମନ୍ତେ ସତେ ଅବା ଏକ ଦୁର୍ଗଜୟର ପରମ ସୌଭଗ୍ୟ ଆଣିଦେଇ ପାରିବ ।

 

ଏହାପରେ ସତେ ଅବା ସଂଯୋଗ ଗୁଡ଼ିକୁ ପାଇ ଚାହା ବେଶ୍ ବେଗଯୁକ୍ତ ଭାବରେ ବଙ୍ଗଳା ସାହିତ୍ୟମଧ୍ୟକୁ ପ୍ରବେଶ ବି କରିପାରିଲା ଏବଂ ସାହିତ୍ୟପ୍ରେମୀ ‘ଭଦ୍ରଲୋକ’ ମାନଙ୍କୁ କେଡ଼େ ଅବଲୀଳା ସହିତ ଚାହା ନାମକ ସେହି ଖାସ୍ ଜୀବନ-ପ୍ରଦର୍ଶନ ପ୍ରଣାଳୀଟି ମଧ୍ୟକୁ ଅଭିମନ୍ତ୍ରିତ କରି ଆଣିଥିଲା । ସେହିକାଳର ଜଣେ ବହୁବିଶ୍ରୁତ ନାଟକ ଲେଖକ ଶ୍ରୀ ଦ୍ୱିଜେନ୍ଦ୍ରଲାଲ ରାୟ ପ୍ରାୟ ଏକ ସାହିତ୍ୟ-କଳାତ୍ମକ ଉଷ୍ମତାର ଭରଣା କରିଦେଲା ପରି ନିତି ସକାଳେ ଶଯ୍ୟାତ୍ୟାଗ କରିବା ପରେ କପେ ଏହି ଚାହାନାମକ ଅପୂର୍ବ ମହିମାମୟ ପାନୀୟଟି ଆସି ପାଖରେ ପହଞ୍ଚିଗଲେ ସତେ ଅବା ଏକ ସ୍ୱର୍ଗୀୟ ସୁଖ ଆସି ଅବଶ୍ୟ ମିଳେ ବୋଲି ଘୋଷଣା କରିଥିଲେ । ପୁନଶ୍ଚ, ସେହି ଅମୃତଟି ସହିତ ଯଦି ଖଣ୍ଡେ ସେକା ପାଉଁରୁଟି ଏବଂ ସିଝା ଅଣ୍ଡା ଖଣ୍ଡେ ମଧ୍ୟ ରହିପାରିବ, ତେବେ ତ ଆଦୌ କୌଣସି କଥା ହିଁ ନାହିଁ । ସେତିକିବେଳେ ଖୁବ୍‌ ଶୁଣିବାକୁ ମଧ୍ୟ କ୍ରମେ ମିଳିଲା ଯେ, ଯାହାକୁ ସକଳ ସମୟରେ ଗୋଟିଏ କପ୍ ଗରମ ଚାହା ପ୍ରକୃତରେ ମିଳିଯାଇ ପାରୁଛି, ଆମେ ତାହାକୁ ହିଁ ଜଣେ ଷୋଳପଣ ବଙ୍ଗାଳି ଭଦ୍ରଲୋକ ବୋଲି ନିଶ୍ଚୟ କହିବା ଏବଂ ଯଦି ଦିନକୁ ଦୁଇଥର ସେହି ସୌଭାଗ୍ୟଟି ମିଳେ, ତେବେ ତାକୁ ତ ବସ୍ତୁତଃ ଜଣେ ସାହେବ-ପଦବାଚ୍ୟ ବୋଲି ଅବଶ୍ୟ ସୁମାରି କରାଯିବ ! ଏତେ ବଡ଼ କଥାର ପ୍ରସାର ହୋଇଯିବା ପରେ ଚାହାକୁ ଏକ ଖାସ୍ ସ୍ୱାସ୍ଥ୍ୟବର୍ଦ୍ଧକ ପାନୀୟ ବୋଲି କହିବା ଲାଗି ଆଉ କାହିଁକି ବିଶେଷ ବେଳ ଲାଗିବ ! ତେଣୁ ସେହି ଦିଗରେ ମଧ୍ୟ କେତେ ସନ୍ତର୍ପଣରେ ନିଷ୍ଠାପର ପ୍ରଚାର ଇତ୍ୟାଦି ଆରମ୍ଭ ହୋଇ ଯାଇଥିଲା । ଆସାମ ଏବଂ ବଙ୍ଗଳା ଭାଷାରେ ଚାହାର ଉପକାର ଗୁଡ଼ିକୁ କ୍ରମାନ୍ୱୟରେ ବତାଇ ଦିଆଯାଇଥିଲା: ଚାହା ହେଉଛି ଗୋଟିଏ ଅତ୍ୟନ୍ତ ସୁସ୍ୱାଦୁ ପାନୀୟ । ଏହାଦ୍ୱାରା ଆଦୌ କୌଣସି ଅପକାର ହୁଏନାହିଁ । ତାହା ଜୀବନୀଶକ୍ତିର ଉବ୍ଦୀପକ ରୂପେ କାର୍ଯ୍ୟ କରେ । ଚାହାକୁ ଗୋଟିଏ ନିଶାଦ୍ରବ୍ୟ ବୋଲି ଆଦୌ କୁହାଯାଇ ପାରିବ ନାହିଁ । ଏବଂ, ଶେଷକୁ ଏକାବେଳେକେ କିସ୍ତି ମାତ୍ କରିଦେଇ: ଚାହା ଆମକୁ ନିମ୍ନଲିଖିତ ରୋଗମାନଙ୍କରୁ ନିଶ୍ଚିତ ଭାବରେ ସୁରକ୍ଷା ଆଣି ଦେଇଥାଏ,–ମେଲେରିଆ, ଟାଇଫଏଡ଼, କଲେରା, ଆମାଶୟ, ପ୍ଲେଗ୍‌ ଇତ୍ୟାଦି । ଚାହା ଅବସାଦ ମେଣ୍ଟାଏ । ପୁଣି, ଶେଷକୁ, ଚାହା ଆବାଦ ଏବଂ ବିତରଣ କରିବାର କାର୍ଯ୍ୟରେ ନିଯୁକ୍ତ ହୋଇ ଲକ୍ଷ ଲକ୍ଷ ଭାରତବାସୀ ଅନ୍ନସଂସ୍ଥାନଟିଏ ଲାଭ କରି ପାରୁଛନ୍ତି । କେବଳ ପାଣିକୁ ଛାଡ଼ିଦେଲେ ମନୁଷ୍ୟର ପାନୀୟ ଦ୍ରବ୍ୟ ବୋଲି ଯାହା କିଛି ପୃଥିବୀରେ ରହିଛି, ସେହି ସବୁଗୁଡ଼ିକ ମଧ୍ୟରେ ଚାହା ହେଉଛି ସବୁଠାରୁ ଅଧିକ ସୁଲଭ ।

 

ଏବଂ, କୌଶଳପୂର୍ଣ୍ଣ ନାନା ଛନ୍ଦର ଏହିସବୁ ବିଜ୍ଞାପନଦ୍ୱାରା ବିଦେଶୀ କୋମ୍ପାନୀମାନେ ଯେ ଚାହାର ଏହି ବେପାରଟାକୁ ପ୍ରସାର କରିବାରେ ଲାଗିଥିଲେ, ସମାଜର ଆଖି ଥିବା ବ୍ୟକ୍ତିମାନେ ତାହାର ବିରୋଧ ମଧ୍ୟ କରିବାକୁ ଆରମ୍ଭ କରିଥିଲେ । ଚାହାବଗିଚା ମାନଙ୍କରେ ଶ୍ରମିକମାନଙ୍କ ଉପରେ ଶୋଷଣ ବୃଦ୍ଧି ପାଉଥିଲା । ଜାତୀୟତାବାଦୀ ତତ୍କାଳୀନ ଶିବିରଟିରୁ ଖୁବ୍ ପ୍ରତିବାଦ ମଧ୍ୟ ହେଲା । କଲିକତାର ବହୁ ବିଶିଷ୍ଟ ବ୍ୟକ୍ତି ସେହି କାରଣରୁ ଆପଣାର ଚାହାପାନର ଅଭ୍ୟାସ ଛାଡ଼ି ମଧ୍ୟ ଦେଇଥିଲେ । କେବଳ ବଙ୍ଗପ୍ରଦେଶରେ ନୁହେଁ, ଦକ୍ଷିଣ ଭାରତର ତାମିଳ ଅଞ୍ଚଳରେ ମଧ୍ୟ ଚାହା, କଫି, ତଥା ବିଦେଶୀ ପ୍ରଭାବରେ ଦେଶରେ ପ୍ରବେଶ କରିଥିବା କେତୋଟି ସୁରାଜାତୀୟ ପାନୀୟ ବିରୋଧରେ ବି ପ୍ରତିବାଦ ପ୍ରକଟ କରାଯାଇଥିଲା । କଲିକତାର ପ୍ରଖ୍ୟାତ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ସେତେବେଳେ ସ୍ୱଦେଶୀ ଆନ୍ଦୋଳନର ପୁରୋଭାଗରେ ରହିଥିଲେ; ସିଏ ସ୍ୱାସ୍ଥ୍ୟଗତ ଏବଂ ନୈତିକ ଉଭୟ କାରଣରୁ ହିଁ ଚାହାପାନର ବିରୋଧ କଲେ । ସେ ଯୁକ୍ତି କରି କହିଥିଲେ ଯେ, ଏହି ମନ୍ଦ ଅଭ୍ୟାସର କବଳରେ ପଡ଼ିଯିବା ଦ୍ଵାରା ଆମର କ୍ରମେ ଭୋକ ମରିଯିବ ଓ ମସ୍ତିଷ୍କଶକ୍ତି ମଧ୍ୟ ଉଣା ହୋଇ ଆସିବ । ଚାହାପାନଦ୍ଵାରା ଆମ ଗୃହିଣୀମାନେ ଆଚାରରୁ ହୁଡ଼ିଯିବେ, ନାନା ଅକାରଣ କ୍ରୋଧର ଶିକାର ହେବେ, ଏବଂ ଅଳପ କଥାରେ କଳହ କରିବାକୁ ଇଚ୍ଛା କରି ଅନ୍ତଃପୁରର ଶାନ୍ତିକୁ ନିଶ୍ଚୟ ନଷ୍ଟ କରିଦେବେ । ଜଣେ ପ୍ରଚଣ୍ଡ ଚାହାଖୋର ମନୁଷ୍ୟର ଚେହେରା ଏବଂ ଆଚାରମାନ ମଧ୍ୟ କିପରି ହୋଇଯିବ ତାହାର ଏକ ଚାକ୍ଷୁଷ ଆଭାସ ପ୍ରଦାନ କରିବା ଉଦ୍ଦେଶ୍ୟରେ ଶ୍ରୀ ରାୟ ନିଜ ହାତରେ ଗୋଟିଏ ବ୍ୟଙ୍ଗ ଚିତ୍ର ଅଙ୍କନ କରି ପ୍ରଚାର ମଧ୍ୟ କରାଇଥିଲେ । ଜଣେ ଅସ୍ଥିସାର ପ୍ରାୟ ଧଡ଼ିଆ ମଣିଷ, ଦେହର ପୋଷାକରେ ମୋଟେ କୌଣସି ସ୍ୱାଭାବିକତା ନାହିଁ, ଛିଣ୍ଡା ଜୋତା ଦୁଇଟି ଗୋଡ଼ରୁ ବାହାରି ଯାଇ ଦୁଇ ଜାଗାରେ ପଡ଼ିଛନ୍ତି-। ମୁହଁ ଉପରେ ଆଦୌ କୌଣସି ଉଜ୍ଜ୍ୱଳତା ହିଁ ପରିଲକ୍ଷିତ ହେଉନାହିଁ । ଖଣ୍ଡେ ଚଉକୀ ଉପରେ ବସି ରହିଛି । ସମ୍ମୁଖସ୍ଥ ଟେବୁଲ ଉପରେ ଚାହା ଭର୍ତ୍ତି ଗୋଟିଏ କେଟ୍‌ଲି ଏବଂ ସିଏ ପିଇବାରେ ଲାଗିଥିବା ସିଗାରେଟ୍‌ର ଅବଶେଷ ଗୁଡ଼ିକ ମଧ୍ୟ ଘରର ଚଟାଣ ଉପରେ ଏତେତେଣେ ହୋଇ ପଡ଼ି ରହିଛନ୍ତି । ଗୋଟିଏ ନିତାନ୍ତ ଦୁଃଖପୂର୍ଣ୍ଣ ଦୃଶ୍ୟର ଅବତାରଣା,–ଚାହାଖୋର ହେବାର ପରିଣାମ । ଚାହାଜନିତ ମାନସିକ ଦୁର୍ଭାଗ୍ୟଗୁଡ଼ିକୁ ପ୍ରକାଶ କରି ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ‘ଚାୟେର’ ପ୍ରଚାର ଓ ‘ଦେଶେର୍‌ ସର୍ବନାଶ’ ନାମକ ଏକ ସ୍ଵଲିଖିତ ପୁସ୍ତିକା ମଧ୍ୟ ପ୍ରକାଶ କରି ଲୋକମାନଙ୍କୁ ସାବଧାନ କରି ଦେଇଥିଲେ ।

 

ତଥାପି, ସତେ ଅବା ବିଧିର ଏକ ବିଧାନ ପରି ସମୟର ସେହି ରଣରେ ଚାହାର ହିଁ ବିଜୟ ହୋଇଥିଲା । ରାସ୍ତାମାନଙ୍କରେ ସୁଦୃଶ୍ୟ ପୋଷ୍ଟରମାନ କେଡ଼େ କେଡ଼େ ଚମକ ପ୍ରଦାନ କରି ଚାହାର ଗୁଣଗାନ କରୁଥିଲେ । କିଏ କହିଲା ଚାହାର ଅଭ୍ୟାସ ଦ୍ଵାରା ସ୍ଵାସ୍ଥ୍ୟହାନି ଘଟିବ ଏବଂ ସମାଜର ନୈତିକତା ନଷ୍ଟ ହେବ ! ନାଇଁ ନାଇଁ, ବରଂ ସ୍ୱାସ୍ଥ୍ୟ ଭଲ ରହିବ, କିଛି ଅଧିକ ଉପକାର ମଧ୍ୟ ହେବ ଏବଂ ଦେଶର ଧନବୃଦ୍ଧି ହେବ । ଆଖର କୁନି କୁନି ସଂସ୍ଥାମାନେ ମଧ୍ୟ ଚାହା ଚାଷକୁ ଗୋଟିଏ ବ୍ୟାବସାୟିକ ଧନ୍ଦାରୂପେ ଗ୍ରହଣ କରିନେଇଥିଲେ । ତତ୍କାଳୀନ ସମାଜ ବିଷୟରେ ମନୋରମ ନାନା କଥା ଲେଖୁଥିବା ଶ୍ରୀଯୁକ୍ତ ଯତୀନ୍ଦ୍ର ମୋହନ ଦତ୍ତ ତ କେଡ଼େ ଆଶ୍ୱାସନା ଦେଇ ଲେଖିଲେ ଯେ, ଭଲ ଅର୍ଥାତ୍ ଥିଲା ଘରର ସୀମନ୍ତିନୀମାନେ ଆପଣାର ସୁରାଭ୍ୟସ୍ତ ବିପଥଗାମୀ ସ୍ୱାମୀମାନଙ୍କୁ ସେହି ମାର୍ଗରୁ ନିବୃତ୍ତ କରି ଚାହାଦ୍ୱାରା ହିଁ ସେଇଟିର କ୍ଷତିପୂରଣ କରୁଥିଲେ ଓ ସେମାନଙ୍କ ପୂର୍ବ ସ୍ଵାସ୍ଥ୍ୟ ଫେରାଇ ଆଣି ପାରୁଥିଲେ । ହଁ, ବେଶ୍ ଗୋଟିଏ ଆଗ୍ରହ-ଉଦ୍ଦୀପନକାରୀ କଥା ଯେ ତାମିଲନାଡ଼ୁରେ ବିଶୁଦ୍ଧ ବ୍ରାହ୍ମଣମାନେ ବହୁ ସ୍ଥାନରେ କଫିପାନର ଅଭ୍ୟାସ ରଖିଥଲେ କାରଣ ସେମାନେ ଚାହା ପିଇବାକୁ ସାଧାରଣତଃ ମୂଲିଆ ଶ୍ରେଣୀ ଏବଂ ବ୍ରାହ୍ମଣେତର ମାନଙ୍କର ଗୋଟିଏ ଅଭ୍ୟାସ ବୋଲି ମନେ କରୁଥିଲେ । ମାତ୍ର, ଏଣେ ପୂର୍ବ ଭାରତ ଅଞ୍ଚଳରେ ଜମିଦାର ଶ୍ରେଣୀୟ ଓ ମଧ୍ୟବିତ୍ତ ପରିବାରର ଲୋକେ ଚାହାକୁ ହିଁ ଅଧିକ ଉପାଦେୟ ମଣୁଥଲେ,–ସେମାନେ ଚାହାକୁ କାର୍ଯ୍ୟତଃ ଅଧିକ ସ୍ୱାସ୍ଥ୍ୟକାରକ ଏବଂ ସ୍ଫୂର୍ତ୍ତିଦାୟକ ବୋଲି ବିଶ୍ୱାସ କରୁଥିଲେ । ଚାହା ଯେ ସୁରାର ସେହି କ୍ଷତିଦାୟକ ଅନ୍ୟପାନୀୟଟିର ସତକୁ ସତ ଗୋଟିଏ ବିକଳ୍ପ, ସେଥିରେ ସେମାନଙ୍କର ଦୃଢ଼ ପ୍ରତ୍ୟୟ ଅବଶ୍ୟ ଥିଲା ।

 

ଭାରତବର୍ଷରେ ମଧ୍ୟ ଚାହାର ପ୍ରସ୍ତୁତିରେ କିଛି ପରିବର୍ତ୍ତନ ହୋଇଥିବାର ଲକ୍ଷ୍ୟ କରାଯାଇ ପାରିବ । ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଚାହା ରନ୍ଧାହେବା ସମୟରେ ସେଥିରେ ଚୁମୁଟାଏ ଲୁଣ ପକାଇ ଦିଆଯାଉଥିଲା । ବେଳେବେଳେ ଅବଶ୍ୟ କ୍ଷୀର ଏବଂ ଚିନି ପକାଇ ହେବ ବୋଲି ପରାମର୍ଶ ରହିଥିଲା । ସାଧାରଣ ସ୍ତରରେ ଲୋକେ ନିଜ ନିଜର ସ୍ୱାଗତ ପସନ୍ଦ ଅନୁସାରେ ଚାହାରେ ନାନାଭଳି ଚିଜ ମଧ୍ୟ ମିଶାଇ ପାରୁଥିଲେ । କେବଳ ଉଚ୍ଚବର୍ଗର ମହଲରେ ହିଁ କୋମ୍ପାନୀମାନଙ୍କର ତରଫରୁ ଲିଖିତ ଆକାରରେ ବତାଇ ଦିଆ ଯାଉଥିବା ପ୍ରଣାଳୀ ଗୁଡ଼ିକ ଅନୁସାରେ ଚାହାର ପ୍ରସ୍ତୁତିକୁ ଉଚିତ ବୋଲି ମାନୁଥିଲେ । ଏକ ତଥ୍ୟରୁ ଜାଣିବାକୁ ମିଳେ ଯେ, ୧୯୪୦ ଅବଧିଯାଏ ମଧ୍ୟ କିଛି ଅଞ୍ଚଳର ବାସିନ୍ଦାମାନେ ଚାହାପାନ ବିଷୟରେ ଅଜ୍ଞ ପ୍ରାୟ ହୋଇ ରହିଥିଲେ । ସେମାନେ ପ୍ରଥମେ ଚାହାପତ୍ରକୁ ପାଣିରେ ପକାଇ ସିଝାଉଥିଲେ । ସେତେବେଳେ ସେଥିରେ ଯଥେଷ୍ଟ ପରିମାଣର ଚିନି ଓ ମେଣ୍ଢାକ୍ଷୀର ମଧ୍ୟ ମିଶାଇ ଦେଉଥିଲେ । ତା’ପରେ ସେମାନେ ତରଳ ଭାଗଟିକୁ କାଢ଼ି ବାହାରକୁ ଫିଙ୍ଗି ଦେଉଥିଲେ ଏବଂ ଏହିପରି ଭାବରେ କ୍ଷୀର ଓ ଚିନି ସହିତ ପାଣିରେ ପଡ଼ି ସିଝିଥିବା ପତ୍ରଗୁଡ଼ିକୁ ଏକ ସୁସ୍ୱାଦୁ ଜଳଯୋଗ ରୂପେ ଆଣି ପରିବେଷଣ କରି ଦେଉଥିଲେ । କୌଣସି ଗୋଟିଏ ସମୟରେ ବଙ୍ଗର ଉତ୍ତରାଞ୍ଚଳରେ ଲୋକେ ଚାହାକୁ ଗୋଟିଏ ପାନଦ୍ରବ୍ୟ ରୂପେ ବ୍ୟବହାର ନକରି ପଖାଳ କଂସାରେ ଭାତସହିତ ମିଶାଇ ହିଁ ଭୋଜନ କରୁଥିଲେ । ହଁ, ଚାହାରେ ତୁଳସୀପତ୍ର ଏବଂ କେତେ ବୁନ୍ଦା ମହୁ ପକାଇ ଅଦାଦେଇ ସେବନ କରିବାକୁ ମଧ୍ୟ ଥଣ୍ଡା ଧରିଥିବା ସମୟରେ ଏକ କବିରାଜୀ ଔଷଧ ରୂପେ ବ୍ୟବହାର କରାଯାଇଥଏ-। ପୁନଶ୍ଚ, ଉତ୍ତର ଭାରତରେ କିଛି ଚାହାଗୁଣ୍ଡ ସହିତ କ୍ଷୀର, ଚିନି ଅଥବା ଚିନିର ଅଭାବରେ ଗୁଡ଼ଖଣ୍ଡେ, ତେଜପତ୍ର ଓ ଅଳେଇଚ ଏକାଠି ରାନ୍ଧି ଯେଉଁ ପାନୀୟ ପ୍ରସ୍ତୁତ କରାଯାଏ, ବହୁବ୍ୟକ୍ତି ସେଇଟି ଦ୍ଵାରା ମଧ୍ୟ ବେଶ୍ ଆକୃଷ୍ଟ ହୋଇଥାଆନ୍ତି ।

 

ଇତିମଧ୍ୟରେ ଚାହାକୁ ଏକ ପାନୀୟ ରୂପେ ବ୍ୟବହାର କରିବାର ସଉକ ତଥା ଅଭ୍ୟାସଟା ହୁଏତ ସେତେବେଶୀ ଚାହା କୋମ୍ପାନୀମାନଙ୍କର ବିଜ୍ଞାପନମାନଙ୍କର ଉପରେ ମୋଟେ ନିର୍ଭର କରୁନାହିଁ । ତଥାପି, ବିଜ୍ଞାପନମାନ ନୂଆ ନୂଆ ନାନା ବିଚକ୍ଷଣତାରେ ବୃଦ୍ଧି ହିଁ ପାଉଛନ୍ତି । ଦେଶ ସ୍ଵାଧୀନ ହେବା ପରେ ଉପଭୋକ୍ତା-ସଂସ୍କୃତି ଖୁବ୍ ଅଭିବୃଦ୍ଧି ଲାଭ କରିଛି । ବଡ଼ ଅର୍ଥାତ୍ ଅଧିକ ସମ୍ପନ୍ନମାନଙ୍କର କେତେଟା ଅଭ୍ୟାସକୁ ଆପେ ମଧ୍ୟ ଆଦରି ନେଇ ପାରିଲେ ସେମାନଙ୍କ ସହିତ ନିଜକୁ ସମକକ୍ଷ ଅର୍ଥାତ୍‌ ସମସ୍ତର ବୋଲି ଅନୁଭବ କରିବାର ଏକ ଅକାଙ୍‌କ୍ଷା, ଆଧୁନିକ ସାମୂହିକ ଜୀବନରେ ସମ୍ଭବତଃ ସେଇଟି ଅଧିକରୁ ଅଧିକ ତଥାକଥିତ ମନୁଷ୍ୟଙ୍କୁ ଏକ ସନ୍ତୋଷଦାୟକ ଆତ୍ମ-ପରିଚିତି ଆଣିଦେବାରେ ଖୁବ୍ ଗତିଶୀଳ କରି ରଖିଛି । ମନୁଷ୍ୟମାନଙ୍କର ସେହି ଇଚ୍ଛାଟିକୁ ପରିପୂର୍ଣ୍ଣ ସ୍ୱୀକୃତି ଦେଇ ବିଜ୍ଞାପନବାଲାଏ ମଧ୍ୟ ବିଜ୍ଞାପନ କୁଶଳତାର ବହୁ ନୂତନ ଦିଗକୁ ଆବିଷ୍କାର କରି ପାରିଛନ୍ତି । ଚାହା କେବଳ ସମ୍ଭ୍ରାନ୍ତମାନଙ୍କର ଏକ ଖାସ୍ ପାନୀୟ ନୁହେଁ, ତାହା ମନୁଷ୍ୟ ମାତ୍ରକେ ସମସ୍ତଙ୍କର ଏବଂ ସବୁରି ହାତ ପାଆନ୍ତାଯାଏ ଯାଇ ପହଞ୍ଚି ପାରିବାକୁ ଆପଣାକୁ ତିଆରି କରିନେଇ ଯେ ଅବଶ୍ୟ ପାରିବ, କୋମ୍ପାନୀମାନେ ସେହି କଥାଟିକୁ ଏବେ ବାସ୍ତବ ସତ୍ୟରେ ପରିଣତ କରିନେଇ ପାରିଛନ୍ତି । ସେମାନେ ଚାହାକୁ ଏକ ଜାତୀୟ ପାନୀୟ ବୋଲି କେତେ ଖୁସୀ ହୋଇ ବି କହିଲେଣି । ମନେ ହେଉଛି, ଲୋକଙ୍କର ମନକୁ କଥାରେ ଅଥବା ନଥାରେ ଭୁଲାଇ ଚାହା ଆଡ଼କୁ ଢ଼ଳାଇ ଆଣିବାର ଆଉ କୌଣସି ଆବଶ୍ୟକତା ନାହିଁ । ବିଭିନ୍ନ ଅର୍ଥସାମର୍ଥ୍ୟ ସ୍ତରର ମନୁଷ୍ୟମାନଙ୍କ ନିମନ୍ତେ ବିଭିନ୍ନ ମୂଲ୍ୟସ୍ତରର ଚାହା ଏବଂ ସେହି ଅନୁସାରେ ଆମ ସହରମାନଙ୍କରେ ଚାହାବିପଣି ଗୁଡ଼ିକର ମଧ୍ୟ ଭିନ୍ନ ଭିନ୍ନ ଚେହେରା ମୁତାବକ ଚାହାର ଦାମ୍ ମଧ୍ୟ ବେଶୀ ଆଉ କମ୍ ! ବେଶୀ ଦେବାକୁ ପଡ଼ୁଥିବା ଆମ ଉପଭୋକ୍ତାମାନେ ଆଦୌ ଆପତ୍ତି ମଧ୍ୟ କରୁନାହାନ୍ତି । ସେମାନେ ତ ଦୈବକୃପା ବଶତଃ ବରଂ ବେଳେ ବେଳେ ଖୁସୀ ବି କାହିଁକି ହେଉ ନ ଥିବେ ଯେ ଏହି ପାତରଅନ୍ତର ଏବଂ ଫରକ ଫଳରେ ସେମାନଙ୍କର ପ୍ରାପ୍ୟ ସମୁଚିତ ସମ୍ମାନଟି ମଧ୍ୟ କେଡ଼େ ଚମତ୍କାର ଚାକ୍ଷୁଷ ପ୍ରକାରେ ସେମାନଙ୍କୁ ବେଶ୍ ମିଳିଯାଇ ପାରୁଛି ।

 

ଚାହାନାମକ ପାନୀୟଟିଏ କ୍ରମେ ଚୀନଦେଶରୁ ପ୍ରବାସରେ ବାହାରି ଭାରତବର୍ଷରେ ଯେ ଆମର ଏକ ଜାତୀୟ ନିତ୍ୟ ବ୍ୟବହାର୍ଯ୍ୟ ପ୍ରିୟ ବସ୍ତୁରେ ପରିଣତ ହେଲା ଏବଂ ପୁନଶ୍ଚ ପୃଥିବୀର ସବୁ ଦେଶକୁ ମଧ୍ୟ ଖେଦିଯାଇ ପାରିଲା, ସେହି କଥାଟିର ଶ୍ରେୟ ସ୍ୱୟଂ ସେହି ଚାହାର ନା ପ୍ରକୃତରେ ଆଉ କାହାର କିମ୍ବା କେଉଁମାନଙ୍କର ? ବିଜ୍ଞାପନମାନେ ତ ଆମପାଇଁ ପ୍ରଚାର କରିବାକୁ କେବେଠାରୁ ଆରମ୍ଭ କରି ଦେଇଛନ୍ତି ଯେ ଭାରତବର୍ଷ ଏତେ ଭିନ୍ନତାର ଏକ ଭୂମି ହୋଇଥିଲେ ମଧ୍ୟ ଚାହା ଆମ ଭାରତୀୟମାନଙ୍କୁ ଏକତ୍ର କରାଇ ଆଣିବାରେ ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର କୃତିତ୍ୱ ଅର୍ଜନ କରିଛି । ସେମାନେ ତ କେଡ଼େ ହରଷିତ ଭାବରେ କହୁଛନ୍ତି ଯେ ଏଠି ଧନୀ ଓ ଦରିଦ୍ର, ପାଠୁଆ ଏବଂ ଅପାଠୁଆ, ଗ୍ରାମୀଣ ଓ ସହରବାସୀ ସମସ୍ତେ ଚାହାର ଏହି ବିଶେଷ ମାଧ୍ୟମଟିଦ୍ୱାରା ହିଁ ପରସ୍ପର ବହୁତ କତି ହୋଇ ଆସିଛନ୍ତି ଏବଂ, ସମସ୍ତଙ୍କର ଗ୍ରହଣୀୟ ଅର୍ଥାତ୍ ଆପଣାର ହୋଇ ପାରିବା ଭଳି ଚାହାର କାରବାରୀମାନେ ପରିପୂର୍ଣ୍ଣ ସନ୍ତର୍ପଣ ସହିତ ସେହି ପଣ୍ୟଟିକୁ ଅନୁକୂଳ କରିଆଣି ପାରିଛନ୍ତି । ଭାରତବର୍ଷ ସମେତ ସଂପୂର୍ଣ୍ଣ ପୃଥିବୀରେ ତେଣେ ଖୁବ୍ ହୋ’ ଉଠୁଛି ଯେ, ପଣ୍ୟବାଦ ପଛରେ ଧାଇଁବାରୁ ଆମ ବିବେକମାନେ କ୍ରମେ ନାନାଭାବେ ଭ୍ରଷ୍ଟ ହୋଇ ଯାଉଛନ୍ତି ଏବଂ ଅଭାବନୀୟ ନାନା ଅବାଟରେ ଯାଇ ପଡ଼ି ଯାଉଛନ୍ତି । ଚାହାକୁ ଆମେ ପାନୀୟ ବୋଲି କହିପାରିବା, ଗୋଟିଏ ବିଳାସ ବୋଲି କହି ପାରିବା ଏବଂ ମତଲବୀ ବଣିଆମାନଙ୍କ ହାତରେ ପଡ଼ି ବହୁ ଅସଙ୍ଗତିର ମଧ୍ୟ କାରଣ ହେଉଥିବା ଗୋଟିଏ ଖାସ୍ ପଣ୍ୟ ବୋଲି କହି ପାରିବା । ପାନୀୟ କହିଲେ ସବୁଠାରେ ଏକ ପ୍ରୟୋଜନୀୟ ପଦାର୍ଥକୁ ଅବଶ୍ୟ ବୁଝାଇବ । ଏବଂ, ତାହା ଯେପରି ସେଇଟିକୁ ଲୋଡ଼ୁଥିବା ସମୂହଗୁଡ଼ିକର ପହୁଞ୍ଚକୁ ଆସିପାରିବ, ସେଥିଲାଗି ଅନ୍ୟ ଯେକୌଣସି ପଣ୍ୟ ସଦୃଶ ତାହାକୁ ବଣିକମାନଙ୍କର ହାତରେ ସମର୍ପି ମଧ୍ୟ ଦେବା ଆବଶ୍ୟକ ହେବ । ଏହିପରି ଭାବରେ ଏହି ପୃଥିବୀରେ ସର୍ବବିଧ ପଣ୍ୟର ଏକ କାହାଣୀ ମଧ୍ୟ ରହିଛି । କିନ୍ତୁ ପଣ୍ୟକୁ ସ୍ୱୀକୃତି ଦେଇ ବିଚରା ଆମେ କୋଟି କୋଟି ମନୁଷ୍ୟ କୌଣସି ପଣ୍ୟବାଦର ଜାଲରେ ଅଥବା ପଣ୍ୟବାଦୀଙ୍କ କବଳରେ ଯାଇ ଯେ ନିଶ୍ଚୟ ପଡ଼ିଯିବା, ସେହି କଥାଟିକୁ କ’ଣ ପାଇଁ ଏକ ଅବଶ୍ୟମ୍ଭାବୀ ଘଟଣା ବୋଲି କୁହାଯିବ !

Image

 

ଏବଂ ଶେଷ ଅଧାୟଟିଏ

 

ସବା ଆଗ ଲେଖକ ଓକାକୁରାଙ୍କର ଗୋଟାଏ ସାନ ବହି ଚାହାର ଉତ୍ସବ ବିଷୟରେ । ସେଥିରୁ ଚାହାର ଇତିହାସ, ତାହାରି ସହିତ ଖିଅମାନଙ୍କୁ ଲଗାଇ ଦେଇ ଚାହା ନାମକ ସେହି ବିଶ୍ୱ-ପରିବ୍ରାଜକଟିର ବିଶ୍ୱ-ପର୍ଯ୍ୟଟନ ଏବଂ ବର୍ଣ୍ଣ, ଧର୍ମ ତଥା ସ୍ତର ନିର୍ବିଶେଷରେ ବିଶ୍ୱବାସୀଙ୍କୁ ଆପଣାର ନାହିଁ ନ ଥିବା ମହତ୍ତ୍ୱ ବିଷୟରେ ଦୀକ୍ଷାଦାନ,- ପାନୀୟଟିର ଏପରି ଏକ ଅଭାବନୀୟ ପଣ୍ୟକୁ ରୂପାନ୍ତରୀକରଣ,-ଛାର ଚାହା ନାମକ ସନ୍ଦର୍ଭଟିର ପିଠିରେ ଲାଉ ହୋଇ ବସି ପ୍ରସ୍ତୁତ ଗତ କେତେଗୋଟି ଅଧ୍ୟାୟରେ ଫେଣେଇ ଫେଣେଇ ଏତେଗୁଡ଼ାଏ କଥା ବା ଅକଥା ସତକୁ ସତ କାହାର ବା କେଉଁସବୁର ଆଶୀର୍ବାଦରୁ କୁହାଯାଇ ପାରିଲା କେଜାଣି ? ଏହି ଶେଷ ଅଧ୍ୟାୟଟିରେ ଆମେ ପୁନର୍ବାର ସେହି ଚାହା ଉତ୍ସବରୁ ଆରମ୍ଭ କରି ସୂତାମାନଙ୍କୁ ଯଥାସମ୍ଭବ ଏକ ସିଂହାବଲୋକନର ଶୈଳୀରେ ଏକ ଉପସଂହାର ଅର୍ଥାତ୍ ସାରସମଗ୍ର ମଧ୍ୟକୁ ଏକତ୍ର କରି ଗୁଡ଼ାଇ ଆଣିବା ଏବଂ ମନ୍ଦିରଟିରେ ମୁଣ୍ଡିଟିଏ ମାରିବା ଲାଗି ମଧ୍ୟ ପ୍ରୟାସ କରିବା ।

 

ଯେଉଁ ଖାସ୍ ଭାବକଳ୍ପଟି ଉପରେ ଜାପାନର ଚାହା-ଉତ୍ସବଟି ସେହି କୋଉ ପୁରାତନ କାଳରୁ ଏକ ଖାସ୍ ପରମ୍ପରା ରୂପେ ପ୍ରତିଷ୍ଠାପ୍ରାପ୍ତ ହୋଇ ରହି ଆସିଛି, ଜାପାନୀ ଭାଷାରେ ତାହାକୁ ୱାବି (Wabi) ନାମକ ଶବ୍ଦଦ୍ୱାରା ବ୍ୟକ୍ତ କରିବାକୁ ଚେଷ୍ଟା କରାଯାଇଛି । ଶବ୍ଦଟିର ଆକ୍ଷରିକ ଅର୍ଥଟି ହେଉଛି ଏକାକିତା, ନିର୍ଜନତା, ସକଳବିଧ ଖିଅ ଛିଡ଼ି ଯାଇଥିବା ହେତୁ ଜଞ୍ଜାଳମୁକ୍ତ ହୋଇ ରହିବାର ଏକ ତଥାକଥିତ ଆଶ୍ୱାସନାଯୁକ୍ତ ନିରାପତ୍ତାର ସତେଅବା ସକାରାତ୍ମକ ଅନୁଭବ । ସେହି ଅବସ୍ଥାଟି ସତେ ଅବା ଭାରି ହାଲୁକା କରି ଆଣେ, ଏତେବଡ଼ ସଂସାରଟାଏ ଏତେ ଏତେ କୋଳାହଳ କରି ଚାରି ପାର୍ଶ୍ୱରେ ମୋତେ ଅଥବା ଆମକୁ ଘେରିକରି ରହିଛି ତଥା ସେଇଟି ଭିତରେ ମୁଁ ଅବଶ୍ୟ ରହିଥିଲେ ମଧ୍ୟ ମୁଁ ପଦ୍ମପତ୍ର ଉପରେ ଏକ ଜଳବିନ୍ଦୁ ସଦୃଶ ଆଦୌ ତା’ସହିତ ସଂପୃକ୍ତ ହୋଇ ରହି ନ ଥିବାର ଏକ ପ୍ରସନ୍ନ ପୂର୍ଣ୍ଣାନୁଭୂତି । ତାହାହିଁ ଅସଲ ଜୀବନ । ୱାବିର ଚିତ୍ତମୁଦ୍ରାଟି ତାହାକୁ ପୂର୍ଣ୍ଣ ସକାରାତ୍ମକ ଭାବରେ ଗ୍ରହଣ କରିଥାଏ ଏବଂ ଘୋଷଣା କରେ ଯେ ଏହିପରି ଗୋଟିଏ ସକାରାତ୍ମକ ଏକାକିତ୍ୱବୋଧ ହିଁ ଆମ ମନୁଷ୍ୟଜୀବନର ସର୍ବବୃହତ୍ ଉପାସ୍ୟ ଏବଂ ସର୍ବ-ଉତ୍ତମ ସମ୍ପଦ । ତେଣୁ, ସଚେତନ ଭାବରେ ଯେଉଁ ମନୁଷ୍ୟଟି ତଥା ମନୁଷ୍ୟମାନେ ସେହି ଏକାକିତା ତଥା ଦାରିଦ୍ର୍ୟକୁ ବରଣ କରି ନେଇ ପାରିବେ, ସେମାନେ ଅବଶ୍ୟ ଏକ ବିରଳ ଅଧ୍ୟାତ୍ମସ୍ଥିତିକୁ ଲାଭ କରିବେ ଏବଂ ଆପଣାର ଜୀବନକୁ ଏକାଧାରରେ ଏକ ସାବଲୀଳତା ଓ ଉଚ୍ଚତା ଆଣି ଦେଇପାରିବେ । ସେତେବେଳେ ଏହି ଜଡ଼ ପୃଥିବୀଟାର କୌଣସି ଗ୍ରନ୍ଥି ଆମକୁ ସରାଗ ଦେଇ ଏତିକି ମଧ୍ୟରେ ବାନ୍ଧି ରଖିବାର ଆଦୌ ଅବକାଶ ହିଁ ନ ଥିବ । ଏହି ନିର୍ଦ୍ଦିଷ୍ଟ ଦର୍ଶନଟିର ମୂଳପ୍ରେରଣା ଜାପାନରେ ପ୍ରସାର ଲାଭ କରିଥିବା Zen ବୌଦ୍ଧମାର୍ଗରୁ ପ୍ରାପ୍ତ ହୋଇଛି ବୋଲି ଯୁଗେ ଯୁଗେ ସେହି ଦେଶର ବିଶ୍ୱାସରେ ପ୍ରତିଷ୍ଠିତ ହୋଇ ରହିଛି, ପ୍ରାୟ ଏକହଜାର ବର୍ଷ ତଳୁ ।

 

ତେଣୁ ଜାପାନୀ ଭାଷାରେ ଏହି ରୀତିରେ ବିଚାର ତଥା ଅନୁଷ୍ଠାନର ଆକାର ଲାଭ କରିଥିବା ଚାହା ଉତ୍ସବଟିକୁ ସେହି ସମୟରୁ ହିଁ wabi cha ବୋଲି କୁହାଯାଇ ଆସିଛି । କାଳାନୁକ୍ରମରେ ସେହି ରୀତିଟିର ଆନୁଷ୍ଠାନିକତାରେ ସ୍ୱଭାବତଃ ନାନାବିଧ ପରିବର୍ତ୍ତନ କରାଯାଇ ଆସିଛି: କଳେବର-ଛେଦନ କରାଯାଇଛି, କଳେବରର ରୋପଣ ମଧ୍ୟ କରାଯାଇଛି । ସକଳବିଧ ଜାପାନୀ ସାମାଜିକ ଜୀବନକୁ ଆକାର ତଥା ଚରିତ୍ର ଗୁଡ଼ିକୁ ଯୋଗାଇ ଦେବାରେ ଯେଉଁ ସମରରତ ଅଧ୍ୟକ୍ଷମାନେ ଦେଶର ପୁରାତନ ସଂସ୍କାର ଗୁଡ଼ିକୁ ମଧ୍ୟ ନିର୍ଦ୍ଦିଷ୍ଟ ରୀତିମାନ ପ୍ରଦାନ କରି ଆସିଛନ୍ତି, ସମ୍ଭବତଃ ସେହି Samurai ମାନଙ୍କର ଖାସ୍ ତତ୍ୱାବଧାନରେ ଚାହା-ଉତ୍ସବର କ୍ଷେତ୍ରରେ ମଧ୍ୟ ଏକାଧିକ ହେରଫେର ହୋଇ ଆସିଛନ୍ତି ଏବଂ ସେମାନେ ଆପଣାର ସ୍ତରୀୟ ଉଚ୍ଚତା ଗୁଡ଼ିକୁ ଦୃଷ୍ଟିରେ ରଖି ତାହାକୁ ବେଳେ ବେଳେ ଅନ୍ତତଃ ବାହ୍ୟ ବିଧିମାନଙ୍କରେ ବେଶ୍ ଆଖିଦୃଶିଆ ମଧ୍ୟ କରାଇବାକୁ ପ୍ରୟାସ କରିଛନ୍ତି । ତେଣୁ, ୱାବି ଚା’ର ସିଦ୍ଧାନ୍ତ- ସମର୍ଥିତ ସରଳତା ଗୁଡ଼ିକ ଯେ ସେହି ପୂର୍ବପରି ବଜାୟ ରହିଛି, ସେ କଥାଟିକୁ ଆଦୌ ଦାବୀ କରାଯାଇ ପାରିବ ନାହିଁ । ଏହି ଆଳରେ ନୂଆ ନୂଆ ୱାବି ଶାଖାମାନଙ୍କର ଜନ୍ମ ବି ହୋଇଛି ଏବଂ ବେଶ୍ ବିବିଧତାମାନ ଭର୍ତ୍ତି କରି ଦିଆଯାଇଛି । ଏକଦା ଯେତେବେଳେ ଜାପାନରେ ସେହି ସାମୁରାଇ ମାନଙ୍କର ପ୍ରକୋପ ଓ ପ୍ରଭାମାନ କ୍ରମେ ମଉଳି ଆସିଲା ଏବଂ ଆଖର ବିଲୁପ୍ତ ହୋଇ ଯାଇଥିଲା, ସେତେବେଳେ ପ୍ରଥମ କରି ଏହି ଉତ୍ସବ ଗୁଡ଼ିକରେ ଚାହା ପ୍ରସ୍ତୁତ କରି ଦେବାର କାର୍ଯ୍ୟରେ ନାରୀମାନଙ୍କୁ ମଧ୍ୟ ସୁଯୋଗ ଦିଆଗଲା । ତେଣୁ, ସେହି ପରିବର୍ତ୍ତନ ହେତୁ କ୍ରମେ ଝିଅମାନଙ୍କୁ ମଧ୍ୟ ଉତ୍ସବର ବିଧିଗୁଡ଼ିକୁ ଶିକ୍ଷା କରିବା ନିମନ୍ତେ ବ୍ୟବସ୍ଥାମାନ ହୋଇଥିଲା । ସେମାନେ ଅନୁରୂପ ଆଚରଣ ଗୁଡ଼ିକୁ ମାନିବେ, ଖାସ୍ ସୌନ୍ଦର୍ଯ୍ୟବୋଧର ରୀତିଗୁଡ଼ିକୁ ମଧ୍ୟ ଆୟତ୍ତ କରିବେ, ଇତ୍ୟାଦି ଇତ୍ୟାଦି । ବର୍ତ୍ତମାନ ତ ସେହି ପ୍ରଶିକ୍ଷଣଟି ସମଗ୍ର ପୃଥିବୀ ସ୍ତରକୁ ମଧ୍ୟ ବ୍ୟାପ୍ତ ହୋଇ ଯାଇଛି । ଯେଉଁସବୁ ସ୍ଥାନରେ ବେଶ୍ କିଛି ସଂଖ୍ୟାରେ ଜାପାନୀମାନେ ଯାଇ ବାସ କଲେଣି, ସେଠାକୁ ମଧ୍ୟ ସେହି ପାରମ୍ପରିକ ଚାହା-ଉତ୍ସବଟି ବେଶ୍ ସଂକ୍ରାମିତ ହୋଇ ଯାଇ ସାରିଲାଣି ।

 

ସେହି ଚାହା-ଉତ୍ସବର ଅନୁଷ୍ଠାନ ଏବଂ ଅବସରଟିକୁ ଗୋଟାଏ ତୁଚ୍ଛା ବଡ଼ଲୋକୀ ନାଟକତୁଲ୍ୟ ବିଳାସ ବୋଲି ଭାବିଲେ ହୁଏତ ତାହା ପରମ୍ପରାଟି ପ୍ରତି କିଞ୍ଚିତ୍ ଅସମ୍ମାନ ପ୍ରଦର୍ଶନ କରୁଥିବା ପରି ବୋଧ ହେବ । କେତେଜଣ ଅତିଥିଙ୍କୁ ଘରକୁ ନିମନ୍ତ୍ରଣ କରି ଆଣି କିଛି ପରିଚିତ ନାଟକୀୟତା ଯୋଗାଇଦେବା ବ୍ୟତୀତ ସେଥିରେ ବେଶୀ କିଛି ସାର ବା ତାତ୍ପର୍ଯ୍ୟ ମୋଟେ ନଥିବା ପରି ହୁଏତ ଆମର ବାହାରୁ ଥାଇ ଖୁବ୍ ମନେହେବ । ମାତ୍ର, ଚାହା-ଆପ୍ୟାୟନର ଗୃହଟିର ଅଳଙ୍କରଣ ଏବଂ ଆନୁଷଙ୍ଗିକ ବିହିତ ସଜ୍ଜାଗୁଡ଼ିକୁ ଅବଲୋକନ କଲେ ସେଥିରେ ପ୍ରତୀକାତ୍ମକ ଭାବରେ କିଛି ଗମ୍ଭୀର ମହତ୍ତ୍ୱ ରହିଛି ବୋଲି ମଧ୍ୟ ବେଶ୍ ଉପଲବ୍ଧି କରାଯାଇ ପାରିବ । ବାହାରକୁ ଆଚରିତ ରୀତିଗୁଡ଼ିକ କେଡ଼େ ସାଧାସିଧା, ନିତାନ୍ତ ମାମୁଲି, ଏବଂ ତାହାରିଦ୍ୱାରା ହୁଏତ ସୂଚାଇ ଦେବାକୁ ଇଚ୍ଛା କରାଯାଉଥିବ ଯେ, ବାହାରେ ଯାବତୀୟ ଧନ୍ଦାର ସେହି ସଂସାରଟିରେ ଆମେ ନାନାଭାବେ ଥାକଥାକ ଏବଂ ଫାଙ୍କ ଫାଙ୍କ ହୋଇ ନିଜ ନିଜର ଜୀବନକୁ ବଞ୍ଚୁଥିଲେ ମଧ୍ୟ ଏହି ଚାହାସେବନର ଉତ୍ସବଟିରେ ଆମେ ସମସ୍ତେ ଜଣେ ଜଣେ ମନୁଷ୍ୟ: ତେଣୁ, ଏହି ଗୃହଟି ମଧ୍ୟରେ ଆସି ପ୍ରବେଶ କରିବା ସମୟରେ ଆମକୁ ବାହାରର ଯାବତୀୟ ଫରକକୁ ସେହି ବାହାରେ ରଖି ନିତାନ୍ତ ନମ୍ରହୋଇ ଆସିବାକୁ ହିଁ ହେବ,–ଏପରି ଏକ ଏକତାକୁ ଅନୁଭବ କରିବାକୁ ହେବ, ଯାହାକି କେବଳ ଗୋଟିଏ ସାମାଜିକ ଅନ୍ୟବିଧତା ବୋଲି ଆଦୌ କୁହାଯାଇ ପାରିବ ନାହିଁ । ସେଥିଲାଗି ଏକ ଅନୁକୂଳ ପରିବେଶ ଯୋଗାଇ ଦେବା ଉଦ୍ଦେଶ୍ୟରେ ଅଭ୍ୟନ୍ତରର ସବୁକିଛିକୁ ମଧ୍ୟ କେତେ ସୁଚାରୁ ଅର୍ଥାତ୍ ସୁଚିନ୍ତିତ ଭାବରେ ବରାଦ କରି ରଖା ଯାଇଥାଏ । ଆଲୁଅକୁ ଆବଶ୍ୟକତା ଅନୁସାରେ ସ୍ତୀମିତ କରି ରଖା ଯାଇଥାଏ, କେଟ୍‌ଲିରେ ଫୁଟୁଥିବା ପାଣି ମଧ୍ୟ ସେହିପରି ଏକ ଅଳସ ଶବ୍ଦଧ୍ୱନି ଯୋଗାଇ ଦେଉଥାଏ, କେଟ୍‌ଲି ତଳେ ରହିଥିବା ରଡ଼ ନିଆଁଟିକୁ ମଧ୍ୟ ଅନାଇ ଦେବା ମାତ୍ରକେ ଭିତରର ବହୁ ଉତ୍ତେଜନା ସତେଅବା ଶାନ୍ତ ବି ହୋଇଆସେ । ସତେ ତ, ମନୁଷ୍ୟର ହରଷିତ ହାତଟି ବାଜିଲେ ସମଗ୍ର ବାତାବରଣଟି ଯେ ଏଡ଼େ ମନୋରମ ଭାବରେ ଉଦ୍‌ବେଗଶୂନ୍ୟ ହୋଇଆସେ ଏବଂ ସତେ ଅବା ଏକ ଅନ୍ୟସ୍ତରୀୟ ଏକତାରେ ଉପସ୍ଥିତ ମନୁଷ୍ୟମାନଙ୍କୁ ଏକଯୁକ୍ତ କରିଆଣେ, ସେଥିଲାଗି ସିନା ସଂପୂର୍ଣ୍ଣ ଭାବରେ ଏହି ମଣିଷ ଭିତରେ ରହିଥିବା ଖାସ୍ ସେଇ କଳାତ୍ମକ ବୁଦ୍ଧିମତ୍ତାଟିକୁ ହିଁ ସବୁଯାକ ଶ୍ରେୟ ଦେବାକୁ ପଡ଼ିବ !

 

ହଁ, ଚାହା-ଆପ୍ୟାୟନର ଗୃହଟି ମଧ୍ୟରେ ମଧ୍ୟ ଖୁବ୍ କଥୋପକଥନ ଅବଶ୍ୟ ହୁଏ, ମାତ୍ର ବାହାର ପୃଥିବୀଟିର ସେହି ନିତ୍ୟନୈମିତ୍ତିକ ଧନ୍ଦୋଳଗୁଡ଼ିକ ବିଷୟରେ ନୁହେଁ, ସର୍ବତୋଭାବେ ସେହି ଅଭ୍ୟନ୍ତରଟି ବିଷୟରେ ହୋଇଥାଏ । ତା’ଭିତରେ ଚଗଲା ହୋଇ ଯାହା ମନ ତାହା କଥା ପକାଇ ବିନୋଦନ ସୃଷ୍ଟି କରିବାର ଆଦୌ କୌଣସି ବାଚାଳତା ନଥାଏ ବରଂ, ଚାହାର ପ୍ରସ୍ତୁତି ଓ ପରିବେଷଣ କରାହେଉଥିବାର ବାସନପାତ୍ର ଗୁଡ଼ିକ ସଂପର୍କରେ ବାର୍ତ୍ତାଳାପଟିକୁ ହିଁ ଅଗ୍ରାଧିକାର ଦିଆଯାଏ । ଏହା ପଛରେ, ସମୁଦାୟ ଅନୁଷ୍ଠାନଟି ପଛରେ ଯେଉଁ ଭାବଗତ ଦର୍ଶନଟି ରହିଛି ବୋଲି ସେହି ସେକାଳର ଅଗ୍ରଗାମୀମାନେ କହି ଆସିଛନ୍ତି, ସେଇଟି ଅନୁସାରେ ବିଚାର କରାଯାଏ ଯେ, ଜୀବନକୁ ସର୍ବୋତ୍ତମ ରୀତିରେ ବଞ୍ଚିବାର ଅର୍ଥ ହେଉଛି, ଜୀବନର ପ୍ରତ୍ୟେକ ମୁହୂର୍ତ୍ତଟିକୁ ବଞ୍ଚିବା,–କୌଣସି ବିଶେଷ ମୁହୂର୍ତ୍ତକୁ ବା ଅବସରଗୁଡ଼ିକୁ ଅପେକ୍ଷାକୃତ ଅଧିକ ମହତ୍ତ୍ୱ ଅର୍ଥାତ୍ ଓଜନ ଦେବାକୁ ଯାଇ ଅନ୍ୟଗୁଡ଼ିକୁ ମାମୁଲି ବୋଲି କହି ଏଡ଼ାଇଦେବା ଆଦୌ କୌଣସି ଶୈଳୀ ହିଁ ନୁହେଁ । ଅର୍ଥାତ୍, ଆପ୍ୟାୟନଟିରେ ସାମିଲ ହୋଇ ବସିଥିବା ସମୟରେ ସେହି ମୁହୁର୍ତ୍ତଗୁଡ଼ିକ ସହିତ ଆପଣାକୁ ସଂପୃକ୍ତ କରି ରଖିବାକୁ ହୁଏ ଏବଂ ତେବେଯାଇ ଯଥାର୍ଥ ଆମେଜଟିକୁ ଉପଲବ୍ଧି କରିହୁଏ । ଏସବୁ ପାଠ କରୁଥିବା ସମୟରେ ନିଶ୍ଚୟ ଖୁବ୍ ଆଶ୍ଚର୍ଯ୍ୟ ଲାଗିବ ଯେ ସତକୁ ସତ ଜାପାନ ଦେଶର ଅଧିବାସୀମାନେ ନିୟମିତ ଭାବରେ କିଞ୍ଚିତ୍ କର୍ମଭାରମୁକ୍ତ ଅନୁଭବ କରିବେ ବୋଲି ନିଜ ନିଜ ଘରେ ଉତ୍ସବଟି ଲାଗି ଏତେ ଏତେ ସମୟ ଦେଇପାରନ୍ତି ! ସେକଥା ମୋଟେ ନୁହେଁ । ନିତାନ୍ତ ଅଳ୍ପ ମନୁଷ୍ୟଙ୍କର ସେଠାରେ ଏତେ ସମୟ ରହିଛି ଯେ, ସେମାନେ ଆପ୍ୟାୟନ-ଉତ୍ସବଟି ନିମନ୍ତେ ଅଲଗା ଗୃହସ୍ଥାନଟିଏ ରଖି ସେହି ବିଳାସଟି ନିମନ୍ତେ ଇଚ୍ଛା କରିଥାଆନ୍ତି । ସମୟ ନ ଥାଏ, ସାମର୍ଥ୍ୟ ମଧ୍ୟ ନ ଥାଏ । ସବୁକାଳରେ ହିଁ ସେହି କାରଣରୁ ସେଇଟି ସମ୍ଭ୍ରାନ୍ତ ଓ ଶିଷ୍ଟମାନଙ୍କର ଏକ ବିଶେଷ ଆନୁଷ୍ଠାନିକତା ରୂପେ ଚଳି ଆସିଛି । ଅବଶ୍ୟ, ଏହି କ୍ଷେତ୍ରରେ ବୌଦ୍ଧ ଭିକ୍ଷୁବର୍ଗଙ୍କୁ ଏକ ବ୍ୟତିକ୍ରମ ବୋଲି କୁହାଯିବ ।

 

ଚାହା ଉତ୍ସବର ସେହି ଅନୁଷ୍ଠାନଟି ଜାପାନୀ ପରମ୍ପରାରେ ଏକ ବିଶେଷ ଭାବରେ ସ୍ମରଣୀୟ ପ୍ରକରଣ ହୋଇ ରହିଆସିଛି । ଚଳଣି ଭିତରେ ବିଶେଷ ଭାବରେ ଚାକ୍ଷୁଷ ହୋଇ ରହି ନାହିଁ ସିନା, ତଥାପି ବେଶ୍ ବହୁସଂଖ୍ୟକ ବ୍ୟକ୍ତି ଢ଼େର ଅନୁରାଗ ସହିତ ସେଇଟିର ଅଧ୍ୟୟନ କରୁଛନ୍ତି ଏବଂ ଅଧ୍ୟୟନ କରି ପୁଲକିତ ବି ଅନୁଭବ କରୁଛନ୍ତି । ନାରୀ ଓ ପୁରୁଷ ଉଭୟ ଗୋଷ୍ଠୀର ଦରିଦ୍ର ତଥା ଧନିକ ଉଭୟ ବର୍ଗର । ସେହି ଉତ୍ସାହୀ ବ୍ୟକ୍ତିମାନେ ସପ୍ତାହରେ ଦୁଇଘଣ୍ଟା ନିମନ୍ତେ ଅଭିଜ୍ଞ ଖାସ୍ ଗୁରୁମାନଙ୍କ ପାଖକୁ ଯାଉଛନ୍ତି ଏବଂ ସାନ ସାନ ମେଳ ମଧ୍ୟରେ ପ୍ରଶିକ୍ଷଣ ଲାଭ କରୁଛନ୍ତି । ଚାହା ତିଆରି କରିବାର ପ୍ରଣାଳୀ ତଥା ଆନୁଷ୍ଠାନିକ ଉତ୍ସବଟିରେ ଜଣେ ଅତିଥିର ଭୂମିକାରେ ନିଜର କର୍ତ୍ତବ୍ୟାଦି ବିଷୟରେ ପୂର୍ଣ୍ଣରୂପେ ଅବହିତ ରହିବାର ବିଧିଗୁଡ଼ିକ ବିଷୟରେ ଟିକିନିଖି ସକଳ ବିଧି, କାଠ କୋଇଲାରେ ଆଞ୍ଚଟିକୁ ପ୍ରସ୍ତୁତ କରିବାରୁ ଆରମ୍ଭ କରି, ବାସନକୁଶନ ଇତ୍ୟାଦି ଲଗାଏତ କଳା, କାରିଗରୀ, କବିତା, ବଗିଚାର କାଇଦା ଏବଂ ବଗିଚାର ଫୁଲମାନଙ୍କ ବିଷୟରେ । ଭଳି ଭଳି ଫୁଲ ଫୁଟୁଥିବା ଭିନ୍ନ ଭିନ୍ନ ଋତୁଗୁଡ଼ିକ ବିଷୟରେ । ପୁନଶ୍ଚ ଜୁଣତିଆରି ସଉପଟି ଠାରୁ ଆରମ୍ଭ କରି କିପରି ସବାଆଗ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିବାକୁ ହୁଏ, ମୋଟେ କୌଣସି ଗୋଟିଏକୁ ମଧ୍ୟ ବାଦ୍ ନଦେଇ । ଶିକ୍ଷାଦାତାମାନେ ବହିରୁ ପଢ଼ି ମନେ ରଖିବା ଉପରେ କୌଣସି ଗୁରୁତ୍ୱ ଦେଇ ନଥାନ୍ତି, ସବୁଗୁଡ଼ିକୁ କାର୍ଯ୍ୟରେ କରି ହିଁ ଶିକ୍ଷା କରିବାକୁ ହୋଇଥାଏ । ବୁଦ୍ଧିର ପ୍ରୟୋଗ କରି ଏଥର ଜାଣିଲି ବୋଲି ବିଚାର କରିବା,–ଏଇଟାକୁ ଆଦୌ କୌଣସି ଶିକ୍ଷା ବୋଲି ସ୍ଵୀକାର କରାଯାଏ ନାହିଁ ।

 

ପୁନର୍ବାର, ଚାହା ଉତ୍ସବଟିର ପଛରେ ୱାବି ନାମକ ସେହି ଦାର୍ଶନିକ ଦୃଷ୍ଟିଟିର ଖିଅମାନଙ୍କୁ ଏକତ୍ର ସାଉଁଟି ଆଣି କହିବସିଲେ, ଅସଲ ଲକ୍ଷ୍ୟଟି ହେଉଛି ଏକ ଶୂନ୍ୟତାର ବୋଧ: ମୁଁ ଏହି ସବୁଟି ଭିତରେ ଖୁବ୍ ରହିଛି-ବାନ୍ଧିହୋଇ ରହିଛି, ଗୁନ୍ଥିହୋଇ ରହିଛି । ତଥାପି, ମଝିରେ ମଝିରେ ଏପରି ଶୂନ୍ୟତାବୋଧର ଆନୁଷ୍ଠାନିକ ଅବସର ସୃଜି ଆଣିବାକୁ ପଡ଼ିବ, ଯେଉଁଟିରେ ମୋର ବା ମୁଁ ରହିଥିବା ସେହି ଆଚରିତ ମେଳଟିରେ ପ୍ରତୀକାତ୍ମକ ଭାବରେ ଏପରି ଏକ ପରିବେଶ ମୋତେ ପୂର୍ଣ୍ଣିମଗ୍ନ କରି ରଖିବ, ଯାହାକି ମୋତେ ଏକ ସ୍ୱତଃସ୍ଫୂର୍ତ୍ତ ଆବେଶିକତା ଅବଶ୍ୟ ପ୍ରଦାନ କରିବ ଯେ, ବାହାରେ ମୋତେ ବେଢ଼ି ରହିଥିବା ବସ୍ତୁଭର୍ତ୍ତି ପରିବେଶଟି ନ୍ୟାୟତଃ କିଛି ନୁହେଁ,–ଅସଲ ମୁଁ ଟି ସହିତ ଏଇଟିର କୌଣସି ସଂଲଗ୍ନତା ମୋଟେ ନାହିଁ । ଅସଲଟା ହେଉଛି ୱାବି,–ଏକାକିତାର ଏକ ପୂର୍ଣ୍ଣ ସହଜାନୁଭୂତି । ଏକ ଦାରିଦ୍ର୍ୟ,-ଆମେ ମାତ୍ର କେତୋଟି ମୁହୂର୍ତ୍ତ ପାଇଁ ବରି ନେଇଥିଲେ ମଧ୍ୟ ସେଇଟି ହେଉଛି ସର୍ବସାର । କାରଣ, ଖାସ୍ ସେତିକିବେଳେ ଯାଇ ଆମେ ନିଜର ଭିତର ଆଡ଼କୁ ଏକ ପ୍ରସାରିତ ଥିରତା ମଧ୍ୟରେ ଅନାଇ ଦେଖିପାରିବା ଏବଂ ଏକ ଆଧ୍ୟାତ୍ମିକ ସଂପଦର ସ୍ପର୍ଶ ମଧ୍ୟ ପାଇବା । ସେତେବେଳେ ବାହାର ଜୀବନଟାର ଗଦା ଗଦା ବସ୍ତୁମାନଙ୍କ ପ୍ରତି ଆମର କୌଣସି ଆସକ୍ତତା ନ ଥିବ ।

 

ଚୀନଦେଶରେ ମଧ୍ୟ ଗୋଟିଏ ପ୍ରକାରର ବିବାହ-ଅନୁଷ୍ଠାନ ସମୟରେ ଚାହା ଆପ୍ୟାୟନର ରିବାଜ ରହିଛି, ପ୍ରାୟ ଗୋଟିଏ ନିୟମିତ ପରମ୍ପରା ସଦୃଶ । ସେଥିରେ କେବଳ ବରପକ୍ଷର ଅତିଥିମାନଙ୍କୁ ହିଁ ସେହି ଆନୁଷ୍ଠାନିକ ଚାହା ବିତରଣ କରାଯାଏ । ଚାହା ତ ଚୀନ ଦେଶରେ ସବୁସ୍ତରରେ ଲୋକମାନଙ୍କର ଏକ ନିତ୍ୟପାନୀୟ ରୂପେ ବହୁକାଳରୁ ପ୍ରଚଳିତ ରହି ଆସିଛି । ଏବଂ, ବିବାହକାଳୀନ ଅତିଥିମାନେ ତ ବସ୍ତୁତଃ ସମସ୍ତେ ସୁରାପାନ କରିବେ ନାହିଁ, ତେଣୁ ଚାହାର ପରିବେଷଣଟି ହିଁ ଅଧିକ ଉଚିତ ବୋଧ ହୋଇଥାଏ । ଏହି ଉତ୍ସବର ପରମ୍ପରା ଅନୁସାରେ ଚାହା ସହିତ ପଦ୍ମଫୁଲର କିଛି ମଞ୍ଜି ଓ ଦୁଇଟି ଖଜୁରି ମଧ୍ୟ ପକାଯାଇଥାଏ । ଲୋକାପବାଦ କହେ ଯେ, ଆଗେ ଏହାଦ୍ୱାରା ବିଶ୍ଵାସ କରାଯାଇଥିଲା ଯେ ଏହି ବସ୍ତୁଗୁଡ଼ିକୁ ଚାହା ସହିତ ଏକାଠି ମିଶାଇ ସେବନ କଲେ ନବବିବାହିତ ଦମ୍ପତିଙ୍କର ଶୀଘ୍ର ସନ୍ତାନମାନେ ଜାତ ହେବେ,-ବହୁ ସଂଖ୍ୟାରେ ସନ୍ତାନ ଜନ୍ମିବେ ଏବଂ ନାତିନାତୁଣୀମାନେ ମଧ୍ୟ ପରିବାରରେ ଜନ୍ମି ସୁଖ ବୃଦ୍ଧି କରିବେ । ପୁନଶ୍ଚ, ଏହି ମଧୁର ଦୁଇଟିଯାକ ପଦାର୍ଥ ଭୋଜନ କରିବା ଦ୍ଵାରା ନବବିବାହିତା କନ୍ୟାଟିର ତା’ ଶାଶୁଘରର ସମସ୍ତଙ୍କ ସହିତ ସଂପର୍କ ମଧ୍ୟ ଅବଶ୍ୟ ଉତ୍ତମ ରହିବ ବୋଲି ଲୋକେ ବିଶ୍ୱାସ କରୁଥିଲେ । ବିବାହ ତିଥିରେ ବର ଆସି ପହଞ୍ଚିବା ପୂର୍ବରୁ ହିଁ କନିଆଁ ନିଜ ବାପା ଓ ମାଆଙ୍କୁ ଚାହା ଆଣି ପିଇବାକୁ ଦିଏ-। ସେତେବେଳେ କପ୍ ଏବଂ ପିଆଲାକୁ ବିଧି ଅନୁସାରେ ଦୁଇହାତରେ ଧରିବାକୁ ମଧ୍ୟ ହୁଏ । ବାପା ମାଆ ଯେ ତାକୁ ଏତେଦିନ ନିଜ ଯତ୍ନ ଓ ହେପାଜତରେ ସାନରୁ ବଡ଼ କରି ଆଣିଲେ, ସେଥିଲାଗି କୃତଜ୍ଞତା ପ୍ରକାଶ କରି ଝିଅଟି ତାହା କରିଥାଏ । ସେହି ଚାହାରେ ପଦ୍ମଫୁଲର ମଞ୍ଜି ଏବଂ ଖଜୁରୀଫଳ ମଧ୍ୟ ଦିଆଯାଇ ନ ଥାଏ । ତା'ପରେ ବିବାହକର୍ମଟି ସଂପନ୍ନ ହୋଇ ଯିବା ପରେ କନ୍ୟାଟି ସେହି ଆଗପରି କପ୍ ପିଆଲାକୁ ଦୁଇ ହାତରେ ଧରି ବରର ପିତା ମାତାଙ୍କୁ ମଧ୍ୟ ଚାହା ଆଣି ଦିଏ । ସେତେବେଳେ ସାଧାରଣ ଚଳଣିଟି ଅନୁସାରେ କନିଆଁ ବାଆଁ ପାଖରେ ଏବଂ ବର ଡାହାଣ ପାଖରେ ଥାଆନ୍ତି । ଚାହା ପିଉଥିବା ବ୍ୟକ୍ତିମାନେ ଚଉକୀ ଉପରେ ବସିଥାନ୍ତି । ଜଣ ଜଣକୁ ଚାହା ଦେବା ସମୟରେ ବରକନ୍ୟା ଆଣ୍ଠୁମାଡ଼ି ସେମାନଙ୍କୁ ସମ୍ମାନ ପ୍ରଦର୍ଶନ ମଧ୍ୟ କରନ୍ତି ଏବଂ କନିଆଁ ତା’ଶ୍ୱଶୁରଙ୍କ ଆଗରେ ଓ ବର ତା ନିଜ ମାଆଙ୍କ ଆଗରେ । ସବା ଆଗ ଶାଶୁ ଶ୍ଵଶୁର ଚାହା ପାଆନ୍ତି, ସେମାନଙ୍କ ପରେ ବୟସ ଅନୁସାରେ ବଡ଼ରୁ ଛୋଟମାନଙ୍କୁ । ଆପ୍ୟାୟିତ ସମସ୍ତେ ପୁଣି ସେହି ବିଧି ମୁତାବକ ବରକନ୍ୟାଙ୍କ ହାତକୁ ଗୋଟିଏଗୋଟିଏ ମୁଦା ଲଫାପା ବଢ଼ାଇ ଦେଇଥାନ୍ତି, ଯେଉଁଥିରେ କି କିଛି ଅର୍ଥରାଶି ରହିଥିବ କିମ୍ବା କୌଣସି ଅଳଙ୍କାରଟିଏ । ଚୀନକୁ ରୁଷିଆ ମଧ୍ୟକୁ ସଂକ୍ରମିତ ହୋଇଯାଇଥିବାର ଚାହାପାନ ଅବସର ଗୁଡ଼ିକ ଅନୁସାରେ ଭିନ୍ନ ଭିନ୍ନ ପ୍ରକାରର ମଧ୍ୟ ହୋଇଥାଏ । ସ୍ୱାସ୍ଥ୍ୟ କାମନା କରି ଗୋଟିଏ ପ୍ରକାରର ଚାହା ମଙ୍ଗଳ କାମନା କରି ଆଉ ଗୋଟିଏ, ପ୍ରଣୟୀ ମାନଙ୍କ ଉଦ୍ଦେଶ୍ୟରେ ପୁଣି ଆହୁରି ଏକ ଭଳି ।

 

ଢ଼େର କିଛି ବର୍ଷ ତଳେ କଟକରେ ଜାପାନ ବିଷୟରେ ଗୋଟିଏ ସଭା ହେଉଥିଲା । ସେତେବେଳ ଭାରତରେ ଥିବା ସ୍ୱୟଂ ଜାପାନର ରାଷ୍ଟ୍ରଦୂତ ମଧ୍ୟ ସେହି ସଭାରେ ଥିଲେ । ଜଣେ ବୟୋଜ୍ୟେଷ୍ଠ ଅଧ୍ୟାପକ, ଯିଏକି କୌଣସି କାର୍ଯ୍ୟର ଅନୁରୋଧରେ ଏକଦା ଜାପାନ ଭ୍ରମଣ କରିଥିଲେ, ସିଏ ସେହି ଜାପାନ ଦେଶ ଏବଂ ଜାପାନୀମାନଙ୍କ ସଂପର୍କିତ କହିଥିବା କେତୋଟି କଥା ମୋର ଏବେ ମଧ୍ୟ ମନେ ଅଛି । ବହୁତ ଗଦ୍‌ଗଦ ଭାବରେ ସେ ଜାପାନର ବହୁ କଥା କହି ଯାଉଥିଲେ ଏବଂ ସତେ ଅବା ସିଏ ଦେଉଥିବା ସେଦେଶର ଚିତ୍ରଗୁଡ଼ିକୁ ଅଧିକ ପ୍ରାଞ୍ଜଳ କରିଦେବାର ଅଭିପ୍ରାୟରେ ଆମ ଦେଶଟି ସେହି ତୁଳନାରେ ବହୁତ ପଛରେ ପଡ଼ିଛି ବୋଲି ନାନା ସନ୍ଦର୍ଭରେ କହୁଥିଲେ । ସିଏ କହୁ କହୁ କ’ଣ ଭାବି କହି ପକାଇଥିଲେ ଯେ, ତାଙ୍କର ପରବର୍ତ୍ତୀ ଜନ୍ମରେ ସିଏ ସେହି ସୁଖୀ ଦେଶ ଜାପାନରେ ହିଁ ଜନ୍ମ ଗ୍ରହଣ କରିବେ ବୋଲି ସବୁବେଳେ ଇଚ୍ଛା ପ୍ରକାଶ ମଧ୍ୟ କରିବେ । କହୁ କହୁ କହି ବି ପକାଇଥିଲେ ଯେ, ଭାରତବର୍ଷରେ କେବଳ ମନୁଷ୍ୟମାନେ ଯେ ଧଡ଼ିଆ ଓ ଧୋକଲା ଦେଖାଯାଆନ୍ତି, ସେ କଥା ନୁହେଁ, ଏଠାରେ କାଉମାନେ ମଧ୍ୟ ବଡ଼ ରୋଗଣା ଏବଂ ନିସ୍ତେଜ ଦେଖାଯାଆନ୍ତି ଏବଂ, ଜାପାନରେ କେବଳ ମନୁଷ୍ୟମାନେ ନୁହନ୍ତି କାଉମାନେ ମଧ୍ୟ କେଡ଼େ ସୁସ୍ଥ, ସତେଜ ଏବଂ ସ୍ଥୂଳକାୟ ଦିଶନ୍ତି ।

 

ବହିରେ ପଢ଼ିଛି, ୧୯୦୪ ମସିହାରେ ରୁଷିଆ ସହିତ ଜାପାନର ଯେଉଁ ଯୁଦ୍ଧ ହୋଇଥିଲା, ସେଥିରେ ଜାପାନ ବିଜୟ ଲାଭ କରିଥିଲା ଏବଂ ରୁଷିଆ ପରାସ୍ତ ହୋଇଥିଲା । ଗୋଟିଏ ଏସୀୟ ରାଷ୍ଟ୍ର ଗୋଟିଏ ଇଉରୋପୀୟ ରାଷ୍ଟ୍ରକୁ ପରାସ୍ତ କରିବାର ଘଟଣାଟି ଆମ ମହାଦେଶରେ ବହୁତ ଉତ୍ସାହ ସୃଷ୍ଟି କରିଥିଲା ବୋଲି ଇତିହାସରେ ଉଲ୍ଲେଖ ରହିଛି । ଭାରତବର୍ଷର ତତ୍କାଳୀନ ଜାତୀୟ ନେତାମାନଙ୍କୁ ସେହି ଘଟଣା ବହୁତ ପ୍ରେରଣା ପ୍ରଦାନ କରିଥିଲା । ଯେତେବେଳେ ଇଉରୋପୀୟ ପ୍ରଭାବଚୟ । ଏସିଆ ମହାଦେଶ ଆଡ଼କୁ ସଂକ୍ରାମିତ ହୋଇ ଆସୁଥିବାର ନାନା ଲକ୍ଷଣ ପ୍ରକାଶ ପାଇଲା, ସେତେବେଳେ ଗୋଟାସୁଦ୍ଧା ସଂକ୍ରାମିତ ହୋଇ ନିଜତ୍ୱ ହରାଇ ଦେବାର ଆଶଙ୍କା କରି ଜାପାନ ଅଧିକ ସତର୍କତା ଅବଲମ୍ବନ କରି ସେହି ସଂକ୍ରମଣରୁ ରକ୍ଷା ପାଇବାର କାମନାରେ ଆପଣାର ସୀମାଗୁଡ଼ିକୁ ସତେଅବା ମଜବୁତ କରିଦେଲା ଏବଂ ବହୁ ବହୁ କଟକଣା ସହିତ ଆପଣାକୁ ନିବୁଜ କରି ରଖିଲା ! ନାହିଁ,–ପାଶ୍ଚାତ୍ୟର କୌଣସି ପ୍ରଭାବକୁ ସିଏ ନିଜର ଭୂଇଁକୁ ପଶିବାକୁ ବି ଦେବନାହିଁ । ଜାପାନୀମାନେ ନିଜ ଦେଶରୁ ବାହାରକୁ ଆଦୌ ଯାଇ ପାରିବେ ନାହିଁ ବୋଲି କଠୋର ନିର୍ଦ୍ଦେଶମାନ ଜାରି ହୋଇଥିଲା । ତା’ପରେ ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଯାଇ ଦୃଷ୍ଟି ବଦଳିଲା ଏବଂ ଇଉରୋପ ସହିତ ସଂସ୍ରବ ବଢ଼ିଲା; ଜାପାନୀମାନେ ପାଶ୍ଚାତ୍ୟ ଭୂମିଗୁଡ଼ିକୁ ଯାଇ ସେଠା ଯନ୍ତ୍ରକୌଶଳ ଗୁଡ଼ିକୁ ଚଟ୍‌ଚାଟ୍ ଶିଖି ପକାଇଥିଲେ ଏବଂ ପୂର୍ଣ୍ଣ ପରାକ୍ରମରେ ନିଜ ଦେଶରେ ଏକ ଉଦ୍ୟୋଗୀକରଣର ଅଭିନବ ପର୍ବ ଆରମ୍ଭ କରିଦେଲେ । ଏବଂ, କେତେକ ବିଶେଷ ଅନୁକୂଳତା ହେତୁ ସେମାନେ ପଣ୍ୟର ବଜାରରେ ଇଉରୋପର ପ୍ରତିଦ୍ୱନ୍ଦୀ ବି ହୋଇ ପାରିଥିଲେ । ଅନ୍ତତଃ ଏସିଆର ବଜାରରେ ଏକନମ୍ବର ସ୍ଥାନ ଅଧିକାର କରିପାରିଲେ । ଏବଂ, ତଥାକଥିତ ସଂସ୍କୃତି ଅର୍ଥାତ୍ ପରମ୍ପରା ଗୁଡ଼ିକର କ୍ଷେତ୍ରରେ ଯଥାସମ୍ଭବ ଜାପାନୀ ହୋଇ ରହିବା ଲାଗି ପୂର୍ଣ୍ଣ ପ୍ରୟାସମାନ ଜାରି ରଖିଥିଲେ ।

 

ରାଜତନ୍ତ୍ର ରହିଲା । ବାହାରେ ଅଧିକସଂଖ୍ୟକ ଉପଚାରରେ ନିଜକୁ ବୌଦ୍ଧରୂପେ ଗଣନା କରୁଥିଲେ ମଧ୍ୟ ଜାପାନ ଆପଣାର ପ୍ରକୃତ ମଞ୍ଜିଗୁଡ଼ିକରେ ପ୍ରାୟ ସେହି ଆଗ ପରି ରହିବାକୁ ପସନ୍ଦକଲା । କ୍ରମେ ସାମ୍ରାଜ୍ୟ-ନିଶାଟା ବୃଦ୍ଧି ନ ପାଇବାର ତେଣିକି କୌଣସି କାରଣ ହିଁ ନଥିଲା । ପୃଥିବୀର ସାମରିକ ଶକ୍ତି କହିଲେ ଯେତେବେଳେ ତୁଚ୍ଛା ଇଉରୋପୀୟ ରାଷ୍ଟ୍ରଗୁଡ଼ିକୁ ବୁଝାଉଥିଲା, ସେତେବେଳେ ଏହି ଗୋଟିଏ ବାହାର ଦେଶ ଜାପାନର ହିଁ ସେମାନଙ୍କ ସହିତ ଖୁବ୍‌ ଗଣତି ହୋଇ ପାରିଲା । ମେଣ୍ଟମାନ ହେଲା, ଯାବତୀୟ କୁଟନୈତିକ ହିସାବରେ ଜାପାନ ମଧ୍ୟ ଅନ୍ୟତମ ରୂପେ ସ୍ୱୀକୃତ ହୋଇଥିଲା । ଏତେଟିକିଏ ଭୂଇଁ, ଏତେ ଗୁଡ଼ାଏ ଆର୍ଥିକ ସଫଳତା ଏବଂ ସଂପନ୍ନତା, ଇଉରୋପୀୟ ପୁରୋଭାଗୀୟମାନଙ୍କୁ ସତେ ଅବା ମଡ଼େଲ ବୋଲି ମାନି ନେଇ ଜାପାନ ମଧ୍ୟ ରୀତିଗୁଡ଼ିକୁ ଗ୍ରହଣ କରିନେଇ ସାମ୍ରାଜ୍ୟ ବିସ୍ତାର କରି ବାହାରିଥିଲା । ପ୍ରତିବେଶୀ ଚୀନ ସହିତ ଯୁଦ୍ଧାଭିଯାନରେ ବାହାରି ପଡ଼ିଥିଲା । ସବୁ କିଛି ରାଜାଙ୍କର ନାମରେ ହେଲା, ପ୍ରାୟ ଏକ ଧର୍ମନିଷ୍ଠା ସହିତ ହୋଇ ପାରିଲା । ରାଜା ଏବଂ ଦେଶ ନାମକ ଦୁଇଟିଯାକ ଏକ ଏପରି ଉତ୍ସାହ-ନିଶାରେ ଯେ ଏକାକାର ହୋଇ ଯାଇଥିଲେ ସେକଥା ହୁଏତ କେହି ଠଉରାଇ ପାରିଲେ ନାହିଁ । ତଥାକଥିତ ଜାତୀୟତାବାଦ ଏବଂ ଜାତୀୟ ପ୍ରତିଷ୍ଠାକୁ ଅଫିମପ୍ରାୟ ଏତେବଡ଼ ଭାବାତିରିକ୍ତତା ଦେଇ ଜାପାନ ସତେ ଅବା କେଡ଼େ ଅହେତୁକ ପ୍ରକାରେ ଚାହୁଁ ଚାହୁଁ ଫୁଲି ଆସୁଥିବା ପରି ଲାଗିଲା । ଏସିଆର ଅଧିବାସୀ ନିଶ୍ଚୟ ଖୁବ୍ ତାଟକା ହୋଇ ଚାହିଁ ରହିଥିବେ । କେଡ଼େ ବିଚକ୍ଷଣ ଭାବରେ ଜାପାନୀ ମହତ୍ତ୍ୱାକାଂକ୍ଷାର ଅଧୀଶ୍ଵରମାନେ ସେତେବେଳେ ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଦିବାସ୍ୱପ୍ନଗୁଡ଼ିକୁ ପୂରାପଣେ ଆୟତ୍ତ କରି ଯେ ନେଇଥିଲେ, ଏବେ ମଧ୍ୟ ସେହି କଥାକୁ ମନେ ପକାଇଲେ ଭାରି ଆଚମ୍ବିତ ମନେହେବ । ତାପରେ ଦୁଇ ଦୁଇଟା ବିଶ୍ୱ-ସମର ଏବଂ ଜାପାନ ମଧ୍ୟ

 

ସେଥିରେ କେଡ଼େ ଚମତ୍କାର ଭାବରେ ପକ୍ଷଭୁକ୍ତ ହୋଇ ଯାଇଥିଲା ! ଚୀନ ଏବଂ କୋରିଆରେ ଜାପାନୀ ସେନାବାହିନୀ ଯେଉଁ ନୃଶଂସ ଅସଭ୍ୟତାଟାର ଆଚରଣ କଲା, ସେତେବେଳେ ତାହାର ପ୍ରକୃତ କୌଣସି ପଟାନ୍ତର ହିଁ ନ ଥିଲା । ଦ୍ଵିତୀୟ ମହାଯୁଦ୍ଧରେ ଜାପାନ ହିଟଲର ଏବଂ ମୁସୋଲିନିଙ୍କର ସାଜୀଦାର ହୋଇ ରହିଲା ଏବଂ କେଡ଼େ ଅବଲୀଳା ସହିତ ଭାରତ ମହାସାଗର ପଟେ ମାଡ଼ି ଆସି କଲିକତାରେ ବୋମା ବରଷି ବି ପାରିଲା । ତା’ପରେ ଆହୁରି କ’ଣ ସବୁ ହୋଇଆନ୍ତା ଏବଂ ଘଟିଥାଆନ୍ତା କେଜାଣି । ପୃଥ୍ୱୀ-ବିଧାତାର କ’ଣ ସବୁ ଇଚ୍ଛା ଥିଲା କେଜାଣି, ରୁଷିଆରେ ପ୍ରାୟ ଏକ ଐତିହାସିକ ଶୌର୍ଯ୍ୟର ପ୍ରଦର୍ଶନ କରି ସେଠା ଲଢ଼ୁଆ ମଣିଷମାନେ ଜର୍ମାନୀକୁ ହଟାଇବାକୁ ଆରମ୍ଭକଲେ । ପୁନର୍ବାର କ୍ରମେ ଫରଚା ହୋଇ ଆସିବା ପରି ପ୍ରତ୍ୟୟଗୁଡ଼ିକ ଜନ୍ମଲାଭ କରିଥିଲା । ତଥାପି, ପ୍ରତିଶୋଧଟା ପୂରା ହୋଇ ନ ଥିବା ପରି ଆମେରିକାର ତରଫରୁ କୋପୀ ବାଣଟା ଜାପାନର ହିରୋଶିମା ଏବଂ ନାଗାସାକୀ ଉପରେ ପରମାଣୁ ବୋମା ପକାଇବା ପରେ ଯାଇ ତୃପ୍ତି ଲାଭ କରିଥିଲା । ଜାପାନ ପରାଭୂତ ହୋଇ ବଶ୍ୟତା ସ୍ୱୀକାର କରିଥିଲା । ଏବଂ, ହାରିଥିବା ପକ୍ଷଟି ପରି ଏବେ ମଧ୍ୟ ନାନା ପ୍ରକାରେ ବାଧ୍ୟ ହୋଇ ରହିଛି । ତା’ର ଯୁଦ୍ଧକାଳୀନ ଅତିମାନବୀୟ ଅପକୀର୍ତ୍ତିମାନ କ୍ରମଶଃ ବହି ହୋଇ ବାହାରିବାରେ ଲାଗିଛି ।

 

ନିଜର ଏହି କେଡ଼େ ପରମ୍ପରାଯୁକ୍ତ ଦେଶଟା ଯୁଦ୍ଧର ଏକତରଫା ଅନୁମତିପତ୍ରଟାଏ । ଧରି ଯେତେବେଳେ ଏହି ଯାବତୀୟ ଅକାଣ୍ଡରେ ଲିପ୍ତ ହୋଇ ଦୈତ୍ୟଧର୍ମମାନ ଭିଆଇ ଚାଲିଥିଲା, ସେତେବେଳେ ଜାପାନର ଜେନ୍ ବୌଦ୍ଧଧର୍ମ ବସ୍ତୁତଃ କ’ଣ କରୁଥିଲା ? ଚାହା-ଉତ୍ସବରେ ପ୍ରାୟ ଯୁଗ ଯୁଗ ଧରି ମଣ ହୋଇ ଆସିଥିବା ସମ୍ଭ୍ରାନ୍ତଗଣ କ’ଣ ବା କରୁଥିଲେ । ସେମାନେ ମଧ୍ୟ ସେହି ରାଷ୍ଟ୍ରର ପବିତ୍ର ଉପବୀତମାନଙ୍କୁ କାନ୍ଧରେ ପକାଇ କେତେ ପୋଷା ମାନି ସେହିସବୁ ଅକାର୍ଯ୍ୟରେ ଉଷତ ହୋଇ ବାହାରିଯାଇ ନ ପାରିଲେ ! ଏପରି କେଉଁ ଦର୍ଶନଟାଏ ସେହି ଦେଶରେ ମନୁଷ୍ୟମାନଙ୍କୁ ମଣ କରି ରଖିଥିଲା, ଯାହାକି ନିର୍ମଳ ବିବେକ ସହିତ ସେମାନଙ୍କୁ ପ୍ରାୟ ସେହି ଏକାଭଳି ସମ୍ଭ୍ରମ ସହିତ ଘୃଣ୍ୟତମ ସମରବାଦର ରାଜକୀୟ ଆହବ ଗୁଡ଼ାକ ମଧ୍ୟକୁ ଏତେ ଏତେ ସୂତରରେ ପେଲିଦେଇ ପାରୁଥିଲା ! Zen ମାର୍ଗର ଭିକ୍ଷୁବିହାର ଗୁଡ଼ିକ ତଥା ଆନୁଷ୍ଠାନିକ ଚାହାଉତ୍ସବ ଗୁଡ଼ିକ ସେହି ଯୁଦ୍ଧଟା ସମୟରେ କଦାପି ବନ୍ଦ ହୋଇ ଯାଇ ନ ଥିବ । ଭିକ୍ଷୁମାନେ ମଧ୍ୟ କେଡ଼େ ସକାରାତ୍ମକ ଉଦାସୀନତା ଅର୍ଥାତ୍ ଏକ ପୂର୍ଣ୍ଣକୁଶଳ ଚତୁରତା ସହିତ ପରିସ୍ଥିତି ସହିତ ନିଜକୁ ମନାଇ ବି ନେଇଥିବେ । ଭାରତବର୍ଷର ଭଗବତ୍‌ଗୀତାରେ ନୈଷ୍କର୍ମ୍ୟର କଥା କୁହାଯାଇଛି । ବାବୁ ତୁମେ କର୍ମଭିତରେ ରହିଥିବ, ମାତ୍ର ଦୃଷ୍ଟିରେ ନୈଷ୍କର୍ମ୍ୟ ହିଁ ତୁମର ପଦକ୍ଷେପକୁ ପରିଚାଳିତ କରୁଥିବ । ଅର୍ଥାତ୍ କୌଣସି ପ୍ରକାରର ସ୍ଵାର୍ଥ ଅଥବା ଅତିମୋହ ତୁମକୁ ଆଦୌ ଘାରି କରି ରଖିନଥିବ । ଶ୍ରଦ୍ଧା ହିଁ ସବା ଆଗରେ ଥିବ । ଏବଂ, କର୍ମରେ ଲିପ୍ତ ହୋଇ ନ ପଡ଼ିବାର ସେହି ସକାରାତ୍ମକ ଛଳନାଟି ମଧ୍ୟରେ ତୁମେ କଦାପି ନିଜକୁ ଛନ୍ଦି ପକାଇବ ନାହିଁ । କୌଣସି ପ୍ରକାର ବହିର୍କୁଣ୍ଠା ଦ୍ଵାରା ନୁହେଁ ଏବଂ ଅନ୍ତର୍କୁଣ୍ଠା ଦ୍ଵାରା ତ ଆଦୌ ନୁହେଁ । ଲିପ୍ତ ହୋଇ ନ ରହିବ ବୋଲି ନିର୍ଲିପ୍ତତାକୁ ମୋଟେ କୌଣସି ଆଳ ପରି ଗ୍ରହଣ କରିବାର ଭ୍ରାନ୍ତି ମଧ୍ୟରେ ଆପଣାକୁ ଜଡ଼ିତ କରି ରଖିବା ନାହିଁ । ଈଶୋପନିଷଦରେ ତ ଏହି ପୃଥିବୀରେ କର୍ମଯୁକ୍ତ ହୋଇ ରହି ଶହେବର୍ଷ ବଞ୍ଚିବାର ସ୍ପଷ୍ଟ ପରାମର୍ଶଟିଏ ଦିଆଯାଇଛି ଏବଂ କର୍ମ ମଣିଷକୁ ମୋଟେ ବାନ୍ଧି ପକାଏ ନାହିଁ ବୋଲି କେଡ଼େ ସିଧାକରି ଘୋଷଣା କରାଯାଇଛି । ‘ନ କର୍ମ ଲିପ୍ୟତେ ନରେ’ ବୋଲି କୁହାଯାଇଛି । ସମ୍ଭବତଃ ଗୋଟିଏ ଓଲଟା କଥା କୁହାଯିବ ଯେ, ଆମେ ଏକ ଅବଜ୍ଞା ଅର୍ଥାତ୍ ଉପେକ୍ଷାଭାବକୁ ହିଁ ଜୀବନର ସର୍ବମୂଳ ଉପଜୀବ୍ୟ ରୂପେ ଗ୍ରହଣ କରି ନେଇଥାଉ ବୋଲି ହିଁ କର୍ମରୁ ଅପଣାକୁ ଦୂରଛଡ଼ା କରି ରଖିଥାଉ । ପୃଥିବୀରେ କେତେ କ’ଣ ଘଟଣା ଘଟୁଥାଏ ଏବଂ ଆମକୁ ଆହ୍ୱାନ ଦେବାରେ ଲାଗିଥାଏ, ତଥାପି ଆମେ ସତେ ଅବା ଜାଣିଶୁଣି ନିଜକୁ,–କେବଳ କାନଦୁଇଟାକୁ ନୁହେଁ,–ଆପଣାର ଅନ୍ତରେନ୍ଦ୍ରିୟ ଗୁଡ଼ିକୁ ମଧ୍ୟ ବଧିର କରି ରଖିଥାଉ । ପୃଥିବୀ ବୁଡ଼ି ବୁଡ଼ି ଯାଉଥାଏ ଏବଂ ଆମେ ଅନ୍ତତଃ ବେଳ ଥାଉଁ ଜୀବନଟାକୁ ଭୋଗକରି ନେବା ପାଇଁ ନିଜକୁ ସଲା ଦେବାରେ ଲାଗିଥାଉ । ଏବଂ, କୌଣସି ସୁବିଧା ହେବ ବୋଲି ତାହାକୁ ହିଁ ନିର୍ଲିପ୍ତତା ବୋଲି କହୁ କି ? ଏବେ ମଧ୍ୟ ପୃଥିବୀରେ ବହୁ ମଣିଷ ଅଛନ୍ତି, ଯେଉଁମାନେ କି କେଡ଼େ ସୁନିଶ୍ଚିତ ପ୍ରକାରେ ହିଁ ଥିର ଏବଂ ନିର୍ଲିପ୍ତ ହୋଇ ରହିବାକୁ ଶ୍ରେୟ ମଣୁଛନ୍ତି: ସେମାନେ ଚାହାଉତ୍ସବରେ ଆପଣାକୁ ଅନ୍ୟମନସ୍କ କରି ରଖିଛନ୍ତି ।

 

ପରମାଣୁ ବୋମାର ଶିକାର ହୋଇ ହିରୋଶିମା ନାଗାସାକି ସହରରେ ଅସୁମାରି ମଣିଷ ଏକ ଅତ୍ୟାଧୁନିକ ଗଣହତ୍ୟାର ଶିକାର ହେବା ପରେ ଯେଉଁ ଅଳପ ମଣିଷ ସେଠାରେ ତଥାପି ବଞ୍ଚି ରହିଲେ, ଜାପାନୀ ଭାଷାରେ ସେମାନଙ୍କୁ ହି-ବା-କୁ-ଶା ବୋଲି ସେହି କାଳରୁ କୁହାଯାଇ ଆସିଛି । ତା'ପରେ ତ ପୃଥିବୀର ଆହୁରି କେତେକେତେ ରାଷ୍ଟ୍ରରେ ବୋମାମାନେ ଖଲଖଲ ବି ହେଲେଣି । ହିସାବ କରି କୁହାଯାଉଛି ଯେ, ସମଗ୍ର ପୃଥିବୀର ସବୁ ମଣିଷଙ୍କୁ ମୃତ୍ୟୁର ମୁହଁରେ ବାଧ୍ୟ କରାଇ ପକାଇ ସାରିବା ପରେ ତଥାପି ମହଜୁଦ ହୋଇ ଗଦା ଗଦା ବୋମା ବାକୀ ବି ରହିବ । ଅର୍ଥାତ୍ ଚିନ୍ତାଶୀଳ ବ୍ୟକ୍ତିମାନେ ଏପରି ମଧ୍ୟ କହିବାକୁ ଉଚିତ ବୋଲି ମନେ କଲେଣି ଯେ, କେବଳ ସେହି ଗୋଟିଏ ଦେଶ ଜାପାନ ନୁହେଁ, ପୂରା ପୃଥିବୀଟାର ସବୁ ମଣିଷଙ୍କୁ ବର୍ତ୍ତମାନ ପୂର୍ଣ୍ଣ ନ୍ୟାୟରେ ହି-ବା-କୁ-ଶା ବୋଲି ଖୁବ୍‌ କୁହାଯାଇ ପାରିବ । ତଥାପି ପୃଥିବୀରେ ଚାହା ଉତ୍ସବ କ’ଣ କମ୍ ନିର୍ଲିପ୍ତ ପ୍ରକାରେ ଚାଲିଛି ! ଆମ ଧର୍ମ ଓ ଧର୍ମବିହାର ମାନଙ୍କର ଏହି ସ୍ଥିତିରେ ସତେ ଯେପରି ଆଦୌ କିଛି ହେଲେ କହିବାକୁ ନାହିଁ । ସେମାନେ ବି କ’ଣ କ’ଣ ସବୁ ମନେ କରି ରାଷ୍ଟ୍ରମାନଙ୍କର ପଟେ ରହିଛନ୍ତି । ସେମାନଙ୍କୁ ନିର୍ଲିପ୍ତ ହୋଇ ରହିବାର ସାଧୂପଦେଶମାନ ଦେଉଛନ୍ତି । ଥିର ହେବାକୁ କହୁଛନ୍ତି, ଅଧିକରୁ ଅଧିକ କାଳ ଏଠାରେ ଆସ୍ଥାନମାନଙ୍କ ଉପରେ ବସି ଏହି ସଦାପରିପୂର୍ଣ୍ଣ ପୃଥିବୀଟାକୁ ଭୋଗ କରିବା ନିମନ୍ତେ ଟିହାଇବାରେ ଲାଗିଛନ୍ତି । ଏହି ପୁସ୍ତକଟିର ତୃତୀୟ ଅଧ୍ୟାୟରେ Zen ମାର୍ଗର ସେହି ଉଜ୍ଜ୍ୱଳ କାଳଟିର ବାର୍ତ୍ତାଗୁଡ଼ିକ ବିଷୟରେ ଯେଉଁ କିଞ୍ଚିତ୍ ଆଭାସ ଦିଆଯାଇଛି, ସେଥିରୁ ତ କେଡ଼େ ସହଜରେ ଧାରଣା କରି ହେଉଛି ଯେ, ସେତେବେଳେ ସେମାନେ ସତେ ଅବା ମନୁଷ୍ୟମାନଙ୍କ ପକ୍ଷରେ ଏକ ବିକଳ୍ପର ଦୃଷ୍ଟାନ୍ତ ଦର୍ଶାଇ ଦେଉଥିଲେ, ଧର୍ମାଚାର ଗୁଡ଼ିକୁ ଏକ ଆଧ୍ୟାତ୍ମିକ ସମ୍ମାର୍ଜନୀଦ୍ୱାରା ଉତ୍ତମ ରୂପେ ଚିହ୍ନାଇ ଦେବାର ପ୍ରୟାସ କରିଥିଲେ ଏବଂ ଆପଣାର ଏକ ସ୍ଵତନ୍ତ୍ର ଭାଷାରେ ଆବଶ୍ୟକ ପ୍ରତିବାଦଟିଏ ବି କରିଥିଲେ-। ଏବର ଚାହା-ଉତ୍ସବର ଥିଲା ବର୍ଗମାନେ ଯେତେବେଳେ ଆପଣାର ଉକ୍ତ ଉପଚାରଟିକୁ ଜେନ୍ ମାର୍ଗ ସହିତ ଯୋଡ଼ିଦେବାର ହୁଏତ କିଞ୍ଚିତ୍‌ କୂଟ କରୁଛନ୍ତି, ସେତେବେଳେ ସେମାନେ ଆଉ କିଛି ଭ୍ରାନ୍ତ ବିଳାସରେ ପଡ଼ି ସେପରି କରୁନାହାନ୍ତି ତ !

 

ସବାଶେଷରେ ଆମେ ‘ଚାହା-ପୁସ୍ତକ’ଟିର ଲେଖକ ଶ୍ରୀଯୁକ୍ତ ଓକାକୁରାଙ୍କ ପାଖକୁ ଫେରିଆସିବା । ତାଙ୍କର ଦେଖନ୍ତା ଆମର ଏହି ପୃଥିବୀଟି ତାଙ୍କ ଅନ୍ତେ ଯେପରି ମାର୍ଗରେ ଗତି କରିବାକୁ ମୁଖ୍ୟତଃ ସମ୍ଭ୍ରାନ୍ତମାନଙ୍କଦ୍ୱାରା ବାଧ୍ୟ ହୋଇଛି ଏବଂ ତାଙ୍କ ଆପଣା ଦେଶ ଜାପାନ ମଧ୍ୟ ସେହି ଅବଧିଟିରେ ଯେଉଁଭଳି ଭୂମିକାମାନ ଗ୍ରହଣ କରିଛି, ସେଗୁଡ଼ିକର ସମ୍ମୁଖୀନ ହୋଇ ସିଏ କିଭଳି ଏକ ପ୍ରତିକ୍ରିୟା ବ୍ୟକ୍ତ କରନ୍ତେ କେଜାଣି ! ନିଜ ଆଗ୍ରହରେ ଓକାକୁରା ଆପଣାକୁ ବିଶ୍ୱଭାରତୀ ଶାନ୍ତିନିକେତନର ନିକଟ ପରିଚୟରେ ଆଣିଥିଲେ । ରବୀନ୍ଦ୍ରନାଥଙ୍କ ସହିତ ମଧ୍ୟ ତାଙ୍କର ଘନିଷ୍ଟ ସଂପର୍କଟିଏ ରହିଥିଲା । ପ୍ରଧାନତଃ ତାଙ୍କରି ପ୍ରଚେଷ୍ଟାରେ କବିଗୁରୁ ସେତେବେଳେ ଏକ ବକ୍ତୃତାର କାର୍ଯ୍ୟକ୍ରମରେ ମଧ୍ୟ ଜାପାନ ଯାଇଥିଲେ ଏବଂ ଜାତୀୟତାବାଦ ନାମକ ଗୋଟିଏ ମୂଳ ବିଷୟଟି ଉପରେ କେତେଗୋଟି ଭାଷଣ ପ୍ରଦାନ କରିଥିଲେ । ଏକ ଅଦୂର ଭବିଷ୍ୟତରେ ଜାତୀୟତାବାଦର ଏକମୁହାଁ ସୁଅଟାରେ ଅପଣାକୁ ଛାଡ଼ିଦେଇ ଯେଉଁ ମହାନ୍ ବୋଲାଇବାର ରାଷ୍ଟ୍ରୀୟ ପ୍ରସ୍ତୁତିରେ ସେତେବେଳେ ଜାପାନ ଆପଣାକୁ ସର୍ବବିଧ ଉତ୍ତେଜନା ସହିତ ସଚଳ କରିଥିଲା, ରବୀନ୍ଦ୍ରନାଥ ତାହାକୁ ଖୁବବେଶୀ ଏକ ଶୁଭସୂଚନା ବୋଲି ଗ୍ରହଣ କରି ପାରି ନ ଥିଲେ । କେବଳ ସେହି ଗୋଟିଏ ଦେଶ ଜାପାନ ପାଇଁ ନୁହେଁ, ସମଗ୍ର ପୃଥିବୀ ପାଇଁ । ଏକ ଅପବାଦ ମଧ୍ୟ ରହିଛି ଯେ, ତାଙ୍କର ବକ୍ତବ୍ୟ ଶୁଣିବା ସକାଶେ ସେଠାକୁ ଆସୁଥିବା ସମ୍ଭ୍ରାନ୍ତମାନଙ୍କୁ ସେସବୁ କଥା ସଂପୂର୍ଣ୍ଣ ଭାବରେ ପ୍ରୀତିକର ଲାଗି ନ ଥିଲା । ସେମାନେ ସମ୍ଭବତଃ ନିଜର ଦେଶଟିକୁ ନେଇ ବୃହତ୍ ସ୍ୱପ୍ନମାନ ଦେଖିବାରେ ଏତେ ଲିପ୍ତ ହୋଇ ରହିଥିଲେ ଯେ, ଜଣେ ଭାରତୀୟ କବିଙ୍କର ସେହି ତୁଚ୍ଛା ଆଶଙ୍କାଗୁଡ଼ିକୁ ଅନ୍ତତଃ ବୁଝିବା ନିମନ୍ତେ ମଧ୍ୟ ଯଥେଷ୍ଟ ପରିମାଣରେ ନିର୍ଲିପ୍ତ ହୋଇ ପାରିଲେ ନାହିଁ-। ଏ ସବୁ ଆଦୌ ଚାହାର ଦୋଷ ନୁହେଁ, ଚାହାକୁ ନେଇ ଉତ୍ସବ କରିବାର ମଧ୍ୟ ଦୋଷ ନୁହେଁ-। ଆମେ ସମସ୍ତେ ଏହି ପୃଥିବୀଟି ବିଷୟରେ କେତେ ଦୂର ଲିପ୍ତ ହୋଇ ରହିଛୁ ବୋଲି ଆଉ କେତେକ ବିଷୟରେ ଉତ୍ସବାନୁଷ୍ଠାନ ଗୁଡ଼ିକର ମାଧ୍ୟମରେ ଆପଣାକୁ ପ୍ରାୟ ବାନ୍ଧି ବୁନ୍ଧି ନିର୍ଲିପ୍ତ କରି ରଖିବାର କସରତ କରିବାରେ ଲାଗିଛୁ, ସବୁଯାକ କଥା ତାହାରି ଉପରେ ନିର୍ଭର କରୁଛି । ଏହି ପୃଥିବୀ ଯଦି ସତକୁ ସତ ସବୁ ମଣିଷଙ୍କର ହୋଇ ରହିବ ବୋଲି ଆମେ ତଦନୁସାରୀ ଏକ ଜୀବନଧର୍ମକୁ ଖୋଜି ବାହାରିଥିବା, ତେବେ ଉପେକ୍ଷା, ଉଦାସୀନତା ଏବଂ ଅବଜ୍ଞା ଗୁଡ଼ାକୁ ଆଉ କଦାପି ମନ କରି ପାରିବା ନାହିଁ । ଆମର ଅନୁଷ୍ଠାନ ତଥା ମେଳଗୁଡ଼ିକ ମଧ୍ୟ ତାହାର ପ୍ରତିଫଳନ କରିବ ହିଁ କରିବ ।

Image